ବନ୍ୟା ଛାଡିଗଲା ପରେ ଏଭଳି ଚାଷ କରିବା ଦରକାର ଯାହା ଖୁବ୍ ଶୀଘ୍ର ବଢିପାରୁଥିବ ଓ ପୁଷ୍ଟି ଦୃଷ୍ଟିରୁ ସର୍ବଗୁଣ ସଂପନ୍ନ ହେବା ଦରକାର । ଏହି ପରିପ୍ରେକ୍ଷୀରେ ସଜନା ଚାଷ ଅତ୍ୟନ୍ତ ସମୟୋପଯୋଗୀ । ଏହାର ପତ୍ର ଓ ଛୁଇଁକୁ ତରକାରି କରି ଖିଆଯାଏ ।
ସଜନା ଛୁଇଁରେ ୮୭ ଭାଗ ଜଳୀୟଅଂଶ, ୨୫ ଭାଗ ପୁଷ୍ଟିସାର, ୪ ଭାଗ ଶ୍ଵେତସାର ଓ ୨ ଭାଗ ଖଣିଜ ଲବଣ ଥାଏ । ସଜନା ପତ୍ରରେ ଶତକଡା ୭୬ ଭାଗ ଜଳୀୟ ଅଂଶ, ୭ ଭାଗ ପୁଷ୍ଟିସାର, ୨ ଭାଗ ଖଣିଜ ଲବଣ ଓ ୧୩ ଭାଗ ଶ୍ଵେତସାର ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ସଜନା ପତ୍ର ଓ ଛୁଇଁ ସେବନ ବରଦାନ ସ୍ୱରୂପ । ଏହାର ପତ୍ରରେ ବହୁ ପରିମାଣରେ କ୍ୟାଲସିୟମ ଥାଏ ।
ସଜନା ମଞ୍ଜି ଓ ଡାଳଦ୍ଵାରା ବଂଶ ବିସ୍ତାର କରେ । ଜଫାନା, ସିଲେନ, ଚେମମୁରୁଙ୍ଗା ଆଦି ସଜନାର ଉନ୍ନତ କିସମ । ଏସବୁ ଚାଷକଲେ ଅମଳ ଭଲ ହୁଏ । ପିକେଏମ – ୧ ଲୋକପ୍ରିୟ ସଙ୍କର କିସମ । ମଞ୍ଜିରୁ ଚାରା କରି ଏହାକୁ ଲଗାଯାଏ । ଏକ ଏକର ଜମି ପାଇଁ ପ୍ରାୟ ୨୫୦ ଗ୍ରାମ ବିହନ ଆବଶ୍ୟକ ହୁଏ ଏବଂ ଏହି କିସମ ଲଗାଇବାର ୬ ମାସ ପରେ ଛୁଇଁ ହୁଏ । ସଜନା ଚାରା ପ୍ରସ୍ତୁତି କରିବାକୁ ପ୍ରାୟ ୧୦ ସେମି ଲମ୍ବ ୫ସେମି ଓସାରର ଜମି ମୁଣାରେ ମାଟି ଓ ଖତ ଭରି ଚାରା ପକାଇବାକୁ ହେବ । ପ୍ରାୟ ୪୦ଦିନ ପରେ ଚାରା ଗଛ ରୂଆଯାଏ । ଆଡିକୁ ଆଡି ଓ ପଛକୁ ପଛ ୨୫ ମିଟର ଦୂରତାରେ ଚାରା ରୁଆଯାଏ ।
ଏଥିପାଇଁ ମନ୍ଦା ପ୍ରାୟ ୪୫ସେମି ମିଟର ଲମ୍ବ ଓସାର ଓ ଗଭୀରତା ହେବା ଉଚିତ । ଏକ ଏକର ଜମି ପାଇଁ ପ୍ରାୟ ୬୫୦ ଗଛ ଲାଗିଥାଏ । ଗଛ ଲଗାଇବା ସମୟରେ ଗତା ପ୍ରତି ୧୫ କିଗ୍ରା ଖତ ଦେବାକୁ ହେବ । ଏଥିପାଇଁ ଗାତ ପ୍ରତି ୫୦ଗ୍ରାମ ଡିଏପି, ୧୦୦ ଗ୍ରାମ ସ୍ୟୁଟ ଅଫ୍ ପଟାସ ପ୍ରୟୋଗ କରିବାକୁ ପଡେ । ୮ -୧୦ ଦିନ ପରେ ୬୦ ଗ୍ରାମ ୟୁରିଆ ଦେବାକୁ ହେବ । ଦୁଇମାସ ପରେ ଗଛ ପ୍ରତି ୮୦ଗ୍ରାମ ୟୁରିଆ ଓ ୧୦୦ ଗ୍ରାମ ମୁୟରେଟଅଫ୍ ପଟାସ ପ୍ରୟୋଗ କରିବାକୁ ପଡେ । ସାର ପ୍ରୟୋଗ କରି ଗଛ ମୂଳକୁ ହୁଡା ଟେକିବାକୁ ହେବ । ଛୋଟ ଅବସ୍ଥାରେ ଡାଳଗୁଡିକ ମଝିରେ ମଝିରେ କାଟିଦେଲେ ଗଛ ଝଙ୍କାଳିଆ ହୁଏ ଓ ଅଧିକ ଫୁଲ ଆସେ । ଗଛ ପାଖରେ ଖୁଣ୍ଟ ବା ବାଡି ପୋତିଦେଲେ ଗଛ ଭାଙ୍ଗିବାର ଆଶାଙ୍କାକୁ ଅନେକାଂଶରେ କମେଇ ଦିଆଯାଇପାରେ ।
ଶଁବାଳୁଆ ସଜନାର ମୁଖ୍ୟ ଶତ୍ରୁ । ଗଛମୂଳରେ କ୍ଲୋରୋପାଇରିଫସ ଦ୍ରବଣ ବୋଳିଦେଲେ ଏହାର ଆଶଙ୍କା ରହେନାହିଁ । ଗଛର ଫଳ ମାଛିଦ୍ଵାରା ଆକ୍ରାନ୍ତ ହୁଅନ୍ତି ଏବଂ ଏହା ଫଳର ରସ ଖାଇଦିଅନ୍ତି । ପ୍ରତି ଲିଟର ପାଣି ସହ ୧ ମିଲିଲିଟର ହିସାବରେ ନୂଭାନ ମିଶାଇ ଗଛରେ ସ୍ପ୍ରେ କଲେ ଏହାକୁ ଦମନ କରିହେବ ।
ସଂଗୃହିତ – ଡଃ ଶାଶ୍ଵତୀ ପଟ୍ଟନାୟକ ବୈଜ୍ଞାନିକ ( ଗୃହବିଜ୍ଞାନ), କୃଷି ବିଜ୍ଞାନ କେନ୍ଦ୍ର, ରାଣୀତାଲ, ଭଦ୍ରକ
Last Modified : 1/26/2020