ସେଆର କରନ୍ତୁ

ଗୋଲାପ ଚାଷ

ଉନ୍ନତ ପ୍ରଣାଳୀରେ ଗୋଲାପ ଚାଷ

ଉପକ୍ରମ

ପାରମ୍ପରିକ କୃଷି ବ୍ୟତୀତ ଉଦ୍ୟାନ କୃଷି , ଔଷଧୀୟ ବୃକ୍ଷ ଚାଷ ସାଙ୍ଗକୁ ଫୁଲଚାଷ ସାଂପ୍ରତିକ ସ୍ଥିତିରେ ଅର୍ଥନୈତିକ ବିକାଶର ଏକ ନୂତନ ଦିଗନ୍ତ ସାଜିଛି । ଏହି ପରିପ୍ରେକ୍ଷରେ ବ୍ୟବସାୟଭିତ୍ତିକ ଫୁଲଚାଷ କରି ଆମ ରାଜ୍ୟର ଚାଷୀଭାଇ ମାନେ ଅଧିକ ରୋଜଗାରକ୍ଷମ ହେବା ସହ ଏହି କ୍ଷେତ୍ରରେ ନୂତନ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ । ଆମ ରାଜ୍ୟରେ ଏଥିପାଇଁ ପ୍ରଶସ୍ତ କ୍ଷେତ୍ର ରହିଥିଲେ ମଧ୍ୟ ଆମର ଚାଷୀଭାଇମାନେ ଏହାର ସୁଯୋଗ ନେଇପାରିନାହାନ୍ତି । ଏଥିପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ବିଶେଷ କରି ଫୁଲର ଚାହିଦା ସର୍ବାଧିକ ଅଟେ । ବିବାହ ସଜସଜ୍ଜା , ଅତର ପ୍ରସ୍ତୁତି ଶିଳ୍ପରେ ଏହାର ଚାହିଦା ଦୃଷ୍ଟିରୁ ଏହାର କୃଷିକରଣ ଆମ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

ଗୋଲାପ ଚାଷ ପାଇଁ କେତୋଟି ମୁଖ୍ୟ କିସମ

  • ନାଲି : ଆଭନ ,ଆଶୀର୍ବାଦ ,ଚାରୁଗନ୍ଧା , ରକ୍ତଗନ୍ଧା, ଲିଲିମା, ଇତ୍ୟାଦି ।
  • ଗୋଲାପି : ରଞ୍ଜନା, ପ୍ରିୟଦର୍ଶିନୀ , ଅଣୁଣିମା, ଏଲୋରା, ଇଣ୍ଡିଆନ ପର୍ଲ , ଡି.ବି.ପି. ପାଲ
  • ଧଳା : ଭିର୍ଗୋ , ଜୁନବ୍ରାଇଡ , ମେଘଦୂତ ।
  • ହଳଦିଆ : ଗୋଲଡେନ ଜଏଣ୍ଟ , ଗୋଲଡେନ ରୋଜ, ସୋନାମାର୍ଗ ।
  • କମଳା : ଫାଷ୍ଟ ଏଡିସନ, ଜୋରିନା , ସୁପରଷ୍ଟାର , ସୂର୍ଯ୍ୟକିରଣ , ମଣ୍ଟେଜୁମା ।
  • ପାଟ : ଦୀପଶିଖା, ଚୈତ୍ର , ଗୋଦାବରୀ ।
  • ବାଇଗଣିଆ : କସ୍ତୁରୀ ରଙ୍ଗିନ, ସୁନୀଲ, ଗାଭାସ୍କର
  • କଳାଳିଆ ନାଲି : ବ୍ଲାକ ଡିଲାଇଟି, କାବେରୀ, ରଶ୍ମୀ, ଭୈରଭ, ବ୍ଲାକଲେଡି ।

ଜଳ ବାୟୁ ଓ ମୃତ୍ତିକା

ଗୋଲାପ ଗଛ ୧୫ ଡିଗ୍ରୀ ରୁ ୩୫ ଡିଗ୍ରୀ ସେଲସିୟମ ଉତ୍ତାପରେ ଭଲ ଫୁଟିଥାଏ । ଗୋଲାପ ଗଛ ଚାଷ ପାଇଁ ପୂର୍ଣ୍ଣ ମାତ୍ରାରେ ଖରା ପଡୁଥିବା ଜାଗା ବାଛିବା ଆବଶ୍ୟକ । ଯଦି ଜାଗାଟିରେ ଖରାବେଳେ ଛାଇ ପଡୁଥିବ ତାହାହେଲେ ମଧ୍ୟ ଭଲ ଫୁଲ ମିଳିପାରିବ । ଯଦି ଅତ୍ୟଧିକ ଛାଇରେ ଗୋଲାପ ଗଛଗୁଡିକ ରହିବା ତାହେଲେ ଗଛ ଗୁଡିକ ରୋଗାକ୍ରାନ୍ତ ହୋଇଯିବ ଓ ଡେଙ୍ଗା ହେବ ଓ ଫୁଲ ଫୁଟିବା କମିବା ସଙ୍ଗେ ସଙ୍ଗେ ଫୁଲର ଗୁଣାତ୍ମକ ମାନ ମଧ୍ୟ କମିଯିବ । ଗୋଲାପ ଫୁଲ ଅଧିକ ବେଗରେ ପବନ ହେଉଥିବା ଜାଗା ପାଇଁ ଅନୁପଯୁକ୍ତ । କାରଣ ଏହି ପରିସ୍ଥିତିରେ ଡାଳ,କଢ ଓ ଫୁଲ ଦୋହଳି ଦୋହଳି ଭାଙ୍ଗିଭାଙ୍ଗି ହୋଇ ଖରାପ ହୋଇଯାଏ । ଯେଉଁଠି ପାଣି ଜମି କରି ରହୁଥିବ ସେଠାରେ ମଧ୍ୟ ଗୋଲାପ ଫୁଲ ଚାଷ କରିବେ ନାହିଁ କାରଣ ଗୋଲାପ ଫୁଲ ସନ୍ତସନ୍ତିଆ ଜାଗାରେ ଭଲ ହେବନାହିଁ ଓ ଗଛଗୁଡିକ ପଚି ମରିଯିବ ।

ଗଛ ଲଗାଇବା ସମୟ ଓ ପ୍ରଣାଳୀ

କଲମୀ ଗଛ ଲଗାଇବାର ଉପଯୁକ୍ତ ସମୟ ହେଉଛି ସେପ୍ଟେମ୍ବର – ଅକ୍ଟୋବର ମାସ । ସାଧାରଣତଃ ବର୍ଷା ଛାଡିଯିବା ପରେ ଯଦି ଜଙ୍ଗଲ ଗଛ ପୋତି ତା ପରେ କଲମୀ କରିବେ ତାହାହେଲେ କଲମୀ ଗଛ କିଣିବା ମୂଲ୍ୟ ବହୁତ କମିଯିବ । ଏଥିପାଇଁ ଜୁନ- ଜୁଲାଇ ମାସରେ ଜମି ପ୍ରସ୍ତୃତ କରି ଆବଶ୍ୟକ ସ୍ଥାନରେ ଜଙ୍ଗଲୀ ଗୋଲାପ ଗଛ ପୋତିବାକୁ ପଡିବ ଓ ଅକ୍ଟୋବର ମାସରେ କଲମୀ କରାଯିବ । କଲମୀ ଡିସେମ୍ବର- ଜାନୁୟାରୀ ପର୍ଯ୍ୟନ୍ତ କରିପାରିବେ । ଏହିପରି କଲେ ଗଛ ଭଲ ଭାବରେ ବଢେ କାରଣ ଗଛର ଚେର ବର୍ଷାଦିନରେ ଭଲ ଭାବରେ ବଢି ବିସ୍ତାରିତ ହୋଇଯାଏ । ଫଳରେ ଖରାଦିନେ କଲମୀ ଗଛ ଅପେକ୍ଷାକୃତ କମ ଯତ୍ନ ଅବଶ୍ୟକ କରିଥାଏ । ଗୋଲାପ ଗଛ ଧାଡିକୁ ଧାଡି ୯୦ ସେମି ଓ ଗଛକୁ ଗଛ ୬୦-୭୫ ସେମି ବ୍ୟବଧାନରେ ଲଗାଯାଇପାରିବ । ବେଳେ ବେଳେ ଗଛକୁ ଗଛ ବ୍ୟବଧାନ ମଧ୍ୟ ୯୦ ସେମି ବା ୩ ଫୁଟ ରଖାଯାଏ । ଗଛର ଦୂରତା ଅନୁସାରେ ଜୁନ ମାସରେ ୨ ଫୁଟ ଲେଖାଏଁ ବ୍ୟବଧାନରେ ଗାତଖୋଳି ଉପର ମାଟି ସହିତ ଖତ ୩ ଝୁଡି ଭଲ ଭାବରେ ମିଶାଇ ମାଟିକୁ ଫର୍ମାଲିନ ଦ୍ଵାରା ବିଶୋଧନ କରିସାରିବା ପରେ ଗାତଗୁଡିକୁ ୧୦-୧୫ ଦିନ ଭୀତରେ ପୂରଣ କରି ରଖାଯାଏ । ଗଛ ଲଗାଇବା ପୂର୍ବରୁ ନିମ୍ବପିଡିଆ ବା ସୋରିଷ ପିଡିଆ ୫ କିଗ୍ରା, ହାଡଗୁଣ୍ଡ ୫ କିଗ୍ରା, ସୁପର ଫସଫେଟ ୨ କିଗ୍ରା , ପଟାସିୟମ ସଲଫେଟ ୧ କିଗ୍ରା ଭଲ ଭାବରେ ମିଶାଇ ମିଶ୍ରଣ ପ୍ରସ୍ତୃତ କରାଯାଏ । ଗଛ ଲଗାଇବା ସମୟରେ ଏହି ମିଶ୍ରଣକୁ ୧୦୦ ଗ୍ରାମ ଲେଖାଏଁ ପ୍ରତ୍ୟେକ ଗାତରେ ଭଲ ଭାବରେ ମିଶାଇ ଗଛ ଲଗାଯାଏ ।

କଲମୀ ଗଛ ଲଗାଇବାବେଳେ ଦୃଷ୍ଟି ଦେବେ ଯେପରି କଲମୀ ଅଂଶ ମାଟି ଉପରେ ରହିବ । ଭଲ ଓ ଅନ୍ୟାନ୍ୟ ପୋକ ଦାଉରୁ ଗଛକୁ ରକ୍ଷା କରିବା ପାଇଁ ଗଛ ଲଗାଇବା ପରେ ମାଟିକୁ ଦ୍ରବଣ ଦ୍ଵାରା ଓଦା କରାଯାଏ ବା ୨-୩ ଗ୍ରାମ ଫୁରଡିନ ବା ଥିମେଟ ପ୍ରତିଗଛ ପାଇଁ ମାଟିରେ ମିଶାଇ ପ୍ରୟୋଗ କରାଯାଏ ।

ପାହାଡିଆ ଆଞ୍ଚଳ ରେ ଫେବୃୟାରି ମାର୍ଚ୍ଚ ମାସରେ ଗଛ ଲଗାଯାଇପାରିବ ।

ଜଳସେଚନ

ଗଛ ଲଗାଇବା ପରେ ଗଛଗୁଡିକୁ ଆବଶ୍ୟକ ଅନୁଯାୟୀ ପାଣି ଦେବାକୁ ପଡିଥାଏ । ବର୍ଷାଦିନେ ପାଣି ଦେବାପାଇଁ ପଡିନଥାଏ । ମାଟିକୁ ନେଇ ଶୀତ ଦିନରେ ୫-୧୦ ଅନ୍ତରରେ ଓ ଖରାଦିନେ ୩-୫ ଦିନ ଅନ୍ତରରେ ପାଣିଦେବାକୁ ପଡିଥାଏ । ସିଞ୍ଚା କିମ୍ବା ବୁନ୍ଦା ଜଳସେଚନ ବନ୍ଦୋବସ୍ତ କରିପାରିଲେ ସବୁଠାରୁ ଅଧିକ ସୁବିଧା ମିଳିଥାଏ ଓ ଏହା ସହିତ ଫୁଲର ସଂଖ୍ୟା ଅମଳ ଓ ଗୁଣାତ୍ମକ ମାନର ବୃଦ୍ଧି ଘଟାଇଥାଏ ।

କୋଡାଖୁସା ଓ ଗଛର ପରବର୍ତ୍ତୀ ଯତ୍ନ

ଗଛ ୧ ମାସର ହୋଇଗଲେ ଜମିକୁ ଭଲ ଭାବରେ କୋଡାଖୁସା କରି ବାଳୁଙ୍ଗା ମୁକ୍ତ ରଖାଯାଏ । ମାଟି ଢିଲା ହୋଇ ରହିଲେ ଗଛକୁ ଭଲ ଭାବରେ ବଢିବାରେ ସାହାଯ୍ୟ କରେ । ସାମୟିକ ଭାବରେ ସାର, ଅନୁସାର ଓ ହରମୋନ ପ୍ରୟୋଗ କରାଯାଏ । କଲମୀ ଅଂଶ ତଳୁ ଯେତେକ ଡାଳ ବାହାରେ ସେଗୁଡିକ ଜଙ୍ଗଳୀ ଡାଳ । ତେଣୁ ସେହିସବୁ ବାହାରିବାମାତ୍ରେ ଫୋପାଡି ଦେବା ଆବଶ୍ୟକ ।

କଟାଛଟା

ଗଛ କଟାଛଟା ପ୍ରଥମ ବର୍ଷ ଦରକାର ହୁଏ ନାହିଁ । ଦ୍ଵିତୀୟଲ ବର୍ଷଠାରୁ ଅକ୍ଟୋବର- ନଭେମ୍ବର ମାସରେ ସାଧାରଣ କଟାଛଟା କରିବାକୁ ପଡିଥାଏ । ଏହି ସମୟରେ ଯେତେକ ଦୁର୍ବଳ, ରୋଗା,ଓ ଶୁଖିଲା ଡାଳ କାଟି ଦିଆଯାଏ । ତା ପରେ ଶକ୍ତ ମୂଳଡାଳଗୁଡିକକୁ ଭୂମି ପତନରୁ ୧ ରୁ ୨ ଫୁଟ ଭିତରେ ଗଛର ବଢନ୍ତି ଅବସ୍ଥାକୁ ଆଖି ଆଗରେ ରଖି କାଟିଦିଆଯାଏ । କଟା ଅଂଶଗୁଡିକରେ ସଙ୍ଗେ ସଙ୍ଗେ ବ୍ଲାଇଟିକ୍ସ-୫୦ର ବୋଳ ତିଆରି କରି ଲଗାଯାଏ । ଗୋଲାପ ଫୁଲରୁ ଅଧିକ ଲାଭ ଉଠାଇବା ପାଇଁ କଟାଛଟାର ବହୁତ ପ୍ରଭାବ ରହିଛି । ଆମର ପାଞ୍ଜି ଅନୁସାରେ ପର୍ବପର୍ବାଣିର ତାଲିକା ପ୍ରସ୍ତୁତ କରିଥିବା ଆବଶ୍ୟକ । ଏହି ପର୍ବପର୍ବାଣିର ୪୫ ଦିନ ପୂର୍ବରୁ କଟାଛଟା କମ କଲେ ସେହି ସମୟକୁ ଅଧିକ ଫୁଲ ବାହାରିବ ଯାହାକି ଅଧିକ ଦରରେ ବିକ୍ରି ହେବା ସଙ୍ଗେ ସଙ୍ଗେ ଅଧିକ ଲାଭ ମିଳିବ । ଫୁଲ ଫୁଟିସାରିବା ପରେ ଯଦି ଡାଳଟିକୁ ୨-୩ ଟି ଆଖିଛାଡି ନିୟମିତ ଭାବରେ କାଟୁଥିବେ ତାହେଲେ ଫୁଲର ଆକାର ବଡ ହେବ ଏବଂ ବହୁତ ଫୁଲ ଫୁଟିବ । ଗଛ ଝାଙ୍କଡ଼ା ହୋଇ ଅଳ୍ପ ଉଚ୍ଚ ହେବ । କଟାକଟି କଲାବେଳେ ଗୋଟିଏ ସୁସ୍ଥ ଆଖିର ୫ ମିମି ଉପରକୁ ୫ ଡିଗ୍ରୀ କୋଣରେ କାଟିବା ଦରକାର । ଖରାଦିନେ ଗଛଗୁଡିକ ଅତ୍ୟଧିକ ଖରାଯୋଗୁଁ ନଷ୍ଟ ହୋଇଯାଏ । ଏଥିରୁ ରକ୍ଷା କରିବା ପାଇଁ ଗଛଗୁଡିକର ମୂଳ ପାଖରେ ମଲଚିଙ୍ଗ କରିବା ଅବଶ୍ୟକ । ଗୋଲାପ ବଗିଚାକୁ ଏହି ସମୟରେ ଛାଇ ଜାଲିଦ୍ଵାରା ଆବୃତ୍ତ କରି ରଖିପାରିଲେ ଗଛ ଭଲ ଭାବରେ ବଢିବା ସଙ୍ଗେ ସଙ୍ଗେ ଭଲ ଫୁଲ ମଧ୍ୟ ହୋଇଥାଏ ।

ଖତସାର ପ୍ରୟୋଗ

ବିଭିନ୍ନ ପ୍ରକାରର ପିଡିଆ, ଗୋବର, ଖତ, କମ୍ପୋଷ୍ଟ ଆଦିର ପ୍ରୟୋଗ ମାଟିକୁ ଭଲ ରଖିବା ସଙ୍ଗେ ସଙ୍ଗେ ଗଛକୁ ଭଲ ଭାବରେ ବଢାଇବାରେ ସାହାଯ୍ୟ କରିଥାଏ । ଗଛର କଟାକଟି ପରେ ସାଧାରଣତଃ ଏହାର ପ୍ରୟୋଗ କରାଯାଇଥାଏ । ଗଛ ଲଗାଇବା ସମୟରେ ଯେଉଁ ମିଶ୍ରଣ ତିଆରି କରି ୧୦୦ ଗ୍ରାମ ଲେଖାଏଁ ପ୍ରଯୋଗଲ କରାଯାଇଥିଲା,ସେହି ମିଶ୍ରଣରୁ ୧୦୦ ଗ୍ରାମ ଲେଖାଏଁ ପ୍ରତି ଫୁଲ କଟା ସମୟ ପରେ ପ୍ରୟୋଗ କରାଯାଏ । ଏହି ମିଶ୍ରଣ ନ ମିଳିଲେ ଷ୍ଟେରାମିଲ କିମ୍ବା ରାଲିମିଲ ୧୦୦ ଗ୍ରାମ ପ୍ରୟୋଗ କରାଯାଇପାରିବ । ଗଛକୁ ଭଲ ଭାବରେ ବଢାଇବା ପାଇଁ ପତ୍ର ମାଧ୍ୟମରେ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଇପାରିବ । ଏଥିପାଇଁ ୨.୫ ଗ୍ରାମ ସମ ପରିମାଣରେ ଏବଂ ପୋଟାସିୟମ ହାଇଡ୍ରୋଜନ ଫସଫେଟ ମିଶ୍ରଣରୁ ନେଇ ୧ ଲିଟର ପାଣିରେ ଭଲ ଭାବରେ ମିଶାଇ ପତ୍ର ଉପରେ ସିଞ୍ଚନ କରାଯାଏ । ଏହାକୁ ସକାଳ ୮ଟା ସମୟ ପୂର୍ବରୁ ସିଞ୍ଚନ କରିବା ଅବଶ୍ୟକ ।

ଅନୁସାରର ଅଭାବରେ ଗଛର ମଧ୍ୟ ଡାଇବ୍ୟାକ ରୋଗ ହୋଇଥାଏ । ତେଣୁ ସାମୟିକ ଭାବରେ ଅନୁସାର ସିଞ୍ଚନ କରାଯାଇପାରିବ । ଟ୍ରାସଲ ୨ ରୁ ୫ ଗ୍ରାମ ହିସାବରେ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ । ଏହି ସମୟରେ ମଧ୍ୟ ପ୍ଲାନୋଫିକ୍ଵ ୧ ମିଲି କୁ ୫ ଲିଟର ହାରରେ ପାଣିରେ ମିଶାଇ ଅନୁସାର ସହିତ ସିଞ୍ଚନ କରାଯାଇପାରିବ । ପ୍ଲାନୋଫିକ୍ଵକୁ ରୋଗ ବା ପୋକ ଦମନକାରୀ ଔଷଧ ସହିତ ମିଶାଇ ମଧ୍ୟ ସିଞ୍ଚନ କରାଯାଇପାରିବ ।

ରୋଗପୋକ ନିୟନ୍ତ୍ରଣ ବ୍ୟବସ୍ଥା

ମୁଖ୍ୟ ପୋକଗୁଡିକ ହେଲା ଉଈ, ଜଉପୋକ, ଭଅଁର ଓ ବିରୁଡି, ମିଲିବଗ, ଓ ସୂତ୍ରଜୀବ ଆଦି ।

ମାଲା ଥିଅନରୁ ୩ ଚାମଚ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ନାଲିସ୍କେଲ ଥ୍ରୀପସ ଡିଆଁପୋକ,ଚଫର ବିଟିଲି ଆଦିକୁ ଦମନ କରିହେବ । ସେହିପରି କେଲଥେନ ଦ୍ଵାରା ନାଲି ବୁଢୀଆଣି , ବା ଫୁରାଡନ ଦ୍ଵାରା ଉଈ ଓ ପିମ୍ପୁଡିକୁ ଜଉପୋକକୁ ରୋଗର ବା ମୋଟାମିଷ୍ଟକ୍ଵ ସିଞ୍ଚନ ଦ୍ଵାରା ଦମନ କରିହେବ । ରୋଗଳ ଭିତରେ ଡାଇବ୍ୟାକ ଗୋଟିଏ ମୁଖ୍ୟରୋଗ । ଏଥିରୁ ଗଛକୁ ରକ୍ଷା କରିବା ପାଇଁ ନିୟମିତ ଭାବରେ ଖାଦ୍ୟ ଜଳସେଚନ ଓ ରୋଗପୋକ ଦମନ ନିହାତି ଅବଶ୍ୟକ । କଳାଦାଗ ଲାଗିଲେ ହେକ୍ୱାକାପ ୦.୨% ଦ୍ରବଣ ସିଞ୍ଚନ କଲେ ଦମନ ହେବ । ପାଉଁସିଆ ରୋଗ ଲାଗିଲେ କାରାଥେନ-୦.୧%ଦ୍ରବଣ ବା ବାଭିଷ୍ଟିନ-୦.୧% ଦ୍ରବଣ ସିଞ୍ଚନ କଲେ ଦମନ ହୋଇପାରିବେ ।

ଅମଳ

ହାଇବ୍ରିଡ-ଟି ଗୋଲାପ ଗଛରୁ ଫୁଲ ୨୦-୪୫ ସେମି ଡେମ୍ଫ ସହିତ ଅବଶ୍ୟକତା ଅନୁଯାୟୀ କାଟି ବିକ୍ରି କରାଯାଏ । ଏହା ସାଧାରଣତଃ ଗୋଟିକିଆ ଗଣତି ହିସାବରେ ବିକ୍ରି କରାଯାଇଥାଏ । ଏହାର ଦାମ ହାରାହାରି ଟ୧.୦୦ ରୁ ଟ ୨.୦୦ ଭିତରେ ରହେ । ଗୋଟିଏ ଗଛରୁ ବାର୍ଷିକ ୨୫ ରୁ ୬୦ ପର୍ଯ୍ୟନ୍ତ ଫୁଲ ମିଳିଥାଏ ।

ଗୋଟିଏ ଏକର ଜମିରେ ଗୋଲାପ ଫୁଲ ଚାଷ କଲମୀଗଛ କିଣି କଲେ ହାରାହାରି ଟ୮୦.୦୦୦ ଖର୍ଚ୍ଚ ହେବ ଟ ୧.୭୦.୦୦୦ ମୂଲ୍ୟର ଅମଳ ମିଳିବ । ସୁତରାଂ ଟ୯୦.୦୦୦/- ବାର୍ଷିକ ଲାଭ କରିବ । ଯଦି ଜଙ୍ଗଲୀ ଗଛ ଲଗାଇ କଲମୀ କରାଯାଏ । ତାହେଲେ ଖର୍ଚ୍ଚରେ ଟ ୪୦.୦୦୦ କମିଯିବ ଓ ସେ ଅନୁପାତରେ ଲାଭ ଅଧିକ ମିଳିବ । ପ୍ରକୃତ ଲାଭ ଉପଯୁକ୍ତ କିସମ ଗଛକୁ ବଢାଇବା ପ୍ରଣାଳୀ କଟାକଟି କରିବାର ସମୟ ଓ ପ୍ରଣାଳୀ , ରୋଗପୋକ ନିୟନ୍ତ୍ରଣ ବ୍ୟବସ୍ଥା, ଅନ୍ତଃଚାଷ, ଫୁଲ କାଟିବା ସମୟ ଓ ତାହାର ଉପଯୁକ୍ତ ରପ୍ତାନି ଉପରେ ନିର୍ଭର କରିଥାଏ ।

ଆଧାର :- ଡଃ ଦୀନବନ୍ଧୁ ମହାରଣା

2.2
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top