ସେଆର କରନ୍ତୁ

ଖରିଫ ଫସଲ

ଖରିଫ ଚାଷ ପାଇଁ ଚାଷୀମାନେ କଣ ଫସଲ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

କୃଷି କ୍ଷେତ୍ରରୁ ଅଧିକ ଆୟ ପାଇବା ନିମନ୍ତେ ଉପଯୁକ୍ତ ଯୋଜନାର ଆବଶ୍ୟକତା ରହିଛି । ନିକଟରେ ରହିଥିବା ସମ୍ବଳ, ବଜାର ସୁବିଧା, ଜଳବାୟୁ, ଜମିର ପ୍ରକାର ଏବଂ ନିଜ ସାମର୍ଥକୁ ଦୃଷ୍ଟିରେ ରଖା ଯୋଜନା କଲେ ଚାଷୀ ଅଧିକ ଲାଭ ପାଇପାରିବ । ବର୍ତ୍ତମାନ ଖରିଫ ଚାଷ ପାଇଁ ଚାଷୀମାନେ କଣ ଫସଲ କରିବେ।

ଖରିଫ ଚାଷ ପାଇଁ ଚାଷୀମାନେ କଣ ଫସଲ କରିବେ

ଫସଲ ଖସଡ଼ା ପ୍ରସ୍ତୁତି

ଜମିର କିସମ, ଜଳସେଚନର ସୁବିଧା ଆର୍ଥିକ ସମ୍ବଳ ତଥା ବିକ୍ରି ବଟାର ସୁବିଧାକୁ ଦୃଷ୍ଟିରେ ରଖି କେଉଁ ଫସଲ କଲେ ଲାଭବାନ୍ ହୋଇପାରିବେ ସେଥିପାଇଁ ଏକ ଫସଲ ଖସଡ଼ା ପ୍ରସ୍ତୁତ କରନ୍ତୁ । ବିଶେଷ କରି ଢିପ ଜମିରେ ଅଣଧାନ ଫସଲ ଯଥା: ମୁଗ, ବିରି, ହରଡ଼, ମକା, ମାଣ୍ଡିଆ, ଚିନାବାଦାମ, ପନିପରିବା ଜାତୀୟ ଫସଲ କଲେ ଧାନ ଅପେକ୍ଷା ଅଧୁକା ଲାଭ ମିଳିଥାଏ ।

ଏହାବ୍ୟତୀତ ହରଡ଼ + ମାଣ୍ଡିଆ , ହରଡ଼ + ଧାନ, ମକା + ଚିନାବାଦାମ ଆଦି ଫସଲର ମିଶ୍ରିତ ଚାଷ କଲେ ଗୋଟିକିଆ ଫସଲ ଅପେକ୍ଷା ଅଧିକ ଲାଭ ମିଳିପାରିବ । ମଝିଆଳି ଜମିରେ ୧୨୦-୧୩୦ ଅମଳ ହେଉଥିବା ଧାନ ଫସଲ କଲେ ରବିଋତୁରେ ସୋରିଷ, ଚିନାବାଦାମ, ମୁଗ, ବିରି, ଆଳୁ ଓ ପନିପରିବା ଜାତୀୟ ଫସଲ କରିବା ପାଇଁ ସୁବିଧାଜନକ ହୋଇପାରିବ ।

ନମୁନା ମାଟି ସଂଗ୍ରହ ଓ ମାଟି ପରୀକ୍ଷା

ଅଧିକ ଅମଳ ପାଇବାକୁ ହେଲେ ଫସଲରେ ଉପଯୁକ୍ତ ପରିମାଣର ଖତ ଓ ସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରି ଜମିରେ କେତେ ପରିମାଣର ଯବକ୍ଷାରଜାନ, ପଟାସ ଓ ଫସଫରସ୍ ରହିଛି ସେ କଥା ଜାଣିଲେ ଅନୁମୋଦିତ ପରିମାଣର ସାର ପ୍ରୟୋଗ କରିବାରେ ସୁବିଧାଜନକ ହୋଇପାରିବ । ତେଣୁ ନମୁନା ମାଟି ସଂଗ୍ରହ କରି ମୃତ୍ତିକା ପରୀକ୍ଷାଗାରକୁ ପଠାନ୍ତୁ । କୃଷି ବିଦ୍ୟାଳୟର ଆଞ୍ଚଳିକ ଗବେଷଣା କେନ୍ଦ୍ର, ଗ୍ରାମ୍ୟ କୃଷି କର୍ମୀ କିମ୍ବା କୃଷି ଅଧିକାରୀଙ୍କ ସହ ପରାମର୍ଶ କଲେ ନମୁନା ମାଟି ସହଜରେ ସଂଗ୍ରହ କରିପାରିବେ ।

କୃଷି ଉପକରଣ ସଂଗ୍ରହ

ଲାଭ ପାଇବାକୁ ହେଲେ ଅଧିକ ଅମଳକ୍ଷମ ବିହନ, ଖତସାର, ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ପାଇଁ କୀଟନାଶକ, କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି । ବିଶେଷକରି ରୋଗରେ ପାକ ନିରୋଧକାରୀ ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିବା ଦ୍ଵାରା ଅଧିକ ଅମଳ ମିଳିଥାଏ । ଚାଷୀମାନେ ଜମିର କିସମ, ଜଳସେଚନର ସୁବିଧା, ଆଞ୍ଚଳିକ ରୋଗ ପୋକ ସମସ୍ୟା ଆଦିକୁ ଦୃଷ୍ଟିରେ ରଖି ନିଜ ଜମି ପାଇଁ ବିହନ କିସମ ନିର୍ଣ୍ଣୟ କରିବା ଦରକାର ।

ସାର ସଂଗ୍ରହ କରିବା କ୍ଷେତ୍ରରେ ଚାଷୀମାନେ ଅବହେଳା କରି ଦରକାର ବେଳେ ଅସୁବିଧାରେ ପଡ଼ନ୍ତି । ବେଳେବେଳେ ସାର କଳାବଜାର ହେବାର ଖବର ପ୍ରକାଶ ପାଉଛି । ତେଣୁ ସାର ସଂଗ୍ରହ କରି ରଖନ୍ତୁ ।

ଆଜିକାଲି ମଞ୍ଜି ବୁଣିବା, ଘାସ ବାଛିବା, ଧାନ ରୋଇବା, ସିଆର କରିବା, ଜମି କାଦୁଆ କରିବା, ଧାନ କାଟିବା, ଅମଳ କରିବା, କୀଟନାଶକ ସ୍ପ୍ରେ କରିବା ପାଇଁ ଯନ୍ତ୍ରପାତି ଉଦ୍ଭାବିତ ହେଲାଣି। ଏଗୁଡ଼ିକ ବ୍ୟବହାର କଲେ ସହଜରେ ଓ କମ୍ ସମୟରେ ଚାଷକାମ ହୋଇପାରିବ ।

ଫଳଗଛ ଲଗାଇବା ପାଇଁ ବ୍ୟବସ୍ଥା

ଫଳ ଚାଷରୁ ଅଧିକ ଲାଭ ମିଳିପାରିବ । ଫଳଗଛ ଲଗାଇବାକୁ ଇଛୁକ ଚାଷୀମାନେ ଗାତଟେଖାଳା କାମ ଆରମ୍ଭ କରିବା ଦରକାର। ନଡ଼ିଆ, ଆମ୍ବ, ଲେମ୍ବୁ, କମଳା, ଲିରୁ, ସପେଟା, ପିଜୁଳି, ସପୁରୀ, ଅମୃତଭଣ୍ଡା, ଆଦି ଫଳ ଲଗାଇବା ପାଇଁ ଚାରା ସଂଗ୍ରହ କରନ୍ତୁ । ଉଦ୍ୟାନ ବିଭାଗ ସହ ସମ୍ପର୍କ କରି ଅଧିକ ଅମଳକ୍ଷମ ଚାରାଗଛ ସଂଗ୍ରହ କରନ୍ତୁ ପନିପରିବା ଚାଷ ପାଇଁ ମଧ୍ୟ ପ୍ରସ୍ତୁତ ହେବା ଆବଶ୍ୟକ ।

ସମ୍ବଳ ସଂଗ୍ରହ

ଓଡ଼ିଶାର ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନୁହନ୍ତି । ତେଣୁ ସମବାୟ ବ୍ୟାଙ୍କ ଓ ଜାତୀୟକଋଣ ବ୍ୟାଙ୍କଗୁଡ଼ିକରୁ ଆବଶ୍ୟକ ଋଣ ପାଇଁ ଆବେଦନ କରନ୍ତୁ । ପୁରୁଣା ଋଣ ସୁଝି ଦେଲେ ନୂଆ ଋଣ ସହଜରେ ମିଳିପାରିବ । କିଷାନ କ୍ରେଡ଼ିଟ୍ କାର୍ଡ଼ କରିପାରିଲେ ଋଣ ପାଇବା ସୁଝିବା ସହଜସାଧ୍ୟ ହୋଇପାରିବ ।

ଜମି ଓ ସାର ପ୍ରସ୍ତୁତି

ଜମିରେ ବିହନ ବୁଣିବା ପୂର୍ବରୁ ସେଗୁଡିକ ଭଲ ଭାବରେ ଗଜା ହେଉଛି ନା ନାହିଁ ତାହା ପରୀକ୍ଷା କରିବା ବାଞ୍ଛନୀୟ । ପ୍ରମାଣିତ ବିହନ ଗୁଡିକ ରୋଗରେ ପାକ ଜୀବାଣୁମୁକ୍ତ, ବିଶୋଧିତ ଏବଂ ଜୀବାଣୁ ନାଶକ ଦ୍ଵାରା ଉପଚାରିତ ହୋଇଥିବାରୁ ପ୍ରମାଣିତ ବିହନ ଉପଯୋଗ କରିବା ଶ୍ରେୟସ୍କାର ।

କୃଷି ଉତ୍ପାଦନ ପାଇଁ ବର୍ଷା ଋତୁ ଉପାଦେୟ

ଆଉ କିଛିଦିନ ପରେ ବର୍ଷାଋତୁ ଆସିଯିବ । କୃଷି ଉତ୍ପାଦନ ପାଇଁ ବର୍ଷା ଋତୁ ଏକ ଉପାଦେୟ ଋତୁ । ଏହି ରତ୍ନରେ କୃଷକମାନେ ସାଧାରଣତଃ ଫସଲ ଲଗାଇ ଥାଆନ୍ତି । କିନ୍ତୁ ଫସଲ ଲଗାଇବା ପୂର୍ବରୁ କୃଷକ ତା’ର କ୍ଷେତରେ ଅନେକଗୁଡିଏ ପ୍ରସ୍ତୁତି କରିଥାଏ । ତାହା ମଧ୍ୟରୁ ଖରାଟିଆ ଚାଷ ଅନ୍ୟତମ ।

ଜମିରେ ଫସଲ ବୁଣାଯିବା ପୂର୍ବରୁ ଖରାଦିନେ ବିଲକୁ ଚାଷ କରାଯାଇଥାଏ । ଖରାଟିଆ ଚାଷର ଅନେକ ଉପକାରିତା ରହିଛି । ମାଟି ଓଲଟି ପଡିବା ଦ୍ଵାରା ମାଟିରେ ଥିବା ଅନାବନା ଘାସ ଖରାରେ ଜଳିଯାଇ ନଷ୍ଟ ହୋଇଯାଆନ୍ତି ଏବଂ ପରବର୍ତ୍ତୀ ଫସଲରେ ଅନାବନା ଘାସର ପରିମାଣ ବହୁ ପରିମାଣର ହ୍ରାସ ପାଇଥାଏ ।

ମାଟି ଓଲଟି ପଡିବା ଦ୍ଵାରା ମାଟିରେ ଥିବା ପୋକପୋକ, ସେମାନଙ୍କର ଅଣ୍ଡା ଇତ୍ୟାଦି ଖରାରେ ନଷ୍ଟ ହୋଇଯାଆନ୍ତି । ଆଜିକାଲି ଟ୍ରାକ୍ଟର ଓ ପାୱାର ଟିଲରର ବହୁଳ ବ୍ୟବହାର ହେବା ଫଳରେ ଅନେକ ଅଞ୍ଚଳର ଚାଷୀମାନେ ତଳିଘରା ବ୍ୟତୀତ ଅନ୍ୟ ଜମିକୁ ଖରାଟିଆ ଚାଷ କରୁନାହାନ୍ତି । ରୁଆ ପୋତା ସମୟରେ ଏକାଥରେ ଓରଦା ପକାଇ କାଦୁଅ କରି ଧାନ ରୂଆ କାର୍ଯ୍ୟ କରୁଛନ୍ତି । ଖର୍ଚ୍ଚ କାଟ ପାଇଁ ଏହା ଭଲ ଉପାୟ । ହେଲେ ଏହି ଉପାୟ ଦ୍ଵାରା ଅନାବନା ଘାସ ପଚିଗଲେ ମଧ୍ୟ ଅନିଷ୍ଟକାରୀ କାଟଗୁଡିକ ମରୁନାହାନ୍ତି ।

ଜମିରେ କମ୍ପୋଷ୍ଟ ବା ଗୋବରଖତ ପ୍ରୟୋଗ

ଜମିର ଖରାଟିଆ ଚାଷ ବା ତଳି ଘରାର ଖରାଟିଆ ଚାଷ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପରବର୍ତ୍ତା ଆବଶ୍ୟକତାଟି ହେଉଛି ଜମିରେ କମ୍ପୋଷ୍ଟ ବା ଗୋବରଖତ ପ୍ରୟୋଗ । ପ୍ରାୟତଃ ଚାଷୀମାନେ ଖରାଦିନେ ବିଲରେ ଖତ ପ୍ରୟୋଗ କରିଥାନ୍ତି । ଆଜିକାଲି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ଅନେକ ଚାଷୀ ବଳଦ ରଖିନାହାନ୍ତି । କିନ୍ତୁ ଖତର ଆବଶ୍ୟକତା ପୁରଣ ପାଇଁ ସେମାନେ ଗାଈ ରଖିଛନ୍ତି । ପ୍ରତ୍ୟେକ ଚାଷୀର ବାଡିରେ ଖତଗଦାଟିଏ ଦେଖିବାକୁ ମିଳେ । ଖତଗଦାରେ ଗୋବର, ଗୋମୂତ୍ର, ନଡା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଚାଷୀ ବର୍ଷ ସାରା ଜମା କରିଥାଏ ଏବଂ ସେଗୁଡିକ ଶଢି ଗୋବର ଖତ ଓ କମେଷ୍ଟ ଖତରେ ପରିଣତ ହୋଇଥାଏ । ଖତଗଦାକୁ ଚାଷୀ ଓଲଟାଇ, ଶୁଖାଇ ଜମିରେ ପ୍ରୟୋଗ ପାଇଁ ତିଆରି କରେ । ଖରାଦିନେ ଏହି ସମୟରେ ଚାଷୀ ସାଧାରଣତଃ ସେହି ଖତ ଗୁଡିକୁ ବିଲରେ ପ୍ରୟୋଗ କରିଥାଏ ।

ଜୈବିକ ଗୋବର ଖତରୁ ଗଛ ଆବଶ୍ୟକ ପଡୁଥିବା ଯବକ୍ଷାରଯାନ, ଫସଫରସ ଏବଂ ପୋଟାସିୟମ ପୃଷ୍ଟି ସାଧନ ପାଇଁ ପାଇଥାଏ । ଗଛ। ଏହାକୁ ଧୀରେ ଧୀରେ ଗ୍ରହଣ କରି ଦୃଷ୍ଟପୁଷ୍ଟ ହୋଇଥାଏ । ଫସଲ ପାଇଁ ଆବଶ୍ୟକ ହେଉଥିବା ପୁଷ୍ଟିସାର ଗୋବରଖାତରେ ଅନ୍ୟ ଖତ ଅପେକ୍ଷା ଅଧିକ ପରିମାଣର ଥିବାରୁ ଏହା ଅଧିକ ଉପାଦେୟ । ଗୋବରଖତ ମାଟିର ଜୀବନୀ ଶକ୍ତିକୁ ଅଧିକ ବିକଶିତ କରୁଥିବାରୁ ଏହାର ଅଧିକ ଆବଶ୍ୟକତା ରହିଛି । ତେଣୁ ଖରାଟିଆ ଚାଷ ପରେ ଏବଂ ତଳି ଘରାରେ ଗୋବରଖତ ପ୍ରୟୋଗ କରନ୍ତୁ।

କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ଉତ୍ତମ ବିହନର ଭୂମିକା

ଆଉ ଏକ ପ୍ରସ୍ତୁତି ହେଉଛି ବିହନ ଯୋଗାଡ କରିବା । ଅଧିକ ଅମଳ ପାଇଁ ଉନ୍ନତମାନର ବିହନର ଆବଶ୍ୟକତା ରହିଛି । ଉନ୍ନତମାନର ବିହନ କହିଲେ ନିରୋଗ, ହୃଷ୍ଟପୁଷ୍ଟ ଏବଂ ବିହନ ଗୁଡିକ ଅନୁବଂଶୀୟ ଓ ଭୌତିକ ଶୁଦ୍ଧତା ସମ୍ପନ୍ନ ହୋଇଥିବା ଦରକାର । ଏଥିରେ ଅନ୍ୟ କିସମର ମଞ୍ଜି ଓ ଘାସ ମଞ୍ଜି ମିଶି ନ ଥିବା ଆବଶ୍ୟକ । ଏହା ରୋଗ ପୋକ ଦ୍ଵାରା ସଂକ୍ରମିତ ହୋଇ ନ ଥିବା ଜରୁରୀ । କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ଉତ୍ତମ ବିହନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିହନ ଗୁଡିକ ସୁସ୍ଥ ହେଲେ ଜମିରେ ଏହା ସୁସ୍ଥ ସବଳ ଚାରାଗଛ ସୃଷ୍ଟି କରିଥାଏ । ଜମିରେ ବିହନ ବୁଣିବା ପୂର୍ବରୁ ସେଗୁଡିକ ଭଲ ଭାବରେ ଗଜା ହେଉଛି ନା ନାହିଁ ତାହା ପରୀକ୍ଷା କରିବା ବାଞ୍ଛନୀୟ । ପ୍ରମାଣିତ ବିହନ ଗୁଡିକ ରୋଗ ପୋକ ଜୀବାଣୁମୁକ୍ତ, ବିଶୋଧିତ ଏବଂ ଜୀବାଣୁ ନାଶକ ଦ୍ଵାରା ଉପଚାରିତ ହୋଇଥିବାରୁ ପ୍ରମାଣିତ ବିହନ ଉପଯୋଗ କରିବା ଶେୟସର । ସାଧାରଣତଃ ଆମର ଚାଷୀମାନେ ପୂର୍ବବର୍ଷରୁ ଅମଳ କରିଥିବା ଧାନକୁ ବିହନ ରୂପେ ବ୍ୟବହାର କରିଥାନ୍ତି । ପ୍ରମାଣିତ ବିହନଠାରୁ ଏହାର ଗୁଣବତ୍ତା ଯଥେଷ୍ଟ କମ୍ ଏବଂ ଏହି ବିହନ ବ୍ୟବହାର ଦ୍ଵାରା ଅମଳ କମ୍ ହୋଇଥାଏ । ପ୍ରମାଣିତ ବିହନ ବ୍ୟବହାର ଦ୍ଵାରା କୃଷକ ଲାଭବାନ ହୋଇଥାଏ ଏବଂ ଅଧିକ ଅମଳ ପାଇଥାଏ । ଉନ୍ନତମାନର ବିହନଗୁଡିକ ମଧ୍ୟରେ ପ୍ରଜଜକ ବିହନ, ପିଣ୍ଡ ବିହନ ଓ ପ୍ରାମାଣିକ ବିହନ ଅନ୍ତର୍ଭୁକ୍ତ । ଏହି ବିହନ ଗୁଡିକ ବ୍ୟବହାର କଲେ କମ୍ ପରିମାଣର ବିହନ ଲାଗିଥାଏ ।

ତଳିଘରା ପ୍ରସ୍ତୁତି ଓ ଧାନବିହନ ବୁଣାବୁଣି

ଉନ୍ନତ ବିହନର ଅଭାବ ଏକ ଉତ୍କଟ ସମସ୍ୟା । ଆମ ରାଜ୍ୟରେ ପ୍ରମାଣିତ ବିହନର ଅଭାବ ହେତୁ ଆମକୁ ଅନେକ ସମୟରେ ଅନ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରର ବିହନ ଉତ୍ପାଦନକାରୀ ସଂସ୍ଥା ଉପରେ ନିର୍ଭର କରିବାକୁ ପଡୁଛି । ଅନେକ ସମୟରେ ବିହନ ବ୍ୟବହାର ପରେ ବିହନର ଅସ୍ଵାଭାବିକ ଗୁଣ ଯୋଗୁ ଚାଷୀକୁଳ ହତାଶ ହୋଇଛନ୍ତି । କେଉଁଠି ବିହନ ଗଜା ହେଉନି ତ କେଉଁଠି ବିହୀନ ରୋଗାକ୍ରାନ୍ତ, କେଉଁଠି ଧାନ ବିହନର ଧାନକେଣ୍ଡା ନ ବାହାରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ବିହନ ନିଗମ, କୃଷି ବିଭାଗ ଏବଂ କୃଷି ସେବା ସମବାୟ ସମିତି ମାଧ୍ୟମରେ ବିହନ ଯୋଗାଇବାର ବ୍ୟବସ୍ଥା କରାଯାଇଛି । କଥାରେ ଅଛି ଚଷାହୁଡିଲେ ବରଷେ । ତେଣୁ ଅପ୍ରମାଣିତ ବିହନ ବ୍ୟବହାର କରି ଆମର ଚାଷୀକୁଳ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପ୍ରତି ସମସ୍ତେ ଦୃଷ୍ଟିଦେବା ଆବଶ୍ୟକ ।

ସାଧାରଣତଃ ଅକ୍ଷୟତୃତୀୟାରେ ଚାଷୀ ବିଲରେ ବିହନ ଅନୁକୂଳ କରିଥାଏ । ଅକ୍ଷୟତୃତୀୟା ବିତିଗଲାଣି । ବର୍ଷା ହେଲେ ଚାଷୀମାନେ ତଳିଘରା ପ୍ରସ୍ତୁତି ଓ ଧାନବିହନ ବୁଣାବୁଣି କରିବେ । ୨୦୧୭ରେ ମୌସୁମୀ ଭଲ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଚାଷୀମାନେ ଯଦି ଖରାଟିଆ ଚାଷ, ଗୋବରଖତ ପ୍ରୟୋଗ ଓ ଉନ୍ନତମାନର ବିହନ ସଂଗ୍ରହ କରି ନ ଥାନ୍ତି, ସେଗୁଡିକ ଯଥାଶୀଘ୍ର ସାରନ୍ତୁ । କଥାରେ ଅଛି ଚାଷ ତରତର ବଣିଜ ମଠ । ତେଣୁ ଚାଷର ସଅଳ ଏବଂ ସମୟୋପଯୋଗୀ ପଦକ୍ଷେପ ନେଲେ ଆମେ ଭଲ ଫସଲ ଅମଳ କରିପାରିବା ।

ଖରିଫ ଧାନ ପାଇଁ ବିହନ

ବର୍ଷା ଜଳ ଉପରେ ନିର୍ଭର କରେ ଧାନ ଚାଷ

ଖରିଫ ଫସଲ ପାଇଁ କିଭଳି ଜମି ପ୍ରସ୍ତୁତି କରିବେ । ଗୋବର ଖତ ପ୍ରୟୋଗ କରିବେ । ଖରିଫ ଋତୁରେ ଓଡ଼ିଶାରେ ଧାନ ମୁଖ୍ୟ ଫସଲ ହୋଇଥିବାରୁ ଧାନଚାଷ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି । ବର୍ଷା ଋତୁରେ ଧାନ ଉଚ୍ଚ, ମଧ୍ୟମ କିସମ, ଖାଲ, ଜଳମଗ୍ନ ହେଉଥିବା ଜମି, ଅମ୍ଳ ଓ କ୍ଷାର ଜମି ଏବଂ ଲୁଣା ଜମିରେ ଚାଷ କରାଯାଇଥାଏ । କେଉଁ ଜମିରେ କେଉଁ କିସମର ଧାନଚାଷ କରାଯାଇ ପାରିବ ସେ ବିଷୟରେ ଧାନ ଦେବା ଆବଶ୍ୟକ । ଜମିର କିସମ ନେଇ ବିହନର କିସମ ସ୍ଥିର କରାଯାଇଥାଏ । ଉଚ୍ଚ ବା ଢିପ ଜମିରେ ଜଳସେଚନ ର ସୁବିଧା ନ ଥିଲେ ବର୍ଷା ଜଳ ଉପରେ ନିର୍ଭର କରି ଧାନ ଚାଷ କରାଯାଇଥାଏ । ତେଣୁ ଉଚ୍ଚ ଜମିରେ ସଅଳ କିସମର ଧାନ ଚାଷ କରାଯାଏ, ଯାହାର ଅବଧୂ ୯୦ ଦିନରୁ ୧୧୦ ଦିନ ମଧ୍ୟରେ ହୋଇଥବ । ବର୍ଷା ଋତୁରେ ସାଧାରଣତଃ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଷ୍ଟିପାତ ହୋଇଥାଏ । ତେଣୁ ଏହି ସମୟକୁ ଦୃଷ୍ଟିରେ ରଖି ଉଚ୍ଚ ଜମିରେ ଧାନର ସଅଳ କିସମକୁ ଚାଷ କରାଯିବା ଆବଶ୍ୟକ । ଉଚ୍ଚ ଜମି ପାଇଁ ଅଧିକ ଅମଳକ୍ଷମ ଉନ୍ନତ ଧାନ କିସମଗୁଡିକ ହେଲା ଖଣ୍ଡଗିରି, ଯୋଗେଶ, ସିଦ୍ଧାନ୍ତ, ସିଆର-୪୦, ସତ୍ୟଭାମା, ମନ୍ଦାକିନୀ ଏବଂ ଜଲ୍ଦି ଧାନ-୧୩ ଇତ୍ୟାଦି । ଏହି କିସମଗୁଡିକୁ ଚାଷ କରନ୍ତୁ । ଉଚ୍ଚ ବା ଢିପଜମିରେ ବିହନକୁ ଲଙ୍ଗଳ ସିଆର ପଛରେ କିମ୍ବା ମଞ୍ଜି ବୁଣାଯନ୍ତ୍ର ସାହାଯ୍ୟରେ ଧାଡିରେ ବୁଣାଯାଇଥାଏ । ଏକର ପିଛା ୨୦ କିଗ୍ରା ବିହନ ଦରକାର ହୋଇଥାଏ । ବିହନକୁ ବୁଣିବା ପୂର୍ବରୁ ରୋଗମୁକ୍ତ କରିବା ପାଇଁ ବିଶୋଧିତ କରି ବୁଣନ୍ତୁ ।

ଅମଳକ୍ଷମ ଉନ୍ନତ ଧାନ କିସମ ଚାଷ

ପରବର୍ତ୍ତୀ ଜମି, କିସମ ହେଉଛି ମଧ୍ୟମ କିସମର ଜମି । ଏହି ଜମିରେ ଧାନ । ୧୩୫-୧୪୦ ଦିନରେ ଅମଳ ହୋଇଥାଏ । ଉକ୍ତ କିସମ ଜମିରେ ସାଧାରଣତଃ କେନାଲ, ନଦୀ ବନ୍ଧ ଯୋଜନା, ଉଠା ଜଳସେଚନ, ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ବର୍ଷା ଜଳକୁ ବ୍ୟବହାର କରାଯାଇ ଧାନଚାଷ କରାଯାଇଥାଏ । ଅଧିକ ଅମଳକ୍ଷମ ଉନ୍ନତ ମାଧ୍ୟମ ଧାନ କିସମ ହେଲା ରାଜଲକ୍ଷ୍ମୀ, ଲଲାଟ, ଶତାବ୍ଦୀ, ତେଜସିନୀ, ଫାଲଗୁନ, ବସୁଦ୍ଧର, କସ୍ତୁରୀ, କ୍ଷିତୀଶ, ଗୀତାଞ୍ଜଳି, ଜୟନ୍ତୀ, କୋଣାର୍କ, ତାରାମତି ଏବଂ ପୁଷା ବା ସମତା -୧ ଇତ୍ୟାଦି ବିହନ ଗୁଡିକୁ ମଧ୍ୟମ କିସମ ଜମିରେ ଚାଷ କରନ୍ତୁ ।

ଖାଲ ଜମିରେ ପାଣି ଜମି ରହୁଥିବାରୁ ଏବଂ ଏହି କିସମର ଜମିଗୁଡିକରେ ବର୍ଷାଦିନେ ପାଣିର ଅଭାବ ନ ଥିବାରୁ ଅଧିକ ଅମଳକ୍ଷମ ଧାନଚାଷ କରିବାରେ କୌଣସି ଅସୁବିଧା ନ ଥାଏ । ଏହି କିସମ ଜମିରେ ସାଧାରଣତଃ ୧୩୫ରୁ ୧୫୦ ଦିନ ଭିତରେ ଅମଳ ହେଉଥିବା ଧାନ କିସମଗୁଡିକ ଚାଷ କରାଯାଇଥାଏ । ଉନ୍ନତ ଅମଳକ୍ଷମ କିସମଗୁଡିକ ହେଲା ସାବିତ୍ରୀ, ଧରିତ୍ରୀ, ଜଗବନ୍ଧୁ, ତୁଳସୀ, ସାରଳା, ଦୁର୍ଗା, ପୂଜା, ପଦ୍ମିନୀ ଇତ୍ୟାଦି । ଏହି କିସମର ଧାନ ଗୁଡିକ ବିଳମ୍ବରେ ପାରୁଥିବା ହେତୁ ଖାଲ ଜମିରେ ଚାଷ କରନ୍ତୁ ।

ଏହି ୩ କିସମର ଜମିକୁ ଛାଡିଦେଲେ ସ୍ଵତନ୍ତ୍ର ଅବସ୍ଥା, ପରିସ୍ଥିତି ଓ ଉଦ୍ଦେଶ୍ୟ ରହିଥିଲେ କେତେକ ସ୍ଵତନ୍ତ୍ର କିସମର ଧାନଚାଷ କରାଯାଇପାରେ । ଜମିରେ ଅତ୍ୟଧିକ। ପାଣି ଜମି ରହୁଥିଲେ ବା ଜମି ଜଳମଗ୍ନ ରହୁଥିଲେ । ସୁମିତ, ଗତା, ଦୁର୍ଗା, ତୁଳସୀ ଇତ୍ୟାଦି କିସମ ଚାଷ କରନ୍ତୁ । ଯେଉଁ ଅଞ୍ଚଳରେ ବନ୍ୟାଜଳ ବା ବଢିପାଣି ଦ୍ଵାରା ଧାନ ଫସଲ ପ୍ରଭାବିତ ହୁଏ, ସେ ଅଞ୍ଚଳରେ ସ୍ଵର୍ଣ୍ଣ, ସିଆର୍ ୧୦୦୯. ବର୍ଷା ପ୍ରଭୃତି କିସମ ଚାଷ କରାଯାଇପାରେ । ଯେଉଁ ଅଞ୍ଚଳରେ ମରୁଡି ଦ୍ଵାରା ଧାନ ଫସଲ ପ୍ରଭାବିତ ହୁଏ ସେ ଅଞ୍ଚଳରେ ମରୁତି ସହଣି ଧାନ କିସମଗୁଡିକ ଚାଷ କରାଯାଇଥାଏ । ସାଧାରଣତଃ ମୌସୁମୀ ଦୁର୍ବଳ ହୋଇଯିବା ଯୋଗୁ ଯଦି କୌଣସି ଅଞ୍ଚଳରେ ସ୍ଵଳ୍ପ ବୃଷ୍ଟିପାତ ହୁଏ ତା'ହେଲେ ସେ ଅଞ୍ଚଳରେ ମନ୍ଦାକିନୀ, ଶତାବ୍ଦୀ, ଡିଆର-୪୩) ଇତ୍ୟାଦି କିସମ ଚାଷ କରାଯାଇପାରେ। କେତେକ ଅଞ୍ଚଳରେ ଜମି ଲୌହ ଦ୍ଵାରା ବିଷାକ୍ତ ହୋଇଯାଏ ବା ଦେଖାଯାଇଥାଏ । ସେ ଜମିରେ ଲୌହ ବିଷାକ୍ତ ସହଣି ଧାନ ‘ବର୍ଷା' ଚାଷ କରାଯାଇପାର । ଏହାଛଡା ସମୁଦ୍ର ପାଖୁଆ ଅଞ୍ଚଳ, ଚିଲିକାର ଉଭୟ ପାର୍ଶ୍ଵରେ ଥିବା ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳ ଯେଉଁ ଅଞ୍ଚଳକୁ ଲୁଣା ଅଞ୍ଚଳ ଓ ଜମିକୁ ଲୁଣି ଜମି କୁହାଯାଏ। ସେ ଜମିରେ ଆପଣ ଲୁଣା ସହଣି କିସମ ଲୁଣା ସୁର୍ବଣା, ଲୁଣା ସମ୍ପଦ, ଜଗଜୀବନ ଚାଷ କରନ୍ତୁ । କଥାରେ ଅଛି ଚାଷ ତରତର ବଣିଜ ମଠ । ଯଦି ପାରିପାର୍ଶ୍ଵକ ଅବସ୍ଥାରୁ ଆପଣ ସଅଳ ସଅଳ ଗୁଆ କାର୍ଯ୍ୟ ସାରି ପାରିଲେନି ତା'ହେଲେ ଆପଣ ବିଳମ୍ବା ଗୁଆ ପାଇଁ ହିରଣ୍ୟ, ମନସିନୀ ଇତ୍ୟାଦି କିସମ ରୁଅନ୍ତୁ ।

ଚାଉଳର ବଜାର ଚାହିଦା ଓ ମୂଲ୍ୟ

ସାଧାରଣତଃ ଓଡ଼ିଶାରେ ବାରମାସରେ ତେରପର୍ବ ପାଳିତ ହୋଇଥାଏ । ବିବାହ, ବ୍ରତ ଓ ଅନ୍ୟାନ୍ୟ ଭୋଜି ପାଇଁ ଲୋକେ ବାସନା ଚାଉଳ ଆବଶ୍ୟକ କରିଥାଆନ୍ତି । ବାସନା ଚାଉଳର ବଜାର ଚାହିଦା ଓ ମୂଲ୍ୟ ଅଧିକ । ତେଣୁ ବାସନା ଧାନ ଉତ୍ପନ୍ନ କରିବାର ଥିଲେ । ଆପଣ ପୁଷା ବାସମତା-୧, ଗୀତାଞ୍ଜଳି, ପହିନୀ, ନୂଆ କଳାଜିରା ଇତ୍ୟାଦି କିସମଗୁଡିକ ଚାଷ କରନ୍ତୁ । ପୁଣି ମୟୂରଭଞ୍ଜ, ବାଲେଶ୍ଵର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଲୋକେ ମୁଢି ଖାଇବାକୁ ଭଲପାନ୍ତି । ଉନ୍ନତମାନର ମୁଢି ପାଇବା ପାଇଁ ବର୍ଷା ଧାନ ଚାଷ କରନ୍ତୁ ।

ବର୍ତ୍ତମାନ ଓଡ଼ିଶାରେ ମୌସୁମୀ ପ୍ରବେଶ କରିସାରିଲାଣି । କେତେକ ଅଞ୍ଚଳରେ ଭଲ ବର୍ଷା ହେଲାଣି । ଚାଷୀମାନେ ଢିପ ବା ଉଚ୍ଚ ଜମିରେ ଧାନ ବୁଣାବୁଣି କାର୍ଯ୍ୟ ଏବଂ ଅନ୍ୟ ଜମି ପାଇଁ ତଳିଘର ପ୍ରସ୍ତୁତି କାର୍ଯ୍ୟରେ ଲିପ୍ତ ଥିବେ । ଏହି ଲେଖାରେ ଜମିର କିସମ, ଅବସ୍ଥା ଏବଂ ଧାନ ଫସଲର ଚାଷ କରିବାର ଉଦ୍ଦେଶ୍ୟ ନେଇ ଅଧିକ ଅମଳକ୍ଷମ ଉନ୍ନତ ବିହନ କିସମଗୁଡିକ ବିଷୟରେ କିଛି ଧାରଣା ଦିଆଯାଇଛି । ଆଶା ଚାଷୀମାନେ ସେମାନଙ୍କର ଜମିର କିସମ ଓ ଅବସ୍ଥାକୁ ନେଇ ଉପଯୁକ୍ତ କିସମର ବିହନ ଗୁଡିକ ଚାଷ କଲେ ଅଧିକ ଅମଳ କରି ଲାଭାନ୍ୱିତ ହେବେ ।

ଆଧାର – କୃଷି ଡାଏରୀ

5.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top