অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶସ୍ୟ ଜାତୀୟ ଫସଲ(ଜହ୍ନା ଚାଷ)

ଶସ୍ୟ ଜାତୀୟ ଫସଲ(ଜହ୍ନା ଚାଷ)

ଜୁଆର ପୃଥିବୀର ଚତୁର୍ଥ ମୁଖ୍ୟ ଶସ୍ୟପ୍ରଦ  ଫସଲ  । ଆଫ୍ରିକା ଓ ଏସିଆ ମହାଦେଶରେ କୋଟି କୋଟି ଲୋକଙ୍କର ଏହା ମୁଖ୍ୟ ଖାଦ୍ୟ ଶସ୍ୟ  । ଏହାଛଡା ଏହା ଗୋଖାଦ୍ୟରୂପେ  ମଧ୍ୟ ବ୍ୟବହାର ହୋଇଥାଏ   । ଆମେରିକା ଭଳି ଉନ୍ନତ ଦେଶରେ ଏହା କେତେକ ଶିଳ୍ପ, ଉଦ୍ୟୋଗ ପାଇଁ କଞ୍ଚାମାଲ  ରୂପେ ବ୍ୟବହୃତ ହୋଇଥାଏ   ।

ଭାରତରେ ଜୁଆର ତୃତୀୟ ଖାଦ୍ୟ ଶସ୍ୟ  । ଏହା ଛଡା ଆମ ଦେଶରେ ଏହା ଗୋଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ   । ମକା ଭଳି ଏହାର ମଧ୍ୟ ଉତ୍ପାଦନ କ୍ଷମତା ରହିଛି  । ଜୁଆର ଏକ ପ୍ରାକୃତିକ ପ୍ରତିକୂଳ ସହଣି ଫସଲ  । ଏହା ଅନ୍ୟ ଶସ୍ୟ ବା ଫସଲ ଅପେକ୍ଷା ମରୁଡି ସହିପାରେ  । ଭାରତରେ ରାଜସ୍ଥାନ, ପଞ୍ଜାବ, ହରିଆନା ଏବଂ ଉତ୍ତର ପ୍ରଦେଶର ଶୁଷ୍କ ଅଞ୍ଚଳରେ ଜୁଆର ଚାଷ ହୁଏ   ।

ମକା ତୁଳନାରେ ଜୁଆର ନିରସ ଢିପ ଜମିରେ ଚାଷ କଲେ ମଧ୍ୟ ଏବଂ ଜଳାଭାବ ବା ଜଳାଧିକ ହେଲେ ମଧ୍ୟ ସହନ କରି ଅଧିକ ଉତ୍ପାଦନ ଦେଇଥାଏ   । ଏଣୁ ଶୁଷ୍କ ଅଞ୍ଚଳ ଚାଷର ଏହା ଏକ ମୁଖ୍ୟ ଫସଲ ରୂପେ ଭାରତରେ ପରିଚିତ  । ବର୍ଷା କମ୍ ହେଉଥିବା ଅଞ୍ଚଳରେ ମଧ୍ୟ ଜୁଆର ଚାଷରୁ ଭଲ ଉତ୍ପାଦନ ମିଳିଥାଏ   । ଅନ୍ୟାନ୍ୟ  ଫସଲ ତୁଳନାରେ ଏହା ଜଲଦି  ବୃଦ୍ଧି ପାଏ  ଏବଂ ଭଲ ଉତ୍ପାଦନ ଦେଇଥାଏ   ।

ଜୁଆରରୁ ରୁଟି ହୁଏ  । ଏଥିରୁ ଲିଆ ମଧ୍ୟ ହୁଏ   । ଏହି ଫସଲ – ଗୋଖାଦ୍ୟ, କୁକୁଡା ଖାଦ୍ୟ ଓ ଘୁଷୁରୀ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର ହୋଇଥାଏ   । ଜୁଆରରେ ୧୦-୧୨%  ପୁଷ୍ଟିସାର, ୩% ସ୍ନେହସାର ଏବଂ ୭୦% ଶ୍ଵେତସାର ରହିଛି   । ଜୁଆର ଆଫ୍ରିକା ମହାଦେଶର  ମଧ୍ୟ ଏକ ଉତ୍ତମ ଖାଦ୍ୟଶସ୍ୟ   । କେତେକଙ୍କ ମତରେ  ଧାନ ଏସିଆ ମହାଦେଶର, ଗହମ ଇଉରୋପ ମହାଦେଶର, ଜୁଆର ଆଫ୍ରିକା ମହାଦେଶର  ଏବଂ  ମକା ଆମେରିକା ଯୁକ୍ତରାଷ୍ଟ୍ରର ମୁଖ୍ୟ ଫସଲ ଅଟେ  ।

ଉଦ୍ଭବ କେନ୍ଦ୍ର

ପୂର୍ବ କେନ୍ଦ୍ରୀୟ ଆଫ୍ରିକାରେ ବହୁପ୍ରକାର ଜୁଆର କିସମ ଦେଖିବାକୁ ମିଳୁଥିବାରୁ ଏହି ଅଞ୍ଚଳ ଜୁଆର ଚାଷର ଉଦଚବା କେନ୍ଦ୍ର ବୋଲି ନିର୍ଣ୍ଣୟ କରାଯାଇଛି  । ଇଥୋପିଆ ବା ସୁଦାନ ଅଞ୍ଚଳ ଜୁଆର ଚାଷର ଉଦ୍ଭବ କେନ୍ଦ୍ର ବୋଲି ଅନୁମାନ କରାଯାଉଛି   ।

ବିସ୍ତୃତି

ପୃଥିବୀରେ ଜୁଆର ଚତୁର୍ଥ ଶସ୍ୟପ୍ରଦ ଫସଲ   । ଜୁଆର ଉତ୍ପାଦନ କରିଥିବା ପୃଥିବୀର ସମସ୍ତ ଦେଶମାନଙ୍କ ମଧ୍ୟରୁ ଭାରତରେ ସବୁଠାରୁ ଅଧିକ ଜମିରେ ଜୁଆର ଚାଷ ହୁଏ, କିନ୍ତୁ ଉତ୍ପାଦନ  ଦୃଷ୍ଟିରୁ ଭାରତର ସ୍ଥାନ ଦ୍ଵିତୀୟ ଓ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ପ୍ରଥମ ରାଷ୍ଟ୍ର  । ଜୁଆର ଉତ୍ପାଦନ କରୁଥିବା ଦେଶଗୁଡିକ – ଚୀନ, ନାଇଜେରିଆ ସୁଦାନ ଏବଂ ଆର୍ଜେଣ୍ଟାଇନା

ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜୁରାଟ, ତାମିଲନାଡୁ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ହେଉଛି ଭାରତର ମୁଖ୍ୟ ଜୁଆର ଉତ୍ପାଦନକାରୀ ପ୍ରଦେଶ   ।

ଓଡିଶାରେ ପ୍ରାୟ ୩୨୦୦୦ ହେକ୍ଟର ଜମିରେ ଜୁଆର ଚାଷ କରାଯାଉଛି  । ଓଡିଶାର କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଜିଲ୍ଲାମାନଙ୍କର  ପାର୍ବତ୍ୟ ଅଞ୍ଚଳରେ ଜୁଆରଚାଷ କରାଯାଏ   । କେବଳ କୋରାପୁଟ ଜିଲ୍ଲାରେ ୩୮% ଜମିରେ ଜୁଆର ଫସଲ କରାଯାଏ, ଜୁଆର ଫସଲ ଶୁଷ୍କ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ – ଢିପ ଜମିରେ ଧାନ ବଦଳରେ ଜୁଆର କରାଯାଇପାରିବ   ।

ଉଦ୍ଭିଦ ବର୍ଣ୍ଣନା

ଜହ୍ନା ପୋଏସି ବଂଶ ଅନ୍ତର୍ଗତ  । ଏହି ପରିବାରର ସୋରଘମ ଏକ ପ୍ରଜାତି ବା ଜିନସ୍ ଏହି ସୋରଘମ ପ୍ରଜାତିର ୧୫ଟି ଜାତି ବା ପ୍ରକାର ରହିଛି   । ସେଥି ମଧ୍ୟରୁ ବାଇକୋଲର ଗୋଟିଏ  ଜାତି  । ଏହି ଗଛର ଉଚ୍ଚତା ୦.୫ ରୁ ୪ ମିଟର  । ଏହି ଗଛର ମୁଖ୍ୟ ଅଂଶଗୁଡିକର ସଂକ୍ଷିପ୍ତ ବର୍ଣ୍ଣନା ନିମ୍ନରେ କରାଗଲା   ।

ମୂଳ ତନ୍ତ୍ର

ଜୁଆରର ଛେରା ମକାଛେରା ଠାରୁ ଅଧିକ ତନ୍ତୁମୟ  । ଭ୍ରୁଣମୂଳ କେବଳ ଏକମାତ୍ରା ଅସ୍ଥାୟୀ ମୂଳ ଅନ୍ୟସବୁ ସ୍ଥାୟୀ   । ଶୀଘ୍ରମୂଳ ଶେଷ ଗଣ୍ଠିରୁ ବାହାରେ ଏବଂ ଅତ୍ୟଧିକ ଶାଖା ପ୍ରଶାଖାଯୁକ୍ତ ହୋଇଥାଏ  । ଅଧିକାଂଶ ଚେର ମୃତ୍ତିକାର ୧୫ ସେ.ମି. ପର୍ଯ୍ୟନ୍ତ ଥାଏ   । କିନ୍ତୁ ଶେଷ ଆଡକୁ ଯେଉଁ ସବୁ ଚେର ବାହାରେ ତାହା ୧-୧.୫ ମିଟର ପର୍ଯ୍ୟନ୍ତ ଯାଇଥାଏ  । ଜୁଆରର ଚେର ମୃତ୍ତିକାରେ ଥିବା ଖାଦ୍ୟ ପଦାର୍ଥ ସଂଗ୍ରହ କରିବାରେ ଅତ୍ୟନ୍ତ ଦକ୍ଷ   । ବାୟବୀୟ ଚେର ଭୂମିର ଗଣ୍ଠିରୁ ବାହାରେ   । ଏହି ଚେରଗୁଡିକ ହାଲକା ସବୁଜ ବର୍ଣ୍ଣର  । ଏହା ଗଛକୁ ଠିକ୍ ଭାବେ ଛିଡା ହେବା ପାଇଁ ସହାୟ ହୋଇଥାଏ   ।

କାଣ୍ଡ

କାଣ୍ଡ ନିଦା ମଜ୍ଜା ପୂର୍ଣ୍ଣ  । କିସମ ଅନୁସାରେ ପ୍ରତ୍ୟକ ଗଛରେ ୭-୧୮ ଗଣ୍ଠିଥାଏ  । ଜୁଆରର ପିଲ ହୁଏନି  । କିନ୍ତୁ ଗଛ ପଡିଗଲେ  ସେଠାରୁ ଗୋଟିଏ ପିଲ ବାହାରିଥାଏ   । କାଣ୍ଡ ରସାଳିଆ ମିଠା ମଜ୍ଜା ପୂର୍ଣ୍ଣ  ।

ପତ୍ର

କିସମ ଅନୁସାରେ କାଣ୍ଡରେ ୭-୨୪ ଟି ପତ୍ର ଥାଏ   । ପରିପକ୍ଵ ପତ୍ର ୩୦-୩୫ ସେ.ମି. ଲମ୍ବ – ୧.୫ – ୧୩ ସେ.ମି. ଓସାର ହୋଇଥାଏ   । ଷ୍ଟୋମାଟା ପତ୍ରର  ଦୁଇପାଖରେ ଥାଏ   । ମରୁଡି ପଡିଲେ ପତ୍ରରେ ଥିବା ମୋଟର କୋଷ ଗୁଡିକ ଭିତରକୁ ସଙ୍କୁଚିତ କରିବା ଫଳରେ ଗଛ ମରୁଡି ସହିପାରେ   । ପତ୍ରଗୁଡିକ ପରସ୍ପର ବିପରୀତ ଦିଗରେ ସଜ୍ୱିତ ହୋଇଥାଏ   ।

ସ୍ତବକ

ସ୍ତବକ ଏକ କେଣ୍ଡା, ଏହାକୁ ଶିଷା କୁହାଯାଏ  । ଏହାର ଲମ୍ବ ୭.୮ – ୫୦ ସେ.ମି.ଏବଂ ଚଉଡା ୪-୨୦ ସେ.ମି. ହୋଇଥାଏ   । ଶିଷା /କେଣ୍ଡା କେତେଗୁଡିଏ ଶୂକିକାକୁ ନେଇ ଗଠିତ   ।

ଶୂକିକାଗୁଡିକ ସାଧାରଣତଃ ଯୋଡା ଯୋଡା ହୋଇଥାଏ  । ସେଥିରୁ ଗୋଟିଏ ଅବୃନ୍ତ ଅନ୍ୟଟି ସବୃନ୍ତ  ।

ଜଳବାୟୁ

ଜୁଆର ଏକ ପ୍ରାକୃତିକ ପ୍ରତିକୂଳ ସହଣି ଫସଲ  । ଅନ୍ୟାନ୍ୟ ଫସଲ ଅପେକ୍ଷା ଜୁଆର ଦୁର୍ବିପାକ ସହିପାରେ   । ରାଜସ୍ଥାନ, ପଞ୍ଜାବ ଓ ହରିଆନାର ଶୁଷ୍କ ଅଞ୍ଚଳରେ ଓ ପଶ୍ଚିମବଙ୍ଗ, ବିହାରର ଆର୍ଦ୍ର ଅଞ୍ଚଳରେ ମଧ୍ୟ ଚାଷ କରାଯାଏ   । ଜୁଆର C ସେଣ୍ଟିଗ୍ରେଡ ରୁ   C ତାପମାନ ସହିପାରେ  । କମ୍ ବର୍ଷା ପାଉଥିବା ଅଞ୍ଚଳରେ ଏବଂ ଅଧିକ ବର୍ଷା ପାଉଥିବା ଅଞ୍ଚଳରେ ଜୁଆର ଚାଷ କରାଯାଏ   । ଏହିପରି  ୪୦ ଦିନ ପର୍ଯ୍ୟନ୍ତ ବଢିପାଣି ଠିଆହେଲେ ମଧ୍ୟ ଫସଲ ମରେ ନାହିଁ  । ଏହା ଛୋଟଦିନ ଫସଲ  । ଦିନ ୧୨ ଘଣ୍ଟାରୂ ଉର୍ଦ୍ଧ୍ଵ ଥିବାବେଳେ ଜୁଆର ବଢେ  ଏବଂ ୧୨ ଘଣ୍ଟାରୁ ଦିନ କମ୍ ହେଲେ ଖେଡପକାଏ  । ଜହ୍ନାଫସଲ ବଢୁଥିବା ମରୁଡି ମାରିଲେ ଜହ୍ନା ଶୁପ୍ତ ଅବସ୍ଥା ଧରେ   । ଫଳରେ ମରୁଡିରୂ ରକ୍ଷା ପାଇଯାଏ  ।

ମାଟି :

ଲାଲ - ରୁଗୁଡିଆ, ଦୋରସା, ପଟୁପକା ଓ କୃଷ୍ଣ କାର୍ପାସ ମାଟିରେ ଜୁଆର ଚାଷ ଭଲ ହୁଏ   । ମାଳ ଅଞ୍ଚଳର ପାହାଡିଆ ଗଡାଣି ଜାଗାରେ ବର୍ଷାଋତୁରେ ଜୁଆର ଚାଷ ହୁଏ   । ବର୍ଷାଦିନେ  ନିଗିଡା ମାଟିରେ, ଶୀତ ଓ ଖରାଦିନେ  ଦୋରସା ମଟାଳ ମାଟିରେ ଜୁଆର ଚାଷ କରିବା ଉଚିତ୍ ନୁହେଁ  । ନାଲିଆ ମୃତ୍ତିକାରେ ଏହା ଭଲ ହୁଏ ନାହିଁ   । ପି.ଏଚ୍ - ୬.୦ - ୫.୫  ମଧ୍ୟରେ ଭଲ ହୁଏ   । ଲୁଣୀ ଓ କ୍ଷାର ସହିବା ଶକ୍ତି ଏହାର ଅଛି   । ମଧ୍ୟ ଭାରତର କୃଷ୍ଣ କାର୍ପାସ ମୃତ୍ତିକା ଜୁଆର ପାଇଁ ଉପଯୁକ୍ତ   ।

ବିହନ କିସମ

ଦେଶୀ ଜୁଆର ବହୁତ ଉଚ୍ଚା ହୁଏ ଏବଂ ୫-୭ ମାସରେ ଅମଳ ହୁଏ   । ଅମଳ ବହୁତ କମ୍ ହୁଏ  । ଦେଶୀ ବିହନ ଅପେକ୍ଷା ଉନ୍ନତ ବିହନ ପ୍ରାୟ ୨-୩ ଗୁଣ ଅଧିକ ଅମଳ ଦିଏ  । ଶଙ୍କର ଜୁଆର କମ୍ ଉଚ୍ଚ ହୁଏ  । ଏହାର ଖତ ଓ ସାରା ଅଧିକ ବିନିଯୋଗ କରିବା କ୍ଷମତା ରହିଛି  । ୧୯୪୬ରୁ କୋ – ଅର୍ଡିନେଟ  ସୋରଘମ ଇମ୍ପ୍ରୁଭମେଣ୍ଟ  ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଛି ନିମ୍ନରେ ଓଡିଶାକୁ ସୁହାଉଥିବା କେତେକ ଭଲ ବିହନର ନାମ ଦିଆଗଲା   ।

ଲଗାଇବା ସମୟ :

ଜୁଆର ଖରିଫ, ରବି ଓ ଖରାଟିଆ ଫସଲ ରୂପେ ଚାଷ କରାଯାଏ   । ଉତ୍ତର ଭାରତରେ ଖରିଫ ଫସଲ ରୂପେ, ଦକ୍ଷିଣ ଭାରତରେ ରବି ଫସଲ ରୂପେ ଏବଂ ଜଳସେଚନ ସୁବିଧା ଥିବା ସ୍ଥାନରେ ଗୋଖାଦ୍ୟ ଲାଗି ଖରାଟିଆ ଫସଲ ରୂପେ ଚାଷ କରାଯାଏ   । ଓଡିଶାରେ ମୌସୁମୀବାୟୁ ଦ୍ଵାରା ବର୍ଷା ହେବାର ୧୫ଦିନ ପୂର୍ବରୁ ଯଦି ଜୁଆର ବୁଣାଯାଇପାରିବ ତେବେ ରୋଗପୋକ ଦାଉରୁ ଫସଲ ରକ୍ଷା ସଙ୍ଗେ ସଙ୍ଗେ ୧୫%ଅମଳ ଅଧିକ ହୋଇଥାଏ  ।

ଋତୁ

ଲଗାଇବା ସମୟ

ବର୍ଷା ଋତୁ

ଜୁନ୍

ଶୀତ ଋତୁ

ଅକ୍ଟୋବର ୧୫ ତାରିଖ ଠାରୁ ନଭେମ୍ବର ୧୫ ତାରିଖ

ଗ୍ରୀଷ୍ମ ଋତୁ

ଜାନୁୟାରୀ ୧୫ ତାରିଖ ଠାରୁ ଫେବୃୟାରୀ ୧୫ ତାରିଖ

ବିହନ ପରିମାଣ :

୧୦-୧୨ କି.ଗ୍ରା. ବିହନ ହେକ୍ଟର ପିଛା ଯଥେଷ୍ଟ  ।

ବିହନ ବିଶୋଧନ :

ବିହନ ବୁଣିବା ପୂର୍ବରୁ ଏକ କି.ଗ୍ରା. ବିହନ  ଶୀତ ୩ ଗ୍ରାମ  ହିସାବରେ କ୍ୟାପଟାନ୍ ବା ମନୋସାନ୍ ବା ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରାଯାଏ   ।

ଜମି ପ୍ରସ୍ତୁତି :

ଜୁଆର ଗୁଣ୍ଡ ଚାଷ ଦରକାର କରେ   । ଲୁହା ଲଙ୍ଗଳରେ ଥରେ ଓ ଦେଶୀ ଲଙ୍ଗଳରେ ଦୁଇ – ଚାରିଓଡ ଚାଷ କରି ମଇ ଦେଇ ମାଟିକୁ ଗୁଣ୍ଡ କରି ସମତୁଲ କରିବା ଆବଶ୍ୟକ   । ଶେଷ ଓଡ ସମୟରେ ହେକ୍ଟର ପିଛା ୧୦ ଗାଡି ଗୋବର ଖତ ଏବଂ ଉଇ ଲାଗିବା ଆଶଙ୍କା ଥିଲେ ହେକ୍ଟର ପ୍ରତି (୫%) କୁଇନାଲଫସ୍ ୩୭ କି.ଗ୍ରା. ପକାଇବା ଉଚିତ୍ ।

ବିହନ ବୁଣା :

ଜୁଆର ଧାଡିରେ ବୁଣିବା ଭଲ   । ଏଥିପାଇଁ  ସ୍ଵତନ୍ତ୍ର ବିହନ ବୁଣିବା ଯନ୍ତ୍ର ଅଛି   । ବିହନ ବୁଣା ଯନ୍ତ୍ରରେ ବୁଣିଲେ ବିହନ ଠିକ୍ ଗଭୀରରେ ଓ ଠିକ୍ ଦୂରରେ ପଡେ   । ଧାଡି କୁ ଧାଡି ୪୫ ସେ.ମି ଓ ମଞ୍ଜିକୁ ୧୫ ସେ.ମି. ବ୍ୟବଧାନ ରହିବା ଉଚିତ୍  । ଧାଡିରେ ଅଧିକ ବିହନ ପଡି ଗଛ ସଂଖ୍ୟା ଅଧିକ ହେଲେ – ଗଛକୁ ଗଛ ୧୨-୧୫ ସେ.ମି. ରଖି ବଳକା ଗଛ ଘାସ ବାଛିବା ସମୟରେ ଅର୍ଥାତ୍ ୨-୩ ସପ୍ତାହ ମଧ୍ୟରେ ଉପାଡି ଦେବା ଉଚିତ୍  । ବିହନକୁ ଲଙ୍ଗଳ ସିଆର ପଛରେ ୨.୫-୪ ସେ.ମି. ଗଭୀରରେ ବୁଣାଯାଏ  । ବୁଣିବା ସମୟରେ ଜମିରେ ପାଗଥିବା ଆବଶ୍ୟକ  । ଗୋଜି ଲଙ୍ଗଳ ସିଆରରେ ଆବଶ୍ୟକ ପରିମାଣର ସାର ଦେଇ ସିଆର ମାଟି ସହିତ ମିଶାଇ ଦେବା ପରେ ବିହନ ବୁଣି ମଇ ଦେଇ ଘୋଡାଇ ଦିଆଯାଏ  । ବିହନକୁ ୪ସେ.ମି. ଗଭୀରରୁ ଅଧିକ ଗଭୀରରେ  ବୁଣିବା ଅନୁଚିତ୍  ।

ସାର ପ୍ରୟୋଗ :

ଶଙ୍କର ଜୁଆର ପାଇଁ ୬୦ କି.ଗ୍ରା. ଯବକ୍ଷାରଜାନ (N), ୩୦ କେଜି ଫସଫରସ୍ ( O5) ଓ ୩୬ କି.ଗ୍ରା. ପଟାସ୍ ( O) ଦରକାର  । ବିହନ ବୁଣିବା ସମୟରେ ସବୁତକ ଫସଫରସ୍, ପଟାସ୍ ଓ ଚାରି ଭାଗରୁ ଏକ ଭାଗ ଯବକ୍ଷାରଜାନ ସାର, ସିଆରରେ ଦେଇ ମାଟିରେ ମିଶାଇ ଦିଆଯାଏ   । ଚାରି ଭାଗରୁ ଦୁଇଭାଗ ଯବକ୍ଷାଯାନ ଗଛ ଉଠିବାର ୩ ସପ୍ତାହ ପରେ ଓ ଆଉ ଏକ ଭାଗ ୬-୭ ସପ୍ତାହ ଭିତରେ କୋଡା ଖୁସା, ଘାସ ବଛା ଓ ହୁଡା ଟେକା ସମୟରେ ପ୍ରୟୋଗ କରାଯାଏ   । ଅଣ ଜଳସେଚିତ ଓ କମ୍ ବର୍ଷା ହେଉଥିବା ଅଞ୍ଚଳରେ ବୁଣିବା ସମୟରେ ସାର ପ୍ରୟୋଗ କରିବା ଉଚିତ୍  ।

ଅନ୍ତଃଚାଷ :

ବୁଣିବାର ୨-୩ ସପ୍ତାହରେ ଥରେ ଓ ୬-୭ ସପ୍ତାହ ମଧ୍ୟରେ ଆଉଥରେ ଏହିପରି ଦୁଇଥର ଘାସ ବାଛି – କୋଡା କରି ବଳକା ସାର ପକାଇ ହୁଡା ଟେକି ଦିଆଯାଏ   । ଗଛର ଖୁବ୍ ନିକଟରେ ବା ୫ ସେଣ୍ଟିମିଟରରୁ ଅଧିକ ଗଭୀରରେ ଖୁସାଇବା ଅନୁଚିତ  ।

ଜଳସେଚନ :

ସାଧାରଣତଃ ଜୁଆର ଗୋଟିଏ ମରୁଡି ସହଣି  ଫସଲ  । ଏହି ବର୍ଷାଦିନେ ଫସଲରେ ପାଣି ଦରକାର ହୁଏ  ନାହିଁ  । ଯଦି କେଣ୍ଡା ବାହାରିବାଠାରୁ ଦାନ ଧରିବା ସମୟ ପର୍ଯ୍ୟନ୍ତ ଆଦୌ ବର୍ଷ ନ ହୁଏ ତେବେ ପାଣି ମଡାଇବା ଆବଶ୍ୟକ  ହୋଇଥାଏ  । ଅଧିକ ପାଣି ନିଗିଡି ଯିବା ପାଇଁ  ବିଲରେ ନାଳୀ କରିବା ଦରକାର   । ଫୁଲ ଉଡେଇବା ଠାରୁ ଦାନା ପାକଳ ହେବା ପର୍ଯ୍ୟନ୍ତ ମାଟିରେ ବତର ରହିବା ଦରକାର   । ଯଦି ଏହି ସମୟରେ ଜମିର ଆବଶ୍ୟକ ବତର ନଥାଏ  ତେବେ ଫୁଲ ଉଡାଇବା ସମୟରେ ଦାନା କ୍ଷୀର ଢୋକିବା ସମୟରେ ପାଣି ମଡାଇବା ଦରକାର   । କୌଣସି  ସମୟରେ ଫସଲ ଯେପରି ଝାଉଂଳି ନଯାଏ   । ଶୀତ ଓ ଖରାଟିଆ ଫସଲ ଜଳସେଚନ ଦରକାର କରେ   । ଜହ୍ନାର ଖେଡ ପକାଇବା ସମୟ ତା’ ଜୀବନର ସଙ୍କଟ କାଳ  । ଏହି ସମୟରେ ପାଣି ମଡାଇବା ଦରକାର   । ଜହ୍ନା ଗଛ ଉଠିବା ପରେ ୧୦-୧୨ ଦିନ ଅନ୍ତରରେ ୫-୬ ଥର ପାଣି ମଡାଇବା ଉଚିତ୍  । ସର୍ବମୋଟ ୪୦-୬୦ ସେ.ମି. ପାଣି ଜହ୍ନା ଫସଲ ଦରକାର କରେ   ।

ଜହ୍ନା ଅମଳ :

ଉନ୍ନତ ଚାଷପ୍ରଣାଳୀ ଅବଲମ୍ବନ କଲେ ଓ ଜଳସେଚନ ସୁବିଧା ଥିଲେ ହେକ୍ଟର ପିଛା ୫୦ କୁଇଣ୍ଟାଲ ଜହ୍ନା ମଞ୍ଜି ଓ ୧୦୦ – ୧୨୫ କୁଇଣ୍ଟାଲ କଡକି ଅମଳ ହୋଇଥାଏ   । ବର୍ଷାଧାର ଜହନାର ଫସଲରୁ ୨୫ – ୩୦ କୁଇଣ୍ଟାଲ ଜହ୍ନା ଓ ୮୦-୧୦୦ କୁଇଣ୍ଟାଲ ଅମଳ ହୋଇଥାଏ   । ଜହ୍ନାର ଶୁଖିଲା ଗଛକୁ କଡକି କୁହାଯାଏ  । କଡକି ଗୋ – ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ  । ଜହ୍ନା ଥୋପା ଖଳାରେ ଶୁଖାଇ  ଠେଙ୍ଗାରେ ପିଟି  ଅମଳ କରାଯାଏ   । ବେଙ୍ଗଳା ପକାଇ ମଧ୍ୟ ଅମଳ କରାଯାଏ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate