ହୋମ / କୃଷି / ଶସ୍ୟ ଉତ୍ପାଦନ / ଚାପସହଣି ଧାନର ଗୁଣାତ୍ମକ ବିହନ ଉତ୍ପାଦନ
ସେଆର କରନ୍ତୁ

ଚାପସହଣି ଧାନର ଗୁଣାତ୍ମକ ବିହନ ଉତ୍ପାଦନ

ଚାପସହଣି ଧାନର ଗୁଣାତ୍ମକ ବିହନ ଉତ୍ପାଦନ ର ସୂଚନା

ଉପକ୍ରମ

ପୃଥିବୀର ଶତକଡା ୬୦ ଭାଗ ଲୋକଙ୍କର ଭାତ ହିଁ ମୁଖ୍ୟ ଖାଦ୍ୟ  । ସମଗ୍ର ପୃଥିବୀରେ ଧାନର ପ୍ରାୟ ଶତକଡା ୯୦ ଭାଗ ଏସିଆରେ ହିଁ ଉତ୍ପାଦନ ଆଉ ବ୍ୟବହାର ହୋଇଥାଏ  । କେବଳ ଭାରତରେ ୪୪.୬ ମିଲିଅନ ହେକ୍ଟର ରୁ  ଅଧିକ ଜମିରେ ହିଁ ଧାନଚାଷ କରାଯାଏ  । ଯାହାର ଅମଳ ହେଉଛି ହେକ୍ଟର ପିଛା ୩ ଟନ  । ସାଧାରଣତଃ ପୂର୍ବ ଋତୁ ବା ଫସଲର ଅମଳକୁ ବିହନ ଭାବରେ ବ୍ୟବହାର କରାଯାଇଥାଏ  । ଆମେ ସଞ୍ଚିତ କରିଥିବା ବିହନ ଉନ୍ନତ ମାନର କି ନୁହେଁ ଆମେ ସେ ବିଷୟରେ ସଚେତନ ନଥାଉ  । ଏହା ଛଡା, ଚାଷୀମାନେ ଅଧିକାଂଶ ସମୟରେ ଅଧିକ ମୂଲ୍ୟରେ ବାହାରୁ ବିହନ ସଂଗ୍ରହ / କ୍ରୟ କରିଥାନ୍ତି ଏବଂ ଏହାର ଗୁଣମାନ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥାନ୍ତି   । ଯେହେତୁ ଉନ୍ନତମାନର ବିହନ ରୋଗମୁକ୍ତ ଥାଏ ଓ ସୁସ୍ଥ ଥାଏ, ପ୍ରାଥମିକ ଅବସ୍ଥାରେ କୌଣସି ରୋଗ ନଥାଇ ହୃଷ୍ଟପୃଷ୍ଟ ଚାରା ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ  । ଏହା କେବଳ ଜମିର ଉତ୍ପାଦିକତା ବୃଦ୍ଧି କରିନଥାଏ  ବରଂ ଫସଲକୁ ଅପମିଶ୍ରଣରୁ ରକ୍ଷା କରି ଏକ ମଚ୍ଛା କରିଥାଏ  । ଏହି କ୍ଷୁଦ୍ର ପୁସ୍ତିକାରେ ପ୍ରତିକୂଳ ପ୍ରଭାବ ସହଣି ଧାନକୁ ସ୍ଵତନ୍ତ୍ର ଧ୍ୟାନ ରଖି ଉନ୍ନତମାନର ବିହନ ପ୍ରସ୍ତୁତିର ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଛି  । ଉନ୍ନତମାନର ବିହନ ଉତ୍ପାଦନର ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ପୂର୍ବରୁ ଆସନ୍ତୁ କିଛି କଥା ଜାଣିବା  ।

ବିହନ କଣ

ବିହନ ଗୋଟିଏ ଜୀବନ୍ତ ଶସ୍ୟ  । ସମସ୍ତ ବିହନ ଶସ୍ୟ ଅଟେ କିନ୍ତୁ ସମସ୍ତ ଶସ୍ୟ ବିହନ ନୁହେଁ  ।

ଗୁଣାତ୍ମକ ବିହନ କଣ

ଶୁଦ୍ଧ, ପରିଷ୍କାର ଓ ଜୀବନୀଶକ୍ତି ଥିବା ବିହନ ହିଁ ଉନ୍ନତମାନର ବିହନ  । ବିହନରେ ଅନ୍ୟ କୌଣସି କିସମର ମିଶ୍ରଣ ନଥିଲେ ବିହନ ଶୁଦ୍ଧ ହୋଇଥିବା ବେଳେ ଘାସମଞ୍ଜି, ଗୋଡି, ଅଣଧାନ ରୋଗା, ପୋକ, ଫୁଲା ଇତ୍ୟାଦି ନଥିଲେ ବିହନ ପରିଷ୍କାର ବୋଲି ଧରାଯାଏ  । ହୃଷ୍ଟପୃଷ୍ଟ ଥିବା ସହିତ ଉପଯୁକ୍ତ ଆର୍ଦ୍ରତା ଓ ଅଧିକ ଗଜାଶକ୍ତି ଥିଲେ ବିହନ ବିଶ୍ଵାସଯୋଗ୍ୟ ଓ ଜୀବନ୍ତ ବୋଲି ଧରାଯାଏ   ।

ବିହନର ମାନ

ବିହନରେ ଗାଠନିକ ଓ ଆନୁବଂଶିକ ଶୁଦ୍ଧତାକୁ ରକ୍ଷା ଓ ସଂରକ୍ଷଣ କରିବାକୁ ବିହନର ମାନ କୁହାଯାଏ  । ଅପେକ୍ଷାକୃତ ଅଧିକ ଅମଳ ପାଇବା ପାଇଁ ବିହନ ହେଉଛି ମୌଳିକ ଓ ମୁଖ୍ୟ ଉପାଦାନ  । ସଠିକ୍ କୌଶଳକୁ ବୁଝି ବିହନର ମାନକୁ ବଜାୟ ରଖିବା ନିତ୍ୟାନ୍ତ ଆବଶ୍ୟକ  ।

ଗୁଣାତ୍ମକ ବିହନ କାହିଁକି

ଗୁଣାତ୍ମକ ବିହନର ବ୍ୟବହାର ହିଁ ଧାନଚାଷରେ ସଫଳତା ମୂଳଦୁଆ  । ଏପରି ବିହନର ବ୍ୟବହାର ଦ୍ଵାରା ଧାନର ଅମଳ ପ୍ରାୟ ଶତକଡା ୫ ରୁ ୨୦ ଭାଗ ପର୍ଯ୍ୟନ୍ତ ବଢିଥାଏ  ।

କିପରି

  • ଶତକଡା ଗଜାହାର ଅଧିକ ଥିବାରୁ ଅପେକ୍ଷାକୃତ କମ୍ ବିହନ ଆବଶ୍ୟକ ହୁଏ  ।
  • ଅଧିକ ଗଜାଶକ୍ତି ଥିବାରୁ ପୁନଃରୋପଣ ଆବଶ୍ୟକ ନଥାଏ   ।
  • ଘାସ କମ୍ ହୁଏ ଓ ଘାସମରା ଔଷଧର ବ୍ୟବହାର କମ୍ ହୁଏ  ।
  • ଗଛଗୁଡିକ ଶକ୍ତ, ଏକମଚ୍ଛା ଏବଂ ରୋଗପୋକ ନିରୋଧକ ହୋଇଥାଏ  ।
  • ଏକ ସମୟରେ ପାଚିଯାଏ  ।
  • ଅଣଧାନ କିମ୍ବା ମିଶାଧାନ ଅପେକ୍ଷାକୃତ କମ୍ ଥାଏ ନଥାଏ  ।
  • ଅମଳ ଅଧିକ ହୁଏ  ।
  • ବଜାର ଦର ଭଲ ରୁହେ   ।

ଅଧିକ ବିହନ ଅମଳ ପାଇଁ ଉପଯୋଗୀ ଜମି ଅର୍ଥାତ୍ ଜଳସେଚନର ସୁବିଧା ଥିବା ସହ ସୁଷମାର ପ୍ରୟୋଗ ଓ ସମନ୍ଵିତ ଖାଦ୍ୟସାର ଏବଂ ରୋଗ ଓ ପୋକ ପରିଚାଳନାର ସୁବିଧା ଥିବା ଜମିରେ କରାଯିବା ଉଚିତ  ।

ଗୁଣାତ୍ମକ ବିହନ ଉତ୍ପାଦନ ପାଇଁ କେତୋଟି ସୋପାନ

ବିହନ ଉତ୍ପାଦନର କେତେଗୁଡିଏ ନିର୍ଦ୍ଧିଷ୍ଟ ପ୍ରଣାଳୀ ସମ୍ପର୍କରେ ନିମ୍ନରେ ଦିଆଗଲା

ବିହନ ପରିଷ୍କାର ଓ ଉପଚାର

  • ହାତଦ୍ଵାରା ବାଛିବା (ଅଳ୍ପ ପରିମାଣ)
  • ଉଡେଇବା
  • ୟୁରିଆ କିମ୍ବା ଲବଣାକ୍ତ ଦ୍ରବଣର ବ୍ୟବହାର

ଉପଯୁକ୍ତ ଭାବରେ  ପରିଷ୍କାର ଓ ଉପଚାର କରାଯିବା ଦ୍ଵାରା, ଫସଲ ବିହନ ବାହିତ ରୋଗରୁ ମୁକ୍ତ ହୋଇଥାଏ ଓ ଅଧିକ ଅମଳ ମିଳିଥାଏ  । ଅପରିପକ୍ଵ ବା ଅଳ୍ପ ପରିପକ୍ଵ ଶସ୍ୟ, ଦାଗଯୁକ୍ତ ବା ବିବର୍ଣ୍ଣ ଶସ୍ୟ, ଫୁଲା, ରୋଗା ପୋକ ଓ ଅଜୈବିକ ପଦାର୍ଥ ଗୁଡିକୁ ହୃଷ୍ଟପୃଷ୍ଟ ବିହନଠାରୁ ଉପରୋକ୍ତ ପଦ୍ଧତି ଗୁଡିକ ମାଧ୍ୟମରେ ଅଲଗା କରିହେବ କିନ୍ତୁ ଅନ୍ୟ କିସମର ବିହନ ମିଶିଥିଲେ କେବଳ ହାତରେ ବାଛିବାକୁ ପଡିଥାଏ  । ବିହନକୁ ପରିଷ୍କାର କରିବା ପାଇଁ ୧.୫ କି.ଗ୍ରା. ୟୁରିଆ/ଲୁଣ ସହ ୪୦ ଲିଟର ପାଣିର ଦ୍ରବଣକୁ ବ୍ୟବହାର କରାଯାଇ ପାରିବ  । ଏହା ଦ୍ଵାରା ସମସ୍ତ ଭଙ୍ଗା, ଅପରିପକ୍ଵ, ରୋଗା ବିହନଗୁଡିକ ପାଣିରେ ଭାସିବ ଓ ଏହାକୁ ହାତ ଦ୍ଵାରା ବା ଛଣା ଦ୍ଵାରା ଅଲଗା କରି ପାରିବେ ଅବଶିଷ୍ଟ ସୁସ୍ଥ ବିହନକୁ ସାଧା ପାଣିରେ ଭଲ ଭାବରେ ଧୋଇ ଛାଇ ସ୍ଥାନରେ ଶୁଖାଇ ଦବାକୁ ପଡିବ  ।


କ୍ଷେତ୍ର ଚୟନ (ତଳିଘେରା)

  • ଜମିର ଅବସ୍ଥିତି ସହଜରେ ଓ ବାରମ୍ବାର ତଦାରଖ କଲାଭଳି ହେବା ଆବଶ୍ୟକ
  • ମଧ୍ୟମ କିସମର ଉର୍ବର ଜମି ।
  • ଖରା ପଡୁଥିବ ଓ ବନ୍ୟା ପ୍ରବଣ ହୋଇ ନଥିବ  ।
  • ଗୋଟିଏ ପ୍ରକାର ଜମି  ।
  • ଯଥେଷ୍ଟ ଜଳସେଚନର ସୁବିଧା ଥିବ  ।
  • ଉପଯୁକ୍ତ ଜଳ ନିଷ୍କାସନ ସୁବିଧା ଥିବ  ।

ବିହନ ବିଶୋଧନ ବା ଉପଚାର

ବୁଣିବା କିମ୍ବା ଗଜା କରିବା ପୂର୍ବରୁ ବିହନକୁ କି.ଗ୍ରା. ପ୍ରତି ୨ ଗ୍ରାମ ହିସାବରେ କାର୍ବେଣ୍ଡାଜିମକିମ୍ବା ଥିରାମ ଭଳି କବକନାଶ ଦ୍ଵାରା ବିଶୋଧନ କରାଇ ନେବା ଉଚିତ  । ତେବେ ଟ୍ରାଇକୋଡର୍ମା ହାର୍ଜିଆନମ ଏବଂ ସିଉଡୋମୋନାସ ଫ୍ଲାଇରେସେନେସ (ବିହନ କି.ଗ୍ରା. ପ୍ରତି ୫ ଗ୍ରାମ ହିସାବରେ) ଦ୍ଵାରା ବିହନ ଉପଚାର ପ୍ରକ୍ରିୟା ହେଉଛି ଏକ ପରିବେଶ ଅନୁକୂଳ ଜୈବିକ ନିରାକରଣ ପଦ୍ଧତି  । ଜୈବ ଉପଚାର ପାଇଁ ବିହନକୁ ୮ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇବାକୁ ପଡିଥାଏ ପରେ ପାଣିରୁ ଛାଣି ଆବଶ୍ୟକ ଜୈବିକ ନିୟନ୍ତ୍ରଣ ଉପାଦାନ ସହ ମିଶାଇ ଗୋଟିଏ ସ୍ଥାନରେ ଠୁଳ କରି ଅଖା କିମ୍ବା ପଲିଥିନ ସାହାଯ୍ୟରେ ଢାଙ୍କି ୧୨ ରୁ ୧୪ ଘଣ୍ଟା ପର୍ଯ୍ୟନ୍ତ ରଖି ପରେ ବୁଣା ଯାଏ  । ବିଶୋଧିତ ବିହନକୁ ଏଭଳି ରଖିଲେ ଅଧିକ ଉଷୁମ ହୋଇ ଜୈବିକ ଉପାଦାନର ପ୍ରଭାବ ବିହନ ଉପରେ ପଡେ ଓ ମଞ୍ଜିର ଚାରିପଟେ ଏକ ଆବରଣ ସୃଷ୍ଟିକରେ ଏହାଦ୍ଵାରା ଯେ ବିହନରେ କେବଳ ବିହନ ବାହିତ ରୋଗର ଦମନ ହୁଏ ତା ନୁହେଁ  ବରଂ ଗଜା ଭଲ ହୁଏ ଓ ଚାରା ଭଲ ବଢେ  ।

ତଳିବିଲ ପ୍ରସ୍ତୁତି ଓ ବିହନବୁଣା

  • ଜମିର ଅବସ୍ଥିତି ସହଜରେ ଓ ବାରମ୍ବାର ତଦାରଖ କଲାଭଳି ହେବା ଆବଶ୍ୟକ
  • ୧ ରୁ ୧.୫ ମିଟର ଚଉଡାର ଉଚ୍ଚାଳିଆ ତଳିପଟାଳି ପ୍ରସ୍ତୁତ କରନ୍ତୁ  ।
  • ଠିକ୍ ଭାବରେ ସମତୁଲ କରନ୍ତୁ  ।
  • ଦୁଇପଟାଳି ମଧ୍ୟରେ ୫୦ ସେ.ମି. ଚଉଡାର ନାଳି ରଖନ୍ତୁ  ।
  • ଠିକ୍ ସମୟରେ ବୁଣନ୍ତୁ ।
  • ବିହନକୁ ରାସାୟନିକ କିମ୍ବା ଜୈବିକ କବକନାଶ ସାହାଯ୍ୟରେ ବିଶୋଧନ କରନ୍ତୁ  ।
  • ସମାନ ଭାବରେ ବିହନ ବୁଣନ୍ତୁ  ।
  • ପଟାଳି ପ୍ରସ୍ତୁତିର ୫/୭ ଘଣ୍ଟାପରେ ବିହନ ବୁଣନ୍ତୁ  ।
  • ବର୍ଗମିଟର ପ୍ରତି ୮୦ରୁ ୧୦୦ ଗ୍ରାମ ବିହନ ପକାନ୍ତୁ   ।

ଖାଲୁଆ କାଦୁଅ ଜମିରେ ରୋଇବାକୁ ଥିବା ଧାନକୁ ପ୍ରଥମେ ତଳିଘେରାରେ ବଢେଇବା ନିତ୍ୟାନ୍ତ ଆବଶ୍ୟକ  । ଧାନକୁ ତଳି ପକେଇବାର ମୁଖ୍ୟକାରଣ ହେଲା : ତଳିର ବୃଦ୍ଧିକୁ ଘାସବୃଦ୍ଧି ତୁଳନାରେ ଯଥେଷ୍ଟ ଆଗରେ ରଖିବା  । ସବୁବେଳେ ମନେରଖନ୍ତୁ ଯେ ଯଦି ଆପଣ ଉପଯୁକ୍ତ କୌଶଳ ଅବଲମ୍ବନ କରି ନିୟମିତ ତଦାରଖରେ ସମୟ ଦେଇପାରୁଛନ୍ତି ତେବେ ହୃଷ୍ଟପୃଷ୍ଟ ତଳି ପ୍ରସ୍ତୁତ କରିବା ଅତିସହଜ  ।

ମୃତ୍ତିକା ପ୍ରସ୍ତୁତି ସବୁବେଳେ ସଠିକ୍ ହେବାଦରକାର  । ମାଟିକୁ ନରମ କରିବା ପାଇଁ ଓ ଉପସ୍ଥିତ ଜୈବିକ ପଦାର୍ଥକୁ ମାଟିରେ ମିଶାଇବା  ପାଇଁ ଅତିକମ୍ ରେ ଗୋଟିଏ ଚାଷ ଓ ଗୋଟିଏ କାଦୁଅ ନିତ୍ୟାନ୍ତ ଆବଶ୍ୟକ  । ଚାଷମାଟିକୁ ନିଜ ହାତରେ କାଦୁଅ କରି ଦିଅନ୍ତୁ, ଟେଳା ଗୁଡିକୁ ଗୁଣ୍ଡା କରନ୍ତୁ  । କାଠି, କୁଟାଚେର ଓ ପଥର ଇତ୍ୟାଦି ପଦାର୍ଥକୁ ବାହାର କରି ଦିଅନ୍ତୁ  (ଏହା ଗଛକୁ ବଢିବାରେ ବିଳମ୍ବ କରେ)  । ବିହନ ଗୁଡିକ ମଧ୍ୟରେ ଯେପରି ଗହଳି ବେଶି ନହୁଏ ଓ ଗଛ ହେଲାପରେ ଛନ୍ଦାଛନ୍ଦି ନହୁଅନ୍ତି ସେଥିପ୍ରତି ଧ୍ୟାନଦେବା ଦରକାର  । ବୁଣିବା ପରେ ବିହନ ଉପରେ ହାତଦ୍ଵାରା ପତଳା ଆବରଣରମାଟି ଘୋଡାଇ ଦିଅନ୍ତୁ ଯେପରିକି ବର୍ଷା କିମ୍ବା ପକ୍ଷୀଦ୍ଵାରା କୌଣସି କ୍ଷତ ହେବନାହିଁ  । ତଳି ଘେରାକୁ ସବୁବେଳେ ଓଦା ରଖିବା ନିତାନ୍ତ ଆବଶ୍ୟକ  । ଯଦିଓ ଓଦା ତଳିଘେରା ପାଇଁ ଜଳର ଆବଶ୍ୟକ ନଥାଏ ତଥାପି ଦିନକୁ ଦୁଇଥର ପରିସ୍ଥିତି ଅନୁଧ୍ୟାନ କରନ୍ତୁ  । ଆବଶ୍ୟକତା ଅନୁଯାୟୀ ଘେରା ପାଖରେ ଥିବା ନାଳୀରୁ ଦିନକୁ ୨ଥର ପାଣି ଛିଞ୍ଚି ଓଦା ରଖନ୍ତୁ  । ପ୍ରାୟ ୧୪ ଦିନରେ ତଳି ଗୁଡିକୁ ରୋଇବା ଯୋଗ୍ୟ ହୋଇପାରିଥାଏ, କେତେକାଂଶରେ ଏହା ଧାନର କିସମ ଓ ଅବସ୍ଥା ଉପରେ ନିର୍ଭର କରେ  ।

କାଦୁଅ ତଳିପଟାଳିର ସୁବିଧା

  • ଉପଯୁକ୍ତ ସ୍ଥାନରେ ହେବା ଆବଶ୍ୟକ  ।
  • ଜଳସେଚନର ସୁବିଧା ଥାଏ  ।
  • ତଳିଗୁଡିକ ଶୀଘ୍ର ବଢନ୍ତି ଓ ଓପାଡିବା ପାଇଁ ସୁବିଧା ହୁଏ  ।
  • ରୋଗପୋକର ଆଶଙ୍କା କମ୍ ଥାଏ  ।
  • ଡାଳୁଅ  ଧାନପାଇଁ ଖୁବ୍ ଭଲ  ।

ସୁସ୍ଥ ଓ ହୃଷ୍ଟପୃଷ୍ଟ ତଳି ପାଇବାକୁ ହେଲେ ପରିଚାଳନା ଓ ତଦାରଖ ସୁବିଧା ଥିବା ଜମିରେ ତଳି ପକେଇବା ନିହାତି ଆବଶ୍ୟକ  । ସର୍ବାଧିକ ହାରର ବିହନ ପ୍ରୟୋଗ ସହିତ ସବୁବିହନ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ତମ ପରିଚାଳନା କୌଶଳ ଅବଲମ୍ବନ କରିବା ଆବଶ୍ୟକ  । ସ୍ଵତନ୍ତ୍ର ଧ୍ୟାନ ଦେଇ ତଳିପଟାଳିରେ ଯତ୍ନ ନିଅନ୍ତୁ   ।

ତଳି ଓପଡା ଓ ମୁଖ୍ୟ ଜମି ପ୍ରସ୍ତୁତି

ବନ୍ୟାକୁ ଆଖିରେ ରଖି ତଳି ବିଲ ବାଛନ୍ତୁ ଓ ପୂର୍ବ ପ୍ରସ୍ତୁତି କରନ୍ତୁ (ଜମି ବୁଡିଲେ ମଧ୍ୟ ତଳି ବୁଡିବ ନାହିଁ) ଯେପରି ତଳିକୁ ବିଶେଷ କ୍ଷତି ପହଞ୍ଚିବ ନାହିଁ  । ଓପାଡିବା ସମୟରେ ଅଳ୍ପତଳିକୁ ହାତରେ ଧରି ଗୋଟିଏ ପଟକୁ ଟାଣନ୍ତୁ  । ଓପାଡିଲାବେଳେ କିମ୍ବା ପରିବହନବେଳେ ତଳି ଗୁଡିକର ଯଥେଷ୍ଟ ଯତ୍ନ ନେଲେ ରୋଇବାପରେ ଏଗୁଡ଼ିକର ଅପେକ୍ଷାକୃତ ଶୀଘ୍ର ବୃଦ୍ଧି ହୋଇଥାଏ କାରଣ ତଳି ଛିଣ୍ଡିଲେ ବା ମକଚି ଗଲେ ଚେରଧରିବାପରେ ବିଳମ୍ବ ହୁଏ ଅବା ଶୁଖିଯାଏ  । ରୁଆ ଜମିକୁ ୭ଦିନ ପୂର୍ବରୁ ପାଣି ମଡାନ୍ତୁ ଫଳରେ ଚାଷପାଇଁ ମାଟି ନରମ ହେବ ଏବଂ ଘାସ ଓ ଅନାବନା ଗଛ ଗୁଡିକ ଉଠିଆସିବା ଓ ଦମନ ପାଇଁ ସୁବିଧା ହେବ  । ଜମିକୁ ଏକାଧିକ ଥର ଚାଷ କରି ମଇଦେଲେ ଭଲ କାଦୁଅ ହୁଏ ଏବଂ ଜମି ସୁସମତଳ ହୋଇ ଜଳ ଓ ଖାଦ୍ୟସାରର ପ୍ରାରମ୍ଭିକ ପରିମାଣ ବିଲର ସମସ୍ତ ଅଂଶରେ ସମାନ ଅନୁପାତରେ ରୁହେ  । ଏହା ମଧ୍ୟ ଘାସକୁ ଦମନ କରି ଫସଲର ଅବସ୍ଥା ସୁଧାରି ନିଏ  ।

ତଳିର ବୟସ

ଫସଲର ବୃଦ୍ଧିରେ ତଳି ବୟସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  । ଖୁବ୍ କମ୍ ଦିନର ତଳି ରୋଇବାପାଇଁ ଅସୁବିଧା ହେଲାବେଳେ ଅଧିକ ଦିନର ତଳିରୁ ଅମଳ କମିଯାଏ  । ବିଭିନ୍ନ କିସମ ଧାନର ବୟସ ଅନୁସାରେ ତଳିଗୁଡିକର ବୟସ ସ୍ଥିର କରାଯାଏ  ।

କିସମ

ତଳିର ବୟସ

ସହଳ କିସମ

୧୩-୨୨ ଦିନ

ମଧ୍ୟମ କିସମ

୨୫-୩୦ ଦିନ

ବିଳମ୍ବ ସମୟ

୩୫-୪୦ ଦିନ

ରୁଆ ପ୍ରଣାଳୀ

  • ସାଧାରଣତଃ ଅଧିକ ଅମଳକ୍ଷମ ଧାନର ତଳିକୁ ୨୫-୩୦ ମଧ୍ୟରେ ରୋଇବା ବାଞ୍ଛନୀୟ  ।
  • ବୁଦା ପ୍ରତି ୨/୩ ଟି ତଳି ଲଗେଇବା ଆବଶ୍ୟକ  ।
  • ମୂଳ ସାରରେ ଜିଙ୍କ୍ ଫସଫରସ୍ ଜାତୀୟ ସାର ଦେବା ଅନୁଚିତ୍  ।

ଘାସ ଦମନ

ଘାସ ଓ ଅଦରକାରୀ ଗଛଗୁଡିକ ଧାନଗଛର ଖାଦ୍ୟସାର ଓ ଜଳକୁ ଆହରଣ କରି ଏବଂ ଅମଳରେ ନିଜର ମଞ୍ଜି ମିଶେଇ ବିହନର ମାନକୁ କ୍ଷୁର୍ଣ୍ଣ କରିଥାନ୍ତି  । ଏପରିକି ରୋଗ ଓ ପୋକ ଅପେକ୍ଷା ଘାସଦ୍ଵାରା ଫସଲର ଅମଳ ଅଧିକ ପ୍ରଭାବିତ ହୋଇ କ୍ଷତି ହୋଇଥାଏ  । ସାଧାରଣତଃ ଘାସଦ୍ଵାରା ବୁଣାଧାନ ଅପେକ୍ଷା ରୁଆ ଧାନ କମ୍ ପ୍ରଭାବିତ ହୁଏ  । ଘାସଥିବା ଜମିରେ ସହଜରେ ରୋଗପୋକ ଲାଗିଥାନ୍ତି  ଏବଂ ଘାସଦ୍ଵାରା ମଧ୍ୟ ଜଳସେଚନରେ ବାଧାସୃଷ୍ଟି ହୋଇଥାଏ  । ଘାସ ଗୁଡିକ ପ୍ରବଳ ଭାବରେ ବଢନ୍ତି ଏବଂ ଜମିର ଉପାଦାନକୁ ଆହରଣ କରିବାପାଇଁ ପ୍ରତିଦ୍ୱନ୍ଦିତା କରନ୍ତି  । ଜମିରେ ଧାନର ପ୍ରକୃତି, କିସମ, ଚାଷପ୍ରଣାଳୀ ଯଥା : ଗଛସଂଖ୍ୟା, ସାରପ୍ରୟୋଗ, ଜମିପ୍ରସ୍ତୁତି, ରୋଇବାର ସମୟ ଓ ପଦ୍ଧତି, ଜଳ ପରିଚାଳନା ଇତ୍ୟାଦିର ପ୍ରକାର ଅନୁସାରେ ଫସଲ ଓ ଘାସର ପ୍ରତିଦ୍ୱନ୍ଦିତା ଭିନ୍ନ ଭିନ୍ନ ହୁଏ  । ଯଥେଷ୍ଟ ସୁଷମ ସାରା ଦେଇ ଫସଲକୁ ଶୀଘ୍ର ବଢିବା ପାଇଁ ଯତ୍ନ କରନ୍ତୁ  । ଯଦି ପ୍ରାଥମିକ ଅବସ୍ଥାରେ ଘାସ ଦମନ କରା ନଯାଏ ତେବେ ଅମଳ ଶତକଡା ୨୦ରୁ ୮୦ ଭାଗ କମିବାର ଆଶଙ୍କା ଥାଏ  । ତେବେ ଫସଲର କ୍ଷୟକ୍ଷତି ଅବସ୍ଥିତି ଘାସର ପରିମାଣ ଓ କୃଷକ ଅବଲମ୍ବନ କରିଥିବା ଚାଷ ପ୍ରଣାଳୀ ଉପରେ ନିର୍ଭର କରେ  । ଯଦି ବର୍ଷା ନାହିଁ ଜମିକୁ ଜଳସେଚିତ କରି (ପାଣିମଡାଇ) ଘାସ ଗୁଡିକୁ ଉଠି ଆସିବାରେ ସାହାଯ୍ୟ କରନ୍ତୁ  । ରୋଇବା ପୂର୍ବରୁ ୨୦ ଦିନ ବ୍ୟବଧାନରେ ଜମିକୁ ୨ଥର ଚାଷକରନ୍ତୁ ଫଳରେ ଘାସ ଗୁଡିକ ମାଟି ତଳକୁ ଚାଲିଯିବ ଓ ସମ୍ପୂର୍ଣ୍ଣ ପଚି ମାଟିରେ ମିଶିଯିବ  । ଏହାଦ୍ୱାରା କେବଳ ଘାସ ଦମନ ହେବନାହିଁ ବରଂ ଜମିର ଉର୍ବରତା ବୃଦ୍ଧି ପାଇବ  । ରୁଆ ଜମିକୁ ଯତ୍ନର ସହ କାଦୁଅ କଲେ ସହଜରେ ଘାସ ଦମନ କରିହୁଏ  । ଜମିରେ ସମ୍ପୂର୍ଣ୍ଣ ପଚିଯାଇଥିବା ଜୈବିକ ଖତସାର ପ୍ରୟୋଗ କରନ୍ତୁ  । ଜମିରେ ଜଳର ଗଭୀରତାକୁ ୫ସେ.ମି ମଧ୍ୟରେ ସିମିତ ରଖିଲେ ଘାସ ବୃଦ୍ଧି ଚପିଯିବ  । ରୋଇବାର ୩ଦିନ ପରେ ଘାସମରା ଔଷଧ ବୁଟାକ୍ଲୋରକୁ ହେକ୍ଟର ପ୍ରତି ୨.୫ ଲିଟର ହିସାବରେ ୨୦କି.ଗ୍ରା ବାଲି ସହ ମିଶାଇ ପ୍ରୟୋଗ କରାଯାଇପାରିବ  । ଘାସବଛା ଯନ୍ତ୍ରକୁ ମଧ୍ୟ ରୋଇବାର ୧୫ ଦିନପରେ ୧୦ ଦିନ ବ୍ୟବଧାନରେ ୨ଥର ବ୍ୟବହାର କରନ୍ତୁ  । ଏହାଦ୍ୱାରା ଘାସବଛା ମଜୁରି ଖର୍ଚ୍ଚ ବଞ୍ଚେଇବା ସହିତ ମାଟି ମଧ୍ୟ ବାୟୁ ଚଳାଚଳ ଉପଯୋଗୀ ହୋଇ ଚେରକୁ ଦୀର୍ଘ କାର୍ଯ୍ୟକ୍ଷମ କରିପାରିବ ଏବଂ ମାଟିରୁ ଖାଦ୍ୟସାର ଆସି ଶସ୍ୟଟି ପରିପୂର୍ଣ୍ଣ ହୋଇପାରିବ  । ଏହା ସତ୍ଵେ ମଧ୍ୟ ୩୦ରୁ ୩୫ ଦିନପରେ ଥରେ ହାତବଛା ଆବଶ୍ୟକ  ।

  • ରୋଇବାର ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ଜମିକୁ ଘାସମୁକ୍ତ ରଖନ୍ତୁ  ।
  • ମଇଦେବାବେଳେ କଟାମୂଳ ଗୁଡିକୁ ବାଛିଦିଅନ୍ତୁ  ।
  • ସେଚ ନାଳୀ ଗୁଡିକୁ ଘାସମୁକ୍ତ କରି ସଫା ରଖନ୍ତୁ  ।
  • ବ୍ୟବହାର ହେଉଥିବା ଯନ୍ତ୍ରପାତିକୁ ସଫା ରଖନ୍ତୁ  ।
  • ରୋଇବା ପୂର୍ବରୁ ଗ୍ଲାଇଫୋସେଟ ଭଳି ଘାସମରା ଔଷଧ ବ୍ୟବହାର କରନ୍ତୁ  ।
  • ଖରାଟିଆ ଚାଷ କରନ୍ତୁ  ।

ବିଲଗନ ଦୂରତା

ବିଲଗନ ଦୂରତା ଗୋଟିଏ ପ୍ରକ୍ରିୟା ଯାହାଦ୍ଵାରା ଫସଲ ବୃଦ୍ଧି ସମୟରେ ମିଶ୍ରଣର ସମ୍ଭାବନା ଥିବା ସୂତ୍ରଗୁଡିକଠାରୁ ବିହନ ଫସଲକୁ ଅଲଗା ରଖିବ ଏବଂ ଏହା କିସମର ଶୁଦ୍ଧତାକୁ ବଜାୟ ରଖିବାର ପ୍ରମୁଖ ମାଧ୍ୟମ  । ଯେହେତୁ ଧାନ ଏକ ସ୍ଵପରାଗଣ ଫସଲ ତେଣୁ ପବନ କିମ୍ବା ପତଙ୍ଗ ଦ୍ଵାରା ଶତକଡା ୫ଭାଗ ପର୍ଯ୍ୟନ୍ତ ପର ପରାଗଣ ହବାର ସମ୍ଭାବନା ଥାଏ  ।

  • ବିହନ କ୍ଷେତ୍ର ଓ ଅନ୍ୟକିସମ କ୍ଷେତ୍ର ମଧ୍ୟରେ ନିରାପଦ ବ୍ୟବଧାନ ରଖନ୍ତୁ  ।
  • କିସମର ଶୁଦ୍ଧତା ରକ୍ଷା ପାଇଁ ପର ପରାଗଣ ନହେବା ପାଇଁ ଯତ୍ନନେବା ଜରୁରୀ  ।
  • ପ୍ରାମାଣିକ ବିହନ ଉତ୍ପାଦନ ପାଇଁ ଫସଲ ମଧ୍ୟରେ ୩ମିଟର ବ୍ୟବଧାନ ନିତାନ୍ତ ଆବଶ୍ୟକ  ।

ବିହନ ଉଦ୍ଦେଶ୍ୟରେ ଚାଷପାଇଁ କ୍ଷୁଦ୍ରାକାର ଜମି ବାଞ୍ଛନୀୟ କାରଣ ଏହା ଭଲଭାବରେ ତଦାରଖ ଓ ପରିଚାଳନା କରିହୁଏ  ।

ଜଳ ପରିଚାଳନା

  • ଗର୍ଭଣା ଅବସ୍ଥା ପର୍ଯ୍ୟନ୍ତ ଅଳ୍ପପାଣି (୨ ରୁ ୩ସେ.ମି)  ।
  • ଥୋଡ ବାହାରିବାଠାରୁ କ୍ଷୀରଢୋକିବା ପର୍ଯ୍ୟନ୍ତ ଜଳ ବାନ୍ଧି ରଖନ୍ତୁ  ।
  • କାଟିବାର ଗୋଟିଏ ସପ୍ତାହ ପୂର୍ବରୁ ଜଳ ନିଷ୍କାସନ କରିଦିଅନ୍ତୁ  ।
  • ଅଦଳବଦଳ ଆଦ୍ରକରିବା ଓ ଶୁଖେଇବା ଦ୍ଵାରା ମୃତ୍ତିକାର ବାୟୁ ଚଳନ ଓ ବାୟୁ ନିଷିଧ ଉଭୟ ଅବସ୍ଥାର ମିଶ୍ରଣକୁ ବଜାୟ ରଖିହେବ  ।

ଯେହେତୁ ଯେକୌଣସି ଫସଲ ଅପେକ୍ଷା ଧାନ ଫସଲରେ ଜଳର ଆବଶ୍ୟକତା ବେଶିଥାଏ ତେଣୁ ଚାହିଦା ମୁତାବକ ନିଶ୍ଚିତ ଜଳସେଚନ ହେଲେ ଫସଲର ଅମଳ ଉପରେ ଯଥେଷ୍ଟ ଭଲ ପ୍ରଭାବ ପଡିଥାଏ  । ଧାନଗଛର ଜୀବନ ଚକ୍ରରେ ପିଲଦେବା ଓ ଫୁଲ ଉଡେଇବା ଭଳି କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଧାନ ଫସଲ କେବେହେଲେ ଜଳସଂକଟର ସମ୍ମୁଖୀନ ହେବା ଉଚିତ୍ ନୁହେଁ  ।

ଗର୍ଭଣା ଠାରୁ ଫୁଲଉଡାଇବା  ପର୍ଯ୍ୟନ୍ତ କିଆରିରେ ଯଥେଷ୍ଟ ଜଳ ବାନ୍ଧି ରଖନ୍ତୁ  । ଅଧିକ ବ୍ୟବଧାନରେ ମାତ୍ରାଧିକ ଜଳସେଚନ ଅପେକ୍ଷା ସ୍ୱଳ୍ପ ବ୍ୟବଧାନରେ ଆବଶ୍ୟକୀୟ ଜଳ ପ୍ରୟୋଗ ଦ୍ଵାରା ଜମିରେ ଉପଯୁକ୍ତ ଆର୍ଦ୍ରତାକୁ ପରିଚାଳନା କଲେ ଅଳ୍ପ ଖର୍ଚ୍ଚରେ ଅଧିକ ସୁଫଳ ମିଳିଥାଏ  । ଜମିକୁ ଫସଲର ବୃଦ୍ଧି ଅବସ୍ଥା ମୁତାବକ ଜଳସେଚନ ବା ଜଳ ନିଷ୍କାସନ କରିବା ଜରୁରୀ  । ରୋଇବା ପରେ ଜମିରେ ମାତ୍ରାଧିକ ଜଳ ରହିଲେ ଫସଲର ପିଲଦେବା କ୍ଷମତା କମି ଅମଳ କମିଯାଏ  । ସେହିଭଳି କ୍ଷୀର ଢୋକିବା ସମୟରେ ମାତ୍ରାଧିକ ଜଳଥିଲେ ବିହନର ମାନ କ୍ଷୁର୍ଣ୍ଣ ହୋଇଥାଏ  । ପିଲଦେବା ସମୟରେ ଅଦଳବଦଳ ଆର୍ଦ୍ରକରିବା ଓ ଶୁଖାଇବା (AWD) ପଦ୍ଧତିରେ ଜଳ ସଂରକ୍ଷଣ ହୋଇଥାଏ  ।

ଏହି ଅଦଳବଦଳ ଶୁଖା ଓ ଓଦା ପ୍ରକ୍ରିୟାକୁ ପ୍ରୟୋଗ କରିବାକୁ ହେଲେ ଫିଲଡ ୱାଟର ଟିଉଭ୍ ଦ୍ଵାରା ଜଳର ଗଭୀରତାକୁ ମାପିବାକୁ ପଡେ  । ଜଳସେଚନର ପ୍ରୟୋଗ ପରେ ସମୟକ୍ରମେ ଜମିରେ ଜଳର ଗଭୀରତା କମିବାରେ ଲାଗେ  । ଯେତେବେଳେ ଜମିପୃଷ୍ଠର ତଳେ ଫିଲଡ ୱାଟର ଟ୍ୟୁବରେ ଜଳର ଉଚ୍ଚତା ୧୫ ସେ.ମି କୁ ଖସିଆସେ ସେତେବେଳେ ୫ ସେ.ମି. ଗର୍ଭରତାର ଗୋଟିଏ ବୁଡାପାଣି ଦବାକୁ ପଡେ  । ଫୁଲ ଉଡେଇବା ସମୟ ଅର୍ଥାତ୍ ଶତକଡା ୫୦ ଭାଗ ଫୁଲଉଡେଇବାର ଗୋଟିଏ ସପ୍ତାହ ପୂର୍ବ ଓ ଗୋଟିଏ ସପ୍ତାହ ପର ସମୟ ପର୍ଯ୍ୟନ୍ତ ୫ ସେ.ମି ଗଭୀରର ବୁଡାପାଣି ରହିଲେ ଅଧିକ ଅମଳହ୍ରାସର ସମ୍ଭାବନାକୁ ଏଡାଇ ହୁଏ  । ଏହି ୧୫ ସେ.ମି ସୂଚନାଙ୍କକୁ ନିରାପଦ ଆର୍ଦ୍ରତା କୁହାଯାଏ  । କାରଣ ଏହି ସମୟ ପର୍ଯ୍ୟନ୍ତ ଚେର ମାଟିରୁ ଜଳ ସଂଗ୍ରହ କରିବାକୁ ସକ୍ଷମ ଥିବାରୁ ଅମଳ ହ୍ରାସର ଆଶଙ୍କା ନଥାଏ  । ଏହି ଫିଲଡ ୱାଟର ଟ୍ୟୁବ କୃଷକଙ୍କୁ ଜମିରେ ଶୁପ୍ତ ଜଳଉତ୍ସ ସମ୍ବନ୍ଧରେ ଜ୍ଞାନ ଦେଇଥାଏ  ।

ଏହି ସେଚ ପଦ୍ଧତି ଅଳ୍ପଦିନ ପରେ (ବୁଣା ଫସଲର ଉଚ୍ଚତା ୧୦ ସେ.ମି ଥିଲେ) ତାର ପ୍ରଥମ ଥୋଡ ବାହାରିବା ପର୍ଯ୍ୟନ୍ତ ଅବଲମ୍ବନ କରାଯାଇପାରିବ  । ପ୍ରଥମ ଥୋଡଠାରୁ ଫୁଲ ଉଡାଇବା ପରର ଏକ ସପ୍ତାହ ପର୍ଯ୍ୟନ୍ତ ସମୟରେ ଜମିରେ ୫ ସେ.ମି ଗଭୀରର ବୁଡାଜଳ ରଖନ୍ତୁ  । ତାପରେ କ୍ଷୀର ଧୋଇକିବା ସମୟରେ ଏବଂ ପାଚିବା ସମୟରେ ପୁଣି ଏ.ଡବ୍ଲ୍ୟୁ.ଡି (AWD) ପଦ୍ଧତି ଅନୁସରଣ କରନ୍ତୁ  । ଯଦି ଫସଲରେ ପ୍ରାଥମିକ ଅବସ୍ଥାରେ ଅଧିକ ଘାସଥାଏ  ତେବେ ଏହି ପଦ୍ଧତିକୁ ୨/୩ ସପ୍ତାହ ପର୍ଯ୍ୟନ୍ତ ବନ୍ଦକରି ବୁଡାପାଣି ରଖି ଘାସ ଦମନ କରନ୍ତୁ  । ଏହି ପଦ୍ଧତି ଦ୍ଵାରା ଚେର ପ୍ରକ୍ରିୟା ଉନ୍ନତ ହୁଏ, ଏବଂ ମାଟିରେ ବାୟୁ ଚଳାଚଳ ପାଇଁ ସମୟ ମିଳିଥାଏ  ।

ମିଶା ବାଛିବା

ପରିବେଶ ଚାପ ସହଣି ଧାନର ଗୁଣାତ୍ମକ ବିହନ ଉତ୍ପାଦନ କ୍ଷେତ୍ରରେ ଶୁଦ୍ଧତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  । ବିହନର ଗାଥାନିକ ଓ ଆନୁବଂଶିକ ଶୁଦ୍ଧତା ପାଇଁ ଫସଲର ବିଭିନ୍ନ ଅବସ୍ଥାରେ ଭିନ୍ନ କିସମ ଓ ଅନାବନା ଗଛ ଗୁଡିକୁ ବାଛି ଦେବା ଆବଶ୍ୟକ ଫସଲର ଅଂଶବୃଦ୍ଧିର ଶେଷପର୍ଯ୍ୟାୟରେ ବ ଫୁଲ ଉଡେଇବାର ପ୍ରଥମ ପର୍ଯ୍ୟାୟରେ ଫସଲରେ ଭିନ୍ନ କିସମର ଧାନଗଛକୁ ସେଗୁଡିକର ଗାଠନିକ ପ୍ରକୃତି (ଉଦାହରଣ: ଉଚ୍ଚତା, ପତ୍ରର ଆକାର, ଆକୃତି ଓ ରଙ୍ଗ, କେଣ୍ଡାର ଆକାର ଓ ଆକୃତି, ଗଛର ରଙ୍ଗ ଇତ୍ୟାଦି) ସାହାଯ୍ୟରେ ଚିହ୍ନଟ କରାଯାଇଥାଏ  । ଉପଯୁକ୍ତ ସମୟରେ (ଅର୍ଥାତ୍ ଫୁଲ ଉଡେଇବ ପ୍ରାରମ୍ଭିକ ଅବସ୍ଥାରେ) ମିଶାଗୁଡିକୁ କାଢିଦେଲେ ଗୁଣାତ୍ମକ ବିହନ ମିଳିଥାଏ  । ସାଧାରଣତଃ ଠାରୁ ଫୁଲଉଡେଇବା ପର୍ଯ୍ୟନ୍ତ ସମୟ ହିଁ ମିଶା ବାଛିବା ପାଇଁ ପ୍ରକୃଷ୍ଟ ଅଟେ  ।

ଗଛର ପ୍ରକୃତିକୁ ଅନୁଧ୍ୟାନ କରି ମିଶାଧାନକୁ ମଧ୍ୟ ଚିହ୍ନଟ କରାଯାଇ ପାରିବ  ।

  • କିଆରିର ମୁଖ୍ୟ ଫସଲଠାରୁ ଗଛଗୁଡିକ ଡେଙ୍ଗା କିମ୍ବା ଗେଡା  ।
  • ଗଛର କାଣ୍ଡ କିମ୍ବା ପତ୍ରର ରଙ୍ଗ  ।
  • ଶୁଙ୍କର ଉପସ୍ଥିତି କିମ୍ବା ଅନୁପସ୍ଥିତି  ।
  • କେଣ୍ଡାପତ୍ରର ସ୍ଥିତି  ।
  • ସହଳ କିମ୍ବା ବିଳମ୍ବରେ କେଣ୍ଡା ଆସିବା  ।
  • ରୋଗ କିମ୍ବା ପୋକ ଆକ୍ରାନ୍ତ ଗଛ

ମିଶା ବାଛିବା କାର୍ଯ୍ୟଟି ସମସ୍ତ ଫସଲ ସମୟ ପର୍ଯ୍ୟନ୍ତ ଚାଲୁରଖିବା ଉଚିତ୍  ।

ସାର ପରିଚାଳନା

ସାଧାରଣ ଫସଲ ଅପେକ୍ଷା ବିହନ ଚାଷପାଇଁ ଅଧିକ ସାର ଆବଶ୍ୟକ ହେଉଥିବାରୁ ବିଭିନ୍ନ ପର୍ଯ୍ୟାୟରେ ଖାଦ୍ୟସାରର ପ୍ରୟୋଗ ଅତି ଜରୁରୀ   । ଘାସ ବାଛିବା ପରେ ଏବଂ ଫୁଲ ଉଡେଇବା ସମୟରେ ଯବକ୍ଷାରଜାନ ଓ ୟୁରିଆ ଦିଆଯାଏ ଏବଂ କ୍ଷୀର ଢୋକିବା ସମୟରେ ମ୍ୟୁରେଟ ଅଫ୍ ପଟାସ ଦିଆଯାଏ  । ସାରର ମାତ୍ରା ଫସଲର ବୟସ ଉପରେ ନିର୍ଭର କରେ  । ଅଧିକ ଶକ୍ତ ଓ ହୃଷ୍ଟପୃଷ୍ଟ ବିହନ ପାଇଁ ପତ୍ର ପୃଷ୍ଟିକରଣର ମୁଖ୍ୟ ଭୂମିକା ରହିଛି  । ଗୁଣାତ୍ମକ ବିହନ ପାଇଁ ୨% ଡି.ଏ.ପି ପ୍ରୟୋଗ କଲେ ଭଲ ଫଳମିଳେ  । ଫସଲ ବୟସ ଅନୁସାରେ ଡି.ଏ.ପି ପ୍ରୟୋଗର ସମୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ  ।

ବିଳମ୍ବ କିସମ

ଡି.ଏ.ପି ପ୍ରୟୋଗର ସମୟ (ବୁଣାଠାରୁ)

୧ମ ପ୍ରୟୋଗ

୨ୟ ପ୍ରୟୋଗ

ସଅଳ କିସମ

୬୦ଦିନ

୮୦ଦିନ

ମଧ୍ୟମ କିସମ

୮୦ ଦିନ

୧୦୦ଦିନ

ବିଳମ୍ବ କିସମ

୧୦୦ ଦିନ

୧୨୦ଦିନ

ରୋଗପୋକ ଦମନ

ସାଧାରଣତଃ ବିହନ ଉତ୍ପାଦନ କ୍ଷେତ୍ରରେ ରୋଗପୋକ ଦମନ ପାଇଁ ପ୍ରତିକାରକ ପଦ୍ଧତି ଅବଲମ୍ବନ କରିବା ଆବଶ୍ୟକ  । ବିଶୋଧିତ ବିହନର ବ୍ୟବହାର, ରୋଗାକ୍ରାନ୍ତ ଗଛଗୁଡିକୁ କାଢିଦେବା, ସୁଷମ ସାର ପ୍ରୟୋଗ ଇତ୍ୟାଦି ହେଉଛି ମୁଖ୍ୟ ରୋଗ ପରିଚାଳନା ପ୍ରଣାଳୀ  । କେତେଗୁଡିଏ ମୁଖ୍ୟ ରୋଗ, ପୋକ ଓ ସେମାନଙ୍କର ପରିଚାଳନା ।

ସମନ୍ଵିତ ରୋଗପୋକ ପରିଚାଳନା ପଦ୍ଧତି ମାଧ୍ୟମରେ ଉପଯୁକ୍ତ ରୋଗପୋକ ଦମନ ପ୍ରଣାଳୀ ଅବଲମ୍ବନ କରନ୍ତୁ  ।

ଧାନକଟା

ପାଚିଲା ଧାନକୁ କାଟି ଖଳାକୁ ଆଣିବା ପ୍ରକ୍ରିୟାକୁ ଧାନକଟା କୁହାଯାଏ  । ଭଲ ଅମଳ ଓ ଭଲ ବଜାରଦର ପାଇଁ ଧାନକୁ ସଠିକ୍ ସମୟରେ କାଟିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ  । ଶିଘ୍ର କିମ୍ବା ବିଳମ୍ବରେ କାଟିବା ଦ୍ଵାରା ଫସଲର ଗୁଣ ଓ ପରିମାଣ ଉଭୟ କମିଯାଏ  । ଧାନ କାଟିବା ସମୟରେ ଏହି କାଟିବାରୁ ଯେପରି ଗୁଣାତ୍ମକ ଓ ବିଶ୍ଵସ୍ତ ତଥା ଜୀବନ୍ତ ବିହନ ମିଳିପାରିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡିଥାଏ  ।

  • ଯେତେବେଳେ ଶତକଡା ୮୦ ଭାଗ ଧାନ ପାଚିଯାଏ  ।
  • ଶତକଡା ୨୦-୨୨ ଭାଗ ଆର୍ଦ୍ରତା ରଖିଲେ ଶସ୍ୟ ଦାନାଗୁଡିକ ସହଜରେ ଭାଙ୍ଗେ ନାହିଁ

ଶିଘ୍ର କାଟିଲେ :-

  • ଅପରିପକ୍ଵ, ସ୍ୱଳ୍ପ ସ୍ଥାୟୀ ବିହନ ମିଳେ ଓ ଅମଳ କମେ  ।

ବିଳମ୍ବରେ କାଟିଲେ –

  • କେଣ୍ଡା ଭାଙ୍ଗିଯାଏ ଓ ଝଡିପଡେ  ।
  • ବାସନା ଧାନର ବାସନା ଚାଲିଯାଏ  ।
  • ବିହନ ଅଧିକ ଭାଙ୍ଗିଯାଏ  ।
  • ପକ୍ଷୀ ଏବଂ ମୂଷା ଆଦି କ୍ଷତି ଅଧିକ ହୁଏ  ।

କାଟିବା ପୂର୍ବରୁ ଫସଲକୁ ଭଲଭାବରେ ତଦାରଖ କରନ୍ତୁ  ।

ଅମଳ

କେଣ୍ଡାରୁ ଧାନଗୁଡିକୁ ଛଡାଇବାକୁ ଅମଳ କୁହନ୍ତି  । କାଟିବା ପରେ ପରେ ଅମଳ କରିଦେବା  ନିତ୍ୟାନ୍ତ ଆବଶ୍ୟକ  । ଅମଳ ସମୟରେ ଯନ୍ତ୍ରପାତି  ଦ୍ଵାରା ଯେପରି ବିହନ ଆଘାତ ନପାଏ  ସେଥି ପ୍ରତି ଧ୍ୟାନ ଦେବାକୁ ପଡିବ  । ଲୁହା କିମ୍ବା ପଥର ଉପରେ ହଳା ବାଡେଇ ଅମଳ କଲେ ବିହନ ବେଶି କ୍ଷତି ହେବାର ଆଶଙ୍କା ରୁହେ ତେଣୁ କାଠମୁଣ୍ଡା ଉପରେ ବାଡେଇ ଅମଳ କରିବା ଉଚିତ  । ଅମଳ ସମୟରେ ବିହନରେ ଶତକଡା ୧୫ ରୁ ୧୮ ଭାଗ ଆର୍ଦ୍ରତା ରହିବା ଉଚିତ  । ଏହାଠାରୁ ଅଧିକ କିମ୍ବା କମ୍ ହେଲେ ବିହନରେ ଯାନ୍ତ୍ରିକ କ୍ଷତ ଅଧିକ ହୋଇଥାଏ  । ଏହା ଆଖିକୁ ଦେଖାଯାଏ ନାହିଁ  କିନ୍ତୁ ରୋଗାକ୍ରାନ୍ତ ହେବାର ଆଶଙ୍କା ଥାଏ ଓ ଗଜା ଶକ୍ତି କମେଇଦିଏ  ।

ବିଳମ୍ବରେ ଅମଳକଲେ

  • ବିହନର ମାନ ଶୀଘ୍ର କ୍ଷୁର୍ଣ୍ଣ ହୁଏ  ।
  • ରୋଗ ବୀଜାଣୁ, ଭୂତାଣୁ ଓ କୀଟମାନେ ବଢିଥାନ୍ତି  ।
  • ବିହନ ବେରଙ୍ଗି ହୋଇଯାଏ  ଓ ଗଜା ହୋଇଯାଏ  ।

ଯେଉଁଠାରେ ମଜୁରିଆ ବା ଲୋକ ବଳର ଅଭାବ ରହିଛି ସେଠାରେ କମ୍ବାଇନ ହାର୍ଭେଷ୍ଟର (କମ୍ବାଇନ ଅମଳ ଯନ୍ତ୍ର) ର ଅବ୍ୟବହାର କରିବା ଆବଶ୍ୟକ ।ଯନ୍ତ୍ର ଦ୍ଵାରା ଯନ୍ତ୍ରଜନିତ ମିଶ୍ରଣର ଆଶଙ୍କା ଥିବାରୁ ଅମଳ ପରେ ଓ ପୂର୍ବରୁ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

  • ଯନ୍ତ୍ରଗୁଡିକୁ  ଭଲଭାବରେ ପରିଷ୍କାର କରନ୍ତୁ  ।
  • ଯନ୍ତ୍ରର ବିଭିନ୍ନ ଅଂଶରେ ପୂର୍ବରୁ ଲାଗିଥିବା ଶସ୍ୟଗୁଡିକୁ ସଫା କରନ୍ତୁ  ।
  • ଥରେ କେବଳ ଗୋଟିଏ ମାତ୍ର କିସମ ଅମଳ କରନ୍ତୁ  ।
  • ଅମଳ ସ୍ଥାନକୁ ଭଲ ଭାବରେ ସଫା କରନ୍ତୁ  ।

ଶୁଖାଇବା

ବିହନକୁ ଶୁଖାଇଲେ ଆର୍ଦ୍ରତା ଭାଗ କମେ ଓ ବିହନ ଅବସ୍ଥାକୁ ଆସେ  । ଭଲ ଭାବରେ ଶୁଖାଯାଉଥିବା ବିହନ ଅଧିକ ଦିନ ପର୍ଯ୍ୟନ୍ତ ଗଜାଶକ୍ତିକୁ ବଜାୟ ରଖନ୍ତି  । ଅଧିକ ଆର୍ଦ୍ରତା ଯୁକ୍ତ ବିହନ ରୋଗପୋକ ବାହକ ହୋଇ ମାନ ହରାଇବାର ଅଧିକ ଆଶଙ୍କା ଥାଏ  । ଶୁଖାଇବା ପାଇଁ, ବିହନକୁ ଗୋଟିଏ ପାଲ ଉପରେ ପତଳା ଭାବରେ ବିଛାଇ ଦିଅନ୍ତୁ  ଓ ଦିନକୁ ୪/୫ ଥର ଏକାଠି କରି ପୁଣି ବିଛାନ୍ତୁ ଏବଂ ଏହି ଭଳି ୨/୩ ଦିନ କରନ୍ତୁ ଅତ୍ୟଧିକ ଖରାଥିଲେ ସକାଳ ସମୟରେ ଶୁଖାଇ କିଛି ସମୟ ପରେ ପୁଣି ଶୁଖାନ୍ତୁ  । ଏପରି କଲେ ମାତ୍ରାଧିକ ତାତିରୁ ବିହନକୁ ରକ୍ଷା କରାଯାଇପାରିବ  ।

  • ଅମଳ ପରେ ପରେ ଶୁଖାଇ ଦିଅନ୍ତୁ  ।
  • କମ୍ ଗରମ ଲାଗୁଥିବା ସମୟରେ ଶୁଖାନ୍ତୁ  ।

ଶତକଡା ୧୪ ଭାଗ ଆର୍ଦ୍ରତା ତଳକୁ ଆର୍ଦ୍ରତା ଶତକଡା ୧ ଭାଗ କମିଲେ ବିହନରେ ଜୀବନୀଶକ୍ତି ଦୁଇଗୁଣ ହୋଇଯାଏ  ।

ସାଇତିବା

ଗୋଟିଏ ଫସଲରୁ ଅନ୍ୟ ସମୟ ପର୍ଯ୍ୟନ୍ତ କିମ୍ବା ଅମଳଠାରୁ ବଜାର ସମୟ ପର୍ଯ୍ୟନ୍ତ ନିରାପଦ ଭାବରେ ବିହନକୁ ରଖିବାକୁ ସାଇତିବା ବୁଝାଏ  ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବିହନର ଗୁଣାତ୍ମକ ମାନକୁ ବଜାୟ ରଖିବା  । ଶସ୍ୟ ଭଳି, ଧାନ ବିହନକୁ ଅମଳ ପରେ ନଶୁଖାଇ ସିଧା ରଖାଯାଇପାରିବ ନାହିଁ, ତେଣୁ  ଉପଯୁକ୍ତ ଭାବେ ଶୁଖାଇଲେ ଗଜା କ୍ଷମତା ଠିକ୍ ରୁହେ  । ଭଲ ଭାବରେ ଖରାହେଲା ପରେ ବିହନରୁ ଗୋଡି, ଭଙ୍ଗା, ଅଣଆକୃତି, ପୋକା ଘାସମଞ୍ଜି, ମିଶାବିହନ, କଣ୍ଠା ଅଗାଡି ଓ ଅନ୍ୟାନ୍ୟ ଅଜୈବିକ ପଦାର୍ଥ ଗୁଡିକ ଅଲଗା କରିଦିଅନ୍ତୁ  । ବର୍ତ୍ତମାନ ବିହନ ସାଇତି ହୋଇ ରହିବା ପାଇଁ ପ୍ରସ୍ତୁତ  । ଏକ ଆଦର୍ଶ ସାଇତା ବ୍ୟବସ୍ଥା କହିଲେ ଯେଉଁଥିରେ ବିହନ ଓ ବାହାର ପରିବେଶ ମଧ୍ୟରେ ପବନ କିମ୍ବା ଆର୍ଦ୍ରତାର ଆଦାନ ପ୍ରଦାନ ହୋଇପାରେ ନାହିଁ  । ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ବିହନ ନଷ୍ଟ ହୋଇଯାଏ, ନଚେତ ରୋଗପୋକ ଲାଗିବାର ସମ୍ଭାବନା ଥାଏ  । ବିହନକୁ ସାଇତିବା ପୂର୍ବରୁ କି.ଗ୍ରା. ପ୍ରତି ୨ ଗ୍ରାମ ଲେଖାଏଁ ଥିରାମ ଦ୍ଵାରା ବିଶୋଧନ କରାଇ ନେବା ଉଚିତ  । ଆହୁରି ମଧ୍ୟ ବିହନକୁ କି.ଗ୍ରା. ପ୍ରତି ୫ ଗ୍ରାମ ହିସାବରେ ହାଲୋଜେନ ମିଶ୍ରଣ ଦ୍ଵାରା ବିଶୋଧନ କଲେ ରୋଗ ସଂକ୍ରମଣରୁ ରକ୍ଷା ମିଳିଥାଏ  । କ୍ୟାଲସିୟମ ଅକ୍ସିକ୍ଲୋରାଇଡ (ବ୍ଲିଚିଂ ପାଉଡର) ସହ କ୍ୟାଲସିୟମ କାର୍ବୋନେଟକୁ ୧:୧  ଅନୁପାତରେ ମିଶାଇ ବାୟୁ ନିଷିଧ ପାତ୍ରରେ ୧ ସପ୍ତାହ ପର୍ଯ୍ୟନ୍ତ ରଖିଲେ ହାଲୋଜେନ ମିଶ୍ରଣ ତିଆରି ହୁଏ  ।

ଇରି ସୁପରି ବ୍ୟାଗ୍

ଇରି ସୁପର ବ୍ୟାଗ ହେଉଛି କୃଷକକୁ ସୁବିଧା ହେଲା ଭଳି ଗୋଟିଏ ଆବଦ୍ଧ ମୁଣା ଯାହା ଧାନ, ଡାଲି ଜାତୀୟ ଶସ୍ୟ ଓ କଫି ଭଳି ଅନ୍ୟାନ୍ୟ ଫସଲକୁ ଅଧିକ ଦିନ ପର୍ଯ୍ୟନ୍ତ ନିରାପଦ ଭାବରେ ରଖି ପାରେ  । ପାରମ୍ପରିକ ସାଇତିବା ପ୍ରଣାଳୀ ତୁଳନାରେ ଏହି ସୁପର ବ୍ୟାଗର ଭଲ ଗୁଣ ହେଉଛି :

  • ବିହନର ଜୀବନୀଶକ୍ତିକୁ ପ୍ରାୟ ୬ ରୁ ୧୨ ମାସ ପର୍ଯ୍ୟନ୍ତ ବଢେଇ ରଖିପାରେ  ।
  • କୀଟ ଓ ପୋକ ଆକ୍ରମଣକୁ ନିୟନ୍ତ୍ରଣ ରଖେ (ରାସାୟନିକ ଔଷଧ ବ୍ୟବହାର ବିନା) ଏବଂ
  • ଶତକଡା ଅଧିକ ୧୦ଭାଗ ଧାନ ଗୋଟାଳିଆ ରୁହେ  ।

ଏହି ସୁପର ବ୍ୟାଗ ଅନ୍ୟ ଧାନ ରହୁଥିବା ଜରି କିମ୍ବା ଝୋଟ ମୁଣା ଆକୃତିର ଅଟେ  । କିନ୍ତୁ ଏହା ଯୋଗୁ ବିହନ ଓ ବାହାର ପରିବେଶ ମଧ୍ୟରେ ବାୟୁ କିମ୍ବା ଆର୍ଦ୍ରତା ଚଳାଚଳ ହୋଇପାରେ ନାହିଁ  । ଯଦି ସଠିକ୍ ଭାବରେ ବନ୍ଦ କରାଯାଏ ତେବେ ଭିତରେ ଥିବା ଶସ୍ୟ ଓ କୀଟପୋକଙ୍କର ଅମ୍ଳଜାନ ଆହରଣ ଶତକଡା ୨୧ ରୁ ଶତକଡା ୫ କୁ ଖସି ଆସେ  । ଭିତରେ ଥିବା ଶସ୍ୟ ବାରମ୍ବାର ଆର୍ଦ୍ରତା ଓ ଶୁଖିଲା ଅବସ୍ଥାରୁ ନିବୃତ ରହି ସ୍ଥିର ଆର୍ଦ୍ରତାରେ ରୁହନ୍ତି । ଏହା ଫଳରେ ଶସ୍ୟ ଭାଙ୍ଗିବା ପରିମାଣ କମିଯାଏ  ଏବଂ ପେଶିବା ପରେ ଅଧିକ ଗୋଟା ଚାଉଳ ବାହାରେ  ।

କିପରି ବ୍ୟବହାର କରିବେ

  • ସୁପର ବ୍ୟାଗକୁ ସାଧାରଣ ଝୋଟ ବ୍ୟାଗ ମଧ୍ୟରେ ରଖନ୍ତୁ  ।
  • ସୁପର ବ୍ୟାଗରେ ଶୁଖିଲା ବିହନ କିମ୍ବା ଶସ୍ୟ ରଖି ଭରନ୍ତୁ  ।
  • ଯେତେ ସମ୍ଭବ ଭରିବା ଶସ୍ୟ ଉପରୁ ବାୟୁ ନିଷ୍କାସନ କରନ୍ତୁ  ।
  • ସୁପର ବ୍ୟାଗର ମୁହଁଟିକୁ ବନ୍ଦ କରି ଭଲଭାବରେ ଶସ୍ୟ ପର୍ଯ୍ୟନ୍ତ ମୋଦୀ ଦିଅନ୍ତୁ  ଓ ଦୁଇଥର ଭାଙ୍ଗି ଦିଅନ୍ତୁ  ।
  • ମୋଡା ଯାଇଥିବା ଅଂଶଟିକୁ ଶକ୍ତ ରବର କିମ୍ବା ଫିତା ସାହାଯ୍ୟରେ ବାନ୍ଧି ଦିଅନ୍ତୁ  ।
  • ବାହାର ବ୍ୟାଗଟିକୁ ବାନ୍ଧି ଦିଅନ୍ତୁ ଯେପରି ସୁପର ବ୍ୟାଗରେ କୌଣସି କ୍ଷତ ବା କଣା ନହୁଏ  ।
  • ବ୍ୟାଗଟିକୁ ରଖିବାବେଳେ ସିଧାସଳଖ ଚଟାଣ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ  ନାହିଁ  ।
  • ବ୍ୟାଗଟିକୁ କାଠପଟା  ଉପରେ ରଖିବା ଉଚିତ  ।

ଆଧାର – ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର

3.25
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top