ହୋମ / କୃଷି / ମୃତ୍ତିକା / ଫସଲ ଉତ୍ପାଦନ (ମୃତ୍ତିକାର ଧର୍ମ )
ସେଆର କରନ୍ତୁ

ଫସଲ ଉତ୍ପାଦନ (ମୃତ୍ତିକାର ଧର୍ମ )

ମୃତ୍ତିକାର ଧର୍ମ ସମ୍ବନ୍ଧରେ ସୂଚନା ।

ଭୌତିକ ଧର୍ମ

ଦେଖିବା, ସ୍ପର୍ଶ ବା ଅନୁଭବ କରିବା ମାପିବା, ଓଜନ କରିବା, ପ୍ରଭୃତି ଭୌତିକ ପରୀକ୍ଷା ଦ୍ଵାରା ମୃତ୍ତିକାର ଭୌତିକ ଧର୍ମ ବା ଗୁଣ ନିରୂପଣ କରାଯାଏ ।

ମୃତ୍ତିକାର ରଙ୍ଗ

ମୃତ୍ତିକାର ରଙ୍ଗକୁ ପ୍ରଭାବିତ କରୁଥିବା ଉପାଦାନ ବା ପଦାର୍ଥ ଗୁଡିକ ହେଲା : କ୍ଵାର୍ଟଜ, ଫେଲଡସ୍ପାର ବକସାଇଟ – ଏଗୁଡିକ ଧଳା ବା ଫିକା ରଙ୍ଗ ପ୍ରଦାନ କରେ । ଜୈବିକ ପଦାର୍ଥ ଏବଂ ହ୍ୟୁମସ୍ – ଏହା କଳା ବା ଧୂସର ରଙ୍ଗ ପ୍ରଦାନ କରେ ।

ଲୌହ ଏବଂ ମାଙ୍ଗାନିଜ ଅକସାଇଡ – ଏହା ଲାଲ୍ ବାଦାମୀ କିମ୍ବା ହଳଦିଆ ରଙ୍ଗ ପ୍ରଦାନ କରେ।

ବିଭିନ୍ନ ମୃତ୍ତିକାରେ ଉପରୋକ୍ତ ରଙ୍ଗ ପ୍ରଦାନକାରୀ ପଦାର୍ଥଗୁଡିକର ପରିମାଣ ଓ ଅନୁପାତ ଭିନ୍ନ ଭିନ୍ନ ହୋଇଥିବାରୁ କେତେକ ମୃତ୍ତିକା ଧୂସର , କେତେକ କଳା , ଲାଲ , ବାଦାମୀ ଗେରୁଆ ବା ହଳଦିଆ ରଙ୍ଗ ଦେଖାଯାନ୍ତି । ଯେଉଁ ମୃତ୍ତିକାରେ ଅଧିକ ହ୍ୟୁମସ୍ ବା କାଲସିଅମ ହ୍ୟୁମେଟ୍ ଥାଏ ତାହା କଳା ଦେଖାଯାଏ । ଲୌହ ବା ଆଲୁମିନିୟମ ଅକସାଇଡ ଅଧିକ ଅନୁପାତରେ ଥିବା ମୃତ୍ତିକାର ରଙ୍ଗ ଶୁଷ୍କ ଅବସ୍ଥାରେ ଲାଲ ଏବଂ ଆର୍ଦ୍ର ଅବସ୍ଥାରେ ବାଦାମି ଓ ହଳଦିଆ ଦେଖାଯାଏ । ମୃତ୍ତିକା ଅବୟବରେ ବିଭିନ୍ନ ସ୍ତରର ରଙ୍ଗ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସୂକ୍ଷ୍ମ ହ୍ୟୁମସ୍ ଲୌହ ବା ଆଲୁମିନିୟମ ଅକସାଇଡ ଗାଢ ରଙ୍ଗ ପ୍ରଦାନକାରୀ ପଦାର୍ଥ ପତଳା ଆବରଣ ଭାବରେ ବାଲୁକା କର୍ଦ୍ଦମ ଏବଂ ଅନ୍ୟାନ୍ୟ ଖଣିଜ କଣିକା ଉପରେ ଲାଗି ରହିଥାଏ । ତେଣୁ ବାଲୁକା ଓ କର୍ଦ୍ଦମର ରଙ୍ଗ ସେହି ଆବରଣର ରଙ୍ଗ ଅନୁସାରେ କଳା ବା ଲାଲ ଦେଖାଯାଏ ।

ମୃତ୍ତିକା ବୟନ

ମୃତ୍ତିକାରେ ବାଲି , ପଟୁ ଓ କର୍ଦ୍ଦମର ଆପେକ୍ଷିକ ଅନୁପାତକୁ ତାହାର ବୟନ କୁହାଯାଏ । ସେହି ଅନୁପାତ ଭିତ୍ତିରେ ପ୍ରତ୍ୟକ ମୃତ୍ତିକାର ବୟନ ଶ୍ରେଣୀ ନିରୂପିତ ହୁଏ ।

ମୃତ୍ତିକାଗୁଡିକୁ ୩ଟି ମୁଖ୍ୟ ବୟନ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ଯଥା : -

  1. ବାଲିଆ ମାଟି
  2. ଏହି ଶ୍ରେଣୀର ମୃତ୍ତିକାରେ 70% ବା ତହିଁରୁ ଅଧିକ ବାଲିଥାଏ । ଏହି ମୃତ୍ତିକାଗୁଡିକୁ ହାଲୁକା ମୃତ୍ତିକା କୁହାଯାଏ , କାରଣ କର୍ଷଣ କରିବାକୁ ଅଳ୍ପ ବିନିଯୋଗ କରିବାକୁ ପଡେ । ଏହି ମୃତ୍ତିକା ଗୁଡିକ ହୁଗୁଳା ଏବଂ ସହଜରେ ଗୁଣ୍ଡ ହୋଇଯାଏ । ବାଲି ପରିମାଣ ବେଶି ଥିବାରୁ ଏଗୁଡିକ ଖଦଡିଆ ବା ରୁଗୁଡିଆ ଜଣାଯାନ୍ତି । ତେଣୁ ଏଗୁଡ଼ିକୁ ମୋଟାବୟନି ମୃତ୍ତିକା ମଧ୍ୟ କୁହାଯାଏ ।

  3. କର୍ଦ୍ଦମାକ୍ତ ମୃତ୍ତିକା ବା ମଟାଳିଆ ମାଟି
  4. ଏହି ପ୍ରକାର ମୃତ୍ତିକାରେ ଅତିକମ୍ ରେ 35% କର୍ଦ୍ଦମ ଥାଏ । ଅଧିକାଂଶ ସ୍ଥଳେ 40% ବା ତହିଁରୁ ଅଧିକ କର୍ଦ୍ଦମ ଥିବାର ଦେଖାଯାଏ । ଏଗୁଡ଼ିକୁ ଭାରି ମୃତ୍ତିକା ଏବଂ ସୂକ୍ଷ୍ମବୟନ ଶ୍ରେଣୀ ମୃତ୍ତିକା ମଧ୍ୟ କୁହାଯାଏ । ଏହି ମୃତ୍ତିକାଗୁଡିକୁ କର୍ଷଣ କରିବା ପାଇଁ ଅଧିକ ଆବଶ୍ୟକ ପଡେ ଏବଂ କର୍ଷଣ ସମୟରେ ମାଟି ଢେଲା ଉଠେ ଯାହା ସହଜେ ଗୁଣ୍ଡହୁଏ ନାହିଁ ।

  5. ଦୋରସା ମୃତ୍ତିକା
  6. ମୃତ୍ତିକାରେ ବାଲି ପଟୁ ଓ କର୍ଦ୍ଦମର ଅନୁପାତ ଏପରି ରହିଯାଏ ଯାହାଫଳରେ ମୃତ୍ତିକାର ହାଲୁକା ଓ ଭାରି ଗୁଣାବଳୀ ସେମାନଙ୍କ ଦ୍ଵାରା ସମଭାବରେ ପ୍ରଭାବିତ ହୁଏ । ଏହି ଶ୍ରେଣୀର ମୃତ୍ତିକାଗୁଡିକ ମଧ୍ୟମ ବୟନ ଶ୍ରେଣୀ ମୃତ୍ତିକା କୁହାଯାଏ । କାରଣ ଏଗୁଡିକ ବାଲିଆ ମାଟି ପରି ଏତେ ହାଲୁକା ବା ମଟାଳ ମାଟିପରି ଏତେ ଭାରି ନୁହଁନ୍ତି । ମୃତ୍ତିକାରେ ପ୍ରାୟ 45% ବାଲୁକା 35% ରୁ 40% ପଟୁ ଓ 51 ରୁ 20% କର୍ଦ୍ଦମ ରହିଥିଲେ ତାହା ଦୋରସା ଶ୍ରେଣୀଭୁକ୍ତ ହୁଏ ।

ପ୍ରତ୍ୟକ ମୁଖ୍ୟ ବୟନ ଶ୍ରେଣୀର କେତୋଟି ଉପବୟନ ଶ୍ରେଣୀ ଅଛି । ମୁଖ୍ୟ ବୟନ ଶ୍ରେଣୀ ଯେଉଁ ପ୍ରକାର କଣିକା ଗୋଷ୍ଠୀ ଦ୍ଵାରା ଅଧିକ ପ୍ରଭାବିତ ତାହା ମୁଖ୍ୟ ତାହା ମୁଖ୍ୟ ବୟନ ଶ୍ରେଣୀ ପୂର୍ବରୁ ସୂଚୀତ କରାଯାଇ ଉପବୟନ ଶ୍ରେଣୀକୁ ନାମିତ କରାଯାଏ ଯଥା : -

ମୁଖ୍ୟ ବୟନ ଶ୍ରେଣୀ

ବୟନ ଶ୍ରେଣୀ

(କ) ବାଲିଆ ମୃତ୍ତିକା

୧. ବାଲିଆ

୨. ଦୋରସା ବାଲିଆ

(ଖ) ଦୋରସା ମୃତ୍ତିକା

୩. ଦୋରସା

୪. ବାଲିଆ ଦୋରସା

୫. ପଟୁଦୋରସା

୬. ମଟାଳ ଦୋରସା

୭. ବାଲିଆ ମଟାଳ ଦୋରସା

୮. ପଟୁ ମଟାଳ ଦୋରସା

୯. ପଟୁ

(ଗ) ମଟାଳିଆ ମାଟି

୧୦. ବାଲିଆ ମଟାଳ

୧୧. ପଟୁ ମଟାଳ

୧୨. ମଟାଳ

ମୃତ୍ତିକାରେ ବାଲୁକା , ପଟୁ ଓ କର୍ଦ୍ଦମର ଶତକଡା ଭାଗ ନିରୂପଣ ପାଇଁ ବିଭିନ୍ନ ପ୍ରଣାଳୀ ରହିଛି । ସେଥିମଧ୍ୟରୁ ମୃତ୍ତିକା ହାଇଡ୍ରୋମିଟର ପ୍ରଣାଳୀ ସରଳ ଓ କମ୍ ସମୟ ସାପେକ୍ଷ । ମୃତିକାରେ ବାଲୁକା , ପଟୁ ଓ କର୍ଦ୍ଦମର ଶତକଡା ଭାଗ ନିରୂପଣ କଲାପରେ , ବୟନ ଶ୍ରେଣୀ ନିରୂପଣ ତ୍ରିଭୁଜ ସାହାଯ୍ୟରେ ସଠିକ୍ ବୟନ ଶ୍ରେଣୀ ନିର୍ଦ୍ଧାରଣ କରାଯାଏ । ଚିତ୍ର ନଂ ୧.୪ ରେ ବୟନ ଶ୍ରେଣୀ ନିରୂପଣ ତ୍ରିଭୁଜ ଦର୍ଶାଯାଇଛି ।

ଉଦାହରଣ – ଧରାଯାଉ ଗୋଟିଏ ମୃତ୍ତିକାରେ ବାଲୁକା ୪୦%, ପଟୁ ୨୫% ଓ କର୍ଦ୍ଦମ ୩୫% ଅଛି ।

ବାଲୁକା ୪୦% ନେଇ ଲମ୍ବରେଖା ଟାଣ

କର୍ଦ୍ଦମର ୩୫% ନେଇ ସମାନ୍ତରାଳ ରେଖା ଟାଣ

ଉଭୟ ରେଖା ମଟାଳ ଦୋରସା କୋଠରୀରେ ମିଳିତ ହେବେ ।

ମୃତ୍ତିକାର ବୟନ ଶ୍ରେଣୀ ମଟାଳ ଦୋରସା , ବାଲିଆ ମଟାଳ ଦୋରସା , ପଟୁମଟାଳ ଦୋରସା ଏବଂ ପଟୁମାଟି ମଧ୍ୟମ ବୟନ ଶ୍ରେଣୀଭୁକ୍ତ ହେଲେ ମଧ୍ୟ , ବ୍ୟବହାରିକତା ଦୃଷ୍ଟିରୁ ଭାରି ମୃତ୍ତିକା ଭାବେ ଗଣ୍ୟ ହୁଅନ୍ତି । କାରଣ ଏହି ମୃତ୍ତିକାଗୁଡିକ କର୍ଷଣ ପାଇଁ ଅଧିକ ବଳ ଆବଶ୍ୟକ କରନ୍ତି । ଅଧିକ ଜଳ ଧରି ରଖନ୍ତି । ମାଟି ପାଗିବାକୁ ବେଶି ଦିନ ଲାଗେ । ଶିଖିଗଲେ ବଡ ବଡ ଫାଟ ଦେଖାଯାଏ । ସାଧାରଣତଃ ଚାଷୀମାନେ ମୃତ୍ତିକାର କର୍ଷଣ ଉପଯୋଗୀ ଗୁଣାବଳୀ ଓ ଜଳଧାରଣ ଶକ୍ତିକୁ ଦେଖି ଆନୁମାନିକ ବୟନ ଶ୍ରେଣୀ ଜାଣିପାରନ୍ତି ।

ବାଲୁକା, ପଟୁ ଓ କର୍ଦ୍ଦମର ଶତକଡା ଭାଗ ନିରୂପଣ କରାଯାଇ ନପାରିଲେ ଉଭୟ ଶୁଷ୍କ ଓ ଆର୍ଦ୍ର ଅବସ୍ଥାରେ ମାଟିକୁ ଆଙ୍ଗୁଳି ସାହାଯ୍ୟରେ ଦଳାଚକଟା କରି ସ୍ପର୍ଶ ଓ ଅନୁଭବ ଦ୍ଵାରା ବାଲି , ପଟୁ ଓ କର୍ଦ୍ଦମର ମୋଟାମୋଟି ଜାଣିହୁଏ । ଅଧିକ ବାଲିଥିବା ମାଟି ଉଭୟ ଶୁଷ୍କ ଓ ଆର୍ଦ୍ର ଅବସ୍ଥାରେ ରୁଗୁଡିଆ ଲାଗେ । ଚକଟା ମାଟିକୁ ଗୁଳା କରିବା ସମ୍ଭବ ହୁଏ ନାହିଁ ବା ଗୁଳାକୁ ସାମାନ୍ୟ ଚାପଦେଲେ ଭାଙ୍ଗି ଗୁଣ୍ଡ ହୋଇଯାଏ । ଅଧିକ କର୍ଦ୍ଦମଥିବା ମାଟିର ଦାନା ଶୁଷ୍କ ଅବସ୍ଥାରେ ରୁଗୁଡିଆ ଲାଗେ ସତ କିନ୍ତୁ ପାଣିରେ ଭିଯାଇ ଦଳିଲେ ଚିକ୍କଣ ଓ ନରମା ଲାଗେ । ଚକଟା ମାଟିକୁ ଗୁଳା , ଫିତା ବା ବଳା କରିହୁଏ । ଚକଟିଲା ବେଳେ ମାଟି ଅଠାଳିଆ ଲାଗେ ଓ ଟିପକୁ ଜାବୁଡି ଧରେ । ଏଗୁଡିକ କର୍ଦ୍ଦମର ସଂଯୋଜନ ଏବଂ ନମନୀୟତା ଗୁଣର ପରିପ୍ରକାଶ । ଅଧିକ ପଟୁଥିବା ମାଟି ଶୁଷ୍କ କିମ୍ବା ଆର୍ଦ୍ର କୌଣସି ଅବସ୍ଥାରେ ରୁଗୁଡିଆ ଲାଗେ ନାହିଁ । ଶୁଷ୍କ ମାଟି ମଧ୍ୟ ଟିପକୁ କଅଁଳ ଓ ମସ୍ରୁଣ ଲାଗେ । ଆର୍ଦ୍ର ଅବସ୍ଥାରେ ଚକଟିଲେ କମ୍ ଅଠାଳିଆ ଲାଗେ । ଗୁଳା ବା ବଳା ଗଢି ଚାପ ଦେଲେ ଫାଟିଯାଏ । ଏହିଭଳି ଭାବେ ମାଟିର ବିଭିନ୍ନ ପରୀକ୍ଷା କରି ଆନୁମାନିକ ଭାବରେ ମୋଟାମୋଟି ବୟନ ଶ୍ରେଣୀ ନିର୍ଦ୍ଧାରଣ କରାଯାଇପାରେ । ଅବଶ୍ୟ ଏଥିପାଇଁ କିଛିଟା ଅଭ୍ୟାସ ଓ ଅଭିଜ୍ଞତା ଆବଶ୍ୟକ ।

ବୟନ ମୃତ୍ତିକାର ଏକ ମୌଳିକ ଗୁଣ ସାଧାରଣ କର୍ଷଣ ପ୍ରକ୍ରିୟା ଦ୍ଵାରା ଏହାର ପରିବର୍ତ୍ତନ ଘଟେ ନାହିଁ । ସ୍ଥଳ ବିଶେଷରେ ବାଲି, ପଙ୍କ, ପଟୁ ବା ଭିନ୍ନ ପ୍ରକାର ବୟନ ଥିବା ମୃତ୍ତିକା ଆଣି ମିଶାଇ ମୃତ୍ତିକାର ମୂଳ ବୟନର କିଛିଟା ପରିବର୍ତ୍ତନ କରାଯାଇପାରେ ।

ଫସଲ ଉତ୍ପାଦନ ଦୃଷ୍ଟିରୁ ମୃତ୍ତିକାର ବୟନ ଜାଣିବା ଏକାନ୍ତ ଆବଶ୍ୟକ । ବୟନ ଶ୍ରେଣୀ ବିଚାରକୁ ନେଇ ଉପଯୁକ୍ତ କମଣ ପଦ୍ଧତି, ଫସଲ ନିର୍ବାଚନ, ଜଳସେଚନ, ଜଳନିଷ୍କାସନ ବ୍ୟବସ୍ଥା କରାଯାଏ । ଉଦାହରଣ ସ୍ୱରୂପ ଆଳୁ, କନ୍ଦମୂଳ, ମୂଳା, ବିଟ୍, ଗାଜର ଇତ୍ୟାଦି ଫସଲ ପାଇଁ ହାଲୁକା ଶ୍ରେଣୀର ବାଲିଆ ଦୋରସା, ଦୋରସା ବା ପଟୁ ଦୋରସା ମାଟି ଆବଶ୍ୟକ । ମଟାଳିଆ ମାଟିରେ ଜଳ ନିଷ୍କାସନ ବ୍ୟବସ୍ଥା ଥିଲେ ଆଖୁ, କପା, ବିରି, ମୁଗ, ସୋରିଷ ପ୍ରଭୃତି ଫସଲ ଭଲ ହୁଏ । ବାଲିଆ ମାଟିରେ ଅଳ୍ପଦିନ ବ୍ୟବଧାନରେ ବାରମ୍ବାର ଜଳସେଚନ ଆବଶ୍ୟକ ହୁଏ । ମଟାଳ ମାଟି ଚାଷ କଲେ ବଡ ବଡ ଢେଲା ଉଠେ ଏବଂ ମଇ ଦେଲେ ମଧ୍ୟ ଗୁଣ୍ଡ ହୁଏ ନାହିଁ । କିନ୍ତୁ କାଦୁଅ କରି ଧାନତଳି ରୋଇବାପାଇଁ ବେଶ ଉପଯୁକ୍ତ। ତେଣୁ ବୟନ ମୃତ୍ତିକାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୌତିକ ଗୁଣ ।

ମୃତ୍ତିକା ସଂରଚନା

ମୃତ୍ତିକାରେ ଥିବା ବାଲି , ପଟୁ , କର୍ଦ୍ଦମ ଏବଂ ଅପଘଟିତ ଜୈବ ପଦାର୍ଥ କଣିକାଗୁଡିକ ପରସ୍ପରଠାରୁ ପୃଥକ ଭାବରେ ନରହି ପୁଞ୍ଜୀଭୂତ ଭାବରେ ରହିଥାନ୍ତି । କଣିକା ଗୁଡିକ ମଧ୍ୟରେ ସଂଯୋଜନ ଏବଂ ସଂଶ୍ଳେଷଣ ଯୋଗୁଁ ଅନେକ ଗୁଡିଏ କଣିକା ପରସ୍ପର ସଂଲଗ୍ନ ରହି ଚୂନ ଲୌହ ଅକସାଇଡ , ହ୍ୟୁମସ୍ ପ୍ରଭୃତି ସିମେଣ୍ଟ ଭଳି ପଦାର୍ଥ ଦ୍ଵାରା ଯୋଡି ହୋଇଯାନ୍ତି । ଏହା ଫଳରେ ପୁଞ୍ଜୀଭୂତ କଣିକା ଗୁଡିକ ବିଭିନ୍ନ ଆକାର ଓ ପ୍ରକାରର ମୃତ୍ତିକା ଦାନା ସୃଷ୍ଟି କରନ୍ତି । ପେଡ୍ ଦାନାଗୁଡିକ ନିର୍ଦ୍ଧିଷ୍ଟ ପ୍ରକାରେ ଖଞ୍ଜି ହୋଇ ରହିବା ଦ୍ଵାରା ବଡ ବଡ ଦାନା ସୃଷ୍ଟିହୁଏ । ଏହାକୁ ମୃତ୍ତିକା ଦାନା ସଂରଚନା ବା ବିନ୍ୟାସ କୁହାଯାଏ ।

ବିଭିନ୍ନ ପ୍ରକାର ମୃତ୍ତିକା ସଂରଚନା

ଆକୃତି ଦୃଷ୍ଟିରୁ ମୃତ୍ତିକା ଦାନା ସଂରଚନା ମୁଖ୍ୟତଃ ୪ ପ୍ରକାର । ଯଥା :-

  1. ଫଳକ କୃତି
  2. ଏହି ଆକୃତିର ଦାନାଗୁଡିକର ସ୍ଥୂଳତା ଲମ୍ବ ଓ ପ୍ରସ୍ଥ ତୁଳନାରେ ବହୁତ କମ୍ । ତେଣୁ ପତଳା ଫଳକ ବା ପତ୍ରାକୃତି ହୋଇଥାଏ ।

  3. ସ୍ଫଟିକା କୃତି
  4. ମୃତ୍ତିକା ଦାନାଗୁଡିକର ଉଚ୍ଚତା ତାହାର ଲମ୍ବ ପ୍ରସ୍ଥ ତୁଳନାରେ ବହୁ ଅଧିକ ତେଣୁ ପାର୍ଶ୍ଵ ପୃଷ୍ଠତଳ ଭୂମିର କ୍ଷେତ୍ରଫଳଠାରୁ ଯଥେଷ୍ଟ ବେଶି । ପାର୍ଶ୍ଵ ପୃଷ୍ଠତଳ ଓ ଉର୍ଦ୍ଧ୍ଵ ପୃଷ୍ଠତଳର କୋଣଗୁଡିକ ଧାରୁଆ ହୋଇଥିଲେ ଆକୃତି ସ୍ଫଟିକ ସଦୃଶ ଏବଂ ଧାରୁଆ ନ ହୋଇ ସାଉଁଳିଆ ହୋଇଥିଲେ ଖମ୍ବ ସଦୃଶ ବୋଲି ବିବେଚନା କରାଯାଏ ।

  5. ଘନାକୃତି
  6. ଏହି ଆକୃତିର ଦାନାଗୁଡିକର ଲମ୍ବ , ପ୍ରସ୍ଥ ଓ ଉଚ୍ଚତା ପ୍ରାୟ ସମାନ । ଯଦି ଦାନାଗୁଡିକର ପୃଷ୍ଠତଳର କୋଣଗୁଡିକ ଧାରୁଆ ରହିଥାଏ ଓ ଆକୃତି ଏବଂ କୋଣ’ଗୁଡିକ ସାଉଁଳିଆ ହୋଇଥିଲେ ତାକୁ ସବ୍ ଆଙ୍ଗୁଲାର ବ୍ଲର୍କି ବୋଲି କୁହାଯାଏ ।

  7. ବର୍ତ୍ତୁଳାକୃତି
  8. ଏହି ପ୍ରକାରର ଦାନାଗୁଡିକ ଗୋଲାକୃତି ବା ବର୍ତ୍ତୁଳ । ଦାନାଗୁଡିକ ବଡ ବଡ ହୋଇଥିଲେ ଏବଂ ତନ୍ମଧ୍ୟରେ ଅଳ୍ପ ଛିଦ୍ର ବା ଫାଙ୍କ ରହିଥିଲେ ସେଗୁଡିକୁ ଦାନାକାର ଆକୃତି ଏବଂ କ୍ଷୁଦ୍ରାକୃତି ଅଧିକ ଛିଦ୍ରଳ ଦାନା ହୋଇଥିଲେ କ୍ରମବା ଆକୃତି ଦାନା ସଂରଚନା ବୋଲି କୁହାଯାଏ ।

ଦାନାକାର ଏବଂ କ୍ରମବା ଆକୃତି ଦାନା ସଂରଚନା ମୁଖ୍ୟତଃ ଅଧିକ ଜୈବିକ ପଦାର୍ଥ ଥିବା ପୃଷ୍ଠ ମୃତ୍ତିକାରେ ଦେଖାଯାଏ । ତୃଣଭୂମିଏବ୍ମ ଘନବନାନୀ ଦ୍ଵାରା ଆଚ୍ଛାଦିତ ମୃତ୍ତିକାରେ ଏହା ବିଶେଷତଃ । ଘନାକୃତି , ଖମ୍ବାକୃତି ବା ଫଳକାକୃତି ଦାନା ସଂରଚନା ଉପମୃତ୍ତିକା ବା ନିମ୍ନସ୍ତରମାନଙ୍କରେ ଦେଖାଯାଏ ।

ଆକୃତି ବ୍ୟତୀତ ମୃତ୍ତିକା ଦାନାଗୁଡିକର ଆକାର ଭିନ୍ନ ଭିନ୍ନ ହୋଇଥାଏ । ବର୍ତ୍ତୁଳାକୃତି ଦାନାଗୁଡିକର ଆକାର ସାଧାରଣତଃ ୧ ମି.ମି. ରୁ ୧ ସେ.ମି ମଧ୍ୟରେ ଥାଏ । କିନ୍ତୁ ଘନାକୃତି ଓ ସ୍ଫଟିକାକୃତି ଦାନାଗୁଡିକର ଦୈର୍ଘ୍ୟସ୍ଥଳ ବିଶେଷରେ ୧୦ ବା ୧୫ ସେ.ମି. ଥିବାର ଦେଖାଯାଏ । ଦାନା ସଂରଚନା ସ୍ଥାୟୀ ବା କ୍ଷଣସ୍ଥାୟୀ ହୋଇପାରେ । ସ୍ଥାୟୀ ଦାନା ସଂରଚନା ହୋଇଥିଲେ ତାହା କର୍ଷଣ ଦ୍ଵାରା ବା ପାଣି ସଂସ୍ପର୍ଶରେ ଆସିବା ଦ୍ଵାରା ଭାଙ୍ଗିଯାଏ ନାହିଁ । କିନ୍ତୁ ଅସ୍ଥାୟୀ ଦାନା ଭାଙ୍ଗିଯାଏ ବା ମିଳାଇଯାଏ ଏବଂ ଦାନା ମଧ୍ୟରେ ପୁଞ୍ଜୀକୃତ କଣିକାଗୁଡିକ ଅଲଗା ହୋଇଯାନ୍ତି । ଦାନାର ସ୍ଥାୟିତ୍ଵ କଣିକାଗୁଡିକୁ ଯୋଡିବାରେ ସହାୟକ ହେଉଥିବା ହ୍ୟୁମସ୍ ଚୂନ ବା ଲୌହ ଅକସାଇଡ ବାନ୍ଧି ରଖିବା ଶକ୍ତି ଉପରେ ନିର୍ଭର କରେ ।

କେତେକ ମୃତ୍ତିକାରେ ଆଦୌ ଦାନା ସଂରଚନା ଦେଖାଯାଏ ନାହିଁ । ଅତିଶୟ ବାଲିଆ ମାଟିରେ ବାଲି କଣିକା ଗୁଡିକୁ ବାନ୍ଧି ରଖିବା ପାଇଁ ଯଥେଷ୍ଟ ସିମେଣ୍ଟ ଜାତୀୟ ପଦାର୍ଥ ଅଭାବରୁ ଦାନା ସଂରଚନା ହୋଇପାରେ ନାହିଁ । ସେହିପରି ଅତିଶୟ ଚିକିଟା ମଟାଳ ମାଟିରେ କର୍ଦ୍ଦମ କଣିକାଗୁଡିକ ଠୁଳ ହୋଇ ରହି ବୃହଦାକୃତି ସଂରଚନା ବିହୀନ ମୃତ୍ତିକା ଭାବରେ ପରିଗଣିତ ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top