ହୋମ / କୃଷି / ଶସ୍ୟ ଉତ୍ପାଦନ / ତୃଣକ ବୃଦ୍ଧି ଓ ନିୟନ୍ତ୍ରଣ
ସେଆର କରନ୍ତୁ

ତୃଣକ ବୃଦ୍ଧି ଓ ନିୟନ୍ତ୍ରଣ

ତୃଣକ ବୃଦ୍ଧି ଓ ନିବାରଣ କିପରି କରିବେ ସେ ସମ୍ବନ୍ଧରେ ସୂଚନା ।

ତୃଣକ ଓ ଫସଲ ମଧ୍ୟରେ ପ୍ରତିଯୋଗୀତା

ଉଦ୍ଭିଦ ଜଗତରେ ପ୍ରତ୍ୟକ ଉଦ୍ଭିଦ ବଢିବାର ବିଭିନ୍ନ ଆବଶ୍ୟକତା ପାଇଁ ପାର୍ଶ୍ଵ ଉଦଭିଆ ସହିତ ଅହରହ ସଂଗ୍ରାମରତ । ତୃଣକ ଓ ଫସଲ ମଧ୍ୟରେ ସର୍ବଦା ପୋଷକ ପଦାର୍ଥ ଜଳ ଓ ଆଲୋକ ପାଇଁ ପ୍ରତିଯୋଗୀତା ଲାଗି ରହିଛି । କୌଣସି ପରିବେଶ ପାଇଁ ତୃଣକ ଫସଲ ଗଛ ଠାରୁ ଅଧିକ ପ୍ରତିଯୋଜ୍ୟ । ମନୁଷ୍ୟର ହସ୍ତକ୍ଷେପ ବିନା ତୃଣକ ଫସଲ ଗଛକୁ ସହଜରେ ମୂଳପୋଛ କରି ଦେଇପାରିବ ।

ପୋଷକ ଉପାଦାନ ପାଇଁ ପ୍ରତିଯୋଗୀତା

ତୃଣକ ସାଧାରଣତଃ ଅଧିକାଂଶ ଫସଲ ଠାରୁ ପୋଷକ ଉପାଦାନ ଶୀଘ୍ର ଆବଶୋଷଣ କରେ ଏବଂ ନିଜ ଶରୀର ମଧ୍ୟରେ ଅଧିକ ପରିମାଣରେ ଗଚ୍ଛିତ କରିରଖେ । ଉଦାହରଣସ୍ୱରୂପ ବନଖଡାର ଶୁଷ୍କ ପଦାର୍ଥରେ ଶତକଡା ୩.୧୬ ଭାଗ ଯବକ୍ଷାରଜାନ, କଙ୍କଡା ଘାସର ଶୁଷ୍କ ପଦାର୍ଥରେ ଶତକଡା ୩.୩୬ ଭାଗ ଫସଫେଟ୍ ଓ ଲହଙ୍ଗୀର ଶୁଷ୍କ ପଦାର୍ଥରେ ଶତକଡା ୫.୮୧ ଭାଗ ପଟାସ୍ ଥାଏ ଅଥଚ ଧାନର ଶୁଷ୍କ ପଦାର୍ଥରେ ଶତକଡା ୧.୧୩ ଭାଗ ଯବକ୍ଷାରଜାନ, ୦.୩୪ ଭାଗ ଫସଫେଟ୍ ଓ ୧.୧୦ ଭାଗ ପଟାସ୍ ଏବଂ ଗହମର ଶୁଷ୍କ ପଦାର୍ଥରେ ଶତକଡା ୧.୩୩ ଭାଗ ଯବକ୍ଷାରଜାନ, ୦.୫୯ ଭାଗ ଫସଫେଟ୍ ଓ ୧.୪୪ ଭାଗ ପଟାସ ଥାଏ । ପୋଷକ ଉପାଦାନ ଅବଶୋଷଣ ଓ ଗଚ୍ଛିତ କରିବାରେ ଅଧିକ ଦକ୍ଷତା ସହିତ ତୃଣକ ଅଧିକ ପରିମାଣରେ ଶୁଷ୍କ ପଦାର୍ଥ ଉତ୍ପାଦନ କରିବାରେ ମଧ୍ୟ ସମର୍ଥ । ଫଳରେ ପ୍ରତି ଚାଷ ଋତୁରେ ତୃଣକ ବହୁଳ ପରିମାଣରେ ପୋଷକ ଉପାଦାନ ଅପସାରଣ କରିଥାଏ । ସମୟ ସମୟରେ ତୃଣକ ଦ୍ଵାରା ଅପସାରିତ ପୋଷକ ଉପାଦାନ ପରିମାଣ ଫସଲ ଦ୍ଵାରା ଅପସାରିତ ପରିମାଣର ଦୁଇଗୁଣ ହୋଇଥାଏ । ପରୀକ୍ଷା କରି ଦେଖାଯାଇଛି ଯେ, ଗୋଟିଏ ଘାସ ଅବଚ୍ଛା ଆଖୁ କ୍ଷେତରୁ ହେକ୍ଟର ପ୍ରତି ୧୬୨କି.ଗ୍ରା. ଯବକ୍ଷାରଜାନ, ୨୪ କି.ଗ୍ରା. ଫସଫେଟ୍ ଓ ୨୦୩ କି.ଗ୍ରା. ପଟାସ୍ ତୃଣକ ଦ୍ଵାରା ଅପସାରିତ ହୋଇଥାଏ ଅଥଚ ଫସଲ ଦ୍ଵାରା ୨୮ କି.ଗ୍ରା. ଯବକ୍ଷାରଜାନ ୧୭ କି.ଗ୍ରା. ଫସଫେଟ୍ ଓ ୬୨ କି.ଗ୍ରା. ପୋଟାସ୍ ଅପସାରିତ ହୋଇଥାଏ । ଅନାବନା ଗଛ ନିୟନ୍ତ୍ରଣ କଲେ ଆଖୁ ଅଧିକ ପରିମାଣରେ ପୋଷକ ଉପାଦାନ ଅପସାରଣ କରେ ।

ଜଳ ପାଇଁ ପ୍ରତିଯୋଗିତା

ଅନ୍ୟାନ୍ୟ ପ୍ରତିଯୋଗିତା ସହିତ ତୃଣକ ଓ ଫସଲ ମଧ୍ୟରେ ଜଳ ପାଇଁ ମଧ୍ୟ ପ୍ରତିଯୋଗିତା ହୋଇଥାଏ । ମାଟିର ଜଳୀୟ ଅଂଶ କମି ଗଲେ ଏହି ପ୍ରତିଯୋଗିତା ଅଧିକ ସଂକଟାପନ୍ନ ହୋଇଥାଏ । ସମପରିମାଣ ଶୁଷ୍କ ପଦାର୍ଥ ଉତ୍ପାଦନ ପାଇଁ ତୃଣକ ସାଧାରଣତଃ ଅଧିକାଂଶ ଫସଲ ଠାରୁ ଅଧିକ ଜଳ ଉତ୍ ସ୍ଵେଦନ କରିଥାଏ । ଉଦାହରଣ ସ୍ୱରୂପ ବଣଖଡା, ଡୁବ, ସୁଆଁ ଘରପୋଡିଆ ଓ ବିଶଲ୍ୟକରଣୀର ପ୍ରସ୍ଵେଦନାନୁପାତ ଯଥାକ୍ରମେ ୩୩୬,୮୧୩,୬୭୪, ୧୧୦୮ ଓ ୧୪୦୨ ଅଟେ । ଅଥଚ ମକା ଓ ଜୁଆରର ପ୍ରସ୍ଵେଦନାନୁପାତ ମାତ୍ରା ଯଥାକ୍ରମେ ୩୫୨ ଓ ୪୩୦ ଅଟେ । କେତେକ ତୃଣକର ବ୍ୟବହାରିକ ଜଳ ପରିମାଣ ମଧ୍ୟ ଫସଲର ବ୍ୟବହାରିକ ଜଳ ପରିମାଣ ଠାରୁ ଅଧିକ ଅଟେ । ତୃଣକ ମଧ୍ୟ ଅଧିକ ଗଭୀରତାକୁ ଜଳ ଆହରଣ କରିଥାଏ । ତେଣୁ ଘାସୁଆ ଫସଲ କ୍ଷେତରୁ ଘାସମୁକ୍ତ ଫସଲ କ୍ଷେତ ଠାରୁ ବାଷ୍ପ – ପ୍ରସ୍ଵେଦନ ଅଧିକ ହୁଏ ଏବଂ ଘାସୁଆ କ୍ଷେତ ଶୀଘ୍ର ଶୁଖିଯାଏ ।

ଆଲୋକ ପାଇଁ ପ୍ରତିଯୋଗିତା

ତୃଣକ ଓ ଫସଲ ମଧ୍ୟରେ ଆଲୋକ ପାଇଁ ପ୍ରତିଯୋଗିତା ହୋଇଥାଏ । ଏହି ପ୍ରତିଯୋଗିତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୁଏ ଯେତେବେଳେ ମୃତ୍ତିକାରେ ଜଳ ଓ ପୋଷକ ଉପାଦାନ ଯଥେଷ୍ଟ ପରିମାଣରେ ଥାଏ । ବିଲ ଅବଚ୍ଛା ରହିଲେ କେତେକ ତୃଣକ ଫସଲ ଠାରୁ ଉଚ୍ଚତାରେ ଅଧିକ ବଢନ୍ତି । ଫଳରେ ଫସଲକୁ ଯଥେଷ୍ଟ ପରିମାଣରେ ସୂର୍ଯ୍ୟାଲୋକ ମିଳିପାରେ ବଢି ପିଲ ଅବସ୍ଥାରୁ ଯଦି ଫସଲକୁ ଘୋଡାଇ ଦିଏ ତେବେ ଆଲୋକ ପାଇଁ ପ୍ରତିଯୋଗିତା ପ୍ରଥମରୁ ହିଁ ଆରମ୍ଭ ହୋଇଥାଏ ।

ଆଲିଲୋପାଥି

କେତେକ ତୃଣକ ଯଥା ମୁଥା, ଜଙ୍ଗଲୀ ଓଟ ଓ ଛପର ଘାସ ବିଷାକ୍ତ ପଦାର୍ଥ ଉତ୍ପନ୍ନ କରି ନିକଟବର୍ତ୍ତୀ ଫସଲର ଅଙ୍କୁରୋଦଗମ ଓ ବୃଦ୍ଧିକୁ ନିରୋଧ କରନ୍ତି । ଏହି ପ୍ରକ୍ରିୟାକୁ ଆଲିଲୋପାଥି କୁହାଯାଏ । ବିଷାକ୍ତ ପଦାର୍ଥ ଗଛରୁ ବାଷ୍ପ ଆକାରରେ ନିର୍ଗତ ହୋଇଥାଏ । ପତ୍ରରୁ ଝରିଥାଏ, ଚେରରୁ ନିର୍ଗତ ହୋଇଥାଏ କିମ୍ବା ମଲାଗଛର ଅପଘଟନରୁ ନିର୍ଗତ ହୋଇଥାଏ ।

ତୃଣକ – ଫସଲ ପ୍ରତିଯୋଗିତାରେ ସଂକଟ କାଳ

ଫସଲର ବୃଦ୍ଧି ଓ ବିକାଶ ବେଳେ ଯେଉଁ ନ୍ୟୁନତମ ସମୟକୁ ଘାସମୁକ୍ତ କରି ରଖିଲେ ସର୍ବାଧିକ ଲାଭ ମିଳେ ସେହି ସମୟରୁ ତୃଣକ ପାଇଁ ସଂକଟକାଳ କୁହାଯାଏ । ଫସଲକୁ ମୂଳରୁ ଶେଷଯାଏ ଘାସମୁକ୍ତ ପ୍ରାୟ ସେତିକି ଆଦାୟ ମିଳେ ବା ଆଦାୟ ବିଶେଷ କମେ ନାହିଁ ଏଣୁ ଅଧିକ ଆଦାୟ ପାଇବା ପାଇଁ ଘାସ ବାଛିବା ଯେପରି ଗୁରୁତ୍ଵପୂର୍ଣ୍ଣ ଠିକ୍ ସମୟରେ ଘାସ ବାଛିବା ସେହିପରି ଗୁରୁତ୍ଵପୂର୍ଣ୍ଣ । ଯେ କୌଣସି ସମୟରେ ଘାସବାଛି ତୃଣକ ପ୍ରତିଯୋଗିତାରୁ ଫସଲକୁ ରକ୍ଷା କରାଯାଇପାରେ ନାହିଁ । ବୁଣାଧାନରେ ଗଛ ଉଠିବାର ୧୦ – ୨୦ ଦିନ, ରୁଆଧାନରେ ୪ – ୬ ସପ୍ତାହ ଏବଂ ଆଉ ଥରେ ୧୦ ସପ୍ତାହ ବେଳ ସଂକଟ କାଳ । ମକାଗଛ ଉଠିବାର ପ୍ରଥମ ଦୁଇ ସପ୍ତାହ ଓ ଚିନାବାଦାମ ଗଛ ଉଠିବା ପରଠାରୁ ୬-୮ ସପ୍ତାହ ପର୍ଯ୍ୟନ୍ତ ସଂକଟ କାଳ ।

ତୃଣକର ପ୍ରଜନନ, ବଂଶ ବିସ୍ତାର ଓ ବିକ୍ଷେପଣ

ତୃଣକକୁ ସଫଳତାର ସହିତ ନିବାରଣ ଓ ନିୟନ୍ତ୍ରଣ କରିବା ପାଇଁ ଏହାର ପ୍ରଜନନ, ବଂଶ ବିସ୍ତାର ଓ ବିକ୍ଷେପ ପ୍ରଣାଳୀ ଜାଣିବା ଆବଶ୍ୟକ । ତୃଣକର ବଂଶ ବିସ୍ତାର (୧) ଲିଙ୍ଗୀ ଓ ଅଲିଙ୍ଗୀଜଣାଣ ଏବଂ (୨) ଅଙ୍ଗଜ ପ୍ରଣାଳୀରେ ହୋଇଥାଏ ।

ଲିଙ୍ଗୀ ଓ ଅଲିଙ୍ଗୀ ଜନନ

ଅଧିକାଂଶ ତୃଣକ ବୀଜ ଉତ୍ପାଦନ କରି ବଂଶ ବିସ୍ତାର କରନ୍ତି । କେତେକ ତୃଣକ ବିଶେଷ ଏକବର୍ଷୀ ତୃଣକ ବିପୁଳ ପରିମାଣର ବୀଜ ଉତ୍ପାଦନ କରନ୍ତି । ଉଦାହରଣ ସ୍ୱରୂପ ଗୋଟିଏ ଖଡାଗଛ ୧,୯୬,୦୦୦ ଗୋଟିଏ ବାଲୁ ବାଲୁକା ୧,୧୩,୦୦୦ ଓ ଗୋଟିଏ ମାଣ୍ଡିଆ ଘାସ ୪୧,୨୦୦ ମଞ୍ଜି ଉତ୍ପାଦନ କରନ୍ତି । ଏଣୁ ତୃଣକର ବଂଶ ବିସ୍ତାର ଦୃତ ଗତିରେ ବଢିଚାଲେ । ଏହା ଛଡା ତୃଣକ ବୀଜର ଅଙ୍କୁରଣ କ୍ଷମତା ଅନେକ ବର୍ଷ ପର୍ଯ୍ୟନ୍ତ ରହେ ଏବଂ ପ୍ରତ୍ୟକ ତୃଣକର ବୀଜ ବିକ୍ଷେପ ପାଇଁ କୌଣସି ନା କୌଣସି ବ୍ୟବସ୍ଥା ରହିଛି ।

କେତେକ ତୃଣକର ଯୁଗ୍ମକ ସଂଯୁଗ୍ମକ ହୋଇ ଅଥବା ଜନନ କୋଷ ମୂଳ ଗଛ ଠାରୁ ପୃଥକ ହୋଇ ରେଣୁ ଗଠନ କରି ବଂଶ ବିସ୍ତାର କରନ୍ତି । ଏ ପ୍ରକାର ତୃଣକର ଉଦାହରଣ ହେଲା ଶୈବାଳ, ଘୋଡାଲାଞ୍ଜି ଓ ଫର୍ଣ୍ଣ ।

ଅଙ୍ଗୀୟ ଜନନ

ଅଙ୍ଗଜ ପ୍ରଣାଳୀରେ ମା ଗଛର କିଛି ଅଂଶ ପୃଥକ ହୋଇ ନୂଆ ଗଛ ସୃଷ୍ଟି କରେ । ଏହି ପ୍ରକାର ବଂଶ ବିସ୍ତାର ମୁଖ୍ୟତଃ କନ୍ଦକାଣ୍ଡ ଦ୍ଵାରା ହୋଇଥାଏ । ବହୁବର୍ଷୀ ଘାସ, ମୁଥା ଜାତୀୟ ତୃଣକ, ସନ୍ତରା । କେତେକ ଓସାରିଆ ପତ୍ରୀ ତୃଣକ ଓ ଫର୍ଣ୍ଣର ବଂଶ ବିସ୍ତାର କନ୍ଦକାଣ୍ଡ ଦ୍ଵାରା ହୁଏ । କନ୍ଦକାଣ୍ଡ ଛଡା ଆଖି ଟିଉବର ବା କଳା, ପୁଆ ବଲ୍ ବ ଏବଂ ଚେର ଦ୍ଵାରା ମଧ୍ୟ ତୃଣକର ଅଙ୍ଗଜ ବିସ୍ତାର ହୁଏ । ଅଙ୍ଗଜ ବଂଶ ବିସ୍ତାର ପ୍ରଣାଳୀ ଗୋଟିଏ ତୃଣକକୁ ସାଂଘାତିକ ଅନିଷ୍ଟକର କରିଥାଏ । କାରଣ ମା ଗଛରୁ ପୃଥକ ହୋଇଥିବା ଅଂଶ ନୂଆଗଛ ସୃଷ୍ଟି କରିଥାଏ । କର୍ଷଣ ଦ୍ଵାରା ଏହି ପ୍ରକାର ତୃଣକର ବିକ୍ଷେପ ହୋଇଥାଏ ।

ତୃଣକର ବିକ୍ଷେପଣ

ପ୍ରାକୃତିକ ଉପାୟରେ ତୃଣକର ପରିପକ୍ଵ ବୀଜ ଓ ଜୀବିତ ଅଂଶର ବିକ୍ଷେପଣ ହୋଇଥାଏ । ନଚେତ୍ ତୃଣକ ଆଦି ସର୍ବବ୍ୟାପୀ ହୋଇନଥାନ୍ତା କିମ୍ବା ତେଜରେ ବଢୁନଥାନ୍ତା ।

  1. ଫଳ ଓ ମଞ୍ଜି ବିକ୍ଷେପଣ
  2. ତୃଣକ ପରିପକ୍ଵ ହେଲେ କିଛି ଫଳ ଓ ମଞ୍ଜି ମା’ ଗଛ ନିକଟରେ ପଡେ, କିଛି ଫସଲ କାଟିବା ବେଳେ ଫସଲ ସହିତ ମିଶି ସ୍ଥାନାନ୍ତରିତ ହୁଏ ଏବଂ ଆଉ କିଛି ମା’ ଗଛ ଠାରୁ ଅଳ୍ପ ବା ବହୁ ଦୂରକୁ ବାୟୁ, ଜଳ, ଜୀବଜନ୍ତୁ, ମନୁଷ୍ୟ ଓ ଖତସାର ଦ୍ଵାରା ବିକ୍ଷେପିତ ହୁଏ ।

    ବାୟୁଦ୍ଵାରା ବିପେକ୍ଷିତ ହେଉଥିବା ତୃଣକର ଫଳ ଏବଂ ମଞ୍ଜିରେ କେତେକ ସ୍ଵତନ୍ତ୍ର ଅଙ୍ଗ ଥାଏ । ଯାହାକି ଫଳ ଓ ମଞ୍ଜିକୁ ଉଡାଇ ରଖେ । ବଣ କୁସୁମୀର ବିକ୍ଷେପଣ ବାୟୁ ଦ୍ଵାରା ହୋଇଥାଏ ।

    ପାଣିଘାସ ମୁଖ୍ୟତଃ ଜଳଦ୍ଵାରା ବିକ୍ଷେପିତ ହୋଇଥାଏ । ସ୍ଥଳ ଘାସର ମଞ୍ଜି ମଧ୍ୟ ଅନେକ ସମୟରେ ଜଳସେଚନ ଓ ନିଷ୍କାସନ ନାଳୀରେ ଜଳ ଦ୍ଵାରା ବାହିତ ହୋଇ ବିପେକ୍ଷିତ ହୋଇଥାଏ ।

    କେତେକ ତୃଣକର ଫସଲକୁ ପ୍ରାଣୀ ମାନେ ଖାଆନ୍ତି ଏବଂ ଏହାର କିଛି ଅଂଶ ମଳରେ ତ୍ୟାଗ କରନ୍ତି । କେତେକ ତୃଣକର ଫଳ ଓ ମଞ୍ଜି ପକ୍ଷୀ ମାନଙ୍କର ଥଣ୍ଟ, ଡେଣା ଓ ଗୋଡରେ ଲାଗି ଅନ୍ୟ ସ୍ଥାନରେ ଯାଇ ପଡେ। ଗୃହପାଳିତ ପଶୁ ସେମାନଙ୍କ ଚର୍ମ, ଲୋମ ଓ ଖୁରାରେ ତୃଣକର ଫଳ ଓ ମଞ୍ଜିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୋହି ନିଅନ୍ତି । ଏପରିକି ପିମ୍ପୁଡି ମଧ୍ୟ ବିପୁଳ ପରିମାଣ ଲୋଭନୀୟ ମଞ୍ଜିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ବୋହି ନେଇଥାଏ ।

    ମନୁଷ୍ୟ ନିଜର ଅସାବଧାନତା ହେତୁ ମଧ୍ୟ ଅନେକ ତୃଣକର ବିକ୍ଷେପଣ କରିଥାଏ । କୃଷି ଯନ୍ତ୍ରପାତିକୁ ସଫା ନକରି ବ୍ୟବହାର କରିବା ଦ୍ଵାରା ଅନେକ ତୃଣକ ମଞ୍ଜିକୁ ଗୋଟିଏ ବିଲରୁ ଆଉ ଗୋଟିଏ ବିଲକୁ ନଯାଇଥାଏ । କେତେକ ତୃଣକର ଫଳ ଓ ମଞ୍ଜି ଉତ୍ପନ୍ନ ଦ୍ରବ୍ୟ ସହିତ ମିଶି ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯାଇଥାଏ । ବିଶେଷ କରି ଯେଉଁ ସବୁ ତୃଣକ ଫସଲ ସହିତ ଏକ ସମୟରେ ପରିପକ୍ଵ ହୁଏ, ଫସଲ ଗଛ ସହିତ ସମାନ ଉଚ୍ଚ ହୋଇ ବଢେ ଏବଂ ଫଳ ଓ ମଞ୍ଜୀର ଆକାର ଓ ପରିମାଣରେ ଫସଲ ସହିତ ମେଳ ଖାଉଥାଏ । ସେ ପ୍ରକାର ତୃଣକରେ ଉପରୋକ୍ତମତେ ବୀଜ ବିକ୍ଷେପଣ ହୋଇଥାଏ । ରାହାଡି ବାଳୁଙ୍ଗା, ସ୍ଵର୍ଣ୍ଣଲତା, ଜଙ୍ଗଲ ଓଟର ବୀଜ ବିକ୍ଷେପଣ ଫସଲ ମଞ୍ଜି ସହିତ ମିଶିକରି ହୋଇଥାଏ ।

    ତୃଣକ ବ୍ୟାପିବାରେ ଖତ ମଧ୍ୟ ଏକ ପ୍ରଧାନ ଉତ୍ସ । କାରଣ ଗୃହପାଳିତ ପଶୁର ଅନେକ ତୃଣକ ମଞ୍ଜି ଅଙ୍କୁରଣ କ୍ଷମ ଅବସ୍ଥାରେ ଥାଏ । ତା’ଛଡା ତୃଣକର ପରିପକ୍ଵ ଗଛକୁ ସିଧାସଳଖ ଖତ ଗଦାରେ ମଧ୍ୟ ପକାଯାଇଥାଏ । ଖଣି ପକା ଘାସ ଏବଂ ଶୁଷ୍କ ଘାସରେ ମଧ୍ୟ ଅନେକ ପରିମାଣର ଅଙ୍କୁରଣକ୍ଷମ ତୃଣକ ବୀଜ ଥାଏ ।

  3. ଅଙ୍ଗୀୟ ବିସ୍ତାର
  4. ତୃଣକର ଅଙ୍ଗୀୟ ବିସ୍ତାର ପାଇଁ ଅସାବଧାନ ଚାଷ ହିଁ ମୁଖ୍ୟତଃ ଦାୟୀ । କର୍ଷଣ, କଳକାଣ୍ଡ ଓ ଟିଉବର ଆଦି ତୃଣକର ଭୂମିମ୍ନ ଅଂଶକୁ ମୂଳ ଗଛ ଠାରୁ ପୃଥକ କରି ଅଣଉପଦ୍ରୁତ ଅଞ୍ଚଳକୁ ନେଇଯାଇଥାଏ । ଯେଉଁଠି ତୃଣକ ତାର ଉପନିବେଶ ଷ୍ଠାମନ କରିଥାଏ । ତଳିଦ୍ୱାରା ଅନେକ ସମୟରେ ତୃଣକର କଳକାଣ୍ଡ ଓ ମଞ୍ଜି ବିସ୍ତାରିତ ହୋଇଥାଏ । ସୁଆଁର ଧାନ ଗଛ ସହିତ ସାମଞ୍ଜସ୍ୟ ଥାଏ । ଯେ ଅନେକ ସମୟରେ ଧାନତଳି ସହିତ ସୁଆଁ ବି’ ବହୁତ ପରିମାଣରେ ଜମିରେ ରୁଆଯାଇଥାଏ । ଜଳସ୍ରୋତ, ନୌକା ଓ ଜାହାଜ ଦ୍ଵାରା ପାଣି ଘାସ ବିସ୍ତାରିତ ହୋଇଥାଏ । ମନୁଷ୍ୟ କେତେକ ଗଛକୁ ଘରର ସୌନ୍ଦର୍ଯ୍ୟବର୍ଦ୍ଧନ ପାଇଁ ଲଗାଇଥାଏ । ଶେଷରେ ସେହି ଗଛ ତୃଣକ ହୋଇ ସମସ୍ୟା ସୃଷ୍ଟି କରେ। ବିଲାତିଦଳ ଓ ନାଗୁଆରୀ ଏହିପରି ଦୁଇଟି ତୃଣକର ଉଦାହରଣ ।

ତୃଣକର ସ୍ଥାୟିତ୍ଵ

ଫସଲ ଚାଷ କରିବା ପୂର୍ବରୁ ତୃଣକ ଥିଲା ଏବଂ ଏବେବି ତୃଣକ, ବୋଧହୁଏ ଅଧିକ ସଂଖ୍ୟାରେ ଏବଂ ଅଧିକ ଶକ୍ତି ସମ୍ପନ୍ନ ହୋଇରହିଛି । ଏଥିରୁ ସୂଚନା ମିଳେ ଯେ ପ୍ରକୃତିରେ ତୃଣକର ସ୍ଥାୟିତ୍ଵ ଅଧିକ । ଯଦି ତୃଣକ ଓ ଫସଲକୁ ମିଶାମିଶି ହୋଇ ଛାଡି ଦିଆଯିବ, ଅଚିରେ ସବୁଆଡେ ତୃଣକ ଭରିଯିବ ଏବଂ ଫସଲର ନାମଗନ୍ଧ ରହିବ ନାହିଁ । ତୃଣକର ସ୍ଥାୟିତ୍ଵ ଅଧିକ ହେବାର ଅନେକ କାରଣ ରହିଛି ।

  1. ବିପୁଳ ପରିମାଣ ବୀଜ ଉତ୍ପାଦନ
  2. ଅନେକ ତୃଣକ ବିପୁଳ ପରିମାଣ ବୀଜ ଉତ୍ପନ୍ନ କରନ୍ତି । ଉଦାହରଣସ୍ୱରୂପ ଗୋଟିଏ ସ୍ଵର୍ଣ୍ଣଲତା, ବଣୁଆ ଏବଂ ଖଡା ଶାଗ ଗଛର ବୀଜ ଉତ୍ପାଦନ କ୍ଷମତା ଯଥାକ୍ରମେ ୧୬,୦୦୦, ୭୨,୦୦୦ ଓ ୧,୯୬,୦୦୦ ଅଟେ ।

    ଏଣୁ ଯେ କୌଣସି ନିୟନ୍ତ୍ରଣ ପଦ୍ଧତି ଅବଲମ୍ବନ କଲେ ବି’ ଜମିରେ ଯଦି କେତୋଟି ତୃଣକ ଗଛ ବଞ୍ଚିଯାଏ । ବର୍ଷ ବର୍ଷ ଧରି ବଂଶ ବଞ୍ଚେଇ ରଖିବା ପାଇଁ ସେମାନେ ଯଥେଷ୍ଟ ବୀଜ ଉତ୍ପାଦନ କରନ୍ତି । ତା’ଛଡା ସମ୍ପୂର୍ଣ୍ଣ ପରିପକ୍ଵ ହେବା ପୂର୍ବରୁ କାଟି ନେଲେ ବି ତୃଣକ ଅଙ୍କୁରଣକ୍ଷମ ବୀଜ ଉତ୍ପନ୍ନ କରେ ଏବଂ ପ୍ରତିକୂଳ ପରିସ୍ଥିତିରେ ତୃଣକ ଆଗୁଆ ଫୁଲଧରି ବୀଜ ସୃଷ୍ଟି କରିଥାଏ । ଅର୍ଥାତ୍ ଯେକୌଣସି ପ୍ରାକୃତିକ ବିପତ୍ତି ପଡିଲେ ମରିବା ପୂର୍ବରୁ ତୃଣକ ନିଶ୍ଚୟ କିଛି ବୀଜ ଉତ୍ପନ୍ନ କରିବ ।

  3. ନିଷ୍କ୍ରିୟତା
  4. ଅନେକ ବୀଜ ଓ ଆଖିର ଜୀବନ ଥିଲେବି ଅନୁକୂଳ ପରିବେଶରେ ଅଙ୍କୁରିତ ହୁଅନ୍ତି ନାହିଁ । ବୀଜ ଓ ଆଖିର ଏହି ଅବସ୍ଥାକ ନିଷ୍କ୍ରିୟତା କୁହାଯାଏ । ନିଷ୍କ୍ରିୟତା ହେତୁ ମାଟି ଭିତରେ ପୋତି ହୋଇଥିବା ଅନେକ ପ୍ରକାର ତୃଣକର ମଞ୍ଜି ବହୁବର୍ଷ ବଞ୍ଚି ରହନ୍ତି ଏବଂ ଫସଲ କ୍ଷେତରେ ତୃଣକର ଏକ ନିରନ୍ତର ଉତ୍ସ ହୁଅନ୍ତି । ଯଦି ସବୁତକ ତୃଣକ ମଞ୍ଜି ଏକ ସମୟରେ ଅଙ୍କୁରିତ ହୁଅନ୍ତା ତେବେ ତୃଣକକୁ, ସହଜରେ ନିୟନ୍ତ୍ରଣ କରାଯାଇପାରନ୍ତା ଏବଂ ତୃଣକର ବଂଶକୁ ଲୋପ କରିହୁଅନ୍ତା । କିନ୍ତୁ ନିଷ୍କ୍ରିୟତା ହେତୁ ନିୟୁତ ନିୟୁତ ତୃଣକ ବୀଜ ମାଟିରେ ଗଚ୍ଛିତ ହୋଇରହେ ଏବଂ ବର୍ଷ ପରେ ବର୍ଷ ଥର ଥର ହୋଇଉଠେ । ସେଥି ପାଇଁ କୁହାଯାଇଥାଏ । “ଏକ ବର୍ଷର ମଞ୍ଜି ଝଡା, ସାତ ବର୍ଷର, ଘାସ ବଛା” ।

  5. ଅଙ୍ଗୀୟ ଜନନ
  6. ବହୁବର୍ଷ ଜୀବି ତୃଣକର କଳକାଣ୍ଡ ଆଦି ମାଟିର ୧ ମିଟର ତଳେ ବି ରହିଥାଏ । ମାଟି ଉପର ଅଂଶକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଲେ ବି ଏହି କଳକାଣ୍ଡ ବର୍ଷ ବର୍ଷ ଧରି ତୃଣକରି ବଞ୍ଚାଇ ରଖେ ।

  7. ବିକ୍ଷେପଣ
  8. ବିକ୍ଷେପଣ ତୃଣକ ସ୍ଥାୟିତ୍ଵର ଏକ ପ୍ରଧାନ ଉପାୟ । ବିକ୍ଷେପଣ ଦ୍ଵାରା ତୃଣକ ବୀଜ ବିଭିନ୍ନ ପରିବେଶରେ ପଡିଥାଏ ଏବଂ ନିଜପାଇଁ ଅଧିକ ଅନୁକୂଳ ପରିବେଶ ବାଛି ନେଇଥାଏ।

  9. ଅନ୍ତର୍ନିହିତ କଠିନତା
  10. ପ୍ରକୃତିର ବିଭିନ୍ନତା ଯଥା ଅତ୍ୟଧିକ ଉତ୍ତାପ ବା ଥଣ୍ଡା, ମରୁଡି, ଜୈବଚାପ ଓ ଅସ୍ଵାଭାବିକ ମୃତ୍ତିକା ସତ୍ତ୍ୱେ ବଞ୍ଚି ରହିବା ପାଇଁ ତୃଣକର ଅନ୍ତର୍ନିହିତ ଶକ୍ତି ରହିଛି । ଅତ୍ୟଧିକ ତୁଷାରପାତ ହେଲେ ତୃଣକ ପୋଡିଯାଏ ନାହିଁ କିମ୍ବା ପୋକ ରୋଗ ଯୋଗୁ ଧ୍ଵଂସ ପାଏନାହିଁ । ମୃତ୍ତିକାର ଖଣିଜ ଉପାଦାନ ପରିମାଣ ଅସ୍ଵାଭାବିକ ଥିଲେ ବି ତୃଣକ ଉଦ୍ଭିଦ ପୋଷାକର ଅଭାବ ବା ଆଧିକ୍ୟଜନିତ ଲକ୍ଷଣ ପ୍ରକାଶ କରେ ନାହିଁ । ନିମ୍ନମାନର ଜଳ ଯାହା ଫସଲ ପାଇଁ ଅନୁପଯୁକ୍ତ ତାହା ତୃଣକର କିଛି କ୍ଷତି କରେନାହିଁ । ବାସ୍ତବିକ ମାଟି ଓ ଜଳର ଅସ୍ଵାଭାବିକ ଅବସ୍ଥା ଯୋଗୁଁ ଫସଲ ବଢିନପାରି ମରିଗଲେ ତୃଣକ ଅଧିକ ତେଜରେ ବଢି ଫାଙ୍କା ଜାଗାକୁ ଦାଖଲ କରିନିଏ ।

  11. ଧ୍ଵଂସ ଏଡେଇବା
  12. ଅନେକ ତୃଣକ କଣ୍ଟାଯୁକ୍ତ, ପିତା, ଅରୁଚିକର ଗନ୍ଧ ବିଶିଷ୍ଟ ହୋଇଥିବାରୁ ଏବଂ ଫସଲ ଗଛ ପରି ଦେଖାଯାଉଥିବାରୁ ପ୍ରାଣୀ ଓ ମନୁଷ୍ୟ ଦ୍ଵାରା ଧ୍ଵଂସ ପାଇବାରୁ ରକ୍ଷା ପାଆନ୍ତି ।

  13. ସ୍ଵ - ପୁନର୍ଜନନ
  14. ତୃଣକ ସ୍ଵ - ବୁଣା ଗଛ ଅଟେ । ଏହାର ଅଙ୍କୁରଣ ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇଥିବା କୃତ୍ରିମ ତଳିଘରାର ଆବଶ୍ୟକତା ନାହିଁ । ମା ଗଛରୁ ବିଚ୍ୟୁତ ତୃଣକ ବୀଜ ଅନୁକୂଳ ପରିବେଶ ପାଇଲେ ଚାଷ ହୋଇନଥିବା ଜମିରେ ବି ଘଞ୍ଚ ହୋଇଉଠେ।

  15. ତୃଣକ ସଂଖ୍ୟାର ପ୍ରଭାବ
  16. ପୃଥିବୀ ପୃଷ୍ଠରେ ୩୦,୦୦୦ର ଅଧିକ ଜାତିର ତୃଣକ ରହିଛି । ଏହିସବୁ ତୃଣକର ଅନୁକୂଳତମ ମୃତ୍ତିକା ଓ ଜଳବାୟୁ ଆବଶ୍ୟକତାରେ ପାର୍ଥକ୍ୟ ରହିଛି । ଏଣୁ ସ୍ଥଳ ଓ ଜଳଭାଗର ଯେ କୌଣସି ପରିବେଶକୁ ଗୋଟିଏ ବା ଅଧିକ ଜାତିର ତୃଣକ ଦକ୍ଷତାର ସହିତ ବିନିଯୋଗ କରିପାରିବ ।

  17. କୃଷି – ପାରିସ୍ଥିତିକ ତୃଣକ ପ୍ରକାର
  18. ସର୍ବଦା ଏକ ପ୍ରକାର କୃଷି ପଦ୍ଧତି ଅବଲମ୍ବନ କରିବା ଦ୍ଵାରା ପାରିସ୍ଥିତିକ ତୃଣକ ପ୍ରକାର ସୃଷ୍ଟି ହୋଇଛି । ଯାହାକୁ ନିୟନ୍ତ୍ରଣ କରିବା କଠିନ ହୋଇପଡୁଛି ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.09090909091
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top