କୌଣସି ଜମିରେ ପ୍ରତିବର୍ଷ ବିଭିନ୍ନ ଫସଲର ପର୍ଯ୍ୟାୟକ୍ରମିକ ଚାଷକୁ ଫସଲ ଚାଷ ପଦ୍ଧତି କୁହାଯାଏ । ଫସଲ ଚାଷ ପଦ୍ଧତି ବା ରୀତି ଫାର୍ମର ସମ୍ବଳ, ଅନ୍ୟାନ୍ୟ ଫାର୍ମ ଉଦ୍ୟୋଗ ଏବଂ ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳ ଫାର୍ମର ସମ୍ବଳଗୁଡିକ ହେଲା ଜମି, ଶ୍ରମିକ , ଜଳ, ଅର୍ଥ ଏବଂ ଅନ୍ୟ କୃଷି ଉପକରଣ । ଜମି ସୀମିତ ଥିଲେ ମିଳୁଥିବା ଜଳ ଏବଂ ଶ୍ରମିକମାନଙ୍କର ପୂର୍ଣ୍ଣ ବିନିଯୋଗ ପାଇଁ ସଘନ ଫସଲ ପଦ୍ଧତି ଅନୁସୃତ ହୁଏ । ଯଥେଷ୍ଟ ପରିମାଣରେ ଏବଂ ଶସ୍ତାରେ ଶ୍ରମିକ ମିଳୁଥିଲେ ଫସଲ ପଦ୍ଧତିରେ ଅଧିକ ଶ୍ରମିକ ଆବଶ୍ୟକ କରୁଥିବା ପନିପରିବା ଫସଲକୁ ସ୍ଥାନ ଦିଆଯାଏ । ଅର୍ଥର ଅସୁବିଧା ନଥିଲେ ଆଖୁ, ଆଳୁ, ହଳଦୀ ଆଦି ଅଧିକ ଅର୍ଥ ଆବଶ୍ୟକ କରୁଥିବା ଫସଲ ଚାଷ କରାଯାଏ । ବାର୍ଷିକ ବୃଷ୍ଟିପାତ 750 ମି.ମି. ରୁ କମ୍ ଥିଲେ ବର୍ଷକ ମଧ୍ୟରେ ଗୋଟିଏ ଫସଲ ଚାଷ କରାଯାଏ । ୭୫୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେଲେ ଦୁଇଟି ଫସଲ ଚାଷ କରାଯାଇପାରେ । ଜଳସେଚନ ସୁବିଧା ଥିଲେ ଏବଂ ଜଳବାୟୁ ଅନୁକୂଳ ଥିଲେ ବହୁ ଫସଲ ଚାଷ ପଦ୍ଧତି ଅନୁସୃତ ହୁଏ । ଫାର୍ମର ଅନ୍ୟାନ୍ୟ ଉଦ୍ୟୋଗ ଯଥା – ଗୋପାଳନ, କୁକୁଟ ପାଳନ ଇତ୍ୟାଦି ଫସଲ ପଦ୍ଧତିକୁ ପ୍ରଭାବିତ କରନ୍ତି । ଫାର୍ମର ଉଦ୍ୟୋଗ ମଧ୍ୟରେ ଗୋପାଳନ ସ୍ଥାନ ପାଇଲେ ଫସଲ ପଦ୍ଧତି ମଧ୍ୟରେ ଗୋ- ଖାଦ୍ୟ ଫସଲକୁ ସ୍ଥାନ ଦିଆଯାଏ । ପ୍ରଯୁକ୍ତି ବିଦ୍ୟାର ବିକାଶ ସହିତ ଫସଲ ପଦ୍ଧତିର ମଧ୍ୟ ପରିବର୍ତ୍ତନ ଘଟେ । ଆଗରୁ ବହୁ ଫସଲ ଚାଷ ତିନୋଟି ଫସଲର କ୍ରମାନ୍ଵୟ ଚାଷରେ ସୀମିତ ଥିଲା । ଏବେ କିନ୍ତୁ ରିଲେ ଫସଲ ଚାଷ ପଦ୍ଧତି ଅବଲମ୍ବନ କରି ବର୍ଷକ ମଧ୍ୟରେ ଗୋଟିଏ ଜମିରେ ୪ – ୫ ଟି ଫସଲ ଚାଷ କରାଯାଇପାରୁଛି । ସମ୍ବଳ ଏବଂ ପ୍ରଯୁକ୍ତି ବିଦ୍ୟାଭିତ୍ତିରେ ଅନୁସୃତ ହେଉଥିବା ବିଭିନ୍ନ ପ୍ରକାର ଫସଲ ପଦ୍ଧତିଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି ।
ଏକ ପଦ୍ଧତିରେ ଗୋଟିଏ ପ୍ରକାର ଫସଲକୁ ବର୍ଷ ପରେ ବର୍ଷ ଗୋଟିଏ ଜମିରେ ଚାଷ କରାଯାଏ । ଜଳବାୟୁ , ଜମି ପ୍ରକାର , ସାମାଜିକ ଓ ଆର୍ଥିକ ଅବସ୍ଥା ଏବଂ କୌଣସି ଫସଲରେ ବିଶେଷ ପାରଦର୍ଶିତା ହେତୁ ଏକ ପ୍ରକାର ଫସଲକୁ ପୌନଃ ପୌନିକ ଚାଷ କରାଯାଇଥାଏ । ଜଳାକ୍ରାନ୍ତ ଜମିରେ ଅନ୍ୟ କୌଣସି ଫସଲ ଚାଷ କରିବା ସମ୍ଭବ ହେଉ ନଥିବାରୁ ବର୍ଷ ପରେ ବର୍ଷ ଧାନ ଚାଷ କରାଯାଏ । ବିଶେଷ ପାରଦର୍ଶିତା ହେତୁ କେତେକ ଅଞ୍ଚଳରେ ବର୍ଷ ପରେ ବର୍ଷ ଗୋଟିଏ ଜମିରେ ଧୂଆଁପତ୍ର ଚାଷ କରାଯାଏ ।
କୌଣସି ଜମିରେ ଗୋଟିଏ କୃଷି ବର୍ଷ ମଧ୍ୟରେ ଗୋଟିଏ ଫସଲ ଚାଷ କରାଯାଉଥିଲେ ତାହାକୁ ଏକ ଫସଲ ଚାଷ କୁହାଯାଏ । ଉଦାହରଣସ୍ୱରୂପ ସ୍ୱଳ୍ପ ବୃଷ୍ଟିପାତ ହେଉଥିବା ବର୍ଷଧାର ଜମିରେ ଧାନ, ମକା, ଜୁଆର, ମାଣ୍ଡିଆ ତଥା ଚିନାବାଦାମ ବା ହରଡ ଯେ କୌଣସିଆ ଗୋଟିଏ ଫସଲ ଚାଷକରି ଅମଳ ପରେ ଜମି ପଡିଆ ରଖାଯାଏ ।
ଗୋଟିଏ କୃଷି ବର୍ଷ ମଧ୍ୟରେ ଗୋଟିଏ ଜମିରେ ଦୁଇଟି ଫସଲର କ୍ରମାନ୍ଵୟ ଚାଷକୁ ଦୋ ଫସଲି ଚାଷ କୁହାଯାଏ । ଯଥା ଧାନ, ମୁଗ, ମକା – ସୋରିଷ , ମାଣ୍ଡିଆ – କୋଳଥ, ନଳିତା – ବିରି । ଏହି ଫସଲ ପଦ୍ଧତିରେ ଫସଲ ସଘନତା ୨୦୦ ପ୍ରତିଶତ ହୋଇଥାଏ ।
ଗୋଟିଏ କୃଷି ବର୍ଷ ମଧ୍ୟରେ ଗୋଟିଏ ଜମିରେ କ୍ରମାନ୍ଵୟରେ ଦୁଇରୁ ଅଧିକ ଫସଲ ଚାଷ କରିବାକୁ ବହୁ ଫସଲି କୁହାଯାଏ । ଯଥା : ଧାନ – ଆଳୁ – ରାଶି , ଧାନ – ଗହମ – ମୁଗ , ଧାନ – ସୋରିଷ – ଧାନ, ନଳିତା – ଧାନ – ଆଳୁ , ବୋଇତାଳୁ – ମୂଳା – ଫୁଲକୋବି – ଭେଣ୍ଡି, ଭେଣ୍ଡି – ଫୁଲକୋବି – ଉଲକୋବି - ବୋଇତାଳୁ । ବହୁ ଫସଲି ଚାଷକରି ଫସଲ ସଘନତା ୨୦୦ ପ୍ରତିଶତରୁ ଅଧିକ ହୋଇଥାଏ ।
ଏହି ପଦ୍ଧତିରେ ଫସଲଗୁଡିକୁ କ୍ରମାଗତଭାବରେ ଚାଷ କରାଯାଏ । ପୂର୍ବ ଫସଲ ଅମଳ ହେବା ପୂର୍ବରୁ ପରବର୍ତ୍ତୀ ଫସଲକୁ ଜମିରେ ବୁଣାଯାଏ କିମ୍ବା ତଳି ପକାଯାଏ । ଯାହାଦ୍ୱାରା ପୂର୍ବ ଫସଲ ଅମଳ ହେବା ସଙ୍ଗେ ସଙ୍ଗେ ଜମିକୁ ଆଦୌ ପଡିଆ ନରଖି ପରବର୍ତ୍ତୀ ଫସଲକୁ ରୁଆ ଯାଇପାରିବ । ଏହି ଫସଲ ପଦ୍ଧତି ରିଲେ ଦୌଡ ସଙ୍ଗେ ସମାନ । ଗୋଟିଏ ଫସଲ ଅମଳ ପରେ ସମୟ ନଷ୍ଟ ନକରି ଅତିଶୀଘ୍ର ଜମିକୁ ପରବର୍ତ୍ତୀ ଫସଲକୁ ହସ୍ତାନ୍ତର କରାଯାଏ ଯଥା : ନଳିତା – ଧାନ , ସୋରିଷ – ପିଆଜ , ଧାନ – ଫୁଲକୋବି – ପିଆଜ । ପ୍ରଥମ ଉଦାହରଣରେ ନଳିତା କଟା ହେବା ପୂର୍ବରୁ ଧାନତଳି ପ୍ରସ୍ତୁତ ହୋଇସାରିଥାଏ ଏବଂ ସୋରିଷ ଅମଳ ହେବା ପୂର୍ବରୁ ପିଆଜ ତଳି ପ୍ରସ୍ତୁତ ହୋଇସାରିଥାଏ । ଏଣୁ ପୂର୍ବ ଫସଲ ଅମଳ ପରେ ଜମି ପଡିଆ ନରଖି ଅତିଶୀଘ୍ର ପରବର୍ତ୍ତୀ ଫସଲ ଲଗାଯାଏ । ସେହିପରି ଦ୍ଵିତୀୟ ଉଦାହରଣରେ ଧାନ କାଟିବା ପୂର୍ବରୁ ଫୁଲକୋବି ତଳି ଏବଂ ଫୁଲକୋବି ଅମଳ ହେବା ପୂର୍ବରୁ ପିଆଜ ତଳି ପ୍ରସ୍ତୁତ ହୋଇସାରିଥାଏ । ମକା – ସହଳ, ଆଳୁ – ଡେରି ଆଳୁ- ବୋଇତାଳୁ ମକା – ଆଳୁ – ପିଆଜ – ଭେଣ୍ଡି ମଧ୍ୟ ରିଲେ ଫସଲ ଚାଷର ଆଉ ଦୁଇଟି ଉଦାହରଣ । ପ୍ରଥମ ଉଦାହରଣରେ ଆଳୁ ଖୋଲିବା ପୂର୍ବରୁ ବୋଇତାଳୁ ଏବଂ ଦ୍ଵିତୀୟ ଉଦାହରଣରେ ଆଳୁକୁ ହୁଡା ଟେକିବା ପରେ ସିଆରରେ ପିଆଜ ଏବଂ ପିଆଜ ଖୋଲିବା ପୂର୍ବରୁ ଧାଡି ମଝିରେ ଭେଣ୍ଡି ଲଗାଯାଏ । ଅଣ – ଜଳସେଚିତ ଜମିରେ ଧାନ କାଟିବା ପୂର୍ବରୁ ବିରି, ମଟର, ଫେଶି, ଖେସାରି ଆଦି ଛାଟିବାକୁ ମଧ୍ୟ ରିଲେ ଫସଲ ଚାଷ କୁହାଯାଏ । ଏହି ପ୍ରକାର ଫସଲ ପଦ୍ଧତିକୁ ଆମ ରାଜ୍ୟରେ ଛଟା ଫସଲ କୁହାଯାଏ ।
ବହୁବର୍ଷୀ ବା ବହୁକାଟ ଫସଲରେ ମୂଳୀର ପୁନଃ ବଢୁଥିବା ଫସଲକୁ ମୂଳୀ ଫସଲ କୁହାଯାଏ । ଆଖୁ, ଜୁଆର, ବାଜରା, ଓଟ, ଧାନ, ବରସିମ, ନେପିଅର ଘାସ, ଗିନିଘାସ ଓ ଡଙ୍ଗରରାଣୀରେ ପ୍ରଥମ ଅମଳ ପରେ ମୂଳୀ ଫସଲ ରଖାଯାଇଥାଏ । କଟା ଯାଇଥିବା ମୂଳୀ ଅଂଶରୁ ନୂଆ ପିଲ ବା ଶାଖା ବାହାରି ପୁଣି ବଢେ ଓ କଟାଯାଇ ଅମଳ କରାଯାଏ । ଏ ପ୍ରକାର ଫସଲରେ ଚାଷ ଖର୍ଚ୍ଚ କମ୍ ଲାଗେ । ଚାଷ ଉପକରଣ କମ୍ ଆବଶ୍ୟକ ହୁଏ ଓ ଫସଲ ଅବଧି କମ୍ ହୁଏ ଏବଂ ଦିନ ପିଛା ଉତ୍ପାଦନ ଅଧିକ ମିଳେ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 2/17/2020