অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପନିପରିବା ଚାରା ଉତ୍ପାଦନ

ମୁଖ୍ୟତଃ ପନିପରିବା ଚାଷ ପାଇଁ ଆବଶ୍ୟକୀୟ ଚାରାକୁ ତଳିପଟିରେ ଉତ୍ପାଦନ କରି ତା'କୁ ନେଇ ଜମିରେ ଲଗାଯାଇଥାଏ । ଭଲ ଫସଲ ବା ଭଲ ଅମଳ ପାଇଁ ସୁସ୍ଥ ଏବଂ ଉନ୍ନତ ଗୁଣବତ୍ତାର ଚାରା ଦରକାର । ଚାରା ଦୁର୍ବଳ ବା ରୋଗିଣା ହେଲେ ପରବର୍ତ୍ତୀ ଅବସ୍ଥାରେ ଗଛ ରୁଗଣ ହୋଇଥାଏ ଏବଂ ଭଲ ଅମଳ ଦିଏନାହିଁ ।

ଚାରା ଉତ୍ପାଦନ ପାଇଁ ସ୍ଥାନ ନିରୂପଣ

ତଳିପେରା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ତଳିପଟି ପାଇଁ ଦୋରସା ମାଟି ସବୁଠାରୁ ଭଲ । ମାଟି ଅଧିକ ବାଲିଆ ହୋଇଥିଲେ, ସେଥିରେ ଅଧିକ ଶଢ଼ା ଗୋବର ଖତ ମିଶେଇବାକୁ ପଡ଼େ । ମାଟି ଅଧିକ ଚିକିଟା ହୋଇଥିଲେ ସେଥିରେ କିଛି ବାଲିଆମାଟି  ମିଶେଇବା ଆବଶ୍ୟକ । ପଥୁରିଆ ଏବଂ ନିରସା ମାଟିରେ ତଳି ଭଲ ବଢ଼େ ନାହିଁ । ତଳି ପଟି ପାଇଁ ଟିକିଏ ଉଚ୍ଚା ତଥା ନିଗିଡ଼ା ଜମି ଭଲ ଏବଂ ସେହି ସ୍ଥାନରେ ଜଳସେଚନର ସୁବିଧା ଥିବା ନିତାନ୍ତ ଆବଶ୍ୟକ । କଥାରେ ଅଛି ‘ମଞ୍ଜି ଗୁଣେ ଗଛ, ଗଛକୁ ନେଇ ଫଳ' । ଉତ୍ତମ ଗୁଣବତ୍ତାର ବିହନ ବ୍ୟବହାର କଲେ ଅଧିକ ଅମଳ ମିଳେ ।

ତଳି ପଟି ପ୍ରସ୍ତୁତି

ତଳି ପଟି ପ୍ରସ୍ତୁତି ପାଇଁ ମାଟିକୁ ଭଲ କରି ଖୋସାଇ, ଗୁଣ୍ଡ କରି  ସେଥିରୁ ଗୋଡ଼ି, ପଥର, କାଠି କୁଟା, ଘାସ ବାହାର କରିଦେବା ଆବଶ୍ୟକ । ଜମି ପତ୍ତନ ଠାରୁ ତଳିପଟିର ଉଚ୍ଚତା ୬ ରୁ ୧୦ ଇଞ୍ଚ ଅଧିକା  ହେବା ଆବଶ୍ୟକ । ଗୋଟିଏ ତଳିପଟିର ଆକାର ଚଉଡ଼ାରେ ୩ ଫୁଟ୍ ଏବଂ ଲମ୍ବାରେ ୧୦ଫୁଟ୍ ହେଲେ ସେଥିରୁ ଘାସ ବାଛ ବା, ପାଣା ଦେବା ଇତ୍ୟାଦି କାମ ସହଜ ହୋଇଥାଏ  । ତଳି ପଟି ପ୍ରସ୍ତୁତି ସମୟରେ ପ୍ରତି ୩୦ ବର୍ଗଫୁଟ୍ (୧୦ଫୁଟ୍ ଓ ୩ଫୁଟ୍)ର ତଳିପଟିରେ ପ୍ରାୟ ୨୦କି.ଗ୍ରା (ଦୁଇ ଝୁଡ଼ି) ଶଢ଼ା ଗୋବର ଖଡ, ୟୁରିଆ। ୩୫ ଗ୍ରାମ୍, ସିଙ୍ଗଲ୍ ସୁପର୍ ଫସପେଟ୍ ୧୦୦ଗ୍ରାମ୍ ଏବଂ ମୁୟରେଟ୍ ଅଫ୍ ପଟାସ ୨୫ ଗ୍ରାମ୍ ଭଲ ଭାବେ ମାଟି ସହ ମିଶାଇବା ଆବଶ୍ୟକ ।

ବିହନ ବିଶୋଧନ

ବିହନକୁ ବିଶୋଧକ ଔଷଧ ଦ୍ଵାରା ବିଶୋଧନ କରିବା ଆବଶ୍ୟକ ଯଦ୍ଵାରା ମାଟିରେ ଥିବା ରୋଗ ଜୀବାଣୁ ହଠାତ୍ ମଞ୍ଜିକୁ କିମ୍ବା ଶିଶୁ ଗଛକୁ ଆକ୍ରମଣ କରିପାରନ୍ତି ନାହିଁ । ପ୍ରତ୍ୟେକ ୧ କି.ଗ୍ରା ବିହନ ସହିତ, ୨ ଗ୍ରାମ୍ ବାଭିଷ୍ଟିନ୍ କିମ୍ବା ୩ ଗ୍ରାମ୍ କ୍ୟାପଟାନ୍‌କୁ ଗୋଟିଏ ଟିଣ ଡବାରେ ଭର୍ତ୍ତି କରି ମୁହଁକୁ ବନ୍ଦ କରି ଭଲଭାବରେ ହଲାଇଦେଲେ ତାହା ମଞ୍ଜି ସହିତ ଗୋଳେଇ ହୋଇ ମିଶିଯାଏ ।

ବିହନ ବୁଣା

ତଳିପଟିକୁ ସମତୁଲ କରିସାରିବା ପରେ ଗୋଟିଏ କାଠିରେ ଚଉଡ଼ା ପଟେ ୬ ଇଞ୍ଚ ଅନ୍ତରରେ ସିଧା ସିଧା ଗାର ଟାଣିବା ଦରକାର । ଗାର ଟାଣିଲା ବେଳେ ଏହାର ଗଭୀରତା କେତେ ହେବ  ତାହା ମଞ୍ଜିର ଆକାର ଅନୁସାରେ ସ୍ଥିର କରିବା ଉଚିତ୍ ।

ଯଥା :- ବଡ଼ ଆକାରର ମଞ୍ଜି (ବାଇଗଣ, ଟମାଟୋ, ଲଙ୍କା ଇତ୍ୟାଦି ) ପାଇଁ ଟିକିଏ ଅଧିକ (ପ୍ରାୟ ୨.୫ ସେ.ମି.) ଗଭୀର ଏବଂ କୋବି, ପିଆଜ ପରି ଛୋଟ ମଞ୍ଜି ପାଇଁ (ପ୍ରାୟ ୨ ସେ.ମି.) ଗଭୀରର ଗାର ଟାଣିବାକୁ ପଡ଼ିବ । ତଳିପଟିରେ ପିମ୍ପୁଡ଼ି କିମ୍ବା ଜନ୍ଦା ନ ଲାଗିବା ପାଇଁ ଏହାର ଚାରିପଟେ ଧାରରେ ମାଲାଅନ୍ କିମ୍ବା କେତ୍କାର ପାଇରଫସ୍ ଗୁଣ୍ଡ ବୁଣିଦେବା ଆବଶ୍ୟକ ।

ବିହନ ବୁଣିସାରିବା ପରେ ତଳିପଟି ଉପରେ ଶୁଖିଲା ନଡ଼ାକୁ ପତଳା ଭାବରେ ବିଛାଇଦେଲେ / ଘୋଡ଼ାଇଦେଲେ ମଞ୍ଜି ଉଷୁମ୍ ପାଇବା ସହ ମାଟିର ବତର ଠିକ୍ ରହିବ ।

ପରବର୍ତ୍ତୀ ଯତ୍ନ

ମଞ୍ଜି ଗଜା ହେବାର ୮-୧୦ ଦିନ ପରେ ଧାଡ଼ି ମଝିର ମାଟିକୁ ଖୁର୍ପି ସାହାଯ୍ୟରେ ଟିକେ ଖୋସାଇ ଘାସ ବାଛି ଦେବା ଆବଶ୍ୟକ । ଚାରା ଗଛ ୧୨ ଦିନର ହେଲେ ଝାଉଁଳା ରୋଗ ପ୍ରତିରୋଧ ପାଇଁ ପ୍ରତି ୧ ଲିଟର ପାଣିରେ ୩ ଗ୍ରାମ୍ ହିସାବରେ କ୍ୟାପଟାନ୍ ଗୋଳାଇ ଗଛ ମୂଳକୁ ଓଦା କରିଦେବା ଉଚିତ୍ । ବାଇଗଣ ତଳି ୨୫ ରୁ ୩୦ ଦିନରେ ଲଙ୍କା ତଳି ୩୦ ରୁ ୪୦ ଦିନରେ ଏବଂ କୋବି ତଳି ୨୦ ରୁ ୨୫ ଦିନରେ ଜମିରେ ଲଗାଇବା ପାଇଁ ଉପଯୁକ୍ତ ହୋଇଯାଏ । ତେଣୁ ତଳିକୁ ବୁଢ଼ା ହେବାକୁ ନ ଦେଇ ଉପଯୁକ୍ତ ସମୟରେ ମୁଖ୍ୟ କିଆରିରେ ଲଗାଇଦେବା ଆବଶ୍ୟକ ।

ତଳି ଓପାଡ଼ିବା

ତଳି ବା ଚାରା ଉପାଡ଼ିବା ସମୟରେ ମାଟିରେ ବତର ରହିବା ଆବଶ୍ୟକ । ତେଣୁ ତା’ ପୂର୍ବଦିନ ସେଥିରେ ଜଳସେଚନ କରିବା ଉଚିତ୍ । ତା'ଛଡ଼ା ତଳି ଓପାଡ଼ିବା ଦିନ ପ୍ରତି ୧ ଲିଟର ପାଣିରେ  ୨ ଗ୍ରାମ୍ ଫୁୟରାଡନ୍, ୩ ଗ୍ରାମ୍ କ୍ୟାପଟାନ୍  ଓ ୧ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ମଶାଇ ଏହା ଦ୍ରବଣକୁ ଗଛ ମୂଳରେ ଦେଲେ ଏହା ଚେର ଦେଇ ଗଛ ଭିତରକୁ ଯାଇ ଗଛକୁ ୧୫ ଦିନ ପର୍ଯ୍ୟନ୍ତ ପୋକ ଆକ୍ରମଣରୁ ସୁରକ୍ଷିତ ରଖେ । ତଳିକୁ ଓପାଡ଼ିବା ପରେ ତା’କୁ ଛାଇ ଜାଗାରେ ରଖି, ଯେତେଶୀଘ୍ର ସମ୍ଭବ ନେଇ ଜମିରେ ଲଗାଇଦେବା ଆବଶ୍ୟକ । ତଳି ରୋଇବାର ପରେ ପରେ ପ୍ରତି ଚାରାଗଛ ମୂଳରେଅଳ୍ପ  ପାଣି ଦେବା ନିତାନ୍ତ ଆବଶ୍ୟକ ଯାହାକି ଚେର ଧରିବାରେ ସାହାଯ୍ୟ କରେ ।

ଆଜିକାଲି ସବୁଆଡ଼େ ଚାରାଗଛର ଚାହିଦା  ବଢ଼ବାରେ ଲାଗଛି । ତେଣୁ ଋତୁ ଅନୁଯାୟୀ  ଆବଶ୍ୟକତା ଅନୁସାରେ ଚାରା ଉତ୍ପାଦନ କରି ଲୋକମାନଙ୍କୁ ଯୋଗାଇଦେବା ଏକ ଲାଭଜନକ ବ୍ୟବସାୟ । ଯେଉଁ ଗ୍ରାମୀଣ ଯୁବକ ଭାଇମାନେ  କାମଧନ୍ଦାନ କରି ବେକାର ବସିଛନ୍ତି, ବେକାର ବସିଛନ୍ତି, ସେମାନଙ୍କର ସ୍ୱରୋଜଗାରର। ଏହା ଏକ ବିକଳ୍ପ ପନ୍ଥା ଯାହାଦ୍ୱାରା ସେମାନେ ସ୍ଵାବଲମ୍ବୀ ହୋଇପାରିବେ ।

ସଂଗୃହିତ - ଚକ୍ରଧର ପାତ୍ର, ସ୍ଵାତି ଲେଖା ମହାନ୍ତି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ଵର-୭୫୧୦୦୩

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate