ହୋମ / କୃଷି / ଉତ୍ତମ ଅଭ୍ୟାସ / ଫସଲ ଉତ୍ପାଦନ (ଓଡିଶାରେ ବିଭିନ୍ନ ଫସଲର ବିସ୍ତୃତି )
ସେଆର କରନ୍ତୁ

ଫସଲ ଉତ୍ପାଦନ (ଓଡିଶାରେ ବିଭିନ୍ନ ଫସଲର ବିସ୍ତୃତି )

ଓଡିଶାରେ ବିଭିନ୍ନ ଫସଲର ବିସ୍ତୃତି ସମ୍ବନ୍ଧୀୟ ସୂଚନା ।

ଧାନ  ଆମ  ରାଜ୍ୟର  ମୁଖ୍ୟ  ଫସଲ   । ଏହା  ସବୁଠାରୁ  ଅଧିକ  ଜମିରେ  ଚାଷ   କରାଯାଏ   ।  ଧାନ  ଜମିର  ଆୟତନ   ପ୍ରତିବର୍ଷ   ବଢି  ବଢି   ଚାଲିଛି   ।  ଏହାର  କାରଣ   ହେଲା   ଆମର  ବର୍ଦ୍ଧିତ  ଜନସଂଖ୍ୟାକୁ   ଆମର  ପ୍ରଧାନ  ଖାଦ୍ୟ  ଚାଉଳ  ଯୋଗାଇବା   । ବର୍ଷା  ଦିନିଆ  ଧାନ  ସବୁ   ଜିଲ୍ଲାରେ   ଚାଷ  କରାଯାଏ  । ଡାଳୁଅ  ଧାନ  କେବଳ  ଜଳସେଚନର  ସୁବିଧା   ଥିବା   ଅଞ୍ଚଳମାନଙ୍କରେ   ଚାଷ  କରାଯାଏ   । ଶସ୍ୟ   ଜାତୀୟ   ଫସଲ  ମଧ୍ୟରେ  ଧାନ  ପଛକୁ  ମାଣ୍ଡିଆ ଓ  ମକା  ମୁଖ୍ୟ  ଫସଲ  ଅଟେ   । ମାଣ୍ଡିଆ  ଚାଷ  କୋରାପୁର  ଗଞ୍ଜାମ  ଓ  କଳାହାଣ୍ଡି  ଜିଲ୍ଲାମାନଙ୍କରେ  ସର୍ବାଧିକ  କରାଯାଏ   । ସେହିପରେ   ମକାଚାଷ  ଫୁଲବାଣୀ, କୋରାପୁଟ,  କେନ୍ଦୁଝର, ଜଞ୍ଜାମ  ଓ  ମୟୂରଭଞ୍ଜ  ଜିଲ୍ଲାମାନଙ୍କରେ  ବେଶୀ  କରାଯାଏ   । ଡାଲିଜାତୀୟ  ଫସଲ   ମଧ୍ୟରୁ   ମୁଗ, ବିରି,  କୋଳଥ  ଏବଂ   ହରଡ  ପ୍ରଧାନ  । ମୋଟ   ଡାଲି   ଫସଲ   କ୍ଷେତ୍ରଫଳର  88  ପ୍ରତିଶତ  ଏଇ  ଚାରୋଟି  ଫସଲରୁ  ମିଳେ   । ହରଡ   ମୁଖ୍ୟତଃ   ଏକ  ବର୍ଷାକାଳୀନ   ଫସଲ  ଏବଂ   କୋଳଥ  ଏକ  ଶୀତକାଳୀନ  ଫସଲ   । ମୁଗ  ଏବଂ  ବିରି  ଉଭୟ   ଋତୁରେ   ଚାଷ  କରାଯାଏ  । ସର୍ବାଧିକ   ମୁଗ  ଗଞ୍ଜାମ   ଜିଲ୍ଲାରେ , ସର୍ବାଧିକ  ବିରି  କଟକ  ଜିଲ୍ଲାରେ, ସର୍ବାଧିକ  କୋଳଥ  ଏବଂ  ହରଡ  କୋରାପୁଟ  ଜିଲ୍ଲାରେ   ଚାଷ  କରାଯାଏ   । ମୁଗ,  ବିରି,  କୋଳଥ  ଏବଂ   ହରଡ  ଉତ୍ପାଦନକାରୀ   ମୁଖ୍ୟ   ଜିଲ୍ଲାଗୁଡିକ  ହେଲା – କଟକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ,  ସମ୍ବଲପୁର,  ବାଲେଶ୍ଵର, ବଲାଙ୍ଗିର ଓ ଗଞ୍ଜାମ  । ଉପରୋକ୍ତ   ମୁଖ୍ୟ   ଡାଲି  ଜାତୀୟ   ଫସଲକୁ   ଛାଡି,  ବରଗୁଡି, ବଲାଙ୍ଗିର ଓ ମୟୂରଭଞ୍ଜ  ଜିଲ୍ଲାରେ , ବୁଟ କଳାହାଣ୍ଡି, କୋରାପୁଟ ଓ  ବଲାଙ୍ଗିର  ଜିଲ୍ଲାରେ   ଏବଂ  ମଟର  ସମ୍ବଲପୁର,  ବଲାଙ୍ଗିର  ଓ କୋରାପୁଟ   ଜିଲ୍ଲାରେ   ମୁଖ୍ୟତଃ   ଚାଷ  କରାଯାଏ  ।

ଆମ  ରାଜ୍ୟରେ  ତୃତୀୟ  ପ୍ରଧାନ  ଫସଲ  ହେଲା  ତୈଳବୀଜ   । ମୋଟ   ଫସଲ  କ୍ଷେତ୍ରଫଳର   ପ୍ରତିଶତ   ଜମିରେ   ତୈଳବୀଜ  ଚାଷ   କରାଯାଏ   ।  ଚିନାବାଦାମ, ରାଶି, ଅଳସି ଏବଂ   ସୋରିଷ   ଆମ  ରାଜ୍ୟର  ମୁଖ୍ୟ  ତୈଳବୀଜ   ଫସଲ  ଅଟେ   । ମୋଟ   ତୈଳବୀଜ   କ୍ଷେତ୍ରଫଳର  94  ପ୍ରତିଶତ   କେବଳ   ଏଇ   ଚାରୋଟି  ଫସଲ  ଅଟେ   । ମୁଖ୍ୟ   ଚିନାବାଦାମ  ଉତ୍ପାଦନକାରୀ   ଜିଲ୍ଲାଗୁଡିକ  ହେଲା  କଟକ, ଢେଙ୍କାନାଳ , ଗଞ୍ଜାମ ଓ  ସମ୍ବଲପୁର, ମୁଖ୍ୟ  ରାଶି   ଉତ୍ପାଦନକାରୀ   ଜିଲ୍ଲାଗୁଡିକ   ହେଲା   ଢେଙ୍କାନାଳ,  ଗଞ୍ଜାମ , କଳାହାଣ୍ଡି , କୋରାପୁଟ  ଓ  ବଲାଙ୍ଗିର   ମୁଖ୍ୟ   ସୋରିଷ   ଉତ୍ପାଦନକାରୀ   ଜିଲ୍ଲା  ହେଲା  କୋରାପୁଟ , ଫୁଲବାଣୀ, କେନ୍ଦୁଝର, କଳାହାଣ୍ଡି  ଓ  ମୟୂରଭଞ୍ଜ  ଏବଂ   ମୁଖ୍ୟ  ସୋରିଷ  ଉତ୍ପାଦନକାରୀ   ଜିଲ୍ଲା  ହେଲା  ଫୁଲବାଣୀ, ସମ୍ବଲପୁର, ବାଲେଶ୍ଵର, କଳାହାଣ୍ଡି, କୋରାପୁଟ  ଓ  କଟକ    । ଅନ୍ୟ  ତୈଳବୀଜ   ଫସଲ  ମଧ୍ୟରେ  ସର୍ବାଧିକ  ଜଡା   ଚାଷ   କୋରାପୁଟ  ଜିଲ୍ଲାରେ , ସର୍ବାଧିକ  ପେଶୀ  ଚାଷ ମୟୂରଭଞ୍ଜ  ଜିଲ୍ଲାରେ   ଏବଂ  ସର୍ବାଧିକ  କୁସୁମୀ ଚାଷ  କଳାହାଣ୍ଡି   ଜିଲ୍ଲାରେ   କରାଯାଏ   ।

ପନିପରିବା  ଆମ  ରାଜ୍ୟର  ଚତୁର୍ଥ  ମୁଖ୍ୟ  ଫସଲ   ।ମୋଟ  ଫସଲ   କ୍ଷେତ୍ରଫଳର  ପ୍ରତିଶତ   ଜମିର   ପନିପରିବା  ଚାଷ   କରାଯାଏ   । ସର୍ବାଧିକ   କନ୍ଦମୂଳ   କୋରାପୁଟ  ଜିଲ୍ଲାରେ , ସର୍ବାଧିକ  ପିଆଜ  ବଲାଙ୍ଗିର   ଜିଲ୍ଲାରେ   ଏବଂ  ସର୍ବାଧିକ  ଆଳୁ  ଓ  ଅନ୍ୟ   ପନିପରିବା , କଟକ  ଜିଲ୍ଲାରେ   ଚାଷ  କରାଯାଏ   । ଏହା  ବ୍ୟତୀତ  ସୁନ୍ଦରଗଡ , ସମ୍ବଲପୁର, କଳାହାଣ୍ଡି ଓ  ବଲାଙ୍ଗିର  ଜିଲ୍ଲାରେ  କନ୍ଦମୂଳ , ପୁରୀ  ଓ  ସମ୍ବଲପୁର  ଜିଲ୍ଲାରେ  ଆଳୁ ଏବଂ  ବାଲେଶ୍ଵର , କଟକ, ଢେଙ୍କାନାଳ, କଳାହାଣ୍ଡି , କୋରାପୁଟ, ମୟୂରଭଞ୍ଜ  ଓ  ସମ୍ବଲପୁର   ଜିଲ୍ଲାରେ   ପିଆଜ  ବିସ୍ତୃତ   ଭାବରେ   ଚାଷ   କରାଯାଏ   ।

ମୋଟ  ଫସଲ  କ୍ଷେତ୍ରଫଳର  1.0  ପ୍ରତିଶତ  ନଳିତା, ମେସ୍ତା,  ଛଣପଟ ଓ  କପା  ଆଦି  ତନ୍ତୁଜାତୀୟ   ଫସଲ  ଚାଷ  କରାଯାଏ   । ନଳିତା  ମୁଖ୍ୟତଃ  କଟକ, ବାଲେଶ୍ଵର  ଓ  କେନ୍ଦୁଝର  ଜିଲ୍ଲାରେ ; ଛଣପଟ   ମୁଖ୍ୟତଃ  ଗଞ୍ଜାମ, ବଲାଙ୍ଗିର,  କଳାହାଣ୍ଡି,  କୋରାପୁଟ  ଓ  ବାଲେଶ୍ଵର   ଜିଲ୍ଲାରେ ; କପା   ମୁଖ୍ୟତଃ   କଳାହାଣ୍ଡି  ଓ  କୋରାପୁଟ  ଜିଲ୍ଲାରେ   ଏବଂ  ସର୍ବାଧିକ  ମେସ୍ତା  ମୟୂରଭଞ୍ଜ  ଓ  ସମ୍ବଲପୁର   ଜିଲ୍ଲାରେ   ଚାଷ   କରାଯାଏ   ।

ମସଲା  ଜାତୀୟ   ଫସଲ   ମଧ୍ୟରେ   ଲଙ୍କା, ଧନିଆ,  ରସୁଣ, ହଳଦୀ ଏବଂ   ଅଦା   ପ୍ରଧାନ   । ମୋଟ  ଫସଲ   କ୍ଷେତ୍ରଫଳର  1.7 ପ୍ରତିଶତ   ଜମିରେ   ଏହି   ଫସଲଗୁଡିକ  ଚାଷ   କରାଯାଏ   । ଲଙ୍କା  ମୁଖ୍ୟତଃ   କଟକ, କୋରାପୁଟ,  ସମ୍ବଲପୁର,  ବାଲେଶ୍ଵର, ବଲାଙ୍ଗିର , କଳାହାଣ୍ଡି,  ଢେଙ୍କାନାଳ, ଗଞ୍ଜାମ  ଓ ମୟୂରଭଞ୍ଜ   ଜିଲ୍ଲାରେ ; ଧନିଆ  ମୁଖ୍ୟତଃ   ବାଲେଶ୍ଵର , କଟକ ଓ  କଳାହାଣ୍ଡି   ଜିଲ୍ଲାରେ  ; ରସୁଣ  ମୁଖ୍ୟତଃ   ଢେଙ୍କାନାଳ,  ବାଲେଶ୍ଵର , କଟକ ଓ  ବଲାଙ୍ଗିର  ଜିଲ୍ଲାରେ ; ହଳଦୀ   ମୁଖ୍ୟତଃ   ଫୁଲବାଣୀ   ଜିଲ୍ଲାରେ   ଏବଂ   ଅଦା   ମୁଖ୍ୟତଃ   କୋରାପୁଟ, ମୟୂରଭଞ୍ଜ, ଫୁଲବାଣୀ  , କଟକ  ଓ ସମ୍ବଲପୁର   ଜିଲ୍ଲାରେ   ଚାଷ  କରାଯାଏ   ।

ମୋଟ  ଫସଲ  କ୍ଷେତ୍ରଫଳର  0.5 ପ୍ରତିଶତରେ  ଆଖୁ  ଚାଷ  କରାଯାଏ   । ଗଞ୍ଜାମ, କଟକ, ପୁରୀ,  ଢେଙ୍କାନାଳ, ସମ୍ବଲପୁର  ବଲାଙ୍ଗିର,  କୋରାପୁଟ  ଓ   କଳାହାଣ୍ଡି  ଜିଲ୍ଲାରେ   ମୁଖ୍ୟତଃ   ଆଖୁ  ଚାଷ  କରାଯାଏ   ।

ମାଦକ  ଜାତୀୟ   ଫସଲ  ମଧ୍ୟରେ  ଧୂଆଁପତ୍ର   ପ୍ରଧାନ   । ଏହା  ମୁଖ୍ୟତଃ   କୋରାପୁଟ   ଜିଲ୍ଲାରେ  ଚାଷ  କରାଯାଏ   । ମୁଖ୍ୟ   ଫସଲଗୁଡିକର  କ୍ଷେତ୍ରଫଳ , ଉତ୍ପାଦନ ଓ  ଉତ୍ପାଦକତା   ପାର୍ଶ୍ଵ   ସାରଣୀରେ   ପ୍ରଦତ୍ତ   ହୋଇଛି    ।

ଶୁଷ୍କ ଜମି ଚାଷ

ବର୍ଷ ଜଳ   ଉପରେ  ସମ୍ପୂର୍ଣ୍ଣ   ନିର୍ଭର   କରି  ଢିପ ଜମିରେ   ଫସଲ  ଉତ୍ପାଦନ   କରିବାକୁ  ଶୁଷ୍କ  ଜମି  କୃଷି   କୁହାଯାଏ   । ବାର୍ଷିକ   ବୃଷ୍ଟିପାତ   ଅନୁସାରେ  ଶୁଷ୍କ  ଜମି  କୃଷିକୁ   ତିନି  ଭାଗରେ  ବିଭକ୍ତ   କରାଯାଇଛି   ଯଥା –

  1. ଶୁଷ୍କ  ଚାଷ
  2. ଶୁଷ୍କ  ଜମି  ଚାଷ ଏବଂ
  3. ବୃଷ୍ଟିପାତ   ଚାଷ   ।

ବାର୍ଷିକ   ବୃଷ୍ଟିପାତ  ୭୫୦ ମି.ମି. ରୁ  କମ୍  ହେଉଥିବା  ଅଞ୍ଚଳର   କୃଷିକୁ   ଶୁଷ୍କ   ଚାଷ   କୁହାଯାଏ  । ଏ  ପ୍ରକାର  କୃଷିରେ   ଫସଲ  ନଷ୍ଟ   ହେବାର  ସମ୍ଭାବନା   ଅଧିକ  ଥାଏ   । ଫସଲ   ଉତ୍ପାଦନ   ପାଇଁ   ଜଳ  ସଂରକ୍ଷଣ  ଏ  ଅଞ୍ଚଳରେ  ଅଧିକ  ଗୁରୁତ୍ଵପୂର୍ଣ୍ଣ   ।  ବାର୍ଷିକ   ବୃଷ୍ଟିପାତ  ୭୫୦ ରୁ  ୧୧୫୦  ମି.ମି.  ହେଉଥିବା   ଅଞ୍ଚଳର   କୃଷିକୁ   ଶୁଷ୍କ   ଜମି   ଚାଷ   କୁହାଯାଏ   । ଏ  ଅଞ୍ଚଳରେ  ଜମିରେ   ଫସଲ  ଥିବା  ବେଳେ   ବର୍ଷା   ଛାଡିଯାଏ   ।  କିନ୍ତୁ   ସେଥିଯୋଗୁ  ଫସଲ   ନଷ୍ଟ  ହେବାର  ସମ୍ଭାବନା   କମ୍  ରହେ   । 1150  ମି.ମି. ରୁ  ଅଧିକ   ବୃଷ୍ଟିପାତ   ମିଳୁଥିବା  ଅଞ୍ଚଳର  କୃଷିକୁ   ବୃଷ୍ଟିପାତ   ଚାଷ   କୁହାଯାଏ   ।

କେହି   କେହି  ଶୁଷ୍କ  ଜମି  କୃଷିକୁ   ମୁଖ୍ୟତଃ   ଦୁଇ  ଭାଗରେ   ବିଭକ୍ତ   କରିଛନ୍ତି   ଯଥା – (୧) ଶୁଷ୍କ   ଜମି  ଚାଷ  ଓ  ବୃଷ୍ଟିପୁଷ୍ଟ  ଚାଷ    । ବାର୍ଷିକ   ବୃଷ୍ଟିପାତ   800 ମି.ମି. ରୁ  କମ୍  ହେଉଥିବା  ଅଞ୍ଚଳର  କୃଷିକୁ   ଶୁଷ୍କ   ଜମି  ଚାଷ  ଓ  800 ମି.ମି. ରୁ  ଅଧିକ  ହେଉଥିବା  ଅଞ୍ଚଳର  କୃଷିକୁ   ବୃଷ୍ଟିପୁଷ୍ଟ   ଚାଷ  କୁହାଯାଏ   ।

ଶୁଷ୍କ ଜମି କୃଷିର ଗୁରୁତ୍ଵ

ଆମ  ଦେଶର  ମୋଟ  ଚାଷ  ଜମି  143 ନିୟୁତ   ହେକ୍ଟର   ମଧ୍ୟରୁ  107  ନି.ହେ.  (75%) ବୃଷ୍ଟିପୁଷ୍ଟ   ଅଟେ  । ସେଥିରୁ   33 ନିୟୁତ   ହେକ୍ଟର   ଅଧିକ  ବୃଷ୍ଟିପାତ  (1150 ମି.ମି. ରୁ  ଅଧିକ)  ଅଞ୍ଚଳରେ   37  ନିୟୁତ   ହେକ୍ଟର   ସ୍ୱଳ୍ପ   ବୃଷ୍ଟିପାତ  ଅଞ୍ଚଳରେ  ଓ  37 ନିୟୁତ   ହେକ୍ଟର   ମଧ୍ୟମ  ବୃଷ୍ଟିପାତ   ଅଞ୍ଚଳରେ  ଅବସ୍ଥିତ   । ଭାରତ  ଭଳି  ଏକ  ବିରାଟ   ଜନବହୁଳ   ଦେଶରେ  ଲୋକମାନଙ୍କ  ପାଇଁ   ଖାଦ୍ୟଶସ୍ୟ  ଏବଂ  କର୍ମ  ଯୋଗାଣ   ଦୃଷ୍ଟିରୁ   ଶୁଷ୍କ  ଜମି  କୃଷି   ଯଥେଷ୍ଟ   ଗୁରୁତ୍ଵପୂର୍ଣ୍ଣ  ଅଟେ   । ଦେଶରେ   ଉତ୍ପନ୍ନ  ହେଉଥିବା   ମୋଟ  ଖାଦ୍ୟଶସ୍ୟର  45 ପ୍ରତିଶତ , ଡାଲି ଓ  ତୈଳବୀଜର   ୭୫  ପ୍ରତିଶତ  ଏବଂ  ପ୍ରାୟ  ସମସ୍ତ  ପରିମାଣ  କ୍ଷୁଦ୍ରଶସ୍ୟ  ଶୁଷ୍କ  ଜମିରୁ  ମିଳିଥାଏ  । ଶିଳ୍ପ  ପାଇଁ  ଗୁରୁତ୍ୱପୂର୍ଣ୍ଣ  କପା, ଚିନାବାଦାମ, ଜଡା  ଆଦି   ଫସଲର  ମୁଖ୍ୟ  ଅଂଶ   ଶୁଷ୍କ  ଜମିରୁ   ମିଳେ   ଦେଶର  ପଶୁ  ଓ  ପକ୍ଷୀ  ସମ୍ପଦରୁ   ମିଳୁଥିବା  କ୍ଷୀର, ମାଂସ, ପଶମ   ଆଦିର   ମୁଖ୍ୟ  ଅଂଶ  ମଧ୍ୟ  ଶୁଷ୍କାଞ୍ଚଳରୁ   ମିଳେ   ।

ବିଗତ   ବର୍ଷମାନଙ୍କରେ   ଆମ  ଦେଶର  ଖାଦ୍ୟଶସ୍ୟ  ଓ  ତୈଳ   ଉତ୍ପାଦନ   ଯଥେଷ୍ଟ   ବୃଦ୍ଧି  ପାଇଛି   । ତଥାପି   ବର୍ଦ୍ଧିଷ୍ଣୁ   ଜନସଂଖ୍ୟାର  ଆବଶ୍ୟକତା   ପୂରଣ   କରିବା  ପାଇଁ   ଆମର   ଖାଦ୍ୟଶସ୍ୟ  ଓ  ତୈଳ ଉତ୍ପାଦନକୁ   ଆହୁରି ବୃଦ୍ଧି  କରିବାକୁ  ପଡିବ   ଏବଂ   ସେଥିପାଇଁ   ଆମକୁ   ମୁଖ୍ୟତଃ   ଶୁଷ୍କ  ଜମି   ଉପରେ   ନିର୍ଭର   କରିବାକୁ   ପଡେ   । କାରଣ  ଜଳସେଚନ   ସୁଯୋଗ   ସୃଷ୍ଟି   କରିବା   ଅତ୍ୟନ୍ତ   ବ୍ୟୟ   ବହୁଳ   ଏବଂ  ସମୟ   ସାପେକ୍ଷ   ଅଟେ   । ତା’ଛଡା  ହିସାବ କରି  ଦେଖାଯାଇଛି   ଯେ  ଆମର  ଜଳ  ସମ୍ପଦକୁ  ସମ୍ପୂର୍ଣ୍ଣ   ବିନିଯୋଗ   କଲେବି ’ ପ୍ରାୟ   ଅର୍ଦ୍ଧେକ  ଚାଷ  ଜମିରେ   ଫସଲ ଉତ୍ପାଦନ   ପାଇଁ  ବର୍ଷା  ଉପରେ   ନିର୍ଭର   କରିବାକୁ   ପଡିବ   ।  ଉନ୍ନତ  ପ୍ରଯୁକ୍ତି  ବିଦ୍ୟା   ଅବଲମ୍ବନ  କରି, ବର୍ଷାଧାର  ଜମିର  ଉତ୍ପାଦନ  କ୍ଷମତା  ବୃଦ୍ଧି   କରିହେବ  ଏବଂ  ଦେଶର  ଖାଦ୍ୟଶସ୍ୟ  ଓ  ତୈଳ  ଚାହିଦା  ପୂରଣ   କରିହେବ  ।

ବର୍ଷଧାରା  ଢିପ  ଜମିର   ମୁଖ୍ୟ  ସମସ୍ୟାଗୁଡିକ  ହେଲା : -

  1. ସ୍ୱଳ୍ପବୃଷ୍ଟି   କିମ୍ବା   ଅନିୟମିତ  ବୃଷ୍ଟିପାତ  ହେତୁ   ଫସଲରେ  ଜଳାଭାବ  ଆ   ମରୁଡି   ।
  2. ମୃତ୍ତିକାର  ଜଳଧାରଣ   ଶକ୍ତି  ସ୍ୱଳ୍ପ  ଏବଂ  ଅଧିକାଂଶ   ଜମି   ଗଡାଣିଆ   ।  ତେଣୁ  ମୃତ୍ତିକା  କ୍ଷୟଜନିତ  ସମସ୍ୟା  ।
  3. ଅଗଭୀର   ଏବଂ   ଅନୁର୍ବର   ମୃତ୍ତିକା   ।

ଉପରୋକ୍ତ   ସମସ୍ୟାଗୁଡିକୁ   ଦୃଷ୍ଟିରେ   ରାଖୀ   ନିମ୍ନଲିଖିତ   ପରିଚାଳନା   କୌଶଳ   ଅବଲମ୍ବନ  କରାଯିବା  ଆବଶ୍ୟକ   ।

ଶୁଷ୍କ  ଚାଷ ପରିଚାଳନା କୌଶଳ

ଶୁଷ୍କାଞ୍ଚଳରେ  ଫସଲ  ଉତ୍ପାଦନ  ସଫଳତା   ମୌସୁମୀ  ବର୍ଷା  ଉପରେ   ନିର୍ଭର   କରେ   । ତେବେ –

  1. ଉପଯୁକ୍ତ   ଫସଲ,  କିସମ ଓ  ଫସଲ   ପଦ୍ଧତି   ନିର୍ବାଚନ
  2. ଯୁକ୍ତିଯୁକ୍ତ  ଫସଲ  ଓ  ମୃତ୍ତିକା   ପରିଚାଳନା
  3. ଜଳ  ଅମଳ  ଓ  ପୁନର୍ବିନିଯୋଗ  ଏବଂ
  4. ଆକସ୍ମିକ  ବିପତ୍ତି   ପାଇଁ   ଯୋଜନା  ଦ୍ଵାରା   ଶୁଷ୍କ  ଜମିର   ଉତ୍ପାଦନ  କ୍ଷମତା  ବୃଦ୍ଧି   କରାଯାଇପାରିବ   ଏବଂ  ଉତ୍ପାଦନରେ  ସ୍ଥିରତା   ଆଣି   ହେବ   ।

ଉପଯୁକ୍ତ  ଫସଲ,  କିସମ  ଓ  ଫସଲ  ପଦ୍ଧତି   ନିର୍ବାଚନ

  • ଉପଯୁକ୍ତ  ଫସଲ  ନିର୍ବାଚନ
  • ବିଭିନ୍ନ  ଫସଲର   ଜଳ  ଆବଶ୍ୟକତା, ଜଳ   ବିନିଯୋଗ   ଦକ୍ଷତା  ଓ  ମରୁଡି  ସହଣୀ  ଶକ୍ତି   ଭିନ୍ନ  ଭିନ୍ନ   ଅଟେ   । କିସମ  ଭେଦରେ   ମଧ୍ୟ  ଫସଲର  ଏ ସବୁ   ଧର୍ମରେ  ପାର୍ଥକ୍ୟ   ରହିଛି   । ଏଣୁ   ମୃତ୍ତିକା ଓ  ଜଳବାଯୁ  ଭେଦରେ  ଫସଲ  ଓ  କିସମ  ନିର୍ବାଚନ  ପୃଥକ୍  ହୋଇଥାଏ   ।  ବର୍ଷା   ଋତୁରେ   ବର୍ଷା  ପରିମାଣ , ବର୍ଷା  ଋତୁର  ସ୍ଥାୟିତ୍ଵ  ଏବଂ   ରବି   ଋତୁରେ   ମୃତ୍ତିକାର  ସୁଲଭ୍ୟ  ଜଳ   ପରିମାଣ, ଫସଲର   ଜଳ  ବିନିଯୋଗ  ଦକ୍ଷତା  ଓ  ଫସଲରୁ   ମିଳୁଥିବା   ଲାଭ   ପରିମାଣକୁ  ବିଚାରକୁ   ନେଇ   ଶୁଷ୍କ   ଜମିପାଇଁ   ଫସଲ  ନିର୍ବାଚନ  କରିବା  ଆବଶ୍ୟକ   । ଆମ  ରାଜ୍ୟର  ବର୍ଷାଧାର  ଢିପ  ଜମିରେ  ବର୍ଷା   ଋତୁରେ   ଧାନ  ହେଉଛି   ମୁଖ୍ୟ  ଫସଲ   । ଧାନ  ଅଧିକ   ଜଳ   ଆବଶ୍ୟକ  କରେ  ଏବଂ   ଧାନ ଚେର   ଉପରେ  ମାଟିରେ  ସୀମିତ   ରହେ   । ଅଧିକ   ଦିନ  ବର୍ଷା   ଛାଡିଗଲେ   ଧାନ  ପ୍ରଥମେ  ଏବଂ  ସର୍ବାଧିକ   କ୍ଷତିଗ୍ରସ୍ତ  ହୁଏ  । ଏଣୁ   ବର୍ଷାଋତୁ   ଢିପ   ଜମି  ବିଶେଷ   କରି  ଗଡାଣିଆ   ଢିପ   ଜମିରେ   ଧାନ  ବଦଳରେ   ମକା, ମାଣ୍ଡିଆ, ଜୁଆର, ଚିନାବାଦାମ,  ମୁଗ, ବିରି, ହରଡ  ଆଦି  ଅଳ୍ପ   ଜଳ   ଆବଶ୍ୟକ   କରୁଥିବା  ଏବଂ  ମରୁଡି   ସହିପାରୁଥିବା  ଫସଲ  ଚାଷ  କରିବା   ଉଚିତ   । ରବି  ଋତୁରେ   ଢିପ   ଜମିରେ   କୋଳଥ,  ଜଡା,  ଅଳସି,  ସୋରିଷ  ଏବଂ  ମଝିଆଳି   ଜମିରେ   ଚିନାବାଦାମ,  କୁସୁମୀ,  ପେଶୀ, ବୁଟ,  ମଟର, ମୁଗ  ଓ  ବିରିକୁ   ଲାଭଜନକ  ଭାବେ  ଚାଷ  କରାଯାଇପାରିବ   ।

  • ଉପଯୁକ୍ତ  କିସମ  ନିର୍ବାଚନ
  • ଶୁଷ୍କ  ଜମିରେ   ସାଧାରଣତଃ   ସ୍ଥାନୀୟ କିସମ  ଚାଷ  କରାଯାଇଥାଏ   । ଏହି  କିସମଗୁଡିକ   ଅଧିକ  ଦିନରେ   ଅମଳ  ହୁଏ , ଉଚ୍ଚତାରେ   ଅଧିକ  ବଢେ, ଅଙ୍ଗୀୟ  ବୃଦ୍ଧି   ଅନୁସାରେ   ଆଦାୟ   କମ୍  ଦିଏ  ଏବଂ  ଡେରି  ମରୁଡି   ଦ୍ଵାରା   ଅଧିକ   ନଷ୍ଟ  ହୁଏ   । ସ୍ଥାନୀୟ   କିସମ  ବଦଳରେ   ଅଧିକ   ଅମଳକ୍ଷମ  କିସମ   ଚାଷ   କଲେ  ଅନୁକୂଳ   ପାଗର   ସୁଯୋଗ   ନେଇହୁଏ   । ବିଭିନ୍ନ  ଫସଲର  ଅଧିକ   ଅମଳକ୍ଷମ  ସହଳ   ଅମଳ   କିସମ   ଏବେ   ମିଳୁଛି  । ଶୁଷ୍କଜମି   ପାଇଁ   ସହଳ  ଅମଳ  କିସମ  ବାଛିଲେ   ଡେରିରେ   ପଡୁଥିବା  ମରୁଡିରୁ  ଫସଲ   ମୁକୁଳିଯାଏ   ।

    ଫସଲ

    କିସମ

    ଅବଧି

    ଧାନ

    ହିରା, କଲ୍ୟାଣୀ – ୨, କଳିଙ୍ଗ – ୩ ସଙ୍କର, ରୁଦ୍ର, ସୁଭଦ୍ରା, ପଥରା, ନୀଳା  ପାରିଜାତ, ଅନ୍ନପୂର୍ଣ୍ଣା, ବାଦାମୀ,  ଘଣ୍ଟେଶ୍ଵରୀ , ନୀଳଗିରି,  ଖଣ୍ଡଗିରି

    75 ଦିନରୁ  କମ୍ 80 – 90

    90 – 100

    ମାଣ୍ଡିଆ

    ଦିବ୍ୟସିଂହ

    85 – 90

    ମକା

    ଅରୁଣ  ନବଜୋତ,  ଅମେତି – 36

    80 – 85

    85 – 95

    ଜୁଆର

    ସୂତି – 3

    100

    ହରଡ

    ଉପାସ – 120

    ଆଇ.ସି.ପି. ଏଲ୍ – 87

    120

    130

    ଚିନାବାଦାମ

    କିଷାନ,  ଜୱାନ, ଜେ. ଏଲ୍ – 24

    ଓ ଜି – 52

    95

     

  • ଦୋ – ଫସଲି  ଚାଷ
  • ଆମ  ରାଜ୍ୟର   ଅଧିକାଂଶ  ଶୁଷ୍କ  ଜମିରେ  ବର୍ଷରେ  ବର୍ଷାଋତୁ  କିମ୍ବା  ଶୀତ  ଋତୁରେ   ମାତ୍ର  ଗୋଟିଏ  ଫସଲ  ଚାଷ   କରାଯାଏ   । ଏହାର   ମୁଖ୍ୟ   କାରଣ  ହେଲା  ଅଧିକ  ଦିନରେ   ଅମଳ  ହେଉଥିବା   କିସମ  ବ୍ୟବହାର   । ଏକ  ପକ୍ଷରେ  ଆମର   ଜନସଂଖ୍ୟା   ଦ୍ରୁତ  ଗତିରେ   ବଢି  ଚାଲିଛି   ଏବଂ   ଅପର   ପକ୍ଷରେ   ମୁଣ୍ଡ   ପିଛା   ଚାଷ ଜମିର  ପରିମାଣ  କମିବାରେ   ଲାଗିଛି   ।  ଏଣୁ   ଫସଲ  ସଘଣ୍ଟା  ବୃଦ୍ଧି   କରି  ସୀମିତ   ଜମିରୁ   ଉତ୍ପାଦନ   ବୃଦ୍ଧି  କରିବାର  ଆବଶ୍ୟକତା  ରହିଛି   । ସାହା   ଅମଳ  କିସମ  ବ୍ୟବହାର   କରି   ବର୍ଷାଧାର  ଜମିକୁ  ଅନେକାଂଶରେ   ଦୋ – ଫସଲି  ଚାଷର   ସଫଳତା  ପାଇଁ   ପ୍ରଥମ   ଫସଲକୁ   ସହଳ   ବୁଣି  ସହଳ  ଅମଳ  କରିବା  ଆବଶ୍ୟକ   ।  ଆମ  ରାଜ୍ୟର ଶୁଷ୍କ  ଜମି  ପାଇଁ   କେତେକ   ଲାଭଜନକ   ଫସଲ   ପଦ୍ଧତିର  ଉଦାହରଣ  ନିମ୍ନରେ   ପ୍ରଦତ୍ତ   ହୋଇଅଛି   ।

  • ଅନ୍ତଃ   ଫସଲି  ଚାଷ
  • ଶୁଷ୍କ  ଚାଷର  କ୍ଷତି   ଭୟ   ଦୂର   କରିବା  ପାଇଁ   ଦୁଇ  ବା  ତହିଁରୁ   ଅଧିକ  ଫସଲକୁ  ମିଶ୍ରିତ   ଚାଷ  କରିବା   ଏକ   ପୁରାତନ  ପଦ୍ଧତି   । ତେବେ  ସାଥି  ଫସଲଗୁଡିକୁ  ଛଟାବୁଣା   ନକରି  ଧାଡିରେ   ବୁଣିଲେ   କ୍ଷତି   ଭୟ   ଦୂର  ହେବା  ସହିତ   ଅଧିକ  ଆଦାୟ   ଏବଂ  ଅଧିକ  ଲାଭ  ମିଳେ   ।  ଏଣୁ   ଅଣଜଳସେଚିତ   ଢିପ   ଜମିରେ  ନିରୁତା  ଫସଲ   ଚାଷ  ନକରି  ଅନ୍ତଃଫସଲି  ଚାଷ  କରିବା  ଉଚିତ   । ଆମ  ରାଜ୍ୟ   ପାଇଁ   ଉତ୍କୃଷ୍ଟ  କେତେକ   ଅନ୍ତଃଫସଲି  ଚାଷର  ଉଦାହରଣ  ଆଗରୁ  ପ୍ରଦତ୍ତ   ହୋଇଛି   ।

ମୃତ୍ତିକା  ଓ  ଫସଲ  ପରିଚାଳନା

  • ଜମି   ସମତୁଲ  କରିବା
  • ଏହାଦ୍ୱାରା   ଜମିର   ସବୁଆଡେ  ସମାନ  ଭାବରେ  ପାଣି  ରହେ  ଏବଂ  ଖାଲୁଆ  ଜାଗାରେ   ପାଣି   ଜମେ  ନାହିଁ   । ଏଣୁ  ଫସଲ  ଉତ୍ପାଦନ  ଅଧିକ  ହୁଏ  ବିଶେଷ  କରି  ସ୍ୱଳ୍ପ  ବୃଷ୍ଟିପାତ   ବର୍ଷରେ   । କିନ୍ତୁ   ଏହି  କାର୍ଯ୍ୟ   ସତର୍କତାର  ସହିତ  କରିବା  ଉଚିତ   । ମାଟି   ଅଗଭୀର   ହୋଇଥିଲେ   ଅନୁର୍ବର   ଉପମାଟି   ଅନାଦୃତ   ହୋଇ  ଉତ୍ପାଦନ   ହ୍ରାସ  କରେ   ।

  • ସମୋଚ୍ଚ   ରେଖାରେ   ହିଡ   ଦେବା
  • ଏହାଦ୍ଵାରା  ଅପବାହୀ  ଓ  ମୃତ୍ତିକାକ୍ଷୟ   ହ୍ରାସପାଏ ଏବଂ  ଅଧିକ  ଜଳ  ମୃତ୍ତିକାରେ  ଭେଦିପାରେ   । କିନ୍ତୁ  ଜଳ  ନିଷ୍କାସନ  ବ୍ୟବସ୍ଥା   ନକଲେ  ଅଧିକ  ବୃଷ୍ଟିପାତ   ଅଞ୍ଚଳରେ  ନୂତନ   ନାଳୀ   ସୃଷ୍ଟି  ହେବାର  ସମ୍ଭାବନା   ରହେ   ।

  • ପଡିଆ   ଜମିକୁ   ଚାଷକରି  ରଖିବା
  • ଏହାଦ୍ଵାରା  ଜମି  ଖୋଲା  ରହେ  ଏବଂ  ଅସମୟରେ  ବର୍ଷା   ହେଲେ  ପାଣି  ନଷ୍ଟ  ନହୋଇ  ମୃତ୍ତିକାରେ  ଭେଦିଯାଏ  ଏବଂ   ତୃଣକ   ନିୟନ୍ତ୍ରଣ   ଯୋଗୁ   ବାଷ୍ପ – ପ୍ରସ୍ଵେଦନ  କମ୍  ହୁଏ   ।

  • ପ୍ରାରମ୍ଭିକ   ଗଭୀର  ଚାଷ
  • ଏହାଦ୍ଵାରା   ଜମି  ଘାସଯୁକ୍ତ  ରହେ   ଏବଂ   ଜମିର  ଜଳଧାରଣ  କ୍ଷମତା  ବୃଦ୍ଧିପାଏ   । ଫଳରେ   ଫସଲ  ବୁଣିବା   ପାଇଁ  ଜମିରେ   ପାଗ   ଅଧିକ  ଦିନ  ରହେ   ।

  • ନ୍ୟୁନତମ   ଚାଷ
  • ଜମି  ପ୍ରସ୍ତୁତି  ଖର୍ଚ୍ଚ   ହ୍ରାସ  କରିବା  ପାଇଁ   ଏବଂ   ମୃତ୍ତିକାସ୍ଥ  ଜଳ  ସଂରକ୍ଷଣ  ପାଇଁ   କେତେକ  ସ୍ଥଳରେ  ଅଳ୍ପଥର   ଚାଷ  କରି   ଫସଲ  ଉତ୍ପାଦନ  କରାଯାଏ   ।

  • ବୁଣାପରେ   ମୃତ୍ତିକାକୁ   ସଂହତି  କରିବା
  • ବୁଣା  ପରେ  ମଈ   ଦେଇ   କିମ୍ବା   ରୋଲର  ଚଳାଇ   ମୃତ୍ତିକାକୁ  ସଂହତି   କରିବା  ଦ୍ଵାରା   ବାଷ୍ପୀଭବନ   କମ୍  ହୁଏ ଏବଂ   ବୀଜ   ଆର୍ଦ୍ର ମୃତ୍ତିକା  ସଂସ୍ପର୍ଶରେ   ଆସେ

  • ସହଳ   ବୁଣା
  • ବୁଣିବା   ସମୟ  ଏପରି  ଠିକ୍  କରିବାକୁ   ହେବ  ଯେପରି  ବୁଣା  ମଞ୍ଜିକୁ   ଆବଶ୍ୟକମତେ   ଗଜା   ବାହାରିବ  ଏବଂ   ଫସଲର  ସଙ୍କଟକାଳରେ   ଜଳାଭାବ  ପଡିବ  ନାହିଁ   ।

  • ଗଭୀର  ବୁଣା
  • ରବି  ଫସଲକୁ  ଗଭୀର  ସିଆର  କରି   ବୁଣିବା   ଆବଶ୍ୟକ  ଯେପରି  ମଞ୍ଜି   ଓଦା   ମାଟି  ସଂସ୍ପର୍ଶରେ   ଆସିବା  ଏବଂ  ଅଙ୍କୁରଣ  ବାଧାପ୍ରାପ୍ତ   ହେବ  ନାହିଁ   ।

  • ସ୍ୱଳ୍ପ   ଗଛ  ସଂଖ୍ୟା
  • ଶୁଷ୍କ  ଚାଷରେ   ସେଚିତ  କୃଷିଠାରୁ  ସାଧାରଣତଃ   କମ୍  ଗଛ  ସଂଖ୍ୟା  ରଖାଯାଏ   । ଫଳରେ  ପ୍ରତ୍ୟକ  ଗଛ ପାଇଁ  ଅଧିକ  ଜମିରୁ  ଜଳ   ମିଳେ   । ଗଛ  ସଂଖ୍ୟା  ଅଧିକ  ରଖିଲେ   ଖାଦ୍ୟସାର   ଅଭାବ  ପଡେ   ଏବଂ  ମୃତ୍ତିକାରୁ  ଜଳୀୟ  ଅଂଶ   ଶୀଘ୍ର   ନଷ୍ଟ   ହୋଇଯାଏ ।

  • ରୋପଣ  ରୀତି
  • ଧାଡି   ଧାଡି  ମଧ୍ୟରେ   ବ୍ୟବଧାନ  ଅଧିକ  ଓ  ଗଛ  ଗଛ   ମଧ୍ୟରେ  ବ୍ୟବଧାନ  କମ୍  କରି   ଆବଶ୍ୟକ   ଗଛ  ସଂଖ୍ୟା  ରଖିବା  ଉଚିତ   । ଗଛ  ଗଛ   ମଧ୍ୟରେ  ବ୍ୟବଧାନ   ଅଧିକ  ରଖିଲେ   ଗଛ  ପ୍ରଥମରୁ   ତେଜରେ  ବଢେ , ମୃତ୍ତିକାର  ଜଳୀୟ  ଅଂଶ   ଶୀଘ୍ର   ସରିଯାଏ   ଏବଂ  ଜନନ   ଅବସ୍ଥାରେ  ଫସଲକୁ   ଜଳ  ଅଭାବ  ପଡେ  ।

  • ଧାଡି  ଦିଗ
  • ଉତ୍ତର – ଦକ୍ଷିଣ   ଦିଗରେ   ଧାଡିକରି   ବୁଣିଲେ , ଫସଲକୁ  ଅଧିକ  ସୂର୍ଯ୍ୟାଲୋକ   ଓ  ଜଳ  ମିଳେ  ଏବଂ   ଅତ୍ୟଧିକ  ସୂର୍ଯ୍ୟାଲୋକ  ଯୋଗୁ  ଫସଲ  ନଷ୍ଟ  ହେବାର  ସମ୍ଭାବନା  କମ୍  ରହେ ।

  • ଅନ୍ତଃଚାଷ  ଓ  ତୃଣକ   ନିୟନ୍ତ୍ରଣ
  • ଅନ୍ତଃଚାଷର  ମୁଖ୍ୟ   ଲକ୍ଷ  ହେଲା  ତୃଣକ  ନିୟନ୍ତ୍ରଣ   । ତୃଣକ  ଫସଲ  ସହିତ   ଜଳ  ଓ  ପୋଷକ  ଉପାଦାନ  ପାଇଁ   ପ୍ରତିଯୋଗୀତା  କରେ   । ଦୁବ, ସୁଆଁ  ବିଶଲ୍ୟକରଣି  ଆଦି  କେତେକ  ତୃଣକର   ପ୍ରସ୍ଵେଦନାନୁପାତ  ଯଥାକ୍ରମେ  813, 674  ଓ 1002  ଅଟେ  ଅଥଚ   ମକା  ଓ  ଜୁଆରର  ପ୍ରସ୍ଵେଦନାନୁପାତ  ଯଥାକ୍ରମେ  352 ଓ  430  ଅଟେ  ।  ଏଣୁ  ଶୁଷ୍କ   ଜମିରୁ   ତୃଣକ   ନିୟନ୍ତ୍ରଣ   ପାଇଁ   ବିଶେଷ  ଧ୍ୟାନ  ଦେବା  ଆବଶ୍ୟକ   ।  ତୃଣକ  ନିୟନ୍ତ୍ରଣ   ସହିତ  ଅନ୍ତଃଚାଷ  ଯୋଗୁ  ମୃତ୍ତିକାର  ଉପରିଭାଗରେ   ଯେଉଁ  ଧୁଳିଛାଦି  ସୃଷ୍ଟି   ହୁଏ   । ମୃତ୍ତିକାରୁ  ବାଷ୍ପୀଭବନ  ହ୍ରାସ  କରେ  ଏବଂ ବର୍ଷା  ପାଣି  ପ୍ରବେଶ   ପାଇଁ  ମୃତ୍ତିକାର   ଉପରିଭାଗକୁ  ଉନ୍ମୁକ୍ତ   ରଖେ   ।

  • ରୋଗ  ନିୟନ୍ତ୍ରଣ
  • ରୋଗୀ   ଗଛର   ପ୍ରସ୍ଵେଦନ  ପରିମାଣ  ସୁସ୍ଥ ଗଛଠାରୁ  ଅଧିକ  ଅଟେ   । ଦେଖାଯାଇଛି  ଯେ   ରୁଗଣ  ବାର୍ଲି   ଗଛ   ସୁସ୍ଥ   ଗଛର  ଦୁଇଗୁଣ   ଜଳ   ପ୍ରସ୍ଵେଦନ   ଯୋଗୁ  ନଷ୍ଟ  କରେ   । ଏଣୁ   ଶୁଷ୍କ  ଚାଷରେ   ଫସଲର  ରୋଗ   ନିୟନ୍ତ୍ରଣ  ବିଶେଷ  ଆବଶ୍ୟକ   ।

  • ଛାଦି  କରଣ
  • ଛାଦିକରଣ   ଦ୍ଵାରା  ମୃତ୍ତିକାରୁ  ବାଷ୍ପୀଭବନ   ହ୍ରାସ   ପାଏ   । ଛୋଟ   ବର୍ଷାଋତୁ   ଏବଂ   ରବି  ଋତୁରେ   ଛାଦିକରଣ   ଅଧିକ  ଉପକାର  ମିଳେ   । ଧୂଳିଛାଦି  ବାଦ୍, ଫସଲର   ଅବଶେଶାଂଶ   କରତ  ଗୁଣ୍ଡ  ଏବଂ  ପଲିଥିନ   ଫର୍ଦ୍ଦକୁ   ଛାଦି   ରୂପେ   ବିନିଯୋଗ   କରାଯାଏ   ।

  • ଯୁକ୍ତିଯୁକ୍ତ  ସାର  ପ୍ରୟୋଗ
  • ଆମର  ଶୁଷ୍କ   ଜମିଗୁଡିକ   କେବଳ  ତୃଷାର୍ତ୍ତ   ନୁହେଁ   କ୍ଷ୍ୟୁଧାର୍ତ୍ତ  ମଧ୍ୟ   । ସାର   ପ୍ରୟୋଗ   ଶୁଷ୍କ   ଜମିରେ  ଫସଲର  ଜଳ  ବିନିଯୋଗ  ଦକ୍ଷତା  ବୃଦ୍ଧି  କରେ   । ଅପର  ପକ୍ଷରେ   ସାର  ପ୍ରୟୋଗ  ଯୋଗୁ  ଯଦି  ପ୍ରଥମାବସ୍ଥାରେ  ଜଳ  ପ୍ରୟୋଗ  ଅଧିକ  ହୋଇଯାଏ  ତେବେ  ସଂକଟ   କାଳ  ବେଳକୁ  ଅଭାବ  ପଡେ  ଏବଂ  ଉତ୍ପାଦନ  ହ୍ରାସ   ପାଏ   । ଏଣୁ  ଶୁଷ୍କ  ଜମିରେ  ମୃତ୍ତିକାର   ଜଳୀୟ  ଅଂଶ  ଓ  ସାର   ପରିମାଣ   ମଧ୍ୟରେ   ସମତୁଳନ   ରଖିବା   ଆବଶ୍ୟକ   ।  ମୃତ୍ତିକାର   ଉର୍ବରତା   ରକ୍ଷା   କରିବା   ପାଇଁ   କେବଳ   ରାସାୟନିକ  ସାର  ଉପରେ   ନିର୍ଭର   ନକରି  ଗୋବର  ଖତ, ସବୁଜ  ସାର, ଜୈବ  ସାର  ଓ  ଫସଲର  ଅବଶୋଶ  ଆଦି  ପ୍ରୟୋଗ   କରିବା  ଉଚିତ  ଏବଂ  ଡାଲିଜାତୀୟ   ଫସଲ  ଚାଷ  ଆବଶ୍ୟକ   ।

  • ପ୍ରସ୍ଵେଦନ – ନିବାରକ  ବ୍ୟବହାର
  • କେତେକ  ରାସାୟନିକ  ପଦାର୍ଥ  ପତ୍ର  ଉପରେ   ପ୍ରୟୋଗ   କରିବା  ଦ୍ଵାରା  ପ୍ରସ୍ଵେଦନ  ହାର  କମ୍  ହୁଏ  ଏଣୁ   ଫସଲର  ଜଳ   ଆବଶ୍ୟକତା  ହ୍ରାସପାଏ   । ଏହି   ପ୍ରସ୍ଵେଦନ – ନିବାରକଗୁଡିକ   ମଧ୍ୟରୁ   କେତେକ   ପୂର୍ଣ୍ଣ  ଛିଦ୍ର  ବନ୍ଦ  କରିଦିଅନ୍ତି  ଯଥା : ଆଟ୍ରାଜିନ, ସୋଡିଅମ  ଆଜାଇଡ, ଇତ୍ୟାଦି  କେତେକ   ପତ୍ରର   ଉପରିଭାଗ  ଓ  ପୂର୍ଣ୍ଣଛିଦ୍ର   ଉପରେ   ଆବରଣ   ସୃଷ୍ଟି   କରନ୍ତି   ଯଥା : ମରିମ, ପ୍ଲାଷ୍ଟିକ  ଇତ୍ୟାଦି ଓ  ଆଉ   କେତେକ   ସୂର୍ଯ୍ୟାଲୋକକୁ  ପ୍ରତିଫଳନ   କରି  ଗଛର   ତାପମାତ୍ରା   ହ୍ରାସ  କରନ୍ତି   ଯଥା  :  କେଓଲିନାଇଟ   ।

ଜଳ  ଅମଳ  ଓ  ପୁନର୍ବିନିଯୋଗ

ଶୁଷ୍କ  ଜମିର   ଉତ୍ପାଦନ  ବୃଦ୍ଧି  କରିବା   ପାଇଁ ଏବଂ   ଉତ୍ପାଦନରେ  ସ୍ଥିରତା  ଆଣିବା   ପାଇଁ  ମିଳୁଥିବା  ଜଳର   ସଦ୍ ବିନିଯୋଗ  ଏକାନ୍ତ  ଆବଶ୍ୟକ   । ସେଥିପାଇଁ  ବର୍ଷା  ହେଉଥିବା  ଜମିରେ   ଜଳ  ସଂରକ୍ଷଣ   ପ୍ରଥମ  କର୍ତ୍ତବ୍ୟ   । ଆଗରୁ   ବର୍ଣ୍ଣନା   କରାଯାଇଥିବା   ମୃତ୍ତିକା  ପରିଚାଳନା  ପଦ୍ଧତି  ଦ୍ଵାରା  ସ୍ଵ - ସ୍ଥାନେ   ଜଳ  ସଂରକ୍ଷଣ   କରାଯାଇପାରିବ   । ଏହି  ପଦ୍ଧତିଗୁଡିକ  ସତ୍ତ୍ୱେ   ବି’  ଅପବାହ   ଯୋଗୁ   ଶତକଡା  ୧୦ – ୪୦  ଭାଗ  ବର୍ଷାଜଳ   ନଷ୍ଟ  ହୁଏ   । ଏହି  ଅପବାଦର  କିଛି  ଅଂଶ  ଜମି   ବାହାରେ  କଟା  ବା  ପୋଖରୀରେ   ସଂଗ୍ରହ  କରି  ବର୍ଷା  ଛାଡିଯାଇ  ମରୁଡି   ପଡିଲେ   ଫସଲର  ଜୀବନ  ବଞ୍ଚାଇବା   ପାଇଁ  ପ୍ରୟୋଗ   କରାଯାଇପାରିବ   ଏବେ  ବଳକା  ପାଣିକୁ   ବିନିଯୋଗ   କରି  ଦ୍ଵିତୀୟ   ଫସଲ  ଚାଷ  କରିହେବ   ।

ଆକସ୍ମିକ   ବିପତ୍ତି  ପାଇଁ   ଯୋଜନା

ବର୍ଷାଧାର ଜମିର   ଫସଲ  ଉତ୍ପାଦନରେ  ସ୍ଥିରତା   ଆଣିବା  ପାଇଁ   ଯେଉଁସବୁ   ପଦ୍ଧତି   ବର୍ଣ୍ଣନା   କରାଯାଇଛି   ।ତା  ସତ୍ତ୍ୱେ  ବି  ଅନିୟମିତ   ସାର   ଯୋଗୁ  ଫସଲ  ନଷ୍ଟ   ହେବାର  ସମ୍ଭାବନା  ସର୍ବଦା   ରହିଛି   । ଏଣୁ  ସମ୍ଭାବ୍ୟ  ବିପତ୍ତି   ପାଇଁ  ଯୋଜନା  କରିବା  ଆବଶ୍ୟକ   । ଉଦାହରଣ   ସ୍ୱରୂପ   ଅତ୍ୟଧିକ  ସ୍ୱଳ୍ପ   ବର୍ଷା   ଯୋଗୁ   ଫସଲ   ଯଦି  ଠିକ୍  ସମୟରେ   ବୁଣାଯାଇ  ନପାରେ   ତେବେ  ଡେରି   ବୁଣା  ପାଇଁ  ବିକଳ୍ପ   ଫସଲ  ନେବା   ଉଚିତ   । ବୁଣା  ପରେ  ପରେ   ମରୁଡି   ଯୋଗୁଁ   ଫସଲ  ଆଂଶିକଭାବେ  ନଷ୍ଟ   ହୋଇଗଲେ  ଆବଶ୍ୟକତାଠାରୁ  କମ୍  ଗଛ  ନ  ରଖି  ଫସଲକୁ  ଭାଙ୍ଗିଦେଇ  ପରବର୍ତ୍ତୀ  ବର୍ଷା  ପରେ  ଆଉଥରେ   ବୁଣିବା   ଉଚିତ   । ଫସଲର  ବର୍ଦ୍ଧନ  ଅବସ୍ଥାରେ  ମରୁଡି  ପଡିଲେ  କିଛି  ଗଛ   କାଟି   ନେଇ   ଗଛ  ସଂଖ୍ୟା  ପତଳା   କରିଦେବା   ଉଚିତ   ।  ମରୁଡି   ଦ୍ଵାରା  ଆକ୍ରାନ୍ତ  ଜୁଆର   ଫସଲକୁ   ଯେପରି  ସେପରି   ନାଛାଡି   ମୂଳୀ  ରଖିଲେ   ଅଧିକ   ଆଦାୟ   ମିଳେ   । ଡେରି   ମରୁଡି   ଯୋଗୁ   ପ୍ରଥମ   ଫସଲ  ସମ୍ପୂର୍ଣ୍ଣ   ନଷ୍ଟ  ହୋଇଗଲେ   ଉପଯୁକ୍ତ  ଦ୍ଵିତୀୟ   ଫସଲ   ସହଳ   ବୁଣିବା   ଉଚିତ   ।

ଆଧାର  - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top