ହୋମ / କୃଷି / ଶସ୍ୟ ଉତ୍ପାଦନ / ଜୈବିକ କୃଷି ପଦ୍ଧତି
ସେଆର କରନ୍ତୁ

ଜୈବିକ କୃଷି ପଦ୍ଧତି

ଜୈବିକ କୃଷି ପଦ୍ଧତି କଣ ସେ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଜୈବିକ କୃଷି ପଦ୍ଧତି କ'ଣ ?

ପ୍ରାକୃତିକ ପଦାର୍ଥକୁ ଉପଯୋଗ କରି ପ୍ରଦୂଷଣ ମୁକ୍ତ ପରିବେଶ ତଥା ଚିରସ୍ଥାୟୀ ଓ ସଦା ଉତ୍ପାଦନ କ୍ଷମ ମୃତ୍ତିକା ଗଠନ ସହିତ ପୃଷ୍ଟିକର ଓ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ କରିବାକୁ  ଜୈବିକ କୃଷି ପଦ୍ଧତି କୁହାଯାଏ।

ଜୈବିକ କୃଷି ଦ୍ଵାରା ପ୍ରାକୃତିକ ସମ୍ପଦର ସୁରକ୍ଷା ସହିତ ଉତ୍ପାଦିତ ଫସଲ ସୁସ୍ଵାଦୁ, ସ୍ଵାସ୍ଥ୍ୟପ୍ରଦ ଓ ବିଭିନ୍ନ ପ୍ରକ୍ରିୟା ରହିତ ହୋଇଥାଏ । ଏହି ପ୍ରଣାଳୀରେ ଫସଲର ଆବଶ୍ୟକୀୟ ଖାଦ୍ୟ ଉତ୍ପାଦନକୁ  ଉଦ୍ଭିଦ ଓ ପ୍ରାଣିମାନଙ୍କର ବର୍ଜ୍ୟ ବସ୍ତୁ ମାଧ୍ୟମରେ ଯୋଗାଇ ଦିଆଯିବା ସହିତ ଏଥିରୁ ପ୍ରସ୍ତୁତ ଔଷଧ ଦ୍ଵାରା ରୋଗ ଓ ପୋକ ନିୟନ୍ତ୍ରଣ କରାଯାଏ । ଏଥିରେ ବଗିଚା ବାହାରୁ କୌଣସି ଉତ୍ପାଦନ ଆଣି କିମ୍ବା ରାସାୟନିକ ସାର, କୀଟନାଶକ, ଫିମ୍ପିନାଶକ, ହରମୋନ୍ କିମ୍ବା ତୃଣନାଶକ ବ୍ୟବହାର କରଯାଏ ନାହିଁ । ମନୁଷ୍ୟ,ମାଟି,ପାଣି,ଗଛ,ପଶୁପକ୍ଷୀ,କୀଟପତଙ୍ଗ ତଥା ଅଣୁଜୀବମାନଙ୍କର ସୁରକ୍ଷା ପ୍ରତି ଏଥିରେ ଧ୍ୟାନ ଦିଆଯାଏ । ଏଥିରେ ଜୈବଶକ୍ତି ସମ୍ବନ୍ଧୀୟ କୃଷି,ହୋମ କୃଷି (ଅଗ୍ନିହୋତ୍ର ), ରୂଷି କୃଷି ତଥା ପଞ୍ଚଗବ୍ୟ କୃଷି ପଦ୍ଧତିର ଉପୋଯୋଗ କରାଯାଇପାରେ । ଫଳ, ପନିପରିବା ମସଲା ଜାତୀୟ ଗୁଡିକ ଅର୍ଥକାରୀ  ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶକୁ କଞ୍ଚା ବା ପାଚିଲା ଅବସ୍ଥାରେ ସିଧାସଳଖ ଖିଆଯାଉଥିବାରୁ ତଥା ଦେଶ ବିଦେଶରେ ଏମାନଙ୍କର ବଜାର  ଥିବାରୁ ଏହି ଫସଲରେ ଅଗ୍ରାଧିକାର ଭିତ୍ତିରେ ଜୈବିକ ଚାଷ ଗ୍ରହଣ କରିବା ଉଚିତ ।

ମୃତ୍ତିକାର ଗଠନ

ପ୍ରାକୃତିକ ପ୍ରକ୍ରିୟା ଦ୍ଵାରା ଅବ କ୍ଷୟୀଭୁତ ଶିଳା ଓ ଖଣିଜ ପଦାର୍ଥ ତଥା ନିର୍ଜୀବ, ସଜୀବ ଏବଂ ବିପଚିତ ଯାଇବା ପଦାର୍ଥକୁ ନେଇ ଗଠିତ ପୃଥିବୀ ପୃଷ୍ଠାର ନରମା ଓ ହାଲୁକା ଆସ୍ତରଣକୁ ମାଟି କୁହାଯାଏ । ଆମେ ଜାଣି ରଖିବା ଉଚିତ୍ ଯେ ବାହାରକୁ ନିର୍ଜୀବ ପରି ଦେଖାଯାଉଥିବା ମାଟି ପ୍ରକୃତରେ ଏକ ଜୀବନ୍ତ ମାଧ୍ୟମ ଯାହା ଫସଲର ଅଭିବୃଦ୍ଧି ପାଇଁ ଅପରିହାର୍ଜ୍ୟ।

ମାଟି ଭିତରେ ଏକ ସ୍ଵତନ୍ତ୍ର ପୃଥିବୀ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଂ। ଏହା ମଧ୍ୟରେ କୋଟି କୋଟି ସଂଖ୍ୟାରେ କ୍ଷୁଦ୍ର ଜୀବ ( ଜିଆ ଆଦି), ଅନୁ ଜୀବ ( ଇଷ୍ଟ, ବୀଜାଣୁ, ଭୂତାଣୁ, ଫିମ୍ପି, ଶୈବାଳ, ସୂତ୍ରଜୀବ, ଆକ୍ଟିନୋମାଇସେଟ୍ସ୍, ମାଇକୋରାଇଜା ପ୍ରଭୃତି) ଏବଂ ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀ ମାନଙ୍କର ମୃତ ଦେହାବଶେଷ ପଚି ସଢି ବିଭିନ୍ନ ଅବସ୍ଥାରେ ରହିଥାଏ ।

ଜୀବିତ ଅଂଶକୁ ଜୈବ ଓ  ମୃତ ଅଂଶକୁ ଜୈବିକ ବୋଲି କୁହାଯାଏ । ମୃତ୍ତିକାରେ ବିପଚନଶୀଳ ଏବଂ ଅପଘଟିତ ଅବସ୍ଥାରେ ଥିବା ଉଦ୍ଭିଦ ଏବଂ ଜୀବ ଜନ୍ତୁ ମାନଙ୍କର ଦେହାବିଶେଷ ଓ ସେମାନଙ୍କର ଶରୀର ନିସୃତ ପଦାର୍ଥକୁ ନେଇ ମୃତ୍ତିକାର ଜୈବିକ ପଦାର୍ଥ ଗଠିତ ହୋଇଥାଏ ।

ମୃତ୍ତିକାରେ ଜୈବିକ ଅଂଶ

ଖଣିଜ ପଦାର୍ଥ

୪୫%

ଜୈବିକ ପଦାର୍ଥ

୫%

ମାଟିର ଜଳ

୨୫%

ମାଟିର ବାୟୁ

୨୫%

ଜୈବ ଜୈବିକ ଅଂଶ ଅଧିକ ଥିବା ମାଟିକୁ ଆମେ ଉର୍ବର ବୋଲି କହିଥାଉ । ମାଟିରେ ଥିବା ଜୀବମାନେ ବଂଶବିସ୍ତାର କରି ମାଟିକୁ ବିଭିନ୍ନ ଭାବେ ପ୍ରଭାବିତ କରି ସେଥିରେ ଥିବା ଖଣିଜ ଓ ଜୈବିକ ପଦାର୍ଥଗୁଡିକୁ ଗଛର ଗ୍ରହଣ କ୍ଷମ କରିଥାନ୍ତି ।

ଏହି ପ୍ରକ୍ରିୟାରେ ଗଛର ଅବିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ସମସ୍ତ ୧୬ ଗୋଟି ଖାଦ୍ୟ ଉପାଦାନ ମଧ୍ୟରୁ ୧୩ ଗୋଟି ଯଥା: ଯବକ୍ଷାରଜାନ, ଫସଫରସ, ପୋଟାସିୟମ, କାଲସିୟମ୍, ମାଗ୍ନେସିୟମ୍, ସଲଫର୍, ଆଇରନ୍, ମାଙ୍ଗନୀଜ୍, ଜିଙ୍କ,  କପର, ବୋରୋନ, ମଲିବିଡେନମ୍, ଓ କ୍ଳୋରିନ ଉପଲବ୍ଧ ହୋଇଥାଏ ଏବଂ ଅନ୍ୟ ତିନି ଗୋଟି ଉପାଦାନ ଯଥା: ଅଙ୍ଗାର, ଉଦଜାନ, ଅମ୍ଳଜାନ, ବାଯୁମଣ୍ଡଳ, ଓ ପାଣିରୁ ଗଛ ଗ୍ରହଣ କରିଥାଏ। ମାଟିରେ ଥିବା ଜୈବିକ ଅଂଶ ଦ୍ଵାରା ନିମ୍ନ ଉପକାର ସାଧିତ ହୋଇଥାଏ।

  • ଅମ୍ଳ ତଥା କ୍ଷାରୀ ମାଟିର କୁ ପ୍ରଭାବକୁ ହ୍ରାସ କରେ ।
  • ଜୀବାଣୁ ମାନଙ୍କର ବଂଶ ବୃଦ୍ଧିରେ ସାହାର୍ଯ୍ୟ କରିଥାଏ ।
  • ଜୀବାଣୁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ।
  • ମାଟିକୁ ହାଲୁକା କରି ବାୟୁଚଳାଚଳ ଓ ମାଟିର ଜଳଧାରଣ ଶକ୍ତିକୁ ବଢାଏ ।
  • ଜଳ ନିଷ୍କାସନରେ ମଧ୍ୟ ସାହାଯ୍ୟ କରେ ।
  • ମାଟିକୁ ବାନ୍ଧି ରଖିବାରେ ସାହାଯ୍ୟ କରି ମୃତ୍ତିକା କ୍ଷୟକୁ ନିରୋଧ କରେ ।
  • ଜୈବିକ ଅଂଶରେ ଅପଘଟନ ହେଲେ ସେଥିରେ ଥିବା ମୁଖ୍ୟ ଓ ଅଣୁ ଖାଦ୍ୟ ଉପାଦାନ ଗଛକୁ ମିଳେ ।
  • ମାଟିର ଉତ୍ତାପ ଧାରଣ ଶକ୍ତି ବୃଦ୍ଧି ପାଇ ଅଙ୍କୁରୋଦଗମ୍ ଓ ଚେର ବୃଦ୍ଧି ତ୍ୱରାନ୍ୱିତ ହୁଏ ।

ଜୈବିକ କୃଷିର ଲକ୍ଷ୍ୟ

  • ସୁସ୍ଥ ପରିବେଶ ସୃଷ୍ଟି ।
  • ସ୍ଵାସ୍ଥ୍ୟପ୍ରଦ, ଉନ୍ନତ ମାନର ତଥା ପୃଷ୍ଟିକର ଖାଦ୍ୟ ଉତ୍ପାଦନ ।
  • ପରିବେଶ ସୁରକ୍ଷା।
  • ମୃତ୍ତିକା ଓ ଜଳ ସଂରକ୍ଷଣ ।
  • ସଦା ଉତ୍ପାଦନ କ୍ଷମ ଓ ଦୀର୍ଘ ସ୍ଥାୟୀ ମୃତ୍ତିକା ଗଠନ ।

ସଂଗୃହିତ - ଜୈବିକ କୃଷି, ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top