ହୋମ / କୃଷି / ବଜାର ଖବର / ରୋଗପୋକ ଦମନ
ସେଆର କରନ୍ତୁ

ରୋଗପୋକ ଦମନ

ଏଠାରେ ବିଭିନ୍ନ ଫସଲରେ ରୋଗପୋକ ଦମନ ବିଷୟରେ ଦିଆଗଲା ।

ମକାରେ କାଣ୍ଡବିନ୍ଧା ପୋକ ଦମନ

କାଣ୍ଡବିନ୍ଧା ପୋକ ମକା ଫସଲର ପ୍ରଧାନ ଶତ୍ରୁ । ଏହି ପୋକ ଦାଉରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତ ଗଛର ପତ୍ର ସନ୍ଧିରେ ୧ ଗ୍ରାମ ଦାନାଦର କାର୍ବୋଫ୍ୟୁରାନ ପ୍ରୟୋଗ କରନ୍ତୁ । ପ୍ରତି ଲିଟର ପାଣିରେ ୨ମିଲି ହିସାବରେ କ୍ଳୋରୋପାଇରିଫାସ କିମ୍ବା ୧.୫ମିଲି ଫସ୍ପାମିଡମ ମିଶାଇ ସିଞ୍ଚନ କଲେ କାଣ୍ଡବିନ୍ଧା ପୋକର ଦମନ ହୋଇଥାଏ । ପ୍ରଥମଥର ସିଞ୍ଚନର ୧୫ ଦିନ ପରେ ଆବଶ୍ୟକ ସ୍ଥଳେ ଦ୍ଵିତୀୟ ଥର ଔଷଧ ସିଞ୍ଚନ କରନ୍ତୁ । ମକାଫସଲରେ ଭଣ୍ଡାଖିଆ ପୋକ ଲାଗିବାର ଦେଖାଯାଏ, ତାର ଦମନ ପାଇଁ ସମନ୍ଵିତ ପୋକ ପରିଚାଳନା ମାଧ୍ୟମରେ ଏକର ପ୍ରତି ୧୦୦ ଶୂକ ସମତୁଲ ଏଚ.ଏନ.ପି.ଭି ସକାଳ ବା ସନ୍ଧ୍ୟା ସମୟରେ ପ୍ରୟୋଗ କରନ୍ତୁ ।

ଅମୃତଭଣ୍ଡା

ବିହନ ଉତ୍ପାଦନ ଓ ପ୍ରମାଣନ

ବିଜ୍ଞପିତ କିସମର କ୍ଷେତକୁ ପଞ୍ଜୀକରଣ କରାଇବା ପରେ କ୍ଷେତ୍ର ପରିଦର୍ଶନ କରାଯାଏ । ଫସଲର ଫୁଲ ଫୁଟିବା, ଫୁଲ ଫୁଟିବାରୁ ଫଳ ଧରିବା ଏବଂ ପାକଳ ଫଳ ଅବସ୍ଥାରୁ ଅମଳ ପୂର୍ବାବସ୍ଥାରେ ସର୍ବନିମ୍ନ ୩ଟି ପରିଦର୍ଶନ କରାଯାଇଥାଏ । ଭିନ୍ନ କିସମର କ୍ଷେତ୍ରଠାରୁ ପିଣ୍ଡ ଓ ପ୍ରାମାଣିକ ଫସଲ ଯଥାକ୍ରମେ ସର୍ବନିମ୍ନ ୧୫୦୦ ମିଟର ଓ ୧୦୦୦ ମିଟର ବିଲଗନ ଦୂରତାରେ ରହିବା ଜରୁରୀ । ମିଶା କିସମ ହାର ୧୦୦୦ ଗଛରେ ସର୍ବାଧିକ ୧ଟି ଓ ୨ଟି ରହି ପାରିବ । ଉଭୟ ପିଣ୍ଡ ଓ ପ୍ରାମାଣିକ ବିହନର ଶୁଦ୍ଧତା ୯୮%, ଅନ୍ୟ ଫସଲ ମଞ୍ଜି ଆଦୌ ନ ରହି ଗଜା ଶକ୍ତି ୬୦%, ଆଦ୍ରତା ୭% ମଧ୍ୟରେ ରହିଲେ ବିହନ ଥାକ ପ୍ରମାଣନ ଯୋଗ୍ୟ ବିବେଚିତ ହୋଇଥାଏ ।

ରୁଆ ଧାନରେ ସାର ପ୍ରୟୋଗ

ଯେଉଁ ଚାଷୀଭାଇମାନେ ଅନୁମୋଦିତ ପ୍ରଣାଳୀରେ ଧାନ ରୋଇ ସାରିଛନ୍ତି ଏବଂ ରୁଆର ୨୦ଦିନ ହୋଇଗଲାଣି, ଅନାବନା ଘାସ ବାଛି କିସମ ଅନୁଯାୟୀ ଏକର ପ୍ରତି ୧୬କିଗ୍ରା ଯବକ୍ଷାରଜାନ ପିଲସାର ଆକାରରେ ପ୍ରୟୋଗ କରନ୍ତୁ । ତଳି ୩-୪ ସପ୍ତାହର ହୋଇଗଲେ ରୋଇବା ପାଇଁ ଉପଯୁକ୍ତ ହୋଇଥାଏ । ସେପରି ସ୍ଥଳେ ତଳି ରୋଇବା ଲାଗି ମୁଖ୍ୟ କିଆରିକୁ କାଦୁଅ କରନ୍ତୁ । ପ୍ରଥମେ ୩-୪ ଓଡ ଚାଷ କରି ପାଣି ବାନ୍ଧି ରଖନ୍ତୁ । ରୋଇବା ପୂର୍ବଦିନ ଅତ୍ୟଧିକ ପାଣି ନିଗାଡିଦେଇ ଜମିକୁ କାଦୁଅ କରନ୍ତୁ । ସବୁଜ ସାରପାଇଁ ଆଜୋଲା ବଢାଇଥିଲେ କାଦୁଅ ବେଳେ ହଳକରି ମାଟିରେ ମିଶାଇ ଦିଅନ୍ତୁ । ଏକର ପ୍ରତି ଦୁଇକିଗ୍ରା ପି.ଏସ.ବି ଖତ ସହିତ ମିଶାଇ ରୋଇବା ପୂର୍ବରୁ ଜମିରେ ପ୍ରୟୋଗ କରନ୍ତୁ । ଶେଷ ଓଡ କାଦୁଅରେ କିସମ ଅନୁଯାୟୀ ଏକର ପ୍ରତି ୬-୮କିଗ୍ରା ଯବକ୍ଷାରଜାନ, ୧୨-୧୬ କିଗ୍ରା ଫସଫରସ ଓ ୧୨-୧୬ କିଗ୍ରା ପଟାସ ପ୍ରୟୋଗ କରନ୍ତୁ । ତଳିଘେରାରେ ଦାନାଦର ଔଷଧ ପ୍ରୟୋଗ କରି ନ ଥିଲେ ପ୍ରତି ଲିଟର ପାଣିରେ ୧ମିଲି ହିସାବରେ କ୍ଳୋରୋପାଇରିଫାସ ଗୋଳାଇ ତଳିର ଚେରକୁ ୮-୧୦ ଘଣ୍ଟା ପର୍ଯ୍ୟନ୍ତ ବୁଡାଇ ବିଶୋଧନ କରନ୍ତୁ । ଧାଡିକୁ ଧାଡି ୧୫-୨୦ ସେମି ଓ ବୁଦାକୁ ବୁଦା ୧୦ ସେମି ବ୍ୟବଧାନ ରଖନ୍ତୁ । ବୁଦାପ୍ରତି ୨-୩ ଟି କରି ତଳି ସିଧା ଓ ଅଗଭୀରରେ ଋଅନ୍ତୁ । ରୁଆ ସମୟରେ କିଆରିରେ ନଖବୁଡା ପାଣି ରଖନ୍ତୁ ।

ନଳିତା ଶଢାଇବା ପ୍ରଣାଳୀ

ନଳିତା ଗଛଗୁଡିକୁ ପାଣିରେ ୧୦-୧୨ଦିନ ପର୍ଯ୍ୟନ୍ତ ଶଢାନ୍ତୁ । ନଳିତା ଶଢାଇବା ପ୍ରକ୍ରିୟା ତନ୍ତୁର ଗୁଣ ଓ ମାନ ନିର୍ଦ୍ଧାରଣରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅବଶ୍ୟ ନଳିତା ଶଢାଇବାପାଇଁ ପରିଷ୍କାର ଓ ସ୍ଵଚ୍ଛ ପାଣି ବ୍ୟବହାର କରନ୍ତୁ । ଏହା ଉତ୍ପାଦିତ ତନ୍ତୁର ପୋକ ଓ ରଙ୍ଗକୁ ନଷ୍ଟ ହେବାକୁ ଦିଏ ନାହିଁ । ସ୍ଥିର ପାଣି ଅପେକ୍ଷା ଧୀରେ ଧୀରେ ବହି ଯାଉଥିବା ପରିଷ୍କାର ପାଣି ନଳିତା ଶଢାଇବା ଲାଗି ଅଧିକ ଉପଯୋଗୀ । ଗଛର ମୂଳଭାଗ ଅପେକ୍ଷାକୃତ  ଭାବରେ ମୋଟା ଓ ପରିପକ୍ଵ ହୋଇଥିବାରୁ ଏହା ଶଢିବା ଲାଗି ଅଧିକ ସମୟ ଦରକାର କରିଥାଏ । ଏଥିପାଇଁ ବିଡାଗୁଡିକୁ ୬୦ ସେମି ପାଣିଥିବା ସ୍ଥାନରେ ୨-୩ ଦିନ ଠିଆକରି ରଖନ୍ତୁ । ତା ପରେ ଗଛର ମୂଳ ଅଂଶକୁ ସାମାନ୍ୟ ବାଡେଇ ୫-୧୦ ଭାଗ ୟୁରିୟା ଦ୍ରବଣରେ ଏକ ମିନିଟ ବୁଡାଇ ରଖିବା ପରେ ବିଡାଗୁଡିକୁ ସଂପୂର୍ଣ୍ଣଭାବେ ପାଣିରେ ବୁଡାଇ ଦିଅନ୍ତୁ । ଭେଳାର ତଳ ଅଂଶ ମାଟିରେ ଲାଗିବାକୁ ଦିଅନ୍ତୁ ନାହିଁ । ନଳିତା ସଢିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କବକ କଲଚର ବ୍ୟବହାର କରନ୍ତୁ । ନଳିତାରେ ଘୋଡାପୋକ ଏବଂ କାଣ୍ଡବିନ୍ଧା ପୋକର ଦମନ ଲାଗି ପ୍ରତି ଲିଟର ପାଣିରେ ୨ମିଲି ହିସାବରେ ଏଣ୍ଡୋସଲଫାନ କିମ୍ବା ଫୋସାଲୋନ ମିଶାଇ ସିଞ୍ଚନ କରନ୍ତୁ । ଜମିରେ ଅଧିକ ପାଣି ଜମି ରହିଲେ ବୟସ୍କ ଗଛରେ କାଣ୍ଡସଢା ରୋଗ ଦେଖାଯାଇଥାଏ, ଯଦ୍ୱାରା ପତ୍ର ଝଡିଯାଏ ଏବଂ କାଣ୍ଡ କଳା ପଡି ପଚିଜାଏ । ଆକ୍ରାନ୍ତ ପତ୍ର ଓ କାଣ୍ଡରେ କଳାଦାଗ ଦେଖାଯାଏ । ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ ୧ଗ୍ରାମ କାର୍ବେଣ୍ଡାଜିମ + ମାଙ୍କୋଜେବ ମିଶାଇ ପତ୍ର ସିଞ୍ଚନ କଲେ ରୋଗ ନିୟନ୍ତ୍ରିତ ହୋଇଥାଏ ।

ଅଳସୀ ବୁଣୁଥିଲେ

ଦେଓମାଳୀ ଓ ଆଇଜିପି-୭୬ ଆଦି ଅଳସୀ କିସମ ସଂଗ୍ରହ କରନ୍ତୁ । ବୁଣିବା ପୂର୍ବରୁ ସୂକ୍ଷ୍ମ କଣାଥିବା ଚାଲୁଣି ସାହାଯ୍ୟରେ ବିହନର ନିର୍ମୂଳୀ ମଞ୍ଜି ବାହାର କରିଦିଅନ୍ତୁ । ଏକର ପ୍ରତି ୪କିଗ୍ରା ବିହନ ବ୍ୟବହାର କରନ୍ତୁ । ବୁଣିବା ପୂର୍ବରୁ ୧କିଗ୍ରା ବିହନକୁ ୨ଗ୍ରାମ ହିସାବରେ କାର୍ବେଣ୍ଡାଜିମ ସହିତ ଗୋଳାଇ ବିଶୋଧନ କରନ୍ତୁ । ଧାଡିକୁ ଧାଡି ୩୦ସେମି ବ୍ୟବଧାନରେ ବିହନ ବୁଣନ୍ତୁ । ବୁଣିବା ପୂର୍ବରୁ ଏକର ପ୍ରତି ୮କିଗ୍ରା ଯବକ୍ଷାରଜାନ, ୮କିଗ୍ରା ଫସଫରସ ଓ ୮କିଗ୍ରା ପଟାସ ପ୍ରୟୋଗ କରନ୍ତୁ ।

ବାଇଗଣ ଫସଲ

ବାଇଗଣରେ ଫଳ ଓ  କାଣ୍ଡବିନ୍ଧା ପୋକ  ନିୟନ୍ତ୍ରଣ ପାଇଁ  ବୈଷୟିକ ପରାମର୍ଶ

  • ବାଇଗଣରେ କାଣ୍ଡ ଓ ଫଳବିନ୍ଧା ପୋକ ପ୍ରାୟ ବର୍ଷସାରା ଦେଖାଯାଏ । ପ୍ରଥମେ ଏହି ପୋକର ଶୂକ ବା ଲାର୍ଭା କାଣ୍ଡ ଭିତରକୁ ପ୍ରବେଶ କରିବା ଦ୍ଵାରା କଅଁଳିଆ ଅଗ ଡାଳ ଝାଊଁ ଳେ, ପରେ ଫୁଲ ଓ ଫଳ ଭିତରେ ପ୍ରବେଶ କଲାରୁ ବାଇଗଣ ଫଳ କଣା ହୋଇଯାଏ । ଏହି ପୋକକୁ ସମନ୍ୱିତ ଉପାୟରେ ନିୟନ୍ତ୍ରଣ କରାଯାଇଥାଏ ।
  • ବାଇଗଣ ଲାଗାଇବା ପୂର୍ବରୁ ଏକର ପ୍ରତି ୧୦୦ କିଲୋଗ୍ରାମ ନିମ୍ବପିଡିଆ ବା ଲଗାଇବାର ୧୨-୧୫ ଦିନ ପରେ ୧୨ କିଲୋଗ୍ରାମ ଫ୍ୟୁରାଡନ କିମ୍ବା ରତ୍ନାଫ୍ୟୁରାନ ୩% ଓ ଦାନାଦାର କୀଟନାଶକ ମାଟିରେ ମିଶାନ୍ତୁ ।
  • ଏକର ପ୍ରତି ୧୦ -୧୨ ସଙ୍ଗ ଆକର୍ଷଣ ଯନ୍ତା ବସାନ୍ତୁ । ଜମିରେ ୨୦-୨୫ ଟା ବାଉଁଶ କଣି ପୋତି ଦେଲେ ସେଥିରେ ଚ ଡେଇ ବସି ପୋକ ଖାଇବେ ।
  • ବାଇଗଣରେ ପୋକ ଦେଖାଦେଲେ ନିମାଜଳ ୪ ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।
  • ଫଳରେ ପୋକର ପାଦୁର୍ଭାବ ଅଧିକ ଦେଖାଇଲେ ୧ ଏକର ପ୍ରତି ୨୦୦ ମିଲି ଲୋଭାଲ୍ୟୁରନ  ବା ୨୦୦ ଗ୍ରାମ କାର୍ଟାପ ହାଇଡ୍ରୋକ୍ଲୋରାଇଡ ବା ୮୦ ମିଲିଲିଟର ଉମାମେକ୍ସିନ ବେଞ୍ଜୋଏଟ ବା ୮୦ ମିଲିଲିଟର ସ୍ପିନୋସାବ ବା ୮୦ ମିଲିଲିଟର ଫ୍ଲୁବେଣ୍ଡିଆମାଇଡକୁ ୧୨-୧୫ ଦିନ ଅନ୍ତରରେ ଅଦଳବଦଳ କରି ସ୍ପ୍ରେ କରନ୍ତୁ ।
  • ଗଛରୁ ପୋକରା ଡାଳ ଓ ଫଳ ଛିଣ୍ଡାଇ ମାଟିରେ ପୋତି ଦିଅନ୍ତୁ ।

ଆଧାର :କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର

2.94285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top