ହୋମ / କୃଷି / ଶସ୍ୟ ଉତ୍ପାଦନ / ଡାଲଚିନି ଚାଷ
ସେଆର କରନ୍ତୁ

ଡାଲଚିନି ଚାଷ

ଡାଲଚିନି ଗଛ ଚାଷ କିପରି କରିବେ ସେ ବିଷୟରେ ସୂଚନା ।

ଉପକ୍ରମ

ମସଲାଜାତୀୟ ଫସଲ ମଧ୍ୟରେ ଡାଲଚିନି ଅନ୍ୟତମ । ଡାଲଚିନି ଏକ ସାଧାରଣ ଉଚ୍ଚତା ବିଶିଷ୍ଟ ଚିରହରିତ ବୃକ୍ଷ ଅଟେ ।

ଶ୍ରୀଲଙ୍କା ତଥା ଦକ୍ଷିଣ ଭାରତରେ ଏହି ବୃକ୍ଷ ଅଧିକ ପରିମାଣରେ ଦେଖାଯାଏ ।  ଜାମାଇକା, ବ୍ରାଜିଲ ଓ ସେଚିଲସ ପ୍ରଭୃତି ଦେଶମାନଙ୍କରେ ଏହାକୁ ବହୁଳ ପରିମାଣରେ ଚାଷ କରାଯାଏ ।

ଡାଲଚିନି ଭାରତରେ ଦେଖାଯାଉଥିବା ୧୭ ପ୍ରକାର ମସଲା ଜାତୀୟ ବୃକ୍ଷ ମଧ୍ୟରୁ ଅନ୍ୟତମ । ଓଡିଶାର ସମସ୍ତ ଜିଲ୍ଲାରେ ଏବଂ ମୁଖ୍ୟତଃ ଉଚ୍ଚାଞ୍ଚଳରେ ଏହା ଲାଭଜନକ ଭାବେ ଚାଷ କରାଯାଇପାରିବ ।

ଜଳବାୟୁ

ଉଷ୍ଣ ଓ ଆଦ୍ର ଜଳବାୟୁ ଡାଲଚିନି ବୃକ୍ଷ ଚାଷ ପାଇଁ ଉପଯୁକ୍ତ ଅଟେ । ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ମଧ୍ୟ ଏହି ଗଛ ଭଲ ବଢିଥାଏ  । ସେଥିପାଇଁ ଦକ୍ଷିଣ ଭାରତରେ ଏହି ଗଛ ଅଧିକ ପରିମାଣରେ ଦେଖାଯାଇଥାଏ । ଗବେଷଣାରୁ ଉପଲ୍ଲବ୍ଧ ହୋଇଛି ଏହା ଓଡିଶାର ପାର୍ବତ୍ୟ ଅଞ୍ଚଳରେ ଓ ଉପକୂଳ ଅଞ୍ଚଳରେ ମଧ୍ୟ ଚାଷ କରାଯାଇପାରିବ। ମୃତ୍ତିକାକୁ ବିଚାର କଲେ ବାଲିଆ ଦୋରସା ଓ ହାଲୁକା ମାଟି ଡାଳଚିନି ଗଛ ପାଇଁ ଉପଯୁକ୍ତ ଅଟେ ।

ଚାରା ପ୍ରସ୍ତୃତି

ଡାଲଚିନି ଗଛର ମଞ୍ଜିଦ୍ଵାରା ନୂତନ ଗଛ ତିଆରି ହୁଏ । କିନ୍ତୁ ଏହି ଗଛର ଫୁଲରୁ ଫଳ ହେବାପାଇଁ ପ୍ରାୟ ସଂପୂର୍ଣ୍ଣ ପରାଗ ଉପରେ ନିର୍ଭର କରୁଥିବାରୁ ମଞ୍ଜିରୁ ତିଆରି ଭିନ୍ନ ଭିନ୍ନ ପ୍ରକାର ଓ ଗୁଣର ମସଲା ମିଳିଥାଏ । ଏଣୁ ଉପଯୁକ୍ତ ଗୁଣଥିବା କିସମ  ଗଛରୁ କଲମି କରି ନୂତନ ଗଛ ତିଆରି କରାଯାଇପାରେ  ଯାହାକି ତାର ମା ଗଛ ପରି ହୋଇଥାଏ । ତେଣୁ ଉନ୍ନତ ବିହନ ପାଇଁ ଉତ୍କୃଷ୍ଟ ଗଛ ମଧ୍ୟରେ ପରାଗ ସଙ୍ଗମ କରାଇ ମଞ୍ଜି ପ୍ରସ୍ତୁତ କରାଯିବ କିମ୍ବା କଲମୀରୁ ଗଛ ତିଆରି କରାଯାଏ ।

ପାକଳ ମଞ୍ଜିକୁ ସଙ୍ଗେ ସଙ୍ଗେ ପୂର୍ବ ପ୍ରସ୍ତୁତି ପଲିଥିନ ବ୍ୟାଗରେ ପୋତି ପାଣି ଦେଲେ ନୂତନ ଗଛ ୧୦-୧୫ ଦିନ ମଧ୍ୟରେ ବୃଦ୍ଧିପ୍ରାପ୍ତ ହୁଏ । ଡାଲଚିନି ଲଗାଯାଇଥିବା ଜମିରେ ପ୍ରଥମ ୨ ବର୍ଷ ପର୍ଯ୍ୟନ୍ତ ଦୁଇ ଗଛର ମଝିରେ ଖାଲିପଡିଥିବା ଜମିରେ ମୁଗ, ବିରି, ହରଡ, ଅଦା ଓ ହଳଦୀ ଆଦି ଚାଷ କରାଯାଇପାରିବ । ପ୍ରଥମ ବର୍ଷ ହରଡ ଗଛ ଲଗାଇ ଗଛକୁ ଛାଇ ଦେବା କିମ୍ବା ନଡାଛପର ଦେଇ ଖରା ତାପରୁ ରକ୍ଷା କରାଯାଏ  ।

କିସମ

ଭାରତୀୟ ମସଲା ଗବେଷଣା ଅନୁଷ୍ଠାନ, କାଳିକଟ୍ ଦ୍ଵାରା ୨ଟି କିସମ ଡାଲଚିନି ବ୍ୟବସାୟୀକ ଭିତ୍ତିରେ ଚାଷ ହେଉଛି । ସେଗୁଡିକ ହେଲା, ନବଶ୍ରୀ ଏବଂ ନିତ୍ୟାଶ୍ରୀ ।

ନବଶ୍ରୀ

କିସମ ଅଧିକ ଉନ୍ନତ ଧରଣର । ଏହି କିସମରୁ ବାର୍ଷିକ ୬ରୁ ୭ଟି ଡ଼ାଲ ମିଳିଥାଏ । ଅଧିକ ଅମଳ ଦେଉଥିବା ଏହି କିସମରୁ ୪୦.୬ ପ୍ରତିଶତ ଛେଲି ଉତ୍ପାଦିତ ହୋଇଥାଏ ।

ନିତ୍ୟଶ୍ରୀ

ଏହି କିସମରୁ ପ୍ରଥମ ଚାରିବର୍ଷରେ ହାରାହାରି ୫୪ କିଲୋଗ୍ରାମ ଶୁଖିଲା ଛେଲି ହେକ୍ଟର ପ୍ରତି ବାର୍ଷିକ ମିଳିପାରିବ । ଏହା ଉଭୟ ସମତଳ ଓ ଉଚ୍ଚାଞ୍ଚଳରେ ଖୋଲାରେ ଚାଷ କରାଯାଇପାରିବ ।

ଘାସ ବଛାବଛି ଓ ରୋଗପୋକ ନିୟନ୍ତ୍ରଣ

ଗଛ ଲଗାଇବାର ଏକମାସ ପରେ ଜମିକୁ ଖୁସାଇ ଘାସ ବାଛିବାକୁ ପଡେ ଏବଂ ପୂର୍ବପରି ଗଛ ପ୍ରତି ୫୦ ଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ  । ବର୍ଷାଦିନେ ଏହି ଚାରା ଗଛ ଗୁଡିକ ଶୀଘ୍ର ବଢିବାକୁ ଲାଗେ  । ମୌସୁମୀ ବର୍ଷା ପ୍ରାରମ୍ଭ ଓ ଶେଷରେ ଥରେ ଲେଖାଏଁ ଗଛ ମୂଳରୁ ୧/୨ ସିଫଟ ପରିମାଣରେ କମ୍ପୋଷ୍ଟ ଖତ ପ୍ରୟୋଗ କରିବା ଉଚିତ  । ପ୍ରତି ୧ ମାସ ଅନ୍ତରରେ ଯବକ୍ଷାରଜାନ ସାର ସମ ଅନୁପାତରେ ପ୍ରୟୋଗ କରାଯାଇପାରେ । ଡାଲଚିନି ଗଛରେ ବିଶେଷ ରୋଗପୋକ ଲାଗନ୍ତି ନାହିଁ କେବଳ କଅଁଳିଆ ପତ୍ରକୁ କ୍ୟାଟରପିଲର ଖାଇଯାଆନ୍ତି  । ଡ଼େମିକ୍ରେନ ୦.୩%ସ୍ପେକଲେ ଗଛ ସୁସ୍ଥ ରହେ ।

ଜମି ପ୍ରସ୍ତୁତି

ଏହାକୁ ଚାଷ କରିବା ପାଇଁ ସର୍ବପ୍ରଥମେ ଜମିକୁ ୩-୪ ଓଡ ଚାଷ କରିବାକୁ ହୁଏ । ଜମି ଚାଷ କରିବା ପରେ ପ୍ରତି ଧାଡିରୁ ଧାଡି ଓ ଗଛରୁ ଗଛ ୨ ମିଟର ବ୍ୟବଧାନରେ ୪୫x ୪୫x ୪୫ ସେମି ଲମ୍ବ ପ୍ରସ୍ଥ ଓ ଗଭୀର ଗାତ ଖୋଲାଯାଏ । ଖୋଲା ଯାଇଥିବା ମାଟି ସହିତ ପ୍ରତି ଗାତ ପିଛା ୪ କିଗ୍ରା ଖତ ମିଶାଇ ଦିଆଯାଏ । ଗାତଟିକୁ ପ୍ରଥମେ କିଛି ଶୁଖିଲା କୁଟା ଦେଇ ପୋଡି ଦିଆଯାଏ । ଖତମାଟି ମିଶାଇ ପୁନର୍ବାର ଗାତଟିକୁ ପୋତି ଦେବାକୁ ହୁଏ । ପ୍ରତି ଗାତରେ ୫୦ ଗ୍ରାମ ଯବକ୍ଷାରଜାନ ଓ ୩୦ ଗ୍ରାମ ପଟାସ ସାର ମିଶାଇ ଦିଆଯାଏ । ଏହା ସହିତ ୧୦ ଗ୍ରାମ ଆଲଡ୍ରିନ ଡଷ୍ଟ ପକାଇଲେ ଉଈ ଆକ୍ରମଣରୁ ରକ୍ଷା ମିଳେ ।  ଏକ ଏକରରେ ୬୦୦ ଚାରା କରାଯାଇପାରିବ ।

ଅମଳ

ସାଧାରଣତଃ ସେପ୍ଟେମ୍ବର ନଭେମ୍ବର ମଧ୍ୟରେ ପତ୍ରଗୁଡ଼ିକ ଲାଲ୍ ରଙ୍ଗରୁ ସବୁଜ ବର୍ଣ୍ଣ ଧାରଣ କରୁଥିବ ଓ ୨ ମିଟର ଉଚ୍ଚତା ବିଶିଷ୍ଟ ହୋଇଥିବା ସେହି ସମୟରେ ଅମଳ କରାଯାଇଥାଏ । ଅମଳ ହୋଇଥିବା କଟା ଡ଼ାଳରୁ ପାତ୍ର ଏବଂ ଅଗ୍ରଭାଗ ଆଲଗା କରି ବିଡ଼ା ବାନ୍ଧି ଦିଆଯାଏ ଏବଂ ପରେ ସେଗୁଡିକୁ ୧ ରୁ ୧.୨୫ ମିଟର ଲମ୍ବର ରଖି ଖଣ୍ଡ ଖଣ୍ଡ କରାଯାଏ । କଟା ହେବା ଦିନ ଡାଲଗୁଡିକରୁ ଛେଲି ବାହାର କରାଯାଏ । ଛେଲି ବାହାରିବା ପରେ ଥିବା ଅତି ପତଳା ଭିତର ଛେଲି ଅଂଶକୁ ମଧ୍ୟ ବାହାର କରାଯାଏ । ଗଛ କାଟିବା ପରେ ସେହି ସ୍ଥାନରୁ ପୁଣି ନୂଆ ଡ଼ାଲ ମାନ ବାହାରି ଥାଏ । ଗଛ ପ୍ରତି ୫ ରୁ ୮ ଟି ଡ଼ାଲ ରଖି ପୁଣି ୨ ଯ ବର୍ଷରେ ଡାଲଚିନି ଅମଳ କରାଯାଏ ।

ଆଧାର - କୃଷି ବ୍ୟୁରୋ

1.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top