ପୂର୍ବେ ଉଦ୍ୟାନର ଶୋଭାବର୍ଦ୍ଧନ ପାଇଁ ଲଗାଯାଉଥିଲା । କିନ୍ତୁ ବର୍ତ୍ତମାନ ତୈଳବୀଜ ଫସଲ ହିସାବରେ ଭାରତ ବର୍ଷର ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ, ହରିଆନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ବିହାର ପ୍ରଭୃତି ପ୍ରଦେଶରେ ବହୁଳଭାବେ ଚାଷ ହେଉଛି । ଓଡିଶାରେ ଅଳ୍ପ ଜମିରେ ସୂର୍ଯ୍ୟମିଖି ଚାଷ କରାଯାଉଛି । ଏଥିରେ ଶତକଡା ୪୫-୫୦ ଭାଗ ତୈଳ ଅଂଶ ଅଛି । ସୂର୍ଯ୍ୟମୁଖୀ କମ୍ ଦିନରେ ଅମଳ ହୁଏ ଓ ଆଲୋକ ଅସମ୍ବେଦୀ । ଏହି ଫସଲ ମରୁଡି ସହିପାରେ । ଏହା ବର୍ଷସାରା ଚାଷ କରାଯାଇ ପାରିବ । ଏହା ମଧ୍ୟବର୍ତ୍ତୀ ଫସଲ ରୂପେ ମଧ୍ୟ ଚାଷ କରାଯାଏ । ଏହାର ତୈଳ ଫିକା ହଳଦିଆ ରଙ୍ଗର ରୋଷେଇ କରିବା ପାଇଁ ଅନ୍ୟାନ୍ୟ ତେଲ ଠାରୁ କେତେକ ଗୁଣରେ ଉତ୍ତମ । ସୂର୍ଯ୍ୟମୁଖୀ ତେଲରୁ ଡାଲଡା ମଧ୍ୟ ତିଆରି କରାଯାଏ । ସୂର୍ଯ୍ୟମୁଖୀ ତେଲରେ ୬୪% ଲିନୋନିକ୍ ଅମ୍ଳ ରହିଛି ଯାହାକି ହୃଦୟର ଶିରା ପ୍ରଶିରାରୁ କୋଲେଷ୍ଟର ଧୋଇଦିଏ । ଏଣୁ ଏହି ତେଲ ହୃଦରୋଗୀମାନଙ୍କ ପାଇଁ ବହୁତ ଉପାଦେୟ । ବିଭିନ୍ନ ପ୍ରକାର ପ୍ରସାଧନ ଓ ସାବୁନ ତିଆରି କରିବା ପାଇଁ ଏହି ତେଲ ବ୍ୟବହାର ହୁଏ । ସୂର୍ଯ୍ୟମୁଖୀ ପିଡିଆରେ ୪୦-୪୪% ଉଚ୍ଚମାନର ପୁଷ୍ଟିସାର ରହିଛି । ଏଣୁ ଗୋଖାଦ୍ୟ ଓ କୁକୁଡା ଖାଦ୍ୟ ରୂପେ ଏହା ବ୍ୟବହାର ହୁଏ । ଏଥିରୁ ବିଭିନ୍ନ ପ୍ରକାର ଶିଶୁ ଖାଦ୍ୟ ତିଆରି ହୁଏ । ସୂର୍ଯ୍ୟମୁଖି ମଞ୍ଜି ଭାଜି କରି ମଧ୍ୟ ଖାଆନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକା ଏବଂ ମେକ୍ସିକୋ ଏହାର ଉଦ୍ଭବ କେନ୍ଦ୍ର ।
କ୍ଷେତ୍ରଫଳ ଓ ବଣ୍ଟନ :
ପୃଥିବୀର ମୁଖ୍ୟ ସୂର୍ଯ୍ୟମୁଖୀ ଉତ୍ପାଦନ କରୁଥିବା ଦେଶଗୁଡିକ ହେଲା – ସୋଭିଏତ ଦେଶ, ଯୁକ୍ତରାଷ୍ଟ୍ର ଆମେରିକା, ଆର୍ଜେଣ୍ଟିନା, ରୋମାନିଆ, ସ୍ପେନ, ଯୁଗୋସ୍ଲୋଭିଆ, ତୁର୍କୀ ଏବଂ ଦକ୍ଷିଣ ଆମେରିକା, ଭାରତରେ ଏହି ଫସଲ ତୈଳବୀଜ ଉତ୍ପାଦନ ପାଇଁ ୧୯୬୯ରୁ ଚାଷ ହେଉଛି । ବର୍ତ୍ତମାନ ଭାରତରେ ୩,୮୮,୦୦୦ ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ତୈଳବୀଜ ଉତ୍ପାଦନ ପାଇଁ ଚାଷ କରାଯାଉଛି ।
ସୂର୍ଯ୍ୟମୁଖୀର ଶ୍ରେଣୀ ଭିଭାଗ:
ସୂର୍ଯ୍ୟମୁଖୀ – କମ୍ପୋଜିଟ ପରିବାର ଭୁକ୍ତ । ପ୍ରଜାତି ‘ହେଲିଆନ୍ଥସ୍’ । ଏହି ପ୍ରଜାତିର ୧୬୪ ଜାତି ରହିଛି । କିନ୍ତୁ ଭାରତ ଓ ସୋଭିଏତ ରୁଷରେ ଚାଷ କରାଯାଉଥିବା ବିହନ କିସମଗୁଡିକୁ ତିନିଭାଗରେ ବିଭକ୍ତ କରାଯାଇଛି । ଯଥା : -
ଉଦ୍ଭିଦ ବର୍ଣ୍ଣନା :
କାଣ୍ଡ :
ସୂର୍ଯ୍ୟମୁଖୀ ଗଛ ଏକ ଋତ୍ଵିକ, କାଣ୍ଡ – ଶାକୀୟ ଉଚ୍ଚତା ୧.୫ ରୁ ୬ ମିଟର ପର୍ଯ୍ୟନ୍ତ ହୋଇପାରେ । କାଣ୍ଡର ବ୍ୟାସ ୨.୫ ରୁ ୭.୫ ସେ.ମି. ହୋଇଥାଏ । କାଣ୍ଡ – ରୁକ୍ଷ – ଲୋମଶ ବା ଖରଲୋମ, ସାଧାରଣତଃ ଶାଖା ପ୍ରଶାଖା ନଥାଏ ଏବଂ କାଣ୍ଡ ଗୋଟିଏ ମୌଳିକ ରେ ଶେଷ ହୋଇଥାଏ ।
ପତ୍ର :
ପତ୍ରଗୁଡିକ ସରଳ, ଏକାନ୍ତର, ମୋଟା, ଡେମ୍ଫଯୁକ୍ତ – କେତାକାଂଶରେ ବର୍ଚ୍ଛାକାର, ୫-୨୫ ସେ.ମି. ଲମ୍ବା ପତ୍ରଗୁଡିକର ଉଭୟ ପାର୍ଶ୍ଵ - ଅନିୟମିତ ଭାବେ ଦନ୍ତୁରିତ ଧାର ।
ପୁଷ୍ପ ସ୍ତବକ :
ସ୍ତବକଟି ଗେଣ୍ଡୁ ପରିବାରଭୁକ୍ତ ସୂର୍ଯ୍ୟମୁଖୀ ପୂର୍ବ ପୁଂପକ୍ଵ ଯେଉଁଥିରେ ପୁଂ ଅଂଶ ଓ ସ୍ତ୍ରୀ ଅଂଶ ଭିନ୍ନ ଭିନ୍ନ ସମୟରେ ପରିପକ୍ଵ ହୁଏ । ପୁଂ ଓ ସ୍ତ୍ରୀ ଅଂଶ ମଧ୍ୟରେ ୧୮ – ୨୪ ଘଣ୍ଟା ଫରକ ରହେ । ଏଣୁ ପୁଷ୍ପ ପରାଗରାଗ ଧର୍ମୀ । ପୀଠ ପୁଷ୍ପ ପୂର୍ବ ପୁଂପକ୍ଵ । ପରାଗ ପେଟୀ ନଳୀ ପାଖୁଡା ବାହାରକୁ ବାହାରିଥାଏ । ପରାଗ ପେଟୀ ନଳୀରୁ ପରାଗରେଣୁ ଝଡେ । ଫୁଲମୂଳରେ ମହୁଥାଏ । ମହୁ ସଂଗ୍ରହ ବେଳେ ମହୁମାଛି ଦ୍ଵାରା ପରାଗ ସଙ୍ଗମ ହୁଏ, ସ୍ପପରାଗ ଧର୍ମୀ ହୋଇନଥିବାରୁ ଏବଂ ଏନେକ ଫୁଲରେ ଗର୍ଭପାତ ଯୋଗୁଁ ମଞ୍ଜି ଧରିପାରେ ନାହିଁ, ଫମ୍ପା ହୋଇଯାଏ । ଫୁଲ ଗୁଡକା ହଳଦିଆ ରଙ୍ଗ । ହେଡ ୧୦ – ୧୫ ସେ.ମି. ବ୍ୟାସ । ଗୋଟିଏ ହେଡରେ ୩୫୦-୨୦୦୦ ପର୍ଯ୍ୟନ୍ତ ମଞ୍ଜି ହୁଏ । ମଞ୍ଜିଗୁଡିକ ୧.୫ ସେ.ମି. ଲମ୍ବା ମୂଳ ଗୋଜିଆ ଏବଂ ଶେଷ ଗୋଲିଆ । ମଞ୍ଜିର ଗଣ୍ଡି ଧଳା ବା କଳା ବା କଳା ଓ ଧଳା ଡୋର ଥାଏ ।
ଋତୁ ଓ ଜଳବାୟୁ :
ଗଜା ହେବା ଓ ପ୍ରାଥମିକ ବୃଦ୍ଧି ସମୟରେ ଥଣ୍ଡା ପାଗ ଦରକାର । ତଳିଗୁଡିକ ୪-୬ ପତ୍ର ପର୍ଯ୍ୟନ୍ତ ମୃଦୁ କରକାପାତ ସହିପାରେ । ତଳି ପରଠାରୁ ଫୁଲ ଓ ଫଳ ପର୍ଯ୍ୟନ୍ତ ଗରମ ଓ ଖରାପାଗ ଦରକାର । ଅଧିକ ଆଦ୍ରତା, ମେଘୁଆପାଗ ଏବଂ ଅଧିକ ବର୍ଷା ଫୁଲ ହେବା ସମୟରେ ମଞ୍ଜି ଗଠନରେ ବାଧା ସୃଷ୍ଟିକରେ । ପରିପକ୍ଵ ଅବସ୍ଥାରେ ଅତ୍ୟଧିକ ଉତ୍ତାପ ହେଲେ ଲିନୋଲିକ୍ ଅମ୍ଳ ଭାଗ କମିଯାଏ । ସୂର୍ଯ୍ୟମୁଖୀ ଆଲୋକ ଅସମ୍ବେଦି ଫସଲ । ଏଣୁ ବର୍ଷର ଯେ କୌଣସି ସମୟରେ ଚାଷ କରାଯାଇ ପାରିବ । ଏହି ଫସଲଟି ୮୦-୯୦ ଦିନ ଭିତରେ ଖରିଫରେ ହୁଏ । ୧୦୫-୧୩୦ ଦିନରେ ରବି ଋତୁରେ ହୁଏ ଏବଂ ୧୦୦ – ୧୧୦ ଦିନ ଭିତରେ ବସନ୍ତ ଋତୁରେ ହୁଏ । ସୂର୍ଯ୍ୟମୁଖୀ ମରୁଡି ସହଣି ଫସଲ ଓଡିଶାର ଜଳବାୟୁରେ ସୂର୍ଯ୍ୟମୁଖୀ ଖରିଫ ଓ ରବି ଫସଲ ରୂପେ ଚାଷ କରାଯାଇପାରେ । ଏହି ଫସଲ ଅଧିକ ଗରମ ସହିପାରେ ନାହିଁ । ବର୍ଷାଦିନେ – ଲଗାତାର ବର୍ଷାଯୋଗୁ – ଜଳବାୟୁର ଆରଦ୍ରତା ବୃଦ୍ଧି ପାଇଲେ କବକରୋଗ ହୋଇ ଗଛ ସଢିଯାଏ ।
ମୃତ୍ତିକା :
ବର୍ଷାଦିନେ ସୂର୍ଯ୍ୟମୁଖୀ ଢିପ, ନିଗିଡା ଦୋରସା ଓ ବାଲିଆ ମାଟିରେ ଚାଷ କରାଯାଏ । ରିବି ଋତୁରେ ଦୋରସା, ପଟୁ ଦୋରସା, ମଟାଳ ଦୋରସା ମାଟିରେ ଭଲ ହୁଏ । ସନ୍ତସନ୍ତିଆ ଓ ଅମ୍ଳ ମୃତ୍ତିକାରେ ସୂର୍ଯ୍ୟମୁଖୀ ଭଲ ହୁଏ ନାହିଁ । ସୂର୍ଯ୍ୟମୁଖୀ ଫସଲ ଅଳ୍ପ ଲୁଣା ଜମିରେ ହୋଇପାରେ । ଏହି ଫସଲ ୬.୫ – ୮.୫ ପି. ଏଚ୍ ରେ ଭଲ ହୁଏ ।
ସୂର୍ଯ୍ୟମୁଖୀ ବିହନ କିସମ :
କିସମ |
ଅମଳ ସମୟ (ଦିନ) |
ମଡର୍ଣ୍ଣ |
85 |
ବି.ଏମ.ଏଚ୍. – 1 |
90 |
ଇ.ସି. – 78414 |
90 |
ଇ.ସି. – 68415 |
100 |
ସନରାଇଜ |
100 |
ଲଗାଇବା ସମୟ :
ବର୍ଷାଋତୁ – ଜୁନ୍ – ଜୁଲାଇ
ଶୀତଋତୁ – ଅକ୍ଟୋବର ମଧ୍ୟଭାଗରୁ ନଭେମ୍ବର
ଗ୍ରୀଷ୍ମଋତୁ – ଫେବୃୟାରୀ ଓ ମାର୍ଚ୍ଚ
ଜମି ପ୍ରସ୍ତୁତି :
ସୂର୍ଯ୍ୟମୁଖୀ ଘାସଯୁକ୍ତ ଗୁଣ୍ଡ ଚାଷ ଦରକାର କରେ । ଜମିରେ ଯଥେଷ୍ଟ ଆଦ୍ରତା ରହିବା ଉଚିତ । ଏଣୁ ମାଟି ବତର ନଥିଲେ ପାଣି ମଡାଇ ଜମି ପାଗିଗଲେ ଚାଷ ହୁଏ କାରଣ ସୂର୍ଯ୍ୟମୁଖୀ ମଞ୍ଜିର ମୋଟି ଚଷୁ ଭିଡିବା ପାଇଁ ଜମିରେ ଯଥେଷ୍ଟ ବତର ଥିବା ଦରକାର । ମୋଟା ଚଷୁ ଯୋଗୁଁ ଜଳ ମଞ୍ଜିକୁ ଧୀରେ ଧୀରେ ଭିଜାଏ । ପ୍ରଥମେ ଚାଷ ଲୁହା ଲଙ୍ଗଳରେ ହୁଏ । ତାପରେ ଦେଶୀ ଲଙ୍ଗଳରେ ୩-୪ ଓଡ ଚାଷ କରି ମାଟିଗୁଣ୍ଡ କରି ମଇ ଦେଇ ଦାବି ଦିଆଯାଏ । ଘାସ ବାଛି ସଫା କରାଯାଏ । ରବି ଋତୁରେ ଜଳସେଚନ ଥିବା ସ୍ଥାନରେ ସୂର୍ଯ୍ୟମୁଖୀ ଚାଷ କରିବା ପୂର୍ବରୁ ଜଳସେଚନ କରି ମାଟି ପାଗିଲେ ଚାଷ କରାଯାଏ ।
ବିହନ ପରିମାଣ ଓ ବିଶୋଧନ :
ହେକାର ପିଛା ୧୦ କେ.ଜି ବିହନ ଦରକାର । ପ୍ରତି ବିହନ କେଜି ପିଛା ତିନି ଗ୍ରାମ ହିସାବରେ ଥିରାମ ଗୁଣ୍ଡ ଗୋଳାଇ ବିଶୋଧନ କରାଯାଏ ।
ବୁଣିବା ପ୍ରଣାଳୀ :
ମାଟିରେ ବତର ଥିବା ସମୟରେ ବିହନ ବୁଣାଯାଏ । ଧାଡିକୁ ଧାଡି ୪-୫ ସେ.ମି. ଓ ଗଛକୁ ଗଛ ୩୦ ସେ.ମି. ବ୍ୟବଧାନରେ ୪-୫ ସେ.ମି. ଗଭୀର ସିଆରରେ ବିହନ ବୁଣାଯାଏ ।
ଖତ ଓ ସାର ପ୍ରୟୋଗ :
ହେକ୍ଟର ପିଛା ୫ଟନ୍ ଗୋବର ଖତ ଓ ଶେଷ ଓଡ ଚାଷ ସମୟରେ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ଦିଆଯାଏ । ଏହା ବ୍ୟତୀତ ହେକ୍ଟର ପିଛା ନିମ୍ନଲିଖିତ ପରିମାଣ ସାର ପ୍ରୟୋଗ କରାଯାଏ ।
ଯବକ୍ଷାରଜାନ – ୪୦ କେଜି.
ଫସଫରସ୍ - ୪୦ କେଜି.
ପଟାସ୍ - ୨୦ କେଜି.
ଜଳସେଚିତ ଫସଲରେ ବୁଣିବା ପୂର୍ବରୁ ୫୦% ଯବକ୍ଷାରଜାନ ସବୁତକ ସୁପର ଓ ପଟାସ ସାରକୁ ମିଶାଇ ସିଆରରେ ପ୍ରୟୋଗ ପ୍ରୟୋଗ କରାଯାଏ । ଗଛ ୩ ସପ୍ତାହ ବେଳକୁ ବାକି ୫୦% ଯବକ୍ଷାରଜାନ ସାର ଘାସ ବାଛି କୋଡା ଖୁସା କରି ପ୍ରୟୋଗ କରାଯାଏ । ଅଣ ଜଳସେଚିତ ଜମିରେ ଏକା ବେଳକେ ଯବକ୍ଷାରଜାନ ୨୦ କେଜି ଓ ସୁପର ୨୦ କେଜି ମିଶାଇ ଥରେ ମାତ୍ର ବୁଣିବା ସମୟରେ ପ୍ରୟୋଗ କରାଯାଏ ।
ଘାସ ବଛା ଓ ହିଡ ଟେକା :
ଗଛଗୁଡିକ ୨-୩ ସପ୍ତାହ ବେଳକୁ ଥରେ ଓ ୬ ସପ୍ତାହ ବେଳକୁ ଆଉଥରେ ଏହି ପରି ଦୁଇଥର କୋଡାଖୁସା କରି ଘାସ ବାଛି ହୁଡା ଟେକାଯାଏ ।
ରାସାୟନିକ ପ୍ରଣାଳୀରେ ତୃଣକ ଦମନ :
ସିରମେଟ୍ ଚାରିକେଜି ହେକ୍ଟର ପିଛା ବିହନ ବୁଣିବା ପୂର୍ବଦିନ ବାଲିରେ ମିଶାଇ ଜମି ବତର ସମୟରେ ଚାରିଆଡେ ସମାନ ଭାବେ ବୁଣାଯାଏ । ସିରମେଟ୍ ନମିଳିଲେ ବାସାଲିନ୍ ହେକ୍ଟର ପିଛା ୧ କେଜି ଏ.ଆଇ.୧୦୦୦ ଲିଟର ପାଣିରେ ଗୋଳାଇ ବିହନ ବୁଣିବା ଦିନାକା ପୂର୍ବରୁ ସ୍ପ୍ରେ କରିବା ଉଚିତ୍ ।
ଜଳସେଚନ :
ସୂର୍ଯ୍ୟମୁଖୀ ଫସଲ ମଧ୍ୟମ ଧରଣର ଜଳସେଚନ ଦରକାର କରେ । ସାଧାରଣତଃ ଖରିଫ ଋତୁରେ ଜଳସେଚନ ଦରକାର ନାହିଁ । କିନ୍ତୁ ଅନିୟମିତ ବୃଷ୍ଟିପାତ ଯୋଗୁଁ ଗୋଟିଏ ଜଳସେଚନ ସମୟେ ସମୟେ ଦରକାର ପଡିପାରେ । ରବି ସୂର୍ଯ୍ୟମୁଖୀ ଫସଲ ବିହନ ବୁଣିବା ପୂର୍ବରୁ ପ୍ରଥମେ ଜମିରେ ଜଳସେଚନ କରି ଜମି ପାଗିବା ପରେ ଚାଷ କରି ବିହନ ବୁଣାଯାଏ । ଏହାଦ୍ଵାରା ଜମିରେ ଚାରିଆଡେ ସମାନ ଭାବେ ଗଛ ଉଠେ । ତାପରେ ଗଛ ୪-୫ ପତ୍ର ଅବସ୍ଥାରେ ଥରେ ଫୁଲ ଧରିବା ସମୟରେ ଥରେ ଓ ଦାନା ପୂରଣ ହେବା ସମୟରେ ଥରେ ଏହିପରି ତିନିଥର ଜଳସେଚନ କରିବା ଉଚିତ । ଅର୍ଥାତ ଗଜା ହେବାର ୨୫-୩୦ ଦିନରେ ଥରେ, ୬୦-୬୫ ଦିନରେ ଥରେ ଓ ୮୦-୮୫ ଦିନରେ ଥରେ ଜଳସେଚନ ଦରକାର କରେ । ଫୁଲ ହେବା ଓ ଦାନା ପୂରଣ ହେବା ସମୟରେ ଜଳାଭାବ ହେଲେ ଫସଲ ସହ୍ୟ କରିପାରେ ନାହିଁ । ଏହି ସମୟ ସୂର୍ଯ୍ୟମୁଖୀ ଫସଲର ସଂକଟ କାଳ । ଏହି ସମୟରେ ଅନ୍ୟୁନ ଥରେ ଜଳସେଚନ କରିବା ଉଚିତ । ଖରାଦିନିଆ ଫସଲ ପାଇଁ ୧୦-୧୫ ଦିନ ବ୍ୟବଧାନରେ ୬-୭ ଟି ଜଳସେଚନ ଦରକାର ହୋଇଥାଏ । ସମୟରେ ଗଛ ପଡି ନଯିବା ପାଇଁ ଦାନା ପୂରଣ ହେବା ସମୟରେ ଜଳସେଚନ ହାଲୁକା ହେବା ଦରକାର ଓ ଅପରାହ୍ନରେ ପବନ ବହୁ ନଥିବା ଅବସ୍ଥାରେ କରିବା ଉଚିତ୍ । ସୂର୍ଯ୍ୟମୁଖୀ ଫୁଲ ଫୁଟି ପାକଲା ହେଲେ ସମଗ୍ର ମଣ୍ଡକଟି ଓଜନିଆ ହୋଇ ଗଛ ମୋଡି ହୋଇ ପଡି ଭାଙ୍ଗିଯାଏ । ଏଣୁ ବଡମୁଣ୍ଡିଆ ଫୁଲ କିସମ ନ ଲଗାଇ ସାନମୁଣ୍ଡିଆ ଫୁଲ କିସମ ଲଗାଇବା ଉଚିତ । ବଡମୁଣ୍ଡିଆ ଫୁଲ ଜାତିରେ ବେଶି ଫମ୍ପା ମଞ୍ଜି ବାହାରେ ଏବଂ ଆଦାୟ କମିଯାଏ । ଗଛକୁ ସିଧାସଳଖ ରଖିବା ପାଇଁ ଅନୁମୋଦିତ ବ୍ୟବଧାନରେ ବିହନ ବୁଣିବା ଉଚିତ୍ । କୋଡା ଖୁସା ବେଳେ ୧୦-୧୫ ସେ.ମି. ଉଚ୍ଚ ହିଡ ଟେକିବା ଆବଶ୍ୟକ । କେତେକ କ୍ଷେତ୍ରରେ ଫୁଲମୁଣ୍ଡକୁ ଟେକି ରଖିବା ବାଉଁଶ ଡେରା ଦିଆଯାଇଥାଏ ।
ଫସଲ କଟା ଓ ଅମଳ :
ଗଛରୁ ପତ୍ର ଶୁଖିଗଲେ ପତ୍ର ଝଡି ପଡି କେବଳ ଶୁଖିଲା ଫୁଲଗୁଡିକ ରହିଲେ ମଞ୍ଜିର ୨୦% ଜଳୀୟ ଅଂଶ ଥିବା ସମୟରେ ଆଗରୁ ମଣ୍ଡଗୁଡିକ କାଟିଆଣି ଖଳାରେ ୪-୫ ଦିନ ଖରାରେ ଶୁଖାଇବା ଆବଶ୍ୟକ । ସବୁ ମୁଣ୍ଡ ଏକାବେଳକେ ପାଚ୍ୟ ନ ପାରେ । ଏଣୁ ଅମଳ ୨-୩ ଥରେରେ କରାଯାଏ । କାରଣ ସବୁ ଏକାବେଳେ ପାଚିବା ପାଇଁ ଅପେକ୍ଷା କଲେ ମଞ୍ଜି ଝଡି ପଡିବା ସମ୍ଭାବନା ରହିଛି । ସବୁମୁଣ୍ଡି ଶୁଖିଗଲେ ଗୋଟିଏ ଛୋଟିଆ ଠେଙ୍ଗାରେ ବାଡେଇ ମଞ୍ଜି ଅମଳ କରାଯାଏ । ତାପରେ ମଞ୍ଜିକୁ ଖରାରେ ଶୁଖାଇ ଯେତେବେଳେ ଜଳୀୟ ଅଂଶ ୧୦%ରୁ କମ୍ ହେବ ସେତେବେଳେ ସାଇତି ରଖାଯାଏ ।
ଅମଳ :
ଭଲ ଫସଲ ହୋଇଥିଲେ (ଜଳସେଚିତ ଜମିରୁ) ୧୮-୨୦ କୁଇଣ୍ଟାଲ ହେକ୍ଟରରେ ପିଛା ଅମଳ ହୁଏ ।
ଓଡିଶାର ଜଳବାୟୁରେ ଜଳସେଚିତ ଫସଲରୁ ୯-୧୦ କୁଇଣ୍ଟାଲ ଅମଳ ଏବଂ ଅଣଜଳସେଚିତ ଫସଲରୁ ୬-୮ କୁଇଣ୍ଟାଲ ଅମଳ ହେକ୍ଟର ପିଛା ମିଳିଥାଏ ।ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ
Last Modified : 4/27/2020