অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କପା

ଉପକ୍ରମ

ପ୍ରତ୍ୟକ ବ୍ୟକ୍ତି ପାଇଁ ଲୁଗାପଟା ଏକ ଅପରିହାର୍ଯ୍ୟ ବସ୍ତୁ  । ଅଧିକାଂଶ ଲୁଗାପଟା କପାତୁଳାର ତନ୍ତୁରୁ ପ୍ରସ୍ତୁତ କରାଯାଇଥାଏ  । ସେଥିପାଇଁ ବସ୍ତ୍ରଶିଳ୍ପ  ଆମ ଦେଶର ବୃହତ୍ତମ ଶିଳ୍ପ  । ଆମ ଦେଶର ଅର୍ଥନୀତିକୁ ଏହା ଅନେକାଂଶରେ ନିୟନ୍ତ୍ରଣ କରୁଛି  । ସେଥିପାଇଁ କପାକୁ  ଏକ ଅର୍ଥକାରୀ ଫସଲ ଭାବେ ଗଣାଯାଉଛି ଏବଂ କପାତୁଳା “ଧଳାସୁନା” ଭାବରେ ଖ୍ୟାତ  ।

କପାତୁଳାର ତନ୍ତୁ ବସ୍ତ୍ରଶିଳ୍ପର କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ  । ଏହା ବ୍ୟତୀତ କପାମଞ୍ଜି ଏକ ତୈଳବୀଜ ଭାବରେ ଗଣ୍ୟ  । ଏଥିରେ ଶତକଡା ୧୫ ରୁ ୨୫ ଭାଗ ତେଲ ରହିଛି  । କପାମଞ୍ଜି ତେଲ ବନସ୍ପତି ତିଆରିରେ ଲାଗେ  । କପାମଞ୍ଜି ପିଡିଆ ଗୋଖାଦ୍ୟ ତଥା ମୃତ୍ତିକା ଉର୍ବରକ ଭାବରେ ବ୍ୟବହୃତ ହୁଏ  । ଶୁଖିଲା କପାଗଛକୁ ଜାଳେଣି ଭାବରେ ବ୍ୟବହାର କରାଯାଏ  ।

ଉଦ୍ଭବ କେନ୍ଦ୍ର :

କାପାର ଉଦ୍ଭବ କେନ୍ଦ୍ର ଭାରତ  । ଖ୍ରୀଷ୍ଟପୂର୍ବ ୩୦୦୦ ବର୍ଷ ପୂର୍ବରୁ ଭାରତରେ କପାଚାଷ ହେଉଥିବାର ପ୍ରମାଣ ମିଳେ  । ପରେ ଏହି ଫସଲ ଭାରତରୁ ମିଶର, ସ୍ପେନ, ଏବଂ ଇଟାଲୀ ପ୍ରଭୃତି ଦେଶକୁ ପ୍ରସାର ଲାଭ କରିଛି  ।

ବିସ୍ତୃଦି :

କପା ପୃଥିବୀର ଗୋଟିଏ ମୁଖ୍ୟ ତନ୍ତୁଜାତୀୟ ଫସଲ  । ପୃଥିବୀର ମୁଖ୍ୟ କପା ଉତ୍ପାଦନକାରୀ ଦେଶଗୁଡିକ ହେଲା ଭାରତ, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଚୀନ, ବ୍ରାଜିଲ, ମିଶର, ପାକିସ୍ଥାନ, ତୁର୍କୀ ମେକ୍ସିକୋ ଏବଂ ସୁଦାନ  । ପୃଥିବୀର ମୋଟ କପା ତୁଳା ଉତ୍ପାଦନର ଶତକଡା ୮୫ ଭାଗ ଏହି ଦଶଟି ଦେଶରେ ହୋଇଥାଏ  ।

ଭାରତରେ ପ୍ରାୟ ୮ ନିୟୁତ ହେକ୍ଟର ଜମିରେ କପାଚାଷ ହେଉଛି  । କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସ୍ଥାନ ପ୍ରଥମ ହେଲେ ମଧ୍ୟ ଉତ୍ପାଦନ ଦୃଷ୍ଟିରୁ ଏହାର ସ୍ଥାନ ଚତୁର୍ଥ  । କପା ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଥାନ ପ୍ରଥମ  । ପୃଥିବୀରେ ମୋଟ ଯେତେ ଜମିରେ କପାଚାଷ ହୁଏ  ତାହାର ଏକଚତୁର୍ଥାଂଶ ଭାରତରେ  । ଭାରତର ପ୍ରତ୍ୟକ ରାଜ୍ୟରେ କିଛିନା କିଛି ଜମିରେ କପାଚାଷ ହୁଏ  । ତେବେ କ୍ଷେତ୍ରଫଳ ଦୃଷ୍ଟିରୁ ଗୁଜୁରାଟ ପ୍ରଥମ ସ୍ଥାନ ଅଧିକାର କରିଛି  । ଅନ୍ୟାନ୍ୟ ଯେଉଁ ପ୍ରଦେଶରେ କପା ବହୁଳଭାବେ ଚାଷ କରାଯାଏ  । ସେଗୁଡିକ ହେଲା କରନାଟକ, ମଧ୍ୟପ୍ରଦେଶ, ପଞ୍ଜାବ, ତାମିଲନାଡୁ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ହରିଆନା  । ଓଡିଶାରେ କପାଚାଷର ବିଶେଷ ପ୍ରସାର ହୋଇନାହିଁ  । କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଓ ଢେଙ୍କାନାଳ ଜିଲ୍ଲାର କେତେକ ଅଞ୍ଚଳରେ ଏହା ସୀମିତ  ।

କପାଗଛର ବିଭିନ୍ନ ଜାତି

କପାଗଛ ମାଲଭେସି ପରିବାର ଅନ୍ତର୍ଭୁକ୍ତ  । ଏହାର ପ୍ରଜାତି ଗସିପିଅମ୍  । ଏହି ପ୍ରଜାତିରେ ଜଙ୍ଗଲୀ ଓ ଚାଷ ହେଉଥିବା ୨୦ ଟି ଜାତିର କପା ରହିଛି  । ଭାରତରେ ଚାରି ଜାତିର କପା ଚାଷ କରାଯାଏ  ।

  1. ଗସିପିଅମ୍ ଆର୍ବୋରିୟମ
  2. ଗସିପିଅମ୍ ହର୍ବାସିଅମ
  3. ଗସିପିଅମ୍ ହିର୍ ସୁଟମ୍
  4. ଗସିପିଅମ୍ ବାରବାଡେନସ

ପ୍ରଥମ ଦୁଇଟି ଜାତି ଦେଶୀ କପା ଏବଂ ଅନ୍ୟ ଦୁଇଟି ଜାତି ଆମେରିକାନ୍ କପା ନାମରେ ଖ୍ୟାତ  ।

ଭାରତରେ ଅଧିକ ଜମିରେ ଆର୍ବୋରିଅମ ଏବଂ ହର୍ବାସିଅମ ଜାତୀୟ କପା ଚାଷ କରାଯାଏ  । ଏହି କପା ତୁଳାର ତନ୍ତୁ ଗୁଡିକର ଲମ୍ବ ଛୋଟ (୧.୨ ରୁ ୨.୩ ସେ.ମି.)  । ବାରବାଡେନସ ଜାତିର କପା ଦୀର୍ଘତନ୍ତୁ ବିଶିଷ୍ଟ (୩.୬ ରୁ ୫ ସେ.ମି. ଲମ୍ବା)  । ଏହା ଭାରତରେ ଖୁବ୍ କମ୍ ଜମିରେ ଚାଷ ହୁଏ  । ଏହାକୁ ସାମୁଦ୍ରିକ ଦ୍ଵିପାଞ୍ଚଳ କପା କୁହାଯାଏ  । ହିରସୁଟମ ଜାତିର କପା ମଧ୍ୟ ଏବେ ଅଧିକ ଜମିରେ ଚାଷ କରାଯାଉଛି  । ଏହାର ତୁଳା ଦୀର୍ଘ ତନ୍ତୁ ବିଶିଷ୍ଟ, ସୂକ୍ଷ୍ମ ଏବଂ ନରମ  ।

ମଞ୍ଜି କାପାର ଗୁଣାତ୍ମକ ମାନ

ମଞ୍ଜି ସହିତ ଥିବା ତୁଳାକୁ କପା କୁହାଯାଏ  । ସେଥିରୁ ମଞ୍ଜି ଅଲଗା କରିନେଲେ ତୁଳା ମିଳେ  । ତୁଳାରେ ଅସଂଖ୍ୟ ତନ୍ତୁ ଥାଏ  । ମଞ୍ଜି କପାର ଗୁଣାତ୍ମକ ନିମ୍ନଲିଖିତ ମାନରୁ ବିଚାର କରାଯାଏ  ।

  1. ମଞ୍ଜି କପାରେ ଟୁଲ ଭାଗ ମଞ୍ଜି କପାରୁ ମେସିନ ସାହାଯ୍ୟରେ କପାମଞ୍ଜି କଢାଯାଇ ତୁଳାକୁ ଅଲଗା କରାଯାଏ  । ଏହାକୁ କହନ୍ତି  ।

ଶତକଡା ତୁଳାଭାଗ =  X 100

ତୁଳାକୁ ପରିଷ୍କାର କରି ଭିଣି, ବଳି କରି ଗାଣ୍ଠି ଗାଣ୍ଠି  କରି ରଖାଯାଏ  । ପ୍ରତି ଗାଣ୍ଠିର ଓଜନ ୧୮୦ କି.ଗ୍ରା  ।

  1. ତନ୍ତୁର ଲମ୍ବା – ତନ୍ତୁର ଲମ୍ବକୁ ଦୁଇ କୁହାଯାଏ । ଦୀର୍ଘତା ଭିତ୍ତିରେ ଏହାକୁ ୫ଟି ଶ୍ରେଣୀଭୁକ୍ତ କରାଯାଇଥାଏ  ।

a)    ଛୋଟ ରୁଇ – ୧୯ ମି.ମି. ରୁ କମ୍  ।

b)    ମଧ୍ୟମ ରୁଇ – ୧୯.୧ ରୁ ୨୧.୯ ମି.ମି.  ।

c)     ଉନ୍ନତ ମଧ୍ୟମ ରୁଇ – ୨୧ ରୁ ୨୪.୪ ମି.ମି.  ।

d)    ଲମ୍ବା ରୁଇ – ୨୪.୫ ରୁ ୨୯.୯ ମି.ମି.  ।

e)     ଅଧିକ ଲମ୍ବ ରୁଇ – ୩୦ ମି.ମି. ରୁ ବେଶି  ।

  1. ତନ୍ତୁର ସୂକ୍ଷ୍ମତା

ତୁଳାରେ ଥିବା ତନ୍ତୁର ସୂକ୍ଷ୍ମତା ମାଈକ୍ରୋନାୟର ଏକକରେ ପ୍ରକାଶ କରାଯାଏ  । ଇଞ୍ଚ ପ୍ରତି ମାଇକ୍ରୋନାୟର ଏକକରେ ପ୍ରକାଶ କରାଯାଏ  । ଇଞ୍ଚପ୍ରତି ଓଜନକୁ ମାଇକ୍ରୋଗ୍ରାମ ରେ ପ୍ରକାଶ କଲେ ତାହା ମାଈକ୍ରୋନୟାର ଏକକ ହୁଏ  ।

୧ – ମାଇକ୍ରୋନାୟର = ୧ ମାଇକ୍ରୋଗ୍ରାମ / ଇଞ୍ଚ

ସୂକ୍ଷ୍ମତା ଭିତରେ ତୁଳାକୁ ୫ଟି ଶ୍ରେଣୀଭୁକ୍ତ କରାଯାଏ  ।

a)    ଅତି ସରୁ = ୩ ମାଇକ୍ରୋନାୟରରୁ କମ୍

b)    ସରୁ = ୩ରୁ ୩.୯ ମାଇକ୍ରୋନାୟର

c)     ମଧ୍ୟମ ମୋଟା = ୪ ରୁ ୪.୯ ମାଇକ୍ରୋନାୟର

d)    ମୋଟା = ୫ ରୁ ୫.୯ ମାଇକ୍ରୋନାୟର

e)     ଅତିମୋଟା = ୬ ମାଇକ୍ରୋନାୟରରୁ ବେଶୀ  ।

ଏହା ବ୍ୟତୀତ ତୁଳାତନ୍ତୁରୁ ପ୍ରସ୍ତୁତ ସୁତାର ସୂକ୍ଷ୍ମତା ଏବଂ ତୁଳାର ରଙ୍ଗ ମଧ୍ୟ ବିଚାରକୁ ନିଆଯାଏ  ।

ବିଭିନ୍ନ ଜାତିର କପାର ଗୁଣାତ୍ମକମାନ ନିମ୍ନରେ ଉଲ୍ଲେଖ କରାଗଲା  ।

କପାଜାତି

ମଞ୍ଜି କପାରେ ହାରାହାରି ତୁଳାଭାଗ

ତନ୍ତୁର ଲମ୍ବା

ସୂକ୍ଷ୍ମତା

ଆରର୍ବୋରିଅମ

୩୬-୨୪%

ଛୋଟ ମଧ୍ୟମ ଓ ଲମ୍ବା ରୁଇ

ମୋଟା ବା ମଧ୍ୟମ

ହର୍ବାସିଅମ

ହିରସୁଟମ

୩୪-୩୮%

ମଧ୍ୟମରୁ ଅଧିକ ଲମ୍ବା ରୁଇ

ସରୁ ଅତି ସରୁ

ବାରବାଡେନସ

୨୮-୩୦%

କପାଗଛର ଉଦ୍ଭିଦ ବର୍ଣ୍ଣନା

ଜଙ୍ଗଲୀ କପା ବହୁବର୍ଷୀୟ, କିନ୍ତୁ ଚାଷ କରାଯାଉଥିବା କପାଗୁଡିକ ସାଧାରଣତଃ ଏକବର୍ଷୀୟ  । ଏହା ଗୋଟିଏ ଶାଖା ପ୍ରଶାଖା

ଯୁକ୍ତ କ୍ଷୁପୀୟ ଉଦ୍ଭିଦ  । ବହୁ ବର୍ଷୀୟ ଜଙ୍ଗଲୀ ଜାତିର କପା ଗଛ ଅଧମିଟରରୁ ୩ ମିଟର ଉଚ୍ଚା ହୋଇଥାଏ  ।

ମୂଳ :

ଏହାର ମୁଖ୍ୟମୂଳ ସିଧାଭାବେ ମାଟି ତଳକୁ ଯାଇଥାଏ  । ପାର୍ଶ୍ଵଚେର ପ୍ରାୟ ୧୫ ସେ.ମି. ତଳୁ ବାହାରି ଶାଖାପ୍ରଶାଖାଯୁକ୍ତ ହୋଇ ଚାରିଦିଗକୁ ବଢେ ଏବଂ ୪ ଫୁଟ ଦୂରତା ପର୍ଯ୍ୟନ୍ତ ବଢିଥାଏ  । ମୁଖ୍ୟ ମୂଳ ମୃତ୍ତିକାର ଦୁଇ ତିନି ମିଟର ଗଭୀର ପର୍ଯ୍ୟନ୍ତ ଯାଇପାରେ  ।

କାଣ୍ଡ :

ମୁଖ୍ୟ କାଣ୍ଡ ସିଧା ଭାବରେ ବଢେ  । ଏହା ବହୁ ଶାଖା ପ୍ରଶାଖାଯୁକ୍ତ ହୋଇଥାଏ  । ମୁଖ୍ୟକାଣ୍ଡର ପତ୍ର କକ୍ଷରୁ ୨ ପ୍ରକାର ମୁକୁଳ ବାହାରେ  । କକ୍ଷ ମଧ୍ୟଭାଗରୁ ବାହାରିଥିବା ମୁକୁଳ ବଢି ଅଙ୍ଗୀୟ ଶାଖା ହୁଏ  । ଏହି ଅଙ୍ଗୀୟ ଶାଖାଗୁଡିକ ମୁଖ୍ୟ ଶାଖା ସହିତ କୋଣ କରି ସିଧା ଭାବରେ ଉପରକୁ ବଢନ୍ତି  । ପତ୍ର କକ୍ଷର ପାର୍ଶ୍ଵରୁ ଯେଉଁ ମୁକୁଳ ବାହାରେ ତାହା ବଢି ଫଳଧରି ଶାଖାରେ ପରିଣତ ହୁଏ  । ଏଗୁଡିକ ଭୂମି ସହିତ ସମାନ୍ତର ହୋଇ ବଢନ୍ତି ବା ସାମାନ୍ୟ ତଳ ମୁହାଁ ହୋଇ ବଢନ୍ତି  । ଅଙ୍ଗୀୟ ଶାଖାରେ ଫୁଲ ଫଳ ଧରେ ନାହିଁ  । ଏଗୁଡିକ “ମନୋପଡିୟାଲ” ଶାଖା କୁହାଯାଏ   । ଫୁଲ ଫଳ ଧରୁଥିବା ଶାଖାକୁ ସିମ୍ପୋଡିଆଲ  ଶାଖା କୁହାଯାଏ  । ଏଗୁଡିକ ଅନ୍କା ବଙ୍କା ହୋଇ ବଢେ  । ସମୁଦାୟ କପାଗଛଟି ତ୍ରିକୋଣାକାର ପିରାମିଡ ଭଳି ଦିଶେ  । କପା ଗଛରେ ଫଳ ପରିମାଣ ସିମ୍ପୋଡିଆଲ ଶାଖାର ସଂଖ୍ୟା ଓ ଆକାର ଉପରେ ନିର୍ଭର କରେ  ।

ପତ୍ର :

କେବଳ ମୁଖ୍ୟ କାଣ୍ଡ ଏବଂ ଅଙ୍ଗୀୟ ଶାଖାରେ ପତ୍ରଗୁଡିକ ସଜାଇ ହୋଇ ବାହାରେ  । ସିମ୍ପୋଡିଆଲ ଶାଖାରେ ପତ୍ରଗୁଡିକ ଏକାନ୍ତର ଭାବେ ସଜାଇ ହୋଇ ଦୁଇ ଧାଡିରେ ଥାଏ  । ପତ୍ରଗୁଡିକ ଦେଖିବାକୁ ହାତ ପାପୁଲି ଭଳି  । ବିଭିନ୍ନ କିସମର ତାରତମ୍ୟ ଅନୁସାରେ ପତ୍ର ଫଳକରେ ୩ରୁ ୯ଟି ଫଳି ଥାଏ  । ପ୍ରତ୍ୟକ ପତ୍ର ଡେମ୍ଫମୁକ୍ତ  । ପତ୍ରଗୁଡିକ ଘନ ସବୁଜ ରଙ୍ଗର ହୋଇଥାଏ  । କେତେକ କିସମର ପତ୍ରରେ ସାମାନ୍ୟ ପାଟଳ ରଙ୍ଗ ଥାଏ  ।

ପୁଷ୍ପ :

ଫଳଧାରୀ ଶାଖାର ପତ୍ରକକ୍ଷ ପାର୍ଶ୍ଵରୁ ଫୁଲକଳି ବାହାରେ  । ଫୁଲ ଜବାବଂଶ  ପ୍ରରୂପୀ ବା ମନ୍ଦାର ଫୁଲ ଭଳି  । ଏଥିରେ ୫ଟି ପାଖୁଡା ଥାଏ  । ଫୁଲକଳି ମୂଳରେ ୩ ଟି ବଡବଡ ପତ୍ରକ ଥାଏ  । ଏଗୁଡ଼ିକୁ ଉପପତ୍ର କୁହାଯାଏ  । ଫୁଲ ଫୁଟିବା ପୂର୍ବରୁ ଫୁଲକଳିଟି ତ୍ରିଭୁଜାକାର  ପିରାମିଡ ଭଲ ଦିଶେ  । ଫୁଲଗୁଡିକ ଗୋଟିକିଆ  । ଶାଖାର ମୂଳ ଭାଗରୁ ଫୁଲଫୁଟିବା ଆରମ୍ଭ ହୁଏ  । ଫୁଲ କଳି ଧରିବାର ୩-୪ ସପ୍ତାହ ପରେ ଫୁଲ ଫୁଟେ ଏବଂ ପରାଗସଙ୍ଗମ ହେବାର ୩୬ରୁ୪୦ ଘଣ୍ଟା ମଧ୍ୟରେ ଗର୍ତ୍ତାଧାନ ହୁଏ  ।

ଫଳ

ଡିମ୍ବାଶୟ ବୃଦ୍ଧି ପାଇ ୩ ରୁ ୫ ପ୍ରକୋଷ୍ଠ ଫଳରେ ପରିଣତ ହୁଏ  । ଫଳଗୁଡିକ ଡିମ୍ବାକୃତି ଓ ଏହାର ଅଗ୍ରଭାଗ ଗୋଜିଆ  । କପାଫଳକୁ ବକରା ବା ବୋଲ କୁହାଯାଏ  । ବକରାଗୁଡିକ ପାକଲା ହେବା ପାଇଁ ୪୫ ରୁ ୫୦ ଦିନ ଲାଗେ  । ବକରା ପାଚି ଶୁଖିଗଲେ ଫଳିକା ଜୋଡ ସ୍ଥାନରେ ଫାଟିଯାଏ ଓ ପ୍ରକୋଷ୍ଠ ମଧ୍ୟରେ ଥିବା ମଞ୍ଜି କପା ବାହାରି ପଡେ  । ପ୍ରତ୍ୟକ  ପ୍ରକୋଷ୍ଠରେ ଥିବା ମଞ୍ଜି କପାକୁ କପା ଫୁଟ କୁହାଯାଏ  ।

ପ୍ରତି ପ୍ରକୋଷ୍ଠରେ ଥିବା କପଫୁଟରେ ସାଧାରଣତଃ ୩ରୁ ୭ଟି ମଞ୍ଜିଥାଏ ଏବଂ ପ୍ରତ୍ୟକ ମଞ୍ଜି ତୁଳାତନ୍ତୁ ଦ୍ଵାରା ଆଛାଦିତ ହୋଇ ରହିଥାଏ  । କପାମଞ୍ଜିର ଅଗ୍ରଭାଗ ଅଂଶର ବା ମୁଣ୍ଡଭାଗରେ ଥିବା ତନ୍ତୁ ବିଶେଷ ବୃଦ୍ଧି ହୋଇନଥାଏ  । ଏଗୁଡ଼ିକୁ ମୁଣ୍ଡିତୁଳା କୁହାଯାଏ  । ଏହା ସହଜରେ ମଞ୍ଜିରୁ ଅଲଗା ହୁଏ ନାହିଁ  । କିନ୍ତୁ ପୃଷ୍ଟସ୍ଥ ତନ୍ତୁଗୁଡିକ ସୂକ୍ଷ୍ମ ଓ ଲମ୍ବା ହୁଅନ୍ତି ଯାହାକୁ ତୁଳା କୁହାଯାଏ  । ତୁଳାକୁ ମଞ୍ଜିରୁ ଅଲଗା କରିବା ସହଜ  । କେତେକ ଜାତିର କପାରେ କପାଫୁଟରେ ଥିବା ମଞ୍ଜିଗୁଡିକ ପରସ୍ପର ସହିତ ସଂଯୁକ୍ତ ହୋଇ ରହିଥାନ୍ତି  ଓ ଗୋଟିଏ ଯୁଗ୍ମ ମଞ୍ଜିଭଳି ପ୍ରତୀତ ହୁଅନ୍ତି  ।

ଜଳବାୟୁ

କପା ଉଷ୍ଣ ଜଳବାୟୁ ଆବଶ୍ୟକ କରେ  । ଉତ୍ତାପ ମାତ୍ରା  ସେଲସିୟସ କମ୍ ଥିଲେ କପ ମଞ୍ଜି ଗଜା ହୋଇପାରେ ନାହିଁ  । ମଞ୍ଜି ଶୀଘ୍ର ଗଜା ହେବାପାଇଁ ଓ ଚାରାଗଛର ବୃଦ୍ଧି ପାଇଁ ତାପମାତ୍ରା ୨୧- ସେଲସିୟସ ମଧ୍ୟରେ ରହିବା ଭଲ  । କପାଗଛ ଯଦିଓ  ସେଲସିୟସ ତାପମାତ୍ରା ସହ୍ୟ କରିପାରେ ତଥାପି ଫୁଲ ହେବା ଏବଂ ବକରା ଧରିବା ସମୟରେ ଦିନର ସର୍ବାଧିକ ତାପମାତ୍ରା ୨୯ ରୁ  ସେଲସିୟସ ମଧ୍ୟରେ ରହିବା ଆବଶ୍ୟକ  । କପାମଞ୍ଜି ଗଜା ହେବା ସମୟରେ ଅତ୍ୟଧିକ ବର୍ଷା ହେଲେ ମଞ୍ଜି ସଢିଯାଏ  । ବୃଷ୍ଟି ପୁଷ୍ଟ କପା ଫସଲ ପାଇଁ ବାର୍ଷିକ ୫୦ ସେ.ମି. ବୃଷ୍ଟିପାତ ଦରକାର  । ବକରା ପାକଲା ହୋଇ କପା ଫାଟିବା ସମୟରେ ମୃତ୍ତିକା ଆର୍ଦ୍ର ଓ ବାୟୁମଣ୍ଡଳ ଶୁଷ୍କ ଓ ଉଜ୍ଵଳ ରହିବା ଆବଶ୍ୟକ  । ସମୁଦ୍ର ପତ୍ତନରୁ ୧୦୦୦ ମିଟର ଅଧିକ ଉଚ୍ଚ ସ୍ଥାନରେ କପାଚାଷ କରାଯିବା ଅନୁଚିତ  । ଓଡିଶାର ଜଳବାୟୁ ଉଭୟ ଖରିଫ ଓ ରବି କପାଚାଷ ପାଇଁ ଅନୁକୂଳ  ।

ମୃତ୍ତିକା

କପା ଫସଲ ବଢିବା ପାଇଁ ନିଗିଡା, ଛିଦ୍ରଳ, ଗଭୀର ମୃତ୍ତିକା ଆବଶ୍ୟକ  । ବୃଷ୍ଟିପୁଷ୍ଟ କପା ଫସଲ ପାଇଁ ଅଧିକ ଜଳଧାରଣ ଶକ୍ତିଥିବା ଅପେକ୍ଷାକୃତ ଭାରି ମୃତ୍ତିକା ବିଶେଷ ଉପଯୋଗୀ  । ତା ନହେଲେ ବର୍ଷାଋତୁ ପରେ ମାଟି ଶୀଘ୍ର ଶୁଷ୍କ ହୋଇଯାଏ  ଏବଂ ବକରା ଫାଟିବା ପାଇଁ କପାଗଛକୁ ଯଥେଷ୍ଟ ଜଳ ମିଳେ ନାହିଁ  । ଏହି କାରଣରୁ ଅଧିକ ଜଳଧାରଣ କ୍ଷମତା ଥିବା କୃଷ୍ଣମୃତ୍ତିକା ଥିବା ଅଞ୍ଚଳରେ ବହୁଳଭାବେ ଖରିଫ କପାଚାଷ ହୋଇଥାଏ  ଏବଂ ଏହି ମୃତ୍ତିକା କୃଷ୍ଣ କାର୍ପାସ ମୃତ୍ତିକା ନାମରେ ସୁବିଦିତ  । ଜଳସେଚନ ସୁବିଧା ଥିଲେ ହାଲୁକା ଶ୍ରେଣୀର ବାଲିଆ ଦୋରସା ବା ଦୋରସା ଶ୍ରେଣୀର ମୃତ୍ତିକାରେ ମଧ୍ୟ କପାଚାଷ ହୋଇପାରେ  । କପାଗଛ ବାଳୁତ ଅବସ୍ଥାରେ ଅତ୍ୟଧିକ ଲବଣତା ବା ଅମ୍ଳତା ସହ୍ୟ କରିପାରେ ନାହିଁ  । ବୃଦ୍ଧିପ୍ରାପ୍ତ କପାଗଛ ଲବଣତା ସହ୍ୟ କରିପାରେ  । ତେଣୁ ଲବଣାକ୍ତ ମୃତ୍ତିକା କପା ଚାଷ ପାଇଁ ଉପଯୁକ୍ତ  । ଅବଶ୍ୟ ଏଥିପାଇଁ ବର୍ଷାଋତୁ ପ୍ରାରମ୍ଭରେ ବା ଶେଷରେ ଶେଷରେ ମୃତ୍ତିକାର ଲବଣାକ୍ତ ସ୍ୱଳ୍ପ ଥିବା ସମୟରେ ମଞ୍ଜି ଲଗାଇବାକୁ ହୁଏ  । କିମ୍ବା ସ୍ଥଳବିଶେଷରେ ପଲିଥିନ ମୁଣିରେ ଖତ ମାଟି ଦେଇ ଚାରା ଉତ୍ତାରି, ଚାରାଗଛ ୪-୫ ସପ୍ତାହର ଚେର ବୃଦ୍ଧି ବାଧାପ୍ରାପ୍ତ ହୁଏ ତେଣୁ ଫସଲ ଭଲ ବଢେ ନାହିଁ   । ପ୍ରଥମେ ଚୂନଜାତୀୟ ମୃତ୍ତିକାଶୋଧକ ପ୍ରୟୋଗ କରି ଅମ୍ଳତା ହ୍ରାସ କରିବା ପରେ କପା ଲଗାଇବା ଉଚିତ  ।

ଜଳବାୟୁ ଏବଂ ମୃତ୍ତିକା ଉପଯୁକ୍ତତା ଦୃଷ୍ଟିରୁ ଓଡିଶାର ଢେଙ୍କାନାଳ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ପ୍ରଭୃତି ଅନ୍ତବର୍ତ୍ତୀ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡିକରେ ଖରିଫ କପାଚାଷ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି  । କୃଷ୍ଣମୃତ୍ତିକା, ଲାଲ ମଟାଳ ଦୋରସା, ବା ମିଶ୍ରିତ ଲାଲ – କଳାମୃତ୍ତିକା ଥିବା ନିଗିଡା ଢାଲୁ ଜମିରେ ଲାଭ ଜନକ ଭାବେ କପାଚାଷ ହୋଇପାରିବ  । ବର୍ଷାଋତୁ ପରେ ଠାରେ ବା ଦୁଇଥର ଜଳସେଚନ କରିବା ସୁବିଧା ଥିଲେ ହାଲୁକା ଶ୍ରେଣୀର ମୃତ୍ତିକା ଥିବା ଢିପ ଜମିରେ ମଧ୍ୟ ଖରିଫ କପାଚାଷ କରାଯାଇପାରିବ  । ସେପ୍ଟେମ୍ବର ମାସ ମଧ୍ୟରେ ଖରିଫ ଫସଲ ଅମଳ ହୋଇଯାଉଥିବା ମଧ୍ୟମ କିସମ ଜମିରେ ଜଳସେଚନ ସୁବିଧା ଥିଲେ ରବି କପାଚାଷ ବେଶ୍ ଲାଭଜନକ ଭାବେ କରାଯାଇପାରିବ  ।

ଓଡିଶାର ବିଭିନ୍ନ ଅଞ୍ଚଳରେ ଚାଷ ପାଇଁ ଅନୁମୋଦିତ କିସମଗୁଡିକର ତାଲିକା ନିମ୍ନରେ ପ୍ରଦତ୍ତ ହୋଇଛି  ।

କିସମର ନାମ

କିସମର ପ୍ରକାର

ବୃଦ୍ଧି ଅବଧି (ଦିନ)

ଋତୁ ଖରିଫ ବା ରବି

ବୃଷ୍ଟିପୃଷ୍ଟ ବା ଜଳସେଚିତ

ଲଗାଇବା ବ୍ୟବଧାନ ସେ.ମି.

ଏସ.ଆର.ଟି – ୧ (SRT - 1)

ଉନ୍ନତ

165

ଖରିଫ

ବୃଷ୍ଟିପୃଷ୍ଟ

90 X 45

H-777

ଶଙ୍କର ଜାତୀୟ

140

ଖରିଫ

ବୃଷ୍ଟିପୃଷ୍ଟ

60 X 30

H-4

ଶଙ୍କର ଜାତୀୟ

210

ଖରିଫ

ଆଂଶିକ ଜଳସେଚିତ

150 X 75

H-X (ସୋମନାଥ)

ଶଙ୍କର ଜାତୀୟ

165

ଖରିଫ

ଆଂଶିକ ଜଳସେଚିତ

120 X 60

MCU – 5

ଉନ୍ନତ

180

ଉଭୟ

ଜଳସେଚିତ

90 X 60

J.K.Hybrid-1

ଶଙ୍କର ଜାତୀୟ

170

ଉଭୟ

ଜଳସେଚିତ

120 X 60

ରବି ଋତୁରେ କ୍କଈଗ୍ଧ – ୫ ଓ ଋର ଓଡ୍ଟ – ୧ ଓ ୯୦ X ୪୫ ବ୍ୟବଧାନରେ ବୁଣାଯାଏ  ।

ଲଗାଇବା ସମୟ :

ଖରିଫ କପା ଜୁନ ମାସ ଶେଷ ସୁଦ୍ଧା ଲଗାଇ ଦେବା ଆବଶ୍ୟକ  । ସଅଳ ଲଗାଇଲେ ଅଧିକ ଅମଳ ମିଳେ  । ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଶୁଖିଲା ମାଟିରେ ଖରୁଡି ବୁଣା କଲେ ମଧ୍ୟ କ୍ଷତି ନାହିଁ  । କିନ୍ତୁ ଥରେ ଜୋର ମୌସୁମୀ ବର୍ଷା ଆରମ୍ଭ ହୋଇଗଲେ ତାପରେ ଲଗାଇଲେ ଅନେକ ମଞ୍ଜି ସନ୍ତସନ୍ତିଆ ମାଟିରେ ସଢିଯାଏ  ।

ରବି ଋତୁରେ ମଧ୍ୟ ସଅଳ ମାସରେ କପା ଲଗାଇବା ଭଲ  । ଡେରିରେ ଲଗାଇଲେ ମୃତ୍ତିକାର ତାପମାତ୍ରା କମିଯିବାରୁ କପମଞ୍ଜି ଗଜା ହୋଇପାରେ ନାହିଁ  । ଡେରିରେ ଲଗାଯାଇଥିବା କପା ବକରା ଫାଟିଲା ବେଳେ ଖରାଦିନିଆ କୁଆପଥର ବର୍ଷା ଓ ମୌସୁମୀ ପୂର୍ବ ଝଡବର୍ଷାରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଧିକ  ।

ଜମି ପ୍ରସ୍ତୁତି

କପା ମଞ୍ଜିରୁ ସହଜରେ ଗଜା ଉଠିବା ଅଆଇନ ଏବଂ ଚାରାଗଛର ଛେରା ଶୀଘ୍ର ଗଭୀରକୁ ଯିବାପାଇଁ ଜମିକୁ ଜଳଭାବରେ ଗଭୀର ଚାଷ କରିବା ଆବଶ୍ୟକ  । ଅନ୍ତତଃ ୨୦-୨୫ ସେ.ମି. ଗଭୀର ପର୍ଯ୍ୟନ୍ତ ଆଉ ୪-୫ ଓଡ ଆଚାଷ କରି ତା’ପରେ ୧୫ ସେ.ମି. ଗଭୀର ପର୍ଯ୍ୟନ୍ତ ୪-୫ ଓଡ ଚାଷ କରି ମଇଦେଇ ମାଟି ଗୁଣ୍ଡ କରିଦେବା ଆବଶ୍ୟକ  । ଶେଷ ୨ ଓଡ ଚାଷ ପୂର୍ବରୁ ହେକ୍ଟର ପିଛା ୨୫ ଗାଡି ଭଲ ସଢା ଖତ ଏବଂ ଉଇ ନାଲାଗିବା ପାଇଁ ୨୫ କି.ଗ୍ରା. କୁଇନାଲଫସ ଗୁଣ୍ଡ ପ୍ରୟୋଗ କରି ଚାଷ ଦ୍ଵାରା ମାଟି ସହିତ ଭଲଭାବରେ ମିଶାଇ ଦିଆଯିବା ଉଚିତ  ।

ମଞ୍ଜି ପରିମାଣ ଓ ଉପଚାର

ବିଭିନ୍ନ କିସମର ଲଗାଇବା ବ୍ୟବଧାନ ତାରତମ୍ୟ ଅନୁସାରେ ହେକ୍ଟର ପିଛା ୪ରୁ ୧୫ କି.ଗ୍ରା ମଞ୍ଜି ଆବଶ୍ୟକ  ହୁଏ  । କପାମଞ୍ଜି ସହିତ ମୁଣ୍ଡି ତୁଳା ଲାଗି ରହିଥାଏ  । ଏହାଦ୍ଵାରା ମଞ୍ଜି ମେଞ୍ଚା ହୋଇ ରହେ ଏବଂ ଧାଡିରେ ବୁଣିଲା ବେଳେ ଅସୁବିଧା ହୁଏ  । ମଞ୍ଜିରୁ ଗଜା ବାହାରିବା ଡେରି ହୁଏ  । ତେଣୁ ଲଗାଇବା ପୂର୍ବରୁ ମୁଣ୍ଡିତୁଳା ବାହାର କରାଯିବା ଆବଶ୍ୟକ  ।

ବହଳିଆ ଗୋବର ଖତ ସହିତ ମଞ୍ଜିକୁ କିଛି ସମୟ ରଗଡି ଘସିଦେଲେ ମୁଣ୍ଡିତୁଳା ବାହାରିଯାଏ  । ଏହା ବଦଳରେ କିଛି ପାଣି ସହିତ ଗୋବର, ପାଉଁଶ ଓ ଗୁଣ୍ଡ ପିଡିଆ ପ୍ରତ୍ୟକରୁ ୨ କି.ଗ୍ରା ଲେଖାଏଁ ନେଇ ଚକଟି ଖିରା କରାଯାଏ ଏବଂ ପୋଚ୍  ହେବାପାଇଁ ୭୨ ଘଣ୍ଟା ରଖାଯାଏ  । ଏହି ପୋଚ୍ ସହିତ କପା ମଞ୍ଜିକୁ ରଗଡି ଘସିଦେଲେ ମୁଣ୍ଡିତୁଳା ବାହାରିଯାଏ  । ଏହାପରେ ମଞ୍ଜିକୁ ପରିଷ୍କାର କରି ଶୁଖାଇ ଘସିଦେଲେ ମୁଣ୍ଡିତୁଳା ବାହାରିଯାଏ   । ଏହାପରେ ମଞ୍ଜିକୁ ପରିଷ୍କାର କରି ଶୁଖାଇ ଦିଆଯିବା ପରେ ବୁଣାଯାଏ  । ଉପରୋକ୍ତ ପ୍ରଣାଳୀରେ ଉପଚାର କରିବା ଦ୍ଵାରା ମୁଣ୍ଡିତୁଳା ବାହାରିଯିବା ସଙ୍ଗେ ସଙ୍ଗେ ମଞ୍ଜି ଗୋଟି ଗୋଟି ହୋଇଯାଏ ଏବଂ ବୁଣିବା ସହଜ ହୁଏ  । ଏହା ବ୍ୟତୀତ ଉପଚାର ହୋଇଥିବା ମଞ୍ଜିରୁ ଶୀଘ୍ର ଗଜା ବାହାରେ ଓ ଚାରାଗଛା ହୃଷ୍ଟପୃଷ୍ଟ ହୋଇ ଶୀଘ୍ର  ବଢେ  ।

ମଞ୍ଜି ଭଲ ଗଜା ହେବା ପାଇଁ ଓ ଚାରାଗଛ ବଳୁଆ ହୋଇ ଚଞ୍ଚଳ ବଢିବା ପାଇଁ ମଞ୍ଜିକୁ ସକସିନିକ୍ ଅମ୍ଳ ଦ୍ରବଣରେ ୬ରୁ ୮ ଘଣ୍ଟା ଭିଯାଇ ରଖାଯାଏ  । ଏଥିପାଇଁ ୨୦ ଲିଟର ପାଣିରେ ୨ ଗ୍ରାମ ସକସିନିକ୍ ଅମ୍ଳ ଗୋଳାଇ ସେଥିରେ ୧୦ ରୁ ୧୫ କି.ଗ୍ରା ମଞ୍ଜିକୁ ବୁଡାଇ ରଖାଯାଏ  । ଦ୍ରବଣରୁ ଛାଣିବା ପରେ ପାଣିରେ ଧୋଇ ଶୁଖାଇବା ପରେ ବୁଣାଯାଏ  ।

ବୁଣିବା ପୂର୍ବରୁ ପ୍ରତି କି.ଗ୍ରା ମଞ୍ଜି ସହିତ ୨ ଗ୍ରାମ ହିସାବରେ ଟପସିନ-ଏମ  ବା ୩ ଗ୍ରାମ ହିସାବରେ ବାଭିଷ୍ଟିନ ଗୁଣ୍ଡ ଭଲ ଭାବରେ ଗୋଳାଇ ବୁଣିବା ଉଚିତ  । ଏହାଦ୍ଵାରା କବକ ଜନିତ ରୋଗ ହୁଏ  ନାହିଁ  ।

ମଞ୍ଜି ଲଗାଇବା ପ୍ରଣାଳୀ

ଆବଶ୍ୟକ ବ୍ୟବଧାନରେ ଗୋଜି ଲଙ୍ଗଳ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ୫ସେ.ମି. ଗଭୀର ସିଆର ଟାଣି ସେଥିରେ ମଞ୍ଜିକୁ ଧାଡିରେ ବୁଣାଯାଏ  । ସିଆର ମଧ୍ୟରେ ନିର୍ଦ୍ଧିଷ୍ଟ ବ୍ୟବଧାନରେ ପ୍ରତି ସ୍ଥାନରେ ୨-୩ଟି  କରି ମଞ୍ଜ ପକାଯାଏ  । ଯେଉଁ କିସମଗୁଡିକ ପାଇଁ ଧାଡି ମଧ୍ୟରେ ବ୍ୟବଧାନ କମ୍  ସେପରି ସ୍ଥଳେ ପାଖାପାଖି ୨ଟି ହଳଧାଡିରେ ଗୋଟିଏ ଧାଡି ଫାଙ୍କା ଛଡାଯାଏ । ଏହା ଫଳରେ ଗଛ ନଥିବା ମାରା ଧାଡିରେ ଯାତାୟତ ପାଇଁ ଯଥେଷ୍ଟ ଫାଙ୍କା ରହେ ଏବଂ ଭବିଷ୍ୟତରେ ଔଷଧ ସ୍ପ୍ରେ କରିବା, କପା ତୋଳିବା ପ୍ରଭୃତି କାର୍ଯ୍ୟ ସହଜସାଧ୍ୟ ହୁଏ  ।

ସିଆରରେ ମଞ୍ଜି ବୁଣିସାରି ମଇ ଦେଇ ମାଟି ଘୋଡାଇ ଦିଆଯାଏ  । ମାଟିରେ ଆବଶ୍ୟକ  ବତରଥିଲେ ୪/୫ ଦିନରେ ମଞ୍ଜିରୁ ଗଜା ବାହାରେ  । ଶୁଖିଲା ମାଟିରେ ବୁଣାଯାଇଥିଲେ ବର୍ଷାହେବା ପରେ ବା ଜଳସେଚନ କଲେ ମଞ୍ଜି ଗଜା ହୁଏ  ।

ମଞ୍ଜିରୁ ଗଜା ବାହାରିବାର ୪-୫ ଦିନପରେ ଯେଉଁ ସ୍ଥାନରେ ଗଜା ବାହାରି ନଥାଏ ସେଠାରେ ପୁଣି ଥରେ ମଞ୍ଜି ଲଗାଇ ଦେବା ଆବଶ୍ୟକ  । ତା ନହେଲେ ଧାଡିରେ ସ୍ଥାନେ ସ୍ଥାନେ ପଡିଆ ରହେ  । ଚାରା ଗଛ ବାହାରିବାର ୮/୧୦ ଦିନ ପରେ ପ୍ରତ୍ୟକ ସ୍ଥାନରେ କେବଳ ଗୋଟିଏ ହୃଷ୍ଟପୃଷ୍ଟ ଗଛରଖି ଅଧିକ ଥିବା ଚାରାଗଛ ଉପାଡି ପତଳା କରାଯାଏ  ।

ସାର ପ୍ରୟୋଗ

ଖତ ବ୍ୟତୀତ ରାସାୟନିକ ସାର ପ୍ରୟୋଗ କରାଯିବା ଆବଶ୍ୟକ  । ଜମିର ମୃତ୍ତିକା ପରୀକ୍ଷା କରାଇ ପରୀକ୍ଷା ଗାରର ଅନୁମୋଦିତ ପରିମାଣର ସାର ପ୍ରୟୋଗ କରିବା ଅଧିକା ଲାଭଜନକ  । ମୃତ୍ତିକା ପରୀକ୍ଷା ନହୋଇଥିଲେ ନିମ୍ନମତେ ସାର ପ୍ରୟୋଗ କରାଯିବା ଆବଶ୍ୟକ  ।

କିସମର ନାମ

N

ହେକ୍ଟର ପିଛା

କି.ଗ୍ରା O

ଶଙ୍କର ଜାତୀୟ (H-4)

150

60

60

ଶଙ୍କର ଜାତୀୟ (H-X ଏବଂ J.K. Hybrid - 1)

120

50

60

ଅନ୍ୟାନ୍ୟ ଉନ୍ନତ କିସମ MCU-5

SRT-1

H-777

80

40

40

ଯବକ୍ଷାରଜାନ ସାରର ଏକ ଚତୁର୍ଥାଂଶ ଏବଂ ସମୁଦାୟ ଫସଫେଟ୍ ଓ ପଟାସ ସାରକୁ ଏକତ୍ର ମିଶାଇ ମଞ୍ଜିବୁଣିବା ସମୟରେ ସିଆରରେ ପ୍ରୟୋଗ କରାଯାଏ  । ଅବଶିଷ୍ଟ ଯବକ୍ଷାରଜାନ ସାରକୁ ଖୁସାଖୁସି କରି ସାରିବା ପରେ ୨/୩ ଥରରେ ପ୍ରୟୋଗ କରି ଧାଡିମୂଳକୁ ମାଟି ଟେକି ଦିଆଯାଏ  ।

ଅନ୍ତଃଚାଷ

ଗଛ ଉଠିବାର ୩ ସପ୍ତାହ ବେଳକୁ ଖୁସାଖୁସି କରି ଘାସ ବାଛି ଦିଆଯିବା ଆବଶ୍ୟକ  । ଏହି ସମୟରେ ଯବକ୍ଷାରଜାନ ସାରର  ପରିମାଣ ପ୍ରୟୋଗ କରି ଗାଲିହୁଡା ଟେକାଯାଏ  ।ଏହାପରେ ଫୁଲ ଧରିବା ଆରମ୍ଭ ହେଲେ ଆଉଥରେ ଖୁସାଇ ଘାସ ବାଛି ବାଛି ବାକିଥିବା ଯବକ୍ଷାରଜାନ ସାର ଧାଡିମୂଳକୁ ହୁଡା ଟେକିଦେବା ଆବଶ୍ୟକ  ।

ଜଳସେଚନ

ରବି ଋତୁରେ କପା ଫସଲ ୭୫ ସେ.ମି. ଜଳସେଚନ ଆବଶ୍ୟକ କରେ ଫୁଲ ଧରିବା ଏବଂ ବକାର ଧରିବା ଅବସ୍ଥାରେ ଜଳ ଅଭାବ ହେଲେ ଅମଳ ବିଶେଷ ବାଧାପ୍ରାପ୍ତ ହୁଏ  । ତେଣୁ ଏହି ଦୁଇଟି ସଙ୍କଟାବସ୍ଥାରେ ଜଳସେଚନ ନିହାତି ଆବଶ୍ୟକ  । ଏହା ବ୍ୟତୀତ ପ୍ରଥମାବସ୍ଥା ଏବଂ ବକରା ଫାଟିବା ଅବସ୍ଥାରେ ଆବଶ୍ୟକତାକୁ ଚାହିଁ ଜଳସେଚନ କରାଯିବା ଉଚିତ  ।

ଖରିଫ ଋତୁରେ ବକରା ପାକଲା ହୋଇ କପା ଫାଟିବା ପର୍ଯ୍ୟନ୍ତ ମାଟିରେ ଯଥେଷ୍ଟ ଆର୍ଦ୍ରତା ରହିବା ଆବଶ୍ୟକ  । ତେଣୁ ବର୍ଷାଋତୁ ପରେ ଆବଶ୍ୟକ ହେଲେ ଥରେ ଦୁଇଥର ଜଳସେଚନ କରିବା ଦରକାର  । ମାଟି ଶୁଷ୍କ ହୋଇଗଲେ ବକରା ଫାଟି କପା ବାହାରେ ନାହିଁ  ।

ରୋଗ ପୋକ ନିୟନ୍ତ୍ରଣ

କପା ଫସଲ କବକ ଓ ବୀଜାଣୁ ଜନିତ ଝାଉଂଲା ରୋଗ ଏବଂ କୋଣାକୃତି ପତ୍ରଦାଗ ଓ ଲାଲ ଚିତା ରୋଗ ଦ୍ଵାରା ଆକ୍ରାନ୍ତ ହେଲେ ଅମଳ କମିଯାଏ  । ପତ୍ରଷେକ୍ଷକ ବ୍ୟବସ୍ଥା ସ୍ୱରୂପ ମଞ୍ଜିକୁ ବିଶୋଧନ କରି ବୁଣିବା ପ୍ରୟୋଜନ  । ବିଲରେ ରୋଗାକ୍ରାନ୍ତ କପାଗଛ ଦେଖାଗଲେ ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷା କରାଇ ପରାମର୍ଶ କରାଇ ଅନୁସାରେ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ  ।

କପା ଫସଲ ମଧ୍ୟ ବିଭିନ୍ନ ପ୍ରକାର କୀଟମାନଙ୍କ ଦ୍ଵାରା ଆକ୍ରାନ୍ତ ହୁଏ  । ସେମାନଙ୍କ ମଧ୍ୟରେ ପତ୍ରମୋଡା ପୋକ, ଲାଲ କପା ଶୋଷକ ପୋକ ଏବଂ ବକରା ବିନ୍ଧା କପା ପୋକ ଫସଲର ବହୁତ ଅନିଷ୍ଟ କରନ୍ତି  । ତେଣୁ ଏସବୁ କୀଟମାନଙ୍କର ନିୟନ୍ତ୍ରଣ କୀଟନାଶକ ଔଷଧ ସିଞ୍ଚନ କରିବା ଆବଶ୍ୟକ  ।

ସ୍ଵତନ୍ତ୍ର ବ୍ୟବସ୍ଥା

ଅନେକ ସ୍ଥଳରେ ଫୁଲଫୁଟି ବକରା ଧରିବା ସମୟରେ ଛୋଟ ଛୋଟ ବକରାକସି ଝଡି ଯିବାର ଦେଖାଯାଏ  । ଏହା ଦୁଇଟି କାରଣରୁ ହୋଇଥାଏ  । (୧) କ୍ଷାରୀୟ ମୃତ୍ତିକା କିମ୍ବା ହାଲୁକା ଶ୍ରେଣୀର ବାଲି ଦୋରସା ମୃତ୍ତିକାରେ ଚାଷ କରାଯାଇଥିବା କପା ଫସଲରେ ବୋରନ ଏବଂ ଦସ୍ତା ଅଣୁସାରର ଅଭାବ ହୋଇଥାଏ  । ତେଣୁ ଫୁଲ କସି ଓ ବକରା ଧରିବା ଅବସ୍ଥାରେ ୨/୩ ଥର ଅଣୁସାର ଦ୍ରବଣ ସିଞ୍ଚନ କରିବା ଦରକାର  । ପାଣି ଲିଟର ପ୍ରତି ୨ ଗ୍ରାମ ହିସାବରେ ଟାଙ୍ଗଣାଗୁଣ୍ଡ ଏବଂ ଚେଲାମିନ୍ ମିଶାଇ ସିଞ୍ଚନ କଲେ ଉପରୋକ୍ତ ଅଣୁସାରର ଅଭାବ ପୂରଣ  ହୁଏ  । (୨) କପାବକରା ଧରିବା ସମୟରେ କପାଗଛରେ ବୃଦ୍ଧିକାରକ ପଦାର୍ଥ ବା ସନ୍ତୁଳନ ଠିକ୍ ନରହିଲେ ବକରା କସି ଝଡିପଡେ  । ତେଣୁ ଗଛ ୪୫ ଦିନର ହେବା ବେଳେ ପ୍ଲାନୋଫିକସ ବା ସେଲମନ ୧୦ ପି.ପି. ଏମ୍ ଦ୍ରବଣ ଏବଂ ଫୁଲ ଫୁଟିବା ଆରମ୍ଭ ହେଲେ ୨୦ ପି.ପି. ଏମ୍ ଦ୍ରବଣ ସିଞ୍ଚନ କରାଗଲେ ଝଡିବା ବନ୍ଦ ହୁଏ   ।

ବକରା ଧରିବାର ପ୍ରଥମ ୩ ସପ୍ତାହ ମଧ୍ୟରେ ଯେଉଁଗୁଡିକ ବକରା ଧରେ ସେଗୁଡିକ ବଡ ବଡ ହୁଏ ଓ ସେଥିରୁ କପା ମିଳେ  । ପରବର୍ତ୍ତୀ ଅବସ୍ଥାରେ ଡାଳ ଅଗ ଆଡକୁ ଯେଉଁ ବକରା ଧରେ ସେଗୁଡିକ ସେତେ ବଡ ହୁଏ ନୁହେଁ  । ତେଣୁ ଗଛରେ ଅନାବଶ୍ୟକ ବୃଦ୍ଧି ଓ ବକରାଧାରଣ ରୋକିବା ପାଇଁ କପାଗଛ ୩ ମାସର ହେଲେ କିମ୍ବା ୧ ମିଟର ଉଚ୍ଚ ହୋଇଗଲେ ଅଗକାଟି ଦେବା ଭଲ  । ଏହା ଫଳରେ ଫଳନ୍ତି ଡାଳରେ ଥିବା ବକରା ବଡ ହୁଏ  ।

ଅନାବଶ୍ୟକ ଅଭିବୃଦ୍ଧି ରୋକିବା ପାଇଁ ସାଇକୋସିଲ ଦ୍ରବଣ ସିଞ୍ଚନ କରାଯାଇପାରେ  । ହେକ୍ଟର ପିଛା ୪୦୦ ଲିଟର ପାଣିରେ ୩୨ ମି.ଲି. ୫୦% ସାଇକୋସିଲ ମିଶାଇ ବକରା ଧରିବା ଅବସ୍ଥାରେ ସିଞ୍ଚନ କରାଯାଏ  । ଏହାକୁ କୀଟନାଶକ ଔଷଧ ସହିତ ମିଶାଇ ଏକତ୍ର ସିଞ୍ଚନ କରାଯାଇପାରେ  ।

କପାଅମଳ

ବକରା କସି ଧରିବା ଦିନରୁ ପାକଲା ହୋଇ ଫାଟିବା ପାଇଁ ପ୍ରାୟ ୫୦ ଦିନ ସମୟ ନିଏ  । ବକରା ଫାଟି କପାଫୁଟି ବା ଫଳର କୋଷା ପୂରା ଖୋଲିଗଲେ ତୋଳାଯାଏ । ସବୁତକ କପା ପ୍ରାୟ ୪ ସପ୍ତାହ ମଧ୍ୟରେ ଖୋଲିଯାଏ ଏବଂ ୪/୫ ଥରରେ ଅମଳ କରାଯାଏ  । ସକାଳବେଳା ଥଣ୍ଡା ପାଗରେ କପାଫୁଟ ତୋଳାଯିବା ଆବଶ୍ୟକ  । ତୋଳିବା ସମୟରେ ସାବଧାନତା ଅବଲମ୍ବନ କରାଯିବା ଆବଶ୍ୟକ  ଯେପରି ଶୁଖିଲା ପତ୍ରଖଣ୍ଡ କପାଫୁଟ ସହିତ ଲାଗି ନ ଆସେ  । ଶୁଖିଲା ପତ୍ରଖଣ୍ଡ ମିଶିଗଲେ କାପାର ଗୁଣ ନିକୃଷ୍ଟ ହୁଏ  ।

ପ୍ରତ୍ୟକ ଥର କପାଫୁଟ ତୋଳିବା ପରେ ସେଗୁଡିକ ପରିଷ୍କାର ଖରାରେ ଶୁଖାଇ ଅଖାରେ ସାଇତି ରଖାଯିବା ଉଚିତ  । ସୁଖାଇବା ସମୟରେ ବାହାରୁ ଧୂଳି, ବା ଅନ୍ୟାନ୍ୟ ପଦାର୍ଥ ଯେପରି ନମିଶେ  ସେଥିପ୍ରତି ଧ୍ୟାନ ରଖିବାକୁ ହେବ  ।

ଉନ୍ନତ କିସମ କପାଚାଷ କଲେ ହେକ୍ଟର ପ୍ରତି ୧୦-୧୨ କୁଇଣ୍ଟାଲ ଓ ଶଙ୍କର ଜାତୀୟ କପାଚାଷରୁ ୨୦ରୁ ୨୫ କୁଇଣ୍ଟାଲ କପା ଉତ୍ପାଦନ ହୋଇଥାଏ  ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 9/30/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate