ସେଆର କରନ୍ତୁ

ଜୈବିକ ଚାଷ

ଏକ ସୁସ୍ଥ ଜଳବାୟୁ ଓ ଉତ୍ପାଦନଶୀଳ, ସ୍ଥାୟୀ ମୃତ୍ତିକା ଓ ପରିବେଶ ସଂରକ୍ଷଣ ଲକ୍ଷ ନେଇ, ରାସାୟନିକ ସାର, ରୋଗ ଓ ପୋକ ମରା ଔଷଧ ବ୍ୟବହାର ନକରି, ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ ।

କ୍ଷୟପ୍ରାପ୍ତ ପରିବେଶର ସୁରକ୍ଷା

ଏକ ସୁସ୍ଥ ଜଳବାୟୁ ଓ ଉତ୍ପାଦନଶୀଳ, ସ୍ଥାୟୀ ମୃତ୍ତିକା ଓ ପରିବେଶ ସଂରକ୍ଷଣ ଲକ୍ଷ ନେଇ, ରାସାୟନିକ ସାର, ରୋଗ ଓ ପୋକ ମରା ଔଷଧ ବ୍ୟବହାର ନକରି, ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ । କ୍ଷୟପ୍ରାପ୍ତ ପରିବେଶର ସୁରକ୍ଷା ଓ ଭବିଷ୍ୟତ ବଂଶଧାରମାନଙ୍କ ପାଇଁ ଏକ ସୁଖମୟ ପୃଥିବୀ ଗଠନ ଏହାର ଅନ୍ୟତମ ଉଦ୍ଦେଶ୍ୟ ।

ଭାରତ ବର୍ଷରେ ୬୦ଦଶନ୍ଧି ଠାରୁ ସବୁଜ ବିପ୍ଲବ ମାଧ୍ୟମରେ ଉନ୍ନତ ବିହନ, ରାସାୟନିକ ସାର ଓ ପୋକମରା ଔଷଧ ବ୍ୟବହାର କରି ଅଧିକ ଖାଦ୍ୟ ଉତ୍ପାଦନ କରାଯାଉଛି । ଏହା ଦ୍ଵାରା ଯଦିଓ ଖାଦ୍ୟ ଉତ୍ପାଦନ ବୃଦ୍ଧି ଘଟିଅଚ୍ଛି, ରାସାୟନିକ ପଦାର୍ଥର ମାତ୍ରାଧିକ ଓ ବାରମ୍ବାର ବ୍ୟବହାର ଫଳରେ ଅମଳ ଜଳ, ବାୟୁ ଓ ଖାଦ୍ୟ ପ୍ରଦୂଷଣ ହୋଇ ଆମ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଉଅଛି । ଏହା ଛଡା ମୃତ୍ତିକାର ଅମ୍ଳତ୍ଵ, ଲବଣତ୍ଵ, କ୍ଷାରତ୍ଵ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ବନ୍ଧ୍ୟାଦୋଷ ମଧ୍ୟ ଦେଖାଯାଉଅଛି । ମୃତ୍ତିକା ଓ ଜଳରେ ଥିବା ସାହାଯ୍ୟକାରୀ କ୍ଷୁଦ୍ରଜୀବ ମାନଙ୍କର ଧିରେ ଧିରେ ବଂଶ ଲୋପ ପାଉଥିବାରୁ ପରିବେଶ ସନ୍ତୁଳନ ହରାଇବସୁଛି । ଅଜଣାତରେ ଆମର ପରିବେଶ ଭବିଷ୍ୟତ ବଂଶଧର ମାନଙ୍କ ପାଇଁ ଅନୁପଯୋଗୀ ହେବାକୁ ବସିଲାଣି । ଏଣୁ ଏକ ସୁନ୍ଦର ପରିବେଶ ଓ ସ୍ଥାୟୀ ଉତ୍ପାଦନକ୍ଷମ ମୃତ୍ତିକା ଗଠନର ଉଦ୍ଦେଶ୍ୟ ନେଇ ଜୈବିକ ଚାଷ ପ୍ରଣାଳୀ ଅନୁସୃତ କରାଯାଉଅଛି ।

ଆମ ରାଜ୍ୟର କଳାହାଣ୍ଡି, ଫୁଲବାଣୀ, କେଉଁଝର ଓ କୋରାଫୁଟ ଇତ୍ୟାଦି ଆଦିବାସୀ ଅଧୁସିତ ଜିଲ୍ଲାମାନଙ୍କରେ ଚାଷୀମାନଙ୍କର ପାରମ୍ପରିକ ବିଶ୍ଵାସ, ଆର୍ଥିକ ଦୂରାବସ୍ଥା ଓ ଜଳସେଚନର ଅସୁବିଧା ହେତୁ ନିପାଣିଆ ଢିପ ଓ ଗଡାଣି ଜମିରେ, ସ୍ଵାଧୀନତାର ୫୦ବର୍ଷ ପରେ ମଧ୍ୟ ପାରମ୍ପରିକ ଚାଷ ପଦ୍ଧତି ଅନୁସତ ହେଉଅଛି । ବୈଜ୍ଞାନିକ ପ୍ରଣାଳୀରେ ଜୈବିକ ଚାଷ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଅଛି । ଏହି ଅଞ୍ଚଳକୁ ଜୈବିକ ଚାଷ ଅଞ୍ଚଳ ରୂପେ ଘୋଷଣା କରାଯାଇ, ଜୈବିକ ଚାଷ ପ୍ରଣାଳୀ ଅନୁସରଣ କଲେ ଉକ୍ତ ଅଞ୍ଚଳର ଉତ୍ପାଦନ ବୃଦ୍ଧି ହେବା ସହ ଚାଷୀଭାଇମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ ଘଟିବ । ଆମ ରାଜ୍ୟରେ ଉତ୍ପନ୍ନ ହେଉଥିବା ଲଘୁବନଜାତ ଦ୍ରବ୍ୟ ମଧ୍ୟ ସମ୍ପୁର୍ଣ୍ଣ ଜୈବିକ ଅଟେ । ସେସବୁକୁ ଜୈବିକ ପ୍ରଣାଳୀରେ ପ୍ରକ୍ରିୟା କରଣ କରାଯାଇ ମଧ୍ୟ ବ୍ୟବସାୟ ବାଣିଜ୍ୟର ସୁଯୋଗ ସୃଷ୍ଟି କରାଯାଇପାରିବ ।

ଜୈବିକ ଚାଷର ନିମ୍ନଲିଖିତ ଦିଗ ପ୍ରତି ଦୃଷ୍ଟି ଦେଲେ ଆମର ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ମୃତ୍ତିକା ଚିରସ୍ଥାୟୀ ଓ ସଦା ଉତ୍ପାଦନକ୍ଷମ ହେବ ।

  1. ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଖାଦ୍ୟ ଉତ୍ପାଦନ ।
  2. ପୃଷ୍ଟିକର ଓ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ ।
  3. ମାଟିରେ ଥିବା କ୍ଷୁଦ୍ରଜୀବ ଜନ୍ତୁ ମାନଙ୍କର ସଂରକ୍ଷଣ ଓ ସମୃଦ୍ଧି ଘଟାଇ ପ୍ରାକୃତିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପ୍ରକୃତିର ବିବିଧତାକୁ ବଜାୟ ରଖିବା ।
  4. ଜଳ, ସ୍ଥଳ ଓ ବାୟୁର ସ୍ଵଚ୍ଛତା ସନ୍ତୁଳିତ ରଖିବା ସହ ସେଥିରେ ବାସ କରୁଥିବା ଜୀବମାନଙ୍କରେ ଦାୟିତ୍ଵ ବଜାୟ ରଖିବା ।
  5. ମୃତ୍ତିକା, ଜଳ ଓ ପରିବେଶ ସଂରକ୍ଷଣ ।
  6. ଅସରନ୍ତି ଓ ଅକ୍ଷୟ ଶକ୍ତିରୁ ବିଭିନ୍ନ ଜୈବିକ ପ୍ରକ୍ରିୟା ଦ୍ଵାରା ଶୀଘ୍ର ନଷ୍ଟ ହେଉଥିବା ଅଣଖାଦ୍ୟ ପ୍ରସ୍ତୁତି ଓ ବ୍ୟବହାର ।
  7. ଗୃହପାଳିତ ଓ ପଶୁପକ୍ଷୀମାନଙ୍କର ବଞ୍ଚିରହିବାର ସୁବନ୍ଦୋବସ୍ତ କରିବା ସହ ସେମାନଙ୍କର ସହଜାତ ପ୍ରକୃତିର ବିକାଶ ।

ଜୈବିକ ଚାଷ ପ୍ରଣାଳୀ

ଯେଉଁ ଜମିରେ ରାସାୟନିକ ସାର ବା ପୋକ ମରା ଔଷଧ ଆଦୌ ପକାଯାଇନାହିଁ ସେଥିରେ ଜୈବିକ ଚାଷ ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ଜୈବିକ ଫସଲ ଅମଳ କରାଯାଇ ପାରିବ। କିନ୍ତୁ ଜମିରେ ରାସାୟନିକ ସାର ଓ ପୋକମାରା ଔଷଧ ବ୍ୟବହାର କରାଯାଇଥିଲେ ଜୈବିକ ଚାଷକୁ ପରିବର୍ତ୍ତନ କରିବା ପାଇଁ କେତେକ ନିୟମ ମାନିବାକୁ ହେବ । ସର୍ବପ୍ରଥମେ ଜମିର ଚାଷ ପଦ୍ଧତି, ସାର ବ୍ୟବହାର ଓ ରୋଗ ପୋକ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡିବ । ପ୍ରତ୍ୟେକ ସ୍ତରରେ ଜୈବିକ ପଦ୍ଧତି ଅବଲମ୍ବନ କରିବାକୁ ହେବ । ଏକାଥରେ ସମସ୍ତ ଜମିକୁ ପରିବର୍ତ୍ତନ କରିନପାରିଲେ,  ଗୋଟିଏ କିଆରୀ ପରେ ଆଉ ଗୋଟିଏ କିଆରୀକୁ ପରିବର୍ତ୍ତନ କରାଯାଇପାରିବ ।

ପରିବର୍ତ୍ତନ ପାଇଁ ସମୟ

କମଦିନିଆ ଫସଲ (୧ ବର୍ଷରୁ କମ ) ପାଇଁ ସର୍ବନିମ୍ନ ୧ ବର୍ଷ ସଂପୂର୍ଣ ଜୈବିକ ପଦ୍ଧତି ଅନୁସରଣ କରିବା ପରେ ଯେଉଁ ଫସଲ ଉତ୍ପାଦିତ ହେବ ତାହା ଜୈବିକ ବୋଲି ମାନପତ୍ର ପାଇପାରିବ । ସେହିପରି ଦୀର୍ଘସ୍ଥାୟୀ ଫସଲ (ଫଳ,କଫି, ଚା ଇତ୍ୟାଦି) ପାଇଁ ୨ ରୁ ୩ ବର୍ଷ  ଜୈବିକ ପଦ୍ଧତି ଅବଲମ୍ବନ କରିବା ପରେ ଯେଉଁ ଫସଲ ଅମଳ ହେବ, ତାହାକୁ ଜୈବିକ ହିସାବରେ ଗ୍ରହଣ କରାଯାଇପାରିବ । ମାତ୍ର ଏହି ପରିବର୍ତ୍ତନ ସମୟର ନିୟମ ଠିକ ଭାବରେ ପାଳନ କରି ନ ପାରିଲେ ଜମି ଓ ଫସଲକୁ ପରୀକ୍ଷା କରି ପରିବର୍ତ୍ତନ ସମୟ ବଢାଇ ଦିଆଯାଏ ।

ଜୈବିକ ବିହନ

ଜୈବିକ ଚାଷ ପାଇଁ ରୋଗ ପୋକ ପ୍ରତିରୋଧକ ବିହନ ଆବଶ୍ୟକ । ଏପରି ବିହନ ଜୈବିକ ଚାଷକରୁଥିବା ଫାର୍ମମାନଙ୍କରୁ ସଂଗ୍ରହ କରିବାକୁ ପଡେ । ଏପରି ବିହନ ନ ମିଳିଲେ ପ୍ରଥମ ଥର ନିଜ ଅଞ୍ଚଳରେ ମିଳୁଥିବା ଉନ୍ନତ ମାନର ବିହନ ବ୍ୟବହାର କରି ଜୈବିକ ଚାଷ ଆରମ୍ଭ କରାଯାଇପାରେ ।

ଫସଲ ଚକ୍ର

କିଆରୀରେ ଏକ ସୁଚିନ୍ତିତ ଫସଲ ଚକ୍ର ପଦ୍ଧତି ବ୍ୟବହାର କରିବା ନିହାତି ଆବଶ୍ୟକ । ଗଭୀର ଓ ଅଗଭୀର ଚେର ଥିବା ଫସଲ, ଡାଲି ଓ ଅଣଡାଲି  ଜାତୀୟ ଫସଲ, ଭିନ୍ନ ପରିବାରର ଫସଲ ଚାଷ ଦ୍ଵାରା ରୋଗ ପୋକ ପାଦୁର୍ଭାବ କମିବା ସହ ମାଟିର ବିଭିନ୍ନ ସ୍ତରର ସାର ବିନିଯୋଗ ଓ ଜମିର ଉର୍ବରତାରେ ସନ୍ତୁଳନ ରକ୍ଷା କରାଯାଇ ପାରିବ ।

ଜୈବିକ ଖତ

ଜମିର ଉତ୍ପାଦିକା ଶକ୍ତି ବଢାଇବା ସହ ମାଟିରେ ଥିବା କ୍ଷୁଦ୍ରଜୀବ ମାନଙ୍କର କାର୍ଯ୍ୟକ୍ରମ ବଢାଇବା ଜୈବିକ ଚାଷର ମୂଳ ଲକ୍ଷ । ଏଥିପାଇଁ ଆବଶ୍ୟକ ଅନୁଯାୟୀ ଜୈବିକ ପଦାର୍ଥ ମାଟିରେ ମିଶାଇବା ଦରକାର । ସାଧାରଣତଃ ନିଜ କୃଷି କ୍ଷେତ୍ରରୁ ବାହାରୁଥିବା ସମସ୍ତ ଜୈବିକ ପଦାର୍ଥ (ଗୋବର ଖତ, କମ୍ପୋଷ୍ଟ ଖତ, ଜିଆଖତ) ଏଥିପାଇଁ ବ୍ୟବହାର କରାଯାଏ । ଅନ୍ୟ କୃଷି କ୍ଷେତ୍ରର ଖତ କିଣିଆଣି ବ୍ୟବହାର କରିବା ଉଚିତ ନୁହେଁ । ଏଣୁ ପ୍ରତ୍ୟେକ ଜୈବିକ ଚାଷୀ ତାଙ୍କର ଖତ ଚାହିଦା ପୂରଣ କରିବା ପାଇଁ ଗୃହପାଳିତ ପଶୁ ପାଳନ କରିବା ଉଚିତ । ଜୀବାଣୁ ବିହୀନ ମଣିଷ ମଳ, ହାତଗୁଣ୍ଡ, ତକ୍ତଗୁଣ୍ଡ ଇତ୍ୟାଦି ସୀମିତ ପରିମାଣରେ ବ୍ୟବହାର କରାଯାଇପାରେ । ଚୂନପଥର, ଜିପସମ, ଓ କ୍ଳୋରାଇଡ ବିହୀନ ପଟାସ ଜାତୀୟ ଖଣିଜ ପଦାର୍ଥ, ଜୀବାଣୁ ସାର (ଆଜୋଲା,ନିଲହରିଡ୍,ଶୈବାଲ, ଆଜୋଟୋବ୍ୟାକ୍ଟର, ଆଯୋସ୍ମିରିଲମ) ଓ ଅନୁସାର (ବୋରନ, ମଳିବାଡେନବ, ଲୁହା ଇତ୍ୟାଦି) ସୀମିତ ପରିମାଣରେ ବ୍ୟବହାର କରାଯାଇପାରେ ।  ଚିଲିଆନ୍ ଯବକ୍ଷାରଜାନ ଓ ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ଯବକ୍ଷାରଜାନ ସାର ନିଷିଦ୍ଧ ଅଟେ ।

ବୃଦ୍ଧିକାରିଣୀ

ପସଲର ବୃଦ୍ଧି ସାଧାରଣ ପ୍ରକ୍ରିୟା ଅନୁସାରେ ହେବା ଆବଶ୍ୟକ ।  ଜୈବିକ ଚାଷରେ ପସଲର ବୃଦ୍ଧି ପାଇଁ ଚେର ମୂଳି ଓ ଗୃହପାଳିତ ପଶୁପକ୍ଷୀଙ୍କ ମଲ ମୂତ୍ରରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ପଦାର୍ଥ ପ୍ରୟୋଗ କରାଯାଇପାରେ । ରାସାୟନିକ ପଦ୍ଧତି ଦ୍ଵାରା ପ୍ରସ୍ତୁତ ବୃଦ୍ଧିକାରିଣୀ ଓ କୃତିମ ରଙ୍ଗ ପ୍ରୟୋଗ ନିଷେଧ  ଅଟେ ।

ରୋଗ ପୋକ ନିୟନ୍ତ୍ରଣ

ଜୈବିକ ଚାଷରେ ରାସାୟନିକ ରୋଗ ଓ ପୋକ ମରା ଔଷଧ ବ୍ୟବହାର ବାରଣ କରାଯାଇଥିବାରୁ ରୋଗ ପୋକ ନିରୋଧକ ବିହନ ବ୍ୟବହାର କରିବା ଉଚିତ । ପଡିଆ ଜାଗାରେ ଉଠିଥିବା ଅନାବନା ଗଛ ଇତ୍ୟାଦିକୁ ନଷ୍ଟ ନ କରି ରୋଗ ଓ ପୋକ ମାନଙ୍କର ବାସସ୍ଥାନଭାବେ ଛାଡିଦେଲେ ଫସଲରେ ଏମାନଙ୍କ ପ୍ରଭାବ କମିଯାଏ । ସ୍ଥାନୀୟ ଗଛ ପତ୍ରକୁ ବ୍ୟବହାର କରି ରୋଗ ପୋକ ନିୟନ୍ତ୍ରଣ ଜୈବିକ ଚାଷ ପଦ୍ଧତିର ଅଙ୍ଗ ବିଶେଷ । ବିଭିନ୍ନ କିସମର ଜୀବାଣୁ, ଭୂତାଣୁ ଓ ପରାଙ୍ଗଭୋଜୀ କୀଟମାନଙ୍କର ସୀମିତ ପ୍ରୟୋଗ କରାଯାଇପାରେ । ମାଟିକୁ ପଲିଥିନ ଜରି ଦ୍ଵାରା ଆଛାଦନ କରି ସୂର୍ଯ୍ୟରଶ୍ମୀ ସାହାଯ୍ୟରେ ଜୀବାଣୁ ଶୂନ୍ୟ କରାଯାଇପାରେ । ରୋଗାକ୍ରାନ୍ତ ଗଛ ବା ଡାଳପତ୍ରକୁ ନଷ୍ଟ କରି ରୋଗର ମାତ୍ରା ନିୟନ୍ତ୍ରଣ କରାଯାଏ । ଅତ୍ୟାବଶ୍ୟକ ସ୍ଥଳେ ଚୂନ – ତୃତୀୟା ମିଶ୍ରଣର ସୀମିତ ପ୍ରୟୋଗ କରାଯାଇପାରେ ।

ଘାସ ନିୟନ୍ତ୍ରଣ

ଘାସକୁ ହାତରେ ଓପାଡି/କାଟି ଦମନ କରିବାକୁ ପଡିବ । ଜମିରେ ଶୁଖିଲା ପତ୍ର ଘୋଡାଇ, ମୂର୍ତ୍ତିକା ଆଜାଦନ କରୁଥିବା ଡାଲି ଜାତୀୟ ଫସଲ ଚାଷ ଓ ଖରାଟିଆ ଚାଷ ଇତ୍ୟାଦି ମାଧ୍ୟମରେ ମଧ୍ୟ ଏହା କାରାଯାଇ ପାରିବ । ଏହା ଛଡା ଫସଲ ଚକ୍ର, ସହଚର ଫସଲ (ମିଶ୍ରିତ ଚାଷ,ଅନ୍ତଃ ଫସଲ ଚାଷ, ସବୁଜସାର ଇତ୍ୟାଦି ଦ୍ଵାରା ରୋଗ ପୋକ ଓ ଅନାବନା ଘାସ ଦମନ ହୋଇପାରିବ ।

ପଦୁଷଣ ନିୟନ୍ତ୍ରଣ

ଜୈବିକ କ୍ଷେତ୍ରରେ ନିକଟସ୍ଥ ଜମିରୁ ପାଣି ଓ ପବନ ଦ୍ଵାରା ରାସାୟନିକ ଔଷଧ ଓ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ନପଡିବା ଦରକାର । ତେଣୁ  ଜୈବିକ ଓ ରାସାୟନିକ ଚାଷ ଅଞ୍ଚଳ ମଧ୍ୟରେ ସର୍ବନିମ୍ନ 25 ମିଟର ଦୂରତା ରହିବା ଉଚିତ । ସଂସର୍ଗ ଦୋଷ ଦୂର କରିବା ପାଇଁ ସୀମାବର୍ତ୍ତି ଫସଲ ଛାଡି ଜୈବିକ ଫସଲ ଅମଳ କରିବା ଆବଶ୍ୟକ । ପୋକ ପାଇଁ ଜାଲ ଓ ପ୍ଲାଷ୍ଟିକ ଆବରଣ ଦେଉଥିଲେ ସେଥିରେ ପଲିଏଥିଲିନ, ପଲିପ୍ରୋପିଲିନ୍ ଓ ଅନ୍ୟାନ୍ୟ ପାଲିକାର୍ବୋନେଟ୍ ବ୍ୟବହାର ପାଇଁ ଅନୁମତି ଦିଆଯାଇଅଛି । କିନ୍ତୁ ଏସବୁ ପଦାର୍ଥ ବ୍ୟବହାର ପରେ ଏଣେତେଣେ ଫୋପାଡିବା ଓ ପୋଡିବା ଉଚିତ ନୁହେଁ ।

ମୂର୍ତ୍ତିକା ଓ ଜଳ ସଂରକ୍ଷଣ

ଜୈବିକ ଚାଷରେ ମୂର୍ତ୍ତିକା ଓ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ରହିବା ଆବଶ୍ୟକ । ଜମିକୁ ପରିଷ୍କାର କରିବା ପାଇଁ ଅନାବନା ଗଛ ଓ ନଡାକୁ ସିମୀତ ପରିମାଣରେ ପୋଡିବା ଆବଶ୍ୟକ ଅଟେ । ଜଳ ସେଚନ ଠିକ ଭାବେ କରିବା ଦରକାର ଯେପରି ପାଣି ଜମି ନରହେ । ଭୂତଳ ଜଳକୁ ମଧ୍ୟ ଅତ୍ୟଧିକ ବିନିଯୋଗ କରିବା ଉଚିତ ନୁହେଁ ।

ଜଙ୍ଗଲ ସୁରକ୍ଷା

ଜଙ୍ଗଲ ସଂରକ୍ଷଣ କରି ପ୍ରାକୃତିକ ସମ୍ପଦର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆଦିବାସୀ ମାନଙ୍କର ସ୍ଵାର୍ଥ ପ୍ରତି ଧ୍ୟାନ ରହିବା ଆବଶ୍ୟକ । ଜଙ୍ଗଲ ଜାତ ପଦାର୍ଥର ମାତ୍ରାଧିକ ସଂଗ୍ରହ କରିବା ଉଚିତ ନୁହେଁ । ଏହି ସବୁ ପଦାର୍ଥ  ଜୈବିକ ଦୃଷ୍ଟିରୁ ନିଷିଦ୍ଧ ପଦାର୍ଥ ମାନଙ୍କ ଦ୍ଵାରା ସଂକ୍ରମିତ ହୋଇ ନଥିବା ଦରକାର । ସେଥିଲାଗି ସାଧାରଣ ଚାଷ ଜମି ବା ପଦୁଷଣ ସ୍ଥାନ ଠାରୁ ଦୂରତା ରହିବା ଆବଶ୍ୟକ ।

ଜମିଆବଣ୍ଟନ

ପ୍ରାମାଣିକ କାର୍ଯ୍ୟକ୍ରମ ଅନୁସାରେ ଉଦ୍ଭିଦର ବିଭିନ୍ନତାର ସଂରକ୍ଷଣ ପାଇଁ କିଛି ଜମିରେ ବ୍ୟବସ୍ଥା ରହିବା ଆବଶ୍ୟକ । ସବୁଜ ଘାସ ଜମି, ପଡିଆ, ଜଳପଥ, ଝରଣା, ଜଳମଗ୍ନ ଜମି ପ୍ରାକୃତିକ ଅବସ୍ଥାରେ ସଂରକ୍ଷଣ କରାଯିବା ଦରକାର । ଆବଶ୍ୟକ ସ୍ଥଳେ ଉଦ୍ଭିଦର ବିଭିନ୍ନତା ପାଇଁ ଫଳ,ଔଷଧୀୟ ଗୁଣ ଥିବା ଗଛ ଲଗାଇବା ଉଚିତ । ସାଧାରଣତଃ କେତେଜଣ ଚାଷୀଙ୍କ ସଙ୍ଗଠିତ ଉଦ୍ୟମରେ ଏସବୁ ପରିଚାଳନା ହେବା ଉଚିତ ।

ପଶୁପାଳନ

ପଶୁପାଳନକୁ  ଜୈବିକ ପଦ୍ଧତିର ଏକ ଅପରିହାର୍ଯ୍ୟ ଅଙ୍ଗ ହିସାବରେ ଗ୍ରହଣ କରାଯାଇଅଛି । ଏଣୁ ଗୃହପାଳିତ ପଶୁପାଳନ କରିବା ଆବଶ୍ୟକ । ସେମାନଙ୍କ ପାଇଁ ଘାସ ଚାଷର ବ୍ୟବସ୍ଥା ରହିବା ଉଚିତ । ଫସଲ ପାଇଁ  ଜୈବିକ ପଦାର୍ଥର ଆବଶ୍ୟକତା ଅନୁଯାୟୀ ଗୃହପାଳିତ ପଶୁଙ୍କ ସଂଖ୍ୟା ସ୍ଥିର କରିବା ଉଚିତ । ସେମାନଙ୍କ ଖାଦ୍ୟ, ପେୟ ଓ ବାସସ୍ଥାନର ସୁବିଧା, ମୁତ  ଓ ଗୋବରକୁ ବ୍ୟବହାର କରି ଖତ ପ୍ରସ୍ତୁତି, ସମ୍ଭବ ହେଲେ ଗୋବର ଗ୍ୟାସ୍ ଉତ୍ପାଦନର ବ୍ୟବସ୍ଥା ରହିବା ଉଚିତ ।

ଜୈବିକ ଖତ/ସାର

ଫସଲକୁ ପାଣି ଦରକାର ବୋଲି ଆମର ଧାରଣା । ଗଛ ପାଇଁ ଖାଦ୍ୟ  ଆବଶ୍ୟକତା ବିଷୟରେ ଆମେ ସାଧାରଣତଃ ଗୁରୁତ୍ଵ ଦେଇ ନ ଥାଉ । ମଣିଷ ଭଳି ଗଛ ମଧ୍ୟ ବଢିବା ପାଇଁ ପାଣି ଅପେକ୍ଷା ଖାଦ୍ୟ  ଅଧିକ ଦରକାର କରେ । ପାଣି କେବଳ ମାତ୍ର ଖାଦ୍ୟ ପଦାର୍ଥର ବାହକର କାର୍ଯ୍ୟ କରିଥାଏ । ଏଣୁ କେବଳ ପାଣି ବିଷୟରେ ନ ଭାବି ଗଛକୁ କିଭଳି ସୁଷମ ଖାଦ୍ୟ  ମିଳିବ, ସେ ବିଷୟରେ ନ ଭାବି ଗଛକୁ କିଭଳି ସୁଷମ ଖାଦ୍ୟ  ମିଳିବ, ସେ ବିଷୟରେ ଅଧିକ ଚିନ୍ତା କରିବା ଉଚିତ ।

ରାସାୟନିକ ସାର କିଣି ଗଛକୁ ଖୁଆଇବା ପାଇଁ ଆମ ପାଖରେ ପଇସାର ଅଭାବ । ଏଭଳି ଖାଦ୍ୟ  ଗଛକୁ ଲାଞ୍ଚୁଆ କରିବା ସଙ୍ଗେ ସଙ୍ଗେ ମାଟି ଖରାପ କରୁଛି ବୋଲି ଆମେ ଜାଣିଲେଣି । ଜୈବିକ ପ୍ରଣାଳୀରେ ରାସାୟନିକ ସାରର ପ୍ରୟୋଗ  ମଧ୍ୟ ମନା । ତେଣୁ ମାଟିର ଉତ୍ପାଦନ କ୍ଷମତା ବଜାୟ ରଖିବା ପାଇଁ ଉନ୍ନତ ମାନର ଖତ ପ୍ରୟୋଗ କରିବା ନିହାତି ଆବଶ୍ୟକ ।  ଜୈବିକ ଚାଷୀ କୃଷି କ୍ଷେତ୍ରରୁ ମିଳୁଥିବା ସମସ୍ତ ବର୍ଜ୍ୟବସ୍ତୁ ଯଥା ନଡା,କୁଟା,ଘାସ,ପତ୍ର, ଦଳ, ମୁଢ, ଗୋବର ଇତ୍ୟାଦି ବ୍ୟବହାର କରି ଉନ୍ନତ ମାନର ଖତ ପ୍ରସ୍ତୁତ କରି ଜମିରେ ପ୍ରୟୋଗ କରିବା ଦରକାର । ଆଗାମୀ ଦିନମାନଙ୍କରେ ଜୈବିକ ଖାତର ଚାହିଦା ଚଢିବା ଫଳରେ ଏହାର ଅଭାବ ଦେଖା ଦେବାର ସମ୍ଭାବନା ଥିବାରୁ ଚାଷୀଙ୍କୁ ଏବେଠାରୁ ସତର୍କ ହେବା ଆବଶ୍ୟକ ।

ଜୈବିକ ଖତ 2 ପ୍ରକାରର ପ୍ରସ୍ତୁତ କରାଯାଏ । ଖତ ପ୍ରଣାଳୀ ଓ କୁଣ୍ଡ ପ୍ରଣାଳୀ । ଖତ ପ୍ରଣାଳୀରେ ଯଦିଓ ଖତ ପ୍ରସ୍ତୁତ ହେବା ପାଇଁ ଅଧିକ ସମୟ ଲାଗେ, ଖତର ଗୁଣାତ୍ମକ ମାନ ଉନ୍ନତ ହୋଇଥାଏ । କୁଣ୍ଡ ପ୍ରଣାଳୀରେ ଅଧିକ ଉତ୍ତାପ ଜାତ ହୋଇ ଉର୍ବରତା ନଷ୍ଟ ହେବାର ଭୟ ଥିବାରୁ ପ୍ରତି ମାସରେ ଖତକୁ ଓଲଟ ପାଲଟ କରିବାକୁ ପଡେ । ତେବେ ଇଟା ସିମେଣ୍ଟ କୁଣ୍ଡରେ ଉର୍ବରତା ନଷ୍ଟ ହେବାର ବାଟ ନ ଥିବାରୁ ଖତକୁ ଓଲଟାଇବା ଦରକାର ପଡେନାହିଁ ।

ଖତ ପ୍ରସ୍ତୁତି ବେଳେ ନିମ୍ନ ଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।

୧. ଖତରେ ଶତକଡା ୪୦-୫୦ ଭାଗ ଜଳୀୟ ଅଂଶ ବଜାୟ ରଖିବା ପାଇଁ ମଝିରେ ମଝିରେ ପାଣି ଦେବା ଦରକାର ।

୨. ଖତଗଡାରେ ପାଣି ନ ପଶିବା ପାଇଁ ଗଦା ଚାରିପଟେ ବନ୍ଧ ଦେବ ବା ଗଦାକୁ ଚାଳ/ପଲିଥିନ ଦ୍ଵାରା ଘୋଡାଇବା ଉଚିତ ।

୩ . ଖତ ପଡିବା ସମୟରେ ଖାଦ୍ୟସାର ବୋହିନଯିବା ପାଇଁ ଚଟାଣ ଓ କାନ୍ଥ ନିବୁଜ ହେବା ଆବଶ୍ୟକ ।

୪ . ଖତଗଦାରୁ ଜଳୀୟ ଅଂଶ ନଷ୍ଟ ନ ହେବା ପାଇଁ, ଏଥିରେ ଥିବା ଯବକ୍ଷାରଜାନ ପବନ ସମ୍ପର୍ଷରେ ଆସି ନାଇଟ୍ରେଟ ଆକାରରେ ଉଡି ନଜିବା ପାଇଁ ଓ ମାଛି, ମଶା ମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଗଦା ପୂରଣ ହେଲାପରେ ତାର ଉପରିଭାଗକୁ ଦୁଇ ଇଞ୍ଚ ବହଳର ମାଟି ଓ ଗୋବରର ସମ ପରିମାଣର ମିଶ୍ରଣରେ ଲିପି ଦିଆଯାଏ ।

ବିଭିନ୍ନ ପ୍ରକାର ଅବର୍ଜନାରୁ ଖତ ପ୍ରସ୍ତୁତିର ପ୍ରଣାଳୀ ନିମ୍ନରେ ଦିଆଗଲା ।

ଗୋବର ଖତ

ଗୃହପାଳିତ ପଶୁମାନଙ୍କ ମଳ ମୁତ୍ର, ଗୁହାଳର ବଳକା ଘାସ ପାଉଁଶ, ପନିପରିବା ଚୋପା ଓ ଘରର ଯାବତିୟ ଅଳି- ଆକୁ ଖତଗଦାରେ ପକାଇ ଖତ ପ୍ରସ୍ତୁତ କରାଯାଏ । ଗୋରୁ ଗାଈମାନଙ୍କ ସଂଙ୍ଖ୍ୟାକୁ  ଲକ୍ଷ କରି ଖତଗଦାର ଆକାର ସ୍ଥିର କରାଯାଏ । ସାଧାରଣତଃ ୨ ରୁ ୫ ଟି ଗୋରୁ ଗାଈଙ୍କ ପାଇଁ ୧୦ ଫୁଟ ଲମ୍ବ ୩ ଫୁଟ ଓସାର ୩ ଫୁଟ ଗଭୀରର ୨ ଗୋଟି ଖତଗଦା ଆବଶ୍ୟକ ପଡିଥାଏ ।

ଗୁହାଳର ଚଟାଣକୁ ଗଡାଣିଆ କରି ନାଳୀ  ରଖି  ନାଳୀର ଶେଷ ମୁଣ୍ଡରେ ଗୋଟିଏ ହାଣ୍ଡି ପୋତି ମୁତ୍ର ସଂଗ୍ରହ କରାଯାଏ । ମୂତ୍ରରୁ ଯବକ୍ଷାରଜାନ ନଷ୍ଟ ନ ହେବା ପାଇଁ ମୁତ୍ର ନାଳୀରେ ଦିନକୁ ଗାଈ ପିଛା ଆଧକିଲୋ ଜିପସମ୍ ଗୁଣ୍ଡା ଚିଞ୍ଚନ୍ତୁ । ନାଳୀ  କରି ନ ପାରିଲେ ଗୁହାଳ ଚଟାଣରେ ଶୁଖିଲା ପତ୍ର, ନଡା, କରତ ଗୁଣ୍ଡ, ପାଉଁଶ ବା ଗୁଣ୍ଡମାଟି ୨ ଇଞ୍ଚ ବହଳର ବିଛାଇ ସପ୍ତାହରେ ଠାରେ କିମ୍ବା ଦୁଇଥର ସଂଗ୍ରହ କରି ଖତଗଦାରେ ପକାନ୍ତୁ । ସିମେଣ୍ଟ ବା ପଥର ଚଟାଣ ହେଲେ ମୁତ୍ର ସଂଗ୍ରହ କରିବା ସୁବିଧା ହୋଇଥାଏ ।

ପ୍ରତ୍ୟେକ ଦିନ ଗୁହାଳରୁ ସଂଗୃହିତ ମୁତ୍ର, ଗୋବର, କୁଟା, କାଠି, ଘାସ ଇତ୍ୟାଦିକୁ ସଂଗ୍ରହ କରି ଖତଗଦାରେ ପକାନ୍ତୁ । ସିମେଣ୍ଟ ବା ପଥର ଚଟାଣ ହେଲେ ମୁତ୍ର ସଂଗ୍ରହ କରିବା ସୁବିଧା ହୋଇଥାଏ ।

ପ୍ରତ୍ୟେକ  ଦିନ ଗୁହାଳରୁ ସଂଗୃହିତ ମୁତ୍ର, ଗୋବର, କୁଟା, କାଠି, ଘାସ ଇତ୍ୟାଦିକୁ ସଂଗ୍ରହ କରି ଖତଗଦା ରେ ପକାନ୍ତୁ । ଗୋଟିଏ ଗାଈ ଦୈନିକ ୧୫୦ ଗ୍ରାମ ଯବକ୍ଷାରଜାନ ୨୦ ଗ୍ରାମ ଫସଫରସ ଓ ୭୫ ଗ୍ରାମ ପଟାସ ମଳ ଓ ମୂତ୍ରରେ ତ୍ୟାଗ କରିଥାଏ । ହଳେ ଗାଈଗୋରୁଙ୍କୁ ଘରେ ବାନ୍ଧି ରଖିଲେ ବର୍ଷକୁ ୧୦ରୁ ୧୨ ଟନ ଗୋବର ଖତରେ ୫ କି,ଗ୍ରା ଯବକ୍ଷାରଜାନ, ୨.୫ କି,ଗ୍ରା ଫସଫରସ, ୫ କି,ଗ୍ରା ପଟାସ୍ ଓ ୯ କି,ଗ୍ରା କ୍ୟାଲସିୟମ, ୫ କି,ଗ୍ରା ସଲଫର ଓ ଅନ୍ୟାନ୍ୟ ଖାଦ୍ୟସାର (ମାଗ୍ନେସିୟମ, ଜିଙ୍ଗ, କପର, ବୋରନ,ମାଲିବ୍ଡେନମ ଇତ୍ୟାଦି ) ଥାଏ । ଉନ୍ନତ ପ୍ରଣାଳୀରେ ଖତ ପ୍ରସ୍ତୁତ କାଲେ ଏହାର ଦୁଇଗୁଣ ଖାଦ୍ୟସାର ମିଳିଥାଏ ।

ଖାତ ପ୍ରଣାଳୀ :

ଉଚ୍ଚା, ନିଗିଡା, ଜାଗାରେ ଓ ଗୁହାଳର ନିକଟରେ (୧୦x ୩ x ୩ ଫୁଟ) ଗାତ ଖୋଳନ୍ତୁ । ଗାତର ଚଟାଣ ଓ କାନ୍ଥରେ ଇଟା, ସିମେଣ୍ଟ ଦେଇ ପାରିଲେ ଖାଦ୍ୟସାର ମାଟି ଭିତରକୁ ଚାଲିଯିବାର ଭୟ ରହେ ନାହିଁ । ପ୍ରତିଦିନ ସକାଳୁ ଗୁହାଳର ଗୋବର, ଅଳିଆ ଓ ମୁତ୍ର ଇତ୍ୟାଦି ଭଲଭାବରେ ମିଶାଇ ୬ ଇଞ୍ଚ ବହଳରେ ବିଛାନ୍ତୁ । ଅଳିଆର ପରିମାଣ କମ ହେଲେ ଗାତକୁ ଭାଗ ଭାଗ କରି ପୂର୍ଣ କରନ୍ତୁ । ସଂଗୃହିତ ମୂତ୍ରକୁ ଏହା ଉପରେ ବିଞ୍ଚି ଦିଅନ୍ତୁ । ଅଳିଆର ପରିମାଣ କମ ହେଲେ ଗାତକୁ ଭାଗ ଭାଗ କରି ପୂର୍ଣ କରନ୍ତୁ ।  ସଂଗୃହିତ ମୂତ୍ରକୁ ଏହା ଉପରେ ବିଞ୍ଚି ଦିଅନ୍ତୁ । ମୂତ୍ରରେ ଜିପସମ୍ ଦିଆଯାଇନଥିଲେ ପ୍ରତି ୧ କିଗ୍ରା ଅଳିଆ ପ୍ରତି ୨୦ ଗ୍ରାମ ହିସାବରେ ଜିପସମ୍ ଛିଞ୍ଚନ୍ତୁ ଓ ତା ଉପରେ ୨ ଇଞ୍ଚ ବହଳର ମାଟି ବା ପାଉଁଶ ଦେଇ ସାମାନ୍ୟ  ମାଡିଦିଅନ୍ତୁ । ଭୂମି ପତନ ଠାରୁ ୨ ଫୁଟ ଉଚ୍ଚ ହେବା ପର୍ଯ୍ୟନ୍ତ ପ୍ରତିଦିନ ଏହିପରି ଅଳିହା ଭର୍ତ୍ତି କରନ୍ତୁ । ଟାଉପରେ ମାଟି ଓ ଗୋବର ମିଶ୍ରଣ ଲିପି ଦିଅନ୍ତୁ ।

ଏହି ପଦ୍ଧତି ଖରାଦିନେ ଓ ପାଣି କାମୁନଥିବା ଅଞ୍ଚଳ ପାଇଁ ସୁବିଧାଜନକ ଅଟେ । ଖତ ପ୍ରସ୍ତୁତ ହେବା ପାଇଁ ୫ ରୁ ୬ ମାସ ସମୟ ଲାଗିଥାଏ । ଗୋଟିଏ ଗାତ ପୂର୍ଣ ହେଲେ ଆଉଗୋଟେ ଗାତ ବ୍ୟବହାର  କରନ୍ତୁ ।

କୁଣ୍ଡ ପ୍ରଣାଳୀ

ଗାତରେ ପାଣି ପସିବାର ଭୟ ଥିଲେ କୁଣ୍ଡ ପ୍ରଣାଳୀ ବ୍ୟବହାର କରାଯାଏ । ଉଚ୍ଚ, ନିଗିଡା ଜାଗାରେ ସିମେଣ୍ଟ ବା ପଥର ଚଟାଣ ପ୍ରସ୍ତୁତ କରନ୍ତୁ । ଚଟାଣ (୧୦ x ୩ ଫୁଟ) ର ଚାରି ପାଖରେ ୧ ଫୁଟ ବ୍ୟବଧାନରେ ୩.୫ ଫୁଟ ଲମ୍ବର ଖୁଣ୍ଟି ପୋତି ଚାରିପଟେ କାଠ, ବତା, ଝଟା ଘେରାନ୍ତୁ । ଏହାକୁ ଇଟା ସିମେଣ୍ଟରେ ମଧ୍ୟ ତିଆରି କରାଯାଇପାରେ । କୁଣ୍ଡର ନିମ୍ନ ଅଂଶରେ ୫ ସେ.ମି. ବହଳର ମାଟି ଓ ଶଢା ଖତ ପକାନ୍ତୁ । ତାପରେ ଗୁହାଳରୁ ବାହାରୁଥିବା ଆବର୍ଜନା ସ୍ତର ସ୍ତର କରି ପୂର୍ବୋକ୍ତ ପ୍ରଣାଳୀରେ ଭର୍ତ୍ତି କରାନ୍ତୁ । କୁଣ୍ଡ ପୂର୍ଣ ହେଲା ପରେ ଉପର ଅଂଶରେ ଗୋବର ଓ ମାଟି ମିଶାଇ ଲିପି ଦିଅନ୍ତୁ । ଏକ ମାସ ଅନ୍ତରରେ ଖତକୁ ଓଲଟ ପାଲଟ କରନ୍ତୁ । ୪/୫ ମାସ ପରେ ଖତକୁ ବ୍ୟବହାର କରନ୍ତୁ ।

ଜୈବିକ କମ୍ପୋଷ୍ଟ

ଚାଷ ଜମିରୁ ବାହାରୁଥିବା ସମସ୍ତ ଅଦରକାରୀ ଅଳିଆ ଆବର୍ଜନାକୁ ନେଇ ଉନ୍ନତ ଖତ ପ୍ରସ୍ତୁତ କରନ୍ତୁ । କିଆରୀର ଗୋଟିଏ ମୁଣ୍ଡରେ ଗାତ ବା କୁଣ୍ଡ ପ୍ରସ୍ତୁତ କରନ୍ତୁ । ଏଥିରେ ପ୍ରଥମେ ୩୦ ସେ.ମି. ବହଳର ଆବର୍ଜନା ପକାଇ ତା ଉପରେ ଗୋବର ଓ ମୁତ  ପାଣି ଛିଞ୍ଚନ୍ତୁ । ତା ଉପରେ ୧୫ ସେ.ମି. ବହଳର ଗୋବର ପକାନ୍ତୁ । ଏହି ପରି ୩ ସ୍ତର ଅଳିଆ, ୨ ସ୍ତର ଗୋବର ଦେଲା ପରେ ଗାତଟିକୁ ପୂର୍ଣ କରି ଶେଷରେ ମାଟି ଓ ଗୋବରର ମିଶ୍ରଣ ଲିପନ୍ତୁ । ୪ ରୁ ୫ ମାସ ପରେ ଏହାକୁ ବ୍ୟବହାର କରନ୍ତୁ ।

ଶୁଖିଲା ପତ୍ରରୁ କମ୍ପୋଷ୍ଟ

ଆମ ଜଙ୍ଗଲରେ ବହୁତ ଶୁଖିଲା ପତ୍ର ଗଛ ମୂଳରେ ପଡି ନଷ୍ଟ ହୁଏ । ଏହି ପତ୍ରକୁ ନକାଳି ଜଙ୍ଗଲରେ ଖତ ପ୍ରସ୍ତୁତ କରି କ୍ଷେତରେ ବ୍ୟବହାର କରାଯାଇପାରେ । ପାଣି ପାଖ ଜାଗାରେ ୬ ଫୁଟ ଲମ୍ବ ଓ ୬ ଫୁଟ ଚଉଡା ଓ ୩ ଫୁଟ ଗଭୀରର ଗାତ ପ୍ରସ୍ତୁତ କରି ତାହାକୁ ଶୁଖିଲା ପତ୍ର ଦ୍ଵାରା ଭର୍ତ୍ତି କରି ଦିଅନ୍ତୁ ଓ ୬୦ ରୁ ୭୦ ଲିଟର ପାଣି ଛିଞ୍ଚନ୍ତୁ । ୧ ଟୋକେଇ ଗୋବରକୁ ୫୦ ଲିଟର ପାଣିରେ ଗୋଳେଇ ଶୁଖିଲା ପତ୍ର ଉପରେ ଛିଞ୍ଚିଦିଅନ୍ତୁ । ଏହା ଉପରେ ୧ ଇଞ୍ଚ ବହଳର ମାଟି ଘୋଡାଇ ଦିଅନ୍ତୁ । କିଛି ଦିନ ପରେ ଗାତଟି ଦବି ଗଲେ ତା ଉପରେ ପୁଣି ଶୁଖିଲା ପତ୍ର ପକାଇ ଗାତ ଭର୍ତ୍ତି କରି, ଗୋବର ପାଣି ଛିଞ୍ଚି ମାଟି ଘୋଡାନ୍ତୁ । ଏହି ପରି ସ୍ତର ସ୍ତର କରି ଚାରି ଥର ପତ୍ର ଭର୍ତ୍ତି କଲାପରେ ଗୋବର ମାଟି ଲିପି ଦିଅନ୍ତୁ । ବର୍ଷା ପାଣି ନ ପଶିବା ପାଇଁ ଚାରିପଟେ ବନ୍ଧ ଦିଅନ୍ତୁ ।

ବିଲାତି ଦଳରୁ କମ୍ପୋଷ୍ଟ

ବିଲାତି ଦଳକୁ ବ୍ୟବହାର କରି ଉନ୍ନତ ମାନର ଖତ ପ୍ରସ୍ତୁତ କରନ୍ତୁ । ୧୦ ଫୁଟ ଲମ୍ବ ଓ ୫ ଫୁଟ ଓସାର ଓ ୩ ଫୁଟ ଗଭୀରର ଗାତ/କୁଣ୍ଡ ପ୍ରସ୍ତୁତ କରାନ୍ତୁ । ବିଲାତି ଦଳ କାଢି ୩/୪ ଦିନ ସକାଶେ ମାଟି ଉପରେ ଶୁଖାଇ ଦିଅନ୍ତୁ । ଗାତ ଓ କୁଣ୍ଡର ନିମ୍ନ ଅଂଶରେ କଞ୍ଚା ଗୋବର, ମାଟି ଓ ପଙ୍କ ଇତ୍ୟାଦିର ୧ ଇଞ୍ଚ ସ୍ତର ଦିଅନ୍ତୁ । ତାପରେ ୧ ଫୁଟ ବହଳର ଦଳ ଦିଅନ୍ତୁ । ତାପରେ ପୁଣି ଗୋବର ମାଟି ଓ ପଙ୍କର ସ୍ତର ଓ ପୁଣି ୧ ଫୁଟ ବହଳର ଦଳ, ଏହିପରି ୬ ଫୁଟ ଉଚ୍ଚ ହେବା ପର୍ଯ୍ୟନ୍ତ ଜମା କରି ଉପରେ ମାଟି ଓ ଗୋବର ମିଶ୍ରଣ ଲିପି ଦିଅନ୍ତୁ । ୪ ମାସରେ କମ୍ପୋଷ୍ଟ ତିଆରି ହୁଏ । ଏହି କମ୍ପୋଷ୍ଟରେ ଯବକ୍ଷାରଜାନ ୨ ଭାଗ ଫସଫରସ୍ ୧ ଭାଗ ଓ ପଟାସ୍ ୨/୩ ରୁ ଭାଗ ଥାଏ ।

ଜିଆଖତ

ଜିଆ ଏକ ସାହାଯ୍ୟକାରୀ ଜୀବ । ଏହା ମାଟିର ଉର୍ବରତା ବଢାଇଥାଏ । ଯାତାୟାତ ପାଇଁ ଜିଆ ମାଟିରେ ବାଟକରେ ଯେଉଁଥିରେ ମାଟି ମଧ୍ୟକୁ ବାୟୁ ଯିବା ଆସିବା କରିବା ଦ୍ଵାରା ଗଛର ଚେର ବାୟୁ ମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ଚଢେ । ଜିଆ ମାଟିରେ ଥିବା  ଜୈବିକ ପଦାର୍ଥକୁ ଖତରେ ପରିଣତ କରେ । ଜିଆର ମଳ ଏକ ଉର୍ବରସାର ଅଟେ । ଜିଆ ମଳରେ ମାଟି ଅପେକ୍ଷା ୫ ଗୁଣ ଯବକ୍ଷାରଜାନ, ୭ ଗୁଣ ପଟାସ୍ ଓ ଦୁଇ ଗୁଣ କାଲସିୟମ ଓ ମ୍ୟାଗ୍ନେସିୟମ ଭାରି ରହିଥାଏ । ଜିଆ ମାଟିରେ ଥିବା ସାହାଯ୍ୟକାରୀ ଜୀବାଣୁ ବଢାଇବାରେ ସାହାଯ୍ୟ କରେ । ଜିଆଖତ ମାଟିରେ ପ୍ରୟୋଗ କଲେ ଉର୍ବରତା ବଢିବା ସହ ଫସଲରେ ରୋଗର ପାଦୁର୍ଭାବ କମିଥାଏ । ଜିଆଖତ କରିବା ପାଇଁ ଆଫ୍ରିକାର ଉନ୍ନତ କିସମ ଯଥା ଆମ ଦେଶରେ ଚାଷ କରାଯାଇଅଛି । ଜିଆ ଏକ ଉଦୟଲିଙ୍ଗି ପ୍ରାଣୀ । ହାଲେ ଜିଆ ୩ ରୁ ୬ ମାସ ମଧ୍ୟରେ ୧୦୦ ଟି ଅଣ୍ଡା ଦେଇଥାଏ । ଜିଆର ଅଣ୍ଡା ଦେଖିବାକୁ ଚିକଣ ଧନିଆ ମଞ୍ଜି ପରି । ୨ ରୁ ୩ ସପ୍ତାହ ପରେ ସେଥିରୁ ୩ ରୁ ୭ ଟି ଛୁଆ ଜନ୍ମ ନେଇଥାନ୍ତି । ଏହା ୬୫ ରୁ ୭୦ ଦିନ ମଧ୍ୟରେ ୨୦ରୁ ୨୫ ଗୁଣ ପର୍ଯ୍ୟନ୍ତ ସଂଖ୍ୟା ବୃଦ୍ଧି କରିଥାଏ । ୧୦୦୦ ଟି ଜିଆର ସାଧାରଣ ଓଜନ ୧ କି.ଗ୍ରା. । ୧ କିଗ୍ରା ବଡ ଜିଆ ଦୈନିକ ୫ କିଗ୍ରା ଜୈବିକ ଖତ ପ୍ରସ୍ତୁତ କରିପାରେ ।

ଗାତପ୍ରଣାଳୀ

ଏକ ଉଚ୍ଚ ସ୍ଥାନରେ ୨ ମିଟର ଲମ୍ବ ଓ ୧ ମିଟର ଓସାର ଓ ୧ ମିଟର ଗଭୀରତାର ଏକ ଗାତ ଖୋଲନ୍ତୁ । ନିମ୍ନ ଅଂଶରେ ୫ ସେମି ବହଳରେ ଇଟା ପତର ଓ ବାଲିର ସ୍ତର ଦିଅନ୍ତୁ । ଏହି ସ୍ତର ଜଳ ନିଷ୍କାସନରେ ସାହାଯ୍ୟ କରିଥାଏ । ତାର ଉପରେ ଏକ ହାଲୁକା ମାଟିର ସ୍ତର ଓ ତାପରେ ଏକ ଶଢା ଗୋବର ଖତର ସ୍ତର (୧୫ ସେ.ମି.) ଦିଅନ୍ତୁ ଓ ପାଣି ଛିଞ୍ଚି ଓଦା ରଖନ୍ତୁ । ଏହି ମାଟି ଓ ଗୋବର ସ୍ତର ଜିଆମାନଙ୍କର କାର୍ଯ୍ୟକ୍ଷମତା ବଢାଇଥାଏ । ଏହି ସ୍ତରରେ ୧ ବର୍ଗ ମିଟର ପ୍ରତି ୧୦୦୦ ଟି ଜିଆ ଛାଡନ୍ତୁ । ତା ଉପରେ ଶୁଖିଲା ପତ୍ର, କୃଷି କ୍ଷେତ୍ରର ଆବର୍ଜନା ଓ ନଡା ସ୍ତର ସ୍ତର କରି ଭରି ଦିଅନ୍ତୁ । ପାଣି ଛିଞ୍ଚି ଗାତଟିକୁ ଅଖା ଓ କଦଳୀ ପତ୍ର ସାହାଯ୍ୟରେ ଘୋଡାଇ ଦିଅନ୍ତୁ । ଖତ ଗଡାକୁ ବର୍ଷା ଓ ଖରା ଦାଉରୁ ରକ୍ଷା କରିବା ପାଇଁ ତା ଉପରେ ନଡା ବା ପ୍ଲାଷ୍ଟିକର ଘର କରାଯିବା ଦରକାର । ଗାତ ଚାରିପଟରେ ପାଣି ନ ପଶିବା ପାଇଁ ହୁଡା ରଖନ୍ତୁ । ମଝିରେ ମଝିରେ ଗାତ ଉପରେ ପାଣି ଛିଞ୍ଚନ୍ତୁ । ଖରାଦିନେ ଦିନକୁ ଦୁଇଥର ପାଣି ଛିଞ୍ଚିବା ଦରକାର ଯେପରି ଜଳୀୟ ଅଂଶ ଶତକଡା ୪୦-୫୦ ଭାଗ ରହିବ । ୬୫ ରୁ ୭୦ ଦିନ ପରେ ଏହା କମ୍ପୋଷ୍ଟରେ ପରିଣତ ହୁଏ । ଜିଆ ଖତ ହୋଇସାରିଲା ପରେ ତାହାକୁ ଚାଲୁଣିରେ ଚଳାଇ ଜିଆ ବାହାର କରି ପୁନର୍ବାର ଖତ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇ ପାରିବ  ।

ନିମ୍ନ ସ୍ତରରେ ଶଢା ଗୋବର ଖତ ଦେଇ ନଥିଲେ ତାଳପତ୍ର ଓ କଞ୍ଚା ଗୋବର ମିଶ୍ରଣ (୧:୨) ଦ୍ଵାରା ସମ୍ପୂର୍ଣ ଗାତଟିକୁ ଭରିଦେଇ, ପାଣି ଛିଞ୍ଚି, ୨-୩ ସପ୍ତାହ ପରେ ୩୦ ସେ.ମି ବ୍ୟବଧାନରେ ଗାତ କରି ଗାତ ମଧ୍ୟକୁ ଜିଆ ଛଡ଼ାଯାଏ ।

କୁଣ୍ଡ ପ୍ରଣାଳୀ

ଏହି ପ୍ରଣାଳୀରେ ୨ ମିଟର ଲମ୍ବ, ୧ ମିଟର ପ୍ରସ୍ତ ଓ ୫୦ ସେ.ମି ଗଭୀରତାର କୁଣ୍ଡ ମାଟି ଉପରେ ନିର୍ମାଣ କରାଯାଏ । କୁଣ୍ଡଟି ଗୋଟିଏ କଡକୁ ଗଡାଣିଆ ହେବା ଦରକାର ଓ ଗଡାଣି ଅଂଶରେ ଏକ ଛିଦ୍ର ରଖାଯାଏ । କୁଣ୍ଡର ନିମ୍ନ ଭାଗରେ ୧୫ ସେ.ମି. ବହଳର ଶୁଖିଲା ପତ୍ର ଓ କୁଟାର ସ୍ତର ଦିଆଯାଏ ତାପରେ ୧୫ ସେ.ମି. ବହଳର ଖତ ବା ବାୟୋଗ୍ୟାସ ସ୍ଲରି ଦେଇ ପାଣି ଛିଞ୍ଚି ୪୮ ଘଣ୍ଟା ପରେ ୧ ବର୍ଗମିଟର ପ୍ରତି ୧୦୦୦ ଟି କିଆ ଛଡ଼ାଯାଏ । ତାପରେ ୨୦ ସେ. ମି. ବହଳର କଞ୍ଚା ବା ଶୁଖିଲା ନଡାପତ୍ର ଦେଇ କୁଣ୍ଡଟିକୁ ପୂର୍ଣକରି ତା ଉପରେ ଅଖା ବା କଦଳୀ ପତ୍ର ଘୋଡାଇ ଦିଆଯାଏ । ମଝିରେ ମଝିରେ କୁଣ୍ଡ ଉପରେ ପାଣି ଚିଞ୍ଚାଯାଏ । ୬୫ ରୁ ୭୦ ଦିନ ପରେ ଏହା କିଆ ଖତରେ ପରିଣତ ହୁଏ । କିଆଖତକୁ ଚାଲୁଣୀରେ ଚଲାଇ ଜିଆମାନଙ୍କୁ ବାହାର କରି ଖତକୁ ବ୍ୟବହାର କରାଯାଏ ଓ ଜିଆମାନଙ୍କୁ ପୁଣି ଖତ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ନିମ୍ନ ସ୍ତରରେ ଥିବା ଇନ୍ଧ୍ରବାଟେ ପଚାପାଣି ବାହାରିଥାଏ । ସେହି କଚାପାଣିକୁ ଏକ ଛୋଟ କୁଣ୍ଡ ଦ୍ଵାରା ସଂଗ୍ରହ କରି ଫସଲରେ ସିଞ୍ଚନ କରାଯାଇପାରିବ । କୁଣ୍ଡକୁ ଖରା ଓ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଉପରେ ନଡା ବା ପ୍ଲାଷ୍ଟିକ୍ ଛପର ଘର ନିର୍ମାଣ କରାଯିବା ଆବଶ୍ୟକ । କୁଣ୍ଡ ପ୍ରଣାଳୀରେ ଭୂତଳ ଜଳ ପଦୁଷଣ ମୁକ୍ତ ହେବା ସହ ଉନ୍ନତ ମାନର ଜିଆ ଖତ ମଧ୍ୟ ଉତ୍ପାଦନ କରାଯାଇପାରେ ।

ପ୍ରୟୋଗ ପ୍ରଣାଳୀ

ଜିଆ ଖତ ହେକ୍ଟର ପିଛା ୨.୫ ଟନ୍ ହିସାବରେ ପ୍ରୟୋଗ କରାଗଲେ ଉତ୍ପାଦନ ୨ ଗୁଣ ବଢେ । ଜିଆ ଖତ ଜମିରେ ପ୍ରୟୋଗ କଲେ ଜିଆ ସଂଖ୍ୟା ଜମିରେ କ୍ରମଶଃ ବୃଦ୍ଧି ପାଏ । ମାଟିରେ ରାସାୟନିକ ସାର ଓ ପୋକମାରା ଔଷଧ ପ୍ରୟୋଗ କଲେ ଜିଆମାନେ ବଢି ପାରନ୍ତି ନାହିଁ । ମୌସୁମୀ ବର୍ଷା ଆରମ୍ଭ ସମୟରେ ଜିଆଖତ ମାଟିରେ ପ୍ରୟୋଗ କରିବା ଉଚିତ୍ । ଜିଆ ଖତ ଜୈବିକ ଚାଷ ପ୍ରଣାଳୀର ଏକ ଅଙ୍ଗ ଅଟେ । ସାଧାରଣତଃ ଜିଆଖତରେ, ଯବକ୍ଷାରଜାନ ୧.୦ -୧.୫%, ଫସଫରସ୍, ୦.୧ – ୦, ୩%, ପଟାସ୍ ୦.୧୫ – ୦.୫୬% ଅନ୍ୟାନ୍ୟ ଖାଦ୍ୟସାର ଥାଏ ।

ସାବଧାନତା

୧ . କୁଣ୍ଡ ବା ଗାଡର ନିମ୍ନ ଅଂଶ ଗଡାଣିଆ କରନ୍ତୁ ।

୨ . ଜୈବିକ ପଦାର୍ଥର ଜଳୀୟ ଅଂଶ ୪୦-୫୦ ଭାଗ ରଖନ୍ତୁ ।

୩ . ଗଦା ଉପରେ ଜରି, ଅଖା ଓ କଦଳୀ ପତ୍ର ଘୋଡାଇ ରଖନ୍ତୁ ।

୪ . ଖରା ଓ ବର୍ଷାରୁ ରକ୍ଷା ପାଇଁ ଗଦା ଉପରେ ପ୍ଲାଷ୍ଟିକ୍ ବା ନଡା ଛପର ଘର କରନ୍ତୁ ।

ସବୁଜ ସାର

ମାଟିର ଉର୍ବରତା ବଜାୟ ରଖିବା ପାଇଁ ସବୁଜ ଖତର ବ୍ୟବହାର ଅନ୍ୟ ଏକ ଉପାୟ । ଗୋବର ଖତ ଓ କମ୍ପୋଷ୍ଟ ଆବଶ୍ୟକ ତୁଳନାରେ ନ ମିଳିଲେ, ଛଣି, ଧନିଚା, ବାରୁଗୁଡି, ଗୁଆଁର ପ୍ରଭୃତି ଡାଲି ଜାତୀୟ ଫସଲ ଚାଷ କରି ଫୁଲ ଉଡାଇବା ସମୟରେ ମାଟିରେ ମିଶାଇ ଦିଆଯାଏ । ଏହାଦ୍ୱାରା ମାଟିର ଜୈବିକ ଅଂଶ, ଜଳଧାରଣ ଓ ଜଳ ନିଷ୍କାସନ କ୍ଷମତା ବୃଦ୍ଧି ପାଇବା ସହିତ ମାଟିର ଲୁଣି ଓ ଖାରିଆ ଅଂଶ ଦୂରୀଭୂତ ହୋଇଥାଏ । ଏହି ସବୁ ଫସଲରେ ମୂଳରେ ଯବକ୍ଷାରଜାନ ବି ବନ୍ଧନ କରୁଥିବା ଜୀବାଣୁ ବଢନ୍ତି ଓ ସେମାନେ ବାୟୁରେ ଥିବା ଯବକ୍ଷାରଜାନ ଗ୍ରହଣ କରି ମାଟିରେ ମିଶାନ୍ତି । ଏଥିରୁ ହେକ୍ଟର ପ୍ରତି ଯଥାକ୍ରମେ ୮୪, ୮୦, ୬୭, ଓ ୬୨ କିଗ୍ରା ପର୍ଯ୍ୟନ୍ତ ଯବକ୍ଷାରଜାନ ବାୟୁରୁ ମାଟିରେ ମିଶିଥାଏ । ଏହି ସବୁ ଫସଲ ବିହନ ବୁଣିବାର ଦୁଇମାସ ଆଗରୁ ଚାଷ କରାଯାଏ ଓ ମାଟିରେ ମିଶାଇବାର ୧୦-୧୨ ଦିନ ପରେ ଫସଲ ଲଗାଯାଏ । ଏହା ଛଡା ସବୁଜ ସାରକୁ ମୁଖ୍ୟ ଫସଲ ସହ (ଧାନ ସହ ଧନିଚା, ମକା ସହ ଛଣି ବା ବରୁଗୁଡି) ଅନ୍ତଃ ଫସଲ ହିସାବରେ ଚାଷ କରି ୩୦ ଦିନ ପରେ ମାଟିରେ ମିଶାଇ ଉତ୍ପାଦନ ବୃଦ୍ଧି କରାଯାଇପାରେ । ମାଟିର ଉର୍ବରତା ବଜାୟ ରଖିବା ପାଇଁ ପ୍ରତି ୩ ବର୍ଷରେ ଥରେ ସବୁଜ ଚାଷ କରି ମାଟିରେ ମିଶାଇବା ଆବଶ୍ୟକ ।

ସବୁଜ ପତ୍ରସାର

ସବୁଜ ଫସଲ ଚାଷ ବଦଳରେ ଜଙ୍ଗଲ ଓ ପଡିଆ ଜମିରେ ଉଠିଥିବା ଛୁଇଁ ଜାତୀୟ ଗଛର ପତ୍ର (ଚାକୁଣ୍ଡା,ସୁବାବୁଲ, ଗ୍ଲାରିସିଡିଆ) ସଂଗ୍ରହ କରି ହେକ୍ଟର ପ୍ରତି ୧୦-୧୨ ଟନ୍ ମାଟିରେ ମିଶାଇ ଦେଲେ ମାଟିର ଉର୍ବରତା ମଧ୍ୟ ବୃଦ୍ଧି ପାଇଥାଏ । ଏହାଛଡା ଯେ କୌଣସି ଗଛର ସବୁଜ ପତ୍ର ଅନାବନା ଘାସ ଗଛ ମଧ୍ୟ ମିଶାଯାଇ ମାଟିର ଉର୍ବରତା ବୃଦ୍ଧି କରାଯାଇ ପାରିବ । ସବୁଜ ପତ୍ର ମାଟିରେ ମିସାଇବାର ୧୦-୧୨ ଦିନ ପରେ ଚାଷ କରି ମଞ୍ଜି ଲଗାନ୍ତୁ । ଫଳ ଚାଷ ବା ଜଙ୍ଗଲ ଚାଷ ହୋଇଥିବା ଜମିରେ କଣ୍ଟା ବିହନ ଲାଜକୁଳି, କୁଜି ବାଦାମ ଓ ଷ୍ଟାଇଲୋ ପ୍ରଭୃତି ଭୂମି ଆଛାଦିତ କରୁଥିବା ଓ ଛାଇ ସହିପାରୁଥିବା ଛୁଇଁ ଜାତୀୟ ଫସଲ ଅନ୍ତ ଫସଲ ଭାବେ ଚାଷ କରି ଘାସ ଦାଉରୁ ରକ୍ଷା ପାଇବା ସହ ମାଟିର ଉର୍ବରତା ବୃଦ୍ଧି କରାଯାଇପାରିବ ।

ଡାଲିଜାତୀୟ ଫସଲ ଚାଷ

ଫସଲ ଚକ୍ରରେ ମୁଗ, ବିରି, ବରଗୁଡି, ଚିନାବାଦାମ ଓ ସୋୟାବିନ ଇତ୍ୟାଦି ଛୁଇଁ ଜାତୀୟ ଫସଲ ସ୍ଥାନ ପାଇବା ଆବଶ୍ୟକ । ଏହି ସବୁ ଫସଲ ବାୟୁ ମଣ୍ଡଳରୁ ଯବକ୍ଷାରଜାନ ମାଟିରେ ମିଶାଇ ଥାଆନ୍ତି ଓ ମାଟିର ଉର୍ବରତା ବଢାଇଥାଆନ୍ତି । ଅମଳ ପରେ ତାର ଡାଳ ପତ୍ର ଇତ୍ୟାଦିରୁ ଉନ୍ନତ ମାନ ଗୋଖାଦ୍ୟ/କମ୍ପୋଷ୍ଟ ତିଆରି ହୋଇଥାଏ । ଡାଲି ଜାତୀୟ ଫସଲ ଚାଷ କରିବା ସମୟରେ ଅମ୍ଳ ମାଟିରେ ହେକ୍ଟର ପ୍ରତି ୫୦ କିଗ୍ରା ରଜଫସଫେଟ ଦେଇ ଚାଷ କରି ଅଧିକ ଉତ୍ପାଦନ ପାଇବା ସହ ମାଟିର ଉତ୍ପାଦିକା ଶକ୍ତି ବୃଦ୍ଧି କରନ୍ତୁ । ବାଲିଆ ଓ ପଥୁରିଆ ଜମିରେ ଏହି ଫସଲ ଚାଷ କଲେ ମାଟିରେ କାଦୁଅ ଅଂଶ, ଜଳଧାରଣ କ୍ଷମତା ଓ ଉର୍ବରତା ବୃଦ୍ଧି ପାଇଥାଏ ।

ଆଜୋଲା

ଧାନ ଫସଲ ପାଇଁ ଏହା ଏକ ସବୁଜ ସାର । ହେକ୍ଟର ପ୍ରତି ୫୦୦ କିଗ୍ରା କଞ୍ଚା ଆଜୋଲା ଧାନ ରୋଇବାର ୩-୪ ଦିନ ପରେ କିଆରିରେ ଛାଡିଦେଲେ ଏହା ବଢି ୫ ସପ୍ତାହ ବେଳକୁ ୮ ଟନରେ ପରିଣତ ହୋଇଥାଏ । ଧାନ ଫସଲ ବଛାବଛି ସମୟରେ ପାଣି କାଟିଦେଲେ ଆଜୋଲା ପଡିଯାଏ । ଧାନ ରୋଇବାର ୫ ସପ୍ତାହ ପୂର୍ବରୁ କିଆରିକୁ କାଦୁଅ କରି ଆଜୋଲା ଚାଷ କରି ୫ ସପ୍ତାହ ପରେ ପୁଣି ଥରେ କାଦୁଅ କରି ଆଜୋଲାକୁ ମାଟିରେ ମିଶାଇ ଧାନ ରୋଇପାରିବେ । ହେକ୍ଟର ପ୍ରତି ୫ ଟନ୍ କଞ୍ଚା ଗୋବର ଦେଇ ଆଜୋଲା ଛାଡିଲେ ଏହା ଖୁବ ଶୀଘ୍ର ବଢିଯାଏ । ଆଜୋଲା କିଆରୀରେ ଥିଲେ ଘାସ କମ ଉଠେ, ମାଟିରେ ଜୈବିକ ଅଂଶ  ବୃଦ୍ଧି ପାଏ ଓ ଫସଲର ମରୁଡି ସହଣି  ଶକ୍ତି ବଢେ  । ଏହା ଧାନ ଫସଲକୁ ହେକ୍ଟର ପ୍ରତି ୨୫ କିଗ୍ରା  ଯବକ୍ଷାରଜାନ ଯୋଗାଇବା ସହ ଅନ୍ୟାନ୍ୟ ଖାଦ୍ୟସାର ଯୋଗାଇଥାଏ । ଆଜୋଲା ଚାଷ ଦ୍ଵାରା ଧାନ ଫସଲର ଉତ୍ପାଦନ ବୃଦ୍ଧି ହେବା ସହ ପରବର୍ତ୍ତୀ ଫସଲର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଥାଏ ।  ଆଜୋଲାକୁ ଏକ ଆବଦ୍ଧ କୁଣ୍ଡ ମଧ୍ୟରେ ଚାଷ କରି ଉନ୍ନତ ମାନର ଆଜୋଲା କମ୍ପୋଷ୍ଟ ପ୍ରସ୍ତୁତ କରାଯାଇ ଅନ୍ୟାନ୍ୟ ଫସଲର ପ୍ରୟୋଗ କରିପାରିବେ । ସେଥିପାଇଁ ୨୦x ୨ ମିଟର ଆକାରରେ ଜମିରେ ହୁଡା ଦେଇ ୧୦ ସେ.ମି ପର୍ଯ୍ୟନ୍ତ ଠିଆ ପାଣି ରଖନ୍ତୁ । ସେଥିରେ ୪୦୦ ଗ୍ରାମ ରକ ଫସଫେଟ୍ ଓ ୪ ରୁ ୫ ଗ୍ରାମ ଗୋବର ମିଶାଇ ଚାରିଆଡେ ଛିଞ୍ଚି ଦିଅନ୍ତୁ ଓ ୧୦ କି. ଗ୍ରା. ଆଜୋଲା ଛାଡନ୍ତୁ । ୧୫ ଦିନ ପରେ ୪୦-୫୦ କିଗ୍ରା ଆଜୋଲା ଅମଳ ହୋଇପାରିବ । ଏହି ପ୍ରକ୍ରିୟା ଚାଲୁ ରଖିଲେ ବର୍ଷସାରା ଆଜୋଲାକୁ ଏକ କୁଣ୍ଡରେ ଜମା କରି ରଖିଲେ ତାହା ୭ ଦିନ ପରେ ସଢି ଖତରେ ପରିବର୍ତ୍ତନ ହୋଇଥାଏ । ଆଜୋଲା ଖତରେ ଶତକଡା ୩ ରୁ ୫ ଭାଗ ଯବକ୍ଷାରଜାନ, ୦.୫ ରୁ ୦.୮ ଫସଫରସ୍ ଓ ୨ ରୁ ୪ ଭାଗ ପଟାସ୍ ଖାଦ୍ୟସାର ଥାଏ ।

ନୀଳ ହରିତ ଶୈବାଳ (ବି. ଜି. ଏ )

ଏହା ମୁଖ୍ୟତଃ ଧାନ ଫସଲରେ ପ୍ରୟୋଗ କରାଯାଏ । ତାଛଡା କଦଳୀ, ସପୁରୀ  ଓ ଆମ୍ବ ଇତ୍ୟାଦି ଫଳ ଚାଷ ପାଇଁ ମାଟିର ଜୈବିକ ଅଂଶ ଓ ଜଳ ଧାରଣା ବୃଦ୍ଧି ପାଇଁ ବର୍ଷାଦିନେ ପ୍ରୟୋଗ କରାଯାଇପାରେ । ଧାନ ରୋଇବାର ୩-୪ ଦିନ ପରେ ହେକ୍ଟର ପ୍ରତି ୧୦-୧୨ କିଗ୍ରା ନୀଳ ହରିତ ଶୈବାଳ ପ୍ରୟୋଗ କଲେ ୨୦ରୁ ୨୫ ଦିନ ମଧ୍ୟରେ ତାହା ବଢିଥାଏ । କିଆରିରୁ ପାଣି କାଟି ଘାସ ବଛା ବଛି କାଲେ ଏହା ମାଟିରେ ମିଶି ପଚିଯାଏ । ଧାନ ରୋଇବାର ୨୦-୨୫ ଦିନ ପୂର୍ବରୁ କାଦୁଅ କରି ନୀଳ ହରିତ ଶୈବାଳ ବିହନ ମିଶାଇ ବା ଖତ ସହ ମିଶାଇ କିଆରୀରେ ବୁଣି ବେଉଷଣ ସମୟରେ ମାଟିରେ ମିଶାଇ ଦିଆଯାଇ ପାରିବ । ଏହି  ଶୈବାଳ ହେକ୍ଟର ପ୍ରତି ୨୦- ୩୦ କିଗ୍ରା ଯବକ୍ଷାରଜାନ ଦେବା ସହ ମାଟିର ଜୈବିକ ଅଂଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଫଳରେ ପରବର୍ତ୍ତୀ ଫସଲ ମଧ୍ୟ ଭଲ ହୁଏ ।  (ବି. ଜି. ଏ ) ମଞ୍ଜି ମଧ୍ୟ ଚାଷୀ ନିଜେ ଉତ୍ପାଦନ କରିପାରିବେ । ୬’x ୩’x ୯’ ଦସ୍ତା ବା ଲୁହା ବା ସିମେଣ୍ଟ ପାତ୍ରରେ ୧୦ କିଗ୍ରା ମାଟି, ୪୦ ଗ୍ରାମ ଚୂନ ଓ ୨୦୦ ଗ୍ରାମର ଫସଫେଟ୍ ପ୍ରୟୋଗ କରି ୨-୬” ପାଣି ଠିଆ କରି ସେଥିରେ ବି. ଜି.ଏ ପ୍ରୟୋଗ କରନ୍ତୁ । ୭ ଦିନ ମଧ୍ୟରେ ବି. ଜି.ଏ ବଢେ ଓ ୧୫ ଦିନ ପରେ ପାଣି କାଟି ଦେଇ ମାଟିକୁ ଶୁଖାଇ ଦିଅନ୍ତୁ । ମାଟି ଫାଟିଗଲେ ମାଟି ମିଶା  ବି. ଜି.ଏ.  ଖଣ୍ଡ ମାଟି ଉପରୁ ଖୁରୁପିରେ କାଢି ଜମିରେ ପ୍ରୟୋଗ କରି ପାରିବେ ବା ଅନ୍ୟକୁ ବିକ୍ରୟ କରିପାରିବେ । କୌଣସି ଜମି ଲାଗ ଲାଗ ତିନିଥର ବି. ଜି.ଏ. ପ୍ରୟୋଗ କଲେ ଆଉ ବି. ଜି.ଏ. ପ୍ରୟୋଗ କରିବାକୁ ପଡେ ନାହିଁ ।

ଜୀବାଣୁ ସାର

ଖତ, କମ୍ପୋଷ୍ଟ, ସବୁଜସାର ଛଡା ମାଟିର ଉର୍ବରତା ବୃଦ୍ଧି ପାଇଁ ଜୀବାଣୁ ସାର ପ୍ରୟୋଗ କରାଯାଇପାରେ । କେତେଗୁଡିଏ ଜୀବାଣୁ ଯବକ୍ଷାରଜାନ ବାୟୁମଣ୍ଡଳରୁ ସଂଗ୍ରହ କରି ମାଟିରେ ମିଶାନ୍ତି ଆଉ କେତେକ ଫସଫରସ୍ ଓ ପଟାସ୍ ଗଛକୁ ମିଳିବାରେ ସାହାଯ୍ୟ କରନ୍ତି । ଜୀବାଣୁ ସାରର ସୁଫଳ ପାଇବା ପାଇଁ ଅମ୍ଳମାଟିରେ ହେକ୍ଟର ପ୍ରତି ୨୫୦ କିଗ୍ରା ଚୂନ ଓ କ୍ଷୀର ମାଟିରେ ୨୫୦ କିଗ୍ରା ଜିପସମ୍ ପ୍ରୟୋଗ କରନ୍ତୁ ।

ଯବକ୍ଷାରଜାନ ଜୀବାଣୁ ସାର

ରାଇବୋଜିୟମ୍  : ୧୫ ରୁ ୨୦ ଗ୍ରାମ ରାଇବୋଜିୟମ୍ ଜୀବାଣୁ ୨୫ ରୁ ୩୦ ମିଲି ପାଣିରେ ଗୋଳାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ । ଶିମ୍ବ ଓ ଡାଲି ଜାତୀୟ ଫସଲ ପାଇଁ ୧ କିଗ୍ରା ମଞ୍ଜି ସହିତ ଏହି ଦ୍ରବଣ ମିଶାଇ ଛାଇ ସ୍ଥାନରେ ଶୁଖାଇ ଦିଅନ୍ତୁ ଓ ଥଣ୍ଡା ସମୟରେ ବୁଣନ୍ତୁ । ଭିନ୍ନ ଭିନ୍ନ ଫସଲ ପାଇଁ ଭିନ୍ନ ଭିନ୍ନ ରାଇବୋଜିୟମ୍ ବ୍ୟବହାର କରିବାକୁ ପଡେ । ଏହି ଜୀବାଣୁ ମାଟିରେ ହେକ୍ଟର ୩୦ ରୁ ୭୫ କିଗ୍ରା ପର୍ଯ୍ୟନ୍ତ ଯବକ୍ଷାରଜାନ ମିଶାଇଥାଏ ।

ଆଜୋଟୋବ୍ୟାକ୍ଟର ଓ ଆଜୋସ୍ମିରିଲମ୍

ଏହି ଜୀବାଣୁ ସାରକୁ ସମସ୍ତ ଫସଲରେ ପ୍ରୟୋଗ କରାଯାଇପାରେ । ୧ କିଗ୍ରା ମଞ୍ଜିରେ ୨୫ ରୁ ୩୦ ଗ୍ରାମ୍ ଏଜୋଟୋ ବ୍ୟାକ୍ଟର ବା ଆଜୋସ୍ମିରିଲମ୍ ପାଣିରେ ମିଶାଇ ଗୋଳାଇ ଛାଇରେ ଶୁଖାଇ ବୁଣନ୍ତୁ । ଆଳୁ, ଆଖୁ, ଅଦା, ହଳଦୀ, ସାରୁ ଇତ୍ୟାଦି ଫସଲ ପାଇଁ ହେକ୍ଟର ପ୍ରତି ୨.୫ କିଗ୍ରା ଜୀବାଣୁ ସାରକୁ ୨୦-୩୦ ଲିଟର ପାଣିରେ ଗୋଳି ବିହନକୁ ୧୦ ମିନିଟ ପାଣିରେ ବୁଡାଇ ଛାଇରେ ଶୁଖାଇ ଲଗାନ୍ତୁ । ବାଇଗଣ, ଲଙ୍କା, ଫୁଲକୋବି, ଓ ବନ୍ଧାକୋବି ଇତ୍ୟାଦି ପନିପରିବା ଚାରାକୁ ଭଲଭାବରେ ଧୋଇ ଜୀବାଣୁ କଲଚର ପାଣିରେ ୧୦ ମିନିଟ ପର୍ଯ୍ୟନ୍ତ ମୂଲକୁ ବୁଡାଇ ଲଗାଇଲେ ଅମଳ ବୃଦ୍ଧି ଘଟିଥାଏ, ସେଥିପାଇଁ ୧ କିଗ୍ରା ଜୀବାଣୁସାର ୫ ରୁ ୬ ଲିଟର ପାଣିରେ ଗୋଳେଇବାକୁ ହୁଏ । ଉପୋରୋକ୍ତ ପ୍ରଣାଳୀ ବ୍ୟତୀତ ଜୀବାଣୁ ସାର ହେକ୍ଟର ପ୍ରତି ୫ କିଗ୍ରା କୁ ୨୫୦ କିଗ୍ରା ଖତ ସହ ଗୋଳାଇ ଲଗାଇବା ପୂର୍ବରୁ ପ୍ରୟୋଗ କରିପାରନ୍ତି ।

ଫସଫରସ୍ ଜୀବାଣୁ ସାର

ଫସଫୋବ୍ୟାକ୍ଟରୀନ୍ ଜୀବାଣୁ ସାର ପ୍ରୟୋଗ କଲେ ଫସଲକୁ ଅଧିକ ମାତ୍ରାରେ ଫସଫରସ୍ ସାର ମିଳିଥାଏ, ଏହି ଜୀବାଣୁ ସାର ମଞ୍ଜି ସହ, ଚାରା ବୁଡାଇ ଓ ଖତରେ ମିଶାଇ ଉପୋରୋଲିଖିତ ପରିମାଣରେ ପ୍ରୟୋଗ କରାଯାଇ ଉତ୍ପାଦନ ବୃଦ୍ଧି କରାଯାଇପାରେ ।

ପଟାସ ଜୀବାଣୁ ସାର

ପଟାସ୍ ବ୍ୟାକ୍ଟେରିଆ ଦ୍ଵାରା ମାଟିରେ ଥିବା ପଟାସ୍ ସାର ଅଧିକ ମାତ୍ରାରେ ଗଛକୁ ମିଳିଥାଏ । ଏହାର ପ୍ରୟୋଗ ବିଧି ଯବକ୍ଷାରଜାନ ଜୀବାଣୁ ପରି ।

ଜୈବିକ ରୋଗ ଓ ପୋକ ପ୍ରତିରୋଧକ

ଲିମ୍ବ

ଲିମ୍ବ ଦ୍ଵାରା ବିଭିନ୍ନ ରୋଗ ପୋକ ଦୂରୀକରଣ କରାଯାଇପାରୁଛି । ଲିମ୍ବରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ରୋଗ ପୋକ ନିରୋଧକ ଏବେ ବଜାରରେ ମିଳିଲାଣି ।

୨୦ ଗ୍ରାମ ଚୋପାଛଡା ଲିମ୍ବମଞ୍ଜି ଗୁଣ୍ଡକରି ଏହାକୁ ଏକ କାନାରେ ବାନ୍ଧି ୬ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖନ୍ତୁ । ତା ପରେ ଲିମ୍ବଗୁଣ୍ଡକୁ ଭଲଭାବରେ ଚିପୁଡି ରସ ବାହାର କରି ୧ ଲିଟର ପାଣି କରି ସିଞ୍ଚନ କରନ୍ତୁ ।

୨୦ ମିଲି ଲମ୍ବ ତେଲକୁ ସାମାନ୍ୟ ସର୍ଫ ସହ ମିଶାଇ ଫେଣ କରି ଉକ୍ତ ଫେଣକୁ ୧ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ମାଟିରୁ କୃମି ମାରିବା ପାଇଁ ନିମ୍ବ ପିଡିଆ ବ୍ୟବହାର କରନ୍ତୁ । କଦଳୀ ଗଛ ପାଇଁ ୫୦ ଗ୍ରାମ, ହଳଦୀ ଓ ଅଦା ପାଇଁ ୨୫ ଗ୍ରାମ, ଟମାଟୋ ପାଇଁ ୧୫ ଗ୍ରାମ ହିସାବରେ ଲିମ୍ବପିଡିଆ ପ୍ରୟୋଗ କରି କୃମି ଓ ଜୀବାଣୁ ଜନିତ ରୋଗ ଦାଉରୁ ଫସଲକୁ ରକ୍ଷା କରନ୍ତୁ । ୧ କିଗ୍ରା ନିମ୍ବ ପିଡିଆ କୁ ୫ ଲିଟର ପାଣିରେ ୧୨ ଘଣ୍ଟା ଭିଜାଇ ଛାଣି ଗଛରେ ସିଞ୍ଚନ କରନ୍ତୁ ।

୨୦ ଗ୍ରାମ ଲିମ୍ବ ପତ୍ରକୁ ୧ ଲିଟର ପାଣିରେ ସିଝାଇ ପାଣିକୁ ଥଣ୍ଡା କରି ପତ୍ରରେ ଓ ମୂଳରେ ସିଞ୍ଚନ କରି ରୋଗ ଓ ପୋକ ଦାଉରୁ ଫସଲକୁ ରକ୍ଷା କରନ୍ତୁ ।

କରଞ୍ଜ

କରଞ୍ଜ  ପିଡିଆ ସୂତ୍ରଜୀବ ଓ ଜୀବାଣୁ ନାଶକ ଅଟେ । ହେକ୍ଟର ପ୍ରତି ୨.୫ ଟନ ହିସାବରେ ପ୍ରୟୋଗ କରାଯାଇ ଝାଉଁଳା  ରୋଗ ଓ ଅନ୍ୟାନ୍ୟ ପୋକ ଦୂର କରାଯାଏ ।

ଧୂଆଁପତ୍ର

୪୦୦ ଗ୍ରାମ ଧୁଆଁପତ୍ରକୁ ୬ ଲିଟର ପାଣିରେ ଗୋଟିଏ ଦିନ ଭିଜାନ୍ତୁ । ସାମାନ୍ୟ ଗରମ କରନ୍ତୁ ଓ ତାପରେ ଧୂଆଁପତ୍ର ଖଣ୍ଡକୁ ଚିପୁଡି ପାଣିକୁ ଛାଣି ଦିଅନ୍ତୁ । ୧ ଲିଟର ପାଣିରେ ୧୦୦ ଗ୍ରାମ ସାବୁନ୍ ଗୁଣ୍ଡ ଜରି ମିଶାଇ ଦିଅନ୍ତୁ । ସାବୁନ ପାଣିକୁ ଧୂଆଁପତ୍ର ପାଣିସାହ ମିଶାଇ ଘାଣ୍ଟନ୍ତୁ । ଉକ୍ତ ମିଶ୍ରଣକୁ ୫ ରୁ ୬ ଗୁଣ ପାଣିରେ ମିଶାଇ ଗଛ ପତ୍ରରେ ସିଞ୍ଚନ କାଲେ ପତ୍ର ଉକୁଣୀ, ଦହିଆ ପୋକ, ସାଂବାଳୁଆ ଇତ୍ୟାଦି ଦାଉରୁ ଫସଲକୁ ରକ୍ଷା କରାଯାଇପାରେ ।

ଡେରିସ୍

ଡେରିସ୍ ଚେରରେ ଶତକଡା ୪-୧୧% ରୋଟିନନ୍ ଥାଏ । ଏହି ଗଛର ଛେରକୁ ଗୁଣ୍ଡକରି ୧ ଲିଟର ପାଣିରେ ୦.୫ ଗ୍ରାମ ଗୁଣ୍ଡ ମିଶାଇ ପତ୍ର ସିଞ୍ଚନ କାଲେ ପୋକ ଦାଉରୁ ରକ୍ଷା ମିଳେ ।

ସୀତାଫଳ

ଏହାର ମଞ୍ଜି ଓ ପତ୍ରରେ ଲିନୋକ୍ଲେନ ଓ ଆନୋନାଇନ୍ ନାମକ ଆଲକାଲଏଡ୍ ଥାଏ । ଏହାର ମଞ୍ଜିକୁ ଗୁଣ୍ଡ କରି ୧ ଲିଟର ପାଣି ପ୍ରତି ୧୦ ଗ୍ରାମ ହିସାବରେ ମିଶାଇ ପତ୍ର ସିଞ୍ଚନ କଲେ କାଣ୍ଡବିନ୍ଧା ଓ ଶୋଷକ ପୋକ ଝିଣ୍ଟିକା ଦାଉରୁ ରକ୍ଷା ମିଳେ ।

ନାଗୁଆରୀ

ପତିଆ, ବାତ ଓ ରାସ୍ତା କଡ଼ରେ ଉଠିଥିବା ନାଗୁଆରୀ ଗଛରେ ପ୍ଲେଭୋନଏଡ, ଟ୍ରାଟରପେନଏଡ୍ ଏବଂ ଲାଣ୍ଟାନୀନ ପୋକନାସକ ପଦାର୍ଥ ଥିବାରୁ ଏହାର ପତ୍ର, ଫୁଲକୁ ଶୁଖାଇ ଗୁଣ୍ଡ କରି ପାଣିରେ ବତୁରାଇ ଗଛରେ ପ୍ରୟୋଗ କଲେ ପୋକ ଦାୟୁରୁ ଗଛକୁ ରକ୍ଷା କରାଯାଇପାରେ ।

ବଣତୁଳସୀ

ଏହି ଗଛ ରାସ୍ତାକଡ ଓ ପଡିଆ ଜାଗାମାନଙ୍କରେ ଉଠିଥାଏ । ଏହାକୁ ଶୁଖାଇ ଗୁଣ୍ଡକରି, ପାଣିରେ ଭିଜାଇ ପତ୍ର ସିଞ୍ଚନ କଲେ ଶୋଷକ ପୋକ ଦାଉରୁ ରକ୍ଷା ମିଳେ । ଗଛ ମୂଳ ଭିଜାଇଲେ ସୂତ୍ର ଜୀବ ଦାଉରୁ ରକ୍ଷା ମିଳେ ।

ବେଗୁନିଆ ଓ କୋଚିଳା ପତ୍ର

ମୁଗ, ବିରି ଇତ୍ୟାଦି ସାଇତି ରଖିବା ପାଇଁ ଏହାର ପତ୍ର, କାଣ୍ଡ ଓ ଡାଳକୁ ଶୁଖାଇ ବ୍ୟବହାର କରାଯାଏ ।

ସେବତୀ

ସେବତୀ ଗଛରେ  ଷ୍ଟାଚାଇଡ୍ରିନ୍ ନାମକ ଏକ ପୋକରୋଧକ ରାସାୟନିକ ପଦାର୍ଥ ପାଇରେଥ୍ରଏଡ୍ ଥାଏ । ଏହା ଦ୍ଵାରା ଛାରପୋକ, ପିମ୍ପୁଡି, ମାଛି, ଅସରପା, ମଶା, ଝିଣ୍ଟିକା, ପତ୍ରଉକୁଣୀ, ଦହିଆପୋକ ଦୂର କରାଯାଇପାରେ । ଏହାର ବିଷାକ୍ତ ପ୍ରଭାବ ବହୁ କମ ଦିନ ପାଇଁ ରହେ ।

ଲଙ୍କା

୧ ଲିଟର ପାଣିରେ ୧୦ ଗ୍ରାମ ହିସାବରେ ନାଲିଲଙ୍କା ଗୁଣ୍ଡ ମିଶାଇ ଶୋଷକପୋକ ଓ ଜଉପୋକ ଦମନ କରାଯାଏ । ଖାଦ୍ୟ ପଦାର୍ଥକୁ ସାଇତି ରଖିବା ପାଇଁ ଗୋଟା ଶୁଖିଲା ଲଙ୍କା ମିଶାଯାଏ ।

ପଶୁଜାତ ଦ୍ରବ୍ୟ

୧ ଲିଟର ପାଣିରେ ୧୦ଗ୍ରାମ କଞ୍ଚା ଗୋବର ମିଶାଇ ସିଞ୍ଚନ କଲେ ଧାନର ଜୀବାଣୁ ଜନିତ ପତ୍ର ପୋଡା ରୋଗ ଭଲ ହୁଏ । ଲୁହା ପାତ୍ରରେ ଗାଈ ମୁତକୁ ଏକ ସପ୍ତାହ ରଖି  ତାହାକୁ ୬ ଗୁଣ ପାଣି ମିଶାଇ ପତ୍ର ସିଞ୍ଚନ କାଲେ ପୋକ ରୋଗ କମ ହୁଏ ।

ଏହାଦ୍ଵାରା ଜୈବିକ ପ୍ରଣାଳୀରେ ହାତ ଦ୍ଵାରା, ଗଛକୁ ହଲାଇ, ଶସ୍ୟକୁ ପାଛୁଡି, ଚାଲୁଣିରେ ଚଳାଇ, ଗଛମୂଳରେ ୬ ଇଞ୍ଚ ଓସାରର ଆଲକାତରା ବା ଗ୍ରୀସ ବୋଳି, ଆଲୋକ ଜନ୍ତା ବସାଇ, ଫେରୋମୋନ୍ ଜନ୍ତା ବସାଇ ପୋକ ଓ କୀଟ ପତଙ୍ଗ ନିୟନ୍ତ୍ରଣ କରାଯାଏ ।

ପରାଶ୍ରୟୀ, ପରଭୋଜୀ କୀଟ ଓ ଅଣୂଜୀବ ସାହାଯ୍ୟରେ ମଧ୍ୟ ରୋଗ ପୋକ ଦମନ କରାଯାଏ । ଧାନ କିଆରିରେ ସଲପ ଡାଳ, ବୁଢିଆଣୀ ବସା ଥିବା ଡାଳ ପୋଡି ପୋକ ଦମନ କରାଯାଏ । କଜଳପାତି, କୁମ୍ଭାଟୁଆ, ବଗ ଇତ୍ୟାଦି ମଧ୍ୟ ବିଲ ରୁ ପୋକ ଦମନ କରିବାରେ ସାହାଯ୍ୟ କରିଥାନ୍ତି ।

ସୂର୍ଯ୍ୟ ରଶ୍ମିଦ୍ଵାରା ମାଟି ବିଶୋଧନ

ଜମିରେ ଜୀବାଣୁ ଓ ଫିମ୍ପି ଜନିତ ରୋଗ ପ୍ରାଦୁର୍ଭାବ ମାତ୍ରାଧିକ ହେଲେ ଜମିକୁ ବିଶୋଧନ କରି ମଞ୍ଜି ବା ଗଛ ଲଗାଇଲେ ରୋଗର ପାଦୁର୍ଭାବ କମିଥାଏ । ଏହି ପଦ୍ଧତିରେ ଖରାଦିନେ ଅସମୟରେ ହେଉଥିବା ବୃଷ୍ଟିପାତର ସୁଯୋଗ ନେଇ ବା ଜଳସେଚନ କରି ଜମିକୁ ଚାଷ କରି ଦିଆଯାଏ । ମାଟି ଓଦା ଥିଲା ବେଳେ ୨୫ ରୁ ୪୦ ବହଳର ଜରି ଦ୍ଵାରା ମାଟିକୁ ୬ ସପ୍ତାହ ପର୍ଯ୍ୟନ୍ତ ଘୋଡାଇ ରଖାଯାଏ । ସେଥିପାଇଁ ହେକ୍ଟର ପ୍ରତି ୨୫୦ ରୁ ୪୦୦ କି.ଗ୍ରା ଜାରି ଆବଶ୍ୟକ ହୋଇଥାଏ । ସାଧାରଣତଃ ସ୍ଵଚ୍ଛ ଜାରି ବ୍ୟବହାର କାଲେ ବିଶୋଧନ ପ୍ରକ୍ରିୟା ତୀବ୍ରତର ଓ ଅଧିକ ଗଭୀର ପର୍ଯ୍ୟନ୍ତ ହୋଇଥାଏ । ଜରିର ମୋଟେଇ ବଢିଲେ ବିଶୋଧନ ପ୍ରକ୍ରିୟା ଭଲ ହୁଏ ନାହିଁ । ଉକ୍ତ ଜରି ମଧ୍ୟ ଦେଇ ଆଲୋକ ମାଟି ମଧ୍ୟକୁ ପ୍ରବେଶ କରିଥାଏ ଓ ଏହା ଦ୍ଵାରା ମାଟିର ଉତ୍ତାପ ବଢିଥାଏ । ୨.୫  ଜାରି ବ୍ୟବହାର ଦ୍ଵାରା ମାଟିର ୬,୧୨ ଓ ୨୪ ସେ.ମି. ଗଭୀରତାରେ ଉତ୍ତାପ ଯଥାକ୍ରମେ ୧୫, ୧୦,ଓ ୩* ସେଣ୍ଟିଗ୍ରେଡ ବଢିଥାଏ ଫଳରେ ମାଟିରେ ଥିବା ଅନିଷ୍ଟକାରୀ ଜୀବାଣୁ ଗୁଡିକ ସହଜରେ ମରିଥାନ୍ତି । ଏହି ପଦ୍ଧତି ଦ୍ଵାରା ଶତକଡା ୧୦୦ ଭାଗ ରୋଗ ପ୍ରାଦୁର୍ଭାବ ମୁକ୍ତ କରାଯାଇପାରୁଥିବାରୁ ଲକ୍ଷ କରାଯାଇଅଛି । ଜମିକୁ ବିଶୋଧନ ପରେ ଜରିକୁ ଯତ୍ନର ସହ କାଢି ପୂନଃ ବ୍ୟବହାର ପାଇଁ ସାଇତି ରଖନ୍ତୁ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

2.9
ଶାନ୍ତନୁ କୁମାର ସାହୁ Jan 31, 2017 03:40 PM

ଆମେ କିପରି ଜୈବିକ ସାର କିପରି ପ୍ରସ୍ତୁତ କରିବା ଏହି ବାର୍ତ୍ତାରେ ଜାଣିବାକୁ ପାଇଲି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top