অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନୁମୋଦିତ ପ୍ରଣାଳୀରେ ତଳିଘରା

ଧାନ

ଅନୁମୋଦିତ ପ୍ରଣାଳୀରେ ତଳିଘରା ପ୍ରସ୍ତୁତ କରନ୍ତୁ ।

ତଳି ପ୍ରସ୍ତୁତି

ଏକ ହେକ୍ଟର ଜମି ପାଇଁ ୨୫ ଡେସିମିଲି ଜମିରେ ତଳି ପକାନ୍ତୁ । ତଳି କିଆରିକୁ ଭଲ ଭାବରେ ଚାଷ କରି ସେଥିରେ ୪୦ ଝୁଡ଼ି ଖତ ଦେଇ ୧ ମିଟର ଓସାର ଏବଂ ୧୫ ସେ.ମି. ଉଚ୍ଚ ପଟାଳି କରନ୍ତୁ । ପଟାଳିଗୁଡ଼ିକର ଲମ୍ବା ସୁବିଧା ଅନୁଯାୟୀ କରନ୍ତୁ । ଦୁଇ ପଟାଳି ମଝିରେ ୩୦ ସେ.ମି. ଓସାର ନାଳ ଛାଡିଦେବ । କାରଣ ସେହି ନାଳଦେଇ ବେଶି ବର୍ଷା ହେଲେ ପାଣି ନିଗିଡ଼ିଯିବ ଏବଂ ଯିବା ଆସିବା ମଧ୍ୟ କରିହେବ । ହେକ୍ଟର ପ୍ରତି ୩୦ କି.ଗ୍ରା. ସୁପର ଫସଫେଟ୍ ସାରକୁ ଭଲ ଭାବରେ  ପଟାଳିଗୁଡ଼ିକରେ ମିଶାଇ ସେଥିରେ ୫ ସେ.ମି. ଛଡ଼ାରେ ଧାଡ଼ି ଧାଡ଼ି କରି ବିହନ ବୁଣି ଘୋଡ଼ାଇ ଦିଅନ୍ତୁ । ବର୍ଷା ନ ହେଲେ, ପଟାଳିରେ ପାଣି ସିଞ୍ଚବେ । ବିହନକୁ ଫିମ୍ପିନାଶକରେ ବିଶୋଧନ କରି ପଟାଳିରେ ବୁଣନ୍ତୁ ।

ସଅଳ କିସମର ଧାନ ତଳି ୨୦-୨୨ ଦିନର ଓ ବିଳମ୍ବ କିସମ ଧାନ ତଳି ୨୫-୩୦ ଦିନର ହେଲେ ରୋଇ ଦିଅନ୍ତୁ ।

  • ବୁଣା ଧାନରେ ବେଉଷଣ କାମ ଶୀଘ୍ର ସାରି ଦିଅନ୍ତୁ ଓ ଅନୁମୋଦିତ ସାର ପ୍ରୟୋଗ କରନ୍ତୁ । ଜମିରେ ୫ ସେ.ମି. ପାଣି ଜମିଲେ ଗୋଜି  ଲଙ୍ଗଳ ଦ୍ଵାରା ବେଉଷଣ କରନ୍ତୁ । ଗଛ ସଂଖ୍ୟା ଅଧିକ ଥିଲେ ସଘନ ବେଉଷଣ କରନ୍ତୁ।
  • ଧଣିଚା ବୁଣାଯାଇଥିଲେ ହେକ୍ଟର ପ୍ରତି ୬୦୦ ଗ୍ରାମ୍ ୨,୪-ଡି ସୋଡ଼ିୟମ୍ ସଲ୍‌ଟ ପ୍ରୟୋଗ କରି ଧଣିଚା ମରିଗଲା ପରେ ଜମିରେ ଚାଷ କରି ମାଟିରେ ମିଶାଇ ଦିଅନ୍ତୁ ।
  • ଜୁଲାଇ ମଧ୍ୟଭାଗରୁ ଧାନ ରୋଇବା ଆରମ୍ଭ କରନ୍ତୁ । ଧାନ ରୋଇବା ପାଇଁ ଟ୍ରାକ୍କର ଚାଳିତ ପଡଲର ବ୍ୟବହାର କରନ୍ତୁ ଏବଂ ଟ୍ରାକ୍କର ଚାଳିତ ଧାନ ରୂଆ ଯନ୍ତ୍ର ସାହାଯ୍ୟରେ ଧାନ ରୋଇଲେ ଶ୍ରମଜନିତ ଖର୍ଜ କମାଇ ପାରିବେ ।
  • ସଘନ ଧାନ ଚାଷ (ଶ୍ରୀ ପ୍ରଣାଳୀ) ପାଇଁ ପଲିଥିନରେ ତଳି ଉତାରନ୍ତୁ ।
  • ଆବଶ୍ୟକ ସ୍ଥଳେ ଡ୍ରାମ୍ ସିଡର ବ୍ୟବହାର କରି କାଦୁଆ ଜମିରେ ଧାନ ବୁଣନ୍ତୁ ।

ଡାଲିଜାତୀୟ ଫସଲ

  • ଆଭ୍ୟନ୍ତରୀଣ ଜିଲ୍ଲାରେ ନିଗିଡ଼ା ଜମିରେ ସଅଳ କିସମ ମୁଗ (ଧଉଳି, ଦୁର୍ଗା, କାମଦେବ), ବିରି (ସାରଳା, ପ୍ରସାଦ, ଉଜାଲା), ହରଡ଼ା (ଉପାସ, ଆଶା, ଲକ୍ଷ୍ମୀ), ବରଗୁଡ଼ି (ଉତ୍କଳ ମାଣିକ) ଆଦି ଶୀଘ୍ର ଧାଡ଼ିରେ ବୁଣି ଦିଅନ୍ତୁ ।
  • ବିହନକୁ ଫିମ୍ପିନାଶକ ଔଷଧ ଓ ଜୀବାଣୁ କଲ୍‌ଚର ଉପଚାର କରି ବୁଣନ୍ତୁ । ୧୦ କି.ଗ୍ରା. ମଞ୍ଜି ପ୍ରତି ୨୦୦ ଗ୍ରାମ୍ ହିସାବରେ ଜୀବାଣୁ କଲ୍‌ଚର ଆବଶ୍ୟକ।
  • ଘାସମରା ଔଷଧ ମଞ୍ଜି ବୁଣିବା ପରଦିନ ଜମିରେ ପ୍ରୟୋଗ କରନ୍ତୁ ।
  • ଘାସମର  ଔଷଧ ପ୍ରୟୋଗ କରି ନ ଥିଲେ ବୁଣିବାର ୩ ସପ୍ତାହ ପରେ କୋଡ଼ା ଖୋସା କରି ଘାସ ବାଛି ଦିଅନ୍ତୁ ।

ତୈଳବୀଜ ଜାତୀୟ ଫସଲ

ଚିନାବାଦାମ

  • ମଞ୍ଜିକୁ ଫିମ୍ପିନାଶକ (କ୍ୟାପ୍ଟାନ୍ /ଥିରାମ୍ / ରିଡୋମିଲ୍ ଏମ୍. ଜେଡ଼ା /ମାନ୍‌କୋଜେବ୍ କି.ଗ୍ରା. ପ୍ରତି ୨ ଗ୍ରାମ୍ ହିସାବରେ) ଓ ରାଇଜୋବିୟମ ୧୦ କି.ଗ୍ରା. ମଞ୍ଜି ପ୍ରତି । ୨୦୦ ଗ୍ରାମ୍ ହିସାବରେ ଉପଚାର କରାଇ ପ୍ରଥମ ସପ୍ତାହ ମଧ୍ୟରେ ବୁଣି ଦିଅନ୍ତୁ ।
  • ୩ ସପ୍ତାହର ଫସଲ ହୋଇଥିଲେ କୋଡ଼ାଖୋସା କରି ଘାସ ବାଛି ହେକ୍ଟର ପ୍ରତି ୨୫୦ କି.ଗ୍ରା. ଜିପ୍ରସମ୍ ଦେଇ ଦିଅନ୍ତୁ ।

ସୂର୍ଯ୍ୟମୁଖୀ ଓ ରାଶି

ବିହନକୁ ଫିମ୍ପିନାଶକ (କାର୍ବୋକ୍ସିନ୍ ଥିରାମ୍ / କ୍ୟାପଟାନ/ ଥିରାମ୍/ ରିଡୋମିଲ୍ ଏମ୍.ଜେଡ଼/ମାନ୍‌କୋଜେବ୍ କି.ଗ୍ରା.ପ୍ରତି ୨ ଗ୍ରାମ୍ ହିସାବରେ) ଉପଚାର କରାଇ ଏ ମାସର ମଧ୍ୟଭାଗ ସୁଦ୍ଧା ବୁଣା କାର୍ଯ୍ୟ ଶେଷ କରନ୍ତୁ । ରାଶି ଗଛ ସଂଖ୍ୟା ଅଧିକ ଥିଲେ ଦୁଇ ସପ୍ତାହ ମଧ୍ୟରେ ଆବଶ୍ୟକ ଗଛ ରଖି, ଅନାବଶ୍ୟକ ଗଛ ଉପାଡ଼ି ଦିଅନ୍ତୁ ଏବଂ ୨୦-୨୧ ଦିନରେ କୋଡ଼ାଖୋସା କରି ଘାସ ବାଛି ସାର ପ୍ରୟୋଗ କରନ୍ତୁ ।

ପନିପରିବା

ବାଇଗଣ, ଲଙ୍କାମରିଚ ଫସଲ ତଳି ପକାନ୍ତୁ । ପାଣି ସୁବିଧା ଥବା ଉଚ୍ଚ ନିଗିଡ଼ା ଜମିରେ ତଳି ପ୍ରୟୁତ କରିବେ ।

ତଳି ପ୍ରସ୍ତୁତି

୩ ଫୁଟ, ଚଉଡ଼ା ଓ ୧୦ ଫୁଟ ଲମ୍ବର ପଟି ତିଆରି କରନ୍ତୁ । ଦୁଇ ପଟି ମଧ୍ୟରେ ଯିବା ଆସିବା ପାଇଁ ଜାଗା ଛାଡ଼ନ୍ତୁ । ପଟିର ଚାରିପଟୁ ମାଟି ନେଇ ପଟି ଉପରେ ପକାଇଲେ ତାହା ବିଲଠାରୁ ଉଚ୍ଚ (୬ ଇଞ୍ଚ) ହୋଇଯିବ । ପ୍ରତି ପଟିରେ ୨-୩ ଝୁଡ଼ି ଭଲ ଖତ ଦେଇ ମାଟିରେ ମିଶାନ୍ତୁ । ତା’ପରେ ପ୍ରତି ପଟିରେ ପ୍ରାୟ ୭୫ ଗ୍ରାମ୍ ୟୁରିଆ, ୧୦୦ ଗ୍ରାମ୍ ସିଙ୍ଗଲ ସୁପର ଫସଫୋଟ୍ ଓ ୨୫ ଗ୍ରାମ୍ ମ୍ୟୁରେଟ୍ ଅଫ୍ ପଟାସ୍ ଦେଇ ଭଲ ଭାବରେ ମାଟିରେ ମିଶାଇ ଦିଅନ୍ତୁ । ତଳି ପଟିରେ ମଞ୍ଜି ଗୁଡ଼ିକୁ ଅଧ ଇଞ୍ଚ ଗହୀରରେ ଧାଡ଼ି ଧାଡ଼ି କରି ବୁଣନ୍ତୁ ।

ଏହି ମଞ୍ଜିକୁ ପ୍ରାୟ ଦେଢ଼ ଗ୍ରାମ୍ ଫିମ୍ପିନାଶକରେ (କାର୍ବୋକ୍ସିନ୍ ଥିରାମ୍ / କ୍ୟାପ୍ଟାନ୍ / ଥିରାମ୍ ରିଡୋମିଲ୍ ଏମ୍.ଜେଡ଼ୁ / ମାନ୍‌କୋଜେବ୍ କି.ଗ୍ରା. ପ୍ରତି ୨ ଗ୍ରାମ୍  ହିସାବରେ) ବିଶୋଧନ କରି ବୁଣନ୍ତୁ । ମଞ୍ଜି ବୁଣିବା ପରେ ଛଣା ବା ନଡ଼ା ଦ୍ଵାରା ପତଳା ଭାବେ ଘୋଡ଼ାଇ ତା' ଉପରେ ଅଳ୍ପ ପାଣି ସିଞ୍ଚନ୍ତୁ। ତଳିପଟି ଚାରିପଟେ କ୍ଳୋରୋପାଇରିଫସ୍ ଗୁଣ୍ଡ ପକାଇଲେ ପିମ୍ପୁଡ଼ି ମଞ୍ଜିକୁ ନଷ୍ଟ କରିପାରିବେନି ।

୪ରୁ ୫ ଦିନ ପରେ ମଞ୍ଜି ଗଜା ହେଲେ ନଡ଼ାଗୁଡ଼ିକୁ କାଢ଼ି ଦିଅନ୍ତୁ । ୨୫-୩୦ ଦିନର ତଳି ରୋଇବା ପାଇଁ ଉପଯୁକ୍ତ ହୋଇଥାଏ । ଏକ ଏକର ବାଇଗଣ ଓ ଲଙ୍କାମରିଚ ଚାଷ ପାଇଁ ଉପରୋକ୍ତ ଆକାରର ତଳି ପଟାଳି ଯଥାକ୍ରମେ ୯ଟି ଏବଂ ୧୫ଟି ଆବଶ୍ୟକ ହୋଇଥାଏ । ଅଧିକ ବର୍ଷରୁ ତଳି ଘରାକୁ ରକ୍ଷା କରିବା ଲାଗି ପଲିଥିନ୍ ପଟିରେ ଘୋଡ଼ାଇ ରଖନ୍ତୁ ।

  • ବାଇଗଣ, ମଞ୍ଜି ହେକ୍ଟର ପ୍ରତି ୫୦୦ ଗ୍ରାମ୍ ଏବଂ ଲଙ୍କାମରିଚ ମଞ୍ଜି ହେକ୍ଟର ପ୍ରତି ୯୦୦ ଗ୍ରାମ୍ ଆବଶ୍ୟକ ।
  • ବାଇଗଣର ଉନ୍ନତ କିସମଗୁଡ଼ିକ ହେଲା - ମୁକ୍ତକେଶୀ, ଲଙ୍ଗ୍, ପୁଷା କ୍ରାନ୍ତି, ଉତ୍କଳ ମାଧୁରୀ, ଉତ୍କଳ ତାରିଣୀ, ବୃଷ୍ଟାର୍, ଗ୍ରାନ୍ ଷ୍ଟାର୍ ।
  • ସଙ୍କର ଜାତୀୟ କିସମ ହିସାବରେ ସୁଫଳା, ଲଙ୍ଗ-୧୩, ଗ୍ରାନ୍ଲଙ୍ଗ, ବ୍ଲାକ୍ ରାଉଣ୍ଟ, ସୁରୁଚି, ଭୀମ, ପ୍ରାତମ୍, ଏମ୍. ଏଚ୍.ବି. -୧ ଆଦି ଚାଷ କଲେ ଭଲ ଅମଳ ମିଳିପାରିବ । କଞ୍ଚାଲଙ୍କା ପାଇଁ ଉପଯୁକ୍ତ କିସମ- ଉତ୍କଳ ଆଭା, ଉତ୍କଳ ରାଗିଣୀ, ସୂର୍ଯ୍ୟମୁଖୀ, ପନ୍ଥ ସି-୧ । ଶୁଖିଲା ଲଙ୍କା ପାଇଁ ଉପଯୁକ୍ତ କିସମ – ପୁଷାଜ୍ଵାଳା, ଉତ୍କଳ ରଶ୍ମି, ପୁଷା ସଦା ବାହାର, ସିନ୍ଦୁର, ଲାମ୍ ଏ – ୨୩୫ ।
  • କଖାରୁ, ଜହ୍ନି, କାକୁଡ଼ି, କଲରା, ଛଚିନ୍ଦ୍ରା ଆଦି ଲଗା ସରିଥିଲେ କୋଡ଼ାଖୁସା କରି ସାର ଦେଇ ହୁଡ଼ା ଟେକନ୍ତୁ ରଞ୍ଜା ଦିଅନ୍ତୁ।
  • ଭେଣ୍ଡି ଫସଲ କୋଡ଼ାଖୁସା କରି ସାର ଦେଇ ହୁଡ଼ା ଟେକନ୍ତୁ ।
  • ପନିପରିବା ଫସଲରେ ବର୍ଷାଜଳକୁ ଠିକ୍ ଭାବରେ ନିଷ୍କାସନ କରନ୍ତୁ ।

ଫଳ ଚାଷ

  • ଆମ୍ବ, ନଡ଼ିଆ, ପିଜୁଳି, ସୋପଟା, ଲିବୁ, ପଣସ, ସଜନା, ଅମୃତଭଣ୍ଡା,କମଳା, ଲେମ୍ବ ଆଦିର ଉନ୍ନତ ବା ସଙ୍କର କିସମ ଗଛ କିମ୍ବା କଲମୀ ଗଛ ଆଣି ଅନୁମୋଦିତ ପ୍ରଣାଳୀରେ ରୋପଣ କରନ୍ତୁ ।
  • ଫଳ ବଗିଚାରୁ ଘାସ ଓ ଅନାବନା ଗଛ ନଷ୍ଟ କରି ସଫାସୁତୁରା ରଖନ୍ତୁ ।

ଗୋପାଳନ

  • ଗୁହାଳର ଭିତର ଓ ବାହାର ପରିଷ୍କାର ରଖନ୍ତୁ ।
  • ଫାଟୁଆ, ପିହା ଜ୍ଵର, ବଜବଜିଆ, ସାହାଣ ଆଦି ରୋଗ ନ ହେବା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେଇ ଟିକା ଦିଅନ୍ତୁ।
  • ଗୋରୁଙ୍କର ଝାଡ଼ା ପରୀକ୍ଷା କରି କୃମି ଔଷଧ ଦିଅନ୍ତୁ ।

ଆଧାର - କୃଷି ବୈଷୟିକ ସୁଚନା କେନ୍ଦ୍ର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି, ଭୁବନେଶ୍ଵର

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate