ହୋମ / କୃଷି / ବଜାର ଖବର / ସୋରିଷ ଫସଲରେ ସମନ୍ଵିତ ରୋଗ ପୋକ ପରିଚାଳନା
ସେଆର କରନ୍ତୁ

ସୋରିଷ ଫସଲରେ ସମନ୍ଵିତ ରୋଗ ପୋକ ପରିଚାଳନା

ଆମ ରାଜ୍ୟରେ ଚାଷ ହେଉଥିବା ତୈଳ ବୀଜ ଫସଲ ମାନଙ୍କ ମଧ୍ୟରୁ ଚୀନା ବାଦାମ ପରେ ସୋରିଷର ସ୍ଥାନ ଦ୍ଵିତୀୟ ।

ଉପକ୍ରମ

ଆମ ରାଜ୍ୟରେ ଚାଷ ହେଉଥିବା ତୈଳ ବୀଜ ଫସଲ ମାନଙ୍କ ମଧ୍ୟରୁ ଚୀନା ବାଦାମ ପରେ ସୋରିଷର ସ୍ଥାନ ଦ୍ଵିତୀୟ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ମୁଖ୍ୟତଃ ଏହା ପ୍ରାକ୍ ରବି ଓ ରବି ଋତୁରେ ଚାଷ କରାଯାଏ । ସୋରିଷ ତେଲର ଚାହିଦା ଅନୁଯାୟୀ ଅମଳ ଆମ ପ୍ରଦେଶରେ କମ୍ ହେଉଥିବାରୁ ବାହାର ପ୍ରଦେଶରୁ ଆମକୁ ବହୁ ପରିମାଣରେ ଖାଇବା ତେଲ ଆମଦାନୀ କରିବାକୁ ପଡିଥାଏ । ଆମ ରାଜ୍ୟରେ ଶୀତ କମ ଦିନ ରହୁଥିବାରୁ ଥୋରିଆ କିସମ ବେଶୀ ଚାଷ ହୁଏ ଯାହାର କି ଅମଳ ସାଧାରଣତଃ କମ୍ । ବର୍ତ୍ତମାନ ଆମ ରାଜ୍ୟ ସରକାର ସୋରିସର ନୂତନ କିସମ ଯଥା ଲକ୍ଷ୍ମୀ ପୁଷା ଅଗ୍ରଣୀ, ବିଜୟ, ପୁଷା ଜୟ କିଶାନ ଆଦିର ବ୍ୟବହାର ଓ ଉନ୍ନତ ଚାଷ ପ୍ରଣାଳୀର ଉପଯୋଗ ଦ୍ଵାରା ହେକ୍ଟର ପ୍ରତି ଅମଳ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ତେବେ ରୋଗ ଓ ପୋକ ଆକ୍ରମଣ ସୋରିଷର ଅମଳ କମାଇବାରେ ଏକ ମୁଖ୍ୟ କାରଣ । ଆମ ଦେଶରେ ଏହି ଫସଲକୁ ପ୍ରାୟ ୩୮ ଟି ବିଭିନ୍ନ ଜାତିର କୀଟ ଓ ୧୨ ପ୍ରକାରର ରୋଗ ଆକ୍ରମଣ କରିଥାଏ  । ଏଠି ମଧ୍ୟରୁ ଆମ ରାଜ୍ୟରେ  ସୋରିଷ ଫସଲରେ ଦେଖା ଦେଉଥିବା ମୁଖ୍ୟ ରୋଗ ଓ ପୋକ ଗୁଡିକ ହେଲା –

ରୋଗ

ପତ୍ରଚିତା ରୋଗ, ଧଳା କଳଙ୍କି ରୋଗ,ପାଉଁସିଆ ରୋଗ,ନିନ୍ନମୁଖୀ ଫିମ୍ପିମରା ରୋଗ ।

ପୋକ

ଜଉପୋକ, କରତିଆ ମାଛି, ପତ୍ର ଓ ଫଳବିନ୍ଧାପୋକ, ଚିତ୍ରିତ ଶୋଷକ ପୋକ ।

ଏଣୁ ଅଧିକ ଅମଳ ପାଇଁ ଉପୋରୋକ୍ତ ରୋଗ ଓ ପୋକ ସମସ୍ୟାର ସମାଧାନ ସର୍ବାଦୌ ଆବଶ୍ୟକ । ଏଥିପାଇଁ ଆମକୁ ସମନ୍ଵିତ ରୋଗ ପୋକ ପରିଚାଳନା ପଦ୍ଧତି ଅବଲମ୍ବନ କରିବାକୁ ପଡିବ ।

ସମନ୍ଵିତ ରୋଗ ପୋକ ପରିଚାଳନା କ’ ଣ

ସମନ୍ଵିତ ରୋଗ ପୋକ ପରିଚାଳନା ଏପରି ଏକ ପଦ୍ଧତି ଯେଉଁଥିରେ ଏକାଧିକ ଫଳପ୍ରଦ ରୋଗ ପୋକ ନିୟନ୍ତ୍ରଣ ପ୍ରଣାଳୀକୁ ସମୂହ ଭାବେ ପ୍ରୟୋଗ କରି ରୋଗର ମାତ୍ରା ଓ ପୋକ ମାନଙ୍କର ସଂଖ୍ୟା ବହୁଳ ଭାବରେ କମାଇ ଦିଆଯାଇ ପାରିବ । ଯାହା ଫଳରେ ଫସଲର ଆର୍ଥିକ ଖ୍ୟାତି ହେବ ନାହିଁ ଓ ପରିବେଶ ଉପରେ କୁପ୍ରଭାବ ନ  ପଡିବାରୁ କୀଟ ଜଗତର ସନ୍ତୁଳନ ଅକ୍ଷୁର୍ଣ ରହିବ ।

ସମନ୍ଵିତ ରୋଗ ପୋକ ପରିଚାଳନା ବ୍ୟବସ୍ଥା କାହିଁକି

ଏହା ଏକ ମିତବ୍ୟୟୀ, ଯୁକ୍ତି ଯୁକ୍ତ ଏବଂ ଦୀର୍ଘସ୍ଥାୟୀ ଶସ୍ୟ ସଂରକ୍ଷଣ ପଦ୍ଧତି, ଯାହା ପରିବେଶ ଉପରେ କୁ ପ୍ରଭାବ ପକାଏ ନାହିଁ ଏବଂ ଫସଲ ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ହୋଇଥାଏ ।

ଦ୍ଵିତୀୟ ପାଠ

ସମନ୍ଵିତ ରୋଗ ପୋକ ପରିଚାଳନା କିପରି ହୁଏ

ସମନ୍ଵିତ ରୋଗ ପୋକ ପରିଚାଳନା ଜମି ନିର୍ବାଚନ ଠାରୁ ଆରମ୍ଭ କରି ଫସଲ ଅମଳ ପର୍ଯ୍ୟନ୍ତ ଚାଲିଥାଏ । ଚାଷ ପ୍ରଣାଳୀ, କୀଟ ମାନଙ୍କ ଆଚାର ବ୍ୟବହାରରେ ପ୍ରୟୋଗ ପ୍ରଣାଳୀ, ଯାନ୍ତ୍ରିକ ପ୍ରଣାଳୀ, ଜୈବିକ ପ୍ରଣାଳୀ ଓ ରାସାୟନିକ ନିୟନ୍ତ୍ରଣ ପ୍ରଣାଳୀ ଗୁଡିକ ସୁସଂଗତ ଭାବରେ ପ୍ରୟୋଗ କରି ରୋଗ,ପୋକ, ଘାସ, ସୂତ୍ରଜୀବ, ମୂଷା ଆଦି କ୍ଷତି କାରକ ଅଣୂଜୀବ ଓ ଜୀବମାନଙ୍କୁ ଆର୍ଥିକ କ୍ଷୟକ୍ଷତି ସୀମା ଠାରୁ ନିମ୍ନରେ ରଖିବା ପାଇଁ ପ୍ରୟାସ କରାଯାଇଥାଏ ।

କ) ଚାଷ ପ୍ରଣାଳୀ

୧) ଖରାଟିଆ ଗହିରା ଚାଷ ।

୨) ରୋଗ ପୋକ ସହଣୀ ଓ ପ୍ରତିରୋଧ ଶକ୍ତି ଥିବା ବିହନ କିସମର ବ୍ୟବହାର ।

୩) ଠିକ୍ ସମୟରେ ଓ ଠିକ୍ ଦୂରତାରେ ବିହନ ବୁଣିବା ।

୪) ଫସଲ ପର୍ଯ୍ୟାୟ ଅବଲମ୍ବନ ।

୫) ଯନ୍ତା ଫସଲ ଲଗାଇବା ।

୬) ପରିଷ୍କାର ପରିଚ୍ଛନ ଚାଷ ।

୭) ସୁଷମ ଖାଦ୍ୟସାର ପ୍ରୟୋଗ ।

୮) ଜଳ ପରିଚାଳନା ।

୯) ଠିକ୍ ପାକଳ ହେଲେ ଫସଲ ଅମଳ କରିବା ।

ଖ) ଯାନ୍ତ୍ରିକ ପ୍ରଣାଳୀ

୧) ଜଉ ପୋକର ଆକ୍ରମଣ ଦେଖାଦେଲେ ହାତରେ ଗଛର ଅଗଭାଗ ଛିଣ୍ଡାଇ ଦେଇ ଜଉପୋକ ଆକ୍ରମଣ କମାଇ ଦେବା ।

୨) ବନ୍ଧା କୋବି ଗୋଟିପୋକର ପ୍ରଥମ ନିର୍ମୋଚନ ଲାର୍ଭାକୁ ହାତରେ ସଂଗ୍ରହ କରି ମାରି ଦେବା ।

୩) ସଁବାଳୁଆ ଜାତୀୟ କୀଟର ପ୍ରଥମ ନିର୍ମୋଚନ ଲାର୍ଭା ଓ ଅଣ୍ଡାପୁଞ୍ଜକୁ ହାତରେ ସଂଗ୍ରହ କରି ନଷ୍ଟ କରିଦେବା ।

ଗ) ଜୈବିକ ପ୍ରଣାଳୀ

୧) ଉପକାରୀ ପୋକ ମାନଙ୍କର ସଂରକ୍ଷଣ କରିବା ।

୨) ପରୀକ୍ଷାଗାରରେ ଉପକାରୀ କୀଟ ମାନଙ୍କୁ ବଢାଇ କୀଟ ନିୟନ୍ତ୍ରଣରେ ଉପଯୋଗ କରିବା ।

୩) ନିମଜାତ କୀଟନାଶକ ପ୍ରୟୋଗ କରିବା ।

୪) ଜୈବ ଫିମ୍ପିନାଶକ ଦ୍ଵାରା ବିହନ ବିଶୋଧନ କରିବା ।

ଘ) ରାସାୟନିକ ବିଷ ପ୍ରୟୋଗ

୧) ରାସାୟନିକ ଫିମ୍ପିନାଶକ ଦ୍ଵାରା ବିହନ ବିଶୋଧନ କରିବା ।

୨) ନିହାତି ଆବଶ୍ୟକ ହେଲେ ପରିବେଶ ଉପଯୋଗୀ କୀଟନାଶକ ପ୍ରୟୋଗ କରି କୀଟ ନିୟନ୍ତ୍ରଣ କରିବା ।

ତୃତୀୟ ପାଠ

୧) ଖରାଟିଆ ଗଭୀର ଚାଷ

କରତିଆ ମାଛି ଏବଂ ସବୁଜ ଶୁକର ପ୍ୟୁପା ଗୁଡିକ ମାଟିରେ ଥାନ୍ତି । ତେଣୁ ମାଟିକୁ ଗଭୀର ଚାଷ କରି ଓଲଟ ପାଲଟ କରିଦେଲେ ଏଗୁଡିକ ଉପରକୁ ଆସିଥାନ୍ତି ଯାହାକୁ କି ଚଡେଇମାନେ ଖାଇଯାନ୍ତି ନତୁବା ଟାଣ  ଖରାରେ  ସୁଖୀ ମରିଯାନ୍ତି । ଠିକ୍ ସେହିପରି ମୂର୍ତ୍ତିକାଜୀବି ଫିମ୍ପି ଓ ଜୀବାଣୁ ଗୁଡିକ ମରିଯାନ୍ତି କିମ୍ବା ତାଙ୍କର ଜୀବନ ଚକ୍ର ପୂର୍ଣ କରି ନପାରିବାରୁ ବିଶେଷ କ୍ଷତି କରିପାରନ୍ତି ନାହିଁ ।

୨) ରୋଗ ପୋକ ସହଣୀ ଓ ପ୍ରତିରୋଧ ଶକ୍ତି ଥିବା ବିହନ କିସମର ବ୍ୟବହାର :

ପୋକ ଓ ରୋଗର ସହନଶୀଳ ତଥା ପ୍ରତିରୋଧକ ଶକ୍ତି ଥିବା ପ୍ରାମାଣିକ ବିହନ ବ୍ୟବହାର କଲେ ବିଭିନ୍ନ ରୋଗ ଓ ପୋକ ଆକ୍ରମଣରୁ ରକ୍ଷା ମିଳେ । ସୋରିଷର ବିଭିନ୍ନ ରୋଗ ପୋକ ସହଣୀ କିସମ ଗୁଡିକ ହେଲା –

______________________________________________________________________________________________

ରୋଗ/ପୋକ                                                                                          ସହଣୀ/ପ୍ରତିରୋଧି କିସମ

ପତ୍ରପୋଡା ଅଲଟରନାରିଆ ରୋଗ                                                                 ପି. ଟି. – ୩୦୩  ।

ନିମ୍ନମୁଖୀ ପାଉଁଶିଆ ରୋଗ                                                                            ପି. ଟି. – ୩୦୩, ଏମ୍- ୨୭

୩) ଠିକ୍ ସମୟରେ ଓ ଠିକ୍ ଦୂରତାରେ ବିହନ ବୁଣିବା :

ଯେଉଁ ଜମିରେ ପ୍ରତିବର୍ଷ ଜଉପୋକ ଓ ପତ୍ରଛନ୍ଦା ପୋକର ଆକ୍ରମଣ ଦେଖାଯାଏ ସେଠାରେ ସହଜ କିସମ ସୋରିଷ ଯଥା -  ଏମ୍- ୨୭, ଟି. ଏସ୍. ୨୯ ଇତ୍ୟାଦି ଚାଷ କରନ୍ତୁ, ଯେପରି ପ୍ରବଳ ଥଣ୍ଡା ଧରିବା ପୂର୍ବରୁ ସେଥିରେ ଫୁଲ ଓ ଫଳ ଧରିବା ଆରମ୍ଭ ହୋଇଯିବ । ସୋରିଷ ବୁଣା କାମ ଅକ୍ଟୋବର ଶେଷ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଶେଷ କରିବାକୁ ଚେଷ୍ଟା କରନ୍ତୁ । ବିହନ ଅଧିକ ବୁଣିଲେ ଅଧିକ ଅମଳ ମିଳେ, ଏହା କେତେକଙ୍କର ଏକ ଭ୍ରାନ୍ତ ଧାରଣା । ଅଧିକ ବିହନ ବ୍ୟବହାର କଲେ କେତେକ ସ୍ଥାନରେ ଗଛ ସଂଖ୍ୟା ବୃଦ୍ଧି ପାଏ,  ଗଛ ମାନଙ୍କ ମଧ୍ୟରେ ଖାଦ୍ୟ, ଜଳ, ବାୟୁ, ଓ ଆଲୋକ ପାଇଁ ପ୍ରତିଯୋଗିତା ଚାଲେ । ରୋଗ ପୋକ ଅଧିକ ହୁଏ ଏବଂ ଅମଳ କମିଯାଏ । ତେଣୁ ବୁଣିବାର ୧୦-୧୫ ଦିନ ମଧ୍ୟରେ ଗଛ ସଂଖ୍ୟାକୁ ବିଚାରକୁ ନେଇ ଅଧିକ ଗଛ ଓପାଡି ଦେବା ଉଚିତ୍ । ସାଧାରଣତଃ ଧାଡିକୁ ଧାଡି ୨୦ ସେ. ମି. ଓ ଗଛକୁ ଗଛ ୧୦ ସେ. ମି. ବ୍ଯବଧାନରେ ରଖି  ବିହନ ବୁଣିଲେ ଫସଲରେ ସୂର୍ଯ୍ୟ କିରଣ ଓ ବାୟୁ ଚଳାଚଳ ଠିକ ରହିବା ଫଳରେ  ବିଭିନ୍ନ ପ୍ରକାର ପୋକ ରୋଗ ଦାଉରୁ ରକ୍ଷା ମିଳେ । ପୁଷା, ଜୟକିଷାନ ଓ ଲକ୍ଷ୍ମୀ ଆଦି କିସମକୁ ଧାଡିକୁ ଧାଡି ୩୦  ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ବୁଣିଲେ ରୋଗ ପୋକ କମ୍ ଲାଗେ । ଛଟାବୁଣା ପାଇଁ ହେକ୍ଟର ପ୍ରତି ୧୦ କି. ଗ୍ରା. ଓ ଧାଡିବୁଣା ଲାଗି ୫ କି. ଗ୍ରା.  ବିହନ ଦରକାର ହୋଇଥାଏ ।

୪) ଫସଲ ପର୍ଯ୍ୟାୟ ଅବଲମ୍ବନ

ଗୋଟିଏ ଜମିରେ ବାରମ୍ବାର ସୋରିଷ ଚାଷ ନ କରି ଉପଯୁକ୍ତ ଫସଲ ପର୍ଯ୍ୟାୟ  ଗ୍ରହଣ କରନ୍ତୁ । ଏହାଦ୍ଵାରା ରୋଗ ଓ ପୋକ ଆକ୍ରମଣରୁ ରକ୍ଷା ମିଳେ ।

୫)  ଯନ୍ତା ଫସଲ ଚାଷ ଓ ମିଶ୍ରିତ ଫସଲ

ସୋରିଷ ଫସଲ ସହ ବିଭିନ୍ନ ଫସଲ ମିଶ୍ରିତ ଫସଲ ଭାବେ ଚାଷ କଲେ ରୋଗ ପୋକ କମ୍ ହେବାର ଦେଖାଯାଏ ।

  • ରାଈ + ଗହମ (ଧାଡିବୁଣା) ୯ ଧାଡି ଗହମ ୧ ଧାଡି ରାଈ ।
  • ରାଈ + ବୁଟ  (ଧାଡିବୁଣା) ବର୍ଷା ନିର୍ଭର ଫସଲ ।
  • ରାଈ + ଆଳୁ (ଧାଡିବୁଣା) ୪ ଧାଡି ଆଳୁ ୧ ଧାଡି ରାଈ ।
  • ରାଈ + ଆଖୁ (ଅକ୍ଟୋବର – ନଭେମ୍ବର ଲଗା ) ଦୁଇ ଧାଡି ଆଖି ମଧ୍ୟରେ ୧ ଧାଡି ସୋରିଷ ।

୬) ପରିଷ୍କାର ପରିଚ୍ଛନ୍ନ ଚାଷ

ଜମି ସଫା ରହିଲେ ରୋଗ ପୋକ କମ୍ ହୁଏ । ଏଥିପାଇଁ ପୂର୍ବ ଫସଲର ମୂଳି, ଘାସଇଟା ପାଣି ନାଳୀରେ ଓ ହୁଡାରେ ଉଠିଥିବା ଘାସ ବାଛି ପରିଷ୍କାର କରିବା ନିହାତି ଦରକାର । ରୋଗାକ୍ରାନ୍ତ ଗଛଗୁଡିକ ରୋଗ ଆରମ୍ଭ ହେବା ଅବସ୍ଥାରେ ଉପାଡି ଜମିଠାରୁ ଦୂରରେ ନେଇ ପୋଡି ବ ଆ ପୋତିଦେଲେ ରୋଗ ପୋକ କମ୍ ହୁଏ । ଜମି ପରିଷ୍କାର ପରିଛନ ରହିଲେ ନିମ୍ନମୁଖି  ରୋଗ ବୃଦ୍ଧି ପାଇବାର ଆଶଙ୍କା କମ୍ ହୁଏ ।

୭) ସୁଷମ ଖାଦ୍ୟ ସାର ପ୍ରୟୋଗ

ମାଟି ପରୀକ୍ଷା କରି ମୂର୍ତ୍ତିକା ରସାୟନିକବିତଙ୍କର ଅନୁମୋଦନ ଅନୁସାରେ ଖତ ସାର ପ୍ରୟୋଗ କରିବା ଉଚିତ । ଏହା ହୋଇ ନ ଥିଲେ ଜମି ପ୍ରସ୍ତୁତି ବେଳେ ମଞ୍ଜି ବୁଣିବା ପୂର୍ବରୁ ହେକ୍ଟର ପ୍ରତି ୫ ଟନ୍ ସଢା ଗୁଣ୍ଡ ଖତ ବା କମ୍ପୋଷ୍ଟ ମାଟିରେ ପ୍ରୟୋଗ କରିବାକୁ ହୁଏ । ସୋରିଷର କିସମ ଓ ଜଳସେଚିତ, ଅଣ ଜଳସେଚିତ ଜମି ଅନୁସାରେ ଯବକ୍ଷାରଜାନ (ଏନ୍), ଫସଫରସ (ପି) ଓ ପଟାସ (କେ) ସାର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ ।

ଫସଲ                                                                                                    ଅନୁମୋଦିତ ରାସାୟନିକ ସାର

(ହେକ୍ଟର ପ୍ରତି କି.ଗ୍ରା. ରେ)

_________________________

ଯବକ୍ଷାରଜାନ                   ଫସଫରସ୍                       ପଟାସ

ଟୋରିଆ (ଅଣଜଳସେଚିତ)                                                      ୪୦                              ୨୦                            ୨୦

ଟୋରିଆ (ଜଳସେଚିତ)                                                         ୫୦                              ୨୫                            ୨୫

ଟୋରିଆ (ଅଣଜଳସେଚିତ)                                                      ୫୦                             ୨୫                            ୨୫

ରାଈ (ଜଳସେଚିତ)                                                                 ୮୦                              ୪୦                            ୪୦

ଅଣଜଳସେଚିତ ଫସଲରେ ସମସ୍ତ ଖାଦ୍ୟ ସାରକୁ ମୂଳ ସାର ଭାବେ ମାଟିରେ ୫ – ୭. ୫ ସେ.ମି. ଗଭୀରରେ ପ୍ରୟୋଗ କରିବା ଦରକାର ।

ଜଳସେଚିତ ଫସଲରେ ୫୦% ଯବକ୍ଷାରଜାନ ସହିତ ସମସ୍ତ ଫସଫରସ୍ ଓ ପଟାସ୍ ସାରକୁ ମୂଳ ସାର ଭାବେ ଦିଆଯାଏ ଓ ଅବଶିଷ୍ଟ ୫୦ ଭାଗ ଯବକ୍ଷାରଜାନକୁ ଆମୋନିୟମ୍ ସଲଫେଟ୍ ଓ ଫସଫରସକୁ  ସିଙ୍ଗିଲ୍ ସୁପର ଫସଫେଟ୍ ଆକାରରେ ଦେବା ଉଚିତ । ଏଭଳି ସମ୍ଭବ ନ ହେଲେ ମୂଳ ସାର ସହିତ ହେକ୍ଟର ପ୍ରତି ୨୫୦ କି. ଗ୍ରା. ଜିପସମ୍  ପ୍ରୟୋଗ କାଲେ ଗନ୍ଧକ ଆବଶ୍ୟକତା ପୁରଣ ହୋଇଥାଏ । ଦସ୍ତା ଓ ବୋରନ୍ ଅଭାବ ପରିଲକ୍ଷିତ ହେଉଥିବା ମାଟିରେ  ହେକ୍ଟର ପ୍ରତି ୨୫ କି. ଗ୍ରା. ବୋରାକୁ ପ୍ରୟୋଗ କାଲେ ବିହନରେ ତେଲ ଅଂଶ ଅଧିକ ହୋଇଥାଏ ।

ଜମି ପ୍ରସ୍ତୁତ ସମୟରେ ଖତ ସହ ମିଶାଇ ହେକ୍ଟର ପ୍ରତି ୫ କି. ଗ୍ରା. ଆଜୋଟୋବ୍ୟାକ୍ଟର ଓ ୫ କି. ଗ୍ରା. ଫସଫୋକଲଚର ଜୀବାଣୁ ସାର ପ୍ରୟୋଗ କାଲେ ସୁଫଳ ମିଳିଥାଏ ।

୮) ଜଳ ପରିଚାଳନା

ମାଟିର ପ୍ରକାରକୁ ନେଇ ସୋରିଷ ଫସଲ ଅତି କମରେ ୧୨ ଏକର ଇଞ୍ଚ ବା ୩୦ ହେକ୍ଟର ସେ. ମି. ଜଳ ୩-୪ ଥରରେ ଆବଶ୍ୟକ କରେ । ସୋରିଷ ପାଇଁ ପ୍ରଥମ ଜଳସେଚନ ଫୁଲ ଆସିବା ପରେ ଅର୍ଥାତ ଗଛ ଉଠିବାର ୨୫ ଦିନ ପରେ ଓ ଛୁଇଁ ଧରିବା ଅବସ୍ଥାରେ ୨ୟ ଥର ଜଳସେଚନ କଲେ ଗଛର ଡାଳ ଅଧିକ ହୋଇଥାଏ, ଫୁଲ ଫଳ ଅଧିକ ଆଦାୟ ଓ ଅଧିକ ଅମଳ ହୁଏ । ଜଳସେଚିତ ଜମିରେ ସୋରିଷ ଚାଷ କରୁଥିଲେ ଯବକ୍ଷାରଜାନ ସାର ସିର୍ସା ସାର ଭାବେ ପ୍ରୟୋଗ କରି ଜଳସେଚନ କରିବାକୁ ହୁଏ । ଏହି ସମୟରେ ସାବଧାନ ନ ହେଲେ ଅଧିକ ଯବକ୍ଷାରଜାନ ଓ ଅଧିକ ଜଳ ଯୋଗୁ ଗଛରେ ପତ୍ର ଅଧିକ ହୁଏ ଓ ଫସଲ ଘଞ୍ଚ ହେବାରୁ କୀଟ ଆକ୍ରମଣର ସମ୍ଭାବନା ଅଧିକ ଥାଏ ।

୯) ଠିକ୍ ସମୟରେ ଫସଲ ଅମଳ

ସୋରିଷ ଗଛର ୭୫% ଛୁଇଁ ହଳଦିଆ ପଡିଗଲେ ଏବଂ ମଞ୍ଜିରେ ଜଳୀଯାଂଶ ୪୦% ହୋଇଥିବା ବେଳେ ରାତି କାକର ଲାଗିଥିବା ସମୟରେ ଫସଲ କାଟିବା ଉଚିତ୍ । ଏହି ଅବସ୍ଥାରେ ମଞ୍ଜିରେ ତୈଳ ଧାରଣ ସର୍ବାଧିକ । କାକର ଲାଗିଥିବା ସମୟରେ କାଟିଲେ ଫଳ ଫାଟି ନଷ୍ଟ ହେବ ନାହିଁ । ଆଗରୁ କାଟିଲେ  ମଞ୍ଜିରୁ ଜଳୀଯାଂଶ ୪୫% ରୁ ଅଧିକ ଥିଲେ ତେଲ କମ୍ ମିଳେ ।

ବିଶେଷ କରି ଥୋରିଆ ସୋରିଷର ମୁଖ୍ୟ କାଣ୍ଡ ଫଳ ପାଚି  ଫାଟିବା ଅବସ୍ଥାକୁ ଆସିବା ବେଳକୁ ଗଛ ଶାଖାରେ ଫଳ ସବୁଜ ଅବସ୍ଥାରେ ଥାଏ । ଆଉ କେତେକ ଜାଗାରେ ଫଳ ପାଚି ଗଛ ମଳା ମଳା ହୋଇ ଶୁଖିଯାଇଥାଏ । ତେଣୁ ଦେଖିବା କଥା, ଯେପରି ଫଳ ଫାଟି ନଷ୍ଟ ହେଉ ନ ଥିବ ଏବଂ ଅପରିପକ୍ଵ ଫଳ ବେଶୀ ନ ଥିବ । କାଟିବା ପରେ ସୋରିଷ ଫସଲକୁ ୧-୨ ଦିନ ସୁଖିବା ପାଇଁ ଛାଡି ଦେବା ଦରକାର । ଏହା ପରେ ଭଲ ଭାବରେ ଲିପା ପୋଛା ହୋଇଥିବା ଖଳାରେ ସକାଳ ସମୟରେ ବାଡିରେ ବାଡେଇ କିମ୍ବା ଟ୍ରାକ୍ଟର ମଡାଇ ଅମଳ କରିବା ଉଚିତ ।

ସୋରିଷ ସାଇତିବା ବେଳେ ମଞ୍ଜୀର ଜଳୀଯାଂଶ ୮% ରୁ କମ ରଖିବା ଦରକାର । ତେଣୁ ଅମଳ ପରେ ଖରାରେ ଲାଗ ଲାଗ କିଛି ଦିନ ଶୁଖାଇବା ଦରକାର । ନ ହେଲେ ମଞ୍ଜି ରଙ୍ଗହୀନ ହେବ ଓ ଫିମ୍ପି ମାରିବା ଦ୍ଵାରା ବଜାର ଦର କମିବା ସହ ତେଲ ରହଣିଆ ହୋଇଯିବ ।

ଚତୁର୍ଥ ପାଠ

କ) ଯାନ୍ତ୍ରିକ ପ୍ରଣାଳୀ

୧ . ଜଉ ପୋକ ଗୁଡିକ ମେଞ୍ଚା ମେଞ୍ଚା ହୋଇ ଗଛର କଅଂଳିଆ ପତ୍ର, କଢ, ଫୁଲ ଓ ଫଳ କଷି ଉପରେ ଦେଖାଯାଆନ୍ତି । ଠିକିରି ପିଠିଆ ପୋକର ମାଈ କୀଟ ଗୁଡିକ ଅଗ କଅଁଳ ପତ୍ରରେ ଅଣ୍ଡା ଦେଇଥାନ୍ତି । ତେଣୁ ଗଛର ଅଗ୍ର ପତ୍ର ଓ କିଛି ଅଂଶ  ହାତରେ ଛିଣ୍ଡାଇ ଦେଲେ ଏହି ଦୁଇଟି କୀଟର ମାତ୍ରା ହ୍ରାସ ପାଏ ।

୨ . କରତିଆ ମାଛିର ଲାର୍ଭାଗୁଡିକ ଅତ୍ୟନ୍ତ କ୍ଷତିକାରକ । ଏମାନେ ପତ୍ର, ଫୁଲ,କଢ, ଓ ଫଳ କଷି ଇତ୍ୟାଦି ଖାଇଥାଆନ୍ତି ଏବଂ ଗଛର ପୁଷ୍ପ ସମୂହକୁ ଥୁଣ୍ଟା କରି ଦିଅନ୍ତି । ଗଛକୁ ସାମାନ୍ୟ ହଲାଇ ଦେଲେ ଏଗୁଡିକ ତଳେ ପଡିଯାନ୍ତି ଓ ଏମାନଙ୍କୁ ହାତରେ ସଂଗ୍ରହ କରି କିରୋସିନ ମିଶା ପାଣିରେ ବୁଡାଇ ମାରି ଦିଆଯାଇ ପାରେ

୩ . ପତ୍ରମୋଡା ଓ ଫଳବେଧକ ପୋକ,କୋବି ପ୍ରଜାପତିର ଲାର୍ଭା ପତ୍ରକୁ ମୋଡି ଖାଇଯାନ୍ତି । ଏମାନଙ୍କୁ ହାତରେ ସଂଗ୍ରହ କରି ମାରି ଦିଆଯାଇପାରେ ।

୪ . ପତ୍ରଡିଆଁ ଓ ଜଉପୋକ ଆଦି ଶୋଷକ କୀଟକୁ ଦମନ କରିବା ପାଇଁ ହେକ୍ଟର ପ୍ରତି ୧୦ ଟି ଅଠାଳିଆ ହଳଦିଆ ଯନ୍ତା ବ୍ୟବହାର କରାଯାଇପାରେ ।

୫ . ହେକ୍ଟର ପ୍ରତି ୧୦-୧୨ ଟି କନି ଥିବା ବାଉଁଶ ବା ଡାଳ ପୋତି କୀଟଭକ୍ଷୀ ପକ୍ଷୀମାନଙ୍କ ପାଇଁ ଆଶ୍ରୟ ସ୍ଥଳ ସୃଷ୍ଟି କରାଯାଇପାରେ ।

୬ . ବିଭିନ୍ନ କୀଟର ପ୍ରଜାପତିମାନଙ୍କୁ ଆକର୍ଷିତ କରିବା ପାଇଁ ଆଲୋକ ଯନ୍ତା ବ୍ୟବହାର କରାଯାଇପାରେ  ।

୭ . ଧଳା କଳଙ୍କି ରୋଗ ଦେଖାଦେଲେ ଗଛର ନିମ୍ନ ଭାଗରୁ କିଛି ପତ୍ର ଛିଣ୍ଡାଇ ଦିଆଯାଇପାରେ ।

ପଞ୍ଚମ ପାଠ

ଜୈବିକ ପ୍ରଣାଳୀ

୧) ପରାଶ୍ରୟୀ ଓ ପରଭୋଜୀ କୀଟମାନଙ୍କର ସଂରକ୍ଷଣ :

ପ୍ରାକୃତିକ ପରିବେଶରେ ଥିବା ଶିକାରୀ ଜୀବ,ପରାଜୀବ ଓ ରୋଗ ସୃଷ୍ଟିକାରୀ ଜୀବାଣୂକୁ ବିନିଯୋଗ କରି ଅନିଷ୍ଟକାରୀ କୀଟ ନିୟନ୍ତ୍ରଣ କରିବାକୁ ଜୈବ ନିୟନ୍ତ୍ରଣ କୁହାଯାଏ । ଜୈବ  ନିୟନ୍ତ୍ରଣ ଏକ ମିତବ୍ୟୟୀ ଓ ଫଳପ୍ରଦ ବ୍ୟବସ୍ଥା । ଏହାଦ୍ଵାରା କୀଟନାଶକ ଔଷଧର କୁପ୍ରଭାବ ଫସଲ ଉପରେ ପଡେ ନାହିଁ । ଉପକାରୀ ଜୀବମାନଙ୍କୁ ଗୋଟିଏ ଜାଗାରୁ ନେଇ ଅନ୍ୟତ୍ର ଛାଡିବା ଏବଂ ସେମାନଙ୍କର କାର୍ଯ୍ୟ ଦକ୍ଷତା ଓ ବଂଶ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରିବା ଜୈବ ନିୟନ୍ତ୍ରଣ କାରଜ୍ୟକରମର ଅନ୍ତର୍ଭୁକ୍ତ । ପ୍ରୟୋଗଶାଳାରେ ପରଭୋଜୀ ଓ ପରାଶ୍ରୟୀ କୀଟମାନଙ୍କୁ ପ୍ରଜନନ କରାଇ ଫସଲ କ୍ଷେତ୍ରରେ ଛାଡିବା ଦ୍ଵାରା ଅପକାରୀ କୀଟ ଗୁଡିକ ନିୟନ୍ତ୍ରଣ ହୋଇଥାନ୍ତି । ସୋରିଷ ଫସଲ ପରିବେଷ୍ଟିନୀ ମଧ୍ୟରେ ରହିଥିବା ପରଜୀବି ଓ ପରାଶ୍ରୟୀ କୀଟ ମାନଙ୍କୁ ସଂରକ୍ଷଣ କରନ୍ତୁ । ଏହି କୀଟ ମାନେ ବିଭିନ୍ନ କ୍ଷତିକାରକ କୀଟମାନଙ୍କୁ ଓ ଏମାନଙ୍କର ଲାର୍ଭା ଓ ଅଣ୍ଡାକୁ ଖାଇଯିବା ଦ୍ଵାରା ଜୈବିକ ପ୍ରଣାଳୀରେ କୀଟ ନିୟନ୍ତ୍ରଣ ହୋଇପାରିବ ।

ସୋରିଷ ଫସଲରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଉପକାରୀ ପରଭୋଜୀ,ପରାଶ୍ରୟୀ ଏବଂ ଅନୁଜୀବ ମାନଙ୍କ ବିଷୟରେ ସୂଚନା :

କ୍ର. ସଂ.

ଉପକାରୀ ପୋକ

ପରଭୋଜୀ/ପରାଶ୍ରୟୀ/ଅଣୂଜୀବ

ଅପକାରୀ ପୋକର ନାମ

କେଉଁ ଅବସ୍ଥାରେ ଆକ୍ରାନ୍ତ

୧.

ଇନ୍ଦ୍ରଗୋପୀ ଭୃଙ୍ଗ

ଜଉ ପୋକ

ପ୍ରତ୍ୟେକ ଅବସ୍ଥା

୨.

ସିରଫିଡ୍ ମାଛି

ଜଉ ପୋକ

ପ୍ରତ୍ୟେକ ଅବସ୍ଥା

୩.

କ୍ରାଇସୋପେରେଲା

କାରନିଆ

ଜଉ ପୋକ

ଫଳବିନ୍ଧା ପୋକ

ବନ୍ଧାକୋବି ଗୋଟି ପୋକ

ପ୍ରତ୍ୟେକ ଅବସ୍ଥା

୪.

ବୁଢିଆଣୀ

ଜଉ ପୋକ

ବନ୍ଧାକୋବି ପ୍ରଜାପତି

ପ୍ରତ୍ୟେକ ଅବସ୍ଥା

୫.

ଟ୍ରାଇକୋଗ୍ରାମା ଚିଲୋନିସ୍

ଛୁଇଁ ଓ ଫଳବିନ୍ଧା ପୋକ

ଅଣ୍ଡା ଅବସ୍ଥା

୬.

ଟ୍ରାଇକୋଗ୍ରାମା/ ବ୍ରାଜିଲଏନସିସ୍

ଛୁଇଁ ଓ ଫଳବିନ୍ଧା ପୋକ

ଅଣ୍ଡା ଅବସ୍ଥା

 

୭.

ଚିଲୋନିସ୍ ବ୍ଲାକ ବରନିଙ୍ଗ

ଛୁଇଁ ଓ ଫଳବିନ୍ଧା ପୋକ

ଅଣ୍ଡା ଅବସ୍ଥା

୮.

ବ୍ରାକନ୍ କିରକ୍ ପତ୍ରିକ୍

ଛୁଇଁ ଓ ଫଳବିନ୍ଧା ପୋକ

ଲାର୍ଭା ଅବସ୍ଥା

୯.

ବ୍ରାକନ୍ ବ୍ରେଭିକର୍ନିସ

ଛୁଇଁ ଓ ଫଳବିନ୍ଧା ପୋକ

ଲାର୍ଭା ଅବସ୍ଥା

୧୦.

ଏଣ୍ଟୋମୋପଥୋରା ଆଫିଡିସ୍

ଜଉପୋକ

ପ୍ରତ୍ୟେକ ଅବସ୍ଥା

୧୧.

ଟେଟ୍ରାଷ୍ଟିକସ୍ ଆୟାରି

ବନ୍ଧାକୋବି ଗୋଟିପୋକ

ପ୍ୟୁପା ଅବସ୍ଥା

୧୨.

ବ୍ୟୁଭେରିଆ ବାସିଆନା

ବନ୍ଧାକୋବି ଗୋଟିପୋକ,

ଲାର୍ଭା ଅବସ୍ଥା

 

 

କରତିଆ ମାଛି ଲାର୍ଭା ।

 

 

ଷଷ୍ଠ ପାଠ

ଜୈବିକ ପ୍ରଣାଳୀ

୨) ପରୀକ୍ଷାଗାରରେ ଉପକାରୀ କୀଟମାନଙ୍କୁ ବଢାଇ କୀଟ ନିୟନ୍ତ୍ରଣରେ ଉପଯୋଗ କରିବା ।

କ) ଛୁଇଁ ଓ ଫଳ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି ୫୦,୦୦୦ ଟ୍ରାଇକୋଗ୍ରାମା ରିଲୋନିସ କିମ୍ବା ଟ୍ରାଇକୋଗ୍ରାମା ବ୍ରାଜିଲେନସିସର ଅଣ୍ଡା ପ୍ରତି ୭-୧୦ ଦିନ ଅନ୍ତରରେ ୨ ଥର ଛାଡନ୍ତୁ ।

ଖ) ଜଉପୋକ ଦମନ ପାଇଁ  ହେକ୍ଟର ପ୍ରତି ୨୫,୦୦୦ କ୍ରାଇସୋପେରେଲା କରନିଆର ଅଣ୍ଡା ଛାଡନ୍ତୁ ।

ଗ)  ହେକ୍ଟର ପ୍ରତି ୫୦୦ ବ୍ରାକନ କରିକ୍ ପତ୍ରିକ୍ କିମ୍ବା ବ୍ରାକନ ବ୍ରେଭିକରନିସ୍ ପ୍ୟୁପା ଛାଡି ଛୁଇଁ ଓ ଫଳବିନ୍ଧା ପୋକ ଦମନ କରନ୍ତୁ ।

ପରାଶ୍ରୟୀ ଓ ପରଭୋଜୀ କୀଟ ଓଡିଶା ସରକାରଙ୍କ କୃଷି ବିଭାଗ ଦ୍ଵାରା ଭୁବନେଶ୍ଵର, ଜଗତସିଂପୁର,ଟାଙ୍ଗୀ,ଛତ୍ରପୁର, ନୟାଗଡ, ସୁନ୍ଦରଗଡ ଓ ବାରିପଦା  ଠାରେ ଥିବା  ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା, ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର ଭୁବନେଶ୍ଵର ଓ ଭାବାନୀପାଟଣାରେ ଥିବା ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳାରେ ବୃଦ୍ଧି କରାଇ ଚାଷୀମାନଙ୍କୁ ସ୍ଵଛ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଏହା ଛଡା ବିଭିନ୍ନ କମ୍ପାନୀ ମଧ୍ୟ ଏହାକୁ ପ୍ରସ୍ତୁତ କରି ବଜାରରେ ବିକ୍ରୟ କରୁଛନ୍ତି । ତେଣୁ ଚାଷୀମାନେ ବଜାରକୁ ମଧ୍ୟ ଏହା ପାଇ ପାରବେ ।

ପ୍ରୟୋଗ ବିଧି

v  ପରୀକ୍ଷାଗାରଠାରୁ ଜମି ପର୍ଯ୍ୟନ୍ତ ବରଫ ମଧ୍ୟରେ ଏଗୁଡ଼ିକୁ ନିଅନ୍ତୁ ।

v  ଦିନର ଥଣ୍ଡା ସମୟରେ (ସକାଳ କିମ୍ବା ସନ୍ଧ୍ୟାରେ) ଏମାନଙ୍କୁ ଛାଡନ୍ତୁ ।

v  ପତ୍ର ତଳ ଭାଗରେ ଏହାର କାର୍ଡ ଗୁଡିକୁ ଲଗାନ୍ତୁ ।

v  କେବଳ ନିର୍ଦ୍ଧିଷ୍ଟ କୀଟ ଦେଖାଦେଲେ ଏହା ପ୍ରୟୋଗ କରନ୍ତୁ ।

v  ଏହି କୀଟ ଛାଡି ଥିଲେ କୀଟନାଶକ ବିଷ  ପ୍ରୟୋଗ କରନ୍ତୁ ନାହିଁ ।

ସପ୍ତମ ପାଠ

ଜୈବିକ ପ୍ରଣାଳୀ

୩) ବୃକ୍ଷଜାତ କୀଟନାଶକର ପ୍ରୟୋଗ

ଜଉ ପୋକ,ପତ୍ରସୁଢଙ୍ଗକାରୀ ପୋକ, କରତିଆ ମାଛି, ବନ୍ଧା କୋବି ଗୋଟି ପୋକ, ପତ୍ରଛନ୍ଦା ପୋକ ଓ ଛୁଇଁ ବିନ୍ଧା ପୋକ ଦମନ ପାଇଁ ବଜାରରେ ମିଳୁଥିବା ଯେ କୌଣସି ନିମ ଜାତ କୀଟନାଶକ ପ୍ରୟୋଗ କରନ୍ତୁ କିମ୍ବା ନିଜେ ନିମର ବିଭିନ୍ନ ଅଙ୍ଗକୁ ବ୍ୟବହାର କରି ଏହି ପୋକମାନଙ୍କୁ ନିୟନ୍ତ୍ରଣ କରନ୍ତୁ ।

ନିମ ମଞ୍ଜିରୁ ପାଚନ ପ୍ରସ୍ତୁତି ପ୍ରଣାଳୀ

v  ନିମ ମଞ୍ଜି ଫଳରୁ ଚୋପା ଛଡାଇ ମଞ୍ଜିକୁ ଅଲଗା କରନ୍ତୁ ।

v  ପାଞ୍ଚ କି. ଗ୍ରା. ନିମ ମଞ୍ଜିକୁ ଖଦଡିଆ ଭାବେ ଗୁଣ୍ଡ କରନ୍ତୁ ।

v  ଗୋଟିଏ ବାଲଟିରେ ଉକ୍ତ ଗୁଣ୍ଡ ସହ ୧୦ ଲିଟର ପାଣି ମିଶାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଘାଣ୍ଟନ୍ତୁ । ଏହି ପାଣିକୁ ରାତିକ ପାଇଁ ରଖନ୍ତୁ । ପରଦିନ ଏକ ପତଳା କାନାରେ ଏହି ପାଚନକୁ ଛାଣନ୍ତୁ । ଏଥିରେ ଆଉ ପାଣି ମିଶାଇ ଦ୍ରବଣ ପରିମାଣକୁ ୧୦୦ ଲିଟର କରନ୍ତୁ । ପାଚନର ସାନ୍ଧ୍ରତା ବର୍ତ୍ତମାନ ୫% ହେବ ।

v  ଏହି ପାଚନକୁ ହସ୍ତଚାଳିତ ସିଞ୍ଚନ ଯନ୍ତ୍ର ଦ୍ଵାରା ଫସଲରେ ସିଞ୍ଚନ କରନ୍ତୁ ।

ନିମ ପତ୍ର ଉଦ୍ଧୃତାଂଶର ପ୍ରୟୋଗ

ପ୍ରତି ୫ ଲିଟର ପାଣିରେ ୧ କି. ଗ୍ରା. ସଦ୍ୟ ତୋଳା ଯାଇଥିବା ନିମ ପତ୍ରକୁ ଗୋଟିଏ ରାତି ଭିଜାନ୍ତୁ । ପରଦିନ ସକାଳେ ପତ୍ର ଗୁଡିକୁ ଭଲ ଭାବରେ ବାଟି ଏହି ପାଣିରେ ମିଶାନ୍ତୁ । ଏହାକୁ ଛାଣି ଜଉ ପୋକ ନିୟନ୍ତ୍ରଣ ପାଇଁ ପ୍ରୟୋଗ କରନ୍ତୁ ।

ନିମ ପିଡିଆର ଉଦ୍ଧୃତାଂଶ

୧୦୦ ଗ୍ରାମ ନିମ ପିଡିଆକୁ ଗୋଟିଏ ପତଳା କାନାରେ ବାନ୍ଧି ୧ ଲିଟର ପାଣିରେ ରାତିସାରା ଭିଜାନ୍ତୁ । ସକାଳେ ଏହାକୁ ଛାଣି ଏକ ଲିଟର ପାଣି ପ୍ରତି ଏହି ରସ ୧୦ ମି. ଲି. ହିସାବରେ ମିଶାଇ ସିଞ୍ଚନ କରନ୍ତୁ ।

ନିମ ତେଲର ପ୍ରୟୋଗ

ପ୍ରତି ୧ ଲିଟର ପାନୁଇରେ ୩୦ ମି.ଲି. ନିମ ତେଲ ମିଶାନ୍ତୁ । ଏହା ସତ ବଜାରରେ ମିଳୁଥିବା ଯେ କୌଣସି ଷ୍ଟିକର ୧ ମି.ଲି.ହିସାବରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

୪) ଜୈବ ଫିମ୍ପିନାଶକ ଦ୍ଵାରା ବିହନ ବିଶୋଧନ କରିବା

ଘାରିକଟା ରୋଗ,ଅଙ୍ଗାରୀ ରୋଗ, ବେକ ସଢା ରୋଗ ଓ ଅଲ୍ଟର ନାରିଆ ପତ୍ର ପୋଡା ରୋଗରୁ ଫସଲକୁ ରକ୍ଷା କରିବା ପାଇଁ ପ୍ରତି ୧ କି. ଗ୍ରା. ବିହନରେ ୧୦ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡେ କିମ୍ବା  ଟ୍ରାଇକୋଡର୍ମା ହାଇଜାନିୟମ୍ କବକ କଲଚର ମିଶାଇ ବିହନ ବିଶୋଧନ କରନ୍ତୁ କିମ୍ବା ହେକ୍ଟର ପ୍ରତି ୨,୫ କି. ଗ୍ରା. କଲଚରକୁ ୨୫୦ କି. ଗ୍ରା. ସଢା ଖତ ସହ ମିଶାଇ ଜମିରେ ବିଛାଇ ଦିଅନ୍ତୁ ।

ଅଷ୍ଟମ ପାଠ

ଫସଲ ପର୍ଯ୍ୟବେକ୍ଷଣ

ଚାଷ ପ୍ରଣାଳୀ, ଯାନ୍ତ୍ରିକ ପ୍ରଣାଳୀ ଓ ଜୈବିକ ପ୍ରଣାଳୀର ପ୍ରୟୋଗରେ ରୋଗପୋକ ନିୟନ୍ତ୍ରଣ ନ ହେଲେ ଆମକୁ ସେଶ  ଅସ୍ତ୍ର ରୂପେ ରା ସାୟନିକ ବିଷ ପ୍ରୟୋଗ କରିବାକୁ ପଡିଥାଏ । ରାସାୟନିକ ବିଷ ପ୍ରୟୋଗ କରିବାକୁ ହେଲେ ଆମକୁ କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ତାହା ହେଲା –

କ) ଫସଲ କିଆରୀର ପରିବେଶ ।

ଖ) ଫସଲ ପରିବେଷ୍ଟନୀ ମଧ୍ୟରେ ଅପକାରୀ ଓ ଉପକାରୀ କୀଟର ଅନୁପାତ ।

ଗ) ଅପକାରୀ ରୋଗ ପୋକର ଚିହ୍ନଟ ।

ଘ) କୀଟ ଆକ୍ରମଣ ଦ୍ଵାରା ଆର୍ଥିକ ଦେହଳୀ ସୀମା ନିର୍ଦ୍ଧାରଣ ।

ଙ) ପରିବେଶ ସହାୟକ କୀଟନାଶକ ନିର୍ବାଚନ ।

ଏସବୁ ବିଷୟରେ ଭଲଭାବରେ ଜାଣିବା ପାଇଁ ଆମକୁ ନିମ୍ନଲିଖିତ ଫସଲ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ଗୁଡିକୁ ଅନୁସରଣ କରିବାକୁ ପଡିବ ।

୧) କ୍ଷିପ୍ର ଭ୍ରାମ୍ୟମାଣ ପର୍ଯ୍ୟବେକ୍ଷଣ

ଫସଲ ଋତୁ ଆରମ୍ଭରେ ବିଭିନ୍ନ ରୋଗପୋକ ଉପଦ୍ରୁତ ଅଞ୍ଚଳକୁ ନଜରକୁ ନେଇ ଏକ ନିର୍ଦ୍ଧିଷ୍ଟ ପଥ ସ୍ଥିର କରାଯାଏ । ପ୍ରାଥମିକ ଅବସ୍ଥାରେ ପ୍ରତି ସପ୍ତାହରେ ଥରେ ଫୁଲ ଓ ଫଳ ଧାରଣ ସମୟରେ ପ୍ରତି ସପ୍ତାହରେ ଦୁଇଥର ସାଧାରଣତଃ ସମସ୍ତ ମୁଖ୍ୟ ରୋଗ ପୋକର ସର୍ବେକ୍ଷଣ  କରାଯାଏ । ଆଗରୁ ସ୍ଥିରୀକୃତ ହୋଇଥିବା ରାସ୍ତାରେ ପ୍ରତି ୧୦ କିଲୋମିଟରରେ ଗୋଟିଏ କିଆରୀରେ ଏହି ସର୍ବେକ୍ଷଣ କରାଯାଏ । ଏଥିପାଇଁ ସ୍ଥିରୀକୃତ ହୋଇଥିବା ଏକ ହେକ୍ଟର ପରିମିତ କିଆରୀରୁ ୩୦-୪୦ ଟି ଗଛକୁ ମନଇଛା ବାଛି ଗଛକୁ ଆକ୍ରାନ୍ତ କରିଥିବା କ୍ଷତିକାରକ ପୋକ, ରୋଗ, ଉପକାରୀ ପୋକମାନଙ୍କ ସୀମା ନିର୍ଦ୍ଧାରଣ କରାଯାଏ  । ଜଉ ପୋକ ମାନଙ୍କୁ  ପର୍ଯ୍ୟବେକ୍ଷଣ କରିବା ପାଇଁ ଜାନୁୟାରୀ ମାସ ପରଠାରୁ ଏ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଏ । କ୍ଷିପ୍ର ଭ୍ରାମ୍ୟମାଣ ପର୍ଯ୍ୟବେକ୍ଷଣ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବୈଞାନିକ ମାନଙ୍କର ମିଳିତ ସହଯୋଗରେ ସମ୍ପୂର୍ଣ ଫସଲ ଋତୁରେ କାର୍ଯ୍ୟକାରୀ କରାଯାଏ ।

୨) ଜମିର ସର୍ବେକ୍ଷଣ

କ୍ଷିପ୍ର ଭ୍ରାମ୍ୟମାଣ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗ୍ରାମ୍ୟ ସ୍ତରରେ ଚାଷୀମାନଙ୍କୁ ନିଜ ଜମିରେ ସର୍ବେକ୍ଷଣ ପାଇଁ ପ୍ରବାର୍ତ୍ତାଯାଏ । ଏହି ସର୍ବେକ୍ଷଣ ଅନୁଯାୟୀ ପ୍ରତି ସପ୍ତାହରେ ଦୁଇଥର ଚାଷୀମାନେ ନିଜ ଜମିକୁ ଯାଇ ଉପକାରୀ ଓ ଅପକାରୀ ପୋକ ମାନଙ୍କୁ ଚିହ୍ନଟ କରି ପଞ୍ଜୀକୃତ କରିଥାନ୍ତି ।

୩) ସୋରିଷ ଫସଲରେ ଲାଗୁଥିବା କ୍ଷତିକାରକ ପୋକର ଆର୍ଥିକ ଦେହଳୀ ସୀମା

ଜଉପୋକ : ମଝି କାଣ୍ଡର ଉପର ୧୦ ସେ. ମି. ମଧ୍ୟରେ ୨୦-୨୫ ଜଉ  ପୋକ କିମ୍ବା ଶତକଡା ୩୦-୪୦ ଭାଗ ଆକ୍ରାନ୍ତ ଗଛ ।

ନବମ ପାଠ

କ୍ଷତିକାରକ ପୋକମାନଙ୍କୁ ଚିହ୍ନିବାର ସହଜ ଉପାୟ ଓ ରାସାୟନିକ ବିଷଦ୍ଵାରା ଏମାନଙ୍କର ନିରାକରଣ

୧) ଜଉପୋକ – ଉଭୟ ପୂର୍ଣାଙ୍ଗ ଓ ଅର୍ଭକ ଜଉପୋକ ବହୁ ସଂଖ୍ୟାରେ କଅଁଳିଆ ପତ୍ର, ଫୁଲ, ବୃକ୍ଷ ଓ ଛୁଇଁରେ ରହି ରସ ଶୋଷି ଖାଆନ୍ତି । ଏମାନେ ଅତ୍ୟନ୍ତ ନରମ ଓ କଳା ରଙ୍ଗର । ଆକ୍ରାନ୍ତ ପତ୍ର ବାଦାମି ହୋଇ ମୋଚା ପଡିଯାଏ ଓ ଫୁଲରେ ଛୁଇଁ ଆସେ ନାହିଁ । କୀଟର ମଳ ପତ୍ର ଉପରେ ଲାଗି କଳା ଫିମ୍ପି ମାରିଯାଏ । ପ୍ରଚୁର ଶୀତ ପଡିଥିବା ବେଳେ ଯଦି ଆକାଶ ମେଘାଛନ୍ନ ରହେ ତେବେ ଏମାନେ ବିଭିନ୍ନ ପ୍ରାକୃତିକ ଉପାୟରେ ନିଜର ବଂଶକୁ ବୃଦ୍ଧି କରି ସମଗ୍ର ଗଛକୁ ଆଛାଦିତ କରି ଦିଅନ୍ତି । ଏପରି କ୍ଷେତ୍ରରେ ଆଦୌ ଅମଳ ମିଳି ନ ଥାଏ ।

୨) କରତିଆ ମାଛି – ସାଧାରଣ ମାଛି ଠାରୁ ଛୋଟ ଏହି କୀଟର ପୂର୍ଣାଙ୍ଗ ଅବସ୍ଥାଟି ପତ୍ର ଓ କୋମଳ କାଣ୍ଡକୁ କଣା କରି ଭିତରେ ଗୋଟିଏ କରି ଅଣ୍ଡା ଦେଇଥାଏ, ଯହିଁରୁ ୪-୫ ଦିନ ପରେ ଧୂଷରିଆ ରଙ୍ଗର ଶଲଭ ବାହାରି ପ୍ରଥମ ଅବସ୍ଥାରେ ପତ୍ର ଉପରେ ରହି ଖାଇଯାଆନ୍ତି । ପରେ ଏହା ଦିନବେଳେ ମାଟି ତଳେ ରହିଥାନ୍ତି ଓ ରାତିରେ ଉପରକୁ ଆସି ପତ୍ରର ଆଗକୁ ଖାଇ ଗଛକୁ ରୁଗ୍ଣ କରି ଦିଅନ୍ତି । ଫଳରେ ଗଛର ବୃଦ୍ଧି ବନ୍ଦ ହୋଇ ଅମଳ କମ୍ ହୋଇଥାଏ  । ସେମାନେ ସାଧାରଣତଃ ସକାଳେ ଓ ସନ୍ଧ୍ୟାବେଳେ ବେଶୀ ଖାଇ ନଷ୍ଟ କରନ୍ତି ଓ ପତ୍ରର ଧାରକୁ ଖାଇଥାନ୍ତି ।

୩) ପତ୍ରଛନ୍ଦା ଓ ଫଳ ବେଧକ ପୋକ – ଏହି ପୋକ ଗଛ ଗୁଡିକ ମାସକର ହେବା ପରଠାରୁ ଫଳ ପାକଳ ହେବା ପର୍ଯ୍ୟନ୍ତ ଦେଖାଯାନ୍ତି । ଫୁଲ ହେବା ପୂର୍ବରୁ ଏମାନେ ବିଶେଷ କ୍ଷତି କରନ୍ତି ନାହିଁ । କିନ୍ତୁ ଫୁଲ ହେବା ପରଠାରୁ ଏମାନେ ବହୁତ କ୍ଷତି ଘଟାଇଥାନ୍ତି । ପୂର୍ଣାଙ୍ଗ ମାଈ ପୋକଟି ରାତିରେ ଗଛର ଏଜି ପତ୍ରରେ ମେଞ୍ଚା ମେଞ୍ଚା ଅଣ୍ଡା ଦେଇଥାଏ । ଏଥୁରୁ ଫୁଟୁଥିବା ଶୂକ ଗୁଡିକ ଗୋଟିଏ ସ୍ଥାନରେ କିଛି ସମୟ ରହିବା ପରେ କ୍ରମଶଃ ପରସ୍ପର ଠାରୁ ଅଲଗା ହୋଇଯାନ୍ତି ଓ ଫୁଲ,କଢ ଏବଂ ଫଳ କଷିକୁ ଖାଇ ଲଣ୍ଡା କରିଦିଅନ୍ତି ।

୪) ଚିତ୍ରିତ ଶୋଷକ ପୋକ – ପୂର୍ଣାଙ୍ଗ ପୋକଟି ଏକ ଛୋଟ ଗାଢ ବାଦାମୀ ରଙ୍ଗର ଏବଂ ନାଲି ମିଶା ବାଦାମି ଚିହ୍ନ ଥିବା ଶୋଷକ ପୋକ । ପୂର୍ଣାଙ୍ଗ ଓ ଅର୍ଭକ ଗୁଡିକ ପତ୍ର ଓ କଅଁଳିଆ ଫଳଗୁଡିକର ରସ ଶୋଷି ଖାଇବା ଯୋଗୁଁ ଗଛ ଧୀରେ ଧୀରେ ଝାଉଁଳି ଶୁଖିଯାଏ । ଏଣୁ ଛୁଇଁରେ ମଞ୍ଜି ଧରେ ନାହିଁ ।

କୀଟନାଶକର ବ୍ୟବହାର

କ)             ଜଉ ପୋକ ସଂଖ୍ୟା ଗଛ ପ୍ରତି ୫୦ରୁ ଅଧିକ ହେଲେ ମିଥାଇଲ୍ ଡିମେଟନ କିମ୍ବା ଡାଇମେଥୋଏଟ୍ ୨ ମି. ଲି. ପ୍ରତି ଲିଟର ପାଣିରେ ଗୋଳାଇ ହେକ୍ଟର ପ୍ରତି ୫୦୦ ଲିଟର ଦ୍ରବଣ ସିଞ୍ଚନ କରନ୍ତୁ । ଏହା ପରେ ଯଦି ଜଉପୋକର ପାଦୁର୍ଭାବ ନ କମେ ତେବେ, ଇମିଡାକ୍ଳୋଫିଡ ପ୍ରତି ୫ ଲିଟର ପାଣିରେ ୧ ମି.ଲି. ହିସାବରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଖ)ସୋରିଷ ଫସଲରେ ସବୁବେଳେ ଅପରାହ୍ନ ୪ ଟା ପରେ କୀଟନାଶକ ପ୍ରୟୋଗ କରନ୍ତୁ । କାରଣ ୪ ଟା ପରେ ମହୁମାଛି ତାଙ୍କ ବସାକୁ ଫେରିଯାନ୍ତି । ତେଣୁ ସେମାନେ ସିଧା କୀଟନାଶକ ସମ୍ପର୍ଶରେ ଆସନ୍ତି ନାହିଁ ।

ଗ)ଚିତ୍ରିତ ଶୋଷକ ପୋକ ଦମନ ପାଇଁ ପ୍ରତି କି. ଗ୍ରା. ବିହନରେ ୫ ଗ୍ରାମ୍ ଇମିଡାକ୍ଳୋପ୍ରିଡ୍ ମିଶାଇ ବିହନ ବିଶୋଧନ କରନ୍ତୁ । ଫସଲ ବୃଦ୍ଧି ସମୟରେ ଏହି ପୋକ ଦେଖାଦେଲେ ହେକ୍ଟର ପ୍ରତି ୨୫ କି.ଗ୍ରା. ୪% ଏଣ୍ଡୋସଲଫାନ୍ ଗୁଣ୍ଡ ବିଞ୍ଚନ୍ତୁ କିମ୍ବା ମାଲାଥିଅନ୍ ୫୦ ଇ. ସି. ଏକ ଲିଟର ୨୦୦-୩୦୦ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଘ) କରତିଆ ମାଛି ଓ ସବୁଜ ଶୂକ ମାନଙ୍କ ପାଇଁ କୁଇନାଇଫସ୍ କିମ୍ବା ଇଥୋଫେନପ୍ରକ୍ସ କିମ୍ବା ଏଣ୍ଡୋସଲଫାନ୍ କିମ୍ବା କ୍ଳୋରୋପାଇରିଫସ୍ କୀଟନାଶକକୁ ଲିଟର ପିଛା ୨ ମି.ଲି. ହିସାବରେ ଗୋଳାଇ ହେକ୍ଟର ପ୍ରତି ୫୦୦ ଲିଟର ଦ୍ରବଣ ପ୍ରୟୋଗ କରନ୍ତୁ । ଏହି ଦୁଇ ପୋକକୁ ନିୟନ୍ତ୍ରଣ କରିବା ପାଇଁ ଏସିଫେଟ୍ ପ୍ରତି ଲିଟର ପାଣିରେ ଏକ ଗ୍ରାମ ଲେଖାଏଁ ମିଶାଇ ହେକ୍ଟର ପ୍ରତି ୫୦୦ ଲିଟର ପାଣି ସିଞ୍ଚନ କରନ୍ତୁ ।

ଦଶମ ପାଠ

ବିଭିନ୍ନ କ୍ଷତିକାରକ ରୋଗ ଚିହ୍ନିବାର ଉପାୟ ଓ ଏହାର ରାସାୟନିକ ନିରାକରଣ :

କ) ଧଳାକଳଙ୍କି ରୋଗ

ସୋରିଷ ଗଛରେ ଫୁଲ ଓ ଛୁଇଁ ଆସିବା ଅବସ୍ଥାରେ ଏହି ରୋଗ ଦେଖାଯାଏ । ମଧ୍ୟମ ଧରଣର ଥଣ୍ଡା ଓ ଆର୍ଦ ପାଗରେ ଏହି ରୋଗ ବ୍ୟାପିଥାଏ । ରୋଗାକ୍ରାନ୍ତ ଗଛର ପାତ୍ର ଛୋଟ ହୋଇଯାଏ ଓ ହଳଦିଆ ଫୁଲ ବେରଙ୍ଗୀ ହୋଇ ଧଳା ଦେଖାଯାଏ । ଧଳା ଓ ହଳଦିଆ ରଙ୍ଗର ଫୁଲୁକା ଦାଗ ପାତ୍ର ଉପରେ ଦେଖିବାକୁ ମିଳେ । ଫୁଲର ଆକାର ଛୋଟ ହେବା ସହିତ ଫୁଲର ଅକ୍ଷ ଓ ବୃନ୍ତ ଅଧିକ ମୋଟା ହୋଇଯାଏ । ଫଳ ମୋଡି  ହୋଇ ଧଳା କବକ ଦ୍ଵାରା ଆଛାଦିତ ହୁଏ ।

ଖ) ତଲୋନୁଖି ପାଉଁସିଆ ରୋଗ

ଫସଲରେ ମଧ୍ୟମ ଅବସ୍ଥାରେ ବା ଜାନୁୟାରୀ ଓ ଫେବୃୟାରୀ ଆଡକୁ ଏହି ରୋଗ ଦେଖାଯାଏ । ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥିବା ଗଛର ତଳ ପତ୍ର ଧଳା ଧଳା ଫିମ୍ପି ମାରିଲା ଭଳି ଦେଖାଯାଏ । ଅଧିକ ହେଲେ ପତ୍ର ସୁଖି ମୁରୁକୁଟିଆ ପଡିଯାଏ ଏବଂ ସହଜରେ ଗଛରୁ ଝରିପଡେ । କମ ବୟସର ଗଛ ଆକ୍ରାନ୍ତ ହେଲେ, ଫଳ ନ ଧରି ଗଛ ସୁଖୀ ମରିଯାଏ ।

ଗ) ପତ୍ରଚିତା ରୋଗ

ପତ୍ରର ତଳପାହେ ପାଣିକଚା ହଳଦିଆ ଦାଗ ଦେଖାଯାଏ । ଏହି ଚିନ୍ନର ଚାରିଧାମ ବାଦାମି ଓ କେନ୍ଦ୍ରାଂଶ ଧୂସସାର ରଙ୍ଗ ଦିଶେ । ବହୁ ଗୁଡିଏ ଦାଗ ଏକତ୍ର ମିଶିଯାଇ ଦୁଇ ଶିରା ମଝିରେ ଏକ କେନ୍ଦ୍ରୀୟ ହୋଇ ଦେଖାଯାଏ । ରୋଗ ଚଢିଗଲେ ପତ୍ର ପୋଡାଳିଆ ଦିଶେ ଓ ଶୁଖିଯାଏ । ଫଳ ଉପରେ ଏହି ଚିହ୍ନ ଦିଶିଲେ ଫଳ ପାଚିବା ଆଗରୁ ଶୁଖିଯାଏ ।

ରାସାୟନିକ ଫିମ୍ପିନାଶକ ପ୍ରୟୋଗ ଓ ରୋଗ ନିୟନ୍ତ୍ରଣ

କ) ଧଳା କଳଙ୍କି ରୋଗ ନିୟନ୍ତ୍ରଣ ପାଇଁ ଏକ ଲିଟର ପାଣି ପ୍ରତି ୨.୫ ଗ୍ରାମ ଥାୟୋଫେନେଟ୍ ମିଥାଇଲ କିମ୍ବା ୪ ଲିଟର ପାଣି ପ୍ରତି ୧ ଗ୍ରାମ ଟ୍ରାଇଡିମେଫେନ୍ ମିଶାଇ ପତ୍ର ସିଂଚନ କରନ୍ତୁ । ବିହନ ବୁଣିବା ପୂର୍ବରୁ ପ୍ରତି ୧ କି. ଗ୍ରା. ବିହନ ପ୍ରତି ୪ ଗ୍ରାମ୍ ମେଟାଲାକ୍ଲିଲ ମିଶାଇ ବିହନ ବିଶୋଧନ କରନ୍ତୁ । ରୋଗ ନିୟନ୍ତ୍ରଣ ନ ହେଲେ ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ ରିଡୋମିଲ ଏମ୍. ଜେଡ୍. ମିଶାଇ ପତ୍ର ସିଂଚନ କରନ୍ତୁ ।

ଖ) ନିମ୍ନମୁଖ୍ୟ ପତ୍ରପୋଡା ରୋଗ ନିୟନ୍ତ୍ରଣ ପାଇଁ ଏକ ଲିଟର ପାଣି ପ୍ରତି ୨ ଗ୍ରାମ ପ୍ରୋପିନେବ୍ କିମ୍ବା ପ୍ରତି ୧ ଲିଟର ପାଣିରେ ୩ ଗ୍ରାମ ଜିନେବ୍ ମିଶାଇ ପ୍ରୟୋଗ କରନ୍ତୁ ।

ଗ) ଅଲ୍ଟରନାରିଆ ପତ୍ର ଦାଗ ରୋଗ ଦମନ ପାଇଁ ଆଇପ୍ରୋଡିନ୍ ୨୫% + କାର୍ବେଣ୍ଡ।ଜିମ୍ ୨୫% ଡବ୍ୟୁ. ପି. (କ୍ଵିନ୍ଟାଲ) ୧ ଲିଟର ପାଣି ପ୍ରତି ୨.୫ ଗ୍ରାମ ଲେଖାଏଁ ମିଶାଇ ପତ୍ର ସିଂଚନ କରନ୍ତୁ ।

ଘ) ପାଉଁଶିଆ ରୋଗ ଦେଖାଦେଲେ ହେକ୍ଟର ପ୍ରତି ୧.୫ କି. ଗ୍ରା. ସଲଫର୍ ସେଚିତ ଗୁଣ୍ଡ କିମ୍ବା ପ୍ରତି ୧ ଲିଟର ପାଣିରେ ୨ ଗ୍ରାମ୍ ସଲଫେକ୍ସ ମିଶାଇ ପତ୍ର ସିଂଚନ କରନ୍ତୁ ।

ଏକାଦଶ ପାଠ

ତୃଣ ଦମନ

ସୋରିଷ ଫସଲ ଗଜା ହେବା ପରଠାରୁ ୩ ସପ୍ତାହ ପର୍ଯ୍ୟନ୍ତ ଅନାବନା ଘାସ ସହିତ ପ୍ରବଳ ପ୍ରତିଯୋଗିତାର ସମ୍ମୁଖୀନ ହୋଇଥାଏ । ସୋରିଷ ଫସଲରୁ ଘାସ ନ ବାଛିଲେ ଅମଳ ବହୁ ପରିମାଣରେ କମିଯାଏ ଓ ରୋଗ ପୋକ ଅଧିକ ହୁଏ । ସୁଆଁ, ବଣ ମାଣ୍ଡିଆ, ବଥୁଆ, ବଣ ମେଥି, ପୋକସୁଙ୍ଗା, ଗୟସ, ଅଣ ସୋରିଷିଆ, ବଣ ଲେଉଟିଆ ଓ ମୁଠା ଆଦି ଘାସ ଆମ ରାଜ୍ୟର ସୋରିଷ ଚାଷ ଜମିରେ ଦେଖାଯାଏ । ହାତରେ ଘାସ ବାଛି ଜମିକୁ ପରିଷ୍କାର ରଖିବା ନିହାତି ଦରକାର । ମୁଲିଆ ଅଭାବ ଅଞ୍ଚଳରେ ରାସାୟନିକ ତୃଣକମାରୀ ପ୍ରୟୋଗ କରି ଅଧିକାଂଶ ଘାସକୁ ଗଜା ହେବାର ୩୦ ରୁ ୪୦ ଦିନ ପର୍ଯ୍ୟନ୍ତ ପ୍ରତିହତ କରାଯାଇପାରେ । ସୋରିଷ ବିହନ ବୁଣିବାର ପୂର୍ବ ଦିନ ହେକ୍ଟର ପ୍ରତି ୨ ଲିଟର ଫ୍ଲକ୍ଳୋରାଲିନ କିମ୍ବା ମଞ୍ଜି ବୁଣିବାର ଦୁଇ ଦିନ ମଧ୍ୟରେ ହେକ୍ଟର ପ୍ରତି ୨ ଲିଟର ମେଟୋଲାକ୍ଲୋର କିମ୍ବା ୨.୫ ଲିଟର ପେଣ୍ଡିମେଥାଲିନ୍ କିମ୍ବା ୨ ଲିଟର ଆଲାକ୍ଲୋର ୫୦୦ ଲିଟର ପାଣିରେ ମିଶାଇ ଜମି ଉପରେ ସିଂଚନ କରିବାକୁ ହୁଏ ।

ଦ୍ଵାଦଶ ପାଠ

ସୋରିଷ ଫସଲର ସମନ୍ଵିତ ରୋଗ ପୋକ ପରିଚାଳନାରେ କ’ ଣ କରିବେ ଏବଂ କ’ ଣ କରିବେ ନାହିଁ ।

କ୍ର. ନଂ

କ’ ଣ କରିବେ

କ’ଣ  କରିବେ ନାହିଁ

୧.

ଗହିରା ଚାଷ କରି ମୂର୍ତ୍ତିକା ଜାତ କୀଟ ଓ ପତ୍ର ଖିଆ ଗୋଟିପୋକର ଲାର୍ଭା ତଥା ଘାସଲଟା ଗୁଡିକୁ ବାହ୍ୟ ପରିବେଶରେ ଶୁଖାଇ ଦେବା ।

ଜମିକୁ ହଳ କରିବା ପରେ ସଙ୍ଗେ ସଙ୍ଗେ ଜଳସେଚନ କରିବେ ନାହିଁ ।

 

୨.

କେବଳ ଅନୁମୋଦନ କିସମ ଚାଷ କରିବେ ।

ନିଜ ଅଞ୍ଚଳକୁ ସୁହାଉ ନଥିବା ବା ନିର୍ଦ୍ଧିଷ୍ଟ ଋତୁରେ ହେଉ ନଥିବା କିସମର ଚାଷ କରିବେ ନାହିଁ ।

୩.

ଅକ୍ଟୋବର ୨୦ ତାରିଖ ମଧ୍ୟରେ ବିହନ ବୁଣି ଦେବେ ।

ଡେରିରେ ବୁଣିବେ ନାହିଁ । ଏହା ରୋଗ ପୋକ ବୃଦ୍ଧି କରି ଅମଳ କମାଇବାରେ ସହାୟକ ହେବ ।

୪.

ଗଛ ଠିକ୍ ଭାବରେ ଉଠି ସବଳ ହେବା ପାଇଁ ଧାଡିରେ, ଠିକ୍ ଗଭୀରରେ ଓ ଠିକ୍ ବତର ଥିବା ସମୟରେ ବୁଣନ୍ତୁ ।

ମଞ୍ଜିକୁ ୫ ସେ. ମି. ରୁ ଅଧିକ ଗଭୀରରେ ଓ ଠିକ୍ ବତର ନ ଥିବା ସମୟରେ ବୁଣନ୍ତୁ ନାହିଁ ।

5.

ମୂର୍ତ୍ତିକା ପରୀକ୍ଷାଗାରର ଅନୁମୋଦନ ଅନୁସାରେ ଖତ ସାର ପ୍ରୟୋଗ କରନ୍ତୁ ।

ଅନୁମୋଦିତ ମାତ୍ରା ଠାରୁ କମ୍ ବା ବିଶି ସାର ପ୍ରୟୋଗ କରନ୍ତୁ ନାହିଁ ।

୬.

ଉପକାରୀ ଓ ଅପକାରୀ କୀଟର ମାତ୍ରା, ଆର୍ଥିକ ଦେହଳୀ ସୀମା, ଫସଲ ପରିବେଷ୍ଟନୀର ସର୍ବେକ୍ଷଣ ଅନୁଯାୟୀ ରୋଗ ପୋକ ପରିଚାଳନା ପଦ୍ଧତି ଅନୁସରଣ କରନ୍ତୁ ।

ରାସାୟନିକ କୀଟନାଶକ ବାରମ୍ବାର ବ୍ୟବହାର କରନ୍ତୁ ନାହିଁ ।

୭.

କେବଳ ଅନୁମୋଦିତ କୀଟନାଶକ ଅନୁମୋଦିତ ମାତ୍ରାରେ ପ୍ରୟୋଗ କରନ୍ତୁ ।

ଦୁଇ ବା ତତୋଧିକ କୀଟନାଶକ ମିଶ୍ରଣ କରି ପ୍ରୟୋଗ କରନ୍ତୁ ନାହିଁ ।

୮.

ଅନୁମୋଦିତ କୀଟନାଶକ ଠିକ୍ ପରିମାଣର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

ମନଇଛା କୀଟନାଶକ, ଠିକ୍ ନ ଥିବା ସ୍ପ୍ରେୟରରେ ମିଶାଇ ପ୍ରୟୋଗ କରନ୍ତୁ ନାହିଁ ।

୯ .

ପରିବେଶ ସହାୟକ କୀଟନାଶକ ଏଣ୍ଡୋସଲଫାନ୍ ବ୍ୟବହାର କରନ୍ତୁ ।

ପରାଶ୍ରୟୀ ଓ ପରଜୀବୀ କୀଟ ମାନଙ୍କ ପାଇଁ ବିଷାକ୍ତ କୀଟନାଶକ ବ୍ୟବହାର କରନ୍ତୁ ନାହିଁ ।

୧୦ .

ଶାଗ ପାଇଁ ବ୍ୟବହୃତ ହୋଇଥିବା ସୋରିଷ ଫସଲରେ ମାଲାଥୀୟନ୍ ୫୦ ଇ.ସି. ପ୍ରୟୋଗ କରନ୍ତୁ ଓ ନିହାତି କମରେ ୮ ଦିନ ଅପେକ୍ଷା କରନ୍ତୁ ।

ଶାଗ ପାଇଁ ବ୍ୟବହୃତହେଉଥିବା ସୋରିଷ ଫସଲରେ ମାଲାଥିୟନ ଛଡା ଅନ୍ୟ କୌଣସି କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ ।

 

ତ୍ରୟୋଦଶ ପାଠ

ଫସଲର ଅବସ୍ଥା ଓ କ୍ଷତିକାରକ ରୋଗ ପୋକ ଅନୁଯାୟୀ ସମନ୍ଵିତ ରୋଗପୋକ ପରିଚାଳନା ।

କ୍ର. ନଂ

ଫସଲ ଅବସ୍ଥା/ରୋଗପୋକ

ସମନ୍ଵିତ ରୋଗପୋକ ପରିଚାଳନାର ଅଂଶ

ସମନ୍ଵିତ ରୋଗପୋକ ପରିଚାଳନା

୧.

ବୁଣିବା ପୂର୍ବ ଅବସ୍ଥା

ଚାଷ ପ୍ରଣାଳୀ

୧) ଗହିରା ଚାଷ କରି ମୂର୍ତ୍ତିକାଜାତ କ୍ଷତିକାରକ ରୋଗ ପୋକର ଅଣ୍ଡା ଓ ପ୍ୟୁପାରୁ ବାହ୍ୟ ଜଗତକୁ ନେଇ ଆଣି ମାରିଦେବା ।

୨) ପୂର୍ବ ଫସଲର ମୂଳିକୁ ନଷ୍ଟ କରିଦେବା ।

୩) ଶୀଘ୍ର ବିହନ ବୁଣି ଜଉ ପୋକ ଓ ଅନ୍ୟ ମୁଖ୍ୟ ରୋଗ କମାଇ ଦେବା ।

୨.

ଗଜା ହେବା ଓ ତଳି ଅବସ୍ଥା

  • ଚିତ୍ରିତ ବଗ୍

 

 

 

 

 

  • କରତିଆ ମାଛି
  • ସଁବାଳୁଆ

ଚାଷ ପ୍ରଣାଳୀ

ରାସାୟନିକ ପ୍ରଣାଳୀ

 

 

 

 

 

ରାସାୟନିକ ପ୍ରଣାଳୀ

ଯାନ୍ତ୍ରିକ ପ୍ରଣାଳୀ

ରାସାୟନିକ ପ୍ରଣାଳୀ

 

୧) ୪ର୍ଥ ସପ୍ତାହ ପରେ ଜମିକୁ ଜଳସେଚନ କରି ଚିତ୍ରିତ ବଗର ଆକ୍ରମଣ କମାଇବା ।

୨) ହେକ୍ଟର ପ୍ରତି ଏଣ୍ଡୋସଲଫାନ୍ ୩୫ ଇ. ସି. ୧୦୦୦ ମି.ଲି. କିମ୍ବା କୁଇନାଇଫସ୍ ୨୫ ଇ. ସି. ୧୦୦୦ ମି.ଲି. ୫୦୦ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

୩) ହେକ୍ଟର ପ୍ରତି ୨୫ କି. ଗ୍ରା. ଏଣ୍ଡୋସଲଫାନ୍ ୪% ଗୁଣ୍ଡ ପ୍ରୟୋଗ କରନ୍ତୁ ।

ହେକ୍ଟର ପ୍ରତି ୧୦୦୦ ମି.ଲି. ଏଣ୍ଡୋସଲଫାନ୍ ସିଞ୍ଚନ କରନ୍ତୁ ।

ସପ୍ତାହକୁ ଦୁଇଥର ହାତରେ ଶଁବାଳୁଆ ଧରି ମାରିଦେବା ।

ହେକ୍ଟର ପ୍ରତି ୧୦୦୦ ମି.ଲି. ଏଣ୍ଡୋସଲଫାନ୍ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

୩ .

ଫସଲ ବୃଦ୍ଧି ଅବସ୍ଥା

  • କରତିଆ ମାଛି

 

  • ବନ୍ଧାକୋବି ଗୋଟିପୋକ

 

 

  • ଅଲଟରନାରିଆ ପତ୍ରପୋଡା ରୋଗ
  • ନିମ୍ନମୁଖୀ ପତ୍ରପୋଡା ରୋଗ
  • ଧଳା କଳଙ୍କି ରୋଗ

ରାସାୟନିକ ପ୍ରଣାଳୀ

 

 

ଯାନ୍ତ୍ରିକ ପ୍ରଣାଳୀ

ରାସାୟନିକ ପ୍ରଣାଳୀ

 

ରାସାୟନିକ ପ୍ରଣାଳୀ

 

ହେକ୍ଟର ପ୍ରତି ୧୦୦୦ ମି.ଲି. ଏଣ୍ଡୋସଲଫାନ୍ କିମ୍ବା ୧୦୦୦ ମି.ଲି କୁଇନାଲଫସ୍ ୨୫ ଇ. ସି. କୁ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

ହାତରେ ଗୋଟିପୋକ ଗୁଡିକୁ ସଂଗ୍ରହ କରି ମାରିଦେବା ।

ହେକ୍ଟର ପ୍ରତି ୧୦୦୦ ମି.ଲି. ଏଣ୍ଡୋସଲଫାନ୍ ୫୦୦ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ରୋଗ ଦେଖାଦେଲେ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ମାନକୋଜେବ୍

 

ମିଶାଇ ହେକ୍ଟର ପ୍ରତି ୫୦୦ ଲିଟର ଘୋଳ ପ୍ରୟୋଗ କରନ୍ତୁ ।

 

୪ .

ଫୁଲ ଧାରଣ ଅବସ୍ଥା

  • କରତିଆ ମାଛି

 

  • ସଁବାଳୁଆ
  • ବନ୍ଧାକୋବି  ଗୋଟିପୋକ

 

  • ଅଲଟରନାରିଆ ପତ୍ରପୋଡା ରୋଗ
  • ଧଳା କଳଙ୍କି ରୋଗ
  • ନିମ୍ନମୁଖୀ ପତ୍ରପୋଡା ରୋଗ

 

ରାସାୟନିକ ପ୍ରଣାଳୀ

 

ଯାନ୍ତ୍ରିକ ପ୍ରଣାଳୀ

ରାସାୟନିକ ପ୍ରଣାଳୀ

 

ରାସାୟନିକ ବିଷ ପ୍ରୟୋଗ

ହେକ୍ଟର ପ୍ରତି ୧୦୦୦ ମି.ଲି. ଡାଇମିଥୋଏଟ୍ କିମ୍ବା ଅକ୍ସିଡିମେଟନ୍ ମିଥାଇଲ କିମ୍ବା ଏଣ୍ଡୋସଲଫାନ୍ ୧୦୦୦ ମି.ଲି ମାଲାଥିୟନ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

ହାତରେ ଶଁବାଳୁଆ ଗୁଡିକ ଧରି ମାରି ଦିଅନ୍ତୁ ।

ହେକ୍ଟର ପ୍ରତି ୧୦୦୦ ମି.ଲି. ଏଣ୍ଡୋସଲଫାନ୍ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ମାନକୋଜେବ୍ ୭୫ % ଡ. ବ୍ଲୁ. ପି.

 

ମିଶାଇ ହେକ୍ଟର ପ୍ରତି ୫୦୦ ଲିଟର ଘୋଳ ସିଞ୍ଚନ କରନ୍ତୁ ।

୫ .

 

ଫଳଧାରଣ ଅବସ୍ଥା

  • ଜଉ ପୋକ

 

  • ବନ୍ଧାକୋବି ଗୋଟିପୋକ

 

 

  • ଅଲଟରନାରିଆ ପତ୍ରପୋଡା ରୋଗ

ରାସାୟନିକ ପ୍ରଣାଳୀ

 

 

ଯାନ୍ତ୍ରିକ ପ୍ରଣାଳୀ

ରାସାୟନିକ ପ୍ରଣାଳୀ

 

ରାସାୟନିକ ପ୍ରଣାଳୀ

 

ହେକ୍ଟର ପ୍ରତି ୧୦୦୦ ମି.ଲି. ଡାଇମିଥୋଏଟ୍  କିମ୍ବା ଅକ୍ସିଡିମେଟନ୍ ମିଥାଇଲ କିମ୍ବା  ଏଣ୍ଡୋସଲଫାନ୍ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

ହାତରେ ହାତରେ ଗୋଟିପୋକକୁ ସଂଗ୍ରହ କରି ମାରିଦିଅନ୍ତୁ ।

ହେକ୍ଟର ପ୍ରତି ୧୦୦୦ ମି.ଲି. ଏଣ୍ଡୋସଲଫାନ୍ ୫୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ ।

ମାନକୋଜେବ୍ ୭୫ % ଡ. ବ୍ଲୁ. ପି. ୩ ଗ୍ରାମ ଲେଖାଏଁ ପ୍ରତି ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

 

ଚତୁର୍ଦ୍ଦଶ  ପାଠ

ବିଷାକ୍ତ କୀଟନାଶକ ଦ୍ରବ୍ୟର ନିରାପଦ ଓ ସଠିକ୍ ବ୍ୟବହାର

କ) କିଣିବା ସମୟରେ :

୧) ଥରେ ପକାଇବା ପାଇଁ ଦରକାର ହେଉଥିବା କୀଟନାଶକ ଠିକ୍ ପରିମାଣରେ କିଣନ୍ତୁ ।

୨) ସିଲ୍ ନ ଥିବା ଖୋଲା ବିଷ କିଣନ୍ତୁ ନାହିଁ ।

୩) ଲେବଲ୍ ନ ଥିବା କୀଟନାଶକ କିଣନ୍ତୁ ନାହିଁ ।

ଖ) ସାଇତି ରଖିବା ସମୟରେ

୧) ଘରେ କୀଟନାଶକ ସାଇତି ରଖନ୍ତୁ ନାହିଁ ।

୨) ଠିକ୍ ଭାବରେ ମୁଦ ହୋଇ ରହିଥିବା କୀଟନାଶକ ନିରାପଦ ସ୍ଥାନରେ ସାଇତି ରଖନ୍ତୁ  ।

୩) କୀଟନାଶକୁ ଅନ୍ୟ ଡବାରେ ରଖନ୍ତୁ ନାହିଁ ।

୪) ଖାଦ୍ୟ, ଘାସ କିମ୍ବା ଦାନା ସହ କଦାପି କୀଟନାଶକ ରଖନ୍ତୁ ନାହିଁ ।

୫) ପିଲାମାନଙ୍କ ଠାରୁ ଓ ଗୃହପାଳିତ ପଶୁ ପକ୍ଷୀଙ୍କ ଠାରୁ କୀଟନାଶକକୁ ଦୂରରେ ରଖନ୍ତୁ ।

୬) କୀଟନାଶକକୁ କୌଣସିମତେ ସୂର୍ଯ୍ୟ କିରଣ, ବର୍ଷା ଜଳ ଓ ଦହନଶୀଳ ପଦାର୍ଥ ସଂମ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ ।

୭) ତୃଣନାଶକକୁ କୀଟନାଶକ ସହ ରଖନ୍ତୁ ନାହିଁ ।

ଗ) ନେବା ଆଣିବା ସମୟରେ

୧) ଯାତ୍ରୀବାହି ଗାଡି କିମ୍ବା ଖାଦ୍ୟଶସ୍ୟ ପରିବହନ ହେଉଥିବା ଗାଡିରେ ବିଷାକ୍ତ କୀଟନାଶକ ପରିବହନ କରନ୍ତୁ ନାହିଁ ।

୨) ମୁଣ୍ଡ, ପିଠି କିମ୍ବା କାନ୍ଧରେ କୀଟନାଶକ ଗୁଣ୍ଡ କିମ୍ବା ଦାନା ବସ୍ତା ବୋହି ନିଅନ୍ତୁ ନାହିଁ ।

ଘ) କୀଟନାଶକ ମିଶ୍ରଣ ପ୍ରସ୍ତୁତି ସମୟରେ

୧) ସର୍ବଦା ସ୍ଵଚ୍ଛ ଜଳ ବ୍ୟବହାର କରନ୍ତୁ ।

୨) ସବୁବେଳେ ଆଖି, ନାକ, ପାଟି ଓ କାନକୁ କୀଟନାଶକ ଠାରୁ ଦୂରେଇ ରଖନ୍ତୁ ।

୩) ଖାଲି ହାତରେ କୀଟନାଶକ ଗୋଳାନ୍ତୁ ନାହିଁ ।

୪) ହାତରେ ଗ୍ଲୋବସ୍, ମୁହଁରେ ମୁଖା, ଗୋଡରେ ବୁଟ୍, ମୁଣ୍ଡରେ ଟୋପି, ଦେହରେ ଆପ୍ରନ୍ ପିନ୍ଧି ଘୋଡାଇ ରଖନ୍ତୁ ।

୫) ସିଞ୍ଚନ ପାଇଁ ଘୋଳ ପ୍ରସ୍ତୁତ ପୂର୍ବରୁ ଡବାରେ ଥିବା ଲେବଲଟିକୁ ଭଲଭାବରେ ପଢନ୍ତୁ ।

୬) ମୁଡ ଡବାକୁ କେବେହେଲେ ଦାନ୍ତ ଲଗାଇ ଖୋଲନ୍ତୁ ନାହିଁ, ଛୁରୀ ସାହାଯ୍ୟରେ ଖୋଲନ୍ତୁ ।

୭) ଦରକାର ମୁତାବକ ଘୋଳ ପ୍ରସ୍ତୁତ କରନ୍ତୁ ।

୮) ଦାନାଦାର କୀଟନାଶକକୁ ପାଣିରେ ମିଶାନ୍ତୁ ନାହିଁ ।

୯) ଗାଡ ବିଷକୁ ହାତରେ ଲଗାନ୍ତୁ ନାହିଁ କିମ୍ବା ଶୁଙ୍ଗନ୍ତୁ ନାହିଁ ।

୧୦) ସ୍ପ୍ରେୟରରେ ଢାଳିବା ବେଳେ ଯେପରି କୀଟନାଶକ ଢାଳି ନ ଯିବ,ସେଥିପ୍ରତି ଯତ୍ନବାନ ହୁଅନ୍ତୁ ।

୧୧) ଘୋଳ ପ୍ରସ୍ତୁତ ସମୟରେ ବିଡି, ପାନ, ଧୂଆଁପତ୍ର ଗୁଣ୍ଡ କିମ୍ବା ପାଣି ପିଅନ୍ତୁ ନାହିଁ ।

ଙ)  ଯନ୍ତ୍ରପାତି

୧) ସର୍ବଦା ଠିକ୍ ସ୍ପ୍ରେୟର ବାଛନ୍ତୁ ।

୨) କଣା ଓ ତ୍ରୁଟିପୂର୍ଣ ସ୍ପ୍ରେୟର ବ୍ୟବହାର କରନ୍ତୁ ନାହିଁ ।

୩) ସର୍ବଦା ଠିକ୍ ନୋଜଳ ବ୍ୟବହାର କରନ୍ତୁ ।

୪) କୌଣସି ମତେ ନୋଜଳକୁ ମଇଳା ଛଡାଇବା ପାଇଁ ପାଟିରେ ଫୁଙ୍କନତୁ ନାହିଁ । ମଇଳା ଛଡାଇବା ପାଇଁ ପୁରୁଣା ଦାନ୍ତଘଷା ବ୍ରସ୍ ବ୍ୟବହାର କରନ୍ତୁ ।

୫) ତୃଣନାଶକ ଓ କୀଟନାଶକ ଏକା  ସ୍ପ୍ରେୟରରେ ମିଶାଇ ସ୍ପ୍ରେ କରନ୍ତୁ ନାହିଁ ।

୬) ପ୍ରତିଦିନ କାମ ସରିବା ପରେ ଯନ୍ତ୍ରପାତି ଗୁଡିକ ଭଲଭାବରେ ସଫା କରନ୍ତୁ, ଯେପରି ଜଳାଶୟ ପଦୁଷଣ ହେବ ନାହିଁ ।

୭) କୀଟନାଶକ ପ୍ରୟୋଗ ଯନ୍ତ୍ରପାଟି ଏଣେ ତେଣେ ରଖନ୍ତୁ ନାହିଁ ।

ଚ) କୀଟନାଶକ ପକାଇବା ସମୟରେ

୧) ଅନୁମୋଦିତ ପରିମାଣର ଏବଂ ଠିକ୍ ମାତ୍ରାରେ କୀଟନାଶକ ସ୍ପ୍ରେ କରନ୍ତୁ ।

୨) ଅଧିକ ବେଗରେ ପବନ ବହିବା ସମୟରେ କିମ୍ବା ଟାଣ ଖରା ସମୟରେ କୀଟନାଶକକୁ ପ୍ରୟୋଗ କରନ୍ତୁ ନାହିଁ ।

୩) ବର୍ଷା ଆସିବା ପୂର୍ବରୁ କିମ୍ବା ବର୍ଷା ସମୟରେ କିମ୍ବା ଠିକ୍ ବର୍ଷା ଛାଡିଗଲା ପରେ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ ।

୪) ପବନର ବିପରୀତ ଦିଗରେ କୀଟନାଶକ ପକାନ୍ତୁ ନାହିଁ ।

୫) ବ୍ୟାଟେରୀ ଚାଳିତ ଅଲ୍ଟ୍ରା ଲୋ ଭଲ୍ୟୁମ୍ ସ୍ପ୍ରେୟରରେତରଳ କୀଟନାଶକ ପକାନ୍ତୁ ନାହିଁ ।

୬) ଚର୍ମ ରୋଗରେ ଆକ୍ରାନ୍ତ କିମ୍ବା କ୍ଷତ ଥିବା ସମୟରେ କୀଟନାଶକ ପକାନ୍ତୁ ନାହିଁ ।

୭) ସିଞ୍ଚନ ସାରିବା ପରେ ସାବୁନ ପାଣିରେ ଦେହ ଓ  ସ୍ପ୍ରେୟର ଭଲଭାବରେ ଧୁଅନ୍ତୁ ।

୮)  ସିଞ୍ଚନ ପାଇଁ ବ୍ୟବହୃତ ବାଲଟି ବା ପାତ୍ରକୁ ଘରେଇ କାର୍ଯ୍ୟରେ ବ୍ୟବହାର କରନ୍ତୁ ନାହିଁ ।

୯) ବିଷ ପ୍ରୟୋଗ ଠିକ୍ ପରେ ଗୃହପାଳିତ ପଶୁପକ୍ଷୀଙ୍କୁ  ସେଠାକୁ ଛାଡନ୍ତୁ ନାହିଁ ।

ଛ) ବଳକା କୀଟନାଶକ ଓ ଡବାକୁ ନଷ୍ଟ କରିବା ସମୟରେ

୧) ବଳକା କୀଟନାଶକ ପୋଖରୀ କିମ୍ବା ଜଳାଶୟକୁ ନ ଛାଡି ଚାଷ ଅନୁପୋଯୋଗୀ ଜମିରେ ପୋଡି ଦିଅନ୍ତୁ ।

୨) ଖାଲି ଡବା ଗୁଡିକୁ ପଥରରେ ଛେଚି ଗହୀର ମାଟିରେ ପୋତି ଦିଅନ୍ତୁ ।

୩) ଖାଲି ଡବା ଗୁଡିକୁ ଖାଦ୍ୟ ପଦାର୍ଥ କିମ୍ବା ପାଣି ରଖିବାରେ ବ୍ୟବହାର କରନ୍ତୁ ନାହିଁ ।

ଆଧାର: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଓଡିଶା

3.125
Gadadhar sahoo Oct 29, 2018 03:17 PM

ସୋରିଷ ଫସଲରେ କିପରି ରୋଗ ପୋକ ଦମନ କରାଯାଏ ତାହା ବିକାଶ ପିଡ଼ିଆରୁ ଜାଣିଲି I ଏବେ ଏହାକୁ ମୁଁ ଉପଯୋଗ କରି ଭଲ ଫସଲ ଅମଳ କରି ଲାଭବାନ ହୋଇପାରିବି I

Gadadhar sahoo Oct 29, 2018 03:06 PM

ସୋରିଷ ଫସଲରେ କିପରି ରୋଗ ପୋକ ଦମନ କରାଯାଏ ତାହା ବିକାଶ ପିଡ଼ିଆରୁ ଜାଣିଲି I ଏବେ ଏହାକୁ ମୁଁ ଉପଯୋଗ କରି ଭଲ ଫସଲ ଅମଳ କରି ଲାଭବାନ ହୋଇପାରିବି I

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top