অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶସ୍ୟ ଜାତୀୟ ଫସଲ(ମାଣ୍ଡିଆ ଚାଷ)

ଶସ୍ୟ ଜାତୀୟ ଫସଲ(ମାଣ୍ଡିଆ ଚାଷ)

ଦକ୍ଷିଣ ଭାରତର ଅଧିବାସୀମାନଙ୍କର ମାଣ୍ଡିଆ ଗୋଟିଏ ମୁଖ୍ୟ ଖାଦ୍ୟ ଶସ୍ୟ  । କେତେକ ପାହାଡିଆ ଅଞ୍ଚଳରେ ଖରିଫ ଋତୁରେ ମୁଖ୍ୟ ଶସ୍ୟ ଜାତୀୟ ଫସଲ ରୂପେ ମାଣ୍ଡିଆ ଚାଷ କରାଯାଏ   । ଉତ୍ତର ଭାରତର ପାହାଡିଆ ଅଞ୍ଚଳର ଅଧିବାସୀମାନେ ଏହାକୁ ରୁଟି ରୂପେ ଏବଂ ଦକ୍ଷିଣ ଭାରତରେ ବିଭିନ୍ନ ପ୍ରକାର ପିଠା ଏବଂ ଜାଉ କରି ଖାଆନ୍ତି  । ମାଣ୍ଡିଆରୁ ମାଲଟ ତିଆରି ହୁଏ   । ଏହା ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଦିଆଯାଏ   । ମାଣ୍ଡିଆରେ ୯.୨ ପୁଷ୍ଟିସାର, ୧.୨୯ ସ୍ନେହସାର, ୭୬.୩୨ ଶ୍ଵେତସାର, ୨.୨୪ ଧାତବ ପଦାର୍ଥ, ୦.୩୩ କ୍ୟାଲସିୟମ ଏବଂ ୩.୯୦ ଅନ୍ୟାନ୍ୟ ପଦାର୍ଥ ରହିଛି   । ଏଥିରେ ଭିଟାମିନ ‘କ’ ଓ ‘ଖ’ ବ୍ୟତୀତ ଫସଫରସ୍ ଅଳ୍ପ ପରିମାଣରେ ରହିଛି  । ବହୁମୂତ୍ର ରୋଗୀ ପାଇଁ ଏହା ଗୋଟିଏ ଉପାଦେୟ ଖାଦ୍ୟ   । ସବୁଜ ମାଣ୍ଡିଆ ଗଛରୁ ଭଲ ସାଇଲେଜ ତିଆରି ହୁଏ   । ମାଣ୍ଡିଆ ଗୋ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର ହୁଏ   ।

ଉଦ୍ଭବ ସ୍ଥାନ

ପ୍ରଥମେ ଏହା ଭାରତରେ ଚାଷ କରାଯାଉଥିଲା  । ପରେ ଭାରତରୁ ଅନ୍ୟାନ୍ୟ  ଦେଶକୁ ସ୍ଥାନାନ୍ତରିତ ହୋଇଛି   ।

ବିସ୍ତୃତି :

ମାଣ୍ଡିଆ ଭାରତ, ଆଫ୍ରିକା, ଶ୍ରୀଲଙ୍କା, ମାଲେସିୟାରେ ଚାଷ କରାଯାଏ   । ଭାରତର କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ଓଡିଶାରେ ଏହା ବହୁଳଭାବେ ଚାଷ କରାଯାଏ  ।

ଜଳବାୟୁ 

ମାଣ୍ଡିଆ ଗୋଟିଏ ଉଷ୍ଣମଣ୍ଡଳୀୟ ଫସଲ  । ଏହା ବର୍ଷସାରା ହୁଏ   । ଖରିଫ ଓ ରବି ଉଭୟ ଋତୁରେ ଚାଷ କରାଯାଏ   । ଚାଷ ସମୟ ଦୃଷ୍ଟିରୁ ମାଣ୍ଡିଆକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ   । ଯଥା –

  1. ପଦର ବା ବର୍ଷଧାରା ମାଣ୍ଡିଆ – ଏହା ଜୁନ ମାସରେ ଢିପ ଜମିରେ ବୁଣା ଯାଏ ବା ରୁଆଯାଏ  ।
  2. କାକେରୀ ମାଣ୍ଡିଆ – ସେପ୍ଟେମ୍ବର – ଅକ୍ଟୋବର ମାସରେ ରୁଆ ଯାଏ   ।
  3. ବୁଢା ବା ତେଣ୍ଡା ମାଣ୍ଡିଆ – ଫେବୃୟାରୀ ମାସରେ ରୁଆଯାଏ   । ୫୦ରୁ ୧୦୦ ସେ.ମି. ବର୍ଷା ହେଉଥିବା ସ୍ଥାନରେ ମାଣ୍ଡିଆ ହୋଇପାରିବ  । ଏହାଠାରୁ ଅଧିକ ବର୍ଷା ହେଉଥିବା ଅଞ୍ଚଳରେ ଭଲ ଜଳ ନିଷ୍କାସନ ଥିବା ଜମିରେ ମାଣ୍ଡିଆ ଚାଷ କରାଯାଇପାରିବ   । ଏହି କ୍ଷେତ୍ରରେ ତଳି ଉତାରି ରୋଇଲେ ଭଲ ଅମଳ ମିଳେ   ।

ମାଣ୍ଡିଆର ମରୁଡି ସହିବା ଶକ୍ତି ଭଲ  । ଧାନ ଅପେକ୍ଷା ମାଣ୍ଡିଆ ଫସଲ ଯଥେଷ୍ଟ କମ୍  ପାଣି ଦରକାର କରେ  । ଓଡିଶାର କୋରାପୁଟ ଜିଲ୍ଲାରେ ସବୁଠାରୁ ବେଶୀ ମାଣ୍ଡିଆ ଚାଷ କରାଯାଏ  । ଆମ ରାଜ୍ୟର ସମୁଦାୟ ମାଣ୍ଡିଆ ଚାଷର ୩୬ ଭାଗ କୋରାପୁଟ ଜିଲ୍ଲାରେ ଚାଷ ହୋଇଥାଏ   ।

ମୃତ୍ତିକା :

ମାଣ୍ଡିଆ ସବୁ ପ୍ରକାର ମାଟି ଓ ଜଳବାୟୁରେ ଚାଷ କରାଯାଏ  । ଲୁଣି ମାଟିରେ ମଧ୍ୟ ମାଣ୍ଡିଆ ଭଲ ହୁଏ  । କିନ୍ତୁ ସନ୍ତସନ୍ତିଆ ଓ ପାଣି ଯମୁଥିବା ଜମିରେ ମାଣ୍ଡିଆ ଭଲ ହୁଏ ନାହିଁ  । ନିଗିଡା, ପଟୁ ଦୋରସା ଓ ମତଳ ଦୋରସା ମାଟି ମାଣ୍ଡିଆ ଚାଷ ପାଇଁ ଉପଯୁକ୍ତ   । ଅନ୍ୟ ଶସ୍ୟ ଜାତୀୟ ଫସଲ ଅପେକ୍ଷା ମାଣ୍ଡିଆ ଫସଲର ଲୁଣି ସହଣି ଶକ୍ତି ଅଧିକ  । ଜଳର ଆବଶ୍ୟକତା କମ୍ ଥିବାରୁ କେନାଲ ଶେଷ ମୁଣ୍ଡରେ ମାଣ୍ଡିଆ ଚାଷ କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି   ।

ବିହନ କିସମ :

ଅଳ୍ପଦିନିଆ କିସମ

ଖରିଫ

ବୃଦ୍ଧିକାଳ (ଦିନ) ରବି

ଦିବ୍ୟସିଂହ (T-20)

85-90

95-100

ଏ – 2-3-4

85-90

95-100

ଏ.କେ.ପି. - 2

90-95

95-100

ସିକ୍ରି

90-95

100-105

ମଧ୍ୟମ କିସମ -

ମଧ୍ୟମ କିସମ

ଖରିଫ

ରବି

ନୀଳାଚଳ

110-115

115-125

ଏ.କେ.ପି. – 3

105-110

115-120

ଏ.କେ.ପି. – 7

105-110

115-120

ସୋଭାଙ୍ଗୀ- 6

105-110

115-120

ଗୋଦାବରୀ

105-110

115-120

ବିଳମ୍ବ କିସମ –

ବିଳମ୍ବ କିସମ

ଖରିଫ

 

ଏ.ଆର. – 256-1-2

120-130

(କେବଳ ବର୍ଷାଦିନେ ଚାଷ କରାଯାଏ )

ତଳି ପକାଇବା ସମୟ :

ଖରିଫ ବା ପଦର ମାଣ୍ଡିଆ – ଜୁନ ମାସ ପ୍ରଥମ ସପ୍ତାହ  ।

ଶୀତ ବା କାକେରି ମାଣ୍ଡିଆ – ଅଗଷ୍ଟ 15ରୁ ସେପ୍ଟେମ୍ବର ମାସ ଶେଷ  ।

ଖରାଟିଆ ବା ତେଣ୍ଡା ମାଣ୍ଡିଆ – ଜାନୁୟାରୀ ମାସ  ।

ବିହନ ପରିମାଣ :

ବୁଣିବା ପାଇଁ ହେକ୍ଟର ପିଛା ୧୦ କିଲୋଗ୍ରାମ ଓ ରୋଇବା ପାଇଁ ୬ କି.ଗ୍ରା.  ।

ବିହନ ବିଶୋଧନ :

ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ହିସାବରେ ଥିରାମ ଅଥବା କ୍ୟାପଟାନ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ  ।

ମାଣ୍ଡିଆ ତଳି :

ଏକ ହେକ୍ଟର ଜମି ପାଇଁ ୦.୦୫ ହେକ୍ଟର ଜମିରେ ତଳି ପକାଯାଏ   । ତଳି ପଟାଳିକୁ ଭଲଭାବେ ଚାଷ କରି ପତଳା ତିଆରି କରି ପଟାଳିରେ ଅଧଇଞ୍ଚ ଗଭୀରରେ ମଞ୍ଜି ବୁଣନ୍ତୁ  । ତଳି ଶୀଘ୍ର ବଢିବା ପାଇଁ ବର୍ଗମିଟର ପିଛା ଯବକ୍ଷାରଜାନ ଓ ଫସଫରସ୍  ପ୍ରତ୍ୟକର ୧୦ ଗ୍ରାମ୍ ହିସାବରେ ପ୍ରୟୋଗ  କରିବା ଆବଶ୍ୟକ   । ୫୦୦ ବର୍ଗମିଟର ତଳିପଟିପାଇଁ  ୫ କି.ଗ୍ରା. ଯବକ୍ଷାରଜାନ ଓ ୫ କି.ଗ୍ରା. ଫସଫରସ୍ ଦରକାର   । ୫ କୁଇଣ୍ଟାଲ ଗୋବର ଖତ ମଧ୍ୟ ଶେଷ ଓଡ  ସମୟରେ ପ୍ରୟୋଗ କରିବା ଉଚିତ୍  । ପ୍ରତି ପଟାଳିରେ ଅଧଇଞ୍ଚ ଗଭୀରରେ ଧାଡି ଧାଡି କରି ମଞ୍ଜି ବୁଣି ମାଟି ଦାବି ଦିଆଯାଏ  । ମାଟି ସମଭାବରେ ଉଷୁମ ରହିବା ଲାଗି ଓ ପାଣି ସମଭାବରେ ଭେଦିବା ଲାଗି ନଡା ଘୋଡାଇ ଦିଆଯାଏ   । ଝରାରେ ପାଣି ଦେଇ ବତର ରଖାଯାଏ   । ୩-୪ ଦିନ ବେଳକୁ ଗଛ ଉଠିଯାଏ   । ଏତିକିବେଳେ ଘୋଡା ଯାଇଥିବା ନଡାକୁ ଧୀରେ କାଢି ନିଆଯାଏ   । ତଳି ୧୫ ଦିନ ହୋଇଗଲେ ଛିଞ୍ଚା ପାଣି ଦିଆଯାଏ   । ପଟାଳିରୁ ଅନାବନା ଘାସ ଉପାଡି ଦିଆଯାଏ   ।

ଜମି ପ୍ରସ୍ତୁତି :

ମାଣ୍ଡିଆ ବୁଣିବା ପାଇଁ ଗୁଣ୍ଡ ଚାଷ ଦରକାର   । ପ୍ରଥମ ଓଡ ଲୁହା ଲଙ୍ଗଳରେ ଚାଷ କରି ତାପରେ କାଠ ଲଙ୍ଗଳରେ ୩-୪ ଓଡ ଚାଷ କରି ମଇ ଦେଇ ଜମିକୁ ସମତୁଲ କରିବା ଆବଶ୍ୟକ   । ଶେଷ ଦୁଇ ଓଡ ଚାଷ କଲା ପୂର୍ବରୁ ହେକ୍ଟର ପିଛା  ୧୦ ଗାଡି ଗୋବର ଖତ ବିଛାଇ ଦେଇ ଚାଷ କରି ଜମିରେ ମିଶାଇ ଦିଆଯାଏ   । ୨୦ସେ.ମି. ବ୍ୟବଧାନରେ ଧାଡିରେ ବୁଣାଯାଏ   । ମାଣ୍ଡିଆ ରୋଇବା ପାଇଁ ଜମି କାଦୁଅ କରାଯାଏ   । ଓଦା ମାଟିରେ ଲଙ୍ଗଳ ସିଆରରେ ମଧ୍ୟ ମାଣ୍ଡିଆ ରୁଆଯାଏ   ।

ରୂଆ :

ତଳି ୨୫-୩୦ ଦିନର ହୋଇଗଲେ ରୋଇବା ପାଇଁ ଉପଯୁକ୍ତ  । ଶୀଘ୍ର ଅମଳ ହେଉଥିବା କିସମଗୁଡିକୁ ଧାଡିକୁ ୧୫ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଓ ମାଧ୍ୟମ ଓ ଡେରିରେ ଅମଳ ହେଉଥିବା କିସମର ତଳିକୁ ଧାଡିକୁ ଧାଡି ୨୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ଲଗାଯାଏ   । ଥରକେ ଗୋଟିଏ ବା ଦୁଇଟି ତଳି ୫ ସେ.ମି. ଗଭୀରରେ ରୋଇବା ଭଲ   ।

ସାର ପ୍ରୟୋଗ :

ମୃତ୍ତିକା ପ୍ରୟୋଗ କରି ସାର ପ୍ରୟୋଗ କରିବା ଉଚିତ  ।

 

ସାର ପରିମାଣ କି.ଗ୍ରା. / ହେକ୍ଟର

 

ଯବକ୍ଷାରଜାନ

ଫସଫରସ୍

ପଟାସ

ବର୍ଷାଧାର ମାଣ୍ଡିଆ

୨୦

୧୨

୧୨

ଜଳସେଚିତ ମାଣ୍ଡିଆ

୪୦

୨୫

୨୫

ସମସ୍ତ ସୁପର ଓ ପଟାସ ସାର ସହ ୫୦% ଯବକ୍ଷାରଜାନ ମୂଳ ସାର ରୂପେ ଜମି ପ୍ରତୁତ ସମୟରେ ଓ ଏହାର ୨-୩ ସପ୍ତାହ ମଧ୍ୟରେ ଘାସ ବଛା ପୂର୍ବରୁ ଆଉ ୫୦% ଯବକ୍ଷାରଜାନ ବୁଣି ଦେଇ ଘାସ ବାଛି ଦେବା ଉଚିତ  ।

ଘାସବଛା :

ମାଣ୍ଡିଆ ଗଛ ଉଠିବାର ୨୦ ଦିନ ପରେ ବା ତଳି ରୂଆ ହେବାର ୨-୩ ସପ୍ତାହ ପରେ କ୍ଷେତରେ ଯବକ୍ଷାରଜାନ ସାର ପ୍ରୟୋଗ କରି କ୍ଷେତକୁ ଅନାବନା ଘାସ ବାଛିଦେବା ଉଚିତ  ।

ଜଳସେଚନ :

ମାଣ୍ଡିଆ ମରୁଡି ସହଣି ଫସଲ  । ଅନ୍ୟ ଫସଲ ତୁଳନାରେ ମାଣ୍ଡିଆର ଜଳ ଚାହିଦା ଅପେକ୍ଷାକୃତ କମ୍  ତଥାପି ମାଣ୍ଡିଆ ଫସଲରେ ଜଳସେଚନ ଉତ୍ପାଦନ ବୃଦ୍ଧି କରିଥାଏ   । ପ୍ରତି ଫସଲର  ସଙ୍କଟ କାଳ ରହିଛି   । ଏହି ସମୟରେ ପାଣି ଅଭାବ ହେଲେ ଅମଳ କମିଯାଏ   । ପିଲ ମାରିବା ଓ କ୍ଷୀର ଢୋକିବା ସମୟ ମାଣ୍ଡିଆର ସଙ୍କଟ କାଳ  । ଏତିକି ବେଳେ ଫସଲ ପାଣି ନ ପାଇଲେ ଉତ୍ପାଦନ କମିଯାଏ   ।

ମାଣ୍ଡିଆ ଫସଲ ୫ଟି ପାଣି ଦରକାର କରେ  ।

  1. ତଳି ରୋଇବା ବେଳେ  ।
  2. ଗଛ ପିଲେଇଲା ବେଳେ ।
  3. ଥୋଡ ବାହାରିବା ବେଳେ  ।
  4. ଫୁଲ ଉଡାଇବା ବେଳେ   ।
  5. କ୍ଷୀର ଢୋକିବା ବେଳେ ପାଣି ମଡାଯିବା ଦରକାର   ।

ମାଣ୍ଡିଆ ଅମଳ :

ବିହନ ଅମଳ :

ମାଣ୍ଡିଆ ପାଚିଗଲେ ଜମିରୁ ରୋଗଶୂନ୍ୟ ଓ ବଡ ବଡ ଥୋପି ବାଛି କାଟି ନେଇ ଶୁଖାଇ ମଞ୍ଜି ଅମଳ କରନ୍ତୁ   ।

ମାଣ୍ଡିଆ ଅଟା :

ସବୁଗୁଡିକ ମାଣ୍ଡିଆ ଥୋପି ଏକାବେଳେକେ ପାଚେ ନାହିଁ  । ମା’ ଗଛ ଥୋପି ଆଗ ପାଚେ  । ପିଲ ଥୋପି ପଛେ ପାଚେ   । ଥୋପି ଶାଗୁଆ ରଙ୍ଗ ବଦଳାଇ ଲାଲ ବା ହଳଦିଆ ଦେଖାଯିବା ମାତ୍ରେ  ବାଛି ବାଛି କାଟି ନେବା ଉଚିତ୍  । କାରଣ ଥୋପି ଅଧିକ ପାଚ୍ୟ ଶୁଖିଗଲେ ମାଣ୍ଡିଆ ଝଡିପଡେ   । ଗୋଟିଏ ଜମିରୁ ୩-୪ ଥର ଥୋପି ଖୁଣ୍ଟାଯାଏ  । ଥୋପି ଖୁଣ୍ଟିନେଲା ପରେ ଗଛରୁ ମୂଳରୁ କାଟିନେଇ ଗୋ-ଖାଦ୍ୟ ରୂପେ ବ୍ୟବହାର କରାଯାଏ ବା ସାଇଲେଜ କରାଯାଏ   ।

ଅମଳ :

ଥୋପିଗୁଡିକ ତିନି ଚାରି ଦିନ ଗଦା କରି ରଖି ଦିଆଯିବା ପରେ ଅମଳ କରାଯାଏ   । ଗୋଡରେ ଦଳି ବା ବେଙ୍ଗଳା ପକାଇ ଅମଳ କରାଯାଏ   । ମାଣ୍ଡିଆ କୁଲାରେ ପାଛୋଡି ଚାଲୁଣୀରେ ଚଲାଇ ଶୁଖାଇ ବସ୍ତାରେ ରଖାଯାଏ   ।

ଆଧାର ଶିକ୍ଷକ  ଶିକ୍ଷା  ନିର୍ଦ୍ଦେଶାଳୟ ଓ ରାଜ୍ୟ  ଶିକ୍ଷା  ଗବେଷଣା  ଓ  ପ୍ରଶିକ୍ଷଣ  ପରିଷଦ

 

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate