অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମେସ୍ତା ବା କାଉଁରିଆ

ଉପକ୍ରମ

ମେସ୍ତା ମଧ୍ୟ ଭାରତର ଗୋଟିଏ ମୁଖ୍ୟ ତନ୍ତୁଜାତୀୟ ଫସଲ  । ଏହାର ତନ୍ତୁ କଞ୍ଚାମାଲ ରୂପେ ବ୍ୟବହାର ହେବା ସଙ୍ଗେ ବିଦେଶକୁ ରପ୍ତାନୀ କରାଯାଇ ବିଦେଶୀ ମୁଦ୍ରା ସଂଗ୍ରହ କରାଯାଏ  । ଏହାର ତନ୍ତୁରୁ ଏକପ୍ରକାର କାଗଜ ତିଆରି ହୁଏ  । ଯାହା ନୋଟ ଛପା ଯାଉଥିବା କାଗଜ ତିଆରି କରିବା ପାଇଁ ବ୍ୟବହାର ହୁଏ କାରଣ ଏଥିରେ ଅଧିକ ମାତ୍ରାରେ ସେଲୁଲୋଜ ଏବଂ କମ୍ ଲିଗ୍ନିନ ଥାଏ  । ଚାଷୀମାନେ ଏହି ତନ୍ତୁରେ ଦଉଡି ତାଗା, ଡୋର, ଜାଲ, ସପ ଇତ୍ୟାଦି ତିଆରି କରନ୍ତି  ।

ଉଦ୍ଭବ କେନ୍ଦ୍ର

ଆଫ୍ରିକାର ଉଷ୍ଣ ଓ ଉପ ଉଷ୍ଣମଣ୍ଡଳ ମେସ୍ତାର ଉଦ୍ଭବ କେନ୍ଦ୍ର  ।

କ୍ଷେତ୍ରଫଳ ଓ ବଣ୍ଟନ

ମେସ୍ତା ସୋଭିଏତ ରୁଷ, ଚୀନ ଥାଇଲାଣ୍ଡ, ଦକ୍ଷିଣ ଆଫ୍ରିକା, ମିଶର, ମେକ୍ସିକୋ ଓ କ୍ୟୁବାରେ ଚାଷ କରାଯାଏ, କିନ୍ତୁ ଭାରତବର୍ଷ ମେସ୍ତା ଚାଷରେ ଅଗ୍ରଣୀ  । ଭାରତବର୍ଷରେ ୩ରୁ ୩.୩୩ ଲକ୍ଷ ହେକ୍ଟର ଜମିରେ ମେସ୍ତା ଚାଷ କରାଯାଏ ଏବଂ ମୋଟ ୧୧-୧୩ ଲକ୍ଷ ଚେର ମେସ୍ତା ଝୋଟ ଉତ୍ପାଦନ ହୁଏ  । ପଶ୍ଚିମବଙ୍ଗ, ଆନ୍ଧ୍ର, ବିହାର, ଓଡିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ମେଘାଳୟ, ତ୍ରିପୁରା, ରାଜସ୍ଥାନ ଓ ତାମିଲନାଡୁରେ ମୁଖ୍ୟତଃ ମେସ୍ତା ଚାଷ ହୁଏ  । ହେକ୍ଟର ପିଛା ଅଧିକ ଉତ୍ପାଦନ ପଶ୍ଚିମ ବଙ୍ଗରେ ହୋଇଥାଏ  ।

ଓଡିଶାର କୋରାପୁଟ, ଢେଙ୍କାନାଳ, ମୟୁରଭଞ୍ଜ, ସମ୍ବଲପୁର, କେଉଁଝର, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ମେସ୍ତା ବହୁଳଭାବେ ଚାଷ କରାଯାଏ  । ଓଡିଶାରେ ମେସ୍ତା ୫୦,୦୦୦ ହେକ୍ଟର ଜମିରେ ଚାଷ ହୁଏ  ।

ଋତୁ ଓ ଜଳବାୟୁ 

ମେସ୍ତା ଆଲୋକ ଅନୁବର୍ତ୍ତୀ ଫସଲ  । ଏହା ଛୋଟ ଦିନିଆ ଉଦ୍ଭିଦ  । ଦିନ ୧୨ ଘଣ୍ଟାରୁ କମ୍ ହେଲେ ଗଛ ଫୁଲଧରେ ଏଣୁ ଏହି ଫସଲ ବୈଶାଖ –ଜ୍ୟଷ୍ଠ ମାସରେ ବୁଣାଯାଏ  । ବର୍ଷାଋତୁରେ ଦିନ ବଡ  । ଏଣୁ ଗଛ ବୃଦ୍ଧିପାଏ, ଏବଂ ଦିନ କମ୍ ହୋଇ ରାତି ବଡ ହେଲେ – ଫୁଲ ଫଳ ଧରେ  । ମେସ୍ତା ମରୁଡି ସହିପାରେ ଫସଲ  । ଏହା ବୃଦ୍ଧି ଓ ବିକାଶ ପାଇଁ ଅଧିକ ପାଣି ଦରକାର କରେ ନାହିଁ କିମ୍ବା ସଢିବାକୁ ଅଧିକ ପାଣି ଦରକାର କରେ ନାହିଁ  । ଏଣୁ ଅନ୍ତଃ ଜିଲ୍ଲାଗୁଡିକ ମେସ୍ତା ଚାଷ ପାଇଁ ଉପଯୁକ୍ତ  । ମେସ୍ତା କେବଳ ବର୍ଷା ଋତୁରେ ଚାଷ କରାଯାଇଥାଏ  । ଫସଲ ଉଷ୍ଣ ଓ ଆର୍ଦ୍ର ପାଗୀ  । ଉତ୍ତାପ ୨୪ରୁ ୩୪୦ ସେଲସିୟସ  । ଉପଯୁକ୍ତ ଆର୍ଦ୍ରତା ୫୫.୯୦% ଭଲ  ।

ଉଦ୍ଭିଦ ବର୍ଣ୍ଣନା :

ମେସ୍ତା ଜବା ବଂଶ ପରିବାର ଭୁକ୍ତ  । ଏହି ପରିବାରର ହବିସ୍କସ ଗୋଟିଏ ପ୍ରଜାତି  । ଏହି ପ୍ରଜାତିର ୨୦୦ ରୁ ଅଧିକ ଜାତି ରହିଛି  । ବୃତି ତନ୍ତୁମୟ ଓ କଣ୍ଟାଯୁକ୍ତ  ।

ଅଙ୍ଗୀୟ ଲକ୍ଷଣ :

ପ୍ରକୃତି – ବାର୍ଷିକ  ।

ମୂଳ – ଆଦିମୂଳ ସଂସ୍ଥା

କାଣ୍ଡ - କ୍ଷୁପୀୟ, ସିଲିଣ୍ଡରାକୃତି, ଲାଲ, ଗଛର ଉଚ୍ଚତା ୧.୨ – ୩ ମିଟର  ।

ପତ୍ର – କୁନ୍ତଳ, ସବୃନ୍ତ, ଡେମ୍ଫ ଲମ୍ବାଳିଆ, ପତ୍ର ଲମ୍ବାଳିଆ, ଅଗ ମୁନିଆ  ।

ସ୍ତବକ - ଐକ୍ୟ ସ୍ତବକ, କକ୍ଷୀୟ  ।

ପୁଷ୍ପ – ସବୃନ୍ତ – ସଉପପର୍ଣ୍ଣକ, ଉପପର୍ଣ୍ଣକଗୁଡିକୁ ଉପବୃତି କୁହାଯାଏ  । ଉଭୟ ଲିଙ୍ଗୀ ପୁଷ୍ପଗୁଡିକ ନାଲି ଏବଂ ଆକର୍ଷଣୀୟ  ।

ବୃତି ମଣ୍ଡଳ – ପଞ୍ଚବୃତି, ଯୁକ୍ତବୃତିକ, ଧାରସ୍ପର୍ଶୀ ବୃତିବିନ୍ୟାସ, ସବୁଜ ରଙ୍ଗ  ।

ଦଳମଣ୍ଡଳ – ପଞ୍ଚଦଳ, ମୁକ୍ତଦଳୀ, ଦଳଗୁଡିକ ବଡ ଏବଂ ଆକର୍ଷଣୀୟ, ଆବୃତ ଦଳବିନ୍ୟାସ, ଅଧଃସ୍ଥ  ।

କେଶର ଚକ୍ର – ଅସଂଖ୍ୟ କେଶର, ଏକକୂର୍ଟି, ଦଳ – ଲଗ୍ନ ପରାଗପେଟୀ  ଏକକୋଷୀ, ବୃକକାକାର ଏବଂ ପୃଷ୍ଠଦାରଣ, ଅଧଃସ୍ଥ  ।

ଫଳିକା ଚକ୍ର – ବହୁଫଳିକା, ଯୁକ୍ତ ଫଳିକା, ଉପରିସ୍ଥ ଡିମ୍ବାଶୟ  ।

ଫଳ – ସ୍ପୋଟକ ଫଳ  ।

ମେସ୍ତା ବା କାଉଁରିଆ ଦୁଇ ଜାତିର । ଯଥା –

  1. ହବିସ୍କସ କାନାବିନାସ
  2. ହବିସ୍କସ ସବଡାରିଫା  । ଏହାକୁ ଖଟା ପାଳଙ୍ଗ ବୋଲି କୁହାଯାଏ  ।

ମୃତ୍ତିକା :

ମେସ୍ତା ପାଇଁ ନିଗିଡା-ଦୋରସା ମାଟି ସବୁଠାରୁ ଭଲ  । ମଟାଳ ଦୋରସା ମାଟିରେ ମଧ୍ୟ ମେସ୍ତା ଭଲ ହୁଏ  । ମାଟି ଅମ୍ଳ କିମ୍ବା କ୍ଷାରୀ ହେବା ଉଚିତ ନୁହେଁ  । ଅତି ବାଲିଆ, ଚିକିଟା ଏବଂ ପଥୁରିଆ ମାଟି ଏହି ଫସଲ ପାଇଁ ଅନୁପଯୁକ୍ତ  । ବାଲିଆ ଲୁଣୀ ଏବଂ ପାଣି ଜମୁଥିବା ମାଟିକୁ ଛାଡି ଦେଲେ ଅନ୍ୟ ସବୁପ୍ରକାର ମାଟି ମେସ୍ତା ଫସଲ ପାଇଁ ଉପଯୁକ୍ତ  । ତେବେ ମାଟି ଉର୍ବର, ନିଗିଡା ଓ ଜଳଧାରଣ ଶକ୍ତି ଅଧିକ ଥିବା ଭଲ  । ମାଟିର ପି.ଏଚ. ୫.୬ – ୭.୫ ଭିତରେ ରହିବା ଭଲ  ।

ବିହନ କିସମ

ଅବଧି (ଦିନ)

ଏଚ୍.ଏସ୍ – 4288 (HS.4288) (ସବଡାରିଫା)

140

ଏ.ଏମ୍.ଭି. – 1 (A.M.V.-1) (ସବଡାରିଫା) ଅମର

140-160

ଏଚ.ସି. – 583 (H.C. - 583) (କାନାବିନସ)

130-140

ଏ.ଏମ୍.ସି. – 108 (A.M.C-108) (କାନାବିନସ) ଭିମଲି

150

ବୁଣିବା ସମୟ :

ମେ’ ମାସଠାରୁ ଜୁନ ୧୫ ତାରିଖ ଭିତରେ  । ମାର୍ଚ୍ଚ – ଏପ୍ରିଲ ମାସରେ ଜଳସେଚିତ ଖାଲଜମିରେ ବୁଣି ମେସ୍ତା ଅମଳ ପରେ ଧାନ ମଧ୍ୟ ରୋଇ ହେବ  । ଜଲଦି ବୁଣିବା ଭଲ  । ବିହନ ବୁଣିବା ସମୟରେ ଜମିରେ ଆବଶ୍ୟକ ଆର୍ଦ୍ରତା ରହିବା ନିହାତି ଦରକାର  । ତେବେ ଭଲ ଗଜା ହେବ  । ସହଳ ବୁଣିଲେ ଗଛର ଭଲ ବୃଦ୍ଧି ଓ ବିକାଶ ହୁଏ  ।

ଜମି ପ୍ରସ୍ତୁତି :

ପ୍ରଥମେ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ପରେ ଜମିକୁ ଭଲଭାବେ ଚାଷ କରି ମାଟି ଗୁଣ୍ଡ କରାଯାଏ  । ହେକ୍ଟର ପିଛା ୫ ଟନ ଗୋବର ଖତ ବା କମପୋଷ୍ଟ ପ୍ରୟୋଗ କରି ମାଟିରେ ମିଶାଇ ଦିଆଯାଏ  ।

ବିହନ ବୁଣା :

ଧାଡିକୂ ଧାଡି ଓ ଗଛକୁ ଗଛ ଯଥାକ୍ରମେ ୩୦ X ୮-୧୦ ସେ.ମି. ରେ ମଞ୍ଜି ବୁଣିବା ଉଚିତ  । ବିହନ ବୁଣା ଯନ୍ତ୍ରରେ ବୁଣିବା ସବୁଠାରୁ ଭଲ  । ଧାଡିରେ ବୁଣିଲେ ସବୁଆଡେ ସମାନ ଗଛ ରହେ  । କୋଡା ଖୁସା କରିବା ସହଜ ହୁଏ ଏବଂ ଅମଳ ଭଲ ହୁଏ  ।

ପ୍ରତି କେ.ଜି. ବିହନ ୩ ଗ୍ରାମ ହିସାବରେ ଥିରାମ ବା କ୍ୟାପଟାନ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରାଯାଏ  । ମଞ୍ଜି ସିଆରରେ ବୁଣିସାରି ସଙ୍ଗେ ସଙ୍ଗେ ମଇ ଦେଇ ମଞ୍ଜିକୁ ଘୋଡାଇ ଦିଆଯାଏ  ।

ଜମିରେ ଆବାସିକ ଗଛ ସଂଖ୍ୟା ରଖିବା ପାଇଁ ଧାଡିବୁଣା ଫସଲରେ ୧୨ କେ.ଜି. ଏବଂ ଛଟା ବୁଣା ଫସଲରେ ୧୫ କେଜି ବିହନ ହେକ୍ଟର ପିଛା ଆବଶ୍ୟକ  ।

ସାର ପ୍ରୟୋଗ :

ମେସ୍ତା ପାଇଁ ହେକ୍ଟର ପିଛା ୫୦ କି.ଗ୍ରା ଯବକ୍ଷାରଜାନ, ୩୫ କି.ଗ୍ରା ଫସଫେଟ୍ ଓ ୨୫ କି.ଗ୍ରା ପଟାସ ଆବଶ୍ୟକ  । ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରାଯାଏ  । ମୃତ୍ତିକା ପରୀକ୍ଷା ନ ହୋଇଥିଲେ ହେକ୍ଟର ପିଛା  ୨୦ କି.ଗ୍ରା ଯବକ୍ଷାରଜାନ ସାର, ୨୫ କେଜି ଲେଖାଏଁ ସୁପର ଓ ପଟାସ  । ମୂଳ ସାର ରୂପେ ଖତ ମିଶାଇ ସିଆରରେ ପ୍ରୟୋଗ କରି ମାଟି ଘୋଡାଇ ବିହନ ବୁଣାଯାଏ  । ତାପରେ ୨୧-୩୦ ଦିନ ଭିତରେ କୋଡା ଖୁସା କରି ଏବଂ ଅଧିକ ଗଛ ଉପାଡି ଦେଇ ଆଉ ୨୦ କେଜି ଯବକ୍ଷାରଜାନ ହେକ୍ଟର ପିଛା ପ୍ରୟୋଗ କରାଯାଏ  ।

ୟୁରିଆ ପତ୍ରଛିଞ୍ଚା :

ଏହାଛଡା ୟୁରିଆ ୨୦-୨୫ କି.ଗ୍ରା ଦୁଇଥର ୪୫-୬୦ ଦିନ ଭିତରେ ଏକ ସପ୍ତାହ ଅନ୍ତରରେ ପତ୍ରଛିଞ୍ଚା କରାଯାଏ  । ୨-୩% ୟୁରିଆ ଦ୍ରବଣ ଅର୍ଥାତ୍ ୨% ସ୍ପ୍ରେ କଲେ ଲିଟର ପିଛା ୨୦ ଗ୍ରାମ ଓ ୩% ସ୍ପ୍ରେ କଲେ ଲିଟର ପିଛା ୩୦ ଗ୍ରାମ ହିସାବରେ ମିଶାଇ, ଏକ ହେକ୍ଟରକୁ ୫୦୦ ଲିଟର ପାଣି ସ୍ପ୍ରେ କଲେ ମୋଟ ୟୁରିଆ ୧୦-୧୫ କେଜି ଥରକରେ ଖର୍ଚ୍ଚ ହେବ   । ଦୁଇଥରରେ ୨୦-୩୦ କେଜି ଆବଶ୍ୟକ ହେବ  । ୟୁରିଆ ଛିଞ୍ଚିବା ଦ୍ଵାରା ଫସଲର ଜଲଦି ବୃଦ୍ଧି ଘଟେ  । ବର୍ଷାଦିନେ ଯଦି ଯବକ୍ଷାରଜାନ ମାଟିରେ ପ୍ରୟୋଗ ସମ୍ଭବ ନହୁଏ  ତେବେ ୟୁରିଆ ଛିଞ୍ଚା ୩-୪ ଥର କରିବା ଉଚିତ  ।

ଅନ୍ତଃଚାଷ :

ଗଛ ଉଠିବାର ୨ ସପ୍ତାହ ବେଳକୁ ଖୁସାଖୁସି କରି ଘାସ ବାଛି, ଧାଡିରେ ୮-୧୦ ସେ.ମି. ବ୍ୟବଧାନରେ ଭଲଗଛ ରଖି ରୋଗୀଣା ଗଛ ଉପାଡି ଦିଆଯାଏ  । ୫-୬ ସପ୍ତାହ ବେଳକୁ ଆଉ ଠାରେ ଖୁସାଖୁସି କରି ଘାସ ବାଛି ଦିଆଯାଏ  ।

ଅମଳ :

ଗଛରେ ସମ୍ପୂର୍ଣ୍ଣ ଫୁଲଫୁଟି ଫଳଧରିବା ଆରମ୍ଭ କଲେ ମେସ୍ତା କାଟି ନଳିତା ସଢାଇବା ପ୍ରଣାଳୀ ଅବଲମ୍ବନ କରି ସଢାଯାଏ  । ସଢିଗଲା ପରେ ସଫାକରି ମେସ୍ତା ଝୋଟ ଅମଳ କରାଯାଏ  । ଏହା ସଢିବା ପାଇଁ ୧୫-୩୦ ଦିନ ଦରକାର କରେ  । କାନାବିନସମେସ୍ତା ୧୩୦ ଦିନରେ ଫଳ ଆରମ୍ଭ ହୁଏ, ଏବଂ ସବଡାରିଫା ମେସ୍ତା ୧୪୦ ଦିନ ଦରକାର କରେ  । ଜମିରେ ଆର୍ଦ୍ରତା ଥିଲେ ଗଛଗୁଡିକୁ ଉପାଡି ଅମଳ କରାଯାଏ  । ଗଛକୁ ୩ଦିନ ଜମିରେ ବିଦାବାନ୍ଧି ଠିଆ କରିଦେଲେ ପତ୍ର ଝଡିଯିବ  । ପତ୍ର ଝଡିଗଲେ ବିଦାବାନ୍ଧି ଦିଆଯାଏ  । ସରୁ ସାଇଜର କାଉଁରିଆ ଓ ମୋଟା ସାଇଜ କାଉଁରିଆ ଅଲଗା କରି ବିଦା ବାନ୍ଧି ଦେଲେ ଅଲଗା କରି ପାଣିରେ ପଚାଇଲେ ସମାନ ଭାବେ ପଚେ  ।

ମେସ୍ତା କଚା :

ସଢିଥିବା ବିଦାକୁ ଆଣି ମୂଳକୁ ପିଟଣାରେ ପିଟିବା ପରେ ଏକତ୍ର କରି କାଉଁରିଆ ମୂଳକୁ ଏକଫୁଟରୁ ଭାଙ୍ଗି ଦିଆଯାଏ  । ପାଣିଭିତରେ ରହି ମଧ୍ୟ ଏହି କାର୍ଯ୍ୟ କରାଯାଇପାରେ  । ମୂଳ ଝୋଟକୁ ଧରି ପାଣିରେ ଆଗପଛ ହଲାଇ ଦେଲେ ଝୋଟଗୁଡିକ ବାହାରି ଆସେ ଓ କାଉଁରିଆ କାଠିଗୁଡିକ ଅଲଗା ହୋଇଯାଏ  । ଏହି ଉପାୟରେ ଜଣେ ଲୋକ ଦିନକୁ ୨୦ କେଜି ଝୋଟ ବାହାର କରିପାରିବ  । ମେସ୍ତା ଝୋଟକୁ ଦଉଡିରେ ବା ବାଉଁଶରେ ଟାଙ୍ଗୀ ଭଲ ରୂପେ ଶୁଖାଇ ମୋଡାବାନ୍ଧି ରଖି ଦିଆଯାଏ  ।  ମୋଡା ବାନ୍ଧିବାପୂର୍ବରୁ ଝୋଟ ଓଦା ରହିଗଲେ ଝୋଟର ରଙ୍ଗ ଖରାପ ହୋଇଯାଏ  । ମେସ୍ତା ତନ୍ତୁ ସାମାନ୍ୟ ଛାଇ ଥିବା ସ୍ଥାନରେ ଶୁଖାଇଲେ ଭଲ । ପ୍ରତି ଗଛର ଅଲଗା ଅଲଗା କରି ଝୋଟ ବାହାର କଲେ ଝୋଟର ମାନ ବଢେ, କିନ୍ତୁ ଏହା ବ୍ୟୟସାପେକ୍ଷ  ।

ଆନୁମାନିକ ଆଦାୟ ହେକ୍ଟର ପିଛା ୧୫ କୁଇଣ୍ଟାଲ  ।

ଆଧାର : ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 12/16/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate