ହୋମ / କୃଷି / ଶସ୍ୟ ଉତ୍ପାଦନ / ଉନ୍ନତମାନର ଚାରା ଓ କଲମୀ ଉତ୍ପାଦନ
ସେଆର କରନ୍ତୁ

ଉନ୍ନତମାନର ଚାରା ଓ କଲମୀ ଉତ୍ପାଦନ

ଉନ୍ନତମାନର ଚାରା ଓ କଲମୀ ଉତ୍ପାଦନ ର ସୂଚନା

ମଞ୍ଜି ଦ୍ଵାରା ବଂଶ ବିସ୍ତାର

କଥାରେ ଅଛି, “ଯେମିତି ମଞ୍ଜିରୁ, ସେମିତି ଗଛ” ତେଣୁ ଉଦ୍ୟାନ କୃଷି ପାଇଁ ଭଲ ମଞ୍ଜି, ଭଲ କଲମୀ ବ୍ୟବହାର କରିବା ଉଚିତ୍  । ଯାହାକି ଆମକୁ ଭଲ ଗଛଟିଏ ଦେବ  ।

ଉଦ୍ୟାନ କୃଷି ଅନ୍ତର୍ଗତ ଫସଲ ଗୁଡିକର ବଂଶ ବିସ୍ତାର ପ୍ରଣାଳୀ ଦୁଇ ପ୍ରକାର  । ଗୋଟିଏ ହେଲା ଲିଙ୍ଗୀୟ ବା ମଞ୍ଜି ରୋପଣ ପ୍ରଣାଳୀ ଅନ୍ୟଟି ଅଲିଙ୍ଗୀୟ ବା କଲମୀ ପ୍ରଣାଳୀ  ।

ପନିପରିବା, ବିଭିନ୍ନ ପ୍ରକାର ଫୁଲ ଏବଂ ଗଛରୁ ମଞ୍ଜିଦ୍ୱାରା ବଂଶ ବିସ୍ତାର କରାଯାଇଥାଏ  । ଫଳ କଲମୀ ପ୍ରସ୍ତୁତ ପାଇଁ ମଞ୍ଜି ବ୍ୟବହାର କରାଯାଇଥାଏ  । ମଞ୍ଜିଗୁଡିକ ଛୋଟ ହୋଇଥିବାରୁ ଏହାକୁ ବ୍ୟବହାର କରିବା ସହଜ  । ତେବେ ସ୍ଵପରାଗସଂଗମ ଦ୍ଵାରା ପ୍ରସ୍ତୁତ ମଞ୍ଜି ଗୁଡିକରେ ତାହାର ମା’ ଗଛର ଗୁଣ ସଂରକ୍ଷିତ ରହିଥାଏ  କିନ୍ତୁ ପରପରାଗ ସଂଗମ ଦ୍ଵାରା ଉତ୍ପନ୍ନ ମଞ୍ଜିଗୁଡିକରେ ମା’ ଗଛର ଗୁଣ ଅବିକଳ ଦେଖାଯାଏ  ନାହିଁ  । ମଞ୍ଜିରୁ ଗଛ କରିବା ସାଧାରଣ ଭାବେ ସହଜ  । ତେବେ ଟାଣ ମଞ୍ଜି କିମ୍ବା ଅମଳପରେ ସୁପ୍ତାବସ୍ଥାରେ ଥିବା ମଞ୍ଜିକୁ ପାଣିରେ ଭିଜାଇ କିମ୍ବା ଅମ୍ଳଉପଚାର ଦେଇ କିମ୍ବା ଥଣ୍ଡାରେ ରଖି ସେଗୁଡିକର ଅଙ୍କୁରୋଦଗମ ଶକ୍ତିକୁ ଉଦଜୀବିତ କରାଯାଏ  ।‘ ମଞ୍ଜି ଅମଳ ପରେ ଭଲ ଭାବରେ ସାଇତି ରଖାଯାଏ  । ଉନ୍ନତ ମାନର ମଞ୍ଜି ମଧ୍ୟରୁ ଚାଷୀମାନେ ପ୍ରାମାଣିକ ବିହନ ବ୍ୟବହାର କରିବା ଉଚିତ  । ତଳିଘରା ପ୍ରସ୍ତୁତ କରି ମଞ୍ଜି ଲଗାଇ ଚାରା ପ୍ରସ୍ତୁତ କରାଯାଏ  । ପନିପରିବା ଓ ଫୁଲ ତଳି ଏକ ମାସ ମଧ୍ୟରେ ପ୍ରସ୍ତୁତ ହୁଏ  । କିନ୍ତୁ ପିଆଜ ଓ ଅମୃତଭଣ୍ଡା ତଳି ଦୁଇମାସ ସମୟ ନିଏ  ।

ଅଲିଙ୍ଗୀୟ ବା ଅଂଗଜ ପ୍ରଣାଳୀ

ଏହି ପ୍ରକାର ବଂଶବିସ୍ତାର ପ୍ରଣାଳୀରେ ମଞ୍ଜି ବ୍ୟବହାର କରାଯାଏ  ନାହିଁ  । ଡାଳ, ପତ୍ର, ଚେର ଇତ୍ୟାଦି ବ୍ୟବହାର କରି ଗଛ କରାଯାଏ  । ଏଗୁଡିକ ମା ଗଛର ଗୁଣକୁ ସଂରକ୍ଷିତ କରି ରଖିଥିବା ହେତୁ ମା ଗଛ ଭଳି ଉତ୍ପାଦନ ଦିଅନ୍ତି  । ଏହାକୁ ସାଧାରଣ ଭାବେ କଲମୀ ଗଛ କୁହାଯାଇଥାଏ  ।

ନର୍ସରୀ

ଯେଉଁଠାରୁ ବିଭିନ୍ନ ପ୍ରକାର ମଞ୍ଜି, ତଳି ଓ ଗଛ ପତ୍ର ମିଳିପାରେ ଆମେ ତାହାକୁ ନର୍ସରୀ କହିଥାଉ  । ନର୍ସରୀ ସଂସ୍ଥାପନ ଉନ୍ନତ କୃଷି ବ୍ୟବସ୍ଥା ପାଇଁ ଅପରିହାର୍ଯ୍ୟ  । କାରଣ ଜଣେ ବ୍ୟକ୍ତି ସବୁପ୍ରକାର ଉନ୍ନତ ଧରଣର ଗଛପତ୍ର ସଂଗ୍ରହ କରିବା କଷ୍ଟକର ହୋଇଥାଏ  । ନର୍ସରୀ  ମାଧ୍ୟରେ ସେ ପ୍ରତିବର୍ଷ ଉଦ୍ଭାବିତ ହେଉଥିବା ବିଭିନ୍ନ ପ୍ରକାର ଉନ୍ନତ କିସମ ଗଛ ସଂଗ୍ରହ କରେ  । ନର୍ସରୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଗୁଡିକହେଲା

  • ନର୍ସରୀରେ ଗଛପତ୍ର ହୃଷ୍ଟପୃଷ୍ଟ ହୋଇ ବଢିବା ପାଇଁ ଅନୁକୂଳ ବାତାବରଣ ଯୋଗାଇ ଥାଏ  ।
  • ନର୍ସରୀର ସୀମିତ ଜାଗାରେ ବହୁତ ସଂଖ୍ୟାରେ ଚାରା ଓ ତଳିକୁ ଯତ୍ନର ସହିତ ବଢାଯାଇପାରେ  । ଅଳ୍ପ ବୟସର ଗଛଗୁଡିକୁ ଠିକ୍ ସମୟରେ ରୋଗଦାଉରୁ ରକ୍ଷା କରାଯାଇପାରେ  ।
  • ନର୍ସରୀରେ ତଳି ଉତାରିବା ଦ୍ଵାରା ପ୍ରତିକୂଳ ପାଗ ବେଳେ ମୁଖ୍ୟ କ୍ଷେତରେ ତଳି ନଲଗାଇ ଅନୁକୂଳ ପାଗ ହେବା ପର୍ଯ୍ୟନ୍ତ ନର୍ସରୀରେ ତଳିକୁ ସୁରକ୍ଷିତ ରଖାଯାଇପାରେ  ।
  • ମୁଖ୍ୟ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ ସମୟ ମିଳିଥାଏ  ।
  • ନର୍ସରୀରେ ଗଛପତ୍ର ପ୍ରସ୍ତୁତ ବେଳେ ବେଶୀ ପରିମାଣର ମଞ୍ଜି ନଷ୍ଟ ହୁଏ ନାହିଁ  ।
  • ନୂଆ କରି ଅଣାଯାଇଥିବା ଗଛଗୁଡିକୁ ବଢିବା ପାଇଁ ଉପଯୁକ୍ତ ଉପଚାର ମିଳିଥାଏ  ।

ନର୍ସରୀ କରିବା ପୂର୍ବରୁ କେଉଁଠାରେ ନର୍ସରୀ କରିବେ ଏହା ନିରୂପଣ କରିବା ଉଚିତ୍  । ଗଛ ପତ୍ର ବ୍ୟବହାର କରାଯାଉଥିବା ଓ ବିକ୍ରିବଟା ସୁବିଧାଥିବା ଅଞ୍ଚଳରେ ନର୍ସରୀ ପ୍ରତିଷ୍ଠା କରିବା ଉଚିତ୍  । ସେହି ସ୍ଥାନକୁ ଯାତାୟତର ସୁବିଧା ରହିବା ଦରକାର  । ନର୍ସରୀର ମାଟି ଉନ୍ନତଧରଣର ହେବା ଆବଶ୍ୟକ  । ଏହା ଉର୍ବର ହାଲୁକା ଓ ନିଗିଡା ହେବା ଆବଶ୍ୟକ  । ମାଟିର ବେଶୀ ଜଳଧାରଣ ଶକ୍ତି ରହିବା ଉଚିତ୍  । ନର୍ସରୀରେ ଯେପରି ଜଳ ଜମିନଯାଏ ତାହାର ବ୍ୟବସ୍ଥା କରିବା ଉଚିତ  । ବେଶୀ କାଦୁଆ ମାଟି ନର୍ସରୀ ପାଇଁ ଅନୁପଯୁକ୍ତ  । ସାଧାରଣତଃ ନର୍ସରୀରେ ଦୁଇଭାଗ ଦୋରସା ମାଟି, ତିନିଭାଗ ଗୋବରଖତ ଓ ଏକଭାଗ ନଦୀପଠା  ମାଟି ବ୍ୟବହାର କରାଯାଏ  । ଦରକାର ବେଳେ କିଛି ବାଲି ମଧ୍ୟ ମିଶାଯାଏ  ।

ନର୍ସରୀର ବିଭିନ୍ନ ଅଂଶ

ଗୋଟିଏ ନର୍ସରୀରେ ଚାରା ଓ ତଳି ଉତ୍ତାରିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଥାଏ  । ତଳିଘରାରେ ଚାରା ଉତ୍ତରାଯାଏ  । ଅଦିନରେ ଗ୍ରୀନହାଉସରେ ତଳି ଉତ୍ତରାଯାଇପାରେ  । ଗଛ ଗୁଡିକ କୁଣ୍ଡରେ ଲଗାଯିବା ପରେ ଲାଥହାଉସରେ ରଖାଯାଇଥାଏ  । କୁଣ୍ଡଘରରେ ବିଭିନ୍ନ ପ୍ରକାର ଗଛ କୁଣ୍ଡରେ ଲଗାଯାଇ ରଖାଯାଏ  । ଶୀଘ୍ର ଚେର ହେବା ପାଇଁ ଡାଳଗୁଡିକୁ ମିଷ୍ଟହାଉସ ଭିତରେ ଥିବା ତଳିଘରାରେ ପୋତି ରଖାଯାଏ  । ମା ଗଛ ବଗିଚାରେ ଗଛ ଗୁଡିକୁ ଲଗାଯାଇ ଭଲଭାବରେ ବଢାଯାଏ  । ମୂଳଦଣ୍ଡ ବଗିଚା ସ୍ଥାପନ କରି ସେଥିରେ ମଞ୍ଜି କିମ୍ବା ଡାଳ ସଂଗ୍ରହ କରି ମୂଳଦଣ୍ଡ ପ୍ରସ୍ତୁତ କରାଯାଏ  । ଥଣ୍ଡାଦିନେ ମଞ୍ଜି ଭଲ ଗଜା ହେବା ପାଇଁ ଉଷ୍ଣଘର ବ୍ୟବହାର କରାଯାଏ  । ଆଗ୍ରୋନେଟ ଦ୍ଵାରା ସୂର୍ଯ୍ୟକିରଣର ପ୍ରବେଶ କମିଯାଏ  । ତେଣୁ ଏହାକୁ ଟାଣି ତାହାର ତଳେ ତଳି ଉତ୍ତାରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଚାରା ଗଛ ତିଆରି କାର୍ଯ୍ୟ କରାଯାଇଥାଏ  ।

ମାଧ୍ୟମ

ଚାରା କିମ୍ବା ଗଛ ଉତ୍ତାରିବା ପାଇଁ ମାଟି, ବାଲି, ଭର୍ମିକୁଲାଇଟ, ପିଟ୍, ପରଲାଇଟ୍, ପତ୍ରଖତ, ମସ୍ ପ୍ରଭୃତି ବ୍ୟବହାର କରାଯାଏ  । ସାଧାରଣତଃ ଖତ ବାଲି ଓ ମାଟି ମିଶାଇ ମିଶ୍ରଣ ପ୍ରସ୍ତୁତ କରି ଚାରା କିମ୍ବା ଗଛ ଲଗାଯାଏ  । ପ୍ରତ୍ୟକ ମିଶ୍ରଣର ଜଳନିଷ୍କାସିତ, ଉତ୍ତାପ ସଂରକ୍ଷିତ ହେଉଥିବା ସହିତ ଜଳଧାରଣ ଶକ୍ତି ଥିବା ଆବଶ୍ୟକ  ।

ତଳିଘରା ତିଆରି

ତଳିଘରରେ ମଞ୍ଜିରୁ ଚାରା ଉତ୍ତରାଯାଇଥାଏ  । ଏହା ସାଧାରଣତଃ ୧୨୦ ସେଣ୍ଟିମିଟର ଓସାର, ୩୦୦ ସେଣ୍ଟିମିଟର ଲମ୍ବ ଓ ୧୫ ସେଣ୍ଟିମିଟର ଉଚ୍ଚା ହେବା ଆବଶ୍ୟକ  । ଦୁଇଗୋଟି ପଟାଳି ମଧ୍ୟରେ ୬୦ ସେଣ୍ଟିମିଟର ଖାଲି ସ୍ଥାନ ରହିବା ଆବଶ୍ୟକ  । ପଟାଳିରେ ବିଭିନ୍ନ ପନିପରିବା ଯଥା : କୋବି, ବାଇଗଣ, ଲଙ୍କା ପ୍ରଭୃତିର ତଳି ଉତ୍ତରାଯାଏ  । ଏହା ବ୍ୟତୀତ ତଳି ଘରାରେ ଡାଳ କଲମୀ କରାଯାଇପାରେ  ।

ତଳିଘରାରେ ଯତ୍ନ

ତଳିଘରାକୁ ପ୍ରସ୍ତୁତ ବେଳେ ମାଟି ବିଶୋଧନ କରିବା ଦରକାର  । ମାଟି ଉପରେ ଡାଳପତ୍ର ଓ ଘାସ ରଖି ପୋଡିଦେଲେ ମାଟି ବିଶୋଧିତ ହୋଇଥାଏ  । ଟ୍ରାଇକୋଡର୍ମା ଭିରିଡି ମାଟିରେ ମିଶାଯାଇପାରେ  । ଏହା ବ୍ୟତୀତ ବିଭିନ୍ନ ରାସାୟନିକ ପଦାର୍ଥ ପକାଯାଇପାରେ  । ତଳିଘରାରେ ମଞ୍ଜି ଧାଡିକରି ବୁନଯାଏ  । ଧାଡିଭିତରେ ଏକାଠି ମେଞ୍ଚା ମେଞ୍ଚା ମଞ୍ଜି ପକାଇବା ଅନୁଚିତ୍  । ମଞ୍ଜି ପକାଇବା ପରେ ଗୁଣ୍ଡ ମାଟି ଦେଇ ମଞ୍ଜିକୁ ଘୋଡାଇ ଦିଆଯାଏ  । ବାହାରେ ଉତ୍ତାପ କମ୍ ଥିଲେ ନଡା କିମ୍ବା ଅଖା ଦ୍ଵାରା ତଳିଘରାକୁ ଘୋଡାଇ ଦିଆଯାଏ  । ଝରା ଦ୍ଵାରା ତଳିଘରାରେ ଜଳସେଚନ କରାଯାଏ  । ମଞ୍ଜି ଗଜା ହେଲାପରେ ନଡା କିମ୍ବା ଅଖାକୁ ବାହାର କରିଦିଆଯାଏ  । ପନିପରିବା ତଳିଗୁଡିକ ଏକମାସ ମଧ୍ୟରେ ଲଗାଇବାପାଇଁ ପ୍ରସ୍ତୁତ ହୋଇଯାଏ  । କିନ୍ତୁ ଅମୃତଭଣ୍ଡା ପିଆଜ ପ୍ରଭୃତି ତଳିଗୁଡିକ ପ୍ରସ୍ତୁତ ହେବା ପାଇଁ ଦୁଇମାସ ଲାଗିଥାଏ  । ପନିପରିବା ତଳିଗୁଡିକୁ ସନ୍ଧ୍ୟାବେଳେ ଉପାଡି ଆଣି ମୁଖ୍ୟ ଜମିରେ ଲଗାଯାଏ  । ଅମୃତଭଣ୍ଡା ଭଳି ତଳିକୁ ମାଟି ପିଣ୍ଡୁଳା ସହିତ ବାହାର କରାଯାଏ  ।

କୁଣ୍ଡ ରଖିବା ସ୍ଥାନ

କୁଣ୍ଡ ରଖିବା ସ୍ଥାନଗୁଡିକୁ ଅଧିକାଂଶ ସମୟରେ ସୂର୍ଯ୍ୟାଲୋକରୁ ରକ୍ଷା ପାଇବା ପାଇଁ ଆଗ୍ରୋନେଟ ବ୍ୟବହାର କରାଯାଇପାରେ ଦରକାର ବେଳେ ଖରାରେ ରଖାଯାଏ  । ଏହା ବ୍ୟତୀତ ନର୍ସରୀ ଭିତରେ ଗ୍ରୀନହାଉସ୍, ଲାଥ୍ ହାଉସ, ଗ୍ଲାସ ହାଉସ ପ୍ରବୃତି ସୃଷ୍ଟି କରାଯାଇ ତାହା ଭିତରେ ଗଛ ରଖାଯାଏ  ।

ନର୍ସରୀରେ ମା’ ଗଛ ଲଗାଇବା

ନର୍ସରୀ ଭିତରେ ମା’ ଗଛର ଆବଶ୍ୟକତା ଯଥେଷ୍ଟ ବେଶୀ  । ବିଭିନ୍ନ ଜାତି ଓ କିସମର ମା’ ଗଛ ନର୍ସରୀ ଭିତରେ ରଖାଯାଏ  । ଏହା ହୃଷ୍ଟପୃଷ୍ଟ ଓ ରୋଗମୁକ୍ତ ହେବା ଦରକାର  । ସେହିପରି ନର୍ସରୀରେ ଦରକାର ପଡିଲେ ମୂଳଦଣ୍ଡ ବା ପୋଷାକଗଛ ରଖାଯାଇପାରେ  । ଏଗୁଡିକରୁ ମଞ୍ଜି ସଂଗ୍ରହ କରି ମୂଳଦଣ୍ଡ ରୂପେ ବ୍ୟବହାର କରାଯାଏ  ।

ନର୍ସରୀ ଗଛର ଯତ୍ନ

ଝଡ ତୋଫାନ ଜନିତ ରକ୍ଷା ପାଇବା ପାଇଁ ନର୍ସରୀ ଚାରିପଟେ ବାୟୁରୋଧକ ଗଛ ଲଗାଯିବା ଆବଶ୍ୟକ  । ଗଛଗୁଡିକରେ ନିୟମିତ ଦରକାର ମୁତାବକ ପାଣିଦେବା ଆବଶ୍ୟକ  । ଛାମୁଣ୍ଡିଆ କରି ସୁଶୀତଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ  । ନର୍ସରୀରୁ ଘାସପତ୍ର ବାଛି ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଦରକାର  ।

ଅଙ୍ଗଜ ପ୍ରଣାଳୀରେ ବଂଶ ବିସ୍ତାର

ଅଙ୍ଗଜ ପ୍ରଣାଳୀରେ କାଣ୍ଡ, ପତ୍ର, ଚେର, ପେଷି ପ୍ରଭୃତିରୁ ଅବିକଳ ମା ଗଛର ଗୁଣ ଥାଇ ଗଛ କରାଯାଇ ପାରେ, ଏହି ପ୍ରକାର ଗଛ ଗୁଡିକରେ ଶୀଘ୍ର ଫୁଲ ଫଳ ଧରେ, ମଞ୍ଜିରୁ ଗଛ ହେଉନଥିବା ଗଛ ଗୁଡିକୁ ଅଙ୍ଗଜ ପ୍ରଣାଳୀରେ ବଂଶ ବିସ୍ତାର କରାଯାଏ ଯଥା – କଦଳୀ ଓ ସପୁରୀ

ପୃଥକୀ କରଣ

ଅଦା, ହଳଦୀ, ଅର୍କିଡ, ଲିଲି, ସପୁରୀ, ରସୁଣ ପ୍ରଭୃତି ଗଛ ଗୁଡିକର କନ୍ଦ, ଧାବକକନ୍ଦ ଧନକନ୍ଦ, ଭୁସ୍ତାରୀ, ପୁଆ ପ୍ରଭୃତି ମା ଗଛରୁ ଅଲଗା କରି ବଂଶ ବିସ୍ତାର କରାଯାଏ  । ଗୟାଆଳୁ କାଣ୍ଡକୁ ଖଣ୍ଡ, ଖଣ୍ଡକରି ବଂଶ ବିସ୍ତାର କରାଯାଏ  । କନ୍ଦମୂଳ ଭଳି କେତେକ ସ୍ପିତ ମୂଳରୁ ନୂଆ ଗଛ କରାଯାଏ  । କାଙ୍କଡ, ଡାଲିଆ, ପୋଟଳ ଗଛର ସ୍ପିତ ଚେରରୁ ନୂଆ ଗଛ ହୁଏ  । ସପୁରୀ, କଦଳୀ ପୁଆକୁ ଅଲଗା ଅଲଗା କରି ଲଗାଯାଏ  ।

ସ୍ଵଚେର ଅବସ୍ଥାପନ

ଡାଳ କଲମୀ ପ୍ରଣାଳୀରେ ଡାଳ, ଚେର କିମ୍ବା ପତ୍ର କାଟିଆଣି ଚେର କରାଇ ନୂଆ ଗଛ କରାଯାଏ  । ନୂଆ ଚେର କିମ୍ବା ଡାଳବାହାରିବା ପର୍ଯ୍ୟନ୍ତ ଏହା ନିଜ ମଧ୍ୟରେ ଥିବା ଖାଦ୍ୟ ବ୍ୟବହାର କରିଥାଏ  ।  ଡାଳର ପରିପକ୍ଵତା ଅନୁସାରେ ଏହାକୁ ଶାକୀୟ, ନରମ, ଅର୍ଦ୍ଧପାକଳ ଏବଂ ପାକଳ ହିସାବରେ ୪ ଭାଗରେ ବିଭକ୍ତ କରାଯାଏ  । ସେବତୀ, ଡାଲିଆ ପ୍ରଭୃତି ଗଛ ଶାକୀୟ କଲମୀ ଦ୍ଵାରା ଗଛ କରାଯାଇଥାଏ  । ଗୋଲାପ, କୁନ୍ଦୁରୁଲେମ୍ବୁ, ଡାଳିମ୍ବ ପ୍ରଭୃତି ଅର୍ଦ୍ଧ ପାକଳ ଡାଳକୁ ଚାରା ପାଇଁ ବ୍ୟବହାର କରାଯାଏ  । ଥୁଜା, ଯୁନିପରାସ, ଅଙ୍ଗୁର ପ୍ରଭୃତି ଟାଣ ଡାଳକୁ କଲମୀ ପାଇଁ ବ୍ୟବହାର କରାଯାଇଥାଏ  । ପୋଟଳ, ଚନ୍ଦନ ପ୍ରଭୃତିର ଚେରରୁ ନୂଆ ଗଛ କରାଯାଏ  । ଏହି ପ୍ରଣାଳୀରେ ଗଛର ଆବଶ୍ୟକୀୟ ଅଂଶ ଗୁଡିକୁ ସିଧା ମାଟିରେ ପୋତି ଚେର ବାହାରିବା ପରେ ପଲିଥିନରେ ଲଗାଯାଏ  ।

ଲେୟାରିଂ କଲମୀ

ଲେୟାରିଂ କଲମୀରେ ଗଛରେ ଡାଳ ଲାଗିଥିବା ଅବସ୍ଥାରେ ଚେର ସୃଷ୍ଟି କରାଯାଏ ଏବଂ ଚେର ତଳୁ ଡାଳକୁ କାଟି ନୂଆ କରାଯାଏ

ସରଳ ମାଟି କଲମୀ

ଏହି ପଦ୍ଧତିରେ ଡାଳକୁ ବଙ୍କାଇ ଆଣି ଅଗରୁ ୪୫ ସେ.ମି. ଛାଡି ଗଣ୍ଠିପାଖରେ ଡାଳର ୧/୩ ଅଂଶକୁ ତୀର୍ଯକଭାବେ କାଟି ମାଟିରେ ପୋତିଦିଆଯାଏ  । ଏହି ପୋତା ସ୍ଥାନ ଉପରେ ଏକ ଓଜନଦାର ବସ୍ତୁ କିମ୍ବା ଇଟା ଲଦି ଦିଆଯାଏ  । ଏହାଦ୍ଵାରା ୨ ମାସ ମଧ୍ୟରେ କଟା ସ୍ଥାନରୁ ଚେର ବାହାରେ  । ତାକୁ ମାଆ ଗଛରୁ ଅଲଗା କରି ନୂଆ ଗଛ କରାଯାଏ  । ଗୋଲାପ, ପିଜୁଳି, ଲେମ୍ବୁର ବଂଶ ବିସ୍ତାର ଏହିପରି କରାଯାଏ  ।

ଗର୍ତ୍ତକଲମୀ

ଗଛ ନିକଟରେ ୫-୧୦ ସେ.ମି. ଗଭୀରତାରେ ଗାତ ଖୋଳି ମା’ ଗଛର ଡାଳକୁ ଟାଣିଆଣି ଏହି ଗାତରେ ପୋତି ଦିଆଯାଏ  । ଡାଳର ପ୍ରତି ଗଣ୍ଠିରୁ ନୂଆ ଚେର ସୃଷ୍ଟି ହୁଏ  । ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଆଣି ଲଗାଯାଏ  ।

କୁଦ

ଏହି ପ୍ରଣାଳୀରେ ମୁଖ୍ୟ ଗଛର କାଣ୍ଡକୁ ମାଟି ଉପରୁ କିଛି ଅଂଶରଖି କାଟି ଦିଆଯାଏ  । କାଣ୍ଡର ଅବଶିଷ୍ଟାନ୍ସରୁ ଅନେକ ଶାଖା ବାହାରେ ଏହି ଶାଖା ଗୁଡିକର ମୂଳକୁ ମାଟି ଦେଇ ଦେଲେ, ସେଗୁଡିକ ମୂଳରୁ ଚେର ବାହାରେ । ଚେର ସହିତ ଶାଖା ଗୁଡିକୁ କାଟି ଆଣି କୁଣ୍ଡ କିମ୍ବା ପଲିଥିନ ପ୍ୟାକେଟରେ ଲଗାଯାଏ । ପିଜୁଳି, ସଜନା ବେଲ ପ୍ରଭୃତି ଗଛର ବଂଶ ବିସ୍ତାରଏହିପରି କରାଯାଇଥାଏ ।

ଯୌଗିକ ଲେୟାରିଂ

ଏହି ପ୍ରଣାଳୀରେ ପାନ, ମଲ୍ଲୀ, ଗୋଲମରିଚ ଡାଳକୁ ଲମ୍ବାକରି ସର୍ପିଳ ଗତି ପରି ମାଟିରେ ପୋତି ଦିଆଯାଏ  ଯେପରି ଡାଳର କିଛି ଅଂଶ ବାହାରକୁ ଦେଖାଯାଉଥାଏ  । ପ୍ରତି ଗଣ୍ଠିରୁ ଚେର ବାହାରିବା ପରେ, ଅଲଗା ଅଲଗା କରି ଲଗାଯାଏ  ।

ଅଗ୍ର ଲେୟାରିଂ

ଗଛର ଡାଳକୁ ଟାଣିଆଣି କେବଳ ଅଗ୍ର ଅଂଶଟିକୁ ମାଟିରେ ପୋତି ଦିଆଯାଏ, ଅଗରୁ ନୂଆ ଗଛ ଓ ଚେର ବାହାରିବା ପରେ ସେଗୁଡିକୁ କାଟି ଲଗାଯାଏ  ।

ଗୁଟିକଲମୀ

ଏହି ପ୍ରଣାଳୀରେ ପାକଳ ଡାଳର ଅଗ୍ରରୁ ୩୦-୪୫ ସେ.ମି ଛାଡି ୩-୪ ଲମ୍ବର ଡାଳରୁ ଚୋପା ଛଡାଇ ଦେଇ ସେହି ସ୍ଥାନରେ ଓଦା ମସ୍ କିମ୍ବା ଓଦା ମାଟି ଓ ପତ୍ରଖତ ମିଶ୍ରଣ ପିନ୍ଧାଇ ଦେଇ ପଲିଥିନ ପଟିରେ ବାନ୍ଧି ଦିଆଯାଏ  । ୬ ରୁ ୮ ସପ୍ତାହପରେ ପଟିର ଉପର ଅଂଶର କଟାତଳୁ ଚେର ବାହାରେ ଏହା ପରେ ଏହାକୁ କାଟି ଆଣି ନୂତନ ଗଛ କରାଯାଏ  । ପିଜୁଳି, ଜାମୁ, ଗୋଲାପଜାମ, ଲେମ୍ବୁ, ଲିଚୁ ଆଦି ପ୍ରଭୃତି ଗଛର ବଂଶ ବିସ୍ତାର ଏହି ପରି କରାଯାଏ  ।

ବଡିଂ ଏବଂ ଗ୍ରାଫଟିଂ

ଏହି ପ୍ରଣାଳୀରେ ଦୁଇଟି ଗଛକୁ ଯୋଡିଦିଆଯାଏ  । ସେଥିରୁ ଗୋଟିଏ ମୂଳ ଏବଂ ଅନ୍ୟଟି କାଣ୍ଡରେ ପରିଣତ ହୋଇ ଗୋଟିଏ ଗଛହୁ  । ମୂଳ ଗଛଟିକୁ ମୂଳଦଣ୍ଡ କୁହାଯାଏ  । ମା’ ଗଛର ଡାଳକୁ ପୋଷ୍ୟଡାଳ କୁହାଯାଏ  ।

ଆଖି କଲମୀରେ ଡାଳ ବଦଳରେ ଗୋଟିଏ ଆଖି ବ୍ୟବହାର କରାଯାଏ  । ଡାଳ କିମ୍ବା ଆଖି ମୂଳଦଣ୍ଡରେ ଲାଗିଗଲା ପରେ ମୂଳଦଣ୍ଡର ଅଗ୍ରଭାଗକୁ କାଟି ଦିଆଯାଏ  । ଏଥିପାଇଁ ନର୍ସରୀରେ ମୂଳଦଣ୍ଡ ଉତ୍ତରାଯାଏ ଓ ନର୍ସରୀ ପାଖରେ ପୋଷ୍ୟଡାଳ ବ୍ୟାଙ୍କ ସୃଷ୍ଟି କରାଯାଏ  ।

ଯୋଡ କଲମୀ

ବିଭିନ୍ନ ପ୍ରକାରର ଯୋଡ କଲମୀ କରାଯାଇଥାଏ  ସେଗୁଡିକ ହେଲା ଏନାରଚିଂ, ଚାବୁକ କଲମୀ, ଜିଭ କଲମୀ, ଗୋଜ କଲମୀ, ଗଦି କଲମୀ, ପାର୍ଶ୍ଵ କଲମୀ, ଚୋପା କଲମୀ, ସେତୁ କଲମୀ ଇତ୍ୟାଦି  । ଏଗୁଡିକ ମଧ୍ୟରୁ ଏନାରଚିଂ କଲମୀ, ଚାବୁକ କଲମୀ ବହୁଳ ଭାବେ ବ୍ୟବହାର ହୁଏ  ।

ଏନାରଚିଂ

ଏହି ପ୍ରଣାଳୀରେ ମୂଳଦଣ୍ଡ ଗଛ ଗୁଡିକୁ ମା’ ଗଛ ପାଖରେ ରଖାଯାଏ, ମୂଳଦଣ୍ଡର ୨୦ ରୁ ୨୫ ସେ.ମି. ଉଚ୍ଚତାରେ ମାଗଛର ସମାନ ମୋଟା ଡାଳକୁ ମୂଳଦଣ୍ଡ ପାଖକୁ ଅଣାଯାଏ  । ମୂଳଗଛ ଓ ମାଗଛ ଡାଳର ଗୋଟିଏ ପାର୍ଶ୍ଵରେ ୪-୫ ସେ.ମି. ଲମ୍ବର ଅବତଲ ଆକାରରେ କାଟି ଦୁଇ କଟାଅଂଶକୁ ଭଲଭାବେ ଯୋଡି ପଲିଥିନ ଫିତାରେ ଶକ୍ତ ଭାବରେ ବନ୍ଧାଯାଏ  । ଦୁଇଟି ଅଂଶ ଯୋଡିହୋଇଗଲାପରେ ମୂଳଦଣ୍ଡର ଅଗ୍ରକୁ ଏବଂ ପୋଷ୍ୟଡାଳର ତଳ ଅଂଶକୁ କାଟି ନୂଆ ଗଛ କରାଯାଏ  ।

ଚାବୁକ କଲମି କିମ୍ବା ଅଗ୍ର କଲମି (ଯୋଡ କଲମି)

ଏହି ପ୍ରଣାଳୀରେ ମା’ ଗଛର ୨୦ ସେ.ମି. ଲମ୍ବର ଡାଳକୁ ଡେମ୍ଫ ରଖି ପତ୍ର କାଟି ଟ୍ରେନିଂ ଦିଆଯାଏ  । ସାତ ଦିନ ପରେ ଡାଳକୁ କାଟି ଆଣି, ମୂଳଦଣ୍ଡ (ରୁଟଷ୍ଟକ)ରେ ଯୋଡାଯାଏ  । ଦୁଇଟିଯାକ ଡାଳକୁ ଶକ୍ତଭାବରେ ଶକ୍ତଭାବରେ ମିଶାଇ ପଲିଥିନ ପଟିରେ ବାନ୍ଧି ଦିଆଯାଏ  । ଅଗ୍ରକଲମିରେ ମୂଳଦଣ୍ଡର ଅଗ୍ରକୁ କାଟିବାପରେ ମଝିରେ ଚାରି ଇଞ୍ଚ ଚିରି ଦିଆଯାଏ, ପୋଷ୍ୟ ଡାଳର ନିମ୍ନ ଅଂଶକୁ ଦୁଇ ପାର୍ଶ୍ଵରେ ତୀର୍ଯ୍ୟକକାଟ ଦେଇ ମୂଳଦଣ୍ଡ ମଧ୍ୟରେ ଭର୍ତ୍ତିକରି ପଲିଥିନ ପଟିରେ ଶକ୍ତଭାବେ ବାନ୍ଧିଦିଆଯାଏ  । ଦେଢ ମାସ ମଧ୍ୟରେ ଡାଳ ଯୋଡି ହୋଇଯାଏ  ।

ଆମ୍ବ, କାଜୁ, ଗୋଲାପ ପ୍ରଭୃତି ଏହି ପ୍ରକାର ଯୋଡ କଲମିରେ ପ୍ରସ୍ତୁତ କରାଯାଏ  ।

ଆଖି କଲମି (ବଡିଂ)

ଆଖି କଲମି ଗୁଡିକରେ କେବଳ ଆଖି ଗୋଟିକୁ ମା’ ଗଛରୁ ବିଭିନ୍ନ ଆୟତନରେ ଚୋପା ସହିତ ବାହାର କରିବା ପରେ ସେହିପରି ମୂଳଦଣ୍ଡକୁ କାଟି ଆଖିଟିକୁ ସ୍ଥାପନ କରି ଶକ୍ତ କରି ବାନ୍ଧି ଦିଆଯାଏ  । ପୋଷ୍ୟ ଡାଳର ଆଖିଟି ବଢି ଡାଳ ହେବା ଆରମ୍ଭ କଲେ, ମୂଳଦଣ୍ଡର ଯୋଡ ଅଂଶ ଉପରକୁ କାଟି ଦିଆଯାଏ  । ଏହି ପଦ୍ଧତିରେ କମଳା, ଲେମ୍ବୁ, ଅଁଳା, ଗୋଲାପ ଆଦି ଗଛର ବଂଶବିସ୍ତାର କରାଯାଏ  । ବିଭିନ୍ନ ପ୍ରକାରର ବଡିଂ ଗୁଡିକ ହେଲା ଢାଲ ବା T ଆଖି କଲମି, ମୁଦି କଲମି, ଚୋପା କଲମି ଇତ୍ୟାଦି  ।

କେଉଁ ବୟସରେ କଲମି ଗଛ ଲଗାଯିବା ଉଚିତ

  • ଆମ୍ବ, କାଜୁ, କମଳା, ଲେମ୍ବୁ, ପିଜୁଳି, ଲିଚୁ ପ୍ରଭୃତି ଗଛ ଗୁଡିକର କଲମି କିମ୍ବା ଚାରା ଗୋଟିଏ ବର୍ଷର ହୋଇଗଲେ ଲଗାଯିବା ପାଇଁ ଉପଯୁକ୍ତ ହୁଏ  ।
  • ଅମୃତ ଭଣ୍ଡା ଓ ପିଆଜର ଦୁଇମାସିଆ ତଳି ଲଗାଯାଏ  ।
  • ଗୋଲାପ, ବିଭିନ୍ନ ପ୍ରକାର ଆଲଙ୍କାରୀକ ଗୁଳ୍ମ ଗୁଡିକ ୫-୬ ମାସ ହୋଇଗଲେ ଲଗାଯାଏ  ।
ନଡିଆ ଗଛ ୯-୧୦ ମାସ ବୟସରେ ଲଗାଯାଏ  । ପ୍ରତି ନଡିଆ ତଳିରେ ୩-୪ଟି ପତ୍ର ରହିବା ଆବଶ୍ୟକ  ଏବ, ଅଗ୍ରପତ୍ରଟି ଦୁଇ ଫାଳିଆ ହେବା ଆବଶ୍ୟକ  ।

ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ

2.76923076923
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top