ହୋମ / କୃଷି / ଶସ୍ୟ ଉତ୍ପାଦନ / ଦୀର୍ଘସ୍ଥାୟୀ ଜୈବିକ କୃଷି ଓ କୃଷିନୀତି
ସେଆର କରନ୍ତୁ

ଦୀର୍ଘସ୍ଥାୟୀ ଜୈବିକ କୃଷି ଓ କୃଷିନୀତି

୨୦୧୬-୧୭ କେନ୍ଦ୍ରୀୟ ବଜେଟରେ ସରକାର କୃଷି ଓ କୃଷକର ଉନ୍ନତିକଳ୍ପେ ଅନେକ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି ।

କୃଷି ବଜେଟ

୨୦୧୬-୧୭ କେନ୍ଦ୍ରୀୟ ବଜେଟରେ ସରକାର କୃଷି ଓ କୃଷକର ଉନ୍ନତିକଳ୍ପେ ଅନେକ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି । ଆଗାମୀ ୩ବର୍ଷରେ ୨ଲକ୍ଷ ହେକ୍ଟର ଫସଲକୁ ଜୈବିକ ପଦ୍ଧତିରେ ଚାଷ କରିବା ଲାଗି ବ୍ୟବସ୍ଥା ଅଛି । ଅନ୍ୟ ଦିଗରେ ଅମଳ ବୃଦ୍ଧି ନିମିତ ଜିନିୟ ପରିବର୍ତ୍ତିତ ଫସଲ ପ୍ରସାରର ଉଦ୍ଦେଶ୍ୟ ମଧ୍ୟ ରଖିଛନ୍ତି , ଯାହା କ୍ଷତିକାରକ ବୋଲି ବହୁ ବୁଦ୍ଧିଜୀବୀଙ୍କ ମତ । ଏଠି ସହ ରାସାୟନିକ ସାର ପ୍ରୟୋଗ କରି କୃଷି ଉତ୍ପାଦନ ବୃଦ୍ଧିର ଲକ୍ଷ ରହିଛି । ଏହି ପରସ୍ପର ବିରୋଧୀ କୃଷି ଭିତ୍ତିକ କାର୍ଯ୍ୟ କଳାପ ଯୋଗୁଁ ଜୈବିକ କୃଷି କୋଣଠେସା ହୋଇ ହାତ ଗଣତି କେତୋଟି ସ୍ଥାନରେ ସୀମିତ ରହିଯିବାର ସନ୍ଦେହ ହୁଏ । ତେଣୁ ଜୈବିକ କୃଷି-ଯାହା ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଥାଏ । ତଥା ନିରାପଦ ଖାଦ୍ୟ ବ୍ୟବସ୍ଥା କରିଥାଏ । ତାହାର ସକଳ ରୂପାୟନ କରିବାକୁ ହେଲେ ଆଜିର କୃଷିନୀତିରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହା ମଧ୍ୟ ଆମ ରାଜ୍ୟ ପାଇଁ ପ୍ରଯୁଜ୍ୟ ।

ଜୈବିକ କୃଷି

ଏହି ପରିପ୍ରେକ୍ଷୀରେ ଜୈବିକ କୃଷିର ଆବଶ୍ୟକତା ସହ କେତେକ ସଫଳ କାହାଣୀର ଏଠାରେ ଅବତାରଣା କରିବା ଉଚିତ ମଣୁଛି । ଆଜିର ଦିନରେ କୃଷିରେ ମାତ୍ରାଧିକ ରାସାୟନିକ ପ୍ରୟୋଗର କୁ ପରିଣାମ ବିଷୟରେ ସମସ୍ତେ ଅଳ୍ପେ ବହୁତେ ଅଙ୍ଗେ ଲିଭାଇଛନ୍ତି । ତେଣୁ ଅନେକ ଚାଷୀଭାଇ ବିକଳ୍ପ ବୈଷୟିକ ଜ୍ଞାନ ପ୍ରତି ଆଗ୍ରହୀ । ରାସାୟନିକ ସାର ବ୍ୟବହାର କମାଇ ଏପରିକି ସମ୍ପୁର୍ଣ୍ଣ ବନ୍ଦ କରି ସେମାନେ ଅଧିକରୁ ଅଧିକ ପ୍ରାକୃତିକ ସମ୍ବଳ ତଥା ଜୈବିକ ଉପାଦାନ ମାନ ବ୍ୟବହାର କରି ଭଲ ଅମଳ ପାଇବା ପାଇଁ ଆସା ବାନ୍ଧିଛନ୍ତି । ଏହାଦ୍ୱାରା ସେମାନେ ଜମିକୁ ସୁରକ୍ଷା ଦେଇପାରିବେ । ଦେଶ ବିଦେଶର ସେହିଭଳି କେତେକ ଘଟଣା ହେଲା

ସଫଳ ଜୈବିକ କୃଷି

  1. ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ବିଜ୍ଞାନ ଏକାଡେମିରୁ ପ୍ରାପ୍ତ ବିବରଣୀ ଏହିପରି- ସେମାନେ ଦେଶର ୧୪ଟି ଫାର୍ମ ଉପରେ ସର୍ଭେ କରିଛନ୍ତି । ଯେଉଁ ଫାର୍ମ ପ୍ରାକୃତିକ ଉତ୍ପାଦନ କୌଶଳ ମାନ ବାହାର କରି ସଫଳ ଭାବେ କୃଷି ଉତ୍ପାଦନ ବଢାଇ ପାରିଛନ୍ତି । ବିକଳ୍ପ କୃଷି ଉପରେ ପ୍ରସ୍ତୁତ ସେମାନଙ୍କ ରିପୋର୍ଟରୁ ଜନାଜାଏ ଯେ ରାସାୟନିକ ସାର ଔଷଧ ତଥା ଆଣ୍ଟିବାୟୋଟିକ ପ୍ରୟୋଗର ମାତ୍ରା ଯଥେଷ୍ଟ କମାଇ ଉତ୍ତମ ଫାର୍ମ ପରିଚାଳନା କରିବା ଦ୍ଵାରା ଅମଳ ସେମିତି କମିନାହିଁ । ବରଂ କେତେକ କ୍ଷେତ୍ରରେ ଫସଲ ତଥା ପ୍ରାଣୀଙ୍କ କ୍ଷେତ୍ରରେ ଅମଳ ବୃଦ୍ଧି ଘଟିଅଛି । ଏଥିରେ ସେମାନେ ବିଶେଷ କରି ଫସଲ ପର୍ଯ୍ୟାୟ ଅନୁସରଣ କରିବା ସହ ସବୁଜ ସାର ବ୍ୟବହାର ତଥା ପ୍ରାଣୀମାନଙ୍କ ପାଇଁ ଅଧିକ ସବୁଜ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । ଏହାଜଦି ବହୁଳ ଭାବେ ବ୍ୟବହୃତ ହୁଏ, ତେବେ ଚାଷୀମାନେ ଅର୍ଥନୈତିକ ଦିଗରୁ ଲାଭବାନ ହେବାସହ ଦେଶପାଇଁ ପରିବେଶ ଗତ ସୁରକ୍ଷା ବ୍ୟବସ୍ଥା କରିପାରିବେ ।
  2. ସେହି ଆମେରିକାର ଓହିଓ ସହରରେ ୨୯୦ହେକ୍ଟରର ଏକ ଫସଲ ତଥା ପଶୁପାଳନର ମିଶ୍ରିତ ଫାର୍ମରେ ଦୀର୍ଘ ୧୫ବର୍ଷ ହେବ ଲଟାମରା ଆଦୌ ବ୍ୟବହାର ହୋଇନାହିଁ । ଏପରିକି ୧୯୭୧ ରୁ କୌଣସି ରାସାୟନିକ ସାର କିଣାଯାଇ ନାହିଁ । ତଥାପି ୧୯୮୧ ରୁ ୮୫ମସିହା ମଧ୍ୟରେ ଦେଶର ଅନ୍ୟାନ୍ୟ କ୍ଷେତ୍ର (ରାସାୟନିକ କୃଷି) ତୁଳନାରେ ମକା ଫସଲରେ ୩୨% ସ୍ୱାୟାବିନ ରେ ୪୦% ତଥା ଓଟ ଫସଲରେ ୨୨%ଅମଳ ବୃଦ୍ଧି ଘଟିଥିବାର ନଜିର ଅଛି ।
  3. ସେହିଭଳି ପେନସିଲ ଭାନିଆରେ ବିଶ୍ଵସମ୍ବଳ ଅନୁଷ୍ଠାନ ସୂତ୍ରରୁ ଜନାଜାଏଜେ ସମ୍ବଳ ସଂରକ୍ଷଣ ଦ୍ଵାରା ଉତ୍ପାଦନ ଖର୍ଚ୍ଚ ୨୫%କମିଥାଏ । ଦୀର୍ଘ ୫ବର୍ଷ ଧରି ରାସାୟନିକ ସାର ଓ ବିଷର ବ୍ୟବହାର ସମ୍ପୁର୍ଣ୍ଣ ବନ୍ଦ କରିବା ଦ୍ଵାରା ମୃତ୍ତିକା କ୍ଷୟ ୫୦% କମିବା ସହ ରାସାୟନିକ କୃଷି ତୁଳନାରେ ଅମଳ ବୃଦ୍ଧି ଘଟିଛି ।
  4. ଫିଲିଫାଇନ୍ସ ରେ ପାଖାପାଖି ଥିବା ପ୍ରାୟ ୧ହଜାର ହେକ୍ଟର ଜମିରେ ପରିବେଶ ଉପଯୋଗୀ ବାୟୋଡାଇନାମିକ ପଦ୍ଧତିରେ ଧାନ ଓ ପନିପରିବା ଚାଷ ସଫଳ ଭାବେ କରାଯାଇ ପାରିଛି । ଏହି ପଦ୍ଧତିରେ ଚାଷୀମାନେ ସବୁଜ ବିପ୍ଲବ ପଦ୍ଧତି ତୁଳନାରେ ୫୦-୧୦୦% ଅଧିକ ଅମଳ ପାଇବା ସହ ନିଜର ଆୟ ୨୦୦-୨୭୦% ବଢାଇ ପାରିଛନ୍ତି । ନିକାନର ପେରଲାସ ନାମକ ଫିଲିପିନୋ ବୈଜ୍ଞାନିକଙ୍କ ମତରେ ଜୈବିକ କୃଷି ପଦ୍ଧତିକୁ ଠିକଣା ବାଟରେ ପ୍ରୟୋଗ କରିପାରିଲେ ରାସାୟନିକ କୃଷିରୁ ଜୈବିକ କୃଷିକୁ ପରିବର୍ତ୍ତନ ଦ୍ରୁତତର ହେବ ।

କାଁ ଭାଁ କୌଣସି ଗୋଟିଏ ଫସଲ ଉପରେ ପରୀକ୍ଷା ନ କରି କିମ୍ବା କେବଳ ଅମଳ ବୃଦ୍ଧି ଉପରେ ଦୃଷ୍ଟି ନ ଦେଇ ଆମମାନଙ୍କୁ କୃଷି ପରିବେଶ ଦିଗ ପ୍ରତି ସତର୍କଦୃଷ୍ଟି ରଖିବାକୁ ହେବ । ଆମ ଦେଶର ଜି. ଆର. ଆୟାଙ୍ଗାର ନାମକ ଜେନ ଜୈବିକ ଚାଷୀ କୁହନ୍ତି “ ଆମ ମାନଙ୍କ ମଧ୍ୟରୁ ଖୁବ ଅଳ୍ପ କେତେକ ଅନୁଭବ କରନ୍ତି ଯେ , ଆଧୁନିକ କୃଷିବିଜ୍ଞାନ କିପରି ଆମର ଅଶେଷ କ୍ଷତି କରିଚାଲିଛି । ଲାଭଜନକ ତଥା ଦୀର୍ଘସ୍ଥାୟୀ କୃଷି ପାଇଁ ବନ୍ୟଜନ୍ତୁ ସମୂହ ତଥା ଅଗଣିତ ଜଙ୍ଗଲୀ ଗୁଳ୍ମ,ଫୁଲ, ତଥା ବୃକ୍ଷ ଆଦିର ଉପାଦେୟତାକୁ ଚାଷୀ ଭାଇମାନେ ଭୁଲିଯାଇଛନ୍ତି । ଆଜିର କୃଷି ବୈଷୟିକ ଜ୍ଞାନ ସୀମିତ ଭାବେ ବ୍ୟବହାର ମଧ୍ୟ ସୀମିତ , ଯଦ୍ୱାରା ଆଜିର ପ୍ରକୃତିର ଭାରସାମ୍ୟରେ ବିଶୃଙ୍ଖଲିତ ଦେଖାଦେଇଛି । ପ୍ରକୃତିର ଭାରସାମ୍ୟରେ ବିଶୃଙ୍ଖଳା ଦେଖାଯାଇଛି । ପ୍ରକୃତିର ବିଭିନ୍ନ ଉପାଦାନ ମଧ୍ୟରେ ଥିବା ପରସ୍ପର ସହଯୋଗ ପ୍ରଭୃତି, ଯଥା – ଫୁଲ, ଓ ରେଣୁ ସମ୍ପର୍କ କିମ୍ବା ମୃତ୍ତିକା ଓ ଅଣୁଜୀବଙ୍କ ମଧ୍ୟରେ ଥିବା ସମ୍ପର୍କ କିମ୍ବା ମୃତ୍ତିକା ଓ ଅନୁଜୀବଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁବ କମ ଲୋକ ଅନୁଭବ କରନ୍ତି । ଏ କ୍ଷେତ୍ରରେ ପ୍ରକୃତିର ଖାଦ୍ୟ ଶୃଙ୍ଖଳାରେ ପରିବେଶର ଭାରସାମ୍ୟ ରକ୍ଷା ପ୍ରତି ଦୃଷ୍ଟିଦେବାକୁ ହେବ ।

ଆଜିର ଦିନରେ ବର୍ଷ ବର୍ଷ ଧରି ଚାଲିଥିବା ମୃତ୍ତିକା କ୍ଷୟ ରୋକିଆ ଲାଗି କେତେକ ଦୃଢ ପଦକ୍ଷେପ ନେବାକୁ ହେବ , ଏଥିପ୍ରତି ସ୍ଵାର୍ଥତଥା ପ୍ରତିପତ୍ତିଶାଳିଙ୍କ ତରଫରୁ ଯେତେ ବାଧାବିଘ୍ଣ ଆସୁନା କାହିଁକି ଏଥିପାଇଁ ସମୁୟୋଚିତ ପଦକ୍ଷେପ ଏକାନ୍ତ ଅବଶ୍ୟକ ଆଗାମୀ କେତେ ପିଢିର ଅବଶ୍ୟକତାକୁ ଦୃଷ୍ଟିରେ ରଖି ଆମ ବହୁମୂଲ୍ୟ ଚାଷଜମି ତଥା ମାଟିମାର ସୁରକ୍ଷା ଅତ୍ୟନ୍ତ ଜରୁରୀ ।

ରୁଷ ବିଶେଷଜ୍ଞ ବି.ଜେଡ ରୋଜନନଙ୍କ ମତରେ –“କୃଷିର ଉଦ୍ଦେଶ୍ୟ କେବଳ ଅମଳ ବୃଦ୍ଧିରେ ସୀମିତ ନୁହେଁ , ବରଂ ମୃତ୍ତିକା ଲଗାତର ଉର୍ବରତା ପରିଚାଳନା ତଥା ସୁରକ୍ଷା ପ୍ରତି କେନ୍ଦ୍ରୀତ । ନଚେତ ଆମର ସନ୍ତାନସନ୍ତତି ,ନାତି, ଅଣନାତି ନ୍ୟାୟତଃ ଭାଗକୁ ଆମେ ଖୁବ କମ ଦିନରେ ଖାଇ ସାରିଦେବା । ଏବେଠାରୁ ଏ ଦିଗ ପ୍ରତି ଯତ୍ନଶୀଳ ହେବାକୁ ହେବ।

ବୈଜ୍ଞାନିକମାନେ ଏକ ଦିଗ ପ୍ରତି ଦୃଷ୍ଟିଦେବେ କି

 

ସେହିଭଳି “ବିଶ୍ଵ ପରିବେଶ ଓ ଉନ୍ନୟନ କମିଶନ’ଙ୍କ ମତରେ ଯେ ବିଧାନ ନୀତି ବା ଦୂରଦର୍ଶିତା ତଥା ଗବେଷଣା ଅଣ- ରାସାୟନିକ ବା କମ ରସାୟନ ବ୍ୟବହାର ପନ୍ଥା (ଯାହା ଦୀର୍ଘ ସ୍ଥାୟୀ) ଉପରେ ଆଧାରିତ ବା କମ ରସାୟନ “ବିଶ୍ଵ ସମ୍ବଳ” ରିପୋର୍ଟ କହେ ଯେ ଶିଳ୍ପ ସମୃଦ୍ଧ ରାଷ୍ଟ୍ର ସବୁରେ ଆଜିର କୃଷି ପଦ୍ଧତି କୃଷକମାନଙ୍କୁ ପରିବେଶ ନଷ୍ଟ କଲାଭଳି କାର୍ଯ୍ୟକଳାପ କରିବା ପାଇଁ ପ୍ରୋତ୍ସାହିତ କରିଚାଲିଛି । ଉଦାହରଣ ସ୍ୱରୂପ ଆମେରିକାର କୃଷକମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ଦୀର୍ଘସ୍ଥାୟୀ ଫସଲ ପର୍ଯ୍ୟାୟ ଅନୁସରଣ ତଥା କମ ରାସାୟନିକ ବ୍ୟବହାର ବିରୋଧରେ ଉଦ୍ଧିଷ୍ଟ । ସେଥିଭଳି ୟୁରୋପର ଅର୍ଥିକ ନୀତି ଡାଲିଜାତୀୟ ଫସଲ ଅମଳକୁ ହତୋତ୍ସାହିତ କରୁଛନ୍ତି । ଯଦିଓ ମିଶ୍ରିତ ଫସଲ ସହ ପ୍ରାଣୀପାଳନ ହିଁ ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ କୃଷି ଉପଯୋଗୀ , ବିକୃତ ଆର୍ଥିକ ଢାଞ୍ଚା କୃଷିକୁ କେବଳ ଅମଳ ବୃଦ୍ଧି ଭଲ ଏକ ନିର୍ଦ୍ଧିଷ୍ଟ ଦିଗକୁ ଟାଣିନେବାରେ ଲାଗିଛି ।

ଏକ ସୁସ୍ଥ ଖାଦ୍ୟ କୃଷି କାର୍ଯ୍ୟକ୍ରମ କହେ- ଏହା କୃଷକ ସମାଜର ପ୍ରତ୍ୟେକ ସଭ୍ୟଙ୍କ ପାଇଁ ସନ୍ତୋଷଜନକ ଜୀବନଧାରଣ ମାନ ଯୋଗାଇ ଦେଉଥିବ , ତଥା ପ୍ରତ୍ୟେକ ସାମଗ୍ରିକ ଭାବେ ଉତ୍ତମ ପୃଷ୍ଟିକାରକ ଖାଦ୍ୟ ପାଇପାରୁଥିବ । ଏପରିକି ଓ ଏହାର ଉତ୍ପାଦିକା ଶକ୍ତି ରକ୍ଷା କରିପାରୁଥିବ ।

କୃଷିର ଏହି ମୂଳମନ୍ତ୍ରକୁ ବୁଝିବା ଶକ୍ତି ଆଜି କାହିଁକି କେଜାଣି ଅଲୋଡା । ଏବିଷୟରେ ଆମେରିକାର ଜଣେ କୃଷକ ତଥା ଲେଖକ ଯୁକ୍ତି ବାଢନ୍ତି ଯେ ‘ ମୁକ୍ତ ବଜାର ବ୍ୟବସ୍ଥା ‘- ଅର୍ଥନୈତିକ ଶକ୍ତିଙ୍କର ଏକ ଉକ୍କଙ୍ଖଳ ଖେଳ- କୃଷି ପାଇଁ କାଳ, କାରଣ କୃଷି ପାଇଁ ଆବଶ୍ୟକ ବସ୍ତ ସକଳକୁ ମୂଲ୍ୟଯୁକ୍ତ କରିବା ପାଇଁ ଏହା ଅକ୍ଷମ । ଏହା କୃଷି ଉତ୍ପାଦର ମୂଲ୍ୟ ଅଧିକ କରିପାରେ , ମାତ୍ର ଏହି ଉତ୍ପାଦ ପାଇବା ପାଇଁ ଦରକାରୀ କଞ୍ଚାମାଲ (ପ୍ରକୃତ ଉପାଦାନ) ଯଥା , ଉପରସ୍ତର ମାଟି, ପରିବେଶ, କ୍ଷେତ କୃଷକ, ପରିବାର ତଥା କୃଷକ ସମାଜକୁ କୌଣସି ମୂଲ୍ୟ ଦେଇପାରେ ନାହିଁ । ବାସ୍ତବ କ୍ଷେତ୍ରରେ ‘ମୁକ୍ତ ବଜାର ‘ କୁ ଦୃଷ୍ଟିରେ ରଖି ଚାଷ କରୁଥିବା କୃଷକ, ଉତ୍ପାଦ ଓ ଉତ୍ସ ମଧ୍ୟରେ ଥିବା ସମ୍ପର୍କକୁ ବୁଝିପାରନ୍ତି ନାହିଁ । ସେମାନେ ବିଶ୍ଵାସ କରନ୍ତି ଯେ , ଏହି ସମ୍ପର୍କ କେବଳ ଯାନ୍ତ୍ରିକ , କାରଣ ସେମାନେ କୃଷିକୁ ଶିଳ୍ପ ବୋଲି ଧରିନେଇଛନ୍ତି । ଅନ୍ୟ କିଛି ସମାଧାନ ଦେବାପାଇଁ ମୁକ୍ତ ବାଣିଜ୍ୟ ଅକ୍ଷମ ।

ଏଭଳି ଭାବେ ଅନେକ କାରଣ ରହିଛି, ଯେଉଁଥିପାଇଁ ଅର୍ଥନୀତି ବିଶେଷଜ୍ଞ ତଥା ସେମାନଙ୍କଠାରୁ ପରାମର୍ଶ ପାଉଥିବା ରାଜନେତାମାନେ କୃଷି କାର୍ଯ୍ୟକ୍ରମର ଠିକ ସମାଧାନ ପନ୍ଥା ପାଇପାରୁନାହାନ୍ତି । ଏହା ମଧ୍ୟ ସୂଚନା ଦିଏ ଯେ , ଆମ ପାଖରେ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକ୍ରମର ଯଥେଷ୍ଟ ପନ୍ଥା ଥିଲେ ମଧ୍ୟ ସରକାର ସେ ସବୁକୁ ଲାଗୁ କରିବାକୁ କାହିଁକି ଅସହାୟ । ଏଠାରେ ଏକ ପୁରୁଣା କଥା ମନେପଡେ ଥରେ ଗଣ୍ଠିବାଟ ଯନ୍ତ୍ରଣା ଭୋଗୁଥିବା ଗୋଟିଏ ଶତପଦୀ ପୋକ (ତେନ୍ତୁଳିଆ ବିଛା ହୋଇପାରେ ) ବଣ ଭିତରେ ଜ୍ଞାନୀଭାବେ ବିଖ୍ୟାତ ପେଚା ଆଗରେ ପହଞ୍ଚି ଯନ୍ତ୍ରଣାରୁ ରକ୍ଷା ପାଇବାର ଉପାୟ ପଚାରିଲା । ପେଚର ଉପଦେଶ ହେଲା – ଯଦି ଗୋଦା ସଂଖ୍ୟା ଶହେରୁ ପଚାଶ , ଦଶ କିମ୍ବା ଦୁଇକୁ କମାଇ ଦିଆଯିବ , ତେବେ ଯନ୍ତ୍ରଣା ଆପଣାଛାଏଁ ଅଠାନବେ ଭାଗ କମିଯିବ । ଗୋଦା ସଂଖ୍ୟାକୁ କିପରି କମାଇ ଦିଆଯିବ ସେକଥା ଜାଣିବାକୁ ଚାହିଁବାରୁ ପେଚର ଉତ୍ତର ହେଲା ‘ ସମାଧାନ ବତେଇ ଦେବା ହେଲା ମୋର କାମ , ସମାଧାନ କିପରି କାର୍ଯ୍ୟକାରୀ ଦେବ ସେଇଟା ମୋର ଦାୟିତ୍ଵ ନୁହେଁ । ଆମ ଅବସ୍ଥା ସେହିଭଳି । ପରସ୍ପର ବୁଝାମଣା ସବୁ ସମସ୍ୟା ସମାଧାନର ସୂତ୍ର ବୋଲି ଆମେ ଜାଣିଛୁ । କିନ୍ତୁ ସେ ସବୁ ବୁଝାମଣା ଯେ କାର୍ଯ୍ୟକାରୀ ହୋଇପାରୁନାହିଁ , ଏହା ଏକ ନିର୍ମମ ବାସ୍ତବତା ।

ତେଣୁ ଆଜିର ଦିନରେ ଏକ ଦୃଢ ଇଚ୍ଛାଶକ୍ତି ସହ ନିର୍ଦ୍ଧିଷ୍ଟ କୃଷିନୀତି ପ୍ରଣୟନ ସମୟ ଆସିଯାଇଛି ।

ଆଧାର : ଫେଲୋ,ଆଇଫୋମ,ଅର୍ଗାନିକ ଇଣ୍ଟରନ୍ୟାସନାଲ

2.0
ଜଗନ୍ନାଥ ପ୍ରଧାନ May 23, 2017 10:57 AM

ଆଧୁନିକ ପ୍ରଣାଳୀ ରେ ଚାଷ କିପରି କରାଯାଏ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top