ହୋମ / କୃଷି / ଶସ୍ୟ ଉତ୍ପାଦନ / କ୍ଷୁଦ୍ର , ନାମମାତ୍ର ଚାଷୀ ଓ କୃଷି ଗବେଷଣା
ସେଆର କରନ୍ତୁ

କ୍ଷୁଦ୍ର , ନାମମାତ୍ର ଚାଷୀ ଓ କୃଷି ଗବେଷଣା

ଆମ ରାଜ୍ୟ ଓଡିଶାରେ ଥିବା ୪୭ ଲକ୍ଷ ଚାଷୀ ପରିବାର ମଧ୍ୟରୁ ୯ ଲକ୍ଷ ହେଲେ ଚାଷୀ ୩୪ ଲକ୍ଷ ନାମମାତ୍ର ଚାଷୀ ।

ଓଡିଶାରେ ଚାଷୀସ୍ଥିତି :

ଆମ ରାଜ୍ୟ ଓଡିଶାରେ ଥିବା ୪୭ ଲକ୍ଷ ଚାଷୀ ପରିବାର ମଧ୍ୟରୁ ୯ ଲକ୍ଷ ହେଲେ ଚାଷୀ ୩୪ ଲକ୍ଷ ନାମମାତ୍ର ଚାଷୀ । ଏମାନଙ୍କ ସଂଖ୍ୟା ମୋଟ ଚାଷୀ ସଂଖ୍ୟାର ୯୧ ପ୍ରତିଶତ । କ୍ଷୁଦ୍ର ଚାଷୀ କହିଲେ ଯାହାର ଜମି ଅଢେଇ ଏକର ରୁ ପାଞ୍ଚ ଏକରର ମଧ୍ୟରେ । ନାମମାତ୍ର ଚାଷୀ କହିଲେ ଯାହାର ଜମି ଅଢେଇ ଏକର ମଧ୍ୟରେ ସୀମିତ । ଏତେ କମ ଜମି ଥାଇ କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ କେବଳ ଚାଷୀ ମାନେ ଜମି ଚାଷ କରି କେବେ ଆତ୍ମନିର୍ଭରଶୀଳ ହୋଇ ପାରିବେ ନାହିଁ ବୋଲି ଅନେକ ଅର୍ଥନୀତିଜ୍ଞ ମତ ଦେଇ କହୁଛନ୍ତି ସେମାନଙ୍କୁ ଚାଷରୁ ବାହାର କରିଆଣି ଅନ୍ୟତ୍ର ବିକଳ୍ପ ନିଯୁକ୍ତି ଦେବାକୁ ହେବ । ଆମରାଜ୍ୟର ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । ସେମାନଙ୍କ ମଧ୍ୟରୁ ଯଦି ୯୧ ପ୍ରତିଶତ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ହୁଅନ୍ତି ତେବେ ଏତେ

ସଂଖ୍ୟକ ପରିବାରର ଲୋକଙ୍କୁ କଣ ବିକଳ୍ପ ନିଯୁକ୍ତି ଯୋଗାଇବା ସମ୍ଭବ . ଆଜିକାଲି ଶିଳ୍ପ ଓ ବାଣିଜ୍ୟ ଆଦି ସେବା କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଉନ୍ନତ ଧରଣର ଯନ୍ତ୍ରପାତି , କଳକବଜା ,ଓ ଆଧୁନିକ କାରିଗରୀ କୌଶଳ ଉପଯୋଗ କରି ସ୍ୱଳ୍ପ ସଂଖ୍ୟକ ମାନବ ସମ୍ବଳ ନିଯୁକ୍ତି କରି ଅଧିକ ଉତ୍ପାଦନ କରିବାକୁ ଚେଷ୍ଟା କରାଯାଉଛି । ଆମ ରାଜ୍ୟରେ ଥିବା ପ୍ରକୃତିକ ସମ୍ପଦ ଓ ମାନବ ସମ୍ବଳର ପୂର୍ଣ୍ଣ ଉପଯୋଗ କରି ଶିଳ୍ପ ଓ ସେବା କ୍ଷେତ୍ରର ପୁର୍ଣ୍ଣ ବିକାଶ କାଲେ ବି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଚାଷରୁ ବାହାର କରି ଆଣି ବିକଳ୍ପ ନିଯୁକ୍ତି ଦେବା ଆଦୌ ସମ୍ଭବ ନୁହେଁ –ଏପରିକି ଏକ ଚତୁଥାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ନିଯୁକ୍ତି ଯୋଗାଇବା ସମ୍ଭବ ହୋଇପାରିବ ନାହିଁ । ଆମ ସମ୍ମୁଖରେ ଏକମାତ୍ର ପନ୍ଥା ହେଲା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇ , ଆବଶ୍ୟକ ହେଉଥିବା ଉନ୍ନତ ପଦ୍ଧତିର ଚାଷ ପ୍ରଣାଳୀକୁ ଉପଲ୍ଲବ୍ଧ କରାଇବା ସହିତ ଉତ୍ପାଦିତ ସାମଗ୍ରୀକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରାଇବାର ବ୍ୟବସ୍ଥା କରିବା ଏବଂ ବିଭିନ୍ନ ପ୍ରକାର ଶସ୍ୟ , ପନିପରିବା ଉତ୍ପାଦନ ସାଙ୍ଗକୁ କୃଷି ଆନୁଷଙ୍ଗିକ ବୃତ୍ତି ପ୍ରତି ଗୁରୁତ୍ଵ ଦେବା । ସମନ୍ଵିତ କୃଷି ବିକାଶ ପ୍ରକ୍ରିୟା କୁ ତ୍ବରାନିତ କରିବା ଛଡା ଅନ୍ୟ ବିକଳ୍ପ ନାହିଁ । ଯେଉଁମାନେ କହୁଛନ୍ତି ଯେ , କ୍ଷୁଦ୍ର ଓ ନାମମାତ୍ର ଚାଷୀ କଦାପି ଆତ୍ମନିର୍ଭରଶୀଳ ହୋଇପାରିବେ ନାହିଁ ,ସେମାନଙ୍କ ସହିତ ଏ ସ୍ତମ୍ଭକାର ଏକମତ ନୁହେଁ । ଜଣେ ଚାଷୀ ପରିବାର ପୁଅ ହିସାବରେ , ଜଣେ ଚାଷ ବିଜ୍ଞାନର ଛାତ୍ର ହିସାବରେ ଏବଂ ଚାଷ କ୍ଷେତ୍ରରେ ତୃଣମୂଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ରାଜ୍ୟ କୃଷି ବିଭାଗରେ ଏକ ଏକ ଜାତୀୟକରଣ ବ୍ୟାଙ୍କରେ ଦୀର୍ଘ ତିନି ଦସନ୍ଧିରୁ ଅଧିକ ସମୟ ଧରି ଓଡିଶା ସମେତ ଅନ୍ୟାନ୍ୟ ପଡୋଶୀ ରାଜ୍ୟରେ ଚାଷ ସହ ସମ୍ପୃକ୍ତର ଅନୁଭୂତିରୁ କହିପାରେ ଯେ ଯଦି ଠିକ ଦିଗ୍ ଦର୍ଶନ ଦିଆଯାଏ , ଆବଶ୍ୟକ ଭିତ୍ତିଭୂମିର ଉପଲ୍ଲବ୍ଧ କରାଯାଏ , କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସମନ୍ଵିତ ଚାଷ ପାଇଁ ପ୍ରୋତ୍ସାହନ ହିଆଯାଏ , ତେବେ ସେମାନେ ଆତ୍ମନିର୍ଭରଶୀଳ ହୋଇ ପାରିବା କିଛି ଅସମ୍ଭବ ହେବ ନାହିଁ । ସେମାନଙ୍କର ଜାଣିର ଉତ୍ପାଦିକା ଶକ୍ତି ବଡ ଚାଷୀଙ୍କ ଠାରୁ ଅନେକ ସମୟରେ ଅଧିକ ହେବ ବୋଲି ନିଜ ଅନୁଭୂତିରୁ କୁହାଯାଇପାରେ ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ :

ଏହି ସ୍ତମ୍ଭକାର ୧୯୬୩ ମସିହାରେ ଉତ୍କଳ କୃଷି ମହାବିଦ୍ୟାଳୟରେ ଦ୍ଵିତୀୟ ବାର୍ଷିକ ଛାତ୍ର ଥିବା ବେଳେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଉଦଘାଟନ ହୋଇଥଲା । ଏହାକୁ ଉଦଘାଟନ କରିଥିଲେ ଦୁଇଜଣ ଦୀର୍ଘକାୟ ବ୍ୟକ୍ତି ଓ ବ୍ୟକ୍ତିତ୍ଵ । ଜଣେ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଭାରତରେ ଅବସ୍ଥାପତି ତତ୍କାଳୀନ ରାଷ୍ଟ୍ରଦୂତ ପ୍ରଫେସର ଗଲବ୍ରେଥ ଆଉ ଅନ୍ୟ ଜଣେ ହେଲେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ଆମେରିକା ର ଲାଣ୍ଡ ଗ୍ରାଣ୍ଡ କଲେଜ ଢାଞ୍ଚାରେ । ଭାରତର ଉତ୍ତରପ୍ରଦେଶର ପନ୍ଥ ନଗରଠାରେ ସ୍ଥାପିତ ହୋଇଥିଲା ଦେଶର ପ୍ରଥମ କୃଷି ବିଶ୍ୱବିଦ୍ୟାଳୟ ଆଉ ଓୟୁଏଟି ଥିଲା ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତୃଣମୂଳ ସ୍ତରରେ ଚାଷୀମାନଙ୍କର ସମସ୍ୟାକୁ ଅନୁଧ୍ୟାନ କରି ସେହି ସମସ୍ୟାଗୁଡିକୁ ବିଶ୍ୱବିଦ୍ୟାଳୟର ଗବେଷଣାଗାରକୁ ଆଣି ସେଠି ପରୀକ୍ଷାନିରୀକ୍ଷା କରି ସମାଧାନର ପନ୍ଥା ବାହାର କରିବା । ତାପରେ ସେହି ପନ୍ଥାକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇ ପ୍ରକୃତ ଚାଷ କ୍ଷେତ୍ରରେ ପ୍ରୟୋଗ କରିବା ପୁନଶ୍ଚ ସମସ୍ୟା ଉପୁଜିଲେ ତାଙ୍କୁ ମଧ୍ୟ ଗବେଷଣାଗାରକୁ ଆଣି ସମସ୍ୟାର ସମାଧାନ ପଥ ବାହାର କରିବା । ଏହା ଏକ ନିରନ୍ତର ପ୍ରକ୍ରିୟା ରୂପେ କାର୍ଯ୍ୟ କରି ଚାଷୀମାନଙ୍କୁ ଆତ୍ମନିର୍ଭରଶୀଳ କରାଇବ । ଏହାକୁ କୁହାଯାଉଥିଲା କ୍ଷେତର ଗବେଷଣା ଗାର । ଗବେଷଣାଗାର ରୁ କ୍ଷେତ । ଓୟୁଏଟି ସ୍ଥାପନର ସୁବର୍ଣ୍ଣ ଜୟନ୍ତୀ ପାଳନ ହୋଇ ସାରିଲାଣି । ଏଠି ପ୍ରଶ୍ନ ଉଠିବା ସ୍ଵାଭାବିକ ବିଶ୍ୱବିଦ୍ୟାଳୟ ତରର ଗତ ୫୩ ବର୍ଷ ଜୀବନ କାଳ ମଧ୍ୟରେ ତାର ଧାର୍ଯ୍ୟ ଲକ୍ଷ୍ୟ କେତେଦୂର ହାସଲ କରିଛି ? ନିକଟରେ ରାଜଧାନୀରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ପାଳନ ଅବସରରେ ଓୟୁଏଟିର ଯେତେବେଳେ କୁଳପତି ତାଙ୍କ ଭାଷଣରେ କହୁଥିଲେ ବିଶ୍ୱବିଦ୍ୟାଳୟ ଅନେକ ପ୍ରକାର ଉନ୍ନତ ଧାରଣ ବିହନ ଅନୁ ଫସଲର ବିହନ , ପାରିବା ବିହନ ବାହାର କରିଛି , ଯେଉଁ ସବୁ ବିହନ ଓଡିଶା ସମେତ ଅନ୍ୟ ରାଜ୍ୟରେ ଲୋକପ୍ରିୟ ହୋଇ ପାରିଛି । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବେ ସର୍ବଭାରତୀୟ ପ୍ରତିଯୋଗୀତା ପରୀକ୍ଷାରେ କୃତିତ୍ଵ ପ୍ରଦର୍ଶନ କରୁଛନ୍ତି । ଏହା ଅବଶ୍ୟ ଅଭିନନ୍ଦନିୟ ଓ ସ୍ଵାଗତଯୋଗ୍ୟ । କିନ୍ତୁ ଯେଉଁ ଲକ୍ଷ୍ୟ ନେଇ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା, ସେ ଲକ୍ଷ୍ୟ ହାସଲ କରାଯାଇପାରିଛି କି ? ଓଡିଶାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ ଆତ୍ମନିର୍ଭରଶୀଳ ହୋଇ ପରିଛନ୍ତି କି ? ଓଡିଶା ବିଭିନ୍ନ କୃଷି ଜାତ ଦ୍ରବ୍ୟରେ ଆଜି ଆତ୍ମନିର୍ଭରଶୀଳ ହୋଇପାରିଛି କି ?

ଓଡିଶାର ଧାନଚାଷୀ :

ଆସନ୍ତୁ ଏ ବିଷୟରେ ଆଲୋଚନା କରିବା । ଧାନର ଏନ୍ତୁଡ଼ିଶାଳ ହେଲା ଓଡିଶାର କୋରାପୁଟ ଜିଲ୍ଲାର ଜୟପୁର । ଧାନ ଉତ୍ପାଦନ ପାଇଁ ଓଡିଶାର ଜଳବାଯୁ ଅତ୍ୟନ୍ତ ଉପଯୋଗୀ । କିନ୍ତୁ ହେକ୍ଟର ପିଛା ଧାନ ଉତ୍ପାଦନ ଚାଉଳ ହିସାବରେ ଓଡିଶାରେ ମାତ୍ର ୧୮ ସହକେଜି ହେବାବେଳେ ସର୍ବଭାରତୀୟ ସ୍ତରରେ ୨୪ଶହ କେଜି, ପଶ୍ଚିମବଙ୍ଗରେ ୨୭ଶହ କେଜି , ଆନ୍ଦ୍ରପ୍ରଦେଶରେ ୩୧ଶହ କେଜି ପଞ୍ଜାବରେ ୩୬ଶହ କେଜି । ଆଳୁ କୁହନ୍ତୁ କି ଅନ୍ୟାନ୍ୟ ପରିବା କୁହନ୍ତୁ, ଡାଲି କୁହନ୍ତୁ ବା ତୈଳବୀଜ କୁହନ୍ତୁ ଆମ ହେକ୍ଟର ପ୍ରତି ଉତ୍ପାଦନ ଜାତୀୟ ସ୍ତରର ହାରାହାରି ଉତ୍ପାଦନ ଠାରୁ କମ୍ । କେବଳ ଉତ୍ପାଦିକା ଶକ୍ତି କମ ନୁହେଁ ଆମ ରାଜ୍ୟର ଖାଉଟିଙ୍କ ଚାହିଦା ଠାରୁ ବିଭିନ୍ନ କୃଷିଜାତ ଦ୍ରବ୍ୟ କମ ଉତ୍ପାଦନ ହେଉଥିବାରୁ ଆମେ ବାହାର ରାଜ୍ୟରୁ ଆମଦାନୀ କରୁଛୁ । ଓୟୁଏଟି ସ୍ଥାପନର ୫୩ ବର୍ଷପରେ ଆମ ରାଜ୍ୟର କୃଷିର ଏପରି ଦୟନୀୟ ସ୍ଥିତି କାହିଁକି ?

କୃଷି ସମସ୍ୟାର ସମାଧାନ ଓ ଗବେଷଣା :

ଏହି ସ୍ତମ୍ଭକାର ଓ ଓୟୁଏଟିର ପୁରାତନ ଛାତ୍ର ଥିବାରୁ ଏବଂ କୃଷି ବିଜ୍ଞାନ ସଂବନ୍ଧରେ ରୁଚି ରଖିଥିବାରୁ ବେଳେବେଳେ ଓଡିଶାରେ କୃଷି ବିକାଶର ସ୍ଥିତି ଜାଣିବା ପାଇଁ ବିଶ୍ୱବିଦ୍ୟାଳୟର କୃଷି ବୈଜ୍ଞାନିକ, ଅଧ୍ୟାପକ ମାନଙ୍କ ପାଖକୁ ଓ କୃଷି ଏବଂ ଉଦ୍ୟାନ କୃଷି ବିଭାଗର ବରିଷ୍ଟ ଅଧିକାରୀମାନଙ୍କ ପାଖକୁ ଯାଏ । ସେମାନଙ୍କ ଶହ ଆଲୋଚନା କରି ଜାଣିବାକୁ ପାଏ ଯେ ବିଶ୍ୱବିଦ୍ୟାଳୟ ଓ କୃଷି ଏବଂ ଉଦ୍ୟାନ କୃଷି ବିଭାଗ ମଧ୍ୟରେ ସମନ୍ଵୟର ଅଭାବ । ବିଶ୍ୱବିଦ୍ୟାଳୟର ଗବେଷକ ମାନେ କୁହନ୍ତି ବିଶ୍ବବିଦ୍ୟାଳୟର ଗବେଷଣା ଲବ୍ଧ ଜ୍ଞାନକୁ କୃଷି ବିଭାଗ ଅନେକ ସମୟରେ ପ୍ରୟୋଗ କରିବାକୁ ନାରାଜ । ଏଣେ କୃଷି ବିଭାଗର ଅଫିସର ମାନେ କହନ୍ତି ବିଶ୍ଵବିଦ୍ୟାଳୟ ର ଗବେଷଣା ଲବ୍ଧ ଜ୍ଞାନ କୌଶଳ ପୋଥି ବାଇଗଣ ପରି, ବାଡିବାଇଗଣ ପରି ନୁହେଁ । ବାସ୍ତବ କଥା ହେଲା କୃଷି ଚାଷୀମାନେ କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ଗବେଷଣା ହୁଏ ନାହିଁ । ଏଥିରୁ ଜଣାଯାଏ ଯେ , କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଭାଗ ମଧ୍ୟରେ ସମନ୍ଵୟର ଅଭାବ । ନିରନ୍ତର ସମନ୍ୱ୍ୟାଳ ପାଇଁ ଯେପରି ନିର୍ଦ୍ଧିଷ୍ଟ ବିଧି ବ୍ୟବସ୍ଥା ଥିବାର ଆବଶ୍ୟକତା ଯେପରି ବ୍ୟବସ୍ଥା ନାହିଁ । ନିରନ୍ତର ସମନ୍ଵୟ ପାଇଁ ବିଧି ବ୍ୟବସ୍ଥା ରହିବା ଅପରିହାର୍ଯ୍ୟ । ଓୟୁଏଟି ଅଧୀନରେ ୩୦ଟି ଜିଲ୍ଲା ରେ ୩୦ଟି କୃଷି ବିଜ୍ଞାନ କେନ୍ଦ୍ର ଅଛି । ଏହି କେନ୍ଦ୍ର ସବୁ ଓଡିଶାର ଦଶଗୋଟି କୃଷି ଜଳବାଯୁ ଆଞ୍ଚଲରେ ଅବସ୍ଥିତ । ଏହିସବୁ କେନ୍ଦ୍ରରେ କୃଷି ଓ କୃଷି ବିଜ୍ଞାନ କେନ୍ଦ୍ର ସେମାନଙ୍କୁ ଚତୁଃପାର୍ଶ୍ଵରେ ଥିବା ଗ୍ରାମମାନଙ୍କର ଚାଷୀମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ ସଂବନ୍ଧରେ ତାଲିମ ଦେବା ସହିତ ସେ ଅଞ୍ଚଳର କୃଷି ସମସ୍ୟାର ସମାଧାନ ପାଇଁ ଗବେଷଣା କରିବା କଥା । ଯେହେତୁ ଆମର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା

ଅଧିକ , ସେମାନଙ୍କର ସମସ୍ୟାର କିପରି ସମାଧାନ ହେବ ସେ ବିଷୟରେ କେନ୍ଦ୍ର ଗବେଷଣା କରି ଗବେଷଣା ଲବ୍ଧ ଜ୍ଞାନକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା କଥା । କୃଷି ବିଜ୍ଞାନ କେନ୍ଦ୍ରମାନେ ଏହା କରୁଛନ୍ତି କି ? କ୍ଷୁଦ୍ର ଇ ନାମମାତ୍ର ଚାଷୀମାନେ କିପରି ସମନ୍ଵିତ କୃଷି ବିକାଶ କାର୍ଯ୍ୟକ୍ରମ ହାତକୁ ନେଇ ଆତ୍ମନିର୍ଭରଶୀଳ ହୋଇପାରିବେ ତାର ସଫଳ ଆଦର୍ଶ ମଡେଲ ପ୍ରସ୍ତୁତ କରୁଛନ୍ତି କି ? କୃଷି ବିଜ୍ଞାନ କେନ୍ଦ୍ର ନିଜ ନିଜ ଅଞ୍ଚଳରେ କିପରି କୃଷି ବିକାଶ ଭିତ୍ତିଭୂମି ପ୍ରତିଷ୍ଠା ହେବ, କୃଷି ଜାତ ଦ୍ରବ୍ୟର ବିକ୍ରୟ ପାଇଁ କିପରି ବଜାର ସୃଷ୍ଟି କରାଯିବ , କିପରି କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ହେବ, କୃଷି ଜାତ ଦ୍ରବ୍ୟକୁ ସାଇତି ରଖିବା ପାଇଁ କିପରି ଶୀତଳଭଣ୍ଡାର ଓ ଗୋଦାମ ନିର୍ମାଣ କରାଯିବ ତାହା ଅନୁଧ୍ୟାନ କରି ସରକାରଙ୍କୁ ପ୍ରସ୍ତାବ ହେଇଛନ୍ତି କି ? ଯଦି ତାହା ହୋଇଥାନ୍ତା , ତେବେ ଓଡିଶା ଆଜି କୃଷି ବିକାଶ କ୍ଷେତ୍ରରେ ଏତେ ପଛରେ ପଡିନଥାଆନ୍ତା ।

ବର୍ତ୍ତମାନ କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ର ସ୍ଥିତି :

ନିକଟରେ ଓୟୁଏଟିର ନୂତନ କୁଳପତି ଭାବେ ଡାକ୍ତର ସୁରେନ୍ଦ୍ର ନାଥ ପଶୁପାଳକ ନିଯୁକ୍ତି ପାଇଛନ୍ତି । ସେ ଏହା ପୂର୍ବରୁ କୃଷି ଜଳବାୟୁ ବିଭାଗର ମୁଖ୍ୟ ଥିଲେ । ଅନ୍ତତଃ କୃଷି ବିଶ୍ୱବିଦ୍ୟାଳୟ ସଂବନ୍ଧରେ ଅନ୍ୟ କୋଣସି ସମ୍ବାଦ ପ୍ରକାଶ ପାଉ ବା ନ ପାଉ, କୃଷି ଜଳବାୟୁ ସମ୍ବନ୍ଧରେ ସଦାବେଳେ ଡକ୍ଟର ପଶୁପାଳକଙ୍କ ପୂର୍ବାନୁମାନ ପ୍ରକାଶ କରୁଥିଲେ ଏବଂ ତାହା ଅନେକ ସମୟରେ କୃଷକମାନଙ୍କୁ ଓ ସରକାରଙ୍କୁ ସତର୍କ କରାଉଥିଲା । ଡକ୍ଟର ପଶୁପାଳକଙ୍କ କୃଷି ଜଳବାୟୁର ପୂର୍ବାନୁମାନ ଅନେକ ସମୟରେ ସତ ହେଉଥିଲା । ଓଡିଶାର କୃଷି ସମସ୍ୟା ସଂବନ୍ଧରେ ଆମ୍ଭେ ମତ ବିନିମୟ କରିଛୁ । ସେ ଜଣେ ସମ୍ବେଦନଶୀଳ କୃଷି ବୈଜ୍ଞାନିକ ଏବଂ କୃଷି ସମସ୍ୟା ସଂବନ୍ଧରେ ତାଙ୍କର ଯଥେଷ୍ଟ ଜ୍ଞାନ ଅଛି । ସେ କୃଷି ବିଶ୍ଵବିଦ୍ୟାଳୟର କୁଳପତି ପଦରେ ଅଧିଷ୍ଠିତ ହୋଇଥିବାରୁ ଓଡିଶାର ଚାଷୀ କୁଳର ବିକାଶ ପାଇଁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କିପରି ରାଜ୍ୟର ୯୧ଭାଗ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରାଇ ପାରିବ , ସେଥିପାଇଁ ସେ ଆନ୍ତରିକ ଉଦ୍ୟମ କରିବା ଉଚିତ । ବିଶ୍ୱବିଦ୍ୟାଳୟ ଅଧୀନରେ ଯେଉଁ ୩୦ଟି କୃଷି ବିଜ୍ଞାନ କେନ୍ଦ୍ର ଅଛି ସେହି କେନ୍ଦ୍ର ମାଧ୍ୟମରେ ଗବେଷଣା ହୋଇ ବିକାଶର ଏପରି ମଡେଲ ପ୍ରସ୍ତୁତ କରାଯାଉ , ଯାହାକୁ ରାଜ୍ୟ ସରକାର ଗ୍ରହଣ କରି କୃଷି ଓ କୃଷି ଆନୁଷଙ୍ଗିକ ବିଭାଗ ମାଧ୍ୟମରେ କାର୍ଯ୍ୟକରୀ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି କରାଇ ସ୍ଵଚ୍ଚଳ ଜୀବନଯାପନ ପାଇଁ ବାଟ ଦେଖାଇବେ । କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରତ୍ୟେକ କେନ୍ଦ୍ର ଅଞ୍ଚଳରେ ଥିବା ଗ୍ରାମମାନଙ୍କରେ ଅନ୍ତତଃ ଦୁଇଜଣ କରି କ୍ଷୁଦ୍ର ଚାଷୀ ଓ ଦୁଇଜଣ ନାମମାତ୍ର ଚାଷୀଙ୍କୁ ମନୋନୀତ କରାଯାଉ । ସେମାନଙ୍କର ଜମି ଓ ପରିବାରର ସଦସ୍ୟଙ୍କ ସ୍ଥିତି ଜାଣିଲା ପରେ ଜମିର ପ୍ରକାର ଭେଦ , ଜଳସେଚନର ସୁବିଧା ଆଡିକୁ ବିଚାରକୁ ନିଏ ଫସଲ ଖସଡା ପ୍ରସ୍ତୁତ କରାଯାଉ । ତାହା ସହିତ ସମ୍ପୃକ୍ତ ପରିବାରର ବିଭିନ୍ନ ସଦସ୍ୟଙ୍କ ଦକ୍ଷତାକୁ ବିଚାରକୁ ନେଇ ଦୁଗ୍ଧ ଉତ୍ପାଦନ ପାଇଁ ଗାଈ ରଖିବା , ମେଣ୍ଢା ବା ଛେଳି ପାଳନ କରିବା , କୁକୁଡା ଚାଷ କରିବା , ଅଣ୍ଡା ଉତ୍ପାଦନ କରିବା , କୃଷିଭିତ୍ତିକ କୁଟୀର ଶିଳ୍ପ ସ୍ଥାପନ କରିବା , କୃଷିଜାତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରିବା , କୃଷିଜାତ ସାମଗ୍ରୀକୁ ଭିତ୍ତି କରି ଛୋଟ ଛୋଟ ବ୍ୟବସାୟ କରିବା ଆଡିକୁ ବିଚାରକୁ ନେଇ ଏକ ଏକ ସମନ୍ଵିତ ପରିବାର ଭିତ୍ତିକ ଯୋଜନା ପ୍ରସ୍ତୁତ କରି ସ୍ଥାନୀୟ ବ୍ୟାଙ୍କ ସହିତ ଯୋଗାଯୋଗ କରି ବାର୍ଷିକ ଋଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରାନ୍ତୁ । ମହିଳାମାନେ ଯେପରି ଏକ ପାରିବାରିକ ଯୋଜନାରେ ଯୋଗ ଦେବେ ତାଙ୍କୁ ମଧ୍ୟ ଦ୍ରୁଷ୍ଟିରେ ରଖାଯିବା ଉଚିତ । କେନ୍ଦ୍ରର ବିଶେଷଜ୍ଞମାନେ ବରାବର ସେମାନଙ୍କ ପାଖକୁ ଯାଇ ତଦାରଖ । କରିବେ ଅନ୍ତତଃ ଦୁଇବର୍ଷ ଧରି ଏହି ସମନ୍ଵିତ କୃଷି ବିକାଶ ଯୋଜାନା କାର୍ଯ୍ୟକାରୀ ହେବା ପରେ ଯେଉଁ ଫଳାଫଳ ମିଳିବ ତାଙ୍କୁ ଭିତ୍ତିକରି ମଡେଲ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାନ୍ତୁ । ସେହି ସଫଳ ମଡେଲ ରାଜ୍ୟ ସରକାର ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ନିଜ ନିଜ ରୋଜଗାରରୁ ଆତ୍ମ ନିର୍ଭରଶୀଳ ହୋଇପାରିବେ – ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ ପାଇବ ଦ୍ରୁତ ଗତିରେ ।

ଆଧାର : ସମ୍ବାଦ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top