ହୋମ / କୃଷି / ମତ୍ସ୍ୟପାଳନ / ସଘନ ସମଭାବାପନ୍ନ ମତ୍ସ୍ୟଚାଷ (ସମନ୍ଵିତ ମାଛଚାଷ )
ସେଆର କରନ୍ତୁ

ସଘନ ସମଭାବାପନ୍ନ ମତ୍ସ୍ୟଚାଷ (ସମନ୍ଵିତ ମାଛଚାଷ )

ମିଶ୍ରିତ ମାଛଚାଷରେ ଧାନ ଏବଂ ମାଛ, କୁକୁଡ଼ା ଏବଂ ମାଛ, ଗାଈ ଏବଂ ମାଛ, ବତକ ଏବଂ ମାଛଚାଷ ଏକା ସାଙ୍ଗରେ କରାଯାଇଥାଏ ।

ଆମ ଦେଶର ମାଛଚାଷୀମାନେ ମାଛଚାଷ ଅର୍ଥ ଠିକ୍ ଭାବରେ ବୁଝନ୍ତି ନାହିଁ । କେବଳ ଥରେ ମାଛ ଯାଆଁଳ ପୋଖରୀ ବା ଗାଡ଼ିଆରେ ଛାଡ଼ି ଦେଇ ବର୍ଷ ଛଅ ମାସ ବ୍ୟବଧାନରେ ସେଥିରୁ ଆମଦାନୀ କରିବାକୁ ମାଛଚାଷ କୁହାଯାଏ ନାହିଁ । ଏହା ଅନ୍ଧାରରେ ବାଡ଼ି ବୁଲେଇବା ସହ ସମାନ ଲାଭଜନକ ଭାବରେ ମାଛଚାଷ କରିବାକୁ ହେଲେ ଆପଣଙ୍କୁ ନୂଆ ନୂଆ ଧରଣର ମାଛଚାଷର ପଦ୍ଧତିକୁ ଅନୁସରଣ କରିବାକୁ ପଡ଼ିଥାଏ, ଯଥା : ବ୍ୟବହାରିକ ମାଛଚାଷ, ସଘନ ପ୍ରଣାଳୀରେ ମାଛଚାଷ ଅଥବା ମିଶ୍ରିତ ମାଛଚାଷ ଇତ୍ୟାଦି । ଉପରୋକ୍ତ ଚାଷ ପ୍ରଣାଳୀ ମଧ୍ୟରୁ ମିଶ୍ରିତ ମାଛଚାଷ ପ୍ରଣାଳୀ ଆଜି ଆମ ଦେଶରେ ବହୁତ ଭାବରେ କରାଯାଉଛି, ଏହାର କାରଣ ଆପଣ ଯଦି ମିଶ୍ରିତ ମାଛଚାଷ କରନ୍ତି ତେବେ ମାଛ ସଙ୍ଗେ ସଙ୍ଗେ ସେହି ସ୍ଥାନରୁ ଆପଣ ଏକାଧାରରେ ମାଛ, ମାଂସ, ଅଣ୍ଡା, ଦୁଗ୍ଧ, ପନିପରିବା, ଫଳ ଇତ୍ୟାଦି ପାଇପାରିବେ ।

ତେଣୁ ଆସନ୍ତୁ ବର୍ତ୍ତମାନ ମିଶ୍ରିତ ମାଛର ପ୍ରଣାଳୀ ବିଷୟରେ କିଛି ଅଧିକ ଜାଣିବା । ମିଶ୍ରିତ ମାଛଚାଷରେ ଧାନ ଏବଂ ମାଛ, କୁକୁଡ଼ା ଏବଂ ମାଛ, ଗାଈ ଏବଂ ମାଛ, ବତକ ଏବଂ ମାଛଚାଷ ଏକା ସାଙ୍ଗରେ କରାଯାଇଥାଏ ।

ମିଶ୍ରିତ ମାଛଚାଷର ଉଦ୍ଦେଶ୍ୟ

ଆପଣଙ୍କ ପୋଖରୀ ଚାରିପଟେ ଥିବା ବନ୍ଧରେ ସାଧାରଣତଃ ଆପଣ ଘାସ ଲଗାଇଥାନ୍ତି କାରଣ ବନ୍ଧ ଯଦି ଘାସ ଦ୍ଵାରା ଆବୃତ ହୋଇ ନଥାଏ ତେବେ ବନ୍ଧରୁ ମାଟି ଅତଡ଼ା ଖସିବା ସଙ୍ଗେ ସଙ୍ଗେ ମୃତ୍ତିକା କ୍ଷୟ ହୋଇଥାଏ । କିନ୍ତୁ ଏହି ଘାସ  ଆପଣଙ୍କର କୌଣସି ଦରକାରୀ କାମରେ ଆସେ ନାହିଁ, ଯଦି ଆପଣ କିଛି ଗାଈ ରଖନ୍ତି ତେବେ ଗାଈ ଘାସ ଖାଇବେ ଏବଂ ଗାଈର ଗୋବରକୁ ଆପଣ ପୋଖରୀରେ ଖତ ଭାବରେ ବ୍ୟବହାର କରିପାରିବେ । ଯଦି ପୋଖରୀ ବନ୍ଧରେ ଆପଣ ନଡ଼ିଆ, କାଜୁବାଦାମ, ଗୁଆ, ଅନ୍ୟାନ୍ୟ ପନିପରିବା ଲଗାନ୍ତି ତେବେ ଏକ ସଙ୍ଗରେ ଆପଣ ପୋଖରୀରୁ ପାଣି ଦେଇ ଗଛମାନଙ୍କୁ ବଢ଼ାଇପାରିବା ସଙ୍ଗେ ସଙ୍ଗେ ଏହାର ଫଳ ଇତ୍ୟାଦି ବିକ୍ରୀ କରି ଆପଣ ମାଛଛଡ଼ା ଆଉ ଦୁଇ ପଇସା ଅଧିକ ରୋଜଗାର କରିପାରିବେ । ମାଛଚାଷ ହେଉଥିବା ପୋଖରୀରେ ଜଳ, ଗେଣ୍ଡା, ଶାମୁକା ଇତ୍ୟାଦି ରୁହନ୍ତି, ଆପଣ ଯଦି କିଛି କୁକୁଡ଼ା ବା ବତକ ରଖିବେ ତେବେ ବତକମାନେ ପୋଖରୀ ପାଣିକୁ ସଫା ରଖିବା ସଙ୍ଗେ ସଙ୍ଗେ ସେମାନେ ପୋଖରୀରେ ମଳତ୍ୟାଗ କରନ୍ତି ଯାହା କି ସାର ରୂପରେ ବ୍ୟବହାର ହୋଇଥାଏ । ସାର ପକାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ ବା ପାରିଶ୍ରମିକ ଦେବାକୁ ହୋଇ ନଥାଏ ଏବଂ ତତ୍ ସଙ୍ଗେ ସଙ୍ଗେ ଏମାନଙ୍କର ଅଣ୍ଡା ବା ମାଂସ ଆପଣ ବିକ୍ରୟ କରିପାରିବେ । ଯଦି କୁକୁଡ଼ା ରଖନ୍ତି । ତେବେ କୁକୁଡ଼ାମାନଙ୍କୁ ପୋଖରୀରେ ବଢୁଥିବା ଗେଣ୍ଡା, ଶାମୁକା ଇତ୍ୟାଦି ଖାଇବାକୁ ଦିଅନ୍ତୁ । କୁକୁଡ଼ାର ମଳ ମଧ୍ୟ ଆପଣ ପୋଖରୀରେ ବ୍ୟବହାର କରି ଲାଭବାନ୍ ହେବେ । ତେଣୁ ମିଳିତ ମାଛଚାଷରେ ପଶୁଧନ ପାଳନରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଯଥା – ଗୋବର, ଛେଳିଲଣ୍ଡି, କୁକୁଡ଼ା ଖତ ପ୍ରଭୃତି ମାଛଚାଷ ପାଇଁ ଜୈବିକ ସାର । ରୂପେ ବ୍ୟବହାର ହୋଇ ପାରିବା ସଙ୍ଗେ ସଙ୍ଗେ ପୋଖରୀର ଜଳ ଓ ଜୈବିକ ଗୁଣ ସାରଯୁକ୍ତ ପଙ୍କକୁ ବିଭିନ୍ନ ଫସଲ ପାଇଁ ବିନିଯୋଗ କରାଯାଇପାରେ । ଏହାଦ୍ଵାରା ଆବର୍ଜନା ପୁନଃଚକ୍ରୀକରଣ ହୋଇ ଏକ ସୁସ୍ଥ ପରିବେଶ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ଏକକ ଆୟତନ ବିଶିଷ୍ଟ ଜମିରୁ ଅଧିକ ଅମଳ ମିଳିପାରିଥାଏ ।

ମାଛ ସହ ଧାନ ଚାଷ

ଭାରତ ବର୍ଷରେ ପ୍ରାୟ ୩.୧ ନିୟୁତ ହେକ୍ଟର ପରିମିତ ଉପକୂଳବର୍ତ୍ତୀ ଲୁଣି ଜମି ଅଛି ବୋଲି ଅଟକଳ କରାଯାଇଛି, ଯାହାକି ଉପକୂଳଠାରୁ ପ୍ରାୟ ୫୦ କିଲୋମିଟର ସ୍ଥଳଭାଗ ଭିତରକୁ ବିସ୍ତାର ଲାଭ କରିଅଛି । ଲୁଣି ଜୁଆର ପାଣି ସ୍ଥଳ ଭାଗରେ ଜମି ରହିବା ଏବଂ ତତ୍ ସହିତ ନଦୀ ମୁହାଣ, କେନାଲ ଓ ନଦୀ ଭିତରକୁ ସର୍ବଦା ସମୁଦ୍ର ଜଳର ପ୍ରବେଶ, ଉପରୋକ୍ତ ମାଟିର ଲବଣତାର ମୁଖ୍ୟ କାରଣ । ମାଟି ତଳର ଜଳସ୍ତର ସାଧାରଣତଃ କମ୍ ଗଭୀରରେ ଥାଏ ଓ ତାହା ବହୁ ପରିମାଣର ଦ୍ରବୀଭୂତ ଲବଣ ଧାଣ କରିଥାଏ । ଏହି ଭୂମଧ୍ୟସ୍ଥ ଲବଣ ମାଟି ଦ୍ଵାରା ଶୋଷି ହୋଇ ମାଟିର ଉପରି ଭାଗରେ ଆସି ଜମା ହୋଇଥାଏ । ତେଣୁ ବର୍ଷର ଶୁଖିଲା ଦିନମାନଙ୍କରେ ଏହି ମାଟି ବହୁତ ଲବଣାକ୍ତ ଥାଏ । ପ୍ରାୟ ସମୁଦାୟ ଉପକୂଳବର୍ତ୍ତୀ ଜମିଗୁଡ଼ିକ ବର୍ଷା ଉପରେ ନିର୍ଭର କରିଥାଏ ଓ ଏହି ଜମିରେ ବର୍ଷରେ କେବଳ ଗୋଟିଏ ଚାଷ କରାଯାଇଥାଏ । ମୁଖ୍ୟତଃ ବର୍ଷା ଦିନରେ ଏହି ମାଟିରେ ଲବଣ ଅଂଶ କମ୍ ଥାଏ ଓ ଖରିଫ୍ ଧାନ ଚାଷ କରାଯାଇଥାଏ । ବର୍ଷର ଅବଶିଷ୍ଟ ସମୟରେ ଅଧିକ ଲବଣ ଏବଂ ଜଳସେଚନର ଅଭାବ ଯୋଗୁଁ ଏହି ଜମିଗୁଡ଼ିକ ସାଧାରଣତଃ ଖାଲି ପଡ଼ିଥାଏ।

ପୁନଶ୍ଚ ଏହି ଧାନଜମି ଗୁଡ଼ିକରେ ଧାନଚାଷ ସଂପୂର୍ଣ୍ଣ ବର୍ଷାଜଳ ଉପରେ ନିର୍ଭର କରିଥାଏ ଓ ପ୍ରତି ବର୍ଷ ଆଶା ଜନକ ଅମଳ ହୋଇପାରେ ନାହିଁ । ଏକକାଳୀନ ଧାନ ଓ ମାଛଚାଷ କରିବାର ମୁଖ୍ୟ ଲକ୍ଷ୍ୟ ହେଉଛି, ଖରିଫ୍ ଧାନଚାଷରେ କ୍ଷତି ନଘଟାଇ ବର୍ଷରେ ଖାଲି ପଡୁଥିବା ସମୟରେ ଉପରୋକ୍ତ ମାଛଚାଷ କରିବା ।

ପଶ୍ଚିମବଙ୍ଗରେ ନଦୀମୁହାଣର ଉପରିଭାଗ ଓ ମଧ୍ୟଭାଗରେ ଯେଉଁଠାରେ ଜଳର ଲୁଣି ଅଂଶ କମ୍ ବା ମଧୁର ଜଳର ପ୍ରବେଶ ହେତୁ ଲୁଣି ଭାଗ କମ୍ ଥାଏ, ସେହି ଅଞ୍ଚଳ ଧାନ ଜମିମାନଙ୍କରେ ମାଛଚାଷ କରିବା ପଦ୍ଧତି ପ୍ରଚଳିତ । କେରଳର ପୋକାଲି ଚାଷ ଜମିରେ ଖରାଦିନେ ଖାଲି ପଡୁଥିବା ଜମିଗୁଡ଼ିକ କୃଷକମାନଙ୍କ ଦ୍ଵାରା ମାଛ  ଚାଷ ଦ୍ଵାରା ବିନିଯୋଗ କରାଯାଇଥାଏ । ଏହି ପ୍ରକାର ଚାଷରେ ବାର୍ଷିକ ପ୍ରାୟ ୩୦୦ ରୁ ୧୦୦୦ କି.ଗ୍ରା. ମାଛ ପ୍ରତି ହେକ୍ଟରରୁ ଆମଦାନୀ କରାଯାଇଥାଏ । ଏହି ଜମିଗୁଡ଼ିକରରେ ଖରିଫ ଋତୁରେ ମଧୁର ଜଳ ଚିଙ୍ଗୁଡ଼ିଚାଷ ମଧ୍ୟ କରାଯାଇଥାଏ । ଏହି ଚିଙ୍ଗୁଡ଼ିଚାଷ ଭେମ୍ବାନାଦ ହ୍ରଦ ଅଞ୍ଚଳରେ ଦେଖାଯାଇଥାଏ ଏବଂ ଏହାର ଆୟତନ । ପ୍ରାୟ ୫୦୦୦ ହେକ୍ଟର ଅଟେ ।

  • ଜମି ନିର୍ବାଚନ
  • ସାଧାରଣତଃ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକ ତଳିଆ ଅଞ୍ଚଳ ଅଟେ ଏବଂ ଏହା ସମୁଦ୍ର ପତ୍ତନ ଓ ସମୁଦ୍ର ପତ୍ତନଠାରୁ ୮ ମିଟର ଉଚ୍ଚରେ ଅବସ୍ଥିତ ଥାଏ । ଏହି ସମତଳ ଜମିଗୁଡ଼ିକୁ ଜୁଆର ପାଣିରୁ ରକ୍ଷା କରିବା ପାଇଁ ହିଡ଼ ବା ବନ୍ଧର ବ୍ୟବସ୍ଥା କରଯାଇଥାଏ । ଏକ ସମୟରେ ଧାନ ଓ ମାଛଚାଷ ହୋଇପାରିବା ଅଞ୍ଚଳଗୁଡ଼ିକ ସାଧାରଣତଃ ବର୍ଷାଜଳ ଉପରେ ନିର୍ଭର କରେ ଏବଂ ଚାରିପଟେ ହିଡ଼ ବା ବନ୍ଧଦ୍ଵାରା ଆବଦ୍ଧ ଥାଏ । ଜୁଆର ଓ ଭଟା ମଧ୍ୟସ୍ଥ ଢିପଜମିଗୁଡ଼ିକ ବ୍ରାକିସ୍ ଜଳରେ ମାଛଚାଷ । ପାଇଁ ଉପଯୋଗୀ ଅଟେ । କାରଣ ଏହି ଜମିଗୁଡ଼ିକରେ ମାଛଚାଷ ସମୟରେ ଜଳ ପରିବର୍ତ୍ତନ ସମ୍ଭବ ଅଟେ ଏବଂ ବର୍ଷାଋତୁରେ ଅଧିକ ଜଳ ନିଷ୍କାସନ କରାଯାଇପାରେ । କାରଣ ଅଧିକ ଜଳ ନିଷ୍କାସନ ଲବଣତା କମାଇଦିଏ । ଏହି ଜମିଗୁଡ଼ିକର ଆଡ଼ି ବନ୍ଧରେ ଥିବା ନାଳଗୁଡ଼ିକ ଜୁଆର ପାଣି ଓ ନିଷ୍କାସିତ ଜଳକୁ ନିୟନ୍ତ୍ରଣ କରେ । ସାଧାରଣତଃ ଏକ ମିଟରରୁ ଅଧିକ ଜୁଆର ପାଣି ମାଡୁଥିବା ଜମିଗୁଡ଼ିକ ଉପରୋକ୍ତ  ଧାନ ଓ ମାଛଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ।

    ମଧ୍ୟମ ଧରଣର ଖଦଖଦଡ଼ିଆ ମାଟି ଏହି ପ୍ରକାର ଚାଷ ପାଇଁ ଉତ୍କୃଷ୍ଟ ଅଟେ । କାରଣ ନିମ୍ନମାନର ଖଦଖଦଡ଼ିଆ ମାଟିର ଜଳଧାରଣ ଶକ୍ତି ସେହି ପରିମାଣରେ କମ୍ ଅଟେ । ପୁନଶ୍ଚ ଉଚ୍ଚ ଧରଣର ଖଦଖଦଡ଼ିଆ ମାଟି ମାଛ ଚାଷ ପରେ ଲବଣକ୍ଷୟକୁ ତ୍ଵରାନ୍ୱିତ କରେ । ତେଣୁ କାଦୁଆ ପଟୁ କିମ୍ବା ଦୋରସା କାଦୁଆ ପଟୁମାଟିକୁ ସାଧାରଣତଃ କାଦୁଆ ମାଟି ତୁଳନାରେ ପ୍ରାଧାନ୍ୟ ଦିଆଯାଇଥାଏ ।

    ଏହି ମାଟିରେ ମାଛଚାଷ ପରେ ଲବଣକ୍ଷୟ ପାଇଁ ଏବଂ ମୌସୁମୀ ଋତୁରେ ବାଷ୍ପୀକରଣ ପ୍ରକ୍ରିୟା ପାଇଁ ଅଧିକ ବର୍ଷା ଆବଶ୍ୟକ (ପ୍ରାୟ ୧୦୦୦ ମିଲିମିଟରରୁ ଅଧିକ) ।

    ପୁନଶ୍ଚ ଜମି ନିର୍ବାଚନ ପୂର୍ବରୁ ଉତ୍କୃଷ୍ଟ ମାଛ ଏବଂ ଚିଙ୍ଗୁଡ଼ି ବିହନର ସହଜ ଲଭ୍ୟତା ଏହି ଚାଷର ଆଉ ଏକ ପ୍ରଧାନ ମାନଦଣ୍ଡ ଅଟେ । ସହଜରେ ମିଳୁଥିବା ଏହି ଧରଣର ବିହନ ଅଧିକ ଉତ୍ପାଦନ ପାଇବାରେ ସାହାଯ୍ୟ କରେ ।

  • ଜମି ପ୍ରସ୍ତୁତିର ନକ୍‌ସା
  • ଧାନଜମିରେ ମାଛଚାଷ ପାଇଁ ଧାନ ଜମି ଗୁଡ଼ିକ ନବୀକରଣ ହେବା ଦରକାର । ଜମିରେ ପାଣି ରହିବା ପାଇଁ ଚାଷ ସମୟରେ ମାଛ ଓ ଚିଙ୍ଗୁଡ଼ି ଧାରଣ ପାଇଁ ଧାନ ଜମି ଚାରିକଡ଼େ ମାଟିରେ ହିଡ଼ ବା ବନ୍ଧ ନିର୍ମାଣ କରିବା ଅତ୍ୟନ୍ତ ଜରୁରୀ । ଏହି ବନ୍ଧର ଉଚ୍ଚତା, ଜମିର ଆକାର ଏବଂ ଜୁଆରର ଉଚ୍ଚତା ଉପରେ ନିର୍ଭର କରେ । ଜମିର ଭିତର ପଟେ ଏକ କେନାଲ ରହିବା ନିତାନ୍ତ ଜରୁରୀ ଅଟେ । ଏକ ହେକ୍ଟର  ପାଇଁ ଏକ କେନାଲ ଦୁଇ ମିଟର ଚଉଡ଼ା ଏବଂ ଏକ ମିଟର ଗଭୀର ହେବା ଦରକାର। କେନାଲର ଖନନ ପରେ ବାହାରିଥିବା ମାଟି, ଦିଆଯାଇଥିବା ବନ୍ଧର ଗଠନରେ କିମ୍ବା ସେହି ବନ୍ଧକୁ ମଜବୁତ କରିବାରେ ବିନିଯୋଗ କରାଯାଇଥାଏ । ଏହି କେନାଲ ବ୍ୟତୀତ ଆଉ ଦୁଇଟି ଏକ ମିଟର ଚଉଡ଼ା ବିଶିଷ୍ଟ ନାଳ ତିଆରି କରାଯିବା ଦରକାର ଯେପରିକି ଏହି ଦୁଇଟିଯାକ ନାଳ ମୁଖ୍ୟ ପରିସୀମାର କେନାଲକୁ ସଂଯୋଗ କରୁଥିବ। ଏହି ନାଳଗୁଡ଼ିକର ନିମ୍ନଦେଶ ବା ତଳଦେଶ ମୁଖ୍ୟ ପରି ସୀମା କେନାଲର ତଳଦେଶଠାରୁ ଉଚ୍ଚରେ ଥିବା ଆବଶ୍ୟକ, ଯେପରିକି ଲବଣକ୍ଷୟ ସମୟରେ ସମୁଦାୟ ଏହି ନାଳଗୁଡ଼ିକରୁ ସହଜରେ ନିଷ୍କାସିତ ହୋଇପାରିବ । ସମୁଦାୟ ପରିସୀମା କେନାଲ ଏବଂ ନାଳ ପରିମିତ ଜାଗା, ମୁଖ୍ୟ ଜାଗାର ୧୨% ହୋଇଥିବା ଦରକାର । ମାଛଚାଷ  ସମୟ ରେ ଜୁଆର ପାଣି ଜମି ଭିତରକୁ ପାଣି ଯୋଗାଇଥିବା କେନାଲ ସାହାଯ୍ୟରେ ପ୍ରବେଶ କରେ । ଧାନଜମି ଭିତରକୁ ଏହି ଜଳର ପ୍ରବେଶ ଗୋଟିଏ ବାକ୍ସ ଭଳି ଆଡ଼ିବନ୍ଦ ଦ୍ଵାରା ନିୟନ୍ତ୍ରିତ କରାଯାଏ ଯାହାକି କାଠ ନିର୍ମିତ କବାଟ ଦ୍ଵାରା ତିଆରି ଏବଂ ଜମି ପତ୍ତନଠାରୁ ୩୦ ସେଣ୍ଟିମଟର ଉଚ୍ଚରେ ଥାଏ । ଜୁଆର ସମୟରେ ପାଣିକୁ ଭେଲନ ଜାଲ ଏବଂ ବାଉଁଶପାତରେ ତିଆରି ମସିଣା ଦ୍ଵାରା ଛାଣି ସାରିଲା ପରେ ଜମିକୁ ନିଆଯାଏ । ଏହି ପ୍ରକାର ଛାଣିବା କାର୍ଯ୍ୟ ଅଦରକାରୀ ଜଳଜ ପ୍ରାଣୀଙ୍କ ପ୍ରବେଶରେ ବାଧା ସୃଷ୍ଟି କରିଥାଏ । ଭଟା ସମୟରେ ମୁଖ୍ୟ ଚାଷ ଜମିରୁ ଲବଣ କ୍ଷୟ ପାଇଁ, ଜଳ ନିଷ୍କାସନ ପାଇଁ ଏବଂ ଜଳ ପରିବର୍ତ୍ତନ ପାଇଁ ଆଉ ଗୋଟିଏ । ଆଡ଼ିବନ୍ଧ ମଧ୍ୟ ମୁଖ୍ୟ ଫିଡର କେନାଲକୁ ସଞ୍ଜାଗ କରିଥାଏ । ଏହି ଆଡ଼ିବନ୍ଧ ଗୁଡ଼ିକର ପରିଚାଳନା ପଦ୍ଧତି ଅତ୍ୟନ୍ତ ସାଧାରଣ । ପ୍ରତ୍ୟେକ ଆଡ଼ିବନ୍ଧରେ ଏକ ଶକ୍ତ କାଠର ବାକ୍ସ ଥାଏ ଯାହାକି ମାଟି ବନ୍ଧରେ ପ୍ରବେଶ କରିବା ପାଇଁ ଲମ୍ବ ହୋଇଥାଏ। ଏହି ବାକ୍ସର ପ୍ରବେଶ ଏବଂ ପ୍ରସ୍ଥାନ ପଥରେ କାଠର କବାଟ ଖଞ୍ଜା ହୋଇଥାଏ ଏବଂ ଏହା ଜଳର ପ୍ରବାହକୁ ନିୟନ୍ତ୍ରଣ କରେ । ମାଛଚାଷ ପାଇଁ ଧାନ ଜମିଗୁଡ଼ିକର ତତ୍ତ୍ଵାବଧାନ

    ଗୋଟିଏ ଫସଲ ହେଉଥିବା ଉପକୂଳବର୍ତ୍ତୀ ଲୁଣା ଜମିଗୁଡ଼ିକୁ ଗୋଟିଏରୁ ଅଧିକ । ଫସଲ ଉପୁଜାଇ ପାରିଲା ଭଳି ଜମିରେ ପରିବର୍ତ୍ତନ କରିବା ଆବଶ୍ୟକ । ଖରାଦିନରେ ଅଳ୍ପ ସମୟରେ ମଧୁର ଓ ଲୁଣି ମିଶା ପାଣିରେ ହୋଇପାରୁଥିବା ଦୃଷ୍ଟିରୁ ମାଛଚାଷ ଗୁରୁତ୍ଵପୂର୍ଣ୍ଣ ।

    ବର୍ଷା ଋତୁର ଠିକ୍ ପୂର୍ବରୁ ମଧୁର ଓ ଲୁଣିଜଳ ମିଶା ପାଣିର ପ୍ରବାହକୁ ବନ୍ଦ ରଖିବା ଉଚିତ୍ । ସେହି ସମୟରେ ଚାଷ କରାଯାଇଥିବା ଜଳଜ ପ୍ରାଣୀମାନଙ୍କୁ ଅମଳ କରାଯିବା ଉଚିତ୍ ଓ ସମୁଦାୟ ଜମିକୁ ବର୍ଷା ଜଳରେ ବୁଡ଼ାଇ ରଖିବା ଦରକାର । କାରଣ ବର୍ଷା ଜଳ ଜମିରୁ ଲବଣ କ୍ଷୟରେ ସାହାଯ୍ୟ କରେ । ବର୍ଷାଜଳ ପରିମାଣ ଅନୁସାରେ ମାଟିର ଲବଣତା ଦୃତ ଗତିରେ ହ୍ରାସ ପାଏ । ଅନୁରୂପ ମାଟିର ପୁନରୁଦ୍ଧାର ପରେ ଖରିଫ ଧାନର ତଳି ରୁଆଯାଏ । ଠିକ୍ ଏହି ସମୟରେ ଦ୍ଵିତୀୟ ଥର ଅମଳ ପାଇ ମଧୁର ଜଳର ଛୋଟ ମାଛଏବଂ ଚିଙ୍ଗୁଡ଼ି ଜମିରେ ଛଡ଼ାଯାଏ । ଫଳରେ ଏକ ସମୟରେ ଧାନ ଓ ମାଛ ଅମଳ ହୋଇଥାଏ । ସ୍ନାଟର ପରିମାଣ ଏହି ସମୟ ରେ ଜଳରେ କମିଯାଏ ମାତ୍ର ମାଟି ତଳେ ଓ ଉପରେ ବଢ଼ିଥିବା ପ୍ରାଣୀମାନଙ୍କର ପରିମାଣ ବଢ଼ିଯାଏ । ଏଣୁ ଏହି ମଧୁର ଜଳ ସମୟରେ ମାଟିରେ ବଢୁଥିବା ପ୍ରାଣୀମାନଙ୍କୁ ଖାଇଥିବା ମାଛ ଓ ଚିଙ୍ଗୁଡ଼ି ଚାଷ କଲେ ଅଧିକ ଅମଳ ମିଳିଥାଏ ।

    ସାଧାରଣତଃ ନଭେମ୍ବର ମାସରେ ଧାନ ଅମଳ କରାଯାଇଥାଏ । ମଧୁର ଜଳରେ ମାଛଚାଷ ଡିସେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଯାଇପାରେ । ଏହା ମଧୁର ଜଳ ମିଳିବା ଉପରେ ନିର୍ଭର କରେ । ଏହାପରେ ଜମିକୁ ସଂପୂର୍ଣ୍ଣ ଶୁଖାଇ ଦିଆଯାଏ । ଏବଂ ପରବର୍ତ୍ତୀ ମଧୁର ଓ କ୍ଷାର ମିଶ୍ରିତ ଜଳ ପାଇଁ ପ୍ରସ୍ତୁତ କରାଯାଏ ।

  • ଜମି ପ୍ରସ୍ତୁତି
  • ଜମି ପ୍ରସ୍ତୁତି ଦୁଇଟି କିସ୍ତିରେ କରାଯାଏ । ଥରେ ମଧୁର ଓ ଲୁଣି ମିଶା ଜଳରେ ମାଛ ଅମଳ ପାଇଁ ଏବଂ ଆଉଥରେ ଏକ ସମୟରେ ଖରିଫ ଧାନ ଓ ମଧୁର ମାଛ ଅମଳ ପାଇଁ କରାଯାଏ । ଖରାଦିନରେ ମାଛଚାଷ ପାଇଁ ଜମିକୁ ଖରିଫ ଅମଳ ପରେ ଶୁଖାଇ ଦିଆଯାଏ । ଯଦି ଦରକାର ପଡ଼େ ଅମ୍ନ ମାଟିକୁ ବଦଳାଇବା ପାଇଁ ଜମିରେ ଚୂନ ପ୍ରୟୋଗ କରାଯାଇଥାଏ ।

    ସାଧାରଣତଃ କୌଣସି ଅଜୈବ ସାର ପ୍ରୟୋଗ କରାଯାଏ ନାହିଁ । କିନ୍ତୁ ଯବକ୍ଷାରଜାନର ପରିମାଣ କମ୍ ଥିବା ମାଟିରେ ୟୁରିଆ ହେକ୍ଟର ପିଛା ୬୦ କେ.ଜି. ଅନୁସାରେ ପ୍ରୟୋଗ କରାଯାଇପାରେ । ଏହି ସମୟରେ କେନାଲ ଓ ନାଳଗୁଡ଼ିକରେ ଜୁଆର ପାଣି ଭର୍ତ୍ତି କରି ଦିଆଯାଇଥାଏ ଓ ଅତିକମ୍‌ରେ ୫ ସେଣ୍ଟିମିଟର ଉଚ୍ଚ ଜଳସ୍ତମ୍ଭ ଧାନ ଜମି ଉପରେ ରଖାଯାଏ । ଜମିରେ ଥିବା ଧାନ ଗଛର ଥୁଣ୍ଟା ଗୁଡ଼ିକ ପଚିଯାଇ ଏପରି ଫାଇଟନ୍ ଏବଂ ଡାଇଆଟମ୍ ବଢ଼ିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ପୁନଶ୍ଚ ପଚିଯାଇଥିବା ତାଳ ଜାତୀୟ ପତ୍ରକୁ ଜମିରେ ପକାଇବା ଦ୍ଵାରା ଏହି ଫେରିଫାଇଟନ ଗୁଡ଼ିକ ଅଧିକ ମାତ୍ରାରେ ବଢ଼ିଥାଆନ୍ତି । ପରିସୀମା କେନାଲ ଉପରେ କିଛି ନଡ଼ା ଓ ତାଳଜାତୀୟ ପତ୍ର ଛାଇ ସୃଷ୍ଟି କରିବା ପାଇଁ ପକା ହୋଇଥାଏ।

    ଫଳରେ ଖରାର ପ୍ରଭାବରେ ପ୍ରଚୁର ଗରମ ସମୟରେ ମାଛ ଓ ଚିଙ୍ଗୁଡ଼ିମାନେ ଏହି ଛାଇତଳେ ଆଶ୍ରୟ ନେଇଥାଆନ୍ତି ଏବଂ ଅନ୍ୟ ପ୍ରାଣୀମାନଙ୍କର ଖାଇଯିବା ଭୟରୁ  ନିଜକୁ ଲୁଚାଇଥାଆନ୍ତି । ଏହିପରି ଭାବରେ ଜମିଗୁଡ଼ିକ ମଧୁର ଓ ଲୁଣି ଜଳମିଶା ପାଣିରେ ମାଛଚାଷ ପାଇଁ ତିଆରି କରାଯିବା ଉଚିତ୍ ।

    ଖରାଦିନର ଅମଳ ପରେ ଏବଂ ବର୍ଷାଋତୁର ଠିକ୍ ପୂର୍ବରୁ ଜମିରୁ ଲୁଣିପାଣି ସଂପୂର୍ଣ୍ଣ ଭାବରେ ନିଷ୍କାସିତ କରାଯାଇଥାଏ । ମାଟିରୁ ଲୁଣି ଅଂଶକୁ ଧୋଇଦେବା ପାଇଁ ବର୍ଷାଜଳକୁ ପ୍ରବେଶ ପାଇଁ ଅନୁମତି ଦିଆଯାଏ ଏବଂ ଏହି ଜଳ ନାଳଗୁଡ଼ିକ ଜରିଆରେ ନଦୀ ମୁହାଣକୁ ଜୁଆର ସମୟରେ ଆଡ଼ିବନ୍ଧ ଦ୍ଵାରା ନିଷ୍କାସିତ ହୋଇଥାଏ । ଏହି ପ୍ରକ୍ରିୟା ମାଟିରୁ ଲବଣ କ୍ଷୟ ହେଲା ପର୍ଯ୍ୟନ୍ତ ବାରମ୍ବାର କରାଯାଇଥାଏ । ଭଲ ଲବଣ କ୍ଷୟ ପାଇଁ ଉପରିଭାଗର ମାଟିକୁ ରାମ୍ପି ଦିଆଯାଏ ଏବଂ ଛୋଟ ଛୋଟ ମାଟି ଗଦା କରିଦିଆଯାଏ । ଫଳତଃ ଲବଣକ୍ଷୟ ପ୍ରକ୍ରିୟା ତ୍ଵରାନ୍ୱିତ ହୋଇଥାଏ ଏବଂ ବର୍ଷାଜଳ ଅଧିକ ପରିମାଣରେ ମାଟିର ଉପରିଭାଗରେ କାର୍ଯ୍ୟ କରିପାରିଥାଏ ।

    ଉପକୂଳବର୍ତ୍ତୀ ଲୁଣି ଜମିରେ ଖରିଫ ଧାନ ଚାଷ ନିମନ୍ତେ ହେକ୍ଟର ପିଛା ୬୦ କି.ଗ୍ରା. ହାରରେ ଯବକ୍ଷାରଜାନ ଜାତୀୟ ସାର ପ୍ରୟୋଗ କରାଯାଇଥାଏ । ଏହି ସାର ସମୁଦାୟ ତିନିଭାଗ ହିସାବରେ ଦିଆଯାଏ ଯଥା ବୁଣିବା ବେଳେ, ଫୁଲ ଧରିବା ସମୟରେ ଓ ଖରିଫ ଫସଲ ସମୟରେ ପେରିଫାଇଟନ୍ ବଢ଼ିବା ପାଇଁ ଏବଂ ଚିଙ୍ଗୁଡ଼ିମାନଙ୍କୁ ଆଶ୍ରୟ ଦେବା ପାଇଁ କିଛି ବିହିତ ବ୍ୟବସ୍ଥାର ଦରକାର ନାହିଁ, କାରଣ ଏହି ସମୟରେ ଉପରୋକ୍ତ କାର୍ଯ୍ୟଗୁଡ଼ିକୁ ଧାନଗଛ ହିଁ କରିଥାଏ ।

  • ଖରିଫ ଋତୁରେ ଧାନ ଓ ମାଛଚାଷ
  • ସାଧାରଣତଃ ମାଟିର ଲବଣତା ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ଯୋଗୁ କମିଯାଏ । ଯେତେବେଳେ ଧାନଚାଷ ପାଇଁ ଉପଯୋଗୀ ହୁଏ କିଆରୀରେ ପ୍ରାୟ ଏକମାସର ଧାନତଳି ଲଗାଯାଏ । ଗଛରୁ ଗଛ ବ୍ୟବଧାନ ୧୫ x ୧୫ ସେ.ମି. ହେବା ଦରକାର । କେତେଗୁଡ଼ିଏ ଜାତିଆ ଧାନର ଚାଷ ପ୍ରଣାଳୀ ପାଣି ଓ ଲବଣତା ଅନୁସାରେ ତଳେ ଦିଆଗଲା ।

    ପାଣିର ଗଭୀରତା (ସେଣ୍ଟିମିଟର)

    ମାଟିର ଲବଣତା

    ଧାନର ପ୍ରକାର ଭେଦ

    ୧୫-୨୫

    ୫ ରୁ କମ୍

    ଜୟା, ମହାଶୂରୀ, ପଙ୍କଜ,

    ଆଇଆର-୮

    ୧୫-୨୫

    ୫ – ୮

    ସିଏଆର୍-୧, ୨,୩,

    ଏସ୍.ଆର୍-୨୬ ବି, ଲୁଣାବୋକ୍ତା

    ୧୫-୨୫

    ୮-୧୦

     

    ସି.ଏସ୍.ଆର୍– ୧, ୨,୩,

    ହାମିଟନ୍, ମାଟଲା, ଲୁଣାବୋକ୍ତା

    ୨୫-୨୦

    ୫ ରୁ କମ୍

     

    ଏସ୍.ଆର୍ ୨୬-ବି, କାମୋଟା

    ୨୫–୫୦

    ୫-୮

    ଲୁଣାବୋକ୍ରା, ହାମିଲଟନ୍, ମାଟଲା କାଲମୋଟା,

    ଏସ୍.ଆର୍.୨୬-ବି, ଏନ୍.ସି.୧୨୮୧

    ଧାନଗଛର ଚେର ଅଗଷ୍ଟ ଶେଷସୁଦ୍ଧା ହୋଇଗଲା ପରେ ସେପ୍ଟେମ୍ବର ମାସ ଆରମ୍ଭରୁ ୫-୧୫ ଗ୍ରାମ୍ ଓଜନର ମିରିକାଳି, ଲାବିଓବାଟା, ପଣ୍ଟିଅସ ସହିତ ମଧୁର ଚିଙ୍ଗୁଡ଼ି (ତିନି ଗ୍ରାମ୍ ଓଜନର) ଛଡ଼ାଯିବା ଉଚିତ । ଚିଙ୍ଗୁଡ଼ି ଓ ମାଛ ଛାଡ଼ିବାର ଅନୁପାତ (୨:୧) (ଦୁଇଭାଗ ଓ ଏକଭାଗ) ଉଭୟ ହେକ୍ଟର ପ୍ରତି ୨୫୦୦୦ ସଂଖ୍ୟାରେ ଛଡ଼ାଯାଏ । ଚାଷପାଇଁ କୌଣସି ସାର ପ୍ରୟୋଗ କରାଯାଏ ନାହିଁ । ସାଧାରଣତଃ କାଣ୍ଡିଆ କୁଣ୍ଡା ଓ ମହୁଲ ପିଡ଼ିଆ (୧:୧) ଚିଙ୍ଗୁଡ଼ି ଓ ମାଛମାନଙ୍କ ଓଜନର ଶତକଡ଼ା ୨ ଭାଗ ହିସାବରେ ପ୍ରତିଦିନ ଦିଆଯାଏ ଯଦ୍ଵାରା ଚିଙ୍ଗୁଡ଼ି ଓ ମାଛ ଭଲ ବଢ଼ିପାରିବେ । ଧାନ କଟାହେବା ପରେ ଡିସେମ୍ବର ମାସରେ ପାଣି କିଆରୀରେ ରହିପାରେ ନାହିଁ କାରଣ ବାଷ୍ପୀକରଣ ଦ୍ଵାରା କମିଯାଇଥାଏ । ତେଣୁ ଧାନକଟା ପରେ ମାଛ ଓ ଚିଙ୍ଗୁଡ଼ି ଧରିବା ଦରକାର ।

    ଆଦାୟ ପରିମାଣ - ଖରାଦିନ ମାଛଚାଷରେ ତିନିମାସରେ ହେକ୍ଟର ପ୍ରତି ୪୦୦-୬୦୦ କି.ଗ୍ରା. ଆମଦାନୀ ହୁଏ । ଖରିଫ ସମୟରେ ଚିଙ୍ଗୁଡ଼ି ଓ ମାଛ ଧାନ ସହିତ ତିନି ମାସରେ ୫୦୦-୬୦୦ କି.ଗ୍ରା. ଅମଳ ହୋଇଥାଏ ।

ମାଛଚାଷ ସହ ଦୁଧିଆଳୀ ଗାଈ ପାଳନ

ଏହି ପ୍ରଣାଳୀ ନିମିତ୍ତ ଏକ ଏକର ଜଳାୟତନ ବିଶିଷ୍ଟ ପୋଖରୀ ପାଇଁ ୩  ଗୋଟି ସଙ୍କର ଜାତୀୟ ଦୁଧିଆଳୀ ଗାଈ ସହ ସେମାନଙ୍କର ବାଛୁରୀ ଗୁଡ଼ିକୁ ହୁଡ଼ା ଉପରେ ଗୁହାଳ କରି ପାଳନ କରାଯାଇଥାଏ । ଗାଈମାନଙ୍କର ମଳମୂତ୍ର ଓ ଗୁହାଳ ଧୁଆ ପାଣି ନାଳି ସାହାଯ୍ୟରେ ପୋଖରୀ ଜଳକୁ ନିଷ୍କାସିତ କରାଯାଏ ଏବଂ ପୋଖରୀର ପଙ୍କ, ହୁଡ଼ା ଉପରେ ପକାଇ ହାତୀଆ, ବର୍ସିମ୍, ନାପିଅର୍, ଷ୍ଟାଇଲୋ ପ୍ରଭୃତି ଘାସ ଚାଷ କରାଯାଏ ଏବଂ ଏହି ଘାସକୁ ପ୍ରତିଦିନ ଗାଈ ପିଛା ୨୫ କି.ଗ୍ରା. ହିସାବରେ କାଟି ଖାଇବାକୁ ଦିଆଯାଇଥାଏ । ଏପରି ମାଛ ଚାଷ କରିବା ଦ୍ଵାରା ବର୍ଷକୁ ଏକର ପିଛା ୩,୦୦୦ ଲିଟର କ୍ଷୀର ଉତ୍ପାଦନ ହୋଇପାରିବା ସଙ୍ଗେ ସଙ୍ଗେ ୧୮ କ୍ଵିଣ୍ଟାଲ୍ ପର୍ଯ୍ୟନ୍ତ ମାଛ ଅମଳ ମିଳିଥାଏ ।

ମାଛଚାଷ ସହ ଛେଳି ପାଳନ

ଛେଳି ଲଣ୍ଡିରେ ଗୋବରଠାରୁ ଅଧିକ ପରିମାଣର ଯବକ୍ଷାରଜାନ ଓ ପଟାସ ଗୁଣସାର ରହିଥାଏ । ଏକ ଏକର ଜଳାୟତନ ବିଶିଷ୍ଟ ପୋଖରୀରେ ମାଛଚାଷ ପାଇଁ ହୁଡ଼ା ଉପରେ ୧୫-୧୬ ଗୋଟି ଛେଳି ପାଳନ କରାଯାଇଥାଏ । ପ୍ରତ୍ୟେକ ଦିନ ଏମାନଙ୍କର ମୁତ୍ରସହ ଲଣ୍ଡି ଗୁଡ଼ିକୁ ଗୁହାଳ ଧୁଆ ପାଣି ସହ ନାଳି ସାହାଯ୍ୟରେ ପୋଖରୀରେ ପକାଯାଇଥାଏ । ଛେଳିମାନଙ୍କୁ ପ୍ରତ୍ୟେକ ଦିନ ହୁଡ଼ାରେ ହେଉଥିବା ଘାସ, ଶାଗ ପତ୍ର, କୋବି ପତ୍ରକୁ କାଟି ଖାଇବାକୁ ଦିଆଯାଇଥାଏ । ଏହା ଛଡ଼ା । କୃତ୍ରିମ ଶୁଖୁ ସୁଷମ ଖାଦ୍ୟ ମଧ୍ୟ ଛେଳି ଖାଇବାକୁ ଦିଆଯାଏ । ଏହାଦ୍ଵାରା ଛେଳି ଦୁଗ୍ଧ ସହ ମାଂସ ଉତ୍ପାଦିତ ହୋଇପାରିବା ସଙ୍ଗେ ସଙ୍ଗେ ପୋଖରୀରେ ବିନା କୃତ୍ରିମ ମାଛଖାଦ୍ୟ ଓ ରାସାୟନିକ ସାର ପକାଯାଇ ଏକର ପିଛା ୧୫ କ୍ଵିଣ୍ଟାଲ୍ ପର୍ଯ୍ୟନ୍ତ ମାଛ ଅମଳ କରିହେବ ।

ମାଛଚାଷ ସହ ବତକ ପାଳନ

ବତକ ଗୁଡ଼ିକ ପୋଖରୀରୁ ସେମାନଙ୍କ ଆବଶ୍ୟକ ହେଉଥିବା ଦୈନିକ ଖାଦ୍ୟ ପରିମାଣର ତିନି ଚତୁର୍ଥାଂଶ ସଂଗ୍ରହ କରି ଖାଇ ବଢ଼ିଥାନ୍ତି । ଏଣୁ ମାଛଚାଷ ସହ ବତକ ପାଳନ କଲେ ଉଭୟ ପରସ୍ପରଠାରୁ ଉପକାର ପାଇ କମ୍ ଖର୍ଚ୍ଚରେ ଅଧିକ ଲାଭ ଦେଇଥାନ୍ତି । ଏକ ଏକର ଜଳାୟତନ ବିଶିଷ୍ଟ ମାଛଚାଷ ପୋଖରୀ ପାଇଁ ୧୦୦ ଗୋଟି ଦୁଇମାସିଆ ବତକ ଛୁଆ କିଣି ହୁଡ଼ା ଉପରେ ଝାଟିମାଟି ଘରେ କିମ୍ବା ପାଣି ଭିତରେ ଭାସମାନ ମଞ୍ଚା ଘରେ ରଖି ପାଳନ କରାଯାଇଥାଏ । ବତକ ସହ ମାଛଚାଷ କରାଯାଉଥିବା ପୋଖରୀରେ ଏକର ପିଛା ୮ ସେ.ମି.ରୁ ଉର୍ଦ୍ଧ୍ଵ ଆକାରର ୩୦୦୦ ସଂଖ୍ୟାର ବିଶୁଦ୍ଧ, ନୀରୋଗ, ଜାତିଆ ମିଶ୍ରିତ ମାଛ ଯାଆଁଳ ଛାଡ଼ିବାକୁ ପଡ଼ିଥାଏ । ଇଞ୍ଚକିଆ ଯାଆଁଳ ଛାଡ଼ିଲେ ଏହାକୁ ବତକ ଖାଇଯିବାର ସମ୍ଭାବନା ଅଧିକ ଥାଏ । ମାଛଚାଷ ପୋଖରୀ ନିକଟରେ ଯଦି ନର୍ସରୀ ବା ଇୟରଲିଙ୍ଗ୍ ପୋଖରୀ ଥାଏ, ତା ହେଲେ ତା ଉପରେ ଛିଣ୍ଡାଜାଲ ଆଚ୍ଛାଦିତ କରି ରଖିବା ଉଚିତ୍ । ବତକ ଗୁଡ଼ିକ ପୋଖରୀରେ ପହଁରୁଥିବା ଅବସ୍ଥାରେ ମଳତ୍ୟାଗ କରନ୍ତି । ଏହାଛଡ଼ା ଏମାନେ ପୋଖରୀରେ ପହଁରିବା ଦ୍ଵାରା ପାଣିରେ ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଥାଏ । ଏମାନେ ଖାଦ୍ୟ ସଂଗ୍ରହ ସମୟରେ ପୋଖରୀରେ ବୁଡ଼ି ପଙ୍କ କୁ ଥଣ୍ଟଦ୍ଵାରା ଘାଣ୍ଟିବା ଦ୍ଵାରା ପଙ୍କ ରେ ଆବଦ୍ଧ ଅବସ୍ଥାରେ ଥିବା ମୌଳିକ ଗୁଣସାର ଗୁଡ଼ିକ ଜଳସ୍ତରକୁ ଅପସାରିତ ହୋଇଥାଏ । ଏମାନେ  ପୋଖରୀରୁ ଛୋଟ ଛୋଟ ଉଦ୍ଭିଦ, ପୋକଜୋକ, ଗେଣ୍ଡା ପ୍ରଭୃତି ଖାଇ ପୋଖରୀ ଜଳ ପରିବେଶ ପରିଷ୍କାର ରଖିଥାଆନ୍ତି । ଏମାନଙ୍କ ମଳରେ ଥିବା ଅଧା ହଜମ ଖାଦ୍ୟକୁ ମାଛମାନେ ସିଧାସଳଖ ଖାଇଥାଆନ୍ତି । ଏହିଭଳି ସମନ୍ଦିତ ଚାଷରୁ ବର୍ଷକୁ ଏକର ପିଛା ୧୬ କ୍ଵିଣ୍ଟାଲ୍ ମାଛ, ୬୦୦୦ ଅଣ୍ଡା ଏବଂ ୨ କ୍ଵିଣ୍ଟାଲ ବତକ ମାଂସ ମିଳିଥାଏ । ଏଥିପାଇଁ ଚୂନ ବ୍ୟତୀତ ଅନ୍ୟ କୌଣସି ପୂରକ ଆହାର ବା ରାସାୟନିକ ସାର ପୋଖରୀରେ ପକାଇବାକୁ ପଡ଼ି ନଥାଏ ।

ମାଛଚାଷ ସହ କୁକୁଡ଼ା ପାଳନ

ପୋଖରୀ ହୁଡ଼ାରେ ତାର ଜାଲି ଦିଆ କାନ୍ଥ ସହ ଚାଳଛପର ଘରଟିଏ କରି ମାଂସଳ (ବ୍ରଏଲର) କିମ୍ବା ଅଣ୍ଡାଦିଆ (ଲେୟାର) କୁକୁଡ଼ା ପାଳନ କରାଯାଇପାରେ । ଏହି ଘର ଚଟାଣ ଉପରେ ୬ ଇଞ୍ଚ ବହଳର ଚଷୁ ବିଛାଇ ଦିଆଯାଏ । ଏହାପରେ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ୨ ମାସ ବୟସର ପ୍ରତିଷେଧକ ଟୀକାପ୍ରାପ୍ତ ଚିଆଁ ୨୦୦ ଗୋଟି ଏକ ଏକର ଜଳାୟତନ ବିଶିଷ୍ଟ ମାଛଚାଷ ପୋଖରୀ ପାଇଁ ପାଳନ କରାଯାଇଥାଏ । ଏମାନେ ୫ ମାସ ବେଳକୁ ଅଣ୍ଡାଦେବା ଆରମ୍ଭ କରିଥାନ୍ତି ଏବଂ ଦେଢ଼ବର୍ଷ ପର୍ଯ୍ୟନ୍ତ ଏମାନଙ୍କ ଅଣ୍ଡଦିଆ କ୍ଷମତା ଠିକ୍ ରୁହେ । ଏହାପରେ ଏମାନଙ୍କୁ ବିକ୍ରୟ କରିଦେବା ଉଚିତ୍ । ଯଦି ମାଂସଳ କୁକୁଡ଼ା ପାଳନ କରାଯାଏ, ତା ହେଲେ ଗୋଟିଏ ଥରରେ ଦିନିକିଆ ଚିଆଁ ୨୦୦ ଗୋଟି କିଣାଯାଇ ୪୫-୪୬ ଦିନ ପରେ ମାଂସ ପାଇଁ ବିକ୍ରୟ କରିଦିଆଯାଏ । ଏହିଭଳି ବର୍ଷକ ମଧ୍ୟରେ ୫ ଥର ମାଂସଳ କୁକୁଡ଼ା ପାଳନ କରି ବିକ୍ରୟ କରାଯାଇପାରେ । ଏହି କୁକୁଡ଼ା ଗୁଡ଼ିକ ପାଇଁ ବଜାରରେ ବିଭିନ୍ନ କମ୍ପାନୀ ଗୁଡ଼ିକର କ୍ରମ୍ବଲ ବା ଦାନାଦାର ଏବଂ ପେଲେଟ୍ ଖାଦ୍ୟ ମିଳୁଛି । ତାକୁ କିଛି ଅନୁମୋଦିତ ହାରରେ କୁକୁଡ଼ାଙ୍କୁ ଖାଇବାକୁ ଦିଆଯାଏ । ଏହାଛଡ଼ା ମାଂସଳ କୁକୁଡ଼ା ପାଇଁ ରାଣୀକ୍ଷେତ୍, କକ୍ସିଡିଓସିସ୍  ପ୍ରଭୃତି  ରୋଗ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଠିକ୍ ସମୟରେ ନିଆଯିବା ଉଚିତ୍ । କୁକୁଡ଼ା ଘରେ ବିଛା ଯାଇଥିବା ଚଷୁ । ଦୁଇମାସ ପରେ ଖତରେ ପରିଣତ ହୋଇଥାଏ । ସେଗୁଡ଼ିକ ସିଧାସଳଖ ପୋଖରୀରେ । ପକାଯାଇଥାଏ । ପୋଖରୀ ଜଳରେ ନେଳି ସୃଷ୍ଟି ହେଲେ ଏହି ଖତ ପକାଇବା ସ୍ଥଗିତ ରଖ ଏକର ପିଛା ୮୦ କି.ଗ୍ରା. କାର୍ବୋନେଟ୍ ଚୂନ ରାତିସାରା ବତୁରାଯାଇ ସକାଳେ ପ୍ରୟୋଗ କରିବାକୁ ପଡ଼ିଥାଏ । ଏହି ସମନ୍ୱିତ ଚାଷ ଦ୍ଵାରା ଚୂନ ବ୍ୟତୀତ । ଆଉ କୌଣସି କୃତ୍ରିମ ମାଛ ଖାଦ୍ୟ ବା ରାସାୟନିକ ସାର ନ ପକାଯାଇ ବାର୍ଷିକ ଏକର ପିଛା ୨୦ କ୍ଵିଣ୍ଟାଲ ପର୍ଯ୍ୟନ୍ତ ମାଛ ଅମଳ ମିଳିଥାଏ । ଏତଦ୍‌ବ୍ୟତୀତ ଅଣ୍ଡାଦିଆ କୁକୁଡ଼ା ପାଳନ କରାଯାଉଥିଲେ ଏକର ପିଛା ବର୍ଷକୁ ଅତିରିକ୍ତ ୨୮୦୦୦ ଅଣ୍ଡା ଓ  ୫୦୦ କି.ଗ୍ରା. କୁକୁଡ଼ା ମାଂସ ଏବଂ ମାଂସଳ କୁକୁଡ଼ା ପାଳନ କରାଯାଉଥିଲେ । ୧୫୦୦ କି.ଗ୍ରା. ପର୍ଯ୍ୟନ୍ତ କୁକୁଡ଼ା ମାଂସ ଆମଦାନୀ ମିଳିଥାଏ । ବର୍ତ୍ତମାନ ଅନେକ ଚାଷୀଭାଇ ପୋଖରୀ ହୁଡ଼ା ଉପରେ ଝାଟିମାଟି ଘରଟିଏ କରି ବିଭିନ୍ନ ରଙ୍ଗିନ୍ ପ୍ରଜାତିର କୁକୁଡ଼ା ଯଥା – ବନରାଜା, ଗ୍ରାମପ୍ରିୟ, କୃଷ୍ଣପ୍ରିୟ, ଗିରିରାଜ, ବ୍ଲାକ୍‌ରକ୍, କୋଡକନାଥ, ପ୍ରଭୃତିଙ୍କୁ ଉଭୟ ମାଂସ ଓ ଅଣ୍ଡା ପାଇଁ ପାଳନ କରୁଅଛନ୍ତି ।

ବିଭିନ୍ନ ପ୍ରକାର ସମନ୍ୱିତ ମାଛ ଚାଷର ଆୟ ବ୍ୟୟ ହିସାବ

  • ମାଛ ସହତ ଦୁଧିଆଳୀ ଗାଈ ପାଳନ (ବାର୍ଷିକ ଏକର ପିଛା)
  • ୧.

    ଖର୍ଚ୍ଚ

    ମାଛ ଚାଷରେ ଖର୍ଚ୍ଚ

    ଟ.୧୦,୦୦୦/-

    ତିନିଗୋଟି ସଙ୍କର ଗାଈ ମୂଲ୍ୟ

    ଟ.୩୬,୦୦୦/-

    ଘାସ ଚାଷ, ଗୋଖାଦ୍ୟ, ଔଷଧ

    ଟ.୨୫,୦୦୦/-

    ମଜୁରି ଓ ଅନ୍ୟାନ୍ୟ

    ଟ. ୪,୦୦୦ / -

    ମୋଟ

    ଟ.୭୫,୦୦୦/-

    ୨.

    ଆଦାୟ

    ୧୮୦୦ କି.ଗ୍ରା. ମାଛ

    ଟ.୯୦,୦୦୦/-

    ୩୦୦୦ ଲିଟର କ୍ଷୀର

    ଟ.୩୬,୦୦୦/-

    ମୋଟ

    ଟ. ୧,୨୬,୦୦୦/-

    ୩.

    ନିଟ୍ ଲାଭ : ଟ.୧,୨୬,୦୦୦ - ଟ.୭୫,୦୦୦ = ଟ.୫୧,୦୦୦/-

  • ମାଛ ସହିତ ବତକ ପାଳନ (ବାର୍ଷିକ ଏକର ପିଛ)
  • ୧.

    ଖର୍ଚ୍ଚ

    ମାଛ ଚାଷରେ ଖର୍ଚ୍ଚ

    ଟ.୧୦,୦୦୦/-

    ଶହେ ଗୋଟି ବତକ ଛୁଆର ମୂଲ୍ୟ

    ଟ. ୩,୦୦୦/-

    ବତକ ଦାନା (୩୬ କ୍ଵିଣ୍ଟାଲ)

    ଟ.୪୩, ୨୦୦/-

    ମଜୁରି ଓ ଅନ୍ୟାନ୍ୟ

    ଟ. ୩, ୮୦୦/-

    ମୋଟ

    ଟ.୬୦,୦୦୦/-

    ୨.

    ଆଦାୟ

    ୧୬୦୦ କି.ଗ୍ରା. ମାଛ

    ଟ.୮୦,୦୦୦/-

    ୨୦୦ କି.ଗ୍ରା. ବତକ ମାଂସ

    ଟ. ୮,୦୦୦/-

    ୬୦୦୦ ଗୋଟି ସଂଖ୍ୟାର ଅଣ୍ଡା

    ଟ.୧୮,୦୦୦ / -

    ମୋଟ

    ଟ.୧,୦୬,୦୦୦ / -

    ୩.

    ନିଟ୍ ଲାଭ : ଟ.୧,୦୬,୦୦୦ - ଟ.୬୦,୦୦୦ = ଟ.୪୬,୦୦୦/-

  • ମାଛ ସହିତ ମାଂସଳ କୁକୁଡ଼ା ପାଳନ (ବାର୍ଷିକ ଏକର ପିଛ)
  • ୧.

    ଖର୍ଚ୍ଚ

    ମାଛ ଚାଷରେ ଖର୍ଚ୍ଚ

    ଟ.୧୦,୦୦୦/-

    ଦିନିକିଆ ଚିଆଁର ଦାମ୍ (ପ୍ରତ୍ୟେକ ଥର ୨୦୦ ଚିଆଁ ହିସାବରେ ୫ ଥର)

    ଟ.୧୪,୦୦୦/-

    କୁକୁଡ଼ା ଦାନା ଓ ଔଷଧ

    ଟ.୬୦,୦୦୦/-

    ମଜୁରି ଓ ଅନ୍ୟାନ୍ୟ

    ଟ. ୬,୦୦୦/-

    ମୋଟ

    ଟ.୯୦,୦୦୦/-

    ୨.

    ଆଦାୟ

    ୨୦୦୦ କି.ଗ୍ରା. ମାଛ

    ଟ.୧,୦୦,୦୦୦/-

    ୧୫୦୦ କି.ଗ୍ରା. ମାଛ

    ଟ. ୭୫,୦୦୦/-

    ମୋଟ

    ଟ.୧,୭୫,୦୦୦/-

    ୩.

    ନିଟ୍ ଲାଭ : ଟ.୧,୭୫,୦୦୦ – ଟ.୯୦,୦୦୦ = ଟ.୮୫,୦୦୦/-

ଅଧିକ ଜାଣିବା ପାଇଁ  - "ଓୟୁଏଟି"

ସଂଗୃହିତ -

ମୂଳ ବିଷୟ ବସ୍ତୁ :

  • ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ
  • ଡଃ ରାଜେନ୍ଦ୍ର କୁମାର ରଥ
  • ଶ୍ରୀ ହେମନ୍ତ କୁମାର ସାହୁ

ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ, ରଙ୍ଗେଇଲୁଣ୍ଡା, ଗଞ୍ଜାମ

ସଂଶୋଧିତ ବିଷୟ ବସ୍ତୁ :

  • ଅମ୍ବିକା ପ୍ରସାଦ ନାୟକ ଏସ୍.ଏମ୍.ଏସ୍. (ମତ୍ସ୍ୟ ବିଜ୍ଞାନ) କୃଷି ବିଜ୍ଞାନ କେନ୍ଦ୍ର, ଭଦ୍ରକ, ରାଣୀତାଲ
3.05555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top