অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚିନାବାଦାମ

ଉପକ୍ରମ

ଭାରତରେ ସମସ୍ତ ତୈଳବୀଜ ଫସଲ ମଧ୍ୟରୁ ଚିନାବାଦାମ ଶତକଡା ୪୦ ଭାଗ ଜମିରେ ଚାଷ କରାଯାଏ  । କିନ୍ତୁ ସମସ୍ତ ତୈଳବୀଜ ଉତ୍ପାଦନର ଶତକଡା ୬୦ ଭାଗ ଚିନାବାଦାମରୁ ମିଳିଥାଏ   । ଏହା ଏକ ଅର୍ଥକାରୀ ଫସଲ  । ଉଭୟ ଉତ୍ପାଦନ ଓ କ୍ଷେତ୍ରଫଳ ଦୃଷ୍ଟିରୁ ପୃଥିବୀରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିପାରିଛି   । ଚିନାବାଦାମ ମଞ୍ଜିରେ ଶତକଡା ୪୫ ଭାଗ ତେଲ ଏବଂ ୭୬ ଭାଗ ପୁଷ୍ଟିସାର ରହିଛି  । ବାଦାମ ମଞ୍ଜି ଶୀଘ୍ର ହଜମ ହୁଏ   । ଚିନାବାଦାମରୁ ଅଳ୍ପ ଖର୍ଚ୍ଚରେ ଘନିଭୂତ ସୁସ୍ଵାଦୁ ଖାଦ୍ୟ ପଦାର୍ଥ ମିଳେ   । ଗୋଟିଏ ଗ୍ରାମ୍  ଚିନାବାଦାମ ମଞ୍ଜିରୁ ୫.୮ କିଲୋ କ୍ୟାଲୋରୀ ଶକ୍ତି ମିଳିଥାଏ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ସହ ତୁଳନା କଲେ – ଗ୍ରାମ ପିଛା ଆମେ ଚିନିରୁ ୪.୦, ଗହମରୁ ୩.୫ ରୁଟିରୁ ୨.୬ କିଲୋକ୍ୟାଲୋରୀ ଶକ୍ତି ପାଇଥାଉ  । ସମସ୍ତ ବନସ୍ପତି ପୁଷ୍ଟିସାର ମଧ୍ୟରୁ ଚିନାବାଦାମରୁ ମିଳୁଥିବା ପୁଷ୍ଟିସାର ଅତି ଉତ୍କୃଷ୍ଟ  । ଚିନାବାଦାମରୁ ମିଳୁଥିବା ଭିଟାମିନ୍ ଖ (B) ଥାୟାମିନ୍, ରିବୋଫ୍ଲାବିନ  ନିକୋଟିନିକ ଅମ୍ଳ ଏବଂ ଭିଟାମିନ୍ ଙ (E) ମିଳିଥାଏ । ଚିନାବାଦାମ ତେଲରୁ ଉତ୍କୃଷ୍ଟ ଧରଣର ବନସ୍ପତି ତିଆରି ହୁଏ  । ଚିନାବାଦାମ ପଡିଆ ଉତ୍ତମ ଗୋଖାଦ୍ୟ ଓ ଫସଲ ସାର ରୂପେ ବ୍ୟବହାର ହୁଏ  । ଚିନାବାଦାମ ପଡିଆରେ ୭-୮% ଯବକ୍ଷାରଜାନ, ୧.୫% ଫସଫରସ୍ ଏବଂ ୧.୫% ପଟାସ୍ ରହିଛି ଫସଲ ପର୍ଯ୍ୟାୟରେ ଏହି ଫସଲ ରହିବା ଦ୍ଵାରା ମୃତ୍ତିକାରେ ଉର୍ବରତା ବୃଦ୍ଧି ପାଏ   । କାରଣ ଏହାର ଚେରରେ ରହୁଥିବା ବୀଜାଣୁ ଛୋଟ ଛୋଟ ପିଣ୍ଡକ ଗଠନ କରି ପିଣ୍ଡକ ମଧ୍ୟରେ ରହି ବାୟୁରୁ ଗ୍ୟାସୀୟ ଯବକ୍ଷାରଜାନ ସଂଗ୍ରହ କରିଥାଏ   । ମୃତ୍ତିକା କ୍ଷୟ ହେଉଥିବା ସ୍ଥାନରେ ଏହି ଫସଲ ଚାଷ କଲେ ମୃତ୍ତିକା କ୍ଷୟ କମ୍ ହୁଏ   ।

ଉଦ୍ଭବ କେନ୍ଦ୍ର

ଦକ୍ଷିଣ ଆଫ୍ରିକାର ବ୍ରାଜିଲ ଚିନାବାଦାମର ଉଦ୍ଭବକେନ୍ଦ୍ର   । ପଞ୍ଚଦଶ ଶତାବ୍ଦୀରେ ପର୍ତ୍ତୁଗୀଜମାନେ  ଭାରତର ପଶ୍ଚିମ ଉପକୂଳରେ ଚିନାବାଦାମ ଚାଷ ଆରମ୍ଭ କରିଥିଲେ   । ବ୍ରାଜିଲରୁ ଚିନାବାଦାମ ଚାଷ ଯୁକ୍ତରାସ୍ତା ଆମେରିକା, ଆଫ୍ରିକା ଓ ଚୀନଦେଶକୁ  ବ୍ୟାପିଥିଲା  ।

କ୍ଷେତ୍ରଫଳ ଓ ବଣ୍ଟନ :

ପୃଥିବୀର ଗ୍ରୀଷ୍ମମଣ୍ଡଳ ଓ ସମଶୀତୋଷ୍ଣ ମଣ୍ଡଳରେ ଥିବା ଦେଶମାନଙ୍କର ବର୍ତ୍ତମାନ ପ୍ରଚୁର ଚିନାବାଦାମ ଚାଷ କରାଯାଏ  । ପ୍ରମୁଖ ଚିନାବାଦାମ ଉତ୍ପାଦନକାରୀ ଦେଶଗୁଡିକ ହେଲା ଭାରତ, ଚୀନ, ଯୁକ୍ତରାଷ୍ଟ୍ର ଆମେରିକା ଓ ପଶ୍ଚିମ ଆଫ୍ରିକା  । ଉଭୟ କ୍ଷେତ୍ରଫଳ ଓ ଉତ୍ପାଦନ ଦୃଷ୍ଟିରୁ ପୃଥିବୀରେ ଭାରତ ଚିନାବାଦାମ ଚାଷରେ ପ୍ରଥମ ସ୍ଥାନ ଅଧିକାର କରିଛି   ।

ଶ୍ରେଣୀ ବିଭାଗ

ଗଛର ବୃଦ୍ଧି ଓ ପ୍ରକାର ଦୃଷ୍ଟିରୁ ଚାଷ କରାଯାଉଥିବା ଚିନାବାଦାମକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ   । ଯଥା –

  1. ଲୋଟଣୀ – ଏହା ମାଟି ଉପରେ ଲଟାଏ   । କାଣ୍ଡର ପ୍ରତି ଗଣ୍ଠିରୁ ପରାଗସଙ୍ଗମ ଓ ସମାୟନ ପରେ ଓହଳ ମାଟି ଭିତରକୁ ଯାଏ   । ତେଣୁ ଚିନାବାଦାମ ମାଟି ଭିତରେ ଖେଳାଇ ହୋଇରହେ   । ବୀଜ ଅଣ୍ଡାକାର ବୀଜ ଚୋପା ଖଇରା, ବୀଜର ଶୁପ୍ତାବସ୍ଥା ଅଛି   । ଏହା ୧୩୦-୧୪୫ ଦିନରେ ପରିପକ୍ଵ ହୁଏ   । ଏହି ଫସଲ ବର୍ଷାଦିନେ ଚାଷ କରାଯାଏ   ।
  2. ଗୁଚ୍ଛ ଜାତୀୟ – ଗଛ ଶାଖାପ୍ରଶାଖା ସହିତ ଠିଆରେ ବଢେ  । ତେଣୁ ଚିନାବାଦାମ ମୂଳରେ ପୁଳାପୁଳା ଥାଏ   । ବୁଦାକୁ ଉପାଡିଦେଲେ ଏକାଥରକେ ପୁଳାକଯାକ ଚିନାବାଦାମ ବାହାରି ଆସେ   । ବୀଜ ଗୋଟାଳିଆ, ବୀଜ ଚୋପା ଲାଲ ବା ଗୋଲାପି  । ବୀଜର ଶୁପ୍ତାବସ୍ଥା ନାହିଁ  । ବାଦାମ ଅମଳ ସୁବିଧାରେ ହୁଏ  । ୧୦୫-୧୧୫ ଦିନରେ ଅମଳ ହୁଏ   । ଏହା ଉଭୟ ରବି ଓ ଖରିଫ ଫସଲ ରୂପେ ଚାଷ  କରାଯାଏ   । ଏହା ୱାଲଡ୍ରନଙ୍କ ଅନୁସାରେ ଚିନାବାଦାମର  ଶ୍ରେଣୀ ବିଭାଗ   ।

ଆଉ କେତେକ ବିଶେଷଜ୍ଞମାନଙ୍କ ମତାନୁସାରେ ଆରାଚିସ୍ ହାଇପୋଜିଆ ବାଦାମର ୫ଟି କିସମ ଅଛି  । ଚେର ବୃଦ୍ଧି ପାଇବା ଅଭ୍ୟାସ  । ପରିଚ୍ଛାଦକ ରଙ୍ଗ, ଆକାର ଏବଂ ଛୁଇଁ ଅନ୍ୟାନ୍ୟ ଗୁଣ ଇତ୍ୟାଦିକୁ ନେଇ ଏହି ବିଭକ୍ତିକରଣ କରାଯାଇଛି  । ଯଥା –

  1. ଆରାରିସ ହାଇପୋଜିଆ କିସମ ଓଲେଇଫେରା
  2. ଆରାରିସ୍  ହାଇପୋଜିଆ କିସମ ନାମ୍ବିକ୍ଵାର
  3. ଆରାରିସ୍ ହାଇପୋଜିଆ କିସମ ରାଷ୍ଟ୍ରେଇରୋ
  4. ଆରାରିସ୍ ହାଇପୋଜିଆ କିସମ ଏସିଆଟିକା
  5. ଆରାରିସ୍ ହାଇପୋଜିଆ କିସମ ଜାଇଗାଣ୍ଟିଆ

ଚାଷ କରାଯାଉଥିବା ଅଧିକାଂଶ ଚିନାବାଦାମ କିସମ – ଓଲେଇଫେରା ଅନ୍ତର୍ଗତ   ।

ଉଦ୍ଭିଦ ବର୍ଣ୍ଣନା

ଚିନାବାଦାମ ଶିମ୍ବିବଂଶଜ  । ଏହାର ପ୍ରଜାତି ଆରଚିସ୍  ଓ ଜାତି – ହାଇପୋଜିଆ ଅଟେ   । ଚିନାବାଦାମ ଛୁଇଁ ଜାତୀୟ ଏକ ଋତ୍ଵିକ ଫସଲ  । ୩୦-୬୦ ସେ.ମି. ଉଚ୍ଚ ହୁଏ   । ଗଛର ମଝିକାଣ୍ଡ ଠିଆଳିଆ   । କିନ୍ତୁ ଶାଖା ପ୍ରଶାଖା ଲମ୍ବଭାବରେ  ଲୋଟନ୍ତି  । କାଣ୍ଡ କୌଣିକ, ଲୋମଶ, ମୁଳତନ୍ତ୍ର ଉନ୍ନତ, ଅଦିମୂଳ ସଂସ୍ଥାରୁ ବହୁ ପାର୍ଶ୍ଵଚେର ମୃତ୍ତିକାର ଉପର ସ୍ତରରେ ବ୍ୟାପିଥାଏ   । ଚେରମୂଳରେ ପିଣ୍ଡକ ମାନ ଦେଖାଯାଏ   । ଏହି ପିଣ୍ଡକରେ ଯବକ୍ଷାରଜାନ ସଂଗ୍ରହ କରୁଥିବା ବୀଜାଣୁ ଥାଆନ୍ତି  ।

ପତ୍ର :

ପତ୍ର ସାଧାରଣତଃ ପକ୍ଷଜ  । ଏଥିରେ ଦୁଇଯୋଡା ଅଣ୍ଡାକୃତି  ପର୍ଣ୍ଣକ ଥାଏ   । ପର୍ଣ୍ଣକଗୁଡିକ ଯୋଡି ଯୋଡି ହୋଇ ପରସ୍ପର ଦିଗରେ ରହିଥାଏ   । ଗଣ୍ଠିକେ ଗୋଟିଏ ପତ୍ର ଥାଏ ଏବଂ ପତ୍ର ଏକାନ୍ତର ଭାବେ ସଜାଇ  ହୋଇଥାଏ   ।

ପୁଷ୍ପ :

ପତ୍ର ସନ୍ଧିରେ ଫୁଲ ଫୁଟେ  । ପୁଷ୍ପ ମାଟିତଳେ ବା ମାଟି ଉପରେ ଫୁଟିପାରେ   । ଗୋଟିଏ  ସ୍ଥାନରୁ ବା ପତ୍ର ସନ୍ଧିରୁ ଗୋଟିଏ ବା ତିନୋଟି ଫୁଲ ଫୁଟେ   । ପୁଷ୍ପଦଳ – ହଳଦିଆ ରଙ୍ଗ ୮-୧୦  ଟି କେଶର ମିଶି ଏକକୁର୍ଚ୍ଚୀ ବାଦକ ହୋଇଥାଏ  । ପୁଷ୍ପଗୁଡିକ ସ୍ଵପରାଗଣ  । ପରାଗଣ ପରେ ଗର୍ଭାଶୟ ଲମ୍ବି କୀଳକ ଆକାର ଧରେ ସମାୟନ ପରେ କୀଳକ ଡିମ୍ବାଣୁ ଧରି ବାଙ୍କିଯାଏ  ଏବଂ ମାଟି ଭିତରେ ପଶେ  । ସମାୟନ ଯୋଗୁଁ ଡିମ୍ବାଶୟ ଓ ତାର ଚତୁଃପାର୍ଶ୍ଵସ୍ଥ ଅଂଶ ବୃଦ୍ଧିପାଏ   । ଡିମ୍ବକର ଆବରଣ ମୋଟାଧରି ବୀଜରେ ପରିଣତ ହୁଏ  । ଡିମ୍ବାଶୟର  ବିଶେଷ ବୃଦ୍ଧି ହେତୁ ଖୋଳପା  ଟାଣ ହୋଇ ଚିନାବାଦାମରେ ପରିଣତ ହୁଏ   ।

ଫଳ :

ଫଳ ଅସ୍ପୋଟକ ଛୁଇଁ ଯେଉଁଥିରେ -୧ ରୁ ୫ଟି ମଞ୍ଜି ରହିପାରେ  । ଖୋଳପା ଫଳାବରଣ ଏବଂ ମଞ୍ଜିର ପତଳା ଉପର ଆବରଣ ହେଉଛି  ପରିଛାଦକ  । ମଞ୍ଜିଟି ଦୁଇଟି ଭ୍ରୁଣପତ୍ରକୁ ନେଇ ଗଠିତ ଯେଉଁଥିରେ ଖାଦ୍ୟ ପଦାର୍ଥ ଓ ତୈଳ ପଦାର୍ଥ ଗଚ୍ଛିତ ଥାଏ   ।

ଋତୁ ଓ ଜଳବାୟୁ :

ଚିନାବାଦାମ ଉଷ୍ମମଣ୍ଡଳୀୟ ଫସଲ  । ସମୁଦ୍ର  ପତ୍ତନରୁ ୧୨୦୦ ମିଟର ଉଚ୍ଚ ମାଳଭୂମିରେ ମଧ୍ୟ ଚିନାବାଦାମ ଚାଷ କରାଯାଇପାରିବ   । ଚିନାବାଦାମ ତା’ର ବୃଦ୍ଧି  ସମୟରେ ଉଷ୍ମ ପରିବେଶ ଆବଶ୍ୟକ କରେ   । ଏହି ଫସଲ ପାଇଁ ୨୧-୨୬.୫ ସେଲସିୟସ ତାପମାନ ଉପଯୁକ୍ତ  । ୫୦ ସେ.ମି. ବର୍ଷା ଓ ଅଧିକ ସୂର୍ଯ୍ୟାଲୋକ ଚିନାବାଦାମ ପାଇଁ ଅନୁକୂଳ କମ୍ ଉତ୍ତାପ ଏହାର ବୃଦ୍ଧି ଓ ବିକାଶ ପାଇଁ ଉପଯୁକ୍ତ ନୁହେଁ   । ପରିପକ୍ଵ ଅବସ୍ଥାବେଳେ ପ୍ରାୟ ଗୋଟିଏ ମାସ ଉଷ୍ଣ ଓ ଶୁଷ୍କ ଜଳବାୟୁ ଆବଶ୍ୟକ   ।

ମୃତ୍ତିକା :

ଚିନାବାଦାମ ନିଗିଡା ବାଲିଦୋରସା, ଜମିରେ ଭଲ ଅମଳ ଦିଏ  କାରଣ ହାଲୁକା ମୃତ୍ତିକାରେ କୀଳକ ମୃତ୍ତିକା ଭିତରକୁ ସହଜରେ ଯାଇପାରେ   । ଏହାଦ୍ଵାରା ଉତ୍ପାଦନ ବୃଦ୍ଧିପାଇବା ସଙ୍ଗେ ସଙ୍ଗେ  ଅମଳ କରିବା ମଧ୍ୟ ସହଜ ହୁଏ   । ମଟାଳ ମାଟି ଏହି ଫସଲ ପାଇଁ ଉପଯୁକ୍ତ ନୁହେଁ   । କାରଣ କୀଳକ ମୃତ୍ତିକା ଭିତରକୁ ଯିବା କଷ୍ଟ ହୋଇପଡେ  ଏବଂ ମାଟି ଖୋଳି ଚିନାବାଦାମ ଅମଳ କରିବା କଷ୍ଟସାଧ୍ୟ ହୁଏ   । ଚିନାବାଦାମ ୬.୦ ରୁ ୬.୫ (P.H) ପି.ଏଚ ରେ ଭଲ ଅମଳ ଦିଏ   । ବାଦାମ ଫମ୍ପା ହୁଏ ନାହିଁ   । ବର୍ଷାଋତୁ ପାଇଁ ଢିପ ଜମି ଏବଂ ରବି ଫସଲ ଲାଗି ଜଳସେଚନ ଥିବା ଲଘୁଜମି ଉତ୍କୃଷ୍ଟ ଅଟେ   ।

ବିହନ କିସମ :

ବୈଜ୍ଞାନିକମାନେ ଚିନାବାଦାମ ବିହନ କିସମକୁ ତିନୋଟି ଭାଗରେ ବିଭକ୍ତ କରିଛନ୍ତି  । ସେଗୁଡିକ ହେଲା : -

  1. ସ୍ପେନିସ୍ ବଞ୍ଚ (ଗୁଚ୍ଛଜାତୀୟ)
  2. ଭର୍ ଜିନିଆ  ବଞ୍ଚ (ମଧ୍ୟମ ଲୋଟଣୀ ଜାତୀୟ)
  3. ଭରଜିନିଆ ରନର (ଲୋଟଣୀ ଜାତୀୟ)

ଗୁଚ୍ଛ ଜାତୀୟ ଏବଂ ମଧ୍ୟମ ଲୋଟଣୀ ଜାତୀୟ ବିହନ ବାଦାମ ସବୁ ଋତୁରେ ଚାଷ କରାଯାଇପାରିବ   । କିନ୍ତୁ ଲୋଟଣୀ ଜାତୀୟ ବାଦାମ କେବଳ ବର୍ଷାଋତୁ ପାଇଁ ଉପଯୁକ୍ତ  । ଓଡିଶା ରାଜ୍ୟ ନିମିତ୍ତ ଉପଯୁକ୍ତ ବିହନ ଏବଂ ସେଗୁଡିକର ଗୁଣାବଳୀ ନିମ୍ନରେ ପ୍ରଦତ୍ତ ହେଲା  ।

ବିହନ କିସମ

ପ୍ରକୃତି

ଅବଧି (ଦିନ)

ଛୁଇଁରୁ ଶତକଡା % କେତେକ ମଞ୍ଜି ବାହାରେ

ତୈଳ %

ଶୁପ୍ତାବସ୍ଥା (ଦିନ)

ବିଶେଷ ଗୁଣାବଳୀ

ଏ.କେ – 12-24

ଗୁଚ୍ଛ

110

73

48.5

ନାହିଁ

ଉଭୟ ବର୍ଷାଧାର ଓ ଜଳସେଚନ ଜମି ପାଇଁ ଉପଯୁକ୍ତ  ।

କିଷାନ (ଓ.ଜି 1-13-3)

ଗୁଚ୍ଛ

95

71

50

15

ଉଭୟ ବର୍ଷାଧାର ଓ ଜଳସେଚନ ଜମି ପାଇଁ ଉପଯୁକ୍ତ  ।

ଜେ-ଏଲ୍- 24 (ଫୁଲେ ପ୍ରଗତି)

ଗୁଚ୍ଛ

95

75

50.7

ନାହିଁ

ଉଭୟ ବର୍ଷାଧାର ଓ ଜଳସେଚନ ଜମି ପାଇଁ ଉପଯୁକ୍ତ  ।

ଜେ.11(5B-11)

ଗୁଚ୍ଛ

110

76

49

ନାହିଁ

ଗାଢ ସବୁଜ ବଡପତ୍ର ଓ ଚିକ୍କଣ ଛୁଇଁ, ମରୁଡି ସହଣୀ ଶକ୍ତି ଅଛି

କାଦିରୀ-3

ମଧ୍ୟମ ଲୋଟଣୀ

110

75

49

ନାହିଁ

ଗଞ୍ଜାମ ଜିଲ୍ଲା ପାଇଁ ଉପଯୁକ୍ତ ଯେଉଁଠାରେ ଲୋଟଣୀ ଚିନାବାଦାମ

ଆଇ.ସି.ଜି ଏସ – 44

ସ୍ପାନିସ୍ କିନ୍ତୁ ମଧ୍ୟମ – ଗୁଚ୍ଛ

120

70

49

ନାହିଁ

ମଞ୍ଜି ମୋଟା ହୃଷ୍ଟପୁଷ୍ଟ ଜଳସେଚନ ଜମି ପାଇଁ ଉପଯୁକ୍ତ ଓଡିଶାରେ ସବୁଠାରେ ହୋଇପାରିବ

ଜି.ଜି – 2

ସ୍ପାନିସ୍ ଗୁଚ୍ଛ

100

70.5

49

ନାହିଁ

ସଅଳ ଫୁଲ ଧରେ ଗାଢ ସବୁଜ ପତ୍ର ।

ଆଇ.ସି.ଜି ଏସ୍ – 11

ସ୍ପାନିସ୍ ଗୁଚ୍ଛ

110

70

48.7

ନାହିଁ

ଗାଢସବୁଜ ପତ୍ର ବାଙ୍ଗରା ଗଛ

ଜୱାନ(OG-71-3)

ଗୁଚ୍ଛ

95

70

46.7

 

ଟିକ୍କା ସହଣୀ ଶକ୍ତି ଅଛି

ଓ.ଜି. 52-1

ସ୍ପାନିସ୍ ଗୁଚ୍ଛ

95

72

48.7

 

ନାଲି ମଞ୍ଜି

ବିହନ ନିର୍ବାଚନ ଓ ବିହନ ବିଶୋଧନ :

ଭଲ ବିହନ ଉପରେ ଫସଲର ଆଦାୟ ନିର୍ଭର କରେ   । ବିହନ ଜାତିଆ, ପରୀକ୍ଷିତ ଓ ଶତକଡା ସତୁରି ଭାଗରୁ ଅଧିକ ଅଙ୍କୁରୋଦଗମ୍ ଶକ୍ତି ବିଶିଷ୍ଟ ହୋଇଥିବା ଦରକାର   । ଛୋଟ, ଭଙ୍ଗା ଓ ରୋଗାକ୍ରାନ୍ତ ମଞ୍ଜିକୁ ବିହନ ପାଇଁ ବ୍ୟବହାର କରିବା ଅନୁଚିତ   । ବିହନ ଚିନାବାଦାମରୁ ଚୋପା ହାତରେ ବା ଚୋପାଛଡା ଯନ୍ତ୍ରରେ  ଛଡାନ୍ତୁ  । ହାତରେ ବାହାର କଲେ ମଞ୍ଜିଗୁଡିକ ଭାଙ୍ଗେ  ନାହିଁ   । ଛଡା ବିହନକୁ ଥଣ୍ଡା ଖୋଲା ପବନ ବାଜୁଥିବା ପରିଷ୍କାର ସ୍ଥାନରେ ରଖନ୍ତୁ   । ଛଡେଇବାର ୨-୩ ଦିନ ଭିତରେ  ବିହନ ବୁଣି ଦିଅନ୍ତୁ   । ଅତି ବେଶି ହେଲେ ୬-୭ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ  । ଅଧିକ ଦିନ ରଖିଲେ ବିହନର ଅଙ୍କୁରଣ କ୍ଷମତା କମିଯାଏ   ।

ବିହନ ବିଶୋଧନ :

ପ୍ରତି କି.ଗ୍ରା. ବିହନରେ ୩ ଗ୍ରାମ୍ କ୍ୟାପଟାନ କିମ୍ବା ଥିରାମ ୨ ଗ୍ରାମ୍ ବାଭିଷ୍ଟିନ ଗୋଳାଇ  ବିଶୋଧନ କରନ୍ତୁ   । ବିହନ ବିଶୋଧନର ସପ୍ତାହକ ପରେ ରାଇଜୋବିୟମ କଲଚର (ବୀଜାଣୁ କଲଚର) ବିହନରେ ଗୋଳାଇ ଚିନାବାଦାମ ଲଗାନ୍ତୁ   ।

ରାଇଜୋବିୟମ କଲଚର ପ୍ରୟୋଗ ବିଧି :

ରାଇଜୋବିୟମ କଲଚର ପ୍ରତି ୧୦ କି.ଗ୍ରା. ମଞ୍ଜି ପାଇଁ ୨୦୦ ଗ୍ରାମର ଗୋଟିଏ ପ୍ୟାକେଟ ଆବଶ୍ୟକ ହେବ   । ଏଣୁ ଲୋଟଣୀ ବାଦାମ କିସମ ୭୫ କି.ଗ୍ରା. ପାଇଁ ୮ଟି ପ୍ୟାକେଟ ଅର୍ଥାତ୍ ୧.୬ କି.ଗ୍ରା. ଏବଂ ସିଧା ୧୨୫ କି.ଗ୍ରା. ମଞ୍ଜି ପାଇଁ ୧୦-୧୨ ପ୍ୟାକେଟ ବୀଜାଣୁ କଲଚର ଦରକାର ହେବ  । ପ୍ରଥମେ ଏକ ଲିଟର ପାଣି ପିଛା ୨୦୦ ଗ୍ରାମର ଗୋଟିଏ ବୀଜାଣୁ କଲଚର ପ୍ୟାକେଟ ଗୋଟିଏ ପାତ୍ରରେ ଘାଣ୍ଟି ଖିରି ପରି କରି ବିହନକୁ ସେଥିରେ ଗୋଳେଇ ଦିଆଯାଏ  । ତା’ପରେ ଗୋଳାବିହନକୁ  ଛାଇରେ ଶୁଖାଇ ଉପରବେଳା ବିହନ ବୁଣାଯାଏ  । ବ୍ୟାକ୍ଟେରିଆ କଲଚର ସହ ସୋଡିୟମ ମଲିବିଡେଟ ବା ଏମୋନିୟମ ମଲିବିଡେଟ (୩ ଗ୍ରାମ୍  ୧୦ କି.ଗ୍ରା. ମଞ୍ଜି ପିଛା)ଅଥବା ଗୋଟିଏ ବୀଜାଣୁ କଲଚର ପ୍ୟାକେଟ (୨୦୦ ଗ୍ରାମ୍ ) ଗୋଟିଏ ଲିଟର ପାଣିରେ ଖିରି କରି ସେଥିରେ ୩ ଗ୍ରାମ୍ ଏମୋନିୟମ ବା ସୋଡିୟମ ମଲିବିଡେଟ ପକାଇ ୧୦ କେଜି ମଞ୍ଜି ବିହନ ସେଥିରେ ଗୋଳାନ୍ତୁ  । ତାପରେ  ଛାଇରେ ଶୁଖାଇ ଉପରବେଳା ବୁଣନ୍ତୁ  ।

ଲଗାଇବା ସମୟ :

ଗବେଷଣାରୁ ଜଣାଯାଇଛି ଯେ ଖରିଫ ଋତୁରେ ଖରାଟିଆ ବର୍ଷାର ସଦୁପଯୋଗ କରି, ଜମିଚାଷ କରି ମୌସୁମୀବର୍ଷା ପୂର୍ବରୁ ଚିନାବାଦାମ ଲଗାଇ ପାରିଲେ  ଅମଳ, ମୌସୁମୀ ବର୍ଷା ପରେ ଲଗାଇବା ଚିନାବାଦାମ ଫସଲ ଠାରୁ ଯଥେଷ୍ଟ ଅଧିକ ମିଳିଥାଏ   । ଓଡିଶାରେ ଜୁନ୍ ମାସ ପ୍ରଥମ ସପ୍ତାହରେ ଚିନାବାଦାମ ଲଗାଇବା ଉଚିତ୍, ପ୍ରାକ ରବିଋତୁରେ  ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ଶେଷ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ନଦୀ ପଠା ମାଟିରେ ଥିବା ବତରରେ ନିପାଣିଆ ଚିନାବାଦାମ ଚାଷ କରାଯାଏ   । ଜଳସେଚନ ସୁବିଧା ଥିବା ସ୍ଥାନମାନଙ୍କରେ ଖରାଦିନେ ଜାନୁୟାରୀ ପ୍ରଥମ ସପ୍ତାହ ଫେବୃୟାରୀ ମାସ ପର୍ଯ୍ୟନ୍ତ ଚିନାବାଦାମ ଲଗାଯାଇପାରିବ   ।

ବିହନ ପରିମାଣ ଓ ଲଗାଇବା ପ୍ରଣାଳୀ :

ଅନୁମୋଦିତ ବିହନ ପରିମାଣ ବ୍ୟବହାର କଲେ ଉତ୍ପାଦନ ବୃଦ୍ଧି ପାଇଥାଏ   । ହେକ୍ଟର ପିଛା ବିହନ ପରିମାଣ, ବିହନ କିସମ, ଧାଡିକୁ ଧାଡି ବ୍ୟବଧାନ ଓ ଗଛକୁ ଗଛ  ଅନ୍ତର ଉପରେ ସାଧାରଣତଃ ନିର୍ଭର କରେ   । ସିଧା ଜାତୀୟ ବିହନ ଧାଡିକୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାଇବା ଉଚିତ  । ବିହନର ପରିମାଣ ହେକ୍ଟର ପିଛା ୧୨୫ କେଜି ମଞ୍ଜି ବା ଅନ୍ତର୍ବୀଜ ଆବଶ୍ୟକ ହେବ   । ମଧ୍ୟମ ଲୋଟଣୀ କିସମ ପାଇଁ ମଧ୍ୟ ୧୨୫ କି.ଗ୍ରା. ଦାନା ଲାଗିବ ଏବଂ ଧାଡିକୁ ଧାଡି ଓ ଗଛକୁ ଗଛ ୩୦ X ୧୦ ସେ.ମି. ରହିବ  । ଯାହାଫଳରେ ଏକ ହେକ୍ଟର ଜମିରେ ୩.୩ ଲକ୍ଷ ଗଛ ରହିବ  । ଅଥବା ପ୍ରତି ବର୍ଗମିଟରରେ ୩୩ ଗଛ ରହିବ   । ଲୋଟଣୀ ଜାତୀୟ ବିହନ ବ୍ୟବହାର କଲେ ହେକ୍ଟର ପିଛା ୮୭ କି.ଗ୍ରା. ଦାନା ବିହନ ଆବଶ୍ୟକ ହେବ   ।ଧାଡିକୁ ଧାଡି ୩୦ ସେ.ମି. ଓ ଗଛକୁ ଗଛ  ୧୫ ସେ.ମି. ବ୍ୟବଧାନ ରହିବ, ଯେପରିକି ଜମିରେ ୨୨ ଲକ୍ଷ ଗଛ ରହିବ   । ରବି ଋତୁରେ ଧାଡିକୁ ଧାଡି ବ୍ୟବଧାନ ୨୦ ସେ.ମି. ଓ ଗଛକୁ ଗଛ ବ୍ୟବଧାନ ୧୦ ସେ.ମି. ରଖିବା ଆବଶ୍ୟକ   । ହେକ୍ଟର ପ୍ରତି ପ୍ରାୟ ୧୫୦ କି.ଗ୍ରା. ଅନ୍ତର୍ବୀଜ ଆବଶ୍ୟକ ହେବ   ।

ଗୋଜି ଲଙ୍ଗଳରେ ସିଆର କରି, ଲଙ୍ଗଳ ସିଆରରେ ଖତ ଓ ସାରପ୍ରୟୋଗ କରି ମାଟି ଘୋଡାଇ ତା ଉପରେ ବିହନ ବୁଣା ଯାଏ   । ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବା ବିହନ ଓ ସାର ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ଓ ସାର ଜମିରେ ଦେଲେ ଭଲ  । ଲଙ୍ଗଳ ସିଆର ପଛରେ ବିହନ ବୁଣିଲେ – ବିହନ ଯେପରି ୫ ସେ.ମି. ଗଭୀରରେ ପଡେ ସେଥିପ୍ରତି ଧ୍ୟାନ ଦେବା ଦରକାର  । ବିହନ ଅଧିକ ଗଭୀରରେ ନପଡିବା ଉଚିତ   । ବିହନ ବୁଣିବା ପରେ ହାଲୁକା ମଇ ଦେଇ ମାଟି ଘୋଡାଇ ଦେବା ଦରକାର   । ଯଦି କୌଣସି ସ୍ଥାନରେ ଗଜା ନ ହୋଇଥାଏ – ତେବେ ୭-୧୦ ଦିନ ମଧ୍ୟରେ ଖାଲିସ୍ଥାନମାନଙ୍କରେ ବିହନ ଲଗାଇ ଖାଲିସ୍ଥାନ ପୂରଣ କରନ୍ତୁ   ।

ଜମି ପ୍ରସ୍ତୁତି :

ଚିନାବାଦାମ ମାଟି ଭିତରେ ଫଳେ   । ଏଣୁ ଯେତେ ଗୁଣ୍ଡଚାଷ ହେବ ସେତେ ଭଲ  । ମାଟି ସବୁବେଳେ ଫସଫସିଆ  ହାଲୁକା ରହିବା ଦରକାର  । ଜମିକୁ ତିନି ଚାରି ଓଡ ଚାଷ କରି ମଇ ଦେଇ ମାଟିଗୁଣ୍ଡ ଓ ସମତୁଲ କରାଯାଏ   । ଅଧିକ ପାଣି ଜମିରୁ ନିଗିଡା ଯିବା ପାଇଁ ଏକପଟୁ ଅନ୍ୟ ପଟକୁ ସାମାନ୍ୟ ଗଡାଣିଆ ରଖାଯାଏ   । ଶେଷ ଓଡ ଚା ସମୟରେ ହେକ୍ଟର ପିଛା ୫ ଟନ୍  ଗୋବରଖତ ପ୍ରୟୋଗ କରାଯାଏ  । ଅମ୍ଳ ମୃତ୍ତିକାର ସଂଶୋଧନ କରିବା ପାଇଁ ମୃତ୍ତିକା ପରୀକ୍ଷା କରି ଚୂନ ପ୍ରତି ତିନୋଟି ଫସଲ ପରେ ଠାରେ ପ୍ରୟୋଗ କରନ୍ତୁ   । ଏଥିପାଇଁ ସମ ପରିମାଣର କାଗଜକଳ ମଇଳା, ଲୁହା କାରଖାନାର ମଇଳା ପ୍ରୟୋଗ କରାଯାଇପାରେ   ।

ସାର ପ୍ରୟୋଗ :

ମୃତ୍ତିକା ପରୀକ୍ଷା କରି ଜମିରେ ଆବଶ୍ୟକ ଚୂନ ପ୍ରୟୋଗ କରିବା ଉଚିତ୍  । ଅମ୍ଳ ମୃତ୍ତିକାରେ ଯଦି ମୃତ୍ତିକା ପରୀକ୍ଷା ହୋଇ ନଥାଏ ତେବେ ୧.୨୫ ଟନ୍ ହେକ୍ଟର ପିଛା ବା ତତ୍ତୁଲ୍ୟ କାଗଜ କଳ ମଇଳା ବା ଲୌହକଳ ମଇଳା ବ୍ୟବହାର କରାଯିବା ଉଚିତ   । ବିହନ ବୁଣିବାର ଏକମାସ ପୂର୍ବରୁ ହାଲୁକାରୁ ମଧ୍ୟମଧରଣର ବୟନାତ୍ମକ ଜମିରେ ଏହା ପ୍ରୟୋଗ କଲେ ଅମ୍ଳ ମୃତ୍ତିକା ସଂଶୋଧନ ହୋଇଯାଏ  । ଚୂନ ପ୍ରୟୋଗ ଦ୍ଵାରା ମୃତ୍ତିକାରୁ ଅଧିକ ଫସଫରସ୍ ଓ କ୍ୟାଲସିୟମ ଚିନାବାଦାମ ଫସଲକୁ ମିଳିଥାଏ   । ଏହାଦ୍ଵାରା ଚିନାବାଦାମ ଛୁଇଁଗୁଡିକ ଫମ୍ପା ନ ହୋଇ ଦାନା ଦ୍ଵାରା ପୂରଣ  ହୁଏ  ଫଳରେ ଉତ୍ପାଦନ ହେକ୍ଟର ପ୍ରତି ବୃଦ୍ଧିପାଏ   । ଚିନାବାଦାମ ଫସଲରେ ସର୍ବଦା  ରାସାୟନିକ ଓ ଜୈବିକ ସାର ମିଶାଇ ଦେବା ଉଚିତ  । ରାସାୟନିକ ସାର ହେକ୍ଟର ପ୍ରତି ୨୦ କି.ଗ୍ରା.  ଯବକ୍ଷାରଜାନ ୪୦ କି.ଗ୍ରା. ଫସଫେଟ୍ () ଓ ୪୦ କି.ଗ୍ରା. ପଟାସ୍ (O) ପ୍ରୟୋଗ କରିବାକୁ ହେବ  । ସବୁତକ ସାର ସିଆରରେ ପକାଇ ଦେବା ଉଚିତ୍  । ଧ୍ୟାନ ଦେବା ଉଚିତ ଯେ ସାର ସଂସ୍ପର୍ଶରେ ଯେପରି ବିହନ ନଆସେ, ଏଥିପାଇଁ ସାର ପକାଇ କିଛି ମାଟି ଘୋଡାଇ ତା’ଉପରେ ବିହନ ପକାଇବା ଉଚିତ  । ଉତ୍ତମରୂପେ ଗୁଣ୍ଡ ହୋଇଥିବା ଜିପସମ୍ ହେକ୍ଟର ପିଛା ୨୫୦ କି.ଗ୍ରା. ଲଗାଇବା ୨୦-୨୫ ଦିନ ଭିତରେ ଜମିରେ ଚିନାବାଦାମ ଗଛର ଦୁଇ ପାଖରେ ଗଛକୁ  ୫-୭ ସେ.ମି. ଛାଡି ୩ ସେ.ମି. ଗଭୀରରେ ପ୍ରୟୋଗ କରିବା ଉଚିତ୍  । ଚିନାବାଦାମ ଗଛର ଦୁଇ ପାଖ ଖୁରୁପିରେ ଗାରକାଟି ଜିପସମ୍ ପ୍ରୟୋଗ କରି ମାଟି ଟେକି ଦେବା ଉଚିତ୍  । ଚିନାବାଦାମର ଅଙ୍ଗୀୟ  ଭାଗରୁ ବୃଦ୍ଧି ପାଉଥିବା ମାଟି ଭିତରେ ବାଦାମ ଛୁଇଁ  ଗୁଡିକୁ ସ୍ତ୍ରୀ  କେଶର ଦଣ୍ଡର, ଅତିସରୁ ଦାରୁବାହିକା ଦେଇ ଆବଶ୍ୟକ କ୍ୟାଲସିୟମ  ଯାଇପାରୁ ନଥିବାରୁ ଛୁଇଁଗୁଡିକୁ ସ୍ଵତନ୍ତ୍ରଭାବେ ଆବଶ୍ୟକୀୟ କ୍ୟାଲସିୟମ ଯୋଗାଇଦେବା ପାଇଁ ଛୁଇଁହେବା ସମୟରେ ଜିପସମ୍  ପ୍ରୟୋଗ ଏକାନ୍ତ ଆବଶ୍ୟକ   ହୋଇପଡେ   । ଏହା ଦ୍ଵାରା ଅଧିକସଂଖ୍ୟକ ଛୁଇଁ ମିଳେ ଏବଂ ଛୁଇଁଗୁଡିକ ଭଲଭାବେ ଦାନା ଦ୍ଵାରା ପୂରଣ ହୋଇଥାଏ   । ଲଗାତାର ବହୁ ବର୍ଷ ଧରି ୟୁରିଆ ଓ ଦାଇଏମୋନିୟମ ଫସଫେଟ୍ ପ୍ରୟୋଗ କରି ଯଦି ଚିନାବାଦାମ ଫସଲ କରାଯାଏ  । ତେବେ ଜମିରେ ଗନ୍ଧକ ଅଭାବ ଦେଖାଯାଏ । କିନ୍ତୁ ଜମିର ଯଦି ଗନ୍ଧକ ଥିବା ସାର ଯଥା ସିଙ୍ଗଲ ସୁପର ଫସଫେଟ୍ ଏବଂ ଏମୋନିୟମ  ସଲଫେଟ୍ ସାର ପ୍ରୟୋଗ କରାଯାଏ  ତେବେ ଜିପସମ୍  ଦେବା ଦରକାର ହୁଏନାହିଁ  । ଜିପସମ୍ରରେ ୨୨.୩% କ୍ୟାଲସିୟମ ଏବଂ ୧୮.୬% (ସଲଫର) ଗନ୍ଧକ ଥାଏ   । ଜିପସମ୍ ଜଳରେ ପୂରାପୂରି ଦ୍ରବୀଭୂତ ହୋଇଯାଏ   ।

ଅନ୍ତଃଚାଷ :

ଗଜା ହେବାର ୧୬-୧୮ ଦିନ ମଧ୍ୟରେ ପ୍ରଥମ ଫୁଲ ଆସେ   । ଏଣୁ ୨-୩ ସପ୍ତାହ ମଧ୍ୟରେ ପ୍ରଥମ କୋଡା ଖୁସା କରି ଘାସ ବାଛି ଦେଇ ହିଡ ଟେକିଦେବା ଉଚିତ  । ଲୋଟଣୀ  ଚିନାବାଦାମ ଫସଲକୁ ବାଦ ଦେଇ ଠିଆ ଅର୍ଦ୍ଧ ଠିଆ ଚିନାବାଦାମ ପାଇଁ କୋଡା ଖୁସା ପରେ ହିଡ ଟେକି ଦେଲେ ମୃତ୍ତିକା ଭିତରକୁ କୀଳକ ଯିବା ପାଇଁ ସୁବିଧା ହୁଏ   । ଲୋଟଣୀ  ଚିନାବାଦାମ ପାଇଁ ଯଦି ଦରକାର ହୁଏ ଦ୍ଵିତୀୟଥର ଘାସ ବଛା କୋଡାଖୁସା କରାଯାଇପାରେ, କିନ୍ତୁ ଏହା ୩୦ଦିନ ଭିତରେ ହିଁ କରନ୍ତୁ । ଠିଆ ଚିନାବାଦାମ କିସମ ଗଜା ହେବାର ୩୫ ଦିନ ପରେ ଛୁଇଁ ହୁଏ   । ଏଣୁ ଏହି କ୍ଷେତ୍ରରେ ଫୁଲ ହେବା ପରେ ଚିନାବାଦାମ ଫସଲ ହୋଇଥିବା ଜମିରେ ପଡିବା ଉଚିତ  ନୁହେଁ  । କାରଣ ଓହଳ ଛିଣ୍ଡିଯିବ  । କଢ ପୋଡା ରୋଗ ହେଲେ ଗଛଗୁଡିକୁ ଉପାଡି ଆଣୀ ମାଟି ତଳେ ନଷ୍ଟ କରିଦିଅନ୍ତୁ   ।

ଯଦି ଅନ୍ତଃଚାଷ ମୁଲିଆ ଅଭାବରୁ କରି ନପାରନ୍ତି – ତେବେ ତୃଣକମାରି ପ୍ରୟୋଗ କରି ଘାସ ଦମନ କରିପାରିବେ   । ଏହାର ପୂର୍ଣ୍ଣ ବିବରଣୀ ନିମ୍ନରେ ଦିଆଗଲା   ।

ତୃଣକମାରୀର ନାମ

ହେକ୍ଟର ପ୍ରତି ଆବଶ୍ୟକ ପରିମାଣ

ପ୍ରୟୋଗ କରିବା ସମୟ

ଫ୍ଲୁ କ୍ଲୋରାଲିନ

୧ କି.ଗ୍ରା. (ବାସାଲିନ ୨ ଲି.) ୧୦୦୦ ଲିଟର ପାଣିରେ ମିଶାଇ ଛିଞ୍ଚା ଯାଏ  ।

ମଞ୍ଜି ଲଗାଇବା ଦିନକ ପୂର୍ବରୁ

ଅକ୍ସିଫ୍ଲୁ

୦.୦୭୫ କି.ଗ୍ରା.(୩୧୯ ସିସି ଗୋଲ) ଲିଟର ତୃଣକମାରୀ ୧୦୦୦ ଲିଟର ପାଣିରେ ମିଶାଇ ଛିଞ୍ଚାଯାଏ   ।

ମଞ୍ଜିବୁଣିବା ଦିନକ ପରେ

ପେଣ୍ଡିମିଥାଲିନ୍

୧ କି.ଗ୍ରା. (୩.୩ ଲି. ଷ୍ଟମ୍ପ) ୧୦୦୦ ଲିଟର ପାଣିରେ ମିଶାଇ ଛିଞ୍ଚାଯାଏ  ।

ବୁଣିବା ଦିନକ ପରେ  ।

ଜଳ ନିୟନ୍ତ୍ରଣ :

ବର୍ଷାଦିନିଆ ଚିନାବାଦାମ ଫସଲ ଜଳସେଚନ ଆବଶ୍ୟକ କରେ ନାହିଁ  । ଯଦି ବର୍ଷା ମଝିରେ ବହୁଦିନ ଛାଡିଯାଏ  ତେବେ ଜଳସେଚନ ଦରକାର ହୁଏ   । ପ୍ରଥମ ଜଳସେଚନ ଫୁଲ ହେବା ସମୟରେ ଦରକାର  । ପରବର୍ତ୍ତୀ ଜଳସେଚନ ଯଦି ଦରକାର ହୁଏ ତେବେ ଫଳ ହେବା ସମୟରେ କୀଳକ ମାଟି ଭିତରକୁ ଯିବା ନିମିତ୍ତ ଏବଂ ବୃଦ୍ଧିନିମିତ୍ତ ଦେବା ଦରକାର  । ଶେଷ ଜଳସେଚନଟି ଚିନାବାଦାମ ଅମଳ କରିବା ପୂର୍ବରୁ ଦିଆଗଲେ  ଚିନାବାଦାମ ଅମଳ କରିବା ସହଜ ହୁଏ   ।

ଅମଳ :

ଅଧିକ ଆଦାୟ ଓ ବାଦାମରୁ ତୈଳ % ଅଧିକ ପାଇବା ପାଇଁ ଉପଯୁକ୍ତ ସମୟରେ ଚିନାବାଦାମ ଅମଳ କରିବା ଉଚିତ୍  । ବୀଜର  ସମ୍ପୂର୍ଣ୍ଣ  ପରିପକ୍ଵତା ପାଇଁ ପ୍ରାୟ ୨ ମାସ ଲାଗେ  । ଯେତେବେଳେ ଗୋଟିଏ ପରିପକ୍ଵ ବାଦାମ ଛୁଇଁ  ହାତରେ ଛଡାଇବା କଷ୍ଟ ହେବ ଏବଂ ଗଛ ହଳଦିଆ ପଡିଗଲେ ଏବଂ ଛୁଇଁ  ଭିତରେ ଦାନାର ଚୋପା ସାମାନ୍ୟ ପାଟଳ ରଙ୍ଗ ହୋଇ ଖୋଳପାର ଭିତର ପଟୁ କଳା ଦେଖାଗଲେ ମାଟି ପାଗିଥିବା ଅବସ୍ଥାରେ ବାଦାମ ଅମଳ କରିବା ଉପଯୁକ୍ତ ସମୟ  । ମାଟି ବତର ନଥିଲେ ପାରି ମଡାଇ ଅମଳ କରାଯାଏ  । ଚିନାବାଦାମରୁ ମାଟି ଛଡାଇ, ସଫାକରି ଭଲଭାବେ ଶୁଖାଇ ସାଇତି ରଖାଯାଏ  । ଅମଳ ସମୟରେ ଚିନାବାଦାମରେ ୩୦-୪୦% ଜଳୀୟ ଅଂଶ ଥାଏ  । କିନ୍ତୁ ଚିନାବାଦାମକୁ ଶୁଖାଇ ୮-୧୦୦% ଜଳୀୟ ଅଂଶ ରହିଲେ ସାଇତି ରଖାଯାଏ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate