ହୋମ / କୃଷି / ଶସ୍ୟ ଉତ୍ପାଦନ / କିପରି କରିବେ କଲରା ଚାଷ
ସେଆର କରନ୍ତୁ

କିପରି କରିବେ କଲରା ଚାଷ

କଥାରେ ଅଛି ‘ ରୁଚୁ ନ ରୁଚୁ ଖାଅ ପିତା, ବୁଝୁ ନ ବୁଝୁ ପଢ ଗୀତା ’ ।

କଲରାରେ ଥିବା ଭିଟାମିନ

କଲରାରେ ଭିଟାମିନ ଏ, ସି, ଲୌହ, କ୍ୟାଲସିୟମ ଓ ଫସଫରସ ପର୍ଯ୍ୟାପ୍ତ ପରିମାଣର ରହିବା ସହ ଏହାର ଅନେକ ଔଷଧୀୟ ଗୁଣ ରହିଛି । କଥାରେ ଅଛି ‘ ରୁଚୁ ନ ରୁଚୁ ଖାଅ ପିତା, ବୁଝୁ ନ ବୁଝୁ ପଢ ଗୀତା ’ । କଲରାକୁ ତରକାରି, ଭଜା ପ୍ରସ୍ତୁତ କରି ଖିଆଯାଏ । ଏହା କୃମିନାଶକ, ମଧୁମେୟ ଓ ଚର୍ମରୋଗରେ ବେଶ ଉପକାରୀ । ଏହାକୁ ଖାଇବାରେ ପାଚନ କ୍ରିୟା ଓ ଯକୃତ ସନ୍ତୁଳିତ ରହିଥାଏ ତଥା ରକ୍ତ ବୃଦ୍ଧି ଓ ମସ୍ତିଷ୍କ ଉନ୍ନତ ହୋଇଥାଏ । ବଜାରରେ କଲରାର ଚାହିଦା ଓ ଦର ବର୍ଷସାରା ଅଧିକ ରହୁଛି ।

ରାଜ୍ୟର ସବୁ ଅଞ୍ଚଳ କଲରା ଚାଷ ପାଇଁ ଉପଯୋଗୀ । ଖୋର୍ଦ୍ଧା, ଯାଜପୁର, କଟକ ଓ କୋରାପୁଟ ଜିଲ୍ଲା ଏହି ଚାଷରେ ଆଗୁଆ । ତାପମାତ୍ରା ଅଧିକ ହେଲେ ଅଣ୍ଡିରାଫୁଲ ସଂଖ୍ୟା ବୃଦ୍ଧିପାଏ ଓ ମାଈଫୁଲ ସଂଖ୍ୟା କମିଯାଏ । ନିଗିଡା, ଉର୍ବର ଓ ଦୋରସା ମାଟିରେ ଏହାର ଚାଷ ଭଲ ହୁଏ । ଉନ୍ନତ ଲୋକପ୍ରିୟ କିସମ ମଧ୍ୟରେ ପୁଷା ଦୋ ମୌସୁମୀ, ଆର୍କା ହରିତ୍, କୋଏମ୍ବାଟୁର୍ ଲଙ୍ଗ, ଲଙ୍ଗ ଗ୍ରୀନ ଅନ୍ୟତମ । ସଙ୍କର ଜାତୀୟ ହେଲା : ପୁଷା ହାଇବ୍ରୀଡ-୨, ହାଇବ୍ରୀଡ- ୪୯, ହ୍ଵାଇଟ ଲଙ୍ଗ, ଗ୍ରୀନ ଲଙ୍ଗ, ପୁନମ, ଚମନ, ପ୍ରିୟା, ସୋନମ, ପ୍ରାଚୀ, ସମର ଗ୍ରୀନ, କିରଣ ଇତ୍ୟାଦି । ଖରାଦିନେ ଉନ୍ନତ କିସମ ଯଥା- କୋଏମ୍ବାଟୁର ଲଙ୍ଗ, ପୁଷା ଦୋ ମୌସୁମୀ, ଆର୍କା ହରିତ, ଲଙ୍ଗ ଗ୍ରୀନ ଓ ସଙ୍କର ଜାତୀୟ: ହାଇବ୍ରୀଡ-୪୯, ହ୍ଵାଇଟ ଲଙ୍ଗ, ଗ୍ରୀନ ଲଙ୍ଗ ଆଦି ଚାଷ ହୋଇଥାଏ ।

ବିହନ ଓ ଖତସାର

ଏକର ପ୍ରତି ୨କିଗ୍ରା ବିହନକୁ ବିଶୋଧନ କରି ମୁଖ୍ୟ ଜମି ଓ ମନ୍ଦାରେ ଲଗାଯାଏ । ଶୀଘ୍ର ଗଜା ପାଇବା ପାଇଁ ମଞ୍ଜିକୁ ଗୋଟିଏ ରାତି ପାଣିରେ ଭିଜାନ୍ତୁ । ଜୁନ- ଜୁଲାଇ, ସେପ୍ଟେମ୍ବର- ଅକ୍ଟୋବର ଓ ଫେବୃୟାରୀ-ମାର୍ଚ୍ଚ ମାସରେ ୫-୬ ଟି ମଞ୍ଜିକୁ ଭଲ ଭାବେ ଗୁଣ୍ଡ ମାଟି ହୋଇଥିବା ଜମିରେ ୩୦ସେମି, ବ୍ୟାସ ବିଶିଷ୍ଟ ଉଚ୍ଚ ଥିବା ମନ୍ଦାରେ ୧୫୦ସେମି ଧାଡିକୁ ଧାଡି ଓ ୧୨୦ସେମି ଗଛକୁ ଗଛ ଦୂରତା ରଖି ୨ସେମି ଗଭୀରରେ ପୋତନ୍ତୁ । ପଲିହାଉସରେ ଚାରା ଉତ୍ତାରି ୨୫-୩୦ ଦିନ ବେଳକୁ ଗଛ ୭-୮ ପତ୍ର ହୋଇଥିବା ଜମିରେ ମଧ୍ୟ ଲଗାଇପାରିବେ । ଏକର ପ୍ରତି ୬୦ କୁଇଣ୍ଟାଲ ଶଢା ଖତ ସହ ୪୦:୨୦:୨୦ କିଗ୍ରା ଏନ: ପି: କେ ଦରକାର ପଡିଥାଏ । ମୂଳସାର ଭାବେ ସମସ୍ତ ଫସଫରସ, ପଟାସ ଓ ଯବକ୍ଷାରଜାନର ଏକତୃତୀୟାଂଶ ଦେଇ ଲଗାଇବାର ଦେଢମାସ ବେଳକୁ ଯବକ୍ଷାରଜାନର ଦୁଇ ତୃତୀୟାଂଶ ପ୍ରୟୋଗ କରନ୍ତୁ । ଜମିରେ ଜୀବାଣୁ ସାର ପ୍ରୟୋଗ କଲେ ଭଲ ଫଳ ମିଳିବା ସହ ରାସାୟନିକ ସାର କମ୍ ଦରକାର ହୋଇଥାଏ ।

୨୦-୨୫ ଏବଂ ୪୦-୪୫ ଦିନରେ ୨ଥର କୋଡାଖୁସା କରି ଘାସ ବାଛି ଦେଇ ମୂଳକୁ ମାଟି ଟେକି ଖରାଦିନେ ପ୍ରତି ୪-୫ ଦିନରେ ଥରେ ଓ ଶୀତଦିନେ ସପ୍ତାହକୁ ଥରେ ଜଳସେଚନ କରନ୍ତୁ । ରଞ୍ଜା ବା ଭାଡିରେ ଗଛକୁ ମଡାଇଲେ ରୋଗପୋକ କମ, ଅନ୍ତଃଚାଷ ସହଜ ଓ ଅମଳ ଅଧିକ ହୋଇଥାଏ । ଚାରା ୨ପତ୍ରିଆ ଥିବା ଅବସ୍ଥାରେ ସପ୍ତାହ ଅନ୍ତରରେ ୨ଥର ମାଲିକ ହାଇଡ୍ରାଜାଇଡ ୧ଗ୍ରାମ ୫ଲିଟର ପାଣି ପ୍ରତି କିମ୍ବା ଇଥ୍ରେଲ ୧ଗ୍ରାମ ୪ଲିଟର ପାଣିରେ ଗୋଳାଇ ଫସଲକୁ ସିଞ୍ଚନ କଲେ ମାଈ ଫୁଲ ସଂଖ୍ୟା ଅଧିକ ହୋଇଥାଏ । ନଚେତ୍ ପ୍ରଥମ ୧୦ମ ଗଣ୍ଠି ପର୍ଯ୍ୟନ୍ତ କିଛି ନୂଆ ଶାଖାକୁ କାଟି ପରବର୍ତ୍ତୀ ଡାଳକୁ ଲଗାଇବା ପାଇଁ ଛାଡିଦିଅନ୍ତୁ । ମାଈ ଫୁଲ ପ୍ରାୟତଃ ୧୦-୪୦ ତମ ଗଣ୍ଠିରୁ ବାହାରିଥାଏ । ମୂଳକୁ ଛାଦିକରଣ କଲେ ଭଲ ।

ରୋଗପୋକ ପରିଚାଳନା ଓ ଅମଳ

ନିମ୍ନମୁଖୀ ପାଊଁଶିଆ ରୋଗ ହେଲେ ମାନକୋଜେବ ବା ମାନକୋଜେବ+ ମେଟାଲାକ୍ସିଲ ୨ଗ୍ରାମ ଲିଟର ପ୍ରତି ୨-୩ ଥର ସିଞ୍ଚନ କରାଯାଏ । ଫସଲର ଆରମ୍ଭରୁ ରାସାୟନିକ କୀଟନାଶକ ବ୍ୟବହାର ନ କରି ନିମ୍ବଜାତ କୀଟନାଶକ ବା ହାଣ୍ଡିଖତ ପ୍ରୟୋଗ କଲେ ଭଲ ଫସଲରୁ ସୁସ୍ଥ ପାରିବା ମିଳିଥାଏ । କାଙ୍କେଡିଆ ପୋକ, କଖାରୁ ଫଳ କଣା ବା ନାଲି ପୋକ ଓ ପତ୍ର ସୁଢଙ୍ଗା ପୋକ ଦେଖାଗଲେ ପ୍ରତିକାର ପାଇଁ କାର୍ବାରିଲ ୩-୪ ଗ୍ରାମ ଲିଟର ପ୍ରତି ସିଞ୍ଚନ କରାଯାଏ । ଫଳମାଛ ନିୟନ୍ତ୍ରଣ ଲାଗି ଏକର ପ୍ରତି ୫ଟି ଫେରୋମୋନ ଯନ୍ତା ବା ବିଷଥୋପ ବସାଇ କିମ୍ବା କାର୍ବାରିଲ ୩ଗ୍ରାମ/ମାଲାଥିଆନ ୨ମିଲି/ ସ୍ପିନୋସାଡ ୦.୨ ମିଲି ଲିଟର ପ୍ରତି ସିଞ୍ଚନ କରାଯାଏ । ସଂକ୍ରମିତ ଓ ଝଡିଥିବା ଫଳକୁ ପୋତି ବା ପୋଡି ଦିଆଯାଏ ।

କଅଁଳ ଅବସ୍ଥାରେ କଲରା ତୋଳାଗଲେ ଅଧିକ ଫଳ ଆସିଥାଏ ଓ ଭଲ ଦାମ୍ ମିଳିଥାଏ । ଫୁଲ ଫୁଟିବା ଲଗାଇବାରେ ୪୫-୫୦ ଦିନ ପରେ ଓ ପ୍ରଥମ ଅମଳ ୫୫-୬୦ ଦିନ ବେଳକୁ ହୋଇ ୬ ମାସ ଯାଏ ଚାଲେ । ଦା ‘ ବା ଛୁରିରେ ଫଳ କାଟିବା ଭଲ । ଏକର ପ୍ରତି ୫୦-୬୦ କୁଇଣ୍ଟାଲ କଲରା ଅମଳ ମିଳିଥାଏ । କଲରାକୁ ବିକ୍ରି ପୂର୍ବରୁ ପୋକରା ଫଳ ବାଛି ଦିଆଯାଏ ।

ଆଧାର : ଡ. ପରେଶ କୁମାର ପଣ୍ଡା, ସହକାରୀ ବିହନ ପ୍ରମାଣନ ଅଧିକାରୀ, ଭୁବନେଶ୍ଵର

2.7
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top