ହୋମ / କୃଷି / ଶସ୍ୟ ଉତ୍ପାଦନ / ଖରିଫ ଫସଲ ପାଇଁ ଯୋଜନା ଓ ପ୍ରସ୍ତୁତି
ସେଆର କରନ୍ତୁ

ଖରିଫ ଫସଲ ପାଇଁ ଯୋଜନା ଓ ପ୍ରସ୍ତୁତି

ଖରିଫ ଚାଷ ପାଇଁ ଚାଷୀମାନେ କଣ ଫସଲ କରିବେ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

କୃଷି କ୍ଷେତ୍ରରୁ ଅଧିକ ଆୟ ପାଇବା ନିମନ୍ତେ ଉପଯୁକ୍ତ ଯୋଜନାର ଆବଶ୍ୟକତା ରହିଛି । ନିକଟରେ ରହିଥିବା ସମ୍ବଳ, ବଜାର ସୁବିଧା, ଜଳବାୟୁ, ଜମିର ପ୍ରକାର ଏବଂ ନିଜ ସାମର୍ଥକୁ ଦୃଷ୍ଟିରେ ରଖା ଯୋଜନା କଲେ ଚାଷୀ ଅଧିକ ଲାଭ ପାଇପାରିବ । ବର୍ତ୍ତମାନ  ଖରିଫ ଚାଷ ପାଇଁ ଚାଷୀମାନେ କଣ ଫସଲ କରିବେ।

ଫସଲ ଖସଡ଼ା ପ୍ରସ୍ତୁତି

ଜମିର କିସମ, ଜଳସେଚନର ସୁବିଧା ଆର୍ଥିକ ସମ୍ବଳ ତଥା ବିକ୍ରି ବଟାର ସୁବିଧାକୁ ଦୃଷ୍ଟିରେ ରଖି କେଉଁ ଫସଲ କଲେ ଲାଭବାନ୍ ହୋଇପାରିବେ ସେଥିପାଇଁ ଏକ ଫସଲ ଖସଡ଼ା ପ୍ରସ୍ତୁତ କରନ୍ତୁ । ବିଶେଷ କରି ଢିପ ଜମିରେ ଅଣଧାନ ଫସଲ ଯଥା: ମୁଗ, ବିରି, ହରଡ଼, ମକା, ମାଣ୍ଡିଆ, ଚିନାବାଦାମ, ପନିପରିବା ଜାତୀୟ ଫସଲ କଲେ ଧାନ ଅପେକ୍ଷା ଅଧୁକା ଲାଭ ମିଳିଥାଏ ।

ଏହାବ୍ୟତୀତ ହରଡ଼ + ମାଣ୍ଡିଆ , ହରଡ଼ + ଧାନ, ମକା + ଚିନାବାଦାମ ଆଦି ଫସଲର ମିଶ୍ରିତ ଚାଷ କଲେ ଗୋଟିକିଆ ଫସଲ ଅପେକ୍ଷା ଅଧିକ ଲାଭ ମିଳିପାରିବ । ମଝିଆଳି ଜମିରେ ୧୨୦-୧୩୦ ଅମଳ ହେଉଥିବା ଧାନ ଫସଲ କଲେ ରବିଋତୁରେ ସୋରିଷ, ଚିନାବାଦାମ, ମୁଗ, ବିରି, ଆଳୁ ଓ ପନିପରିବା ଜାତୀୟ ଫସଲ କରିବା ପାଇଁ ସୁବିଧାଜନକ ହୋଇପାରିବ ।

ନମୁନା ମାଟି ସଂଗ୍ରହ ଓ ମାଟି ପରୀକ୍ଷା

ଅଧିକ ଅମଳ ପାଇବାକୁ ହେଲେ ଫସଲରେ ଉପଯୁକ୍ତ ପରିମାଣର ଖତ ଓ ସାର ପ୍ରୟୋଗ କରିବା ଦରକାର । ମାଟି ପରୀକ୍ଷା କରି ଜମିରେ କେତେ ପରିମାଣର ଯବକ୍ଷାରଜାନ, ପଟାସ ଓ ଫସଫରସ୍ ରହିଛି ସେ କଥା ଜାଣିଲେ ଅନୁମୋଦିତ ପରିମାଣର ସାର ପ୍ରୟୋଗ କରିବାରେ ସୁବିଧାଜନକ ହୋଇପାରିବ । ତେଣୁ ନମୁନା ମାଟି ସଂଗ୍ରହ କରି ମୃତ୍ତିକା ପରୀକ୍ଷାଗାରକୁ ପଠାନ୍ତୁ । କୃଷି ବିଦ୍ୟାଳୟର ଆଞ୍ଚଳିକ ଗବେଷଣା କେନ୍ଦ୍ର, ଗ୍ରାମ୍ୟ କୃଷି କର୍ମୀ କିମ୍ବା କୃଷି ଅଧିକାରୀଙ୍କ ସହ ପରାମର୍ଶ କଲେ ନମୁନା ମାଟି ସହଜରେ ସଂଗ୍ରହ କରିପାରିବେ ।

କୃଷି ଉପକରଣ ସଂଗ୍ରହ

ଲାଭ ପାଇବାକୁ ହେଲେ ଅଧିକ ଅମଳକ୍ଷମ ବିହନ, ଖତସାର, ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ପାଇଁ କୀଟନାଶକ, କୃଷି ଯନ୍ତ୍ରପାତିର ଆବଶ୍ୟକତା ରହିଛି । ବିଶେଷକରି ରୋଗରେ ପାକ ନିରୋଧକାରୀ ଅଧିକ ଅମଳକ୍ଷମ ବିହନ ବ୍ୟବହାର କରିବା ଦ୍ଵାରା ଅଧିକ ଅମଳ ମିଳିଥାଏ । ଚାଷୀମାନେ ଜମିର କିସମ, ଜଳସେଚନର ସୁବିଧା, ଆଞ୍ଚଳିକ ରୋଗ ପୋକ ସମସ୍ୟା ଆଦିକୁ ଦୃଷ୍ଟିରେ ରଖି ନିଜ ଜମି ପାଇଁ ବିହନ କିସମ ନିର୍ଣ୍ଣୟ କରିବା ଦରକାର ।

ସାର ସଂଗ୍ରହ କରିବା କ୍ଷେତ୍ରରେ ଚାଷୀମାନେ ଅବହେଳା କରି ଦରକାର ବେଳେ ଅସୁବିଧାରେ  ପଡ଼ନ୍ତି । ବେଳେବେଳେ ସାର କଳାବଜାର ହେବାର ଖବର ପ୍ରକାଶ ପାଉଛି । ତେଣୁ ସାର ସଂଗ୍ରହ କରି ରଖନ୍ତୁ ।

ଆଜିକାଲି ମଞ୍ଜି ବୁଣିବା, ଘାସ ବାଛିବା, ଧାନ ରୋଇବା, ସିଆର କରିବା, ଜମି କାଦୁଆ କରିବା, ଧାନ କାଟିବା, ଅମଳ କରିବା, କୀଟନାଶକ ସ୍ପ୍ରେ କରିବା ପାଇଁ ଯନ୍ତ୍ରପାତି ଉଦ୍ଭାବିତ ହେଲାଣି। ଏଗୁଡ଼ିକ ବ୍ୟବହାର କଲେ ସହଜରେ ଓ କମ୍ ସମୟରେ ଚାଷକାମ ହୋଇପାରିବ ।

ଫଳଗଛ ଲଗାଇବା ପାଇଁ ବ୍ୟବସ୍ଥା

ଫଳ ଚାଷରୁ ଅଧିକ ଲାଭ ମିଳିପାରିବ । ଫଳଗଛ ଲଗାଇବାକୁ ଇଛୁକ ଚାଷୀମାନେ ଗାତଟେଖାଳା କାମ ଆରମ୍ଭ କରିବା ଦରକାର। ନଡ଼ିଆ, ଆମ୍ବ, ଲେମ୍ବୁ, କମଳା, ଲିରୁ, ସପେଟା, ପିଜୁଳି, ସପୁରୀ, ଅମୃତଭଣ୍ଡା, ଆଦି ଫଳ ଲଗାଇବା ପାଇଁ ଚାରା ସଂଗ୍ରହ କରନ୍ତୁ । ଉଦ୍ୟାନ ବିଭାଗ ସହ ସମ୍ପର୍କ କରି ଅଧିକ ଅମଳକ୍ଷମ ଚାରାଗଛ ସଂଗ୍ରହ କରନ୍ତୁ ପନିପରିବା ଚାଷ ପାଇଁ ମଧ୍ୟ ପ୍ରସ୍ତୁତ ହେବା ଆବଶ୍ୟକ ।

ସମ୍ବଳ ସଂଗ୍ରହ

ଓଡ଼ିଶାର ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନୁହନ୍ତି । ତେଣୁ ସମବାୟ ବ୍ୟାଙ୍କ ଓ ଜାତୀୟକଋଣ ବ୍ୟାଙ୍କଗୁଡ଼ିକରୁ ଆବଶ୍ୟକ ଋଣ ପାଇଁ ଆବେଦନ କରନ୍ତୁ । ପୁରୁଣା ଋଣ ସୁଝି ଦେଲେ ନୂଆ ଋଣ ସହଜରେ ମିଳିପାରିବ । କିଷାନ କ୍ରେଡ଼ିଟ୍ କାର୍ଡ଼ କରିପାରିଲେ ଋଣ ପାଇବା ସୁଝିବା ସହଜସାଧ୍ୟ ହୋଇପାରିବ ।

ଆଧାର – କୃଷି ଡାଏରୀ

1.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top