অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚିନି ଉତ୍ପାଦନକାରୀ ଫସଲ(ଆଖୁ)

ଉପକ୍ରମ

ଆଖୁ ଗୋଟିଏ ଅର୍ଥକାରୀ ଫସଲ  । ଭାରତରେ ଚିନି ଓ ଗୁଡ ଉତ୍ପାଦନ ପାଇଁ ଏହା ମୁଖ୍ୟ ଫସଲ  । ଆଖୁ ଫସଲ କ୍ଷେତ୍ରଫଳ ଓ ଚିନି ଉତ୍ପାଦନରେ ପୃଥିବୀରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି  । ଆଖୁ ରସରୁ ଚିନି, ଗୁଡ, ଖଣ୍ଡସାରୀ  ଇତ୍ୟାଦି ସୁମିଷ୍ଠ ପଦାର୍ଥ ତିଆରି ହୁଏ  । ଗୁଡରୁ ଏବଂ ଏହା ଛଦା ଅଂଶରୁ ସ୍ପିରିଟ ଇଥାଇଲ୍, ମିଥାଇଲ୍, ବ୍ୟୁଟାଇଲ୍, ସୁରାସାର, ଆଲକହଲ, ରମ୍, ସାଇଟ୍ରିକ ଅମ୍ଳ ପ୍ରଭୃତି ତିଆରି କରାଯାଏ  । ଆଖୁଗଛର ଅଗି ଆଖୁ ମଞ୍ଜି ଓ ଗୋଖାଦ୍ୟ ରୂପେ ବ୍ୟବହୃତ ହୋଇଥାଏ  । ଆଖୁଛେଦା ଆଖୁରସରୁ ଗୁଡ କରିବା ପାଇଁ ଜାଳେଣୀ ସାଧାରଣ ଜାଳେଣୀ ରୂପେ ବ୍ୟବହାର କରାଯାଏ  । ଏହି ଛେଦାରୁ ମଧ୍ୟ କାଗଜ, ବିଭିନ୍ନ ପ୍ରକାର ପଟା, ତିଆରି ହୁଏ  । ଏଣୁ ଆଖୁ ଗୋଟିଏ ଅତି ଉପକାରୀ ଫସଲ ଅଟେ  ।

ଆଖୁ ଏକ ପ୍ରକାର ଘାସ  । ଖରି ଅଣଖୁଆ ଇତ୍ୟାଦି ଏହାର ବିଭିନ୍ନ ରୂପ ବା ଉପଜାତି  । ଭାରତ ଏହାର ଉଦ୍ଭବ କେନ୍ଦ୍ର  । ବୈଦିକ ଯୁଗରୁ ଏହା ଭାରତରେ ଚାଷ ହୋଇଆସୁଛି  । ଖ୍ରୀଷ୍ଟ ପୂର୍ବ ୧୪୦୦-୧୦୦୦ ବର୍ଷରୁ ଭାରତରେ ଆଖୁଚାଷ କରାଯାଉଥିବା ପ୍ରମାଣ ରହିଛି  ।

ଆଖୁଗୋଟିଏ ଗ୍ରୀଷ୍ମ ମଣ୍ଡଳୀୟ ଫସଲ  । ବିଷୁବ ରେଖାର  ଉତ୍ତର ଏବଂ ଦକ୍ଷିଣ ଅକ୍ଷାଂଶରେ ଥିବା ବିଭିନ୍ନ ଦେଶରେ ଆଖୁ ଚାଷ କରାଯାଇଥାଏ  । ଭାରତ, ବ୍ରାଜିଲ, କ୍ୟୁବା, ପାକିସ୍ଥାନ, ବାଙ୍ଗଲାଦେଶ, ମେକ୍ସିକୋ, ଚୀନ, ଫିଲିପାଇନ୍ସ ଆଖୁଚାଷର ମୁଖ୍ୟ ଦେଶ  । ପୃଥିବୀର ବିଭିନ୍ନ ଦେଶରେ ପ୍ରାୟ ୧୩.୪୬ ନିୟୁତ ହେକ୍ଟର ଜମିରେ ଆଖୁଚାଷ କରାଯାଏ  । ବର୍ଷକୁ ପ୍ରାୟ ୭୫୪ ନିୟୁତ ଟନ ଆଖୁ ଉତ୍ପାଦିନ ହୁଏ  ।

ଭାରତରେ ପ୍ରାୟ ୩.୮ ନିୟୁତ ହେକ୍ଟର ଜମିରେ ଆଖୁଚାଷ କରାଯାଏ ଏବଂ ୨୫୪ ନିୟୁତ ଟନ ଆଖୁ ଉତ୍ପାଦିତ ହୁଏ  । ହେକ୍ଟର ପ୍ରତି ହାରାହାରି ୬୬ଟନ ଆଖୁ ଉତ୍ପାଦିତ ହୋଇଥାଏ  । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିଆନା, ପଞ୍ଜାବ, ବିହାର, ଓଡିଶା, ମଧ୍ୟପ୍ରଦେଶ, ଆସାମ ପ୍ରଭୃତି ରାଜ୍ୟରେ ମୁଖ୍ୟତଃ ଆଖୁଚାଷ କରାଯାଏ  । ତାମିଲ ନାଡୁ ରାଜ୍ୟରେ ଆଖୁ ଉତ୍ପାଦନ ହାର ସର୍ବୋଚ୍ଚ (ହେକ୍ଟର ପ୍ରତି ୧୦୪ ଟନ) ଏବଂ ମଧ୍ୟପ୍ରଦେଶରେ ସର୍ବନିମ୍ନ (ହେକ୍ଟର ପ୍ରତି ୩୫ ଟନ)  । ଓଡିଶାରେ ପ୍ରାୟ ୪୨ ହଜାର ହେକ୍ଟର ଜମିରେ ଆଖୁଚାଷ କରାଯାଏ ଏବଂ ହେକ୍ଟର ପ୍ରତି ୬୫ ଟନ ଆଖୁ ଉତ୍ପାଦିତ ହୁଏ  । (୧୯୯୨-୯୩)

ଶ୍ରେଣୀ ବିଭାଗ

ଆଖୁ ଗୋଟିଏ ଘାସ  । ତୃଣବଂଶି  ।ଏହାର ୩ଟି ଜାତି ଅଛି  ।

  1. ସାକାରମ୍ ଅଫିସିନାରମ୍
  2. ସାକାରମ୍ ସାଇନେନସିସ୍
  3. ସାକାରମ୍ ବାରବେରି

ଏହି ତିନୋଟି ଜାତିରୁ ପ୍ରଥମ ଜାତି ଆଖୁର ଚାଷ ବହୁଳ  ଅଟେ  । ଗଛ ଡେଙ୍ଗା, ମୋଟା, ୧୭-୨୨ଟି ପାଗ ଓ ରସାଳ  । ଚୋବାଇ ଖାଇବାକୁ ମଧ୍ୟ ଭଲ  । ଏହାର ଉତ୍ପାଦନ ହାର ମଧ୍ୟ ସର୍ବୋଚ୍ଚ  ।

ଆଧୁନିକ ବୈଜ୍ଞାନିକ ପ୍ରଣାଳୀ ଦ୍ଵାରା ବିଭିନ୍ନ ଜାତି, ଉପଜାତିର ଆଖୁକୁ ଶଙ୍କରଣ କରାଇ ବର୍ତ୍ତମାନ ଜୈଟିଳ ଶଙ୍କର ଆଖୁ କିସମ ଉଦ୍ଭାବନ କରାଯାଇ ଚାଷ କରାଯାଉଛି  । ଭାରତରେ ତାମିଲନାଡୁ ରାଜ୍ୟରେ କୋଏମ୍ବାଟୁର ଠାରେ ଆଖୁ ଶଙ୍କରଣ ମୁଖ୍ୟ କେନ୍ଦ୍ର ଅବସ୍ଥିତ  ।

ଆଖୁଗଛ

ଆଖୁଗଛ ସଳଖ ହୋଇ ଡେଙ୍ଗାରେ ବଢେ  । ଏହାର ଉଚ୍ଚତା ୫-୬ ମିଟର ହୋଇପାରେ  । ପତ୍ରଗୁଡିକ ଅଳ୍ପ ଓସାରିଆ  । ଲମ୍ବ ଏକାନ୍ତର  । ପ୍ରତି ଗଣ୍ଠିରେ ଗୋଟିଏ ପତ୍ର ଥାଏ  । ଗଣ୍ଠି ସନ୍ଧିରେ ଗୋଟିଏ ଆଖି ଥାଏ  । ମୂଳ ପବ ଗୁଡିକ ପାଖାପାଖି ଲାଗି ରହିଥାଏ । ଉପର ପବଗୁଡିକ ଲମ୍ବ  । ପତ୍ରଗୁଡିକ ଟାଆଂଶା ଓ ଆଂଶୁ ଆଂଶୁଆ  । ଗଣ୍ଠି ଗୁଡିକ ଟାଣ  । ଗଣ୍ଠିରେ ଗୋଲ ଗୋଲ ଦାଗ ଥାଏ  । ଏହି ଗୋଲ ଗୋଲ ଦାଗ ଗୁଡିକ ଭାବି ଚେରର ଉତ୍ପତି ସ୍ଥଳ  ।

ଆଖୁଗଛକୁ ମୁଖ୍ୟତଃ ୩ ଭାଗରେ ବିଭକ୍ତ କରାଯାଇପାରେ  । (୧) ଚେର, (୨) କାଣ୍ଡ, (୩) ଫୁଲ ଓ ସ୍ତବକ

ଚେର

ଆଖୁଗଛର ଚେର ଦୁଇପ୍ରକାର – ଗଣ୍ଠିର ଚେର  । ଆଖୁଖଣ୍ଡ ବା ଗଣ୍ଠି ଗୁଡିକ ଲଗାଇବାର ୫-୬ ଦିନ ପରେ ଗଣ୍ଠିରେ ଥିବା ଧଳା ଧଳା ଦାଗ ଗୁଡିକ କ୍ରମେ ଫୁଲି, ବଢି, ଲମ୍ବ ହୋଇ ଚେର ରୂପେ ମାଟିରେ ତଳକୁ ପସନ୍ତି  । ଏହି ଚେରଗୁଡିକ ଗଣ୍ଠିର ଚେର କୁହାଯାଏ  । ଏଗୁଡିକ  ଅସ୍ତାଇ ଚେର  । କାଣ୍ଡରୁ ଚେର ବାହାରିଲେ ଏଗୁଡିକ ଆପେ ଆପେ ମରିଯାଆନ୍ତି   ।

କାଣ୍ଡ ଓ ଚେର

ପ୍ରତ୍ୟକ ଗଣ୍ଠି ସନ୍ଧିରେ ଗୋଟିଏ ଗୋଟିଏ ଆଖି ଥାଏ  । ଏହି ଆଖି ଗଜା ହୋଇ ବଢି କାଣ୍ଡ ହୁଏ  । ଏହି କାଣ୍ଡର ମୂଳ ଗଣ୍ଠିରୁ ଚେର ବାହାରି ତଳକୁ ଯାଏ  । ଏହି ଚେର ଗୁଡିକ ଗଣ୍ଠିରୁ ବା କାଣ୍ଡରୁ ବାହାରୁ ଥିବାରୁ ଏଗୁଡ଼ିକୁ କାଣ୍ଡ ଚେର କୁହାଯାଏ  । ଏହି ଚେର ଗୁଡିକ ମୋଟା, ଟାଣ, ସ୍ଥାୟି  ଚେର  । କାଣ୍ଡରୁ ପିଲ ବାହାରେ  । ପିଲ ଗଣ୍ଠିରୁ ମଧ୍ୟ ଏପରି ଚେର ବାହାରେ  । ଗଣ୍ଠିର ଚେର ଓ କାଣ୍ଡ ଚେରର କାର୍ଯ୍ୟ ସମାନ  । ଏମାନେ ଗଛ ପାଇଁ ଖାଦ୍ୟ ସାର ଓ ଜଳଶୋଷି ଯୋଗାଇ ଥାଆନ୍ତି  । ମାସକ ପରେ କାଣ୍ଡ ଚେର ଗୁଡିକ ସକ୍ରିୟ ହୁଅନ୍ତି  । ୪ମାସ ବେଳକୁ କେବଳ କାଣ୍ଡ ଚେର ମାଟିରୁ ଖାଦ୍ୟ ସାର ଓ ଜଳ ଯୋଗାଇ ଥାଏ  । ଆଖୁ ଗଛର ପ୍ରାୟ ୯୦ ଭାଗ ଚେର ୩୦ ସେ.ମି. ଗଭୀର ଓ ୩୦ ସେ.ମି. ବ୍ୟାସ ପରିମିତ ଜାଗାରେ ଆବଦ୍ଧ ହୋଇ ରହିଥାଏ  ।

ଆଖୁ ପ୍ରତି ଗଣ୍ଠିରେ ଗୋଟିଏ ଗୋଟିଏ ଆଖି ଥାଏ  । ଏହି ଆଖି ଗଜା ହେଲେ କାଣ୍ଡ ହୋଇ ବାହାରେ  । ଦୁଇ ଗଣ୍ଠିର ମଝି ଅଂଶକୁ ପବ କୁହନ୍ତି  । ଆଖି ପତ୍ରାଛଦ ଦ୍ଵାରା ଆଚ୍ଛାଦିତ ହୋଇ ରହିଥାଏ  । ପତ୍ର ସୁଖି ଝଡି ପଡିଲେ ବା କାଣ୍ଡରୁ ଛଡାଇ ଦେଲେ ଗଣ୍ଠି କନ୍ଧିରେ ଆଖି ବାହାରକୁ ଦେଖାଯାଏ  । ଏହି ଆଖି ୩-୪ଟି ମୋଟା ଚୋପା ଦ୍ଵାରା ଆଚ୍ଛାଦିତ ହୋଇ ରହିଥାଏ  । ଆଖୁ ପବ ସଳଖ, ଗୋଲାକାର  ।

ରଙ୍ଗ କିସମ ଅନୁସାରେ ସଫା, ପାଉଁସିଆ ଓ ଚିକ୍କଣିଆ ହୋଇଥାଏ  । କାଣ୍ଡର ଚୋପା ଟାଣ ବା ନରମ ହୋଇଥାଏ  । କାଣ୍ଡର ଚୋପା ଟାଣ ହେଲେ ସହଜରେ ଚୋବାଇ ଖାଇ ହୁଏ ନାହିଁ  । ନରମହେଲେ ସହଜରେ ଭାଙ୍ଗି ଖାଇହୁଏ  । ଏପରି ନରମ ଆଖୁକୁ ବିଲୁଆ ସହଜରେ ଚୋବାଇ ଖାଇପାରୁଥିବାରୁ ଏହାକୁ ବିଲୁଆ ଖିଆ ଆଖୁ ମଧ୍ୟ କୁହାଯାଏ  । ଏପରି ଆଖୁରୁ ଛେଦା କମ୍ ବାହାରେ  । ଆଖିରେ ଠିକ୍ ତଳକୁ ଥିବା ଗଣ୍ଠିରେ ଧଳା ଧଳା ଦାଗ ଥାଏ । ଏହି ଦାଗ ଉପରକୁ ଖୁବ୍ ସାମାନ୍ୟ ଭାବେ ବାହାରିଥାଏ  । ଏହା ଭାବିଚେର  । ଆଖୁ କାଣ୍ଡ ବା ଗଣ୍ଡିରା ଲଗାହେଲା ପରେ ପଛରେ ଏହି ଚେର ବାହାରେ । ଆଖୁରୁ ବାହାରୁଥିବା କାଣ୍ଡ ମୂଳରେ ଥିବା ଗଣ୍ଠିରୁ ପିଲ ବାହାରେ  । ଏହି ପିଲଗୁଡିକ ବଢି କାଣ୍ଡ ମଧ୍ୟ ହୁଅନ୍ତି  । ଗୋଟିଏ ଆଖିରୁ ବାହାରୁଥିବା କାଣ୍ଡ ମୂଳରୁ ୪-୬ଟି ପିଲ ବାହାରିଥାଏ  । ଗୋଟି ୩ ଆଖିଆ ଆଖୁକୋଣହରେ ୩ଟି ମୂଳ କାଣ୍ଡ ବାହାରେ  । ପ୍ରତ୍ୟକ କାଣ୍ଡରୁ ୪-୬ଟି ପିଲ ବାହାରେ ଭଲ ଆଖି ଅମଳ ପାଇଁ ମିଟର ପ୍ରତି ନିହାତି କମରେ ୧୦ଟି ଭଲ ଆଖୁ ହେଲା ଭଳି ପିଲ ରହିବା ଆବଶ୍ୟକ  । ଗୋଟିଏ ପିଲ ବାହାରିବା ପାଇଁ ଲଗାଇବା ପରଠାରୁ ୪-୫ ଦିନ ଲାଗେ   । ପ୍ରାୟ ଦେଢମାସ ପରେ ଗଛରୁ ପିଲ ବାହାରେ  । ଦୁଇରୁ ଅଢେଇମାସ ପର୍ଯ୍ୟନ୍ତ ଗଛରୁ ପିଲ ବାହାରେ  । କାର୍ତ୍ତିକ, ମାର୍ଗଶୀର ମାସରେ ଲଗାଯାଇଥିବା ଆଖୁରୁ ମାଘ ମାସ ଶେଷ ପର୍ଯ୍ୟନ୍ତ ପିଲ ବାହାରୁ ଥାଏ  । ମାଘ ଫାଲୁଗୁନ ମାସରେ ଲଗାଯାଉଥିବା ଆଖୁରୁ ବୈଶାଖ-ଜ୍ୟେଷ୍ଠ ପର୍ଯ୍ୟନ୍ତ ପିଲ ବାହାରେ  । ବର୍ଷାଦିନେ ବେଶି ପିଲ ହେଲେ ସୁଧା ସେସବୁ ପିଲରୁ ଆଖି ହୁଏ ନାହିଁ  । ସେଗୁଡିକୁ ପାଣିଆ ପିଲ ବୋଲି କୁହାଯାଏ  । ପରେ ସେଗୁଡିକ ମରିଯାଆନ୍ତି  । ଆଖୁଫସଲରେ ଜ୍ୟେଷ୍ଠ ମାସ ଶେଷ ସୁଧା ପିଲ ଦେବାପ୍ରକ୍ରିୟା ଶେଷ ହୋଇଯିବା ଉଚିତ    ।

ପତ୍ର

ଗଣ୍ଠିରୁ ପତ୍ର ବାହାରେ  । ପତ୍ରଗୁଡିକ ଏକାନ୍ତରୀ  । ଅର୍ଥାତ୍ ଗୋଟିଏ ଗଣ୍ଠିରୁ ପତ୍ର ବାଁ ପଟକୁ ବାହାରିଥିଲେ ଏହାର ଉପର ବା ତଳ ଗଣ୍ଠିରୁ ପତ୍ର ଡାହାଣପଟକୁ ବାହାରିଥାଏ  । ପତ୍ର ଅଳ୍ପ ଓସାରିଆ ଏବଂ ଆଗ ଆଡକୁ ଅଣଓସାରିଆ ହୋଇଥାଏ  । ମଧ୍ୟ ଶିରା ସ୍ପଷ୍ଟ, ଟାଣ  । ପତ୍ରଧାର ଟାଆଁଶିଆ ଏବଂ ଆଁଶୁ ଆଂଶୁଆ  । ଏଥିପାଇଁ ଗାଈ ଗୋରୁ ଆଖୁ ପତ୍ର ଭଲ ଖାଇପାରନ୍ତି ନାହିଁ   । କିନ୍ତୁ ପତ୍ର କଅଁଳିଆ ଥିଲେ ମକା ବା ଧାନ ପତ୍ର ଖାଇଲା ଭଳି ଖାଇଯାଆନ୍ତି  । କାଣ୍ଡକୁ ବେଧୀ ପତ୍ରାଛଦ ଥାଏ  । ପତ୍ରାଛଦରୁ ପତ୍ରର ଫଳକ ବାହାରିଥାଏ  । ପତ୍ରାଛଦ ଓ ପତ୍ରଫଳକ ସନ୍ଧିସ୍ଥଳପର ପତ୍ର ଜହ୍ଵିକାଥାଏ  । ଏହି ଜହ୍ଵିକାର ରଙ୍ଗ ଧଳା ଓ ନାଲିଆ ହୋଇଥାଏ  ।

ପୁଷ୍ପ ଓ ସ୍ତବକ

ଆଖୁ ଫୁଲକେଣ୍ଡାକୁ ଫୁଲଶର ବା ଫୁଲ ଚଅଁର କୁହାଯାଏ  । ସ୍ତବକଟି ଗୋଟିଏ, ଖୋଲାକେଣ୍ଡା  । କେଣ୍ଡା ମୂଳରୁ ଅଗକୁ ଅଣଓସାରିଆ ହୋଇ ଯାଇଥାଏ  । କେଣ୍ଡାର ତଳଫୁଲ  ଆଗଫୁଟେ, ପରେ ଉପର ଫୁଲ ଫୁଟେ  । ସବୁ ଫୁଲର ପରାଗରେଣୁ ପରାଗ ସଙ୍ଗମକ୍ଷମ ହୋଇନଥାନ୍ତି  । କେବଳ ନପୁଂସକ  ଥାନ୍ତି  । ଆଖୁ ସାଧାରଣତଃ ୧୦-୧୨ ମାସରେ ଫୁଲ ଧରେ  । କେତେକ କିସମ ଆଖୁରେ ମୋଟେ ଫୁଲ ହୁଏନାହିଁ  । ଏହିସବୁ କିସମକୁ ଅଙ୍ଗଜ ପ୍ରଣାଳୀ ଦ୍ଵାରା ବଂଶବିସ୍ତାର କରାଯାଏ  । ମଞ୍ଜିରୁ ହେଉଥିବା ଅକହୁ ବେଶି ହୃଷ୍ଟପୃଷ୍ଟ ହୁଏ ନାହିଁ  । କିନ୍ତୁ ନୂତନ କିସମ ପ୍ରଜନନ ପାଇଁ ଏହି ମଞ୍ଜିରୁ ହେଉଥିବା ଗଛ ବିଶେଷ ଦରକାର  । ଆଜିକାଲୀ ପେଶୀପୋଷଣ ପ୍ରଣାଳୀ ଦ୍ଵାରା ଗଛର ଯେକୌଣସି ଅଙ୍ଗ ନେଇ ନୂତନ ଗଛ ସୃଷ୍ଟି କରାଯାଉଛି  । ଅଳ୍ପ ସମୟ ମଧ୍ୟରେ ଲକ୍ଷ ଲକ୍ଷ ନୂଆଗଛ ସୃଷ୍ଟି କରାଯାଇପାରେ  ।

ଜଳବାୟୁ ଓ ଚାଷ ଋତୁ

ଆଖୁ ଗ୍ରୀଷ୍ମମଣ୍ଡଳୀୟ ଫସଲ  । ଏହାପାଇଁ ପ୍ରଚୁର ଖରା, ତାପମାନ ଓ ବୃଷ୍ଟି ଆବଶ୍ୟକ  । ତାମମାନ  ରୁ  ସେଲସିୟସ ତାପମାନ ଆଖୁଚାଷ ପାଇଁ ଉପଯୁକ୍ତ  । ତାପମାନ  ସେଲସିୟସରୁ ବେଶି ଏବଂ  ସେଲସିୟସରୁ କମ୍ ହେଲା ଆଖୁ ଫସଲ ଭଲ ହୁଏ ନାହିଁ  । ଏହାର ବୃଦ୍ଧି ଓ ବିକାଶ ହାର ଥଣ୍ଡାରେ କମିଯାଏ  । ୭୫୦-୧୩୦୦ ମିଲିମିଟର ବାର୍ଷିକ ହାରାହାରି ବୃଷ୍ଟିପାତ ଅଞ୍ଚଳରେ ଆଖୁ ଭଲହୁଏ   । ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ପ୍ରଦେଶର ତାପମାନ, ଦିବାଲୋକ  ପରିମାଣ ଓ ବୃଷ୍ଟିପାତ ଆଖୁ ଫସଲ ପାଇଁ ଅନୁକୂଳ ହୋଇଥିବାରୁ ଏଠାରେ ଆଖୁ ଫସଲ ଭଲ ଅମଳ ଦିଏ  । ଆଖୁଗୋଟିଏ ସି-୪ ଜାତୀୟ ଗଛ  । ଏହାର ଅଙ୍ଗାରକାମ୍ଳ ସଂଶ୍ଳେଷଣ ଶକ୍ତି ଅଧିକ ହୋଇଥିବାରୁ ଅନ୍ୟାନ୍ୟ ଫସଲ ତୁଳନାରେ ଏହାର ଉତ୍ପାଦିକତା ହାର ଖୁବ୍ ବେଶି  । ଆଖୁ ଫସଲ ପାଇଁ ଦିବାଲୋକ ୧୧-୧୩ ଘଣ୍ଟା ହେବା ଆବଶ୍ୟକ  । ସୂର୍ଯ୍ୟାଲୋକ ମାତ୍ରା ଓ ପରିମାଣ କମ୍ ହେଲେ ଗଛ ଶୀଘ୍ର ବଢେ ନାହିଁ  । ଆଖୁ ସରୁଆ ହୋଇଥାଏ  । ଉପଯୁକ୍ତ ଜଳବାୟୁ, ମୃତ୍ତିକା ଓ କମଣ ପାଇଲେ ଆଖୁଫସଲ ହେକ୍ଟର ପ୍ରତି ୬୪.୧ ଟନ ଶୁଷ୍କାଂଶ ବା ୧୬୦-୧୮୦ ଟନ ଆଖୁ ଅମଳ ଦେଇପାରେ  ।

ଆଖୁ କାର୍ତ୍ତିକ ଠାରୁ ବୈଶାଖ ମାସ ପର୍ଯ୍ୟନ୍ତ ଲଗାଯାଇ ପାରେ  । ଖରା, ବର୍ଷା, ଶୀତ କାକର ଇତ୍ୟାଦି ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ଆଖୁ ଲଗାଇବା ସମୟ ସ୍ଥିର କରାଯାଇଥାଏ  ଏବଂ ଖାପଖାଇଲା ଭଳି ସହଳ, ମଧ୍ୟମ ଓ ବିଳମ୍ବ ଏପରି ୩ କିସମର ଆଖୁ ଲଗାଯାଇଥାଏ  । ପ୍ରତ୍ୟକ ଆଖୁ କିସମର ଗୁଣ ଜାଣି ଏହା ସହଳ, ମଧ୍ୟମ କି ବିଳମ୍ବରେ ଲଗାଯିବା ଉପଯୁକ୍ତ ସ୍ଥିରକରି ଋତୁକୁ ଖାପ ଖାଇଲା ଭଳି ଲଗାଯାଇଥାଏ  । ମାତ୍ର ଫାଲୁଗୁନ ମାସପରେ ଆଖୁ ଲଗାଇବା ଅନୁଚିତ  । ବଢିବା ପାଇଁ ଅଳ୍ପ ସମୟ ମିଳୁଥିବାରୁ ଅମଳ କମିଯାଏ  । କିନ୍ତୁ ମଞ୍ଜି ପାଇଁ ଲଗାଯାଇ ପାରେ  । ସଅଳ, ମଧ୍ୟମ ଓ ବିଳମ୍ବରେ ଲଗାଇବା ପାଇଁ ଉପଯୁକ୍ତ କିସମ ଆଖୁର ତାଲିକା ନିମ୍ନରେ ଦିଆଗଲା  ।

ଋତୁ

ଲଗାଇବା ସମୟ

ଆଖୁ କିସମ

ସଅଳ

କାର୍ତ୍ତିକ – ପୌଷ (ଅକ୍ଟୋବର-ଡିସେମ୍ବର)

କୋ ୭୪୦, ୬୨୧୭୫, ୭୭୦୪, ୮୦୨୧

ମଧ୍ୟମ

ମାଘ – ଚୈତ୍ର (ଜାନୁୟାରୀ-ମାର୍ଚ୍ଚ)

କୋ ୭୪୦, କୋ ୬୩୦୪, କୋ ୭୨୧୯, କୋ ୮୦୨୧, ଟି ୮୦୨୧

ବିଳମ୍ବ

ବୈଶାଖ – ଜ୍ୟେଷ୍ଠ (ଏପ୍ରିଲ - ମଇ)

କୋ ୭୭୦୪, କୋ ୮୦୨୧

ଚିନି କାରଖାନା ଅଞ୍ଚଳରେ ସଅଳ, ମଧ୍ୟମ ଓ ବିଳମ୍ବରେ ପାକଲା ହେଉଥିବା ଆଖୁ କିସମ ବର୍ଷର ବିଭିନ୍ନ ସମୟରେ ଲଗାଯାଇ କାରଖାନାକୁ ବର୍ଷସାର ଆଖୁ ଯୋଗାଇବା ଲାଗି ଯୋଜନା କରିବା ଦରକାର  । ମାର୍ଗଶୀର – ପୌଷ ମାସରେ ଲଗାଯାଇଥିବା କିସମ ବହୁତ ବିଳମ୍ବରେ ପାକଳ ହୁଏ  । କିନ୍ତୁ ଏହି କିସମ ଆଖୁ ବିଳମ୍ବରେ ଚୈତ୍ର-ବୈଶାଖରେ ଲଗାଇଲେ ଶୀଘ୍ର ପାକଳ ହୋଇଯାଏ  । କାରଖାନା ଅଞ୍ଚଳରେ ବିଳମ୍ବରେ ପାକଳ ହେଉଥିବା କିସମ ଗୁଡିକ କାର୍ତ୍ତିକ-ମାର୍ଗଶୀର (ସଅଳ) ଲଗାଯିବା ଉଚିତ  । ମଧ୍ୟମକାଳୀ ଆଖୁ କିସମ ପୌଷମାସ ଶେଷ ବେଳକୁ ଲଗାଯିବା ଉଚିତ  ଏବଂ ସ୍ୱଳ୍ପକାଳୀ କିସମ ମାଘ ପରେ ଲଗାହେବା ଉଚିତ  । ମଞ୍ଜି ପାଇଁ ୬ମାସ ପରେ ଯେକୌଣସି କିସମର ଫସଲ ଉପଯୁକ୍ତ ହୋଇଯାଏ  । ଏଣୁ ଏହାର ଲଗାଇବା ସମୟ ସେହି ଅନୁସାରେ ସ୍ଥିର କରାଯାଇପାରେ  ।

ଏହିସବୁ କିସମ ବ୍ୟତୀତ କୋ ୭୫୦୮, କୋ ୭୭୦୪, କୋ ୮୪୦୧, କୋ-ଅ- ୭୬୦୧, କୋ-ଅ- ୭୬୦୨, କୋ ୭୨୧୯, କୋ ୫୨୭, କୋ- ୭୭୦୬, କୋ ୬୨୧୪୭, କୋ-ଟି- ୮୨୦୧, କୋ ୮୪୦୨ ମଧ୍ୟ ଚାଷ ପାଇଁ ଅନୁମୋଦନ କରାଯାଉଛି ।

ନାଲି ସଢା ରୋଗ ନିରୋଧକ କିସମ – କୋ ୮୫୪, କୋ ୬୯୦୭, କୋ ୭୨୧୯, କୋ ୮୩୩୮, କୋ ୮୩୪, କୋ ୮୦୧୩, କୋ – ଟି – ୮୨୦୧, କୋ – ଅ – ୭୬୦୧, କୋ ୬୨୧୯୮ ଓ କୋ ୭୬୦୨ ଅନୁମୋଦିତ  ।

(କୋ-ଅ-କୋଏମ୍ବାଟୁର – ଅଣକ ପଲ୍ଲୀ )

ସଅଳ ଋତୁରେ ଲଗାଯିବା ଆଖୁ

ବିଆଳୀ ଧାନ ଓ ଝୋଟ, କାଟିସାରି କାର୍ତ୍ତିକ ମାସ ଶେଷ ସୁଦ୍ଧା ଆଖୁ ଲଗାଯାଏ  । ସାମାନ୍ୟ ଢିପଜମି, ନଈନାଳ ପାଖାପାଖି ଜଳସେଚିତ ଜମିରେ କାର୍ତ୍ତିକ ମାର୍ଗଶୀର ମାସରେ ଲଗା ଆରମ୍ଭ ହୁଏ  । ଏହି ଆଖୁ ଶୀତଋତୁରେ ଅଳ୍ପ ଉତ୍ତାପ, ଖରାଋତୁର ଅଧିକ ଉତ୍ତାପ ଏବଂ ଉଭୟ ଋତୁର ପ୍ରଚୁର ସୂର୍ଯ୍ୟକିରଣ ସହାୟତାରେ ଭଲ ପିଲ ଦିଏ  । ବହୁତ ଉଚ୍ଚ ହୁଏ  । ଏ ଫସଲରେ ରୋଗ ପୋକ ଓ ଅନ୍ୟାନ୍ୟ ପ୍ରାକୃତିକ କିରଣ ହେତୁ କ୍ଷୟ କ୍ଷତି ବେଶି ହୁଏ ନାହିଁ  । ଅମଳ ବହୁତ ମିଳେ  ।

ମଧ୍ୟମ ଋତୁରେ ଲଗାଯିବା ଆଖୁ

କେନାଲ ଜଳସେଚିତ ଅଞ୍ଚଳରେ ବା ଉଠା ଜଳସେଚନ ସୁବିଧା ଥିବା ଅଞ୍ଚଳରେ ମାର୍ଗଶୀର – ପୌଷ – ମାଘ ମାସରେ ସାରଦା ଧାନ ପରେ ବା ଆଳୁ ଖୋଳି ସାରି ଆଖୁ ଲଗାଯାଏ  । ଉପଯୁକ୍ତ ଯତ୍ନ ଦ୍ଵାରା ଏ ଆଖୁରୁ ମଧ୍ୟ ଭଲ ଅମଳ ଆଦାୟ କରାଯାଇପାରେ  ।

ବିଳମ୍ବ ଋତୁରେ ଲଗାଯିବା ଆଖୁ

ଚୈତ୍ର ମାସଶେଷଠାରୁ ଜ୍ୟେଷ୍ଠ ମାସ ପର୍ଯ୍ୟନ୍ତ ଡାଳୁଅ ଫସଲ କାଟିସାରି ଓ ରବି ଫସଲ ଉଠିଯିବା ପରେ ଜଳସେଚନର ସୁବିଧା ଥିଲେ ମଧ୍ୟ ଆଖୁ ଲଗାଯାଏ  । ଏହି ଆଖୁ ଫସଲ ଚଢିବାକୁ ବେଶି ସମୟ ପାଏ ନାହିଁ  ।

ଏହାର ଅମଳ କମ ହୁଏ  । ଖାଲ କିଆରୀରେ ପାଣି ଭର୍ତ୍ତିହୋଇଗଲା ପରେ ଆଖୁ ଭଲ ହୁଏ ନାହିଁ  । ଏଥିରେ ବେଶି ରୋଗ ଓ ପୋକ ଲାଗିବା ସମ୍ଭାବନା ଥାଏ  । ଏଣୁ ଏତେ ଡେରିରେ ଆଖୁ ଲଗାଇବା ଉଚିତ  ନୁହେଁ  ।

ତୃଷ୍ଟିପୁଷ୍ଟ ଆଖୁଚାଷ

ସବୁ ଅଞ୍ଚଳରେ ଜଳସେଚନର ସୁବିଧା ନାହିଁ  । କିନ୍ତୁ ପାରମ୍ପରିକ ଭାବେ ନଦୀ କୂଳସ୍ଥ ବାଲିଆ ଦୋରସା ଜମିରେ ବହୁତ ଦିନ ଧରି ଭଲ ବତର ରହିଥିବା ଜାଗା ମାନଙ୍କରେ ମାଘ-ଫାଲଗୁନ ମାସରେ ଆଖୁ ଲଗାଯାଇଥାଏ  । ଗ୍ରୀଷ୍ମର ପ୍ରକୋପରେ ବୃଦ୍ଧି ପୂର୍ବରୁ ଆଖୁ ଗଛ ଉଠି ମାଟିର ବତରରେ ବଢି ବର୍ଷା ଆସିବା ବେଳକୁ ଦୁଇ ତିନି ଫୁଟ ଉଚ୍ଚ ହୋଇଯାଇଥାଏ  । ଏହି ଫସଲରୁ ମଧ୍ୟ ଭଲ ଅମଳ ମିଳେ  ।

ଜମି ପ୍ରସ୍ତୁତି

ଦୋରସା, ବାଲିଆ ଦୋରସା, ପଟୁ ଏବଂ ପଟୁ ଦୋରସା ମାଟିରେ ଆଖୁ ଭଲ ହୁଏ  । ଲୁଣି ବା କ୍ଷାରି ମାଟି ଆଖୁ ଚାଷ ପାଇଁ ଉପଯୁକ୍ତ  ନୁହେଁ  । ମାଟିର ଅମ୍ଳାଙ୍କ ମଧ୍ୟରେ ହେଲେ ଆଖୁ ପାଇଁ ଉପଯୁକ୍ତ  । ବେଶି ଅମ୍ଳୀ ବା କ୍ଷାରି ମାଟିରେ ଆଖୁ ଭଲ ବଢେ  ନାହିଁ  । ଆଖୁ ଗଛର ଚେର ତଳକୁ ୩୦-୪୫ ସେ.ମି. ଏବଂ ଦୁଇ ପଟକୁ ଆଖୁ ବୁଦାଠାରୁ ୨୦-୩୦ ସେ.ମି. ବ୍ୟାପିଥାଏ  ।ଏଣୁ ଆଖୁ ଚାଷ ପାଇଁ ଗହିରିଆ ଚାଷ ଆବଶ୍ୟକ  । ଲୁହା ଲଙ୍ଗଳ, ଟ୍ରାକ୍ଟରରେ ବଡ ଲୁହା ପତ୍ର ଥିବା ଲଙ୍ଗଳ ଲଙ୍ଗଳ ଲଗାଇ ଚାଷ କରାଯିବା ଦରକାର  । ପ୍ରଥମ ଦୁଇ ଓଡ ଲୁହା ଲଙ୍ଗଳରେ ଚାଷ କରି ଶେଷ ଦୁଇ ଓଡ ଦେଶୀ ଲଙ୍ଗଳ ବା ଦାନ୍ତିଆ ଲଙ୍ଗଳରେ ଚାଷ କରିବା ଭଲ  । ମଇ ଦେଇ ହୁଡା ବା ଢିପ ଭାଙ୍ଗି କିଆରିକି ସମାନ ଅକରିବା ଆବଶ୍ୟକ  । ଶେଷ ଓଡ ହଳବେଳକୁ ଗୋବରଖତ, କମ୍ପୋଷ୍ଟ, ଚିନି କାରଖାନା ବା କାଗଜ କଳ, ଛେଦାମଳ ଇତ୍ୟାଦି ମିଶାଇ ଦେବା ଦରକାର  । ସଜ ଗୋବର ପକାଇବା ଅନୁଚିତ  । କିଆରି ସମାନ କରି ୯୦ ସେ.ମି. ଛଡାରେ ଓ ୨୦-୨୨ ସେ.ମି. ଗହୀରା ସିଆର କରାଯିବା ଦରକାର  । ଏହା ଲୁହା ଲଙ୍ଗଳ ସାହାଯ୍ୟରେ କରାଯାଇପାରେ  । ଲଙ୍ଗଳର ଦୁଇପଟେ ମୋଡ ପତ୍ର ଥିବା ଲଙ୍ଗଳ ସେଥିପାଇଁ ଉପଯୁକ୍ତ  । ଉଛୁରରେ ଲଗାଯାଉଥିବା ଆଖୁ ପାଇଁ ୭୫ ସେ.ମି. ଏବଂ ବୈଶାଖ ମାସରେ ଲଗାଯାଉଥିବା ଆଖୁ ପାଇଁ ୬୦ସେ.ମି. ଛଡା ସିଆର କରାଯିବା ଆବଶ୍ୟକ  ।

ସିଆରରେ ଲଗାଇଲେ ଗଛ ଉଠିଯିବା ପରେ ହୁଡା ଦେବାହେତୁ ଗଛ ଧାଡି ମୂଳ ଉଚ୍ଚାହୋଇଯାଏ  । ଦୁଇ ଧାଡି ମଝିରେ ନାଳୀ ହୋଇଯାଏ  । ଏହାଦ୍ଵାରା ଜଳନିଷ୍କାସନ ସୁବିଧା ହୁଏ  । ବେଶି ଅନାବନା ଘାସ ବଢିପାରନ୍ତି ନାହିଁ  । ବାଛିବା ମଧ୍ୟ ସୁବିଧା ହୁଏ  । ସଅଳ କାଣ୍ଡ ବିନ୍ଧା ପୋକ ବେଶି ଲାଗନ୍ତି ନାହିଁ  । ଜଳସେଚନ ପାଇଁ ମଧ୍ୟ ସୁବିଧା ହୁଏ  । ଗଛ ଦୁଇପଟୁ ମାଟି ପାଇ ଟାଣ ହୋଇ ଠିଆ ହୋଇ ରହେ, ପଡିଯାଏ ନାହିଁ  ।

ରୋଗ ଓ ପୋକ ଲାଗିନଥିବା ୬-୮ ମାସିଆ ଆଖୁମଞ୍ଜି ପାଇଁ ଉପଯୁକ୍ତ  । ପେଡା ପାଇଁ କଟାଯାଇଥିବା ଆଖୁର ଅଗ ଅଂଶ ମଞ୍ଜି ପାଇଁ ଉପଯୁକ୍ତ  । ଆଖୁ ମଞ୍ଜି ଗୋଟାଏ ଜାଗାରୁ ଆଉଗୋଟିଏ ଦୂର ଜାଗାକୁ ବୁହାହୋଇ ଯାଉଥିଲେ ଆଖୁ ପତ୍ର ଛଡାଇ, ଆଖୁକୁ ଖଣ୍ଡ ଖଣ୍ଡ ନକରି ଗୋଟା ଆଖୁ ଗଛ ନେଇ ଲଗାଇବା କିଆରି ପାଖରେ ପତ୍ର ଛଡାଇ, କାଟି ଉପଚାର କରି ଲଗାଇବା ଭଲ  । ଏକର ପ୍ରତି ୧୨୦୦୦-୧୫୦୦୦ ତିନିଆଖିଆ ଆଖୁ ଖଣ୍ଡ ଆବଶ୍ୟକ  । (ହେକ୍ଟର ୩୦,୦୦୦-୪୦,୦୦୦ ଆଖୁଖଣ୍ଡ)  । ୬-୮ ମାସିଆ ଆଖୁର ସମୁଦାୟ ଗଛ ମଞ୍ଜିପାଇଁ ଉପଯୁକ୍ତ  ।

ଆଖୁ ମଞ୍ଜିପାଇଁ କାଟିବା ଲାଗି ଦାଢୁଆ କଟୁରି ଆବଶ୍ୟକ  । ତେରେଛା କରି କାଟିବା ଉଚିତ  ନୁହେଁ  । ଆଖୁ ଖଣ୍ଡର ଦୁଇ ପାଟ କେଚେରା ହେବା ଅନୁଚିତ  । ଆଖୁ ଖଣ୍ଡ ଖଣ୍ଡ କରି କାଟି ସାରୁ ଚୂନ ପାଣିରେ ୧୨-୧୪ ଘଣ୍ଟା ବୁଡାଇ ରଖିବା ଉଚିତ  । ଏହି ଚୂନ ପାଣିରେ ଆଖୁ ଖଣ୍ଡ ଗୁଡିକୁ ବୁଡାଇ ରଖାଯାଏ  । ଚୂନ ପାଣିରୁ ଆଖୁ  ଗଣ୍ଡିରା ଗୁଡିକୁ ଛାଣି ଶତକଡା ୦.୫ ଭାଗ ଏମେସାନ, କିମ୍ବା ଶତକଡା ୦.୨୫ ଭାଗ ଆରେଟାନ ଦ୍ରବଣରେ ଅଧଘଣ୍ଟାଏ ବୁଡାଇ ରଖାଯାଏ  । ଏହାଦ୍ଵାରା ଆଖୁଗଣ୍ଡିରା ଗୁଡିକ ସୁଖୀ ଯାଏ ନାହିଁ କିମ୍ବା ବିହନ ସଢା ରୋଗ ହୁଏ ନାହିଁ  । ଗଛ ହୃଷ୍ଟପୃଷ୍ଟ ରୁହେ  ।

ଏହିପରି ଉପଚାରିତ ଆଖୁ ଖଣ୍ଡ ବା ଗଣ୍ଡିରାଗୁଡିକ ସିଆରରେ ଲଗାଇବା ପୂର୍ବରୁ ସିଆରରେ ହେକ୍ଟର ପ୍ରତି ୨୫-୩୦ କି.ଗ୍ରା କୁଇନାଲଫସ ଗୁଣ୍ଡା ଛିଞ୍ଚିବା ଆବଶ୍ୟକ  । ଦରକାର  ମୁତାବକ ସୁପର ଫସଫେଟ୍ ଓ ପଟାସ ସାର ବିଞ୍ଚି ଖୁସେଇ ମାଟିରେ ମିଶାଇବା ଦରକାର  । ଏହି ସମୟରେ ଖତ ମଧ୍ୟ ସିଆରରେ ଦିଆଯାଇପାରେ  । କିନ୍ତୁ ଭଲ ସଢା ଖତ ନହୋଇଥିଲେ ଆଗରୁ ହଳ ବେଳେ କିଆରିରେ ବିଞ୍ଚି କରି ମିଶାଇ ଦେବା ଭଲ  । (ସିଆରରେ ଅସଢା ଖତ ଦେଲେ ସଅଳ କାଣ୍ଡ ବିନ୍ଧା ପୋକ ବେଶି ହୁଅନ୍ତି ) । କୁଇନାଲ ଫସ ଗୁଣ୍ଡା ବିଞ୍ଚିଲେ ଉଇ ଲାଗିବେନି ଏବଂ ସଅଳ କାଣ୍ଡ ବିନ୍ଧା ପୋକ ଆକ୍ରମଣ ହ୍ରାସ ପାଇବ  । ଏହାପରେ ସିଆରରେ ପ୍ରତି ମିଟର (୩୩ ଫୁଟ, ଦୁଇହାତ) ରେ ତିନିଆଖିଆ ଗଣ୍ଡିରା ୪ଟି ଆଖିକୁ ଆଖି ଠିକ୍ ରାଖୀ ଲଗାନ୍ତୁ  । ୭-୮ ମାସିଆ ଆଖୁରୁ ମଞ୍ଜି ନିଆଯାଇଥିଲେ ଅଗକୁ ଅଗ ସଳଖି ଲଗାଯାଇପାରେ  । ହେକ୍ଟର ପ୍ରତି ୧,୫୦,୦୦୦ ଆଖି ରହିବା ଦରକାର  । ଆଖୁ ଲଗାଇ ସାରି ସିଆରରେ ଗଣ୍ଡିରା ଉପରେ ୨.୩ ସେ.ମି. ମାଟି ଘୋଡାଇ ଦିଆଯାଏ  । ବେଶି ମାଟିଦେଲେ ଗଯା କମିଯାଏ  । ଯେତେ ଯାହା କଲେ ମଧ୍ୟ କିଛି ଆଖି ମାଡ ଖାଏ  । ସବୁ ଗଯା ହୁଏ ନାହିଁ  । ଏଣୁ ଖୁଞ୍ଚାଦେବା ପାଇଁ ଗୋଟିଏ ଜାଗାରେ କିଛି ଆଖୁ ଗଣ୍ଡିରା ଗଯା କରି ରଖିବା ଆବଶ୍ୟକ  । ଖାଲି ଜାଗାରେ ଖୁଞ୍ଚାଦେଇ ପାଣି ଦେବା ଦରକାର ମଟାଳ ମାଟିରେ ସିଆରରେ ପାଣି ମଡାଇ ମାଟିକୁ ଗୋଡରେ ଚକଟି ଆଖୁ ଗଣ୍ଡିରା ଗୁଡିକୁ କାଦୁଅରେ ପୋତି ଦିଆଯାଏ  ।

ଉପଯୁକ୍ତ ମଞ୍ଜି ବାଛିବା ଠିକ୍ ପ୍ରଣାଳୀରେ ଲଗାଇବା ଆଖୁ ଫସଲ ଚାଷର ଅତି ଗୁରୁତ୍ଵ ପୂର୍ଣ୍ଣ ପ୍ରାଥମିକ ଆବଶ୍ୟକ  ।

ସାର ପ୍ରୟୋଗ

ଆଖୁ ଫସଲ ବହୁତ ଖତ ସାର ଆବଶ୍ୟକ କରେ  । ଏକ ଟନ ପେଡା ଯୋଗ୍ୟ ଆଖୁ ୨.୨୫ କି.ଗ୍ରା ଯବକ୍ଷାରଜାନ, ୭୫୦ ଗ୍ରାମ ଫସଫେଟ୍ ଓ ୨.୫ କି.ଗ୍ରା ପଟାସ ମାଟିରୁ ଗ୍ରହଣ କରିଥାଏ  । ମାଟି ପରୀକ୍ଷା କରି ହେକ୍ଟର ପ୍ରତି ୯୦-୧୦୦ ଟନ ଆଖୁ ଉତ୍ପାଦନ ପାଇଁ ଆବଶ୍ୟକ ଖତ ଓ ସାର ପ୍ରୟୋଗ କରିବା ଆବଶ୍ୟକ  । ସାଧାରଣ ଭାବେ ହେକ୍ଟର ପ୍ରତି ୨୫ ଟନ ଖତ, ୨୦୦ କି.ଗ୍ରା ଯବକ୍ଷାରଜାନ, ୬୦ କି.ଗ୍ରା ଫସଫେଟ୍ ଓ ୬୦ କି.ଗ୍ରା ପଟାସ ପ୍ରୟୋଗ କରିବା ଆବଶ୍ୟକ  । ଆଖୁ ଲଗାଇବା ବେଳେ ସବୁଜ ଫସଫେଟ୍ ଓ ପଟାସ ପ୍ରୟୋଗ କରିବା ଆବଶ୍ୟକ  । ଛୋଟ ଦିନିଆ ଆଖୁରେ ଯବକ୍ଷାରଜାନକୁ ଦୁଇଥରରେ (ଲଗାହେବାର ୩୦ ଏବଂ ୬୦ ଦିନ ପରେ) ମଧ୍ୟମ ଓ ବିଳମ୍ବରେ କଟାହେବା ଆଖୁରେ ତିନିଥରରେ ଲଗାହେବାର ୩୦, ୬୦ ଓ ୯୦ ଦିନ ପରେ ପ୍ରୟୋଗ କରିବା ଆବଶ୍ୟକ  । ୯୦ଦିନ ପରେ ଯବକ୍ଷାଯାନ ପ୍ରୟୋଗ କରିବା ଅନୁଚିତ  । ଏହାଦ୍ଵାରା ଗଛରେ ବେଶି ପାଣି ପିଲ ବାହାରେ ଓ ଆଖୁରେ ସୁକ୍ରୋଜ ଅଂଶ ହ୍ରାସପାଏ  । ଅମଳ ମଧ୍ୟ କମିଯାଏ  ।

ଆଖୁ ଫସଲର ଯତ୍ନ

ଲଗାଇବାର ୩୦ ଦିନ ଭିତରେ ଆଖି ଗୁଡିକରୁ ଗଜା ବାହାରି ଆସେ  । ଏହି ସମୟରେ ଅଳ୍ପ ଖୁସା ଖୁସି କରି କିଛି ମାଟି ସିଆରକୁ ଦବା ଆବଶ୍ୟକ  । ଏହା ଦ୍ଵାରା ସଅଳ କାଣ୍ଡବିନ୍ଧା ପୋକ ଆକ୍ରମଣ ହ୍ରାସ ଥାଏ  । ଏହି ସମୟରେ ପ୍ରଥମ ଦଫା ଯବକ୍ଷାରଜାନ ସାରା କରିବା ଆବଶ୍ୟକ  । ଆଉ ମାସକ ପରେ ପୁଣି ଥରେ ଖୁସେଇ ଦ୍ଵିତୀୟ ଦଫାସାର ଦେଇ ହୁଡା ଭଲ ଭାବରେ ଦେବା ଆବଶ୍ୟକ  । ଜଳସେଚନ କଲେ ଗଛ ଯବକ୍ଷାରଜାନ ଗ୍ରହଣ କରି ଭଲ ବଢିବ  । ଆଖୁ ଲଗାଇବା ବେଳେ କୌଣସି କାରଣରୁ ସୁପର ଫସଫେଟ୍ ଓ ପଟାସ  ଦିଆଯାଇନଥିଲେ  ୩୦ ଦିନ ବେଳକୁ ଖୁସାଇ ଏହି ସାର ପ୍ରୟୋଗ କରାଯାଇପାରେ  ।

ଆଖୁ ଗଛ ଧାଡିରେ ଓ ଧାଡି ମଝିରେ ଥିବା ଜାଗାରେ ବହୁତ ଅନାବନା ଘାସ ଉଠେ  । ଘାସ ବାଛିବା ପାଇଁ ବହୁତ ମୁଲ ଲାଗେ  । ଘାସମରା ଔଷଧ ବ୍ୟବହାର କରି ଅନାବନା ଘାସ ମରାଯାଇ ପାରେ  । ଆଟ୍ରାଜିନ – ଘାସ ମରା ଔଷଧକୁ ୧.୫ କି.ଗ୍ରା ୩୦୦ ଲିଟର ପାଣିରେ ଗୋଳାଇ ୧ ଏକର ଜମିରେ ଛିଞ୍ଚିଲେ ଦ୍ଵିପତ୍ରୀ ଘାସ ଗୁଡିକ ଶୀଘ୍ର ମରିଯାଆନ୍ତି  । ମାଟି ଓଦା ଥିଲା ବେଳେ ଏହି ଔଷଧକୁ ପ୍ରୟୋଗ କଲେ ଭଲ ଉପକାର ମିଳେ  । ସୁଖିଲା ମାଟିରେ ଏହି ଔଷଧ ପ୍ରୟୋଗ କଲେ କାମ ଦିଏ ନାହିଁ  । ଏଣୁ ଲଗାଇବାର ୩ଦିନ ଭିତରେ ପ୍ରଥମ ଖୁସା କୋଡା କରିସାରି ପାଣି ଦେବାପରେ  ଏ ଔଷଧ ପ୍ରୟୋଗ କଲେ କିଆରିରୁ ଘାସ ସହଜରେ ମରିଯାଏ ; କିନ୍ତୁ ଦୁବ ଓ ମୁଥା ଘାସ ସହଜରେ ମରନ୍ତିନାହିଁ  । ଏଗୁଡ଼ିକୁ ବାଛି କାଟି ଦେବା ଦରକାର  ।

ଆଖୁ ଫସଲ ପାଇଁ ବହୁତ ପାଣି ଦରକାର ହୁଏ  । ୟୁରିଆ ସାରରେ ଶତକଡା ୪୬ ଭାଗ ଯବକ୍ଷାରଜାନ ଥାଏ  । ଏହି ସାର ପ୍ରୟୋଗ କରି ପାଣି ମଡାଇଦେବା ଦ୍ଵାରା ପାଣିରେ ୟୁରିଆ ସାର ମିଳାଇଯାଏ  ଏବଂ ଏହାର ଯବକ୍ଷାରଜାନ ଅଂଶ ମାଟିରୁ ଧୋଇ ହୋଇ ତଳକୁ ବୋହିଯାଏ  । ଗଛ ସବୁ ଯବକ୍ଷାରଜାନ ପାଇ ପାରେ ନାହିଁ  । କିନ୍ତୁ ଏହାକୁ ନିମପିଡିଆ ସାଙ୍ଗରେ ମିଶାଇ ଗମ କରି ପ୍ରୟୋଗ କଲେ ୟୁରିଆରୁ ଯବକ୍ଷାଯାନ ନଷ୍ଟ ହୁଏ ନାହିଁ  । ୧୦୦ କି.ଗ୍ରା ୟୁରିଆ ପାଇଁ ୨୦ କି.ଗ୍ରା ଗୁଣ୍ଡା ନିମପିଡିଆ ଆବଶ୍ୟକ  । ଏହାକୁ ଫେଣ୍ଟି, ମିଶାଇ ୧୨ ଘଣ୍ଟା ରଖିଲାପରେ ବିଲରେ ଦେଲେ ଭଲ  । ଏହାଦ୍ଵାରା ଏକର ପ୍ରତି ୫୦ କି.ଗ୍ରା ୟୁରିଆ ପ୍ରୟୋଗ କମ୍ କରାଯାଇପାରେ  ।

ଜୈବିକ ସାର ପ୍ରୟୋଗ କଲେ ମାଟିରୁ ଯବକ୍ଷାରଜାନ ଓ ଫସଫେଟ୍ ଅଧିକ ପରିମାଣରେ ଫସଲକୁ ମିଳିଥାଏ  । ଏଣୁ ସାର ଖର୍ଚ୍ଚ କମିଯାଏ  । ଫସଫୋବାକ୍ଟେରିଅମ, ଆଜୋଟବାକ୍ଟର  ବା ଆଜୋସ୍ପାଇରିଲମ ଜୈବିକ ସାର  । ଫସଫୋକ୍ଟେରିଅମ ରୁ ୨ କି.ଗ୍ରା ଓ ଆଜୋଟୋବାକ୍ଟର ଓ ଆଜୋସ୍ପାଇରିଲମ ରୁ ୧ କି.ଗ୍ରା. କୁ ୨୦୦ କି.ଗ୍ରା ସୁଖିଲା ଗୁଣ୍ଡା ଗୋବର ଖତରେ ମିଶାଇ ଆଖୁ ଲଗାଇବାର ମାସକ ପରେ ଗଛ ମୂଳରେ ପ୍ରୟୋଗ କରି ଜଳସେଚନ କଲେ ଭଲ ଉପକାର ମିଳିଥାଏ  । ଏହାଦ୍ଵାରା ଏକର ପ୍ରତି ୩୦-୪୦ କି.ଗ୍ରା ଯବକ୍ଷାରଜାନ ଗୁଣ ମିଳିଥାଏ  । ଏକର ପ୍ରତି ୩-୪ ଟନ ଅଧିକ ଅମଳ ମିଳେ; କିନ୍ତୁ ଜୈବିକ ସାରକୁ ରାସାୟନିକ ସାରରେ ମିଶାଇ ପ୍ରୟୋଗ କରିବା କିମ୍ବା ଦୁଇପ୍ରକାର ସାରକୁ ଏକା ସମୟରେ ପ୍ରୟୋଗ କରିବା ଅନୁଚିତ  ।

ସାର ପ୍ରୟୋଗ

ଆଖୁ ଫସଲ ୧୦-୧୩ ମାସ ବିଲରେ ରହେ  । କେବଳ ଆଷାଢ-ଆଶ୍ଵିନ ମାସରେ ବର୍ଷାହେତୁ ଜଳସେଚନ କରିବା ଆବଶ୍ୟକ ପଡେ ନାହିଁ   । କିନ୍ତୁ ଅନ୍ୟମାସରେ ମାଟିର ବତର ଦେଖି ଜଳସେଚନ କରିବା ଆବଶ୍ୟକ  । ଗଜା ହେବା ସମୟରୁ ୩୫ ଦିନ ଯାଏ ପ୍ରତି ୭-୮ ଦିନରେ, ୩୬-୧୦୦ ଦିନ ମଧ୍ୟରେ ୧୦ ଦିନରେ ଥରେ ଗଛ ମୋଟା ହୋଇ ଡେଙ୍ଗାରେ ବଢିଲା ବେଳେ ୭-୮ ଦିନରେ ଥରେ ଓ ପାକଳ ବେଳେ ୧୫-୨୦ ଦିନରେ ଥରେ ଲେଖା ପାଣି ଦେବା ଆବଶ୍ୟକ  । ଗଛ ମୋଟା ହୋଇ ଡେଙ୍ଗାରେ ବଢିବାସମୟ ବର୍ଷାଦିନ ସହିତ ଖାପ ଖାଉଥିଲେ ଜଳସେଚନ ଆବଶ୍ୟକ ହୁଏ  ନାହିଁ  । ବର୍ଷା ୪ ମାସ ଛାଡିଦେଲେ ଆଖୁ ଫସଲପାଇଁ ୧୨-୧୬ ଟି ଜଳସେଚନ ଆବଶ୍ୟକ  । ଆଖୁ ଫସଲପାଇଁ ୧୭୫-୧୯୦ ସେ.ମି. ଜଳ ଆବଶ୍ୟକ  । କିଆରିରେ ଜଳ ଅଭାବହେତୁ ଗଛ ଝାଉଂଳିବାକୁ ଦେବା ଉଚିତ ନୁହେଁ  । ଶତକଡା ୫୦-୬୦ ଭାଗ ସୁଲ୍ୟଭ ଜଳ ଖର୍ଚ୍ଚ ହୋଇଗଲା ପରେ ଜଳସେଚନ କରିବା ଉଚିତ  ।

ଜଳସେଚନ ପାଇଁ ସୁବିଧା ନଥିଲେ ଏବଂ ମୃତ୍ତିକାରେ ଜଳୀୟଅଂଶ ହ୍ରାସ ପାଇ ଫସଲର ବହୁତ କ୍ଷତି ହେବା ସମ୍ଭାବନା ଥିଲେ ଏକର ପ୍ରତି ୫କି.ଗ୍ରା ପୋଟାସିଅମ କ୍ଲୋରାଇଡ ସାର ହେକ୍ଟର ପ୍ରତି ୧୩ ଗ୍ରାମ ୨୦୦ ଲିଟର ପାଣିରେ ଗୋଳାଇ ଛାଣି ପତ୍ର ଉପରେ ଛିଞ୍ଚିବା ଦରକାର  । ଅଣଜଳସେଚିତ ଅଞ୍ଚଳରେ ଏପରି ୨ଥର ସ୍ପ୍ରେ କରିବା ଆବଶ୍ୟକ ହୋଇଥାଏ  ।

ଆଖୁ କିଆରିରେ ପାଣି ଜମି ରହିବା ଅନୁଚିତ  । ଏହାଦ୍ଵାରା ରୋଗ ଓ ପୋକ ପାଦୃଭାବ ବଢେ  । ଗଣ୍ଠିରୁ ଚେର ବାହାରେ  । ଆଖୁ ଚେରୁଆ ହୋଇଯାଏ  । ଭଲ ଦୋରୁଅ ବାହାରେ ନାହିଁ  । ଅମଳ କମିଯାଏ  ।

ଆଖୁ ଅମଳ

ଆଖୁ ପାକଳ ହେଲେ କାଟିବା ଆବଶ୍ୟକ  । ହାତ ଋଫ୍ରାକ୍ଟୋମିଟରରେ ୨-୩ ଟୋପା ଆଖୁ ରସ ନେଇ ପରୀକ୍ଷା କରିବା ଆବଶ୍ୟକ  । ଏହାର ମୂଲ୍ୟାଙ୍କ ୧୮ ବା ଏଥିରୁ ଅଧିକ ହେଲେ ଆଖୁ ପେଡିବା ପାଇଁ ଉପଯୁକ୍ତ ବିବେଚିତ ହୁଏ  ।

ଆଖୁ କାଟିବା ପାଇଁ ଆଖୁ କଟା ଦା’ ଏବଂ ପତ୍ର ଉଞ୍ଛିବା ପାଇଁ ପତ୍ରଟଣା ଗୋଲ ଦା’ ବ୍ୟବହାର କରିବା ଭଲ  । ଆଖୁ ମୂଳେଇ କରି ମାଟି ପତନରେ କାଟିବା ଦରକାର  । ଏହାଦ୍ଵାରା ମୂଳି ଫସଲ ମଧ୍ୟ ଭଲ ହୁଏ  । ଅଗ କାଟି, ପତ୍ର ଉଞ୍ଛି ଆଖୁକୁ  ଖଣ୍ଡଖଣ୍ଡ କରି ବିଦା ବାନ୍ଧି ଟ୍ରକରେ ବା ଶଗଡରେ କଳପାଖକୁ  ବା ଖାଇବାକୁ ବୋହି ନିଆଯାଏ  । ୧୦୦ କି.ଗ୍ରା ଆଖୁରୁ ୮-୧୨ କି.ଗ୍ରା ଚିନି ହେବା ଆବଶ୍ୟକ  । ଆଖୁ କାଟିବାର ୨୪ ଘଣ୍ଟା ମଧ୍ୟରେ କଳରେ ବା ଖାଇଲେ ପେଡିବା ଆବଶ୍ୟକ  । ଆଖୁ କଟା ହୋଇ ପଡିରହିଲେ ଆଖୁର ରସ ଗୁଣ ନଷ୍ଟ ହୁଏ – ସୁକ୍ରୋଜ ଭାଙ୍ଗି ଯାଇ ଗ୍ଲୁକୋଜ ଓ ଫ୍ରୁକଟୋଜ ହୋଇଯିବାରୁ ଆଖୁରସ ପାଣିଚିଆ ଲାଗି ଚିନି ବା ଗୁଡ ଅମଳ କମିଯାଏ  ।

ଗୁଡରନ୍ଧା

ପାଞ୍ଚ କିମ୍ବା ୬ ଖାଇଆ – ଦାନ୍ତି-ବେଲଣା ସାହାଯ୍ୟରେ ବଳଦ ଲଗାଇ ଆଖୁ ପେଡା ଯାଏ  । ବିଜୁଳି ଚାଳିତ ଖାଇ ମଧ୍ୟ ବ୍ୟବହାର କରାଯାଏ  । ବେଲଣାର ଦାନ୍ତି ଧାରା ଅନୁସାରେ ଆଖୁରୁ ପେଡା ରସ ପରିମାଣ ଭିନ୍ନ ହୋଇଥାଏ  । ଛଅ ବେଲଣିଆ ଦାନ୍ତିଆ ଖାଇରେ ଶତକଡା ୮୦ ଭାଗ ରସ ବାହାରେ ଏବଂ ଗୁଡ ଭାଗ ୧୦-୧୨ ହୋଇଥାଏ  ।

ଗୁଡରନ୍ଧା କଡେଇରେ (ଗୋଡ ରସକୁ ୪ କଣିଆ କଡେଇ ଠାରୁ ଭଲ) ରସକୁ ଛାଣି ଫୁଟାଯାଏ  । ଏଥିପାଇଁ ଆଖୁଛେଦା ଉତ୍କୃଷ୍ଟ ଜାଳେଣୀ  । ପ୍ରଥମ ୩୦-୩୫ ଜାଳିଲା ପରେ କଡେଇରେ ଉପରକୁ ଭାସୁଥିବା ଫେଣ ଓ ମଳକୁ ଜାଲି ଚଟୁରେ ବାଡେଇ କାଢିଆଣିବା ଦରକାର  । ପରେ ଖୁବ ଜୋରରେ ଗବଗବ ହୋଇ ଫୁଟି ନାଲି ପଡି ଆସିବା ବେଳେ ରସ ସଫା କରିବା ପାଇଁ ରାସାୟନିକ ଦ୍ରବ୍ୟ ବା ଭେଣ୍ଡିରସ ପ୍ରୟୋଗ କରାଯାଇ ଥାଏ  । ରସର ଅମ୍ଳ ଭାଗ ୬.୪ ରୁ ୭.୨ ପର୍ଯ୍ୟନ୍ତ ରଖିବା ପାଇଁ ଚୂନ ପ୍ରୟୋଗ ଆବଶ୍ୟକ  । ୪୦ ଲିଟର ରସ ପାଇଁ ୫୦ ଗ୍ରାମ ଚୂନ ସାଧାରଣତଃ ବ୍ୟବହାର କରାଯାଇଥାଏ  । ୨୦-୨୫ ଗାମ ଭେଣ୍ଡି ରସ ବା ୧ କି.ଗ୍ରା. ଚିନା ବାଦାମ ଛେଚି ବାଟି ୪୦ ଲିଟର ରସରେ ଦେଇ ଗୁଡ ତିଆରି କଲେ ଗୁଡ ଭଲ ଦାନା ବାନ୍ଧେ, ଓ ସଫା ହୁଏ  ।

ପ୍ରାୟ ୧୧୮- ସେଲସିୟସ ତାପମାନରେ ରସ ଫୁଟିଲେ ପରେ ଗୁଡର ରଙ୍ଗ ଓ ସୂତା ଦେଖି ଗୁଡ ଓହ୍ଲେଇବାପାଇଁ ଠିକ୍ ହେଲାଣିକି ନାହିଁ ସ୍ଥିର କରାଯାଏ  । ଏପରି ଅବସ୍ଥାରେ ଫୁଟୁଥିବା ବେଳେ ଚଟୁରେ କିଛି ରସ ଆଣି ଥଣ୍ଡା ପାଣିରେ ପକାଇଲେ ଗୁଡ ରସ ଗୋଟା ବାନ୍ଧିଲେ ଏବଂ ଏହାର ସ୍ଵତନ୍ତ୍ର ଗୁଣାତ୍ମକ ଶବ୍ଦ ପ୍ରକାଶ କଲେ ଗୁଡ ଓହ୍ଲାଯାଇ ମାଠିଆ ବା ହାଣ୍ଡିରେ ଭର୍ତ୍ତି କରି ରଖାଯାଏ  । ଗୋଦାମ ଘରେ ସାଇତିଲା ବେଳେ ଚୂନ ବା କ୍ୟାଲସିୟମକ୍ଲୋରାଇଡ ରଖିଦେଲେ ଘରର ଆଦ୍ରତା ହ୍ରାସ ପାଏ, ଗୁଡ ଶୀଘ୍ର ନଷ୍ଟ ହୁଏ ନାହିଁ  କିମ୍ବା ମହଣେଇଯାଇ ପିତୁଳିଆ ଲାଗେନାହିଁ  । ଏହାକୁ ଗୁଡ ବୁଲିଯିବା କୁହାଯାଏ  । ମାଟିର ଗୁଣ ଅନୁସାରେ ଗୁଡର ଗୁଣ ପ୍ରଭାବିତ ହୋଇଥାଏ  ।

ମୂଳି ଆଖୁ ଫସଲ

ଆଖୁ ମୂଳରୁ ବାହାରୁଥିବା ଗଜାର ରକ୍ଷଣବେକ୍ଷଣ ଦ୍ଵାରା ଉତ୍ପାଦିତ ଫସଲକୁ ମୂଳି ଫସଲ କୁହାଯାଏ  । ଆଖୁ ଚାଷ ଅଞ୍ଚଳରେ ଏହା ଏକ ସାଧାରଣ କଥା ବହୁ ବର୍ଷଧରି ମୂଳି ଫସଲ ନିଆଯାଇପାରେ  । ଉପଯୁକ୍ତ ଯତ୍ନ ନେଲେ ୨-୩ଟି ମୂଳି ଫସଲ ଭଲ ଭାବରେ କରାଯାଇପାରିବ   । ମୂଳ ଫସଲରେ ଖର୍ଚ୍ଚ କମ୍  । କେତେକ ସ୍ଥଳେ ମୂଳି ଫସଲଅମଳ  ମୂଳ ଫସଲ ଅମଳ ଠାରୁ ମଧ୍ୟ ବେଶି ହେବାର ଦେଖାଯାଉଛି  । ମୂଳି ଫସଲ ପାଇଁ କେତୋଟି ଆବଶ୍ୟକ ପଦକ୍ଷେପ ନିମ୍ନରେ ବର୍ଣ୍ଣନା କରାଗଲା  ।

  1. କାର୍ତ୍ତିକ ଶେଷରୁ ଫାଲୁଗୁନ (ନଭେମ୍ବର - ଫେବୃୟାରୀ) ମାସରେ ଆଖୁ କାଟି ମୂଳି ଫସଲ ନେବା ଭଲ  । ବିଳମ୍ବରେ କାଟି ମୂଳି ଫସଲ ନେଲେ ଅମଳ କମିଯାଏ  ।
  2. ଆଖୁ ଗଛର ମୂଳରୁ ମାଟି ପତନ ସହିତ ସମାନ କରି ମୂଳେଇ କରି କାଟିବା ଦରକାର  । ମୂଳରୁ ଖୁଣ୍ଟା ମାଟି ଉପରକୁ ଦେଖାଯିବ ନାହିଁ  ।
  3. ଆଖୁ କାଟି ଶୁଖିଲା ପତ୍ର କିଆରିରୁ ବାହାର କରିଦେବା ଦରକାର  । କିଆରି ସଫା ସୁତୁରା ରଖିବା ଦରକାର  । କିଆରିରେ ପତ୍ରକୁ ବିଛାଇ ଦରକାର ପଡିଲେ ଠାଏ ଠାଏ ପାଳ ପକାଇ ନିଆଁ ଲଗାଇ ପୋଡି ଦେବା ଦରକାର  । କିଆରିରେ ପତ୍ର ପୋଡିଲେ ପତ୍ର ବାହାର କରିବା ଦରକାର ନାହିଁ   । ପତ୍ର ପୋଡି ଜାଳିସାରିବା ପରେ ସଙ୍ଗେ ସଙ୍ଗେ ପାଣି ମଡାଇବା ଆବଶ୍ୟକ  ।
  4. ମାଟି ବତର ଥିବା ବେଳେ ରହି ଯାଇଥିବା ମୂଳିକୁ ଧାରୁଆ କଟୁରୀରେ ଭୂମିପତନ ସହିତ ସମାନକରି ଛେଦି କାଟିଦେବା ଦରକାର  । ଏହା ଦ୍ଵାରା ମାଟି ତଳେ ଖୁଣ୍ଟାର ଆଖିରୁ ଭଲ ଗଜା ବାହାରେ ଏବଂ ବେଶି ପିଲ ଦିଏ  । ମୂଳି ଆଖୁ ଭଲ ବୁଦା ବାନ୍ଧେ   ।
  5. ହୁଡା ଭାଙ୍ଗି ସମାନ କରିଦିଆଯାଏ  । ଦରକାର ପଡିଲେ ହଳ କରିଦେବା ମଧ୍ୟ ଉଚିତ  । ଏହାଦ୍ଵାରା ପୁରୁଣା ଚେର ନଷ୍ଟ ହୋଇଯାଏ  । ନୂଆରେ ଚେର ବାହାରେ  । ମୂଳି ଆଖୁକୁ ବଢିବାରେ ସାହାଯ୍ୟ କରେ  ।
  6. ହୁଡା ଭାଙ୍ଗି ହେକ୍ଟର ପ୍ରତି ୧୫୦ କି.ଗ୍ରା  ଡି.ଏ.ପି. କିମ୍ବା ୩୭୫ କି.ଗ୍ରା ସୁପର ଫସଫେଟ୍ ହୁଡା ଦାଢରେ ପ୍ରୟୋଗ କରି ମାଟିରେ ଘୋଡାଇ ଦେବା ପରେ ପାଣି ଦିଆଯାଏ । ଏହି ସାର ଆଖୁ ମୂଳକୁ ଶୀଘ୍ର ପିଲ ବାହାରିବାରେ ସାହାଯ୍ୟ କରେ
  7. ଖାଲି ରହିଥିବା ଜାଗାରେ ଆଗରୁ ଗଜା କରି ରଖାଯାଇଥିବା ଆଖୁ ଖଣ୍ଡ ଆଣି ଖୁଞ୍ଚା ଦେଖି ଖାଲି ଜାଗା ପୂରଣ କରାଯାଏ  । ଏହା ଦ୍ଵାରା ଗଛ ସଂଖ୍ୟା ଠିକ୍ ରହେ  । ମୂଳି ଆଖୁ ଫସଲ ଆରମ୍ଭ ହେବାର ମାସକଭିତରେ  ଖୁଞ୍ଚା ଦେବା କାମ ସରିବା ଦରକାର  ।
  8. ମୂଳ ଆଖୁକୁ ୩୦ ଦିନ ବେଳେ ହେକ୍ଟର ପ୍ରତି ୧୨୦ କି.ଗ୍ରା ଯବକ୍ଷାରଜାନ ୬୦ କି.ଗ୍ରା ପଟାସ ପ୍ରୟୋଗ ଆବଶ୍ୟକ  ।
  9. ଆଉ ମାସକ ପରେ ଏହି ପରିମାଣର  ଯବକ୍ଷାରଜାନ ଓ ପଟାସ ପ୍ରୟୋଗ ଆବଶ୍ୟକ  ।
  10. ୪-୫ ମାସର ହୋଇଗଲେ ମୂଳରୁ ପତ୍ର ଉଞ୍ଛି ଦବା ଦରକାର  । ୨-୩  ବୁଦା ଆଖୁକୁ ପତ୍ରରେ ବାନ୍ଧି ଭେଳା କରିଦେଲେ ଭଲ  । ଏହାଦ୍ଵାରା ବର୍ଷା ଓ ପବନରେ ଆଖୁଗଛ ପଡିଯିବା ସମ୍ଭାବନା କମ୍  ।
  11. ଆବଶ୍ୟକ ମତେ ରୋଗ ଓ ପୋକଦାଉରୁ ରକ୍ଷା କରିବା ଆବଶ୍ୟକ  ।
  12. ଅନ୍ୟାନ୍ୟ ବିଧି ମୁଖ୍ୟ ଆଖୁ ଫସଲ ସହିତ ସମାନ  ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 7/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate