অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାଳ ଛତୁ ଚାଷ

ଉପକ୍ରମ

ପାଳଛତୁ ଉତ୍ପାଦନରେ ଓଡିଶା ଅଗ୍ରଣୀ ଭୂମିକା ନେଇଛି । ଏହି ଛତୁର ଫସଲ ଅବଧି ବହୁତ କମ (୧୫ ଦିନ) । ଅମଳ ପରେ ସାଧାରଣ ପରିବେଶରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହି ଛତୁ ସଂରକ୍ଷଣ କରାଯାଇପାରିବ । ଆମ ରାଜ୍ୟରେ ମାର୍ଚ୍ଚରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପାଳଛତୁ ଚାଷ କରାଯାଉଛି ।

ଆବଶ୍ୟକ ଉପାଦାନ

  • ନଡା (୭ କେ.ଜି. ବା ୧୪ ବିଡା)
  • ଛତୁ ମଞ୍ଜି (୨୦୦ ଗ୍ରାମ)
  • ଡାଲି ଗୁଣ୍ଡା (୨୦୦ ଗ୍ରାମ) ।

ଚାଷ ପ୍ରଣାଳୀ

ପ୍ରଥମେ ଉନ୍ନତ ମାନର ଶୁଖିଲା ଧାନ ନଡାବିଡାକୁ ୧.୫ ଫୁଟ ଆକାରରେ କାଟି ପରିଷ୍କାର ପାଣିରେ ୬ ଘଣ୍ଟା ଭିଜାନ୍ତୁ । ଭିଜା ନଡାକୁ ପାଣିରୁ ଛାଣି ପରିଷ୍କାର ଜାଗାରେ ରଖି ଛାଇରେ ଶୁଖାନ୍ତୁ । ଯେପରି ନଡାର ଜଳୀୟ ଅଂଶ ୬୫ ପ୍ରତିଶତ ରହିବା ଆବଶ୍ୟକ ଅର୍ଥାତ୍ ନଡାକୁ ଚିପୁଡିଲେ ହାତ ଓଦା ରହିବ କିନ୍ତୁ ପାଣି ବାହାରିବନାହିଁ । ଛତୁ ମଞ୍ଜି ବୋତଲକୁ ଭାଙ୍ଗି ୨୦୦ ଗ୍ରାମ୍ ର ମଞ୍ଜିକୁ ବାହାର କରି ତାକୁ ଚାରି ଭାଗ କରନ୍ତୁ । ଛତୁ ପଟାଳି ପାଇଁ ଇଟା ଏବଂ ବାଉଁଶ ଦ୍ଵାରା ଭାଡି ପ୍ରସ୍ତୁତି କରି ୪ ବିଡା ନଡାକୁ ପୂର୍ବ-ପଶ୍ଚିମ କିମା ଉତ୍ତର-ଦକ୍ଷିଣ କରି ବିଛାନ୍ତୁ । ନଡା ଉପରେ ଧାରରୁ ୩ ଇଞ୍ଚ ବ୍ୟବଧାନରେ ଏକ ଭାଗ ମଞ୍ଜିକୁ ଖଣ୍ଡ ଖଣ୍ଡ କରି ରଖି ଦିଅନ୍ତୁ ଏବଂ ତା’ ଉପରେ ଏକ ଭାଗ ଡାଲିଗୁଣ୍ଡ ବିଛାନ୍ତୁ ।

ପ୍ରଥମ ସ୍ତର ଉପରେ ତା’ର ବିପରୀତ ଦିଗରେ ୪ ବିଡା ନଡା, ମଞ୍ଜି ଏବଂ ଡାଲିଗୁଣ୍ଡ ପ୍ରୟୋଗ କରନ୍ତୁ । ଦ୍ଵିତୀୟ ସ୍ତରର ଉପରେ ଏହାର ବିପରୀତ ଦିଗରେ ୪ ବିଡା ନଡାରେ ତୃତୀୟ ସ୍ତର ପ୍ରସ୍ତୁତ କରନ୍ତୁ । ନଡା ଉପରେ ଅବଶିଷ୍ଟ ୨ଭାଗ ମଞ୍ଜି ଏବଂ ଡାଲିଗୁଣ୍ଡକୁ ଚାରି କଡରେ ଏବଂ ମଝିରେ ପ୍ରୟୋଗ କରନ୍ତୁ । ତୃତୀୟ ସ୍ତର ଉପରେ ଅବଶିଷ୍ଟ ୨ବିଡା ନଡାକୁ ଏହାର ବିପରୀତ ଦିଗରେ ଘୋଡାଇ ଦିଅନ୍ତୁ । ଏହାପରେ ସମ୍ପୂର୍ଣ୍ଣ ପଟାଳିକୁ ହାଲୁକା ଭାବେ ଚାପି ପଲିଥିନ ଚଦରରେ ଘୋଡାଇ ଦିଅନ୍ତୁ । ପ୍ରସ୍ତୁତ ପଟାଳିରେ ଫିମ୍ପି ମାଡିବା ପାଇଁ ପ୍ରାୟ ୭ ଦିନ ଛାଡି ଦିଅନ୍ତୁ । ପଟାଳିରେ ସମ୍ପୂର୍ଣ୍ଣ ଫିମ୍ପି ମାଡି ଗଲା ପରେ ପଲିଥିନ ଚଦରକୁ ବାହାର କରିଦିଅନ୍ତୁ ।

ଏହି ସମୟରେ ପାଗକୁ ଦେଖି ଦିନକୁ ଥରେ କିମ୍ବା ଦୁଇଥର ପାଣି ସିଞ୍ଚନ କରନ୍ତୁ । ପଟାଳି ପ୍ରସ୍ତୁତିରେ ୯-୧୦ ଦିନ ପରେ ସେଥିରେ ଛୋଟ ଛୋଟ ଶାଗୁଦାନା ସଦୃଶ ଧଳା କଢମାନ ଦେଖାଯାଏ । ଯାହା ଧୀରେ ଧୀରେ କଳା ବର୍ଣ୍ଣକୁ ପରିବର୍ତ୍ତିତ ହୋଇ ବୃଦ୍ଧି ପାଏ । ପ୍ରାୟ ୧୪-୧୫ ଦିନରେ ସମୁଦାୟ ଉତ୍ପାଦନର ୮୦ ପ୍ରତିଶତ ପ୍ରଥମ ପର୍ଯ୍ୟାୟରେ ଅମଳ କରନ୍ତୁ । ପରବର୍ତ୍ତୀ ୭-୮ ଦିନରେ ଅବଶିଷ୍ଟ ୨୦ ପ୍ରତିଶତ ଅମଳ ହୋଇଥାଏ । ଏହିପରି ପ୍ରତି ୭ କିଲୋଗ୍ରାମ ଶୁଖିଲା ନଡାରୁ ୭୦୦ ଗ୍ରାମରୁ ୧ କିଲୋଗ୍ରାମ ପର୍ଯ୍ୟନ୍ତ ଛତୁ ଅମଳ ମିଳିଥାଏ । ଏକ ପଟାଳି ପାଇଁ ୧୦ ବର୍ଗ ଫୁଟ ଜାଗା ଆବଶ୍ୟକ ହୋଇଥାଏ । ଏକ ଛତୁ ପଟାଳି ପ୍ରସ୍ତୁତ କରିବା ପାଇଁ ୫୦ ରୁ ୬୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଏକ ବ୍ୟକ୍ତି ୨୧ ଦିନର ଫସଲ ଚକ୍ରରେ ୧୦୦୦ ବର୍ଗଫୁଟ ସ୍ଥାନରୁ ପାଖାପାଖି ୧୦,୦୦୦ – ୧୫,୦୦୦ ଟଙ୍କା ଆୟ କରିପାରିବେ । ଅଧିକ ଜାଣିବା ପାଇଁ ଭୁବନେଶ୍ୱର ଓୟୁଏଟିରେ ଥିବା ଛତୁ ଗବେଷଣା କେନ୍ଦ୍ର ମୁଖ୍ୟଙ୍କ ସହ ଯୋଗାଯୋଗ କରିପାରିବେ ।

କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

  • ଅଧକ ଛତୁ ଉତ୍ପାଦନ ପାଇଁ ଉତ୍ତମ ମାନର ଶୁଖିଲା ଧାନ ନଡା ଆବଶ୍ୟକ ।
  • ଧାନ ନଡା ବ୍ୟତୀତ ଗହମ ନଡା, ମାଣ୍ଡିଆନଦା, ଆଖୁଛେଦା, କଦଳୀପତ୍ର, ବିଲାତି ଦଳ ଏବଂ ଲୁଗାକଳର ମଇଳା ବ୍ୟବହାର କରାଯାଇପାରେ ।
  • ଡାଲି ଗୁଣ୍ଡ ବଦଳରେ ଧାନ କୁଣ୍ଡ ବା ଗହମ ଚୋକଡ ମଧ୍ୟ ବ୍ୟବହାରଯୋଗ୍ୟ ।
  • ଛତୁ କଢ ଆସିବା ସମୟରେ ଅଧିକ ଆଲୋକ, ଅମ୍ଳଜାନ ତଥା ଆବଶ୍ୟକ ତାପମାତ୍ରା ରକ୍ଷା କରିବା ଦ୍ଵାରା ଅଧିକ ଅମଳ ମିଳିଥାଏ ।
  • ପାଳଛତୁ ପଟାଳିରେ ଗୋବର ଛତୁକୁ ନିୟନ୍ତ୍ରଣ କରିବା ପାଇଁ ନଡା ବତୁରାଇବା ସମୟରେ ପ୍ରତି ୧୦୦ ଲିଟର ପାଣିରେ ୨ କିଲୋଗ୍ରାମ ଛୁନା ମିଶାଇବା ଆବଶ୍ୟକ ।
  • ଛତୁ ପଟାଳିର ଆକାର ଖରାଦିନେ ଅପେକ୍ଷାକୃତ ଛୋଟ ଏବଂ ଶୀତଦିନେ ବଡ କରାଯାଇ ବର୍ଷ ସାରା ଛତୁ ଅମଳ କରାଯାଇପାରିବ ।
  • ଅର୍ଦ୍ଧ କମ୍ପୋଷ୍ଟ ପ୍ରଣାଳୀ ତଥା ନିୟନ୍ତ୍ରିତ ପରିବେଶରେ ପାଳଛତୁ କରାଗଲେ ଉପରୋକ୍ତ ପ୍ରଣାଳୀଠାରୁ ୩ ଗୁଣା ଅମଳ ମିଳିଥାଏ ।

ସଂଗୃହୀତ – ନିରଞ୍ଜନ ଚିନରା

Last Modified : 4/12/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate