ହୋମ / କୃଷି / ମୃତ୍ତିକା / ଖାଦ୍ୟ ସାର ଅଭାବ ଜନିତ ଲକ୍ଷଣ
ସେଆର କରନ୍ତୁ

ଖାଦ୍ୟ ସାର ଅଭାବ ଜନିତ ଲକ୍ଷଣ

ଖାଦ୍ୟ ସାର ଅଭାବ ହେଲେ ତାହା ବୃକ୍ଷର ବୃଦ୍ଧି ଓ ଅମଳକୁ ସୀମିତ କରେ ।


ଉଦ୍ଭିଦର ବୃଦ୍ଧି ଓ ଫଳ ଧାରଣ ପାଇଁ ସବୁ ଗୁଡିକ ଖାଦ୍ୟସାର ଆବଶ୍ୟକ ପରିମାଣରେ ଏବଂ ସଠିକ୍ ଅନୁପାତରେ ମିଳିବା ଦରକାର । ଯେଉଁ  ଖାଦ୍ୟସାରଟି ଅଭାବ ହୁଏ ତାହା  ବୃଦ୍ଧି ଓ ଅମଳକୁ ସୀମିତ କରିଦିଏ ।  ଖାଦ୍ୟସାରର  ଅଭାବର  ତୀବ୍ରତା   ଅନୁସାରେ ଉଦ୍ଭିଦର  କ୍ଷୁଧାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।

ଅନ୍ତର୍ନିହିତ ବା ଅପ୍ରକାଶିତ କ୍ଷୁଧା

ଆବଶ୍ୟକତା ତୁଳନାରେ କୌଣସି ଖାଦ୍ୟସାରର ଅଭାବର ମାତ୍ରା ଅଳ୍ପ ହୋଇଥିଲେ ଅଭାବ ଜନିତ ଲକ୍ଷଣ ବାହାରକୁ ପ୍ରକାଶ ପାଏନାହିଁ । ଉଦ୍ଭିଦର ବାହ୍ୟ ଆକୃତି, ରଙ୍ଗ  ପ୍ରଭୃତି ସାଧାରଣ ଥିବା ଭଳି  ଜଣାପଡେ। କିନ୍ତୁ  ପରିଶେଷରେ ସେତିକି  ଅମଳ ମିଳିବା କଥା ତାହା କମିଯାଏ । ଉଦ୍ଭିଦ ନିଜର  ସମସ୍ତ ସାମର୍ଥ୍ୟ ବିନିଯୋଗ କରି ମୃତ୍ତିକାରୁ ଉକ୍ତ   ଖାଦ୍ୟସାରକୁ  ନିଃଶେଷ  କରିନିଏ । ତେଣୁ  ମୃତ୍ତିକାର ଉର୍ବରତା ହ୍ରାସପାଏ ।

ବର୍ଦ୍ଧନଶୀଳ ଅବସ୍ଥାରେ  ଉଦ୍ଭିଦର ପତ୍ର ବା କଅଁଳ କାଣ୍ଡର  ରାସାୟନିକ  ପରୀକ୍ଷା କଲେ ସେଥିରେ ଉକ୍ତ ଖାଦ୍ୟସାରର ମାତ୍ରା କମ୍ ଥିବାର ଜଣାଯାଏ  । ସଙ୍ଗେ ସଙ୍ଗେ ଉକ୍ତ  ଖାଦ୍ୟସାର ପ୍ରୟୋଗ କଲେ ଉଦ୍ଭିଦର ଖାଦ୍ୟସାର ଅଭାବ ମେଣ୍ଟିଯାଏ ।

ପ୍ରକାଶିତ କ୍ଷୁଧା

ଆବଶ୍ୟକତା ତୁଳନାରେ  କୌଣସି  ଖାଦ୍ୟସାରର ଅଭାବ ବହୁତ ବେଶି  ହୋଇଥିଲେ  ଉଦ୍ଭିଦ ଶରୀରରେ ନିର୍ଦ୍ଧିଷ୍ଟ  ଲକ୍ଷଣ ପ୍ରକାଶ ପାଏ  । ପରିଶୋଷଣ କ୍ରିୟା ବାଧାପ୍ରାପ୍ତ   ହେବାରୁ  ଉଦ୍ଭିଦର ଅଭିବୃଦ୍ଧି  କମିଯାଏ, ଗଛର  ଆକାର କ୍ଷୁଧା ହୋଇଯାଏ,  ପତ୍ର, ଫୁଲ ବା  ଫଳର ଆକାର, ରଙ୍ଗ ଓ  ଆକୃତି ଅସ୍ଵାଭାବିକ ହୋଇଯାଏ । କେତେକ କ୍ଷେତ୍ରରେ ଉଦ୍ଭିଦର  ନିର୍ଦ୍ଧିଷ୍ଟ ଅଙ୍ଗ ବା ସମ୍ପୂର୍ଣ୍ଣ  ଉଦ୍ଭିଦଟି  ମରିଯାଇପାରେ । ତୀବ୍ର  ଖାଦ୍ୟଭାବ ଯୋଗୁ ଏପରି  ଘଟେ ।

ଖାଦ୍ୟସାର ଅଭାବର ଲକ୍ଷଣ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ନିର୍ଦ୍ଧିଷ୍ଟ  ଖାଦ୍ୟସାର ପ୍ରୟୋଗ  କଲେ ଅଭାବଜନିତ କ୍ଷତିରୁ ଆଂଶିକ ରକ୍ଷା ମିଳେ । କିନ୍ତୁ ସମ୍ପୂର୍ଣ୍ଣ ଭରଣା ହୁଏ ନାହିଁ । କାରଣ  ଅଭାବଜନିତ ଲକ୍ଷଣ ପ୍ରକାଶ ପାଇବା ବେଳକୁ ଉଦ୍ଭିଦର ଅଭିବୃଦ୍ଧି ଯଥେଷ୍ଟ  ହ୍ରାସ ପାଇଥାଏ ।

ପ୍ରକାଶିତ ଲକ୍ଷଣ ଗୁଡିକ  ନିର୍ଦ୍ଧିଷ୍ଟ  ଖାଦ୍ୟସାରର ପରିଶୋଷଣ ସମ୍ବନ୍ଧୀୟ ଭୂମିକା ସହିତ ସମ୍ପର୍କିତ । ଆହୁରି  ମଧ୍ୟ ଯେଉଁ  ଖାଦ୍ୟସାର ଉଦ୍ଭିଦ  ଶରୀର ମଧ୍ୟରେ ଗତିଶୀଳ , ଅଭାବ  ସମୟରେ  ପାକଲା ଅଙ୍ଗ ପ୍ରତ୍ୟଙ୍ଗ ଓ ପତ୍ରରୁ, ନୂଆ  ବାହାରୁଥିବା  ମୁକୁଳ ଓ ପତ୍ରକୁ ସ୍ଥାନାନ୍ତରିତ ହୁଏ । ତେଣୁ ଅଭାବଜନିତ ଲକ୍ଷଣ ଉଦ୍ଭିଦ ଶରୀରର ତଳଭାଗରେ   ପ୍ରଥମେ ଦେଖାଯାଏ ଏବଂ  କ୍ରମେ   ଉପର ଅଂଶକୁ ସଂପ୍ରସାରିତ ହୁଏ । ଯବକ୍ଷାର, ଫସଫରସ୍, ପଟାସ୍ ମାଗ୍ନେସିଅମ  ମଲିବଡେନମ୍  ପ୍ରଭୃତି  ଖାଦ୍ୟସାର ଅଭାବ କ୍ଷେତ୍ରରେ  ଏହା ଦେଖାଯାଏ ।

କ୍ୟାଲସିୟମ, ଲୌହ, ଦସ୍ତା, ମାଙ୍ଗାନିଜ, ତମ୍ବା, ଟାଙ୍ଗଣ ପ୍ରଭୃତି ଖାଦ୍ୟସାର ଉଦ୍ଭିଦ ଶରୀର ମଧ୍ୟରେ ସ୍ଥିତିଶୀଳ । ତେଣୁ ଯେତେବେଳେ ଅଭାବ ପଡେ,  ପ୍ରଥମେ  ଅଗ୍ରଭାଗ ଓ  କଅଁଳ  ପତ୍ରରେ ଲକ୍ଷଣ ଦେଖାଯାଏ । ସ୍ଥଳ  ବିଶେଷରେ ଅଗ୍ରଭାଗ ଆଡୁ ମରିଯାଏ ବା  ଶୁଖିଯାଏ ।

ତେଣୁ  ପ୍ରତ୍ୟକ ଖାଦ୍ୟସାରର  ଅଭାବଜନିତ  କେତେକ ବିଶେଷ ଲକ୍ଷଣ ଏଠାରେ ବର୍ଣ୍ଣନା କରାଗଲା।

  • ଯବକ୍ଷାରଜାନ
    1. ଏହାର ଅଭାବରେ ପତ୍ରରେ ହରିତ୍ କଣିକା  ପରିମାଣ  ହ୍ରାସ  ପାଏ। ପତ୍ର ସ୍ଵାଭାବିକ ସବୁଜ ରଙ୍ଗ ହରାଏ  ଓ ସେଗୁଡିକ ଫିକା  ସବୁଜ  ବା  ପୀତ ସବୁଜ ରଙ୍ଗ ଦେଖାଯାଏ । ଏହି ଲକ୍ଷଣ ପ୍ରଥମେ ତଳ ପତ୍ରର ଅଗ୍ରଭାଗରୁ ଆରମ୍ଭ ହୋଇ ମଝିଶିରା  ପାର୍ଶ୍ଵ ଦେଇ ପତ୍ରର ମୂଳ ଅଂଶ  ଆଡକୁ  ସଂପ୍ରସାରିତ ହୁଏ । ମକା, ଜୁଆର, ଆଖୁ, ପ୍ରଭୃତି ଗଛର ଲାମ୍ବା  ଚଉଡା  ପତ୍ରରେ ଏହି  ଲକ୍ଷଣ  ପରିଷ୍କାର  ଦେଖିହୁଏ । ଧାନ, ଗହମ, ମାଣ୍ଡିଆ ପ୍ରଭୃତି ଗଛର  ସରୁଆ   ପତ୍ର, ଅଗ୍ରଭାଗ  ଆଡକୁ   ପୁରାପୁରି   ହଳଦିଆ  ପଡି  ଆସେ । ପରିଶେଷରେ ତଳ ପତ୍ରଗୁଡିକ  ନଡାଭଳି  ରଙ୍ଗ ହୋଇ ଶୁଖିଯାଏ । ଉପର କଅଁଳ ପତ୍ର ଗୁଡିକ ସ୍ଵାଭାବିକ ସବୁଜ ଥାଏ  କିନ୍ତୁ  ସେଗୁଡିକର  ଆକାର  ଛୋଟ ହୋଇଯାଏ । ଦୂରରୁ  ଫସଲ  କିଆରି  ପୀତ ସବୁଜ ଦେଖାଯାଏ ।
    2. ଯବକ୍ଷାରଜାନ ଅଭାବରେ ଗଛର  ଶାରୀରିକ  ଅଭିବୃଦ୍ଧି କମିଯାଏ । ତେଣୁ ଗଛ କ୍ଷୁଦ୍ରାକାର ହୁଏ । ଡାଳ ବା ପିଲ ସଂଖ୍ୟା ହ୍ରାସ ପାଏ । କେଣ୍ଡା  ବା  ଫଳର  ଆକାର ଛୋଟ  ହୋଇଯାଏ । ଏହାଫଳରେ ଅମଳ ବିଶେଷ ବାଧାପ୍ରାପ୍ତ  ହୁଏ  ।
    3. ଯବକ୍ଷାର ଅଭାବ ଥିବା ଗଛ ରୁଗୁଡିଆ ହୁଏ ଏବଂ ସଅଳ ହୋଇଯାଏ ।

    ଯବକ୍ଷାରଜାନ ଆଧିକ୍ୟ ଥିଲେ ଗଛର ଶାରୀରିକ ବୃଦ୍ଧି  ଅସ୍ଵାଭାବିକ ଭାବରେ  ଅଧିକ  ହୁଏ , ଗଛ ଅତ୍ୟଧିକ  ନରମା ବା କଅଁଳିଆହୋଇଯାଏ । ପବନରେ ଭାଙ୍ଗି ପଡେ ବା ନଇଁଯାଏ , ଅଧିକ ରୋଗ ପୋକ ଦ୍ଵାରା ଆକ୍ରାନ୍ତ ହୁଏ । ଫୁଲ – ଫଳ  ଆସିବାରେ ଡେରି ହୁଏ ଏବଂ  ଇଚ୍ଛୁକରେ ପାକଳ  ହୁଏ ।

  • ଫସଫରସ୍
    1. ଏହି ଉପାଦାନ ଅଭାବରେ ଚାରାଗଛର ଚେର ବୃଦ୍ଧି ହୋଇପାରେ ନାହିଁ  । ତେଣୁ ପ୍ରଥମରୁ ଚାରାଗଛଟି  ଦୁର୍ବଳିଆ ହୁଏ ଏବଂ ଏହାର ଅଭିବୃଦ୍ଧି   ମନ୍ଥର ହୋଇଯାଏ ।
    2. ଫସଫରସ୍  ଅଭାବରେ ପାକଳ ତଳ ପତ୍ର ଗୁଡିକର ରଙ୍ଗ ଗାଢ  ସବୁଜ ଦେଖାଯାଏ । ମକା, ଜୁଆର  ପ୍ରଭୃତି ପତ୍ରରେ ଅଗ୍ରଭାଗ ଆଡକୁ   ସାମାନ୍ୟ  ବାଇଗିଣିଆ ରଙ୍ଗ  ମିଶିଥିବାର  ଦେଖାଯାଏ । ପରିଶେଷରେ  ତଳପତ୍ର  ଶୁଖିଯାଇ  ବଳିତା  ଭଳି  ମୋଡି  ହୋଇଯାଏ ।
    3. ଗଛର ରଙ୍ଗ ଗାଢ  ସବୁଜ  ଦେଖାଯାଉଥିଲେ ମଧ୍ୟ  ଡାଳ ଓ  ପିଲ  ସଂଖ୍ୟା କମ୍ ଥାଏ , ପତ୍ରଗୁଡିକ  ସରୁଆ ବା ଛୋଟିଆ ହୋଇଯାଏ । ଗଛର ଉଚ୍ଚତା  ଓ  ଆକାର କମିଯାଏ, ଗଛକୁ  ଟାଣି ଦେଲେ ତାହା ସହଜରେ ଉପୁଡି ଆସର କାରଣ  ଚେର ଅଧିକ  ସଂପ୍ରସାରିତ ହୋଇନଥାଏ । ଫସଲର ପ୍ରାରମ୍ଭିକ  ଅବସ୍ଥାରେ ଏହିସବୁ  ଲକ୍ଷଣ ଦେଖାଯାଏ ।
    4. ଗଛରେ  ଫୁଲ ଫଳ  ଆସିବାରେ  ଡେରି  ହୁଏ, ଫସଲ ଡେରିରେ ପାକଳ  ହୁଏ, ଦାନା  ହୃଷ୍ଟପୃଷ୍ଟ  ହୁଏ  ନାହିଁ,  ବହୁତ ଅଜାଡି ହୁଏ ।
    5. ଶିମ୍ବ  ଜାତୀୟ ଫସଲରେ ଫୁଲ ହେବା  ଅବସ୍ଥାରେ  ପତ୍ରରେ  ଗାଢ ବାଦାମୀ ରଙ୍ଗର ଦାଗମାନ  ଦେଖାଯାଏ, ପୁରୁଣା ପତ୍ର ଝଡିପଡେ, ଛୁଇଁ ଫମ୍ପାହୁଏ, କମ୍ ଫୁଲ ଫୁଟେ ଓ ଛୁଇଁ ଧରେ ।

    ସାଧାରଣତଃ ପ୍ରାରମ୍ଭିକ  ଅବସ୍ଥାରେ ଫସଫରସ୍ ଅଭାବ ନହୋଇଥିଲେ ପରବର୍ତ୍ତୀ ଅବସ୍ଥାରେ ହୁଏ ନାହିଁ  ।

  • ପୋଟାସିୟମ୍
    1. ଏହାର ଅଭାବରେ ଗଛ ବାଙ୍ଗରା ହୋଇଯାଏ ।  ଅଧିକ ଡାଳ ବା ପିଲ ହେବାର ଦେଖାଯାଏ ।
    2. ବର୍ଦ୍ଧନଶୀଳ ଅବସ୍ଥାରେ ତଳ ପତ୍ରର  ଅଗ୍ରଭାଗ  ଓ  ଧାର  ପ୍ରଥମେ ହଳଦିଆ ତାପରେ କମଳାରଙ୍ଗ ହୋଇ  ଅବଶେଷରେ  ପତ୍ର  ଅଗ୍ରଭାଗରୁ  ବା  ଧାରରୁ ପୋଡି ପୋଡି  ଯାଏ । ଚଟକା  ପତ୍ରଗୁଡିକରେ ଶିରା ମଧ୍ୟବର୍ତ୍ତୀ  ଅଂଶରେ ବାଦାମୀ ରଙ୍ଗର ମଲାଦାଗ  ସୃଷ୍ଟି ହୁଏ। କ୍ରମେ  ଉପରୋକ୍ତ   ଲକ୍ଷଣ ଉପର ପତ୍ର ଗୁଡିକରେ ଦେଖାଯାଏ ।
    3. ପତ୍ରଗୁଡ଼ିକ ଜଳୀୟ ଅଂଶ ସଂରକ୍ଷଣ କରିବାରେ ଅସମର୍ଥ ହୁଅନ୍ତି  ଏବଂ ଜଳାଭାବ ପଡି ଝାଉଁଳିବା ଭଳି ଦେଖାଯାନ୍ତି ।
    4. ଗଛର  କାଣ୍ଡ ନରମା ରହେ । ତେଣୁ  ଦାନ  ଜାତୀୟ ଫସଲ ଝଡପବନରେ  ପଡିଯାଏ । ରୋଗ – ପୋକ  ନିରୋଧ ଶକ୍ତି ହ୍ରାସପାଏ ।  ତେଣୁ ଫସଲ  ରୋଗ ପୋକ ଦ୍ଵାରା ସହଜରେ ଆକ୍ରାନ୍ତ ହୁଏ   ।
    5. ଫଳ  ହୃଷ୍ଟପୃଷ୍ଟ  ହୁଏ  ନାହିଁ । ଏହାର ରଙ୍ଗ ଓ ସ୍ଵାଦ ନିକୃଷ୍ଟ ହୁଏ। ଫଳ ବଢିବାସମୟରେ ଫାଟି ଯାଇପାରେ । ଧାନଜାତୀୟ  ଫସଲରେ   ଅଧିକ  କଣ୍ଠା – ଅଗାଡି  ହୁଏ । ଆଲୁଗଛ ବହୁତ ବଢିଯାଏ କିନ୍ତୁ  ଆଳୁଗୁଡିକର ଆକାର ଛୋଟ ହୁଏ ଓ ଅମଳ କମ୍ ହୁଏ ।

    ସାଧାରଣତଃ  ପୋଟାସିୟମ୍  ଅଭାବ  ପ୍ରାରମ୍ଭିକ ଅବସ୍ଥାରେ ଦେଖାଯାଏ ନାହିଁ । ଗଛର ସର୍ବାଧିକ  ବର୍ଦ୍ଧନଶୀଳ ଅବସ୍ଥାରେ ପୋଟାସିୟମ୍  ଚାହିଦା ବଢିଯାଏ  ଏବଂ  ଆବଶ୍ୟକ ପରିମାଣରେ ପୋଟାସ  ନମିଳିଲେ ଅଭାବ ଦେଖାଯାଏ ।

  • କାଲ୍ ସିଅମ
    1. ଏହାର  ଅଭାବଜନିତ ଲକ୍ଷଣ  ପ୍ରଥମେ  ଅଗ୍ରଭାଗରେ ଦେଖାଯାଏ । ଅଗ୍ର   ମୁକୁଳ  ମୋଡି  ହୋଇ  ରହେ । ଖୋଲି ପାରେ ନାହିଁ । ଅନେକ   ସମୟରେ  ଅଗ୍ର – ମୁକୁଳ  ମରିଯାଏ । ଅଗ୍ର  ଭାଗର ପତ୍ର ଫଳକ ଭାଙ୍ଗ ଭାଙ୍ଗ  ହୋଇଯାଏ । ମକାଗଛର  କନ୍ଦାରୁ  ମୋଡି   ହୋଇ  ବାହାରୁଥିବା  ପତ୍ର  ଉପରେ ଅଠାଳିଆ ପଦାର୍ଥ ଥାଏ ଏବଂ ଶୁଖିଗଲେ କନ୍ଦାପତ୍ରଗୁଡିକ  ପରସ୍ପର ସହିତ ଲାଗି  ରହନ୍ତି ।
    2. କପା, ଭେଣ୍ଡି,  ଅମୃତଭଣ୍ଡା ପ୍ରଭୃତି  କେତେକ   ଗଛର ପତ୍ରର  ଡେମ୍ଫ  ନଇଁଯାଏ ବା ଭାଙ୍ଗିପଡେ  ।
    3. କାଲସିଅମ  ଅଭାବରେ ଚେରର  ଅଗ  ମରିଯାଏ  ଏବଂ  ଚେର  ଥୁଣ୍ଟାଳିଆ ହୋଇଯାଏ  ।
    4. ଶିମ୍ବ  ଜାତୀୟ ଫସଲର ଛୁଇଁଗୁଡିକ ଫମ୍ପା ହୁଏ ବା ତହିଁରେ  ମଝିରେ ମଝିରେ ମଲା  ମଞ୍ଜିଥାଏ  ।
  • ମାଗ୍ନେସିଅମ
    1. ଏହି  ଉପାଦାନର ଅଭାବରେ ପତ୍ରରୁ ସବୁଜ ରଙ୍ଗ କମିଯାଏ । ପ୍ରଥମେ ତଳ ପତ୍ରର ଶିରା ମଧ୍ୟବର୍ତ୍ତୀ  ଅଂଶ ହଳଦିଆ ପଡେ । କପା  ଗଛର  ତଳ  ପତ୍ରର ଶିରା  ମଧ୍ୟବର୍ତ୍ତୀ ଅଂଶ  ପାଟଳ ରଙ୍ଗ ହୋଇଯାଏ  । ପତ୍ରର ଧାର ଉପରକୁ ମୋଡି  ହୋଇଯାଏ ।
    2. ଧାନ ଗଛର ତଳ ପତ୍ର ଗୁଡିକ ଶିରାଳ  ହୋଇଯାଇ ନଇଁ  ପଡନ୍ତି ।
    3. ମାଗ୍ନେସିଅମ ଅଭାବରେ ଚେର ଅତିସରୁ  ଓ  ଲମ୍ବା  ହୁଏ ।
    4. କେତେକ କ୍ଷେତ୍ରରେ  ତୀବ୍ର  ମାଗ୍ନେସିଅମ ଅଭାବ  ଥରେ ଗଛରେ ଫସଫରସ୍  ଅଭାବ ଲକ୍ଷଣ ଦେଖାଯାଏ ।
  • ଗନ୍ଧକ
    1. ପ୍ରଥମେ  ନୂଆ  ପତ୍ରଗୁଡ଼ିକ ଫିକା ସବୁଜ  ରଙ୍ଗ ହୋଇଯାଏ । ଶିରା ଗୁଡିକ ପତ୍ରର ଅନ୍ୟ ଅଂଶ ଅପେକ୍ଷା ଅଧିକ ଫିକା ଦେଖାଯାଏ । ପରେ ଗଛର ତଳ  ପତ୍ର  ଏବଂ କାଣ୍ଡ ଫିକା ସବୁଜ  ଦେଖାଯାଏ ।
    2. ଚେର ଓ କାଣ୍ଡର ପବ  ଅସ୍ଵାଭାବିକ ଭାବରେ ଲମ୍ବା, କଠିନ ଓ ଗଣ୍ଠି ଗଣ୍ଠିଆ ହୋଇଯାଏ ।
    3. ଗନ୍ଧକ ଅଭାବରେ ଶିମ୍ବଜାତୀୟ  ଫସଲର ମଞ୍ଜିଦାନା ଗୁଡିକ ନିକୃଷ୍ଟ  ହୁଏ ଓ  ତୈଳବୀଜ  ଦାନାରେ  ତୈଳଭାଗ କମିଯାଏ ।
  • ଲୌହ
    1. ଲୌହ  ଅଭାବରେ ଅଗ୍ରଭାଗରେ କଅଁଳ ପତ୍ର ଗୁଡ଼ିକ ପୂରାପୂରି ହଳଦିଆ ପଡିଯାନ୍ତି । ପତ୍ର ଦୁଇ ଧାରରେ ଦୁଇଟି ଫିକା ସବୁଜ ପଟିଥାଏ  ।
    2. ଚେର ଛୋଟ ଓ ବହୁ  ଶାଖାଯୁକ୍ତ ହୁଏ   ।
    3. ଫଳଗଛର ଡାଳ ଅଗ୍ରଭାଗ  ଆଡୁ  ମରିମରି ଆସେ ।

    ଜଳ  ନିଷ୍କାସିତ ହେଉନଥିବା ଅମ୍ଳୀୟ  ମାଟିଥିବା ଧାନ ଜମିରେ  ଅଧିକ ଲୌହ ଦ୍ରବୀଭୂତ ଅବସ୍ଥାରେ  ରହେ । ଲୌହର ଆଧିକ୍ୟ ଯୋଗୁଁ ଧାନଗଛରେ ଏହାର   ବିଷାକ୍ତ ପ୍ରଭାବ ଦେଖାଯାଏ । ପିଲ  ଅବସ୍ଥାରେ ଧାନଗଛର ପତ୍ର ପ୍ରଥମ  ବାଦାମୀ ରଙ୍ଗ ଓ  ପରେ କଳଙ୍କି ରଙ୍ଗ ହୋଇଯାଏ । ଶେଷ  ଆଡକୁ  ପତ୍ରଗୁଡିକ   ପୋଡି ପୋଡି  ଯାଏ । କେବଳ   କନ୍ଦା ପତ୍ର ଗୋଟିଏ  ଦୁଇଟି  ସବୁଜ  ଥାଏ । ଧାନ  ଗଛ  ବାଙ୍ଗରା  ହୋଇଯାଏ  ଏବଂ  କେଣ୍ଡାଧରିବା  ବିଳମ୍ବ   ହୁଏ   । ଅତି  ଛୋଟ  ଛୋଟ କେଣ୍ଡା  ବାହାରେ । ଧାନ  ଚଷୁ  ଉପରେ ମଧ୍ୟ କଳଙ୍କି ଦାଗ  ଦେଖାଯାଏ । ଧାନ  ଜମିରେ  ଥିବା  ପାଣି  ଉପରେ ଚିକ୍ ଚିକ୍  କରୁଥିବା  ଲୌହ   ଅକସାଇଡ  ଆସ୍ତରଣ   ଭାସୁଥିବାର  ଦେଖାଯାଏ । ଧାନ  ବୁଦା  ଓପାଡି  ଚେରକୁ ଧୋଇଲେ   ଚେରଗୁଡିକ ଗାଢ ବାଦାମୀ  ବା  ଖଇରିଆରଙ୍ଗ   ପଡିଯାଇଥିବାର ଦେଖାଯାଏ । ବେଶି  ଧାନ  ତୁଳନାରେ ଅଧିକ  ଅମଳକ୍ଷମ ଧାନ  ଲୌହ  ବିଷାକ୍ତ  ପ୍ରଭାବ ଯୋଗୁ  ଅଧିକ  ଆକ୍ରାନ୍ତ  ହେବାର ଦେଖାଯାଏ  ।

  • ମାଙ୍ଗାନିଜ୍
    1. ଏହି  ଉପାଦାନର ଅଭାବରେ ନୂଆ ପତ୍ର ଗୁଡିକର ଶିରା ମଧ୍ୟବର୍ତ୍ତୀ ଅଂଶ ହଳଦିଆ ପଡିଯାଏ। ପୁରୁଣା ପତ୍ରରେ ଗାଢ ବାଦାମୀ ରଙ୍ଗର ଦାଗମାନ  ଥାଏ ।
    2. ଧାନ ଗଛର ନୂଆ ପତ୍ରର ଶିରା ସବୁଜ  ଥାଇ ଅନ୍ୟ  ଅଂଶ ହଳଦିଆ ପଡିଯିବା ଦ୍ଵାରା , ପତ୍ର ଉପରେ ହଳଦିଆ ଗାର ପଡିଥିବା ଭଳି ଦେଖାଯାଏ  ।
  • ଦସ୍ତା
    1. ଦସ୍ତା ଅଭାବ ଯୋଗୁ ନୂଆ ବାହାରୁ  ଥିବାପତ୍ର ବଢିପାରେ  ନାହିଁ । ତେଣୁ ତାହାର  ଆକାର ଛୋଟ ହୋଇଯାଏ । ଏହି  ପତ୍ର  ସମ୍ପୂର୍ଣ୍ଣ ସବୁଜ  ରଙ୍ଗ  ବିହୀନ ହୋଇ ବାହାରେ।
    2. ଧାନ  ବୁଦାରେ କମ୍ ପିଲ ବାହାରେ ଓ ଗଛ ବାଙ୍ଗରା ହୋଇଯାଏ ।
    3. ଗହମ ପତ୍ର  ମଝି  ଶିରାରେ ସବୁଜ ରଙ୍ଗ ବିହୀନ  ଦାଗ ଦେଖାଯାଏ ଓ  ପତ୍ର ମଝିରୁ ଭାଙ୍ଗି ପଡେ ।
    4. ଆଳୁ, ସୋୟାବିନ୍  ପ୍ରଭୃତି ଗଛର  ପତ୍ର  ଉପରେ  ଧୂସର ବାଦାମୀ   ରଙ୍ଗର  ଛୋଟ  ଛୋଟ   ଦାଗମାନ  ଦେଖାଯାଏ।
    5. ଫଳଗଛର ଡାଳ  ଆଗଆଡୁ ମରି ଆସେ ।
  • ତମ୍ବା
    1. ତମ୍ବା  ଅଭାବରେ  ଗଛର ନୂଆ ପତ୍ର  ଝାଉଁଳି  ପଡିଥିବା ପରି ଦେଖାଯାଏ  । ଏହା  ପନିପରିବା ଫସଲରେ ସାଧାରଣ ଲକ୍ଷଣ   ।
    2. ଧାନ, ଗହମ ପ୍ରଭୃତି ଫସଲର କନ୍ଦାପତ୍ରର  ଅଗ୍ରଭାଗ ମୋଡି  ହୋଇ ଛୁଞ୍ଚି ଭଳି ଦେଖାଯାଏ ।
    3. କମଳା, ଲେମ୍ବୁ  ପ୍ରଭୃତି ଫଳଗଛର  ଗଣ୍ଡି ଫାଟି   ଅଠା  ଜମା  ହୁଏ । ଫଳ  ଛୋଟ  ଓ  ଟାଣୁଆ ହୁଏ ଏବଂ  ସେଥିରେକମ୍  ରସଥାଏ ।  ବେଳେ  ବେଳେ  ଫଳ  ଚୋପା  ଫାଟିଯାଏ  । ଫଳ  ଉପରେ ବାଦାମି ରଙ୍ଗର ଦାଗ ଦେଖାଯାଏ  ।
  • ବୋରନ୍
    1. ବୋରନ୍  ଅଭାବରେ  ଗଛର ଅଗ୍ର ମୁକୁଳ ମରିଯାଏ  ଓ ଠିକ୍ ତାର ତଳ ଭାଗରୁ ଶାଖା ବାହାରେ । ଶାଖାର   ଅଗ୍ର  ମୁକୁଳ  ମଧ୍ୟ  କିଛିଦିନ ପରେ  ମରିଯାଏ ଏବଂ ପୁଣି ତା ତଳଭାଗରୁ  ଶାଖା ବାହାରେ । ଏପରି  ହେବା  ଦ୍ଵାରା  ଅଗ୍ରଭାଗରେ  ଅନେକଗୁଡିଏ ଛୋଟ ଛୋଟ ଡାଳ ହୋଇ ଗୁଚ୍ଛ  ଭଳି ଦେଖାଯାଏ ।
    2. ଫୁଲର  ପରାଗ ରେଣୁ ନଷ୍ଟ ହୋଇଯାଉଥିବାରୁ  କଷିଫଳ ଝଡି ପଡେ ତେଣୁ  ଯଥେଷ୍ଟ ଫୁଲ ଫୁଟିଲେ ମଧ୍ୟ ଫଳ ରହେନାହିଁ । ନଡିଆ  ଗଛରୁ   ଗୋଟମା ସବୁ ଝଡି ପଡେ ।
    3. ପତ୍ର  ଫଳକରେ  ଗୋଟିଏ ପାଖ  ଓସାର  ଓ ଅନ୍ୟପାଖ  ଅଣଓସାର ହୋଇ ପଢେ । ତେଣୁ  ପତ୍ର  ଫଳକ  ଗୋଟିଏ  ପାଖକୁ  ବାଙ୍କିଯାଏ  ଓ  ଛୋଟ ହୁଏ ।
    4. ଧାନ  ଗଛର  କଅଁଳ ପତ୍ରର ଅଗ୍ରଭାଗ ଫିକା ପଡିଯାଏ ।
    5. କୋବି ଗଛର କାଣ୍ଡର କନ୍ଦା ଅଂଶ  କଳା ପଡିଯାଏ  ଓ  ମରିଯାଏ । ବନ୍ଧାକୋବି  ଭିତର ମଞ୍ଜ ସଢିଯାଏ ଓ  ଫୁଲ  କୋବି  ଫୁଲ ଉପରେ  ମନ୍ଦା  ମନ୍ଦା ପାଟଳ ଦାଗ ବା  କଳାମଲା ଦାଗ ଦେଖାଯାଏ   ।
    6. ବିଲାତି  ବାଇଗଣ ଫଳ ଉପରେ କଳା ପଚାଦାଗ ଦେଖାଯାଏ ।  ଡାଳର ଅଗ୍ରଭାଗରେ ଥିବା ପତ୍ର ଗୁଡିକ  ଛୋଟ ଛୋଟ ହୋଇଯାଏ  ଓ  ପଟାଳିଆ ପଡିଯାଏ  ।
  • ମଲିବଡେନମ୍
    1. ଶିମ୍ବ ଜାତୀୟ  ଫସଲରେ ଏହି ଅଭାବ ବିଶେଷ  ଦେଖାଯାଏ  । ଗଛଗୁଡିକ  ସାଧାରଣତଃ  ଫିକା  ସବୁଜ ରଙ୍ଗ  ହୋଇଯାଏ  ଏବଂ   ଛୋଟ  ହୋଇଯାଏ । ଚେରରେ  ଶାକାଣୁ  ଭାତୁଡି  ବା ଗୁଟିକା ସଂଖ୍ୟା  କମିଯାଏ ।
    2. କୋବିପତ୍ର  ଠୋଲାଳିଆ  ହୋଇଯାଏ  ଓ  ପତ୍ରର ଧାର ଭାଙ୍ଗ  ଭାଙ୍ଗ  ହୋଇଯାଇ ପାଟଳ  ରଙ୍ଗ ପଡିଯାଏ । ଅନେକ  କ୍ଷେତ୍ରରେ ମଝିଶିରା   ଦୁଇପାର୍ଶ୍ଵରେ ସରୁଫଳକ ଥାଇଘୋଡାଛାଟ ଭଳି ଲମ୍ବା ପତ୍ର ସୃଷ୍ଟି  ହୁଏ ।
    3. କମଳା  ଜାତୀୟ  ଗଛର  ପତ୍ରରେ  ହଳଦିଆ ପତ୍ରଚିତା ଲକ୍ଷଣ ଦେଖାଯାଏ । କ୍ଳୋରିନ ଓ  କୋବାଲଟ୍ ଉପାଦାନ  ଅଭାବଜନିତ ଲକ୍ଷଣ  ନିର୍ଦ୍ଧିଷ୍ଟ  ଭାବେ ଜଣାଯାଇନାହିଁ ।

    ଅନେକ କ୍ଷେତ୍ରରେ ରୋଗ ବା  ପୋକ  ଆକ୍ରମଣ  ହେତୁ  କିମ୍ବା ଖରାପ ପାଗ ବା ମୃତ୍ତିକା ପରିବେଶ ହେତୁ ଗଛରେ ଯେଉଁ ଲକ୍ଷଣ ଦେଖାଯାଏ ।  ତାହା   ଖାଦ୍ୟସାର  ଅଭାବ  ଜନିତ ଲକ୍ଷଣର ଭ୍ରମ ଧାରଣା   ସୃଷ୍ଟି କରେ । ଏକ  ସମୟରେ  ଗଛରେ   ଦୁଇ  ବା  ତତୋଧିକ ଖାଦ୍ୟ ଉପାଦାନର ଅଭାବ  ହେତୁ ଲକ୍ଷଣ ଗୁଡିକ ମିଶାଗୋଳା ହୋଇଯାଏ ତେଣୁ  ସଠିକ୍ ଭାବରେ ଜାଣି  ହୁଏ ନାହିଁ ।

    ଆଧାର  - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା ଓ ପ୍ରଶିକ୍ଷଣ  ପରିଷଦ

2.85185185185
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top