ହୋମ / କୃଷି / ବଜାର ଖବର / ଜିରୋ ବଜେଟ କୃଷି
ସେଆର କରନ୍ତୁ

ଜିରୋ ବଜେଟ କୃଷି

ଜିରୋ ବଜେଟ କୃଷି ବିଷୟରେ ସୂଚନା ।

ଜିରୋ ବଜେଟ କୃଷି କଣ ?

ବିଗତ ୨୫ବର୍ଷ ପୂର୍ବେ ଅର୍ଥାତ୍ ୧୯୯୪ 'ମସିହାରେ ସୁଭାଷ ପାଲେକର ନାମକ ଜଣେ ଅଗ୍ରଗାମୀ ସାମାଜିକ କର୍ମୀ ଆନ୍ଧ୍ର ଏବଂ ହିମାଚଳ ପ୍ରଦେଶର ଗରିବ ଚାଷୀଙ୍କୁ କୃଷିରୁ ଋଣମୁକ୍ତ ହେବା ପାଇଁ ଜିରୋ ବଜେଟ କୃଷିକୁ ଆପଣାଇବା ପାଇଁ ଉପଦେଶ ଦେଇଥିଲେ । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୧୯- ୨୦ ଆର୍ଥିକ ବଜେଟରେ ଦେଶରେ ଜିରୋ ବଜେଟ କୃଷି ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଜିରୋ ବଜେଟ କୃଷି କହିଲେ ଚାଷୀ ନିଜ ତହବିଲରୁ ଅର୍ଥ ଖର୍ଚ୍ଚ ନ କରି । ଚାଷରୁ କିପରି ଲାଭବାନ୍‌ ହୋଇପାରିବେ। ଜିରୋ ବଜେଟ କୃଷି କେତେ ସଫଳ ଏହା  ଉପରେ ତର୍କ ହେଉଛି ।

କୃଷିରୁ ସ୍ଵାବଲମ୍ବୀ ଏବଂ ଲାଭବାନ୍ ହେବାକୁ ହେଲେ ଉର୍ବର ଜମି, ଉନ୍ନତ କିସମ ବିହନ, ସୁଷମ ଖାଦ୍ୟ ଉପାଦାନ,ଜଳସେଚନ, ରୋଗ ପୋକ ନିୟନ୍ତ୍ରଣ, କୃଷି ଯନ୍ତ୍ରପାତି ଆଦିର ଆବଶ୍ୟକତା ଅଛି । ଉପରୋକ୍ତ ଆନୁଷଙ୍ଗିକ ଆବଶ୍ୟକତାରୁ କିଛି ଅଭାବ ରହିଲେ ଚାଷୀ ଉପଯୁକ୍ତ ଅମଳ ପାଇବାରୁ ବଞ୍ଚିତ ହେବେ।  କେତେକ ଯୌଥ ପରିବାରର କ୍ଷୁଦ୍ର ଚାଷୀ ପାଖରେ ଚାଷ ପାଇଁ ଆବଶ୍ୟକ ଜମି ନ ଥିଲେ, ସେ ମଧ୍ୟମ କିମ୍ବା ଧନୀ ଚାଷୀଙ୍କ ଠାରୁ ଜମି ଭାଗରେ ନେବା ପାଇଁ କିଛି ଅର୍ଥ ଜମିମାଲିକଙ୍କୁ ସିକ୍ୟୁରିଟ ଆକାରରେ ଅଗ୍ରିମ ଦେବାକୁ ପଡ଼େ । ଏହାଦ୍ଵାରା ଚାଷୀ ଆଶା ଆଶଙ୍କାରେ ଫସଲ ଅମଳ ପର୍ଯ୍ୟନ୍ତ  ଅପେକ୍ଷାକରେ । ଫସଲ ଅମଳ ପରେ ଚାଷୀ ମହାଜନଙ୍କ ଜମିର ଭାଗ, ଅର୍ଥ କିମ୍ବା ଫସଲ ଆକାରରେ ଦେବାକୁ ପଡ଼େ।

ଉକୃଷ୍ଟ ବିହନ ଅଧିକ ଅମଳ

ଉକୃଷ୍ଟ ବିହନ ଅଧିକ ଅମଳର ପ୍ରଥମ ଚାବିକାଠି । କାରଣ ଉତ୍ତମ ବିହନ ବ୍ୟବହାରରୁ ଅମଳର ପ୍ରାୟ ଶତକଡା ୨୫ଭାଗ ମିଳିଥାଏ । ଉନ୍ନତ ଏବଂ ଅଧିକ ଅମଳକ୍ଷମ ବିହନ ବ୍ୟବହାର ପାଇଁ ଚାଷୀ ବଜାରରୁ ମଞ୍ଜି କ୍ରୟ ଲାଗି ଅର୍ଥ ଆବଶ୍ୟକ କରିଥାଏ । ସରକାର ରିହାତି ଦରରେ ଉନ୍ନତ ବିହନ ଯୋଗାଇଲେ ମଧ୍ୟ ଚାଷୀକୁ କିଛି ଅର୍ଥ ଦେବାକୁ ପଡ଼ିଥାଏ । ପୁନଶ୍ଚ ଚାଷୀ ଯଦି ପୂର୍ବ ବର୍ଷର ବିହନ ବ୍ୟବହାର କରନ୍ତି କିମ୍ବା ନିଜ ନିଜ ମଧ୍ୟରେ ବିହନ ଅଦଳବଦଳ କରନ୍ତି ତେବେ ବିହନ ବାବଦ ଅର୍ଥ ଖର୍ଚ୍ଚ ହେବନି ସତ, କିନ୍ତୁ ଉନ୍ନତ ବିହନର ସାଇତା ପ୍ରଣାଳୀ ବିଜ୍ଞାନ ସମ୍ମତ ନ ଥିଲେ, ଶତପ୍ରତିଶତ ଗଜା ହେବା ସମ୍ଭାବନା କମ୍ ।

ରାସାୟନିକ ସାର ଅଧିକ ଅମଳର ଦ୍ଵିତୀୟ ମୁଖ୍ୟ ଚାବିକାଠି । ସାର ପ୍ରୟୋଗ ଦ୍ଵାରା ଅମଳ ପ୍ରାୟ ୩୫ ରୁ ୪୦ ଶତକଡ଼ା ବଢ଼ିଥାଏ । ରାସାୟନିକ ସାର ପାଇଁ ସରକାର ଚାଷୀକୁ ରିହାତି ଦିଅନ୍ତି । ତଥାପି ରାସାୟନିକ ସାର ପାଇଁ ଚାଷୀକୁ କିଛି ଅର୍ଥ ବିନିଯୋଗ କରିବାକୁ ପଡ଼େ । ଅବଶ୍ୟ ରାସାୟନିକ ସାର ବଦଳରେ ଚାଷୀ ନିଜର କ୍ଷେତବାଡ଼ି ଓ ଗୁହାଳରୁ ମିଳୁଥିବା ଅଳିଆ, ଆବର୍ଜନା, ଗୋବର ଏବଂ ଗୋମୂତ୍ର  ଆଦିକୁ ସଂଗ୍ରହକରି ଜୈବଖତ ପ୍ରସ୍ତୁତ କରି ଫସଲରେ ବ୍ୟବହାର କଲେ, ଏଥିପାଇଁ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ ।

ଲାଭଜନକ ଅମଳ

କିନ୍ତୁ ଫସଲର ଆବଶ୍ୟକତାଠାରୁ ଏହା ଯଥେଷ୍ଟ କମ୍ । ଲାଭଜନକ ଅମଳ ଲାଗି କୃଷିବିତମାନେ ଶସ୍ୟଜାତୀୟ ଫସଲ  ପାଇଁ ଏକର ପ୍ରତି ୩୦ ରୁ ୪୦ କିଲୋ ଯବକ୍ଷାରଜାନ, ୧୫ ରୁ ୨୦ କିଲୋ ଫସଫେଟ ଏବଂ ସମପରିମାଣର ପଟାସ  ସାର ସହ ୨ଟନ୍ ଖତ ଅନୁମୋଦନ କରିଥାଆନ୍ତି । ପରିବା ଫସଲ ପାଇଁ ଏକର ପ୍ରତି ୧୦ରୁ ୧୨ ଟନ୍ ଜୈବଖତ ସହ ୫୦ ରୁ ୮୦ କିଲୋ ଯବକ୍ଷାରଜାନ, ୨୫ ରୁ ୪୦ କିଲୋ ଫସ୍‌ଫେଟ ଏବଂ ସମପରିମାଣର ପଟାସ ରାସାୟନିକ ସାର ଅନୁମୋଦନ କରାଯାଏ । ଅବଶ୍ୟ ଜମିର ମାଟି ସରକାରୀ ମୃତ୍ତିକା ପରୀକ୍ଷାଗାରରେ ବିନା ଖର୍ଚ୍ଚରେ ପରୀକ୍ଷା କରି ଖତ ସାର ଅନୁମୋଦନ କରାଯାଇଥାଏ । ପରୀକ୍ଷାରୁ ମାଟିର ଉର୍ବରତା କମ୍ ଥିଲେ ଅନୁମୋଦନ ଠାରୁ ଅଧିକଖତ ଏବଂ ରାସାୟନିକ ସାର ପ୍ରୟୋଗ କରିବାକୁ କୁହାଯାଏ, ଯାହାକି ଚାଷୀ ପାଖରେ ନ ଥାଏ । ଜୈବିକ ଖତରେ ଫସଲର ମୁଖ୍ୟ ଖାଦ୍ୟସାର ଯଥା ଯବକ୍ଷାରଜାନ, ଫସ୍‌ଫେଟ ଓ ପଟାସ ପରିମାଣ ଯଥାକ୍ରମେ ଶତକଡ଼ା ୦.୫ ରୁ ୦.୭୫, ୦.୨୫ ରୁ ୦.୩୦ ଏବଂ ୦.୩୦ ରୁ ୦.୫୦ ଥାଏ । ଉଭୟ ଫସଲ ଲାଗି ଏତେ ପରିମାଣର ଖାଦ୍ୟ ଉପାଦାନ କେବଳ ଜୈବଖତରୁ ମିଳିପାରିବ ନାହିଁ । ତେଣୁ ଆଶାନୁରୂପ ଅମଳ ପାଇଁ ଚାଷୀ ନିଶ୍ଚୟ ରାସାୟନିକ ସାର ଉପରେ କିଛି ପରିମାଣରେ ନିର୍ଭର କରିବାକୁ ପଡ଼ିବ । ଜୈବଖତ ସହ ରାସାୟନିକ ସାରର ମିଶ୍ରଣ ପ୍ରୟୋଗ ଦ୍ଵାରା ଫସଲ ଅମଳ ଠିକ୍ ହୁଏ । ଏହାକୁ ସମନ୍ୱିତ ସାର ପ୍ରୟୋଗ କୁହାଯାଏ ।

ଶତପ୍ରତିଶତ ମଞ୍ଜି ଗଜାହେବା ଏବଂ ମୃତ୍ତିକାରୁ ସୁଷମ ପରିମାଣର ଖାଦ୍ୟ ଉପାଦାନକୁ ଫସଲ ଗ୍ରହଣ କରିବାପାଇଁ ଜମିକୁ ଠିକ୍ ଭାବେ କର୍ଷଣ କରିବା ଦରକାର । ସେଥିପାଇଁ ଚାଷୀକୁ ଉନ୍ନତ କୃଷି ଯନ୍ତ୍ରପାତି ଯଥା: ଟ୍ରାକ୍ଟର, ପାୱାର ଟିଲର କିମ୍ବା ଲୁହା ଲଙ୍ଗଳ ଆଦି ବ୍ୟବହାର କରିବାକୁ ପଡ଼ିବ । ଏଥିପାଇଁ ଚାଷୀ ଏସବୁ ଯନ୍ତ୍ରପାତି । ଭଡ଼ାରେ ଆଣିବେ କିମ୍ବା ନିଜକୁ କ୍ରୟ କରିବାକୁ ପଡ଼ିବ । ଏହାଦ୍ଵାରା ଚାଷୀକୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ଦେଶୀ ହଳ ଲଙ୍ଗଳରେ ଜମି ଚାଷକଲେ ଚାଷୀକୁ ଅଧିକ ସମୟ ଲାଗିଥାଏ ଏବଂ ଏଥିସହ ଚାଷ ମଧ୍ୟ ଅଗଭୀର ହୁଏ । ଏହାଦ୍ଵାରା ଫସଲ ଅମଳ ଲାଭଜନକ ହୋଇପାରେ ନାହିଁ ।

ଶସ୍ୟ ସଂରକ୍ଷଣ ଦ୍ଵାରା ଫସଲ ଅମଳ ଶତକଡ଼ା ୧୫ ରୁ ୨୦ ଭାଗ ବଢ଼ିଥାଏ । ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲରେ ରୋଗପୋକ ପ୍ରାଦୁର୍ଭାବ ଯଥେଷ୍ଟ ବଢିବା ନିଜର ଅଛି । ଏହାର ପ୍ରତିକାର ଲାଗି ରାସାୟନିକ କୀଟ ଓ ରୋଗନାଶକ ବିଷ ପ୍ରୟୋଗ କରିବାକୁ ପଢ଼ିବ। ଏଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେବା ସହ ପରିବେଶ ପ୍ରଦୂଷଣ ହୋଇଥାଏ। ଅବଶ୍ୟ ବିନା ଖର୍ଚ୍ଚରେ ଚାଷୀ ଜୈବକ ପଦ୍ଧତିରେ ରୋଗ ଓ ପୋକ ନିୟନ୍ତ୍ରଣ କରିପାରିବେ । ଏଥିପାଇଁ ନିମ୍, ହଳଦୀ, କରଞ୍ଜ, ତୁଳସୀ, ପାଳଧୁଆ, ବେଗୁନିଆ ଆଦି ଗଛର ପତ୍ରର ରସ କିମ୍ବା ତେଲ ପ୍ରୟୋଗ ଦ୍ୱାରା ପ୍ରାରମ୍ଭିକ ଅବସ୍ଥାରେ ରୋଗପୋକ ନିୟନ୍ତ୍ରଣ ହୋଇପାରିବ । କିନ୍ତୁ ଜୈବିକ ଉପାୟରେ ରୋଗ ପୋକ ନିୟନ୍ତ୍ରଣ ଶତପ୍ରତିଶତ ହୋଇପାରେ ନାହିଁ । ପୁନଶ୍ଚ ନିର୍ଦ୍ଦିଷ୍ଟ ରୋଗପୋକର ନିରୋଧ ପାଇଁ ଉପଯୁକ୍ତ ଜୈବ ଗସାୟନ ଏପର୍ଯ୍ୟନ୍ତ ସ୍ଥିର ହୋଇପାରି ନାହିଁ । ତେଣୁ ନିର୍ଦ୍ଦିଷ୍ଟ ରୋଗପୋକ ଆକ୍ରମଣର ସୀମାରେଖା ଟପିଗଲେ ଜୈବ ରସାୟନର କାର୍ଯ୍ୟକାରିତା ସଫଳ ହୋଇପାରେ ନାହିଁ । ତେଣୁ ଫସଲକୁ ରୋଗପୋକ ଆକ୍ରମଣରୁ ରକ୍ଷାକରିବା ପାଇଁ ଜୈବିକ ବିଷ ସହ କିଛି ମାତ୍ରାରେ ରାସାୟନିକ ବିଷ ବ୍ୟବହାର କରିବାକୁ ପଡ଼ିବ । ଏହାକୁ ସମନ୍ଵିତ ରୋଗପୋକ ନିୟନ୍ତ୍ରଣ କୁହଯାଏ । ସେଥିପାଇଁ ଚାଷୀକୁ କିଛି ଅର୍ଥଖର୍ଚ୍ଚ କରିବାକୁ ପଡ଼ିବ।

ଅଦରକାରୀ ଘାସଲତା ଫସଲର ପରମଶତ୍ରୁ । ଏହାର ଦମନ ଦ୍ଵାରା ଫସଲ ଅମଳ ପ୍ରାୟ ୧୦ରୁ ୧୫ ଶତକଡ଼ା ବଢିଥାଏ । ଘାସର ତୃଣ ଦମନ ପାଇଁ ଏପର୍ଯ୍ୟନ୍ତ ଜୈବ ରସାୟନ ଔଷଧ ବାହାରିପାରିନାହିଁ । ଚାଷୀ ନିଜର ଶ୍ରମ ଦେଇ କିମ୍ବା ହାତ ତିଆରି ସରଳଯନ୍ତ୍ର ଦ୍ଵାରା ଘାସ ଦମନ କରିବାକୁ ପଡ଼ିବ, ଯାହାକି ସମୟ ସାପେକ୍ଷ । ଏହି ସମୟରେ ଫସଲର ଅମଳ ୨୫ ରୁ ୩୦ ଶତକଡ଼ା କମିଯିବ ।

ଦେଶର ପାର୍ବତ୍ୟ ଏବଂ ଜଙ୍ଗଲଭରା ସିକ୍କିମ ଏକମାତ୍ର ରାଜ୍ୟ ଯେଉଁ ରାଜ୍ୟରେ ସମ୍ପୂର୍ଣ୍ଣ ଜୈବକୃଷିକୁ ଚାଷୀ ଆପଣେଇଛନ୍ତି, କିନ୍ତୁ ଜିରୋ ବଜେଟ କୃଷିକୁ ନୁହେଁ ।  ସିକ୍କିମର ମାଟିରେ ଅଙ୍ଗୀର ଅଂଶ ଅଧିକ ଏବଂ ଊର୍ବର । ତେଣୁ ରାସାୟନିକ ସାରର ଆବଶ୍ୟକତା ପ୍ରାୟ କମ୍ । ଦ୍ଵିତୀୟତଃ ଗଡ଼ାଣିଆ କ୍ଷେତରେ ରାସାୟନିକ ସାର ଧୋଇ ନଷ୍ଟ ହୁଏ । ଗଡ଼ାଣିଆ ଜମିରେ କୃଷିଯନ୍ତ୍ରପାତିର ବ୍ୟବହାର ସହଜ ହୋଇ ନ ଥିବାରୁ ଚାଷୀ ନିଜ ଶ୍ରମରେ ସୀମିତ ଜମିରେ ସବୁଦିନିଆ ପନିପରିବା ଚାଷ କରିପାରନ୍ତି । କିନ୍ତୁ ଚାଷୀକୁ ଉନ୍ନତ କିସମ ପନିପରିବା ବିହନ କିଣିବାକୁ ପଡ଼େ । ଝରଣା ଜଳକୁ ଅଟକାଇ ଚାଷୀ ଫସଲରେ ଜଳସେଚନ କରନ୍ତି । ସିକ୍କିମ ପରି କ୍ଷୁଦ୍ର ରାଜ୍ୟରେ ଜିରୋ ବଜେଟ କୃଷି ୭୦ ରୁ ୮୦ ଭାଗ ସଫଳ ହୋଇପାରେ । କିନ୍ତୁ ଆବଶ୍ୟକ ଫସଲ ଅମଳ ମିଳେ ନାହିଁ । ଆଧୁନିକ କୃଷି ପଦ୍ଧତି ଦ୍ଵାରା ବର୍ତ୍ତମାନ ଦେଶର ୧୩୦ କୋଟି ଲୋକଙ୍କ ପାଇଁ ୨୩୮.୩୩୩ ମିଲିୟମ ଟନ ଖାଦ୍ୟଶସ୍ୟ ଉତ୍ପନ୍ନ ଦ୍ୱାରା ଦେଶ ଖାଦ୍ୟଶସ୍ୟରେ ସ୍ଵାବଲମ୍ବୀ ହୋଇପାରିଛି । ସମୀକ୍ଷାରୁ ଜଣାଯାଏ ଦେଶର ବର୍ଦ୍ଧିତ ଲୋକସଂଖ୍ୟା ହେତୁ ୨୦୫୦ ମସିହା ବେଳକୁ ଖାଦ୍ୟଶସ୍ୟ ପ୍ରାୟ ୩୩୩୩ ମିଲିୟନ ଟନ ଆବଶ୍ୟକ ହେବ । ଏହି ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ଜୈବ ଏବଂ ଜିରୋ ବଜେଟ କୃଷି ଦ୍ୱାରା ପ୍ରାୟ ସମ୍ଭବ ହୋଇପାରିବ ନାହିଁ । ଜିରୋ ବଜେଟ କୃଷି କେବଳ ନାମମାତ୍ର ଏବଂ କ୍ଷୁଦ୍ରଚାଷୀ ପକ୍ଷରେ କିଛିଟା ସମ୍ଭବ ହୋଇପାରେ । ମଧ୍ୟମ ଏବଂ ଧନୀଶ୍ରେଣୀର ଚାଷୀମାନଙ୍କ ଜିରୋ ବଜେଟ କୃଷି ଲାଭଜନକ କେତେଦୂର ସମ୍ଭବ ତାହା ବିଚାରଯୋଗ୍ୟ ।

ସଂଗୃହିତ - ପ୍ର.ସୁବୋଧ କୁମାର ସାହୁ,  ଭୁବନେଶ୍ଵର, ଶୈଳଶ୍ରୀବିହାର
2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top