ହୋମ / କୃଷି / ଶସ୍ୟ ଉତ୍ପାଦନ / ଖରିଫ ଫସଲ ପାଇଁ ଜମି ଓ ସାର ପ୍ରସ୍ତୁତି
ସେଆର କରନ୍ତୁ

ଖରିଫ ଫସଲ ପାଇଁ ଜମି ଓ ସାର ପ୍ରସ୍ତୁତି

ଖରିଫ ଫସଲ ପାଇଁ ଜମି ଓ ସାର ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଜମିରେ ବିହନ ବୁଣିବା ପୂର୍ବରୁ ସେଗୁଡିକ ଭଲ ଭାବରେ ଗଜା ହେଉଛି ନା ନାହିଁ ତାହା ପରୀକ୍ଷା କରିବା ବାଞ୍ଛନୀୟ । ପ୍ରମାଣିତ ବିହନ ଗୁଡିକ ରୋଗରେ ପାକ ଜୀବାଣୁମୁକ୍ତ, ବିଶୋଧିତ ଏବଂ ଜୀବାଣୁ ନାଶକ ଦ୍ଵାରା ଉପଚାରିତ ହୋଇଥିବାରୁ ପ୍ରମାଣିତ ବିହନ ଉପଯୋଗ କରିବା ଶ୍ରେୟସ୍କାର ।

କୃଷି ଉତ୍ପାଦନ ପାଇଁ ବର୍ଷା ଋତୁ ଉପାଦେୟ

ଆଉ କିଛିଦିନ ପରେ ବର୍ଷାଋତୁ ଆସିଯିବ । କୃଷି ଉତ୍ପାଦନ ପାଇଁ ବର୍ଷା ଋତୁ ଏକ ଉପାଦେୟ ଋତୁ । ଏହି ରତ୍ନରେ କୃଷକମାନେ ସାଧାରଣତଃ ଫସଲ ଲଗାଇ ଥାଆନ୍ତି । କିନ୍ତୁ ଫସଲ ଲଗାଇବା ପୂର୍ବରୁ କୃଷକ ତା’ର କ୍ଷେତରେ ଅନେକଗୁଡିଏ ପ୍ରସ୍ତୁତି କରିଥାଏ । ତାହା ମଧ୍ୟରୁ ଖରାଟିଆ ଚାଷ  ଅନ୍ୟତମ ।

ଜମିରେ ଫସଲ ବୁଣାଯିବା ପୂର୍ବରୁ ଖରାଦିନେ ବିଲକୁ ଚାଷ କରାଯାଇଥାଏ । ଖରାଟିଆ ଚାଷର ଅନେକ ଉପକାରିତା ରହିଛି । ମାଟି ଓଲଟି ପଡିବା ଦ୍ଵାରା ମାଟିରେ ଥିବା ଅନାବନା ଘାସ ଖରାରେ ଜଳିଯାଇ ନଷ୍ଟ ହୋଇଯାଆନ୍ତି ଏବଂ ପରବର୍ତ୍ତୀ ଫସଲରେ ଅନାବନା ଘାସର ପରିମାଣ ବହୁ ପରିମାଣର ହ୍ରାସ ପାଇଥାଏ ।

ମାଟି ଓଲଟି ପଡିବା ଦ୍ଵାରା ମାଟିରେ ଥିବା ପୋକପୋକ, ସେମାନଙ୍କର ଅଣ୍ଡା ଇତ୍ୟାଦି ଖରାରେ ନଷ୍ଟ ହୋଇଯାଆନ୍ତି । ଆଜିକାଲି ଟ୍ରାକ୍ଟର ଓ ପାୱାର ଟିଲରର ବହୁଳ ବ୍ୟବହାର ହେବା ଫଳରେ ଅନେକ ଅଞ୍ଚଳର ଚାଷୀମାନେ ତଳିଘରା ବ୍ୟତୀତ ଅନ୍ୟ ଜମିକୁ ଖରାଟିଆ ଚାଷ କରୁନାହାନ୍ତି । ରୁଆ ପୋତା ସମୟରେ ଏକାଥରେ ଓରଦା ପକାଇ କାଦୁଅ କରି ଧାନ ରୂଆ କାର୍ଯ୍ୟ କରୁଛନ୍ତି । ଖର୍ଚ୍ଚ କାଟ ପାଇଁ ଏହା ଭଲ ଉପାୟ । ହେଲେ ଏହି ଉପାୟ ଦ୍ଵାରା ଅନାବନା ଘାସ ପଚିଗଲେ ମଧ୍ୟ ଅନିଷ୍ଟକାରୀ କାଟଗୁଡିକ ମରୁନାହାନ୍ତି ।

ଜମିରେ କମ୍ପୋଷ୍ଟ ବା ଗୋବରଖତ ପ୍ରୟୋଗ

ଜମିର ଖରାଟିଆ ଚାଷ ବା ତଳି ଘରାର ଖରାଟିଆ ଚାଷ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ପରବର୍ତ୍ତା ଆବଶ୍ୟକତାଟି ହେଉଛି ଜମିରେ କମ୍ପୋଷ୍ଟ ବା ଗୋବରଖତ ପ୍ରୟୋଗ । ପ୍ରାୟତଃ ଚାଷୀମାନେ ଖରାଦିନେ ବିଲରେ ଖତ ପ୍ରୟୋଗ କରିଥାନ୍ତି । ଆଜିକାଲି କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ଅନେକ ଚାଷୀ ବଳଦ ରଖିନାହାନ୍ତି । କିନ୍ତୁ ଖତର ଆବଶ୍ୟକତା ପୁରଣ ପାଇଁ ସେମାନେ ଗାଈ ରଖିଛନ୍ତି । ପ୍ରତ୍ୟେକ ଚାଷୀର ବାଡିରେ ଖତଗଦାଟିଏ ଦେଖିବାକୁ ମିଳେ । ଖତଗଦାରେ ଗୋବର, ଗୋମୂତ୍ର, ନଡା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଚାଷୀ ବର୍ଷ ସାରା ଜମା କରିଥାଏ ଏବଂ ସେଗୁଡିକ ଶଢି ଗୋବର ଖତ ଓ କମେଷ୍ଟ ଖତରେ ପରିଣତ ହୋଇଥାଏ । ଖତଗଦାକୁ ଚାଷୀ ଓଲଟାଇ, ଶୁଖାଇ ଜମିରେ ପ୍ରୟୋଗ ପାଇଁ ତିଆରି କରେ । ଖରାଦିନେ ଏହି ସମୟରେ ଚାଷୀ ସାଧାରଣତଃ ସେହି ଖତ ଗୁଡିକୁ ବିଲରେ ପ୍ରୟୋଗ କରିଥାଏ ।

ଜୈବିକ ଗୋବର ଖତରୁ ଗଛ ଆବଶ୍ୟକ ପଡୁଥିବା ଯବକ୍ଷାରଯାନ, ଫସଫରସ ଏବଂ ପୋଟାସିୟମ ପୃଷ୍ଟି ସାଧନ ପାଇଁ ପାଇଥାଏ । ଗଛ। ଏହାକୁ ଧୀରେ ଧୀରେ ଗ୍ରହଣ କରି ଦୃଷ୍ଟପୁଷ୍ଟ ହୋଇଥାଏ । ଫସଲ ପାଇଁ ଆବଶ୍ୟକ ହେଉଥିବା ପୁଷ୍ଟିସାର ଗୋବରଖାତରେ ଅନ୍ୟ ଖତ ଅପେକ୍ଷା ଅଧିକ ପରିମାଣର ଥିବାରୁ ଏହା ଅଧିକ ଉପାଦେୟ । ଗୋବରଖତ ମାଟିର ଜୀବନୀ ଶକ୍ତିକୁ ଅଧିକ ବିକଶିତ କରୁଥିବାରୁ ଏହାର ଅଧିକ ଆବଶ୍ୟକତା ରହିଛି । ତେଣୁ ଖରାଟିଆ ଚାଷ ପରେ ଏବଂ ତଳି ଘରାରେ ଗୋବରଖତ ପ୍ରୟୋଗ କରନ୍ତୁ ।

କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ଉତ୍ତମ ବିହନର ଭୂମିକା

ଆଉ ଏକ ପ୍ରସ୍ତୁତି ହେଉଛି ବିହନ ଯୋଗାଡ କରିବା । ଅଧିକ ଅମଳ ପାଇଁ ଉନ୍ନତମାନର ବିହନର ଆବଶ୍ୟକତା ରହିଛି ।  ଉନ୍ନତମାନର ବିହନ କହିଲେ ନିରୋଗ, ହୃଷ୍ଟପୁଷ୍ଟ ଏବଂ ବିହନ ଗୁଡିକ ଅନୁବଂଶୀୟ ଓ ଭୌତିକ ଶୁଦ୍ଧତା ସମ୍ପନ୍ନ ହୋଇଥିବା ଦରକାର । ଏଥିରେ ଅନ୍ୟ କିସମର ମଞ୍ଜି ଓ ଘାସ ମଞ୍ଜି ମିଶି ନ ଥିବା ଆବଶ୍ୟକ । ଏହା ରୋଗ ପୋକ ଦ୍ଵାରା ସଂକ୍ରମିତ ହୋଇ ନ ଥିବା ଜରୁରୀ । କୃଷି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିରେ ଉତ୍ତମ ବିହନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିହନ ଗୁଡିକ ସୁସ୍ଥ ହେଲେ ଜମିରେ ଏହା ସୁସ୍ଥ ସବଳ ଚାରାଗଛ ସୃଷ୍ଟି କରିଥାଏ । ଜମିରେ ବିହନ ବୁଣିବା ପୂର୍ବରୁ ସେଗୁଡିକ ଭଲ ଭାବରେ ଗଜା ହେଉଛି ନା ନାହିଁ ତାହା ପରୀକ୍ଷା କରିବା ବାଞ୍ଛନୀୟ । ପ୍ରମାଣିତ ବିହନ ଗୁଡିକ ରୋଗ ପୋକ  ଜୀବାଣୁମୁକ୍ତ, ବିଶୋଧିତ ଏବଂ ଜୀବାଣୁ ନାଶକ ଦ୍ଵାରା ଉପଚାରିତ ହୋଇଥିବାରୁ ପ୍ରମାଣିତ ବିହନ ଉପଯୋଗ କରିବା ଶେୟସର । ସାଧାରଣତଃ ଆମର ଚାଷୀମାନେ ପୂର୍ବବର୍ଷରୁ ଅମଳ କରିଥିବା ଧାନକୁ ବିହନ ରୂପେ ବ୍ୟବହାର କରିଥାନ୍ତି । ପ୍ରମାଣିତ ବିହନଠାରୁ ଏହାର ଗୁଣବତ୍ତା ଯଥେଷ୍ଟ କମ୍ ଏବଂ ଏହି ବିହନ ବ୍ୟବହାର ଦ୍ଵାରା ଅମଳ କମ୍ ହୋଇଥାଏ । ପ୍ରମାଣିତ ବିହନ ବ୍ୟବହାର ଦ୍ଵାରା କୃଷକ ଲାଭବାନ ହୋଇଥାଏ ଏବଂ ଅଧିକ ଅମଳ ପାଇଥାଏ । ଉନ୍ନତମାନର ବିହନଗୁଡିକ ମଧ୍ୟରେ ପ୍ରଜଜକ ବିହନ, ପିଣ୍ଡ ବିହନ ଓ ପ୍ରାମାଣିକ ବିହନ ଅନ୍ତର୍ଭୁକ୍ତ । ଏହି ବିହନ ଗୁଡିକ ବ୍ୟବହାର କଲେ କମ୍ ପରିମାଣର ବିହନ ଲାଗିଥାଏ ।

ତଳିଘରା ପ୍ରସ୍ତୁତି ଓ ଧାନବିହନ ବୁଣାବୁଣି

ଉନ୍ନତ ବିହନର ଅଭାବ ଏକ ଉତ୍କଟ ସମସ୍ୟା । ଆମ ରାଜ୍ୟରେ ପ୍ରମାଣିତ ବିହନର ଅଭାବ ହେତୁ ଆମକୁ ଅନେକ ସମୟରେ ଅନ୍ୟ ରାଜ୍ୟ ଏବଂ ରାଜ୍ୟ ବାହାରର ବିହନ ଉତ୍ପାଦନକାରୀ ସଂସ୍ଥା ଉପରେ ନିର୍ଭର କରିବାକୁ ପଡୁଛି । ଅନେକ ସମୟରେ ବିହନ ବ୍ୟବହାର ପରେ ବିହନର ଅସ୍ଵାଭାବିକ ଗୁଣ ଯୋଗୁ ଚାଷୀକୁଳ ହତାଶ ହୋଇଛନ୍ତି । କେଉଁଠି ବିହନ ଗଜା ହେଉନି ତ କେଉଁଠି ବିହୀନ ରୋଗାକ୍ରାନ୍ତ, କେଉଁଠି ଧାନ ବିହନର ଧାନକେଣ୍ଡା ନ ବାହାରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି । ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ବିହନ ନିଗମ, କୃଷି ବିଭାଗ ଏବଂ କୃଷି ସେବା ସମବାୟ ସମିତି ମାଧ୍ୟମରେ ବିହନ ଯୋଗାଇବାର ବ୍ୟବସ୍ଥା କରାଯାଇଛି । କଥାରେ ଅଛି ଚଷାହୁଡିଲେ ବରଷେ । ତେଣୁ ଅପ୍ରମାଣିତ ବିହନ ବ୍ୟବହାର କରି ଆମର ଚାଷୀକୁଳ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପ୍ରତି ସମସ୍ତେ ଦୃଷ୍ଟିଦେବା ଆବଶ୍ୟକ ।

ସାଧାରଣତଃ ଅକ୍ଷୟତୃତୀୟାରେ ଚାଷୀ ବିଲରେ ବିହନ ଅନୁକୂଳ କରିଥାଏ । ଅକ୍ଷୟତୃତୀୟା ବିତିଗଲାଣି । ବର୍ଷା ହେଲେ ଚାଷୀମାନେ ତଳିଘରା ପ୍ରସ୍ତୁତି ଓ ଧାନବିହନ ବୁଣାବୁଣି କରିବେ । ୨୦୧୭ରେ ମୌସୁମୀ ଭଲ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଚାଷୀମାନେ ଯଦି ଖରାଟିଆ ଚାଷ, ଗୋବରଖତ ପ୍ରୟୋଗ ଓ ଉନ୍ନତମାନର ବିହନ ସଂଗ୍ରହ କରି ନ ଥାନ୍ତି, ସେଗୁଡିକ ଯଥାଶୀଘ୍ର ସାରନ୍ତୁ । କଥାରେ ଅଛି ଚାଷ ତରତର ବଣିଜ ମଠ । ତେଣୁ ଚାଷର ସଅଳ ଏବଂ ସମୟୋପଯୋଗୀ ପଦକ୍ଷେପ ନେଲେ ଆମେ ଭଲ ଫସଲ ଅମଳ କରିପାରିବା ।

ସଂଗୃହିତ - ଚୌଧୁରୀ ବିଚିତ୍ରା ନନ୍ଦ ପ୍ରହରାଜ

2.33333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top