ହୋମ / କୃଷି / ଶସ୍ୟ ଉତ୍ପାଦନ / ଫସଲ ଉତ୍ପାଦନ (ତୃଣକମାରୀ ଶ୍ରେଣୀ ବିଭାଗ)
ସେଆର କରନ୍ତୁ

ଫସଲ ଉତ୍ପାଦନ (ତୃଣକମାରୀ ଶ୍ରେଣୀ ବିଭାଗ)

ତୃଣକମାରୀ ଗୁଡିକୁ ପ୍ରୟୋଗ ପ୍ରଣାଳୀ, କାର୍ଯ୍ୟ କରିବା ପ୍ରଣାଳୀ, ରାସାୟନିକ ସାଦୃଶ ଓ ଆକାରଗତ ସାମଞ୍ଜସ୍ୟ ଆଦି ଭିତ୍ତିରେ ବର୍ଗୀକରଣ କରାଯାଇଅଛି ।

ବଜାରରେ   ମିଳୁଥିବା  ତୃଣକମାରୀ  ଗୁଡିକୁ  ପ୍ରୟୋଗ   ପ୍ରଣାଳୀ , କାର୍ଯ୍ୟ   କରିବା  ପ୍ରଣାଳୀ, ରାସାୟନିକ ସାଦୃଶ  ଓ  ଆକାରଗତ  ସାମଞ୍ଜସ୍ୟ  ଆଦି  ଭିତ୍ତିରେ  ବର୍ଗୀକରଣ   କରାଯାଇଅଛି   ।

ମୃତ୍ତିକା – ସକ୍ରିୟ  ଓ  ପତ୍ର – ସକ୍ରିୟ  ତୃଣକମାରୀ

ମୃତ୍ତିକା – ସକ୍ରିୟ  ତୃଣକମାରୀକୁ  ମୁଖ୍ୟତଃ  ମୃତ୍ତିକାରେ  ପ୍ରୟୋଗ   କରାଯାଏ  । ଏହା   ଅଙ୍କୁରଣ   ପରେ  ତୃଣକକୁ  ମାରିଦିଏ   କିମ୍ବା  କନ୍ଦାକାଣ୍ଡ, କନ୍ଦା, ଖର୍ବଧାବାଳର  ଅଙ୍କୁରଣକୁ   ପ୍ରତିରୋଧ   କରେ । ମୃତ୍ତିକା – ସକ୍ରିୟ  ତୃଣକମାରୀ   ମୁଖ୍ୟତଃ  ଫସଲ  ଲଗାଇବା  ବେଳେ  ପ୍ରୟୋଗ   କରାଯାଏ  । ସକ୍ରିୟତା  ଥିବା  ପର୍ଯ୍ୟନ୍ତ  ଫସଲର  ପ୍ରଥମାବସ୍ଥାରେ  ଏ ପ୍ରକାର  ତୃଣକମାରୀ  ଫସଲ – ତୃଣକ  ପ୍ରତିଯୋଗିତାକୁ  ଦୂର  କରେ । ତୃଣକ  ପ୍ରକାର  ଓ  ପରିମାଣ  ଅନୁସାରେ  ସକ୍ରିୟତା  ୭ – ୮ ସପ୍ତାହ  ରହେ । ସୀମାଜିନ୍  ଆଲାକ୍ଲୋର   ଆଦି  ମୃତ୍ତିକା – ସକ୍ରିୟ  ତୃଣକମାରୀର  କେତେକ  ସାଧାରଣ  ମୃତ୍ତିକା – ସକ୍ରିୟ  ତୃଣକମାରୀର   ଆଦର   ଚାଷୀମାନଙ୍କ  ନିକଟରେ   ଅଧିକ । କାରଣ  ଏହା  ଏପରିକି   ଅଙ୍କୁରଣ  ପୂର୍ବରୁ   ତୃଣକକୁ   ନିୟନ୍ତ୍ରଣକରେ  ଏଣୁ  ଫସଲର  ପ୍ରଥମାବସ୍ଥାରେ  ତୃଣକ  ପ୍ରତିଯୋଗିତାକୁ  ଦୂର  କରେ   । ପ୍ରୟୋଗ   ପରେ  ଅଧିକ  ସମୟ  ପର୍ଯ୍ୟନ୍ତ   ତୃଣକକୁ  ନିୟନ୍ତ୍ରଣ   କରି   ରଖେ  ଓ  ଏ ପ୍ରକାର  ତୃଣକମାରୀର   ନିର୍ବାଚି  ଧର୍ମ   ଅନେକ   ସମୟରେ  ଅଧିକ  ଅଟେ ।

ପତ୍ର – ସକ୍ରିୟ   ତୃଣକମାରୀ  ଅଙ୍କୁରଣପରେ  ତୃଣକ   ଉପରେ   ପ୍ରୟୋଗ  କରାଯାଏ   ପତ୍ରଦ୍ଵାରା  ଏହା  ପରିଶୋଷିତ   ହୋଇ  ତୃଣକର   ଅନ୍ୟାନ୍ୟ  ଅଂଶକୁ   ଅନେକ  ସମୟରେ  ପରିବାହିତ  ହୁଏ । ୨,୪,୫ ଟି  ପାରାକ୍ଵାଟ  ଓ  ଡାଇକ୍ଵାଟ  ଏହିପ୍ରକାର  ତୃଣକମାରୀ  ଅଟନ୍ତି  । ୨,୪ ଡି ଓ  ଆଟ୍ରାଜିନ  ଆଦି  କେତେକ   ତୃଣକମାରୀ   ଉଭୟ  ମୃତ୍ତିକା – ସକ୍ରିୟ  ଓ  ପତ୍ର – ସକ୍ରିୟ  ଅଟନ୍ତି ।

ନିର୍ବାଚୀ  ଓ  ନିର୍ବିଶେଷ  ତୃଣକମାରୀ

ମିଶାମିଶି  ହୋଇ  ରହିଥିବା   ବିଭିନ୍ନ  ପ୍ରକାର  ଉଦ୍ଭିଦ  ଉପରେ  ପ୍ରୟୋଗ   କଲେ   ଯେଉଁ   ତୃଣକମାରୀ  ଅନ୍ୟ  ଜାତି  ଉଦ୍ଭିଦର   ବିଶେଷ  କ୍ଷତି   ନକରି  କେତେ   ଜାତି  ଉଦ୍ଭିଦକୁ   ମାରିଦିଏ   ତାହାକୁ  ନିର୍ବାଚୀ  ତୃଣମାରୀ   କୁହାଯାଏ । ୨,୪ ଡି, ଆଟ୍ରାଜିନ, ବୁଟାକ୍ଲୋର, ପେଣ୍ଡିମିଥାଲିକ  ଆଦି  ଏହି ପ୍ରକାର  ତୃଣକମାରୀ  ଅଟନ୍ତି । ଅପରପକ୍ଷରେ   ନିର୍ବିଶେଷ  ତୃଣକମାରୀ   ଜାତିଭେଦରେ  ସବୁ  ପ୍ରକାର  ତୃଣକକୁ  ମାରିଦିଏ । ପାରାକ୍ଵାଟ  ଏହିପରି  ଏକ  ତୃଣକମାରୀ । ଫସଲ  କ୍ଷେତରୁ   ଅନାବନା  ଗଛ  ନିୟନ୍ତ୍ରଣ  କରିବା  ପାଇଁ   ନିର୍ବାଚୀ   ତୃଣକମାରୀ  ଓ  ପଡିଆ, ରାସ୍ତାକଡ, କଳକାରଖାନା  ଆଦିର   ଅନାବନା  ଗଛ   ନିୟନ୍ତ୍ରଣ   ପାଇଁ  ନିର୍ବିଶେଷ  ତୃଣକମାରୀ  ବ୍ୟବହାର  କରାଯାଏ ।

ସ୍ପର୍ଶ ଓ  ପରିବାହିତ ତୃଣକମାରୀ

ସ୍ପର୍ଶ   ତୃଣକମାରି  ପରିବାହିତ   ନହୋଇ   ମୁଖ୍ୟତଃ   ଟିସୁ ସଂସ୍ପର୍ଶରେ   ଆସି  ତୃଣକକୁ   ମାରିଦିଏ । ପତ୍ର   ଉପରେ  ପ୍ରୟୋଗ  କରାଯାଇଥିବା  ସ୍ପର୍ଶ   ତୃଣକମାରୀ   ସାଧାରଣତଃ   ଚେରକୁ   ମାରିପାରେ   ନାହିଁ । ଯଦିଓ   କାଣ୍ଡ  ଅଭାବରୁ  ଏକବର୍ଷୀ   ତୃଣକର   ଚେର   ମରିଯାଇପାରେ । ସ୍ପର୍ଶ   ତୃଣକମାରୀ  ପ୍ରୟୋଗ   କରିବାର  ଅଳ୍ପଦିନ  ପରେ  ପ୍ରତିଷ୍ଠିତ   ତୃଣକର  ଚେର , କଳକାଣ୍ଡ   ଆଦି ବଢିବାକୁ  ଲାଗେ । ପାରାକ୍ଵାଟ, ଡାକାଇଟ, ପ୍ରୋପାନିଲି, ପେଟ୍ରୋଲିଅମ ତୈଳ  ଆଦି  ସ୍ପର୍ଶ   ତୃଣକର  ଉଦାହରଣ ।

ଅପର  ପକ୍ଷରେ   ପରିବାହିତ   ତୃଣକମାରୀ  ପ୍ରୟୋଗ   କରାଯାଇଥିବା  ସ୍ଥାନରୁ   ଉଦ୍ଭିଦ   ଶରୀର   ଭିତରେ  ଅନ୍ୟାନ୍ୟ   ଅଙ୍ଗକୁ   ପରିବାହିତ  ହୋଇଥାଏ   ଏଣୁ   ତୃଣକର   କୌଣସି   କ୍ଷୁଦ୍ର  ଅଂଶରେ  ପ୍ରୟୋଗ   କରାଯାଇଥିଲେ  ବି  ସମ୍ପୂର୍ଣ୍ଣ   ତୃଣକକୁ  ମାରିଦିଏ   । ବହୁବର୍ଷୀ   ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ   ପରିବାହିତ  ତୃଣକମାରୀ   ବିଶେଷ   ଗୁରୁତ୍ୱପୂର୍ଣ୍ଣ  । ଏକବର୍ଷୀ  ତୃଣକକୁ   ନିୟନ୍ତ୍ରଣ   କରିବା  ପାଇଁ  ମଧ୍ୟ   ପରିବାହିତ   ତୃଣକମାରୀଙ୍କୁ  ଅଳ୍ପ  ଜଳ  ଆବଶ୍ୟକ   କରୁଥିବା  ସିଞ୍ଚକ ରେ   ପ୍ରୟୋଗ   କରାଯାଇପାରିବ  କାରଣ  ପତ୍ରର   କିଛି  ଅଂଶ   ଉପରେ   ତୃଣକମାରୀ  ପଡିବା   ଆବଶ୍ୟକ   । କିନ୍ତୁ  ସ୍ପର୍ଶ  ତୃଣକମାରୀ   ପ୍ରୟୋଗ   କଲେ  ଔଷଧ   ପକାଇ   ତୃଣକକୁ  ସମ୍ପୂର୍ଣ୍ଣ  ସିକ୍ତ   କରିବା   ଆବଶ୍ୟକ  ।

କେତେକ  ତୃଣକମାରୀ  ଉଭୟ  ସ୍ପର୍ଶ  ଓ  ପରିବାହିତ   ଧର୍ମ  ପ୍ରଦର୍ଶନ  କରନ୍ତି   । ଉଦାହରଣ  ସ୍ୱରୂପ   ଆଟ୍ରାଜିନ  ମୃତ୍ତିକାରେ  ପ୍ରୟୋଗ   କଲେ  ପରିବାହିତ  ଧର୍ମ  ଓ  ତୃଣକ  ଉପରେ  ପ୍ରୟୋଗ   କଲେ   ସ୍ପର୍ଶ  ଧର୍ମ  ପ୍ରକାଶ  କରେ   ।

ମୃତ୍ତିକା  ନିର୍ବୀଜକ ଓ  ଧୂମକ

ମୃତ୍ତିକା  ନିର୍ବୀଜକ  ତୃଣକମାରୀ   କୌଣସି  ଉଦ୍ଭିଦକୁ  ବଢିବାକୁ   ଦିଏ  ନାହିଁ   ।  ମୃତ୍ତିକା  ନିର୍ବୀଜକ  କ୍ଷଣସ୍ଥାୟୀ   ବା  ଅପେକ୍ଷାକୃତ   ସ୍ଥାୟୀ   ହୋଇପାରେ   । ଅସ୍ଥାୟୀ   ନିର୍ବୀଜକ  ମୃତ୍ତିକାକୁ  ୧୬ ସପ୍ତାହ  ପର୍ଯ୍ୟନ୍ତ  ନିର୍ବୀଜ  ରଖିପାରେ  ଅଥଚ  ସ୍ଥାୟୀ   ନିର୍ବୀଜକ   ସମୟ   ସମୟରେ  ଦୁଇ  ବା  ତହିଁରୁ   ଅଧିକ  ବର୍ଷ  ପର୍ଯ୍ୟନ୍ତ  କାର୍ଯ୍ୟକ୍ଷମ  ରୁହେ   । ଅସ୍ଥାୟୀ   ମୃତ୍ତିକା  ନିର୍ବୀଜକ  ସାଧାରଣତଃ  ଉଦବାୟୀ  । ଏହା  ମୃତ୍ତିକାରେ  ଥିବା   ଉଦ୍ଭିଦର  ସବୁ  ସଜୀବ  ଅଂଶକୁ   ମାରିଦେଇ   ବାଷ୍ପ   ଆକାରରେ  ନଷ୍ଟ   ହୋଇଯାଏ   । ଏ ପ୍ରକାର   ନିର୍ବୀଜକୁ   ଧୂମକ   କୁହାଯାଏ   ।

ସ୍ୱଳ୍ପ ଓ ସ୍ଥୂଳ ତୃଣକମାରୀ

ସ୍ୱଳ୍ପ  ତୃଣକମାରୀ  ଏକ  ଜାତିର  କିମ୍ବା   ଖୁବ୍  କମ  ଜାତିର   ତୃଣକକୁ   ସଫଳତାର   ସହିତ  ନିୟନ୍ତ୍ରଣ   କରେ   । ଏ  ପ୍ରକାର   ତୃଣକମାରୀ   କେତେକ  ମାରାତ୍ମକ   ତୃଣକ   ପାଇଁ   ବିଶେଷ   ଉପଯୋଗୀ   । ମେଟୋଜୁରନ  ଏହିପରି   ଗୋଟିଏ   ତୃଣକମାରୀ   । ଜଙ୍ଗଲୀ  ଅତକୁ   ଏହା  ସଫଳତାର   ସହିତ  ନିୟନ୍ତ୍ରଣ   କରିପାରେ   । ଅପରପକ୍ଷରେ  ସ୍ଥୂଳ  ତୃଣକମାରୀ   ବିଭିନ୍ନ  ପ୍ରକାର   ତୃଣକକୁ   ନିୟନ୍ତ୍ରଣ  କରିପାରେ   । ଏବେ  ବ୍ୟବହୃତ   ହେଉଥିବା  ଅଧିକାଂଶ  ତୃଣକମାରୀ   ଏହି  ଶ୍ରେଣୀର   ।

ଅବଶିଷ୍ଟ ଓ ଅଣ – ଅବଶିଷ୍ଟ  ତୃଣକମାରୀ

ଅବଶିଷ୍ଟ  ତୃଣକମାରୀର  ବିଶାକ୍ତତା   ପ୍ରୟୋଗ   ପରେ  ଅନେକ   ଦିନ  ପର୍ଯ୍ୟନ୍ତ  ରହେ   । କେତେକ  ସ୍ଥଳରେ ଏହା  ୩ – ୪  ସପ୍ତାହ  ଓ  ଆଉ କେତେକ  ସ୍ଥଳରେ  ମାସ  ରହେ   । ଅଣ – ଅବଶିଷ୍ଟ  ତୃଣକମାରୀ  ମୃତ୍ତିକାରେ  ପ୍ରୟୋଗପରେ   ଅଳ୍ପ  ଦିନରେ   କ୍ରିୟାହୀନ  ହୋଇପଡେ  । ୨,୪ – ଡି  ଏକ  ଅବଶିଷ୍ଟ   ତୃଣକମାରୀ  । ପାରାକ୍ଵାଟ ଓ ଡାଇକ୍ଵାଟ  ଅଣ – ଅବଶିଷ୍ଟ   ତୃଣକମାରୀ  ଅଟନ୍ତି  । ଅଣ – ଅବଶିଷ୍ଟ   ତୃଣକମାରୀ   ତୃଣକକୁ  ଶୀଘ୍ର  ମାରିଦିଏ  କିନ୍ତୁ  ଅଧିକ  ଦିନ  ପର୍ଯ୍ୟନ୍ତ  ତୃଣକ  ନିୟନ୍ତ୍ରଣ  କରିପାରେ  ନାହିଁ   ।

ଅଜୈବ ଓ  ଜୈବ ତୃଣକମାରୀ

ତୁତିଆ, ହିରାକସ, ସୋଡିୟମ ଆର୍ସେନାଇଟ, ସଲଫୁରିକ ଅମ୍ଳ , କପର  ନାଇଟ୍ରେଟ, ଆମୋନିୟମ, ସଲଫେଟ  ସୋଡିୟମ  ନାଇଟ୍ରେଟ, ସୋଡିୟମ  କ୍ଳୋରାଇଡ  ଆଦି  ଅଜୈବ  ତୃଣକମାରୀ ଉଦାହରଣ । ଏବେ  ଅଗୁଡିକ  ତୃଣକମାରୀ  ରୂପେ  ବ୍ୟବହୃତ   ହେଉନାହିଁ ।

ଡାଲାପନ, ଆଲାକ୍ଲୋର, ବୁଟାକ୍ଲୋର, ମେଟୋଲାକ୍ଲୋର, ପ୍ରୋନାମାଇଡ, ପ୍ରୋପାନୀଳ, ପାରାକ୍ଵାଟ  ଆଦି   ଜୈବ  ତୃଣକମାରୀ  ଅନ୍ତର୍ଗତ । ଜୈବ   ତୃଣକମାରୀକୁ  ଯବକ୍ଷାରଜାନ  ଯୁକ୍ତ  ଓ  ଯବକ୍ଷାରଜାନ   ସହିତ   ଏପରି   ଦୁଇଭାଗରେ   ବିଭକ୍ତ   କରାଯାଇଅଛି ।

ଆଧାର - ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top