ହୋମ / କୃଷି / ଉତ୍ତମ ଅଭ୍ୟାସ / ମେ ମାସ ୨୦୧୭ର କୃଷି ସୂଚନା
ସେଆର କରନ୍ତୁ

ମେ ମାସ ୨୦୧୭ର କୃଷି ସୂଚନା

ମେ ମାସ ୨୦୧୭ରେ କେଉଁ ପରିବା ଚାଷ ଓ କିପରି ପ୍ରାଣୀ ମାନଙ୍କର ଯତ୍ନ ନେବେ ସେ ସମ୍ବନ୍ଧୀୟ ତଥ୍ୟ ।

ଧାନ ଓ ଡାଲି ଜାତୀୟ ଫସଲ

ଡାଳୁଅ ଧାନର ଶତକଡ଼ା ୮୦ ରୁ ୮୫ ଭାଗ କେଣ୍ଡା ପାଚିଯାଇଥିଲେ ଧାନ କାଟି ଦିଅନ୍ତୁ । ଧାନ କାଟିବା ପୂର୍ବରୁ ଶେଷ ଥର ପାଇଁ ବିଲରେ ଥିବା  ମିଶା ଧାନ ବାଛନ୍ତୁ । ଧାନ କାଟିବାର ୭ ଦିନ ପୂର୍ବରୁ କିଆରିରୁ ପାଣି ଶୁଖାଇ ଦିଅନ୍ତୁ । ଧାନ ଅମଳ ପରେ ୩-୪ଟି ଟାଣ ଖରାରେ ଶୁଖାଇ ସାଇତି ରଖନ୍ତୁ । ଜମିର କିସମ ଅନୁସାରେ ଖରିଫ୍ ଧାନ ଚାଷ ପାଇଁ ଉପଯୁକ୍ତ ଅଧ୍ୟକ ଅମଳକ୍ଷମ ଧାନବିହନ ସଂଗ୍ରହ କରନ୍ତୁ ।

ଡାଲି : ମୁଗ ଓ ବିରି ଫସଲରେ ଛୁଇଁ୮୦ ରୁ ୮୫ ଭାଗ ପାକଳ ହୋଇଥିଲେ ଅମଳ କରିଦିଅନ୍ତୁ । ଅମଳ ପରେ ମଞ୍ଜିକୁ ଭଲ ଭାବରେ ଖରାରେ ଶୁଖାଇ ସାଇତି ରଖନ୍ତୁ । ଖରାଟିଆ ବିରି ଓ ମୁଗ ଫୁଲ ଫଳ ଅବସ୍ଥାରେ ଥିଲେ ହାଲୁକା ଜଳସେଚନ କରନ୍ତୁ ।

ନଳିତା ଓ ଆଖୁ ଜାତୀୟ ଫସଲ

ନଳିତା: ଏପ୍ରିଲ୍ ମାସରେ ବୁଣାଯାଇଥିବା  ନଳିତା ୧୫ ଦିନର ହୋଇଯାଇଥିଲେ କୋଡ଼ା ଖୁସା କରି ଘାସ ବାଛି ଦିଅନ୍ତୁ ଓ ଗଛ ବହଳିଆ ହୋଇଥିଲେ ଗଛକୁ ଗଛ ୮ ସେ.ମି. ରୁ ୧୦ ସେ.ମି. ରଖୁ ପତଳା କରିଦିଅନ୍ତୁ ।

ଆଖୁ : ଜଳସେଚନ ର ସୁବିଧା ଥିଲେ ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର (୬୫ କି.ଗ୍ରା.। ହେକ୍ଟର) ଜମିକୁ କୋଡ଼ାଖୋସା ଓ ହୁଡ଼ା ଚେକା ସମୟରେ ପ୍ରୟୋଗ କରନ୍ତୁ । ଜଳସେଚନର ସୁବିଧା  ନ ଥିଲେ, ପ୍ରଥମ ବର୍ଷା ପରେ ଏହି ତୃତୀୟ ଦଫା ଅନୁମୋଦିତ ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକିବେ ।

ତୈଳବୀଜ ଫସଲ

ରାଶି : ରାଶି ଫସଲରେ ଫୁଲ ଧରିବା ଓ ଫଳ ବୃଦ୍ଧି ସମୟରେ ଜଳସେଚନ କରନ୍ତୁ । ପତ୍ରମୋଡ଼ା ଓ ଫଳ ବିନ୍ଧା ପୋକ ଲାଗିଲେ ପ୍ରତି ଲିଟର ପାଣିରେ ୨, ମି.ଲି. ପ୍ରୋଫେନୋଫସ୍ କିମ୍ବା ୨ ମି.ଲି. କ୍ଲୋରୋପାଇରିଫସ୍ ୨୦ ଇ.ସି. ମିଶାଇ ପ୍ରୟୋଗ କରନ୍ତୁ । ତାଳପତ୍ର ଠାରୁ ଉପରକୁ ପତ୍ରଗୁଡ଼ିକ ହଳଦିଆ ପଡ଼ିଆସିଲେ ବା ଫଳ ଶୁଖୁଆସିଲେ ରାଶି ଅମଳ କରନ୍ତୁ ।

ଚିନାବାଦାମ: ଚିନାବାଦାମ, ଫସଲ ପାକଳ ହୋଇ ଅମଳ ଅବସ୍ଥାକୁ ଆସିଯାଇଥିଲେ ହାଲୁକା ଜଳସେଚନ ଦେଇ ଅମଳ କରନ୍ତୁ ।

ସୂର୍ଯ୍ୟମୁଖୀ : କଳଙ୍କି ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ବେନୋମିଲ୍ କିମ୍ବା ୩ ଗ୍ରାମ୍ ସାଫ୍ | ଟେବୁକୋନାଯୋଲ୍ ୧ ଗ୍ରାମ୍ ମିଶାଇ ପତ୍ର ସିଞ୍ଚନ କରନ୍ତୁ । ପତ୍ର ଚିତା ରୋଗ ଥିଲେ ମଧ୍ୟ ଏହି ରାସାୟନିକ ସିଞ୍ଚନ ଦ୍ଵାରା ନିୟନ୍ତିତ ହୋଇପାରିବ ।

  • ଫୁଲଶଢ଼ା ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ ୩ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ ।

ମସଲା ଜାତୀୟ ଫସଲ (ଅଦା ଓ ହଳଦୀ)

ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ । ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ ।

  • ଅନୁମୋଦିତ ଅଦା, କିସମ : ସୁରଭି, ସୁରୁଚି, ସୁପ୍ରଭା । ବିହନ ପରିମାଣ ହେକ୍ଟର ପ୍ରତି ୧୫ ରୁ ୧୭ କୁଇଣ୍ଟାଲ୍ ।
  • ଅନୁମୋଦିତ ହଳଦୀ କିସମ: ରଙ୍ଗ, ସୁରମା, ରୋମା, ରଶ୍ମି । ବିହନ ପରିମାଣ ହେକ୍ଟର ପ୍ରତି । ୨୦ ରୁ ୨୫ କୁଇଣ୍ଟାଲ୍।

ଲଗାଇବା ପ୍ରଣାଳୀ: ଏକ ମିଟର ଚଉଡ଼ା ଓ ୩୦ ସେ.ମି. ଉଚ୍ଚର ପଟାଳିମାନ କରନ୍ତୁ । ଦୁଇ ପଟାଳି ମଝିରେ ୩୦ ସେ.ମି. ଜଳ ନିଷ୍କାସନ ନାଲି ରଖନ୍ତୁ । ଉଚ୍ଚ ପଟାଳି ଯୋଗୁଁ ଜଳ ନିଷ୍କାସନ ସୁବିଧାଜନକ ହୋଇଥାଏ ।

ଅତିକମରେ ଲଗାଇବାର ଏକ ମାସ ପୂର୍ବରୁ ଜମି ପ୍ରସ୍ତୁତ କରି ଖରାପଡ଼ିବାକୁ ଦେଲେ ଭଲ। ପଟାଳି ଉପରେ ଧାଡ଼ିକୁ ଧାଡ଼ି, ୨୫ ସେ.ମି. ଓ ଗଛକୁ ଗଛ ୧୫ ରୁ ୨୦ ସେ.ମି. ବ୍ୟବଧାନ ରଖନ୍ତୁ । ୫ ସେ.ମି.) ଗଭୀର ସିଆର ରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ । ଶୁଖିଲା ପାଳ ବା ନଡ଼ା ବା ପତ୍ର ଦ୍ଵାରା ପଟାଳିକୁ ଆଚ୍ଛାଦନ (ମଲ୍‌ଚିଙ୍ଗ) କରି ଜଳସେଚନ କରନ୍ତୁ ।

ସାର ପ୍ରୟୋଗ - ଅଦା ଲଗାଇବା ବେଳେ ହେକ୍ଟର ପ୍ରତି ୧୦୦ କି.ଗ୍ରା. ଫସଫରସ୍ ଓ ୫୦ କି.ଗ୍ରା. ପଟାସ୍ ସାର ଆବଶ୍ୟକ ।

  • ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି ୩୦ କି.ଗ୍ରା.. ଫସଫରସ ଓ ୬୦ କି.ଗ୍ରା. ପଟାସ୍ ସାର ଆବଶ୍ୟକ ହୋଇଥାଏ।

ପନିପରିବା

ଖରାଟିଆ ପନିପରିବା ଫସଲରେ ଜଳସେଚନ ଓ ରୋଗପୋକ ନିୟନ୍ତ୍ରଣ ପ୍ରତି ଧାନ ଦିଅନ୍ତୁ ।

  • ଶାଗ, ଫସଲରୁ ଅଧିକ ଅମଳ ସକାଶେ ଜିଆଖତ ବ୍ୟବହାର କରି ମାଟିର ବ୍ରତର ଅନୁସାରେ ଜଳସେଚନ କରନ୍ତୁ ।
  • ତରଭୁଜ ଅମଳ ପରେ ଜଳସେଚନର ସୁବିଧା ଥିଲେ। ସେହି ଜମିରେ ଶାଗ, ପୋଇ, ବାଇଗଣ, ଗୁଆଁର, ଲଙ୍କା, ଭେଣ୍ଡି ଇତ୍ୟାଦି ଚାଷ କରନ୍ତୁ ।

ଖରାଦିନ ପଶୁପାଳନ

ଗୋପାଳନ : ଅଂଶୁଘାତ ପାଇଁ ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ । ଗୁହାଳକୁ ଥଣ୍ଡା ରଖବା ସହିତ ସଙ୍କର ଜାତୀୟ ଗାଈ ଓ ମଇଁଷିକୁ ଦିନରେ ଥରେ କିମ୍ବା ଦୁଇଥର ଗାଧୋଇ ଦିଅନ୍ତୁ । ଖାଦ୍ୟରେ ୩୦ ଗ୍ରାମ୍ ଖଣିଜ ଲବଣ ମିଶାଇ ପ୍ରତ୍ୟେକ ଦିନ ଖାଇବାକୁ ଦିଅନ୍ତୁ । ଦିନ ୧୦ଟା ପରେ ଗୋରୁଙ୍କୁ ବାହାରକୁ ଚରିବା ପାଇଁ ଛାଡ଼ନ୍ତୁ ନାହିଁ । ଜୁନ୍ ମାସରେ ବର୍ଷା ଆସିଯିବ ଓ ବର୍ଷାଋତୁରେ ସାହାଣ ଓ ବଜବଜିଆ ରୋଗ ଅଧିକ ହୁଏ । ତେଣୁ ବର୍ଷାଋତୁ ପୂର୍ବରୁ ମୋ' ମାସରେ ସମସ୍ତ ଗାଈ, ବଳଦ ଓ ମଇଁଷିଙ୍କୁ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ସାହାଣ ଓ ବଢବଢିଆ ରୋଗର ଟିକା ଦିଅନ୍ତୁ ।

ଛେଳି ଓ ମେଣ୍ଢା ପାଳନ : ଏମାନଙ୍କୁ ଥଣ୍ଡା ପରିବେଶରେ ରଖନ୍ତୁ । ଦିନ ୧୦ଟା ପରେ ପଡ଼ିଆକୁ ଚରିବାକୁ ଛାଡ଼ନ୍ତୁ ନାହିଁ । ପି.ପି.ଆର୍. ଟିକା, ଏଣ୍ଟାରୋଟକ୍ସେମିଆ ଓ ଛେଳି ବସନ୍ତ ଟିକା ଦିଅନ୍ତୁ । ପ୍ରତ୍ୟେକ ଦିନ ୫ ରୁ ୧୦ ଗ୍ରାମ୍ ଖଣିଜ ଲବଣ ମିଶ୍ରଣ ଖାଇବାକୁ ଦିଅନ୍ତୁ । ଛେଳି ଓ ମେଣ୍ଢା ଦିନସାରା ଚରିଲେ ମଧ୍ୟ ମୋ' ମାସରେ ଯଥେଷ୍ଟ ଘାସ ପାଆନ୍ତି ନାହିଁ । ତେଣୁ ପ୍ରତି ଛେଳି ବା ମେଣ୍ଢାକୁ ଓଜନ ହିସାବରେ ଏହି ମାସରେ ଦିନକୁ ୧୦୦ ରୁ ୨୦୦ ଗ୍ରାମ୍ ଦାନା ଦେବାର ବ୍ୟବସ୍ଥା କରନ୍ତୁ ।

କୁକୁଡ଼ା ଓ ବତକ ପାଳନ : କୁକୁଡ଼ା ଓ ବତକ ଘରକୁ ଶୁଖିଲା, ଥଣ୍ଡା ରଖନ୍ତୁ ଏବଂ  ମୁକ୍ତ ପବନ ଯିବା ଆସିବାର ସୁବିଧା କରନ୍ତୁ । ସନ୍ତୁଳିତ ଦାନା ତଥା ନିର୍ମଳ ଥଣ୍ଡା ପାଣି ଅଧିକ ପରିମାଣରେ ପିଇବାକୁ ଦିଅନ୍ତୁ । ଦିନକୁ ୨ ରୁ ୩ ଥର ପାଣି ବଦଳାନ୍ତୁ । ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ କୁକୁଡ଼ା ଘର ଜାଲିରେ ଓଦା ଅଖା, ଟାଣନ୍ତୁ । ଦୁଇ ମାସରୁ ଅଧିକ ସବୁ କୁକୁଡ଼ାଙ୍କୁ ଆର ଟୁ ବି. ଟିକା ଦିଅନ୍ତୁ।

ମାଛ ଚାଷ : ପୋଖରୀର ପାଣି ସ୍ତର କମିଗଲେ ପାଣି ଭର୍ତ୍ତି କରନ୍ତୁ । ଏକ ଏକର ବିଶିଷ୍ଟ ମାଛ ଚାଷ ପୋଖରୀରେ ପ୍ରତ୍ୟେକ ଦିନ ୩ କି.ଗ୍ରା. ୫୦୦ ଗ୍ରାମ୍ କାଣ୍ଡିଆ କୁଣ୍ଡା ଓ ୩ କି.ଗ୍ରା. ୫୦୦ ଗ୍ରାମ୍ ଚିନାବାଦାମ ପିଡ଼ିଆ ମିଶ୍ରଣକୁ ପୋଖରୀରେ ପ୍ରୟୋଗ କରନ୍ତୁ । ବର୍ଷିକିଆ ଯାଆଁଳ ଚାଷ ପାଇଁ ଆଗ୍ରହୀ ଚାଷୀମାନେ ପୋଖରୀକୁ ଶୁଖାଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ।

ବି.ଦ୍ର. - ଖରାଦିନିଆ ବର୍ଷାର ସଦୁପଯୋଗ କରି ମାଟି ବତର ଥିବା  ଅବସ୍ଥାରେ ଜମିକୁ ୨-୩ ଓଡ଼, ଖରାଟିଆ ଚାଷ କରନ୍ତୁ । ଏହାଦ୍ଵାରା ଅନିଷ୍ଟକାରୀ କୀଟର ଲାର୍ଭ ଓ ଅଣ୍ଡା ନଷ୍ଟ ହୋଇଯାଏ ଏବଂ ମାଟିର ଜଳଧାରଣ ଶକ୍ତି ବୃଦ୍ଧି ପାଏ ।

  • ଜମିରେ ଫସଲ ନ ଥିବା  ଅବସ୍ଥାରେ ନମୁନା ମାଟି ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇ ଦିଅନ୍ତୁ । ମାଟି ପରୀକ୍ଷା କରି ଅନୁମୋଦିତ ଖତ ଓ ସାର ବ୍ୟବହାର କରନ୍ତୁ ।
  • ରୂଆଧାନ ଫସଲ ପାଇଁ ସବୁଜ ସାର ଉଦ୍ଦେଶ୍ୟରେ ମେ ଦ୍ଵିତୀୟ ପକ୍ଷରେ ହେକ୍ଟର ପିଛା ୨୫ କି.ଗ୍ରା. ହିସାବରେ ଧଣିଚା ବିହନ ବୁଣନ୍ତୁ ।

ସଂଗୃହିତ - କୃଷି ବୈଷୟିକ ସୂଚନା କେନ୍ଦ୍ର, ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟି

2.95833333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top