ହୋମ / କୃଷି / ଉତ୍ତମ ଅଭ୍ୟାସ / ଜୈବିକ ଚାଷ ପାଇଁ ଜିଆଖତ
ସେଆର କରନ୍ତୁ

ଜୈବିକ ଚାଷ ପାଇଁ ଜିଆଖତ

ଜୈବିକ ଚାଷ ପାଇଁ ଜିଆଖତ କିପରି କରିବେ ସେ ସମ୍ବନ୍ଧିତ ତଥ୍ୟ ।

ଜୈବିକ ଚାଷ

ଆମ ରାଜ୍ୟର ମୁଖ୍ୟ ଫସଲ ଧାନ ହୋଇଥିଲେ ମଧ୍ୟ ପରିବା ଓ ଅନ୍ୟାନ୍ୟ ଉଦ୍ୟାନ କୃଷିଭିତ୍ତିକ ଚାଷକୁ ଲୋକେ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚାଷରୁ ଅଧିକ ଅମଳ ଆଶାରେ ଚାଷୀମାନେ ସଙ୍କର କିସମ ବିହନ ବ୍ୟବହାର ସାଙ୍ଗକୁ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ଏହି ରାସାୟନିକ ସାର ଓ କୀଟନାଶକ କେତେ ପରିମାଣରେ କେଉଁ ସମୟରେ ପ୍ରୟୋଗ କରାଯିବ, ସେଥିପ୍ରତି ସେମାନେ ଯତ୍ନବାନ ହେଉନାହାନ୍ତି। ଫଳରେ ଧୀରେ ଧୀରେ ଜମିର ଉର୍ବରତା ହ୍ରାସ ପାଉଛି। ରାସାୟନିକ ସାରର ନିରନ୍ତର ପ୍ରୟୋଗ ଯୋଗୁଁ ମାଟିର ଅଙ୍ଗାରତତ୍ତ୍ୱର ପରିମାଣ କମ୍ ହେବାରେ ଲାଗିଛି। ଏହାଛଡ଼ା ବାରମ୍ବାର କୀଟନାଶକ ପ୍ରୟୋଗ କରିବା ଯୋଗୁଁ କୀଟଙ୍କର ପ୍ରତିରୋଧକ କ୍ଷମତା ବଢ଼ିବା ସହ ଅନାବନା ଘାସ ଓ ବାଳୁଙ୍ଗା ନିୟନ୍ତ୍ରଣ ମଧ୍ୟ କଷ୍ଟସାଧ୍ୟ ହେଉଛି।

ଏହି ସବୁ ସମସ୍ୟାର ସମାଧାନ ପାଇଁ ଆଜିକାଲି ସଚେତନ ଚାଷୀ ଜୈବିକ କୃଷିକୁ ଆପଣେଇଲେଣି। ରସାୟନିକ ସାର ଓ କୀଟନାଶକ ପ୍ରୟୋଗମୁକ୍ତ ପାରମ୍ପରିକ ଚାଷକୁ ଜୈବିକ ଚାଷ କୁହାଯାଇପାରେ। ତେବେ ଏହି ପ୍ରଣାଳୀରେ ଜମିର ଉର୍ବରତା ବୃଦ୍ଧି ଓ ଅଧିକ ଅମଳ ପାଇଁ ବୈଜ୍ଞାନିକ ପ୍ରଣାଳୀରେ ଜୈବିକ ଖତ, ସାର ଓ କୀଟନାଶକ ଆଦି ପ୍ରୟୋଗ ପ୍ରତି ଚାଷୀଙ୍କ ଆଦର ବଢ଼ୁଥିବାର ଲକ୍ଷ୍ୟ କରାଯାଉଛି। ଜୈବିକ କୃଷି ମାଧ୍ୟମରେ ଉତ୍ପାଦିତ ଫସଲ ସ୍ୱାସ୍ଥ୍ୟପ୍ରତି ହିତକାରକ ହୋଇଥିବାରୁ ତାହାର ଚାହିଦା ଦିନକୁଦିନ ବଢ଼ିବାରେ ଲାଗିଛି।

ଜୈବିକ କୃଷିର ମୁଖ୍ୟ ବିଶେଷତ୍ୱ-

  • ଫସଲରୁ ଯଥେଷ୍ଟ ଅଧିକ ଅମଳ ମିଳିଥାଏ।
  • ସାର ଓ କୀଟନାଶକ ବାବଦ ଖର୍ଚ୍ଚ ହ୍ରାସ ପାଇଥାଏ।
  • ଫସଲରେ ରୋଗପୋକ ସଂକ୍ରମଣ କମ୍ ଦେଖାଯାଏ।
  • ଜମିର ଉର୍ବରତା ଅତୁଟ ରହେ।
  • ଉତ୍ପାଦିତ ଖାଦ୍ୟ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟପ୍ରଦ।
  • ଜମିରେ ଅଣୁଜୀବ ସଂଖ୍ୟା ବଢ଼ିଥାଏ।

ଜିଆଖତ

ଜିଆଖତ ତିଆରିବା ପୂର୍ବରୁ ଜିଆଙ୍କ ଖାଦ୍ୟ ଯୋଗାଡ଼ କରିବାକୁ ପଡ଼ିବ। ଗାଈ, ଛେଳି, ମେଣ୍ଢା, ମଇଁଷି, ଘୁଷୁରି, କୁକୁଡ଼ା ଆଦିର ମଳ, ଘାସ, ଛୋଟ ଛୋଟ କରି କଟାଯାଇଥିବା ନଡ଼ା ଓ ଡାଳପତ୍ର, ପନିପରିବା ଚୋପା, ଖତ ଇତ୍ୟାଦି ମହଜୁଦ ରଖି ଜିଆ ଖତ ପାଇଁ କୁଣ୍ଡ ପ୍ରସ୍ତୁତ କରିବାକୁ ହୁଏ। ସେହି କୁଣ୍ଡ ଗଛ ଛାଇ କିମ୍ବା ନଡ଼ା ଛପର ତଳେ ରହିବା ଜରୁରୀ। ଯେପରି ସେଠାରେ ସିଧା ସଳଖ ସୂର୍ଯ୍ୟକିରଣ ପଡ଼ୁନଥିବ ଓ ଅଳ୍ପ ଅନ୍ଧାରୁଆ ହୋଇଥିବ। ଏଥିପାଇଁ ଟିକିଏ ଉଚ୍ଚ ଜାଗା ବାଛିବାକୁ ପଡ଼ିଥାଏ, ଯେଉଁଠି ବର୍ଷା ଦିନେ ପାଣି ଜମିବାର ସମ୍ଭାବନା ନଥିବ। ସାଧାରଣତଃ ୨ଟି ପ୍ରଣାଳୀରେ ଜିଆଖତ ପ୍ରସ୍ତୁତ କରାଯାଇଥାଏ। ଯଥା – ଶଯ୍ୟା ପଦ୍ଧତି ବା Bed Method ଓ ଅନ୍ୟଟି ହେଲା କୁଣ୍ଡ ପଦ୍ଧତି ବା Pit Method। ଶଯ୍ୟା ପଦ୍ଧତିରେ ଜିଆଖତ ପ୍ରସ୍ତୁତି ପାଇଁ ୧୦ ଫୁଟ ଲମ୍ବ ଏବଂ ୪ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଶଯ୍ୟାକୁ ମାଟିରୁ ୨ ଫୁଟ ଉଚ୍ଚରେ ତିଆରି କରାଯାଏ। କୁଣ୍ଡ ପଦ୍ଧତି ପାଇଁ ୧୦ ଫୁଟ ଲମ୍ବା ଏବଂ ୨.୫ ଫୁଟ ରୁ ୨ ମିଟର ଚଉଡ଼ା ଓ ୧ ମିଟର ଉଚ୍ଚର କୁଣ୍ଡ ତିଆରି କରିବାକୁ ପଡ଼ିଥାଏ। ଏହା ସହ କୁଣ୍ଡର ଚାରିପଟେ ୩ ଇଞ୍ଚ ଓସାରର ଏକ ନାଳୀ କରି ସେଥିରେ ସବୁବେଳେ ପାଣି ଭର୍ତ୍ତି କରି ରଖାଯାଏ। ଫଳରେ ପିମ୍ପୁଡ଼ି ଓ ଅନ୍ୟାନ୍ୟ ପୋକ କୁଣ୍ଡ ଭିତରକୁ ପ୍ରବେଶ କରିପାରିବେନି। ଏହାପରେ କୁଣ୍ଡରେ ପ୍ରଥମେ ସହଜରେ ପଚିଯାଇପାରୁଥିବା ସମସ୍ତ ଜୈବିକ ପଦାର୍ଥକୁ ଭରିବାକୁ ହୁଏ। ପ୍ରଥମେ ଶୁଖିଲା ନଡ଼ା, ପାଳ, ଘାସ, କିମ୍ବା ନଡ଼ିଆ କତା ଦେଇ ୨– ୩ ଇଞ୍ଚ ଉଚ୍ଚରେ ଭର୍ତ୍ତି କରାଯାଏ। ଏହାପରେ ଦ୍ୱିତୀୟ ସ୍ତରରେ ଦରସଢ଼ା ଗୋବର ଖତ ବା ଚଲା ହୋଇନଥିବା ଜିଆଖତ ୩-୪ ଇଞ୍ଚ ବହଳର ଦେବାକୁ ହୁଏ। ତୃତୀୟ ସ୍ତରରେ ମିଳୁଥିବା ଜୈବିକ ପଦାର୍ଥକୁ ଗୋବର ସହିତ ମିଶାଇ ସ୍ତର ସ୍ତର କରି ପକାଇ କୁଣ୍ଡଟିକୁ ଭର୍ତ୍ତି କରାଯାଏ। ମନେରଖିବେ ଖତକୁ ଆର୍ଦ୍ର ରଖିବା ପାଇଁ ପାଣି ସିଞ୍ଚନ କରିବା ନିହାତି ଆବଶ୍ୟକ। କୁଣ୍ଡରେ ଥିବା ଖତ ଦରସଢ଼ା ହେବା ପାଇଁ ପ୍ରତି ୩-୪ ଦିନ ଅନ୍ତରରେ ଖତକୁ ଓଲଟ ପାଲଟ କରିବାକୁ ହୁଏ। ଏହା ଦ୍ୱାରା କୁଣ୍ଡର ତାପମାତ୍ରା କମିଯାଇଥାଏ। ୨୫–୩୦ ଦିନ ଭିତରେ ପ୍ରାୟତଃ ଜୈବିକ ପଦାର୍ଥ ପଚିଯାଏ ଓ ତାହା ଜିଆଙ୍କ ଖାଦ୍ୟ ପାଇଁ ଉପଯୋଗୀ ହୋଇଥାଏ। ଏହାପରେ ଖତରେ ହାତ ମାରିଲେ ଯଦି ହାତକୁ ଗରମ ଲାଗେ ତେବେ ଖତରେ ପାଣି ଛିଞ୍ଚି ଓଲଟ ପାଲଟ କରି ଥଣ୍ଡା କରିବା ପରେ ସେଥିରେ ଜିଆ ଛାଡ଼ାଯାଇଥାଏ। ତା’ଉପରେ ଅଖା ଘୋଡ଼ାଇ ପାଣି ଛିଞ୍ଚିବାକୁ ପଡ଼ିଥାଏ। ଜିଆଖତ ପ୍ରସ୍ତୁତ ପାଇଁ ବ୍ୟବହୃତ ଜୈବିକ ପଦାର୍ଥର ସଢ଼ିବା ଗୁଣ ଅନୁଯାୟୀ ୪୫-୬୦ ଦିନରେ ଜିଆ ଖତ ପ୍ରସ୍ତୁତ ହୋଇଥାଏ।

ପ୍ରସ୍ତୁତ ଜିଆଖତର ଲକ୍ଷଣ

  • ଗାଢ଼ ବାଦାମୀ ରଙ୍ଗର ଚା’ପତି ଭଳି ଖତ ଉପରସ୍ତରରେ ଦେଖିବାକୁ ମିଳେ।
  • ପ୍ରସ୍ତୁତ ଖତକୁ ଶୁଙ୍ଘିଲେ କୌଣସି ଗନ୍ଧ ବାହାରେ ନାହିଁ।
  • ଏହି ସମୟରେ ଜିଆ ସବୁ ଆସି ଅଖାରେ ଲାଗିବାର ଦେଖାଯାଏ।

ଉକ୍ତ ଲକ୍ଷଣମାନ ଦେଖାଗଲେ ଜିଆଖତ ସଂଗ୍ରହ ସମୟ ହେଲା ବୋଲି ଜାଣିବେ। ଏହି ସମୟରେ ୩-୪ ଦିନ କୁଣ୍ଡରେ ପାଣି ଦେବା ବନ୍ଦ କରିଦେଲେ ଜିଆଗୁଡ଼ିକ ଆପେଆପେ ତଳକୁ ଚାଲିଯିବେ ଓ ଜିଆଖତ ସୁବିଧାରେ ସଂଗ୍ରହ ହୋଇପାରିବ।

ଜିଆଖତ ପ୍ରସ୍ତୁତିରେ କେତେକ ସାବଧାନତା

  • ଜିଆମାନେ ଅଧିକ ଆଲୁଅକୁ ଭଲ ପାଉନଥିବାରୁ ନଡ଼ା ବା ତାଳ ପତ୍ର ବ୍ୟବହାର କରି ଛାତ ତିଆରି କରିବାକୁ ପଡ଼ିଥାଏ।
  • ଜିଆମାନେ ଅଧିକ ଆର୍ଦ୍ରତା ଅବଶ୍ୟକ କରୁଥିବା ହେତୁ ନିୟମିତ ପାଣି ଛିଞ୍ଚିବ ଆବଶ୍ୟକ।
  • ପିମ୍ପୁଡ଼ି ହେଉଛନ୍ତି ଜିଆର ଶତ୍ରୁ। ତେଣୁ କୁଣ୍ଡର ଚାରି ପାଖେ ଥିବା ନାଳିରେ ସର୍ବଦା ପାଣି ଭର୍ତ୍ତି କରି ରଖିବା ଆବଶ୍ୟକ। ଏହା ଛଡା ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ ଏବଂ ନିମ୍ବପତ୍ର ବଟା ବ୍ୟବହାର କରି ପିମ୍ପୁଡ଼ିଙ୍କ ଠାରୁ ସେମାନଙ୍କୁ ରକ୍ଷା କରିବାକୁ ହେବ।
  • ଗଦା ବା କୁଣ୍ଡ ଘୋଡ଼ାଇବା ପାଇଁ ପଲିଥିନ ବ୍ୟବହାର କରିବା ଅନୁଚିତ।
  • ଜିଆ କୁଣ୍ଡରୁ ଅତିରିକ୍ତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ରହିବା ଜରୁରୀ।

ଜିଆଖତ ପ୍ରସ୍ତୁତି ପାଇଁ ସରକାରୀସ୍ତରରେ ମିଳୁଥିବା ରିହାତି ସୁବିଧା ଜିଆଖତ ପ୍ରସ୍ତୁତି ପାଇଁ ଚାଷୀମାନଙ୍କୁ ସରକାରୀ ରିହାତି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ୧୦୦୦ ବର୍ଗ ମିଟରର ଏକ ୟୁନିଟ ସ୍ଥାପନ କରି ଜଣେ ଚାଷୀ ବର୍ଷକୁ ୨୫ ଟନ୍ ଖତ ଉତ୍ପାଦନ କରିପାରିବେ। ୟୁନିଟ୍ ପିଛା ୬୦ ହଜାର ଟଙ୍କା ବ୍ୟୟ ଅଟକଳ କରିବାକୁ ପଡ଼ୁଥିବା ବେଳେ ସରକାରୀ ସୁବିଧାରେ ୫୦ ପ୍ରତିଶତ ବା ୩୦ ହଜାର ଟଙ୍କାର ରିହାତି ସୁବିଧା ରହିଛି। ଏଥିପାଇଁ ସହକାରୀ କୃଷି ଅଧିକାରୀ କିମ୍ବା ବ୍ଲକ ସ୍ତରରେ ସହାକରୀ କୃଷି ନିର୍ଦ୍ଧେଶକଙ୍କ ସହ ଯୋଗାଯୋଗ କରି ୟୁନିଟ୍ ପାଇଁ ଚାଷୀ ରିହାତି ପାଇପାରିବେ।

ଚାଷୀଙ୍କ ପାଇଁ କିଛି ଜାଣିବା କଥା

  • କୃଷକ ନିଜ ଜମିରେ କୁଟା, ଘାସ, ପତ୍ର ଆଦିକୁ ନଜଳାଇ ସେସବୁକୁ ଏକାଠି କରି କମ୍ପୋଷ୍ଟ ଖତ ତିଆରି କରନ୍ତୁ।
  • ନିଜ ଜୈବିକ ଜମିର ଚାରିପଟେ ବନ୍ଧ ତିଆରି କରନ୍ତୁ ଯେପରି ପାଖରେ ଥିବା ଅଜୈବିକ ଜମିର ପାଣି ନିଜ କ୍ଷେତକୁ ସଂକ୍ରମିତ ନକରି ପାରିବ।
  • ଜୈବିକ ଜମିରେ ନିଜ ଜମିରୁ ଆସିଥିବା ଜୈବିକ ବୀଜକୁ ଉପଯୋଗ କରନ୍ତୁ ବା ଜୈବିକ ବୀଜ ନିଜେ କିଣନ୍ତୁ। ଯଦି ଅଜୈବିକ ମଞ୍ଜି ବଜାରରୁ କିଣିଛନ୍ତି ତେବେ ଏହାକୁ ବୁଣିବା ପୂର୍ବରୁ ବୀଜାମୃତରେ ଉପଚାରୀତ କରି ବୁଣନ୍ତୁ।
  • ନିଜ ଜମିରେ ପ୍ଲାଷ୍ଟିକ ଥଳି ପକାନ୍ତୁ ନାହିଁ ଓ ଯଥା ସମ୍ଭବ ବ୍ୟବହାରକୁ ଏଡ଼ାଇଯାନ୍ତୁ।
  • ଜୈବିକ କୃଷିରେ ଉପଯୋଗ କରାଯାଉଥିବା ସମସ୍ତ ଯନ୍ତ୍ରପାତିକୁ ପୂର୍ବରୁ ଭଲଭାବରେ ଧୋଇ ବ୍ୟବହାର କରନ୍ତୁ, ଯେପରିକି ଲଙ୍ଗଳ, ଫାଉଡ଼ା, ଖୁରପି, ସ୍ପ୍ରୀଙ୍କଲର, ଟ୍ରାକ୍ଟର ଇତ୍ୟାଦି ସଂକ୍ରମଣ ମୁକ୍ତ ହୋଇପାରିବ।
  • ଜୈବିକ ଜମିରେ ବର୍ଜିତ ରାସାୟନିକ ଏବଂ ଅଣରାସାୟନିକ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ।
  • ଜୈବିକ ଉତ୍ପାଦର ପ୍ୟାକିଙ୍ଗ୍ ଏବଂ ପରିବହନ ରାସାୟନିକ ସାରର ବ୍ୟାଗରେ କରନ୍ତୁ ନାହିଁ।
  • କୃଷକ ନିଜ ଜମିରେ ମଳ ମୂତ୍ର ତ୍ୟାଗ ଆଦୌ କରନ୍ତୁ ନାହିଁ।

ଆଧାର -ସଂକଳ୍ପ ଓଡ଼ିଶା

2.97727272727
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top