অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୁଟ

ଉପକ୍ରମ

ପୃଥିବୀରେ ଭାରତ ଗୋଟିଏ ମୁଖ୍ୟ  ଡାଲି ଫସଲ କରୁଥିବା ଦେଶ  । ଏହାର ପ୍ରାୟ ସମସ୍ତ ଫସଲ ପର୍ଯ୍ୟାୟରେ ଡାଲି ଜାତୀୟ ଫସଲ ସ୍ଥାନ ପାଇଥାଏ   । ଭାରତୀୟ ପାରମ୍ପରିକ ଚାଷ ପଦ୍ଧତିରେ ଡାଲି ଜାତୀୟ ଫସଲ ଦୀର୍ଘକାଳ ଧରି ଜମିର ଉର୍ବରତା ବୃଦ୍ଧି ତଥା ଫସଲ ଉତ୍ପାଦନ ପାଇଁ ଫସଲ ପର୍ଯ୍ୟାୟରେ ରହିଆସୁଛି ; ଫଳରେ ମୃତ୍ତିକାର ଉର୍ବରତା ସୁରକ୍ଷିତ ରହିପାରିଛି   । ଏତଦ୍ ବ୍ୟତୀତ ନିରାମିଶ ଭୋଜନରେ ଭାତ ଓ ରୁଟି ସାଙ୍ଗକୁ ଡାଲି ବା ଡାଲମା ଅଧିକାଂଶ ଲୋକମାନଙ୍କର  ପୁଷ୍ଟିସାର ଆବଶ୍ୟକତା ମେଣ୍ଟାଇଥାଏ, ମାଂସପେଶୀ ଗଠନ ଲାଗି, ‘ଲାଇସିନ’ନାମକ ଆମିନୋଅମ୍ଳ ଆବଶ୍ୟକ ହୋଇଥାଏ, ଯାହାକି ଡାଲିଜାତୀୟ ପଦାର୍ଥରେ ଅଧିକ ମିଳେ   । ଅନ୍ୟାନ୍ୟ ଶସ୍ୟ ତୁଳନାରେ ଆମେ ଡାଲିରୁ ଅଧିକ ପରିମାଣର ଉଦ୍ଭିଦଜ ପୁଷ୍ଟିସାର ପାଇଥାଉଁ   । ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଡାଲିର  ବହୁଳ ବ୍ୟବହାର  ଦେଖାଯାଏ   । ଉତ୍ତର ଭାରତରେ ବୁଟ, ହରଡ ଓ ବିରି, ଦକ୍ଷିଣ ଭାରତରେ ହରଡ, ବିରି ଓ ବୁଟ, ପଶ୍ଚିମାଞ୍ଚଳରେ ବୁଟ ଓ ରାଜମା, ମଧ୍ୟମାଞ୍ଚଳରେ ବୁଟ, ମସୁର ଓ ହରଡ  ଏବଂ ପୂର୍ବାଞ୍ଚଳରେ ମୁଗ, ହରଡ ଓ ବୁଟ ଇତ୍ୟାଦି ବ୍ୟବହାର ହୋଇଥାଏ   ।

ଭାରତରେ ଡାଲି ଜାତୀୟ ଫସଲମାନଙ୍କ ମଧ୍ୟରୁ ବୁଟ ପ୍ରଥମ ସ୍ଥାନ ଅଧିକାର କରିଅଛି   । ଏହା ଗୋଖାଦ୍ୟ ରୂପେ ବ୍ୟବହାର ହୋଇଥାଏ   । ଓଡିଶାରେ ଏହି ଫସଲ ପଶ୍ଚିମାଞ୍ଚଳ ଜିଲ୍ଲା  ମାନଙ୍କରେ ଅଧିକ ଚାଷ କରାଯାଏ  । ପୃଥିବୀର ୭୫% ବୁଟ ଭାରତରେ ଉତ୍ପାଦିତ ହୋଇଥାଏ   । ଭାରତରେ ଚାଷ କରାଯାଉଥିବା  ଡାଲି ଫସଲର ୩୭ ଭାଗ ବୁଟ ଫସଲ ଏବଂ ମୋଟ ଉତ୍ପାଦନ ୫୦% ଭାଗ ହୋଇଥାଏ  । ୧୦୦ ଗ୍ରାମ୍ ବୁଟ ଡାଲିରେ ୫୯.୮% ଶ୍ଵେତସାର, ୫.୬% ସ୍ନେହସାର, ୨୦.୮% ପୁଷ୍ଟିସାର, କ୍ୟାଲସିୟମ ୫୬ ମିଲିଗ୍ରାମ ବା ୦.୦୫୬% ଲୌହ ୩୨ ମାଇକ୍ରୋଗ୍ରାମ୍, ଭିଟାମିନ ଖ ୦.୪୮ ମିଲିଗ୍ରାମ, ଓ ଭିଟାମିନ ଗ ୧ ମିଲିଗ୍ରାମ ଥାଏ  । ୧୦୦ ଗ୍ରାମ ଡାଲିରୁ ୩୭୨ କିଲୋ କ୍ୟାଲୋରି ଶକ୍ତି ମିଳିଥାଏ   । ବୁଟଡାଲିରୁ  ବେସନ ତିଆରି ହୁଏ   । ବେସନରୁ ବିଭିନ୍ନ ପ୍ରକାର ଖାଦ୍ୟସାମଗ୍ରୀ  ତିଆରି ହୋଇଥାଏ   । ଏହି ଗଛ ଭଲ ଗୋ ଖାଦ୍ୟ ହୋଇଥାଏ  । ଏହାର ଔଷଧିୟମୂଲ୍ୟ ମଧ୍ୟ ରହିଛି   । ଏହା ଖାଇଲେ ରକ୍ତ ଶୁଦ୍ଧ ହୋଇଥାଏ   ।

ଉଦ୍ଭବ କେନ୍ଦ୍ର

ଭାରତରେ ବହୁ ପୁରାତନ କାଳରୁ ବୁଟର ପ୍ରଚଳନ ଅଛି   । ଏସିଆ ଓ ୟୁରୋପ ମହାଦେଶରେ ବହୁ ପ୍ରାଚୀନ କାଳରୁ ବୁଟ ଚାଷ ହେଉଥିବା ଦୁଷ୍ଟାନ୍ତ ରହିଛି   । ଏଣୁ ଦକ୍ଷିଣ ପଶ୍ଚିମ ଏସିଆ ଅର୍ଥାତ୍ ଭାରତର ଉତ୍ତର – ପଶ୍ଚିମରେ ରହିଥିବା ଦେଶ ଯଥା ଆଫଗାନିସ୍ଥାନ ଏବଂ ପରସିଆକୁ ବୁଟର ଉଦ୍ଭବ କେନ୍ଦ୍ର ବୋଲି ଅନୁମାନ କରାଯାଉଛି   । ଆଉ କେତେକଙ୍କ ମତରେ ବୁଟ ଭୂମଧ୍ୟସାଗରୀୟ ଅଞ୍ଚଳରୁ ଉଦ୍ଭବ  ।

କ୍ଷେତ୍ରଫଳ ଓ ବଣ୍ଟନ :

ପୃଥିବୀର ୧୦.୪ ନିୟୁତ ହେକ୍ଟର  ଜମିରେ ବୁଟ ଚାଷ ହୁଏ   । ଭାରତ, ପାକିସ୍ଥାନ, ଇଥୋପିଆ, ମିଆଂମାର ଏବଂ ତୁର୍କୀରେ ବୁଟ ଚାଷ ହୁଏ  । ପୃଥିବୀରେ କ୍ଷେତ୍ରଫଳ ଓ ଉତ୍ପାଦନ ଉଭୟ କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଅଛି  । ତାପରେ ପାକିସ୍ଥାନ  । ଭାରତରେ ୭.୮୭ ନିୟୁତ ହେକ୍ଟର ଜମିରେ ବୁଟ ଚାଷ ହୁଏ  ଏବଂ ଉତ୍ପାଦନ ୫.୮୩ ନିୟୁତ ଟନ୍  ହୋଇଥାଏ   । ହାରାହାରି ହେକ୍ଟର ପିଛା ଅମଳ ୭୪୧ କି.ଗ୍ରା.  । ଭାରତର  ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାନା, ମହାରାଷ୍ଟ୍ର ଏବଂ ପଞ୍ଜାବରେ  ପ୍ରଚୁର ବୁଟ ଉତ୍ପାଦନ ହୋଇଥାଏ  । ଓଡିଶାରେ ୪୬୦୦୦ ହେକ୍ଟର ଜମିରେ ବୁଟଚାଷ ହୁଏ  ଏବଂ ସେଥିରୁ ୨୬୦୦୦ ଟନ୍ ବୁଟ ଉତ୍ପାଦନ ହୁଏ   ।

ବୁଟର ଶ୍ରେଣୀ ବିଭାଗ :

ଭାରତରେ ଚାଷ କରାଯାଉଥିବା ବୁଟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ  ।

  1. ଦେଶୀ ବୁଟ ବା ଧୂସର ବୁଟ : ଏହି ଶ୍ରେଣୀର ବୁଟର ରଙ୍ଗ ହଳଦିଆକୁ ଗାଢ ଧୂସର  । ମଞ୍ଜୀର ଆକାର ଛୋଟ  । ଏହି କିସମର କ୍ଷେତ୍ରଫଳ ବେଶି ଗଛଗୁଡିକ ଛୋଟ ହେଲେ ମଧ୍ୟ ବହୁ ଶାଖା ପ୍ରଶାଖା ହୋଇଥାଏ   । କ୍ରେମୋଜମ୍ ନମ୍ବର ୨n =୧୪, ୧୬  ।
  2. କାବୁଲି ବା ଧଳା ବୁଟ : ଏହି ଶ୍ରେଣୀର ବୁଟର ରଙ୍ଗ ସାଧାରଣତଃ ଧଳା  । ମଞ୍ଜିଗୁଡିକ – ହୃଷ୍ଟପୃଷ୍ଟ ଓ ଆକର୍ଷଣୀୟ, ଆକାର ମୋଟା  । କିନ୍ତୁ ଉତ୍ପାଦନ ଦେଶୀବୁଟ ଅପେକ୍ଷା କମ୍  । ଗଛ ଗୁଡିକ ଦେଶୀ କିସମ ଠାରୁ ଲମ୍ବା ଏବଂ ଉଣା ଅଧିକ ସିଧା ବଢେ   । କ୍ରେମୋଜମ୍ ନମ୍ବର ୨n = ୧୬

ଉଦ୍ଭିଦ ବର୍ଣ୍ଣନା :

ବୁଟ ଲେଗୁମିନୋସି ବଂଶଜ  । ଶିମ୍ବ ବଂଶଜ ଉପବଂଶ – ପାପିଲିଓନେସି ପ୍ରଜାତି – ସାଇସେର, ଜାତି ଏରିଟିନମ୍  । ବୁଟ ଗୋଟିଏ ଛୁଇଁ  ଜାତୀୟ ଏକ ଋତ୍ଵିକ ଶାକୀୟ ବହୁଶାଖାଯୁକ୍ତ ଉଦ୍ଭିଦ   । ବୁଟ ସର୍ବାଧିକ ୬୦ ସେ.ମି. ପର୍ଯ୍ୟନ୍ତ ଲମ୍ବା  ହୁଏ   ।

ମୂଳତନ୍ତ୍ର :

ମୂଳତନ୍ତ୍ର ଉନ୍ନତ, ଆଦିମୂଳ ସଂସ୍ଥାରୁ ବହୁ ପାର୍ଶ୍ଵଚେର ମୃତ୍ତିକା  ଭିତରେ ଉପରିସ୍ତରରେ  ଚାରିଆଡେ  ବ୍ୟାପିଥାଏ  । ମୂଳରେ ପିଣ୍ଡକ ମାନ ଦେଖାଯାଏ   । ଏହି ପିଣ୍ଡକରେ ରାଇଜୋବିୟମ ନାମକ ବୀଜାଣୁ ବାୟୁମଣ୍ଡଳର ଯବକ୍ଷାରଜାନକୁ  ସଂଗ୍ରହ କରି ଜୈବିକ ଯୌଗିକ ପଦାର୍ଥରେ ବିବନ୍ଧନ କରେ  ।

କାଣ୍ଡ :

ଏହା ଗୋଟିଏ ଶିମ୍ବ ଜାତୀୟ ଏକଋତ୍ଵିକ ଶାକୀୟ ବହୁ ଶାଖାଯୁକ୍ତ  ଉଦ୍ଭିଦ  । ଏହା ସର୍ବାଧିକ ୬୦ ସେ.ମି. ପର୍ଯ୍ୟନ୍ତ ବଢେ  । କାଣ୍ଡର ବର୍ଣ୍ଣ ଧୂସର ଓ ଶାଖା ଦାନାଦାରର  ଲୋମାଯୁକ୍ତ  ଏହାର ପ୍ରଧାନ ଶାଖାରୁ ସାଧାରଣତଃ ଗୋଟିଏ ପ୍ରଶାଖା ବାହାରିଥାଏ   । କିନ୍ତୁ କେତେକ କିସମରେ ପ୍ରଧାନ ଶାଖାରୁ ବହୁଶାଖା ମଧ୍ୟ ବାହାରେ  ।

ପତ୍ର :

ପତ୍ର ପକ୍ଷଜ, ଯୌଗିକ ଓ ସାଧାରଣତଃ ପତ୍ରାଗ୍ରରେ ଗୋଟିଏ ପର୍ଣ୍ଣକ ଥାଏ  । ବିଭିନ୍ନ କିସମ ଅନୁଯାୟୀ ପର୍ଣ୍ଣକ ସଂଖ୍ୟା ଓ ଆକାର ଭିନ୍ନ ଭିନ୍ନ ହୋଇଥାଏ  । ସାଧାରଣତଃ ଗୋଟିଏ ପତ୍ରରେ ୯-୨୫ ଯୋଡା ପର୍ଣ୍ଣକ ଥାଏ  । ପକ୍ଷଜ ପତ୍ରର  ପର୍ଣ୍ଣକ ଗୁଡିକ ଛୋଟ ଓ ଏହାର ଧାର ପ୍ରଦନ୍ତୀ ପତ୍ରଗୁଡିକ ଗ୍ରନ୍ଥି ଲୋମ ଦ୍ଵାରା ଆଚ୍ଛାଦିତ  । ପତ୍ରଗୁଡିକର ରଙ୍ଗ ଫିକା ସବୁଜରୁ ସବୁଜ ବା ଗାଢ ସବୁଜ  । କେତେକ ପର୍ଣ୍ଣକର ଧାର ଲାଲ  ।

ପୁଷ୍ପିୟ ଲକ୍ଷଣ :

ସ୍ତବକ ରେସିମ୍ ଧର୍ମୀ  । ପତ୍ରକକ୍ଷରେ କେବଳ ଗୋଟିଏ ଫୁଲ ହୁଏ  । ପ୍ରତ୍ୟକ ଫୁଲରେ ପାଞ୍ଚୋଟି ଲେଖାଏଁ ବୃତ୍ତି ଥାଏ   । ପଞ୍ଚଦଳ, ଫୁଲର ରଙ୍ଗ ଧଳା, ପାଟଳ କିମ୍ବା ନୀଳ  । ପଞ୍ଚଦଳରୁ ଗୋଟିଏ ଧ୍ଵଜକ, ଦୁଇଟି ପକ୍ଷ ଓ ଦୁଇଟି ନୌତଳ ଥାଏ  । ଦଶଟି  ପୁଂକେଶର ଦୁଇଟି ଗୋଛାରେ  ଥାଏ   । ଗୋଟିକରେ ୯ଟି ପୁଂ କେଶର  ମିଶି ପୁଂକେଶର ଦଣ୍ଡ ସୃଷ୍ଟି କରେ ଏବଂ ଅନ୍ୟଟି ଅଲଗା ଥାଏ  । ପୁଷ୍ପ ବିକଶନ ସକାଳ ୯ରୁ ୧୦ଟା ମଧ୍ୟରେ ଆରମ୍ଭ ହୋଇ ଦିନ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିପାରେ   । ପୁଷ୍ପ ଦୁଇଦିନ ପର୍ଯ୍ୟନ୍ତ ଖୋଲା ରହେ  । ସ୍ଵପରାଗ ସଙ୍ଗମ ହୁଏ  । ପ୍ରଜାପତି ଯୋଗୁ ସ୍ଥଳବିଶେଷରେ ୫-୧୦%  ପର୍ଯ୍ୟନ୍ତ ପରାଗସଙ୍ଗମ ହୋଇପାରେ   । ଛୁଇଁଗୁଡିକ ୨ ସେ.ମି. ଲମ୍ବା ଏବଂ ସେଥିରେ ସାଧାରଣତଃ ୨ଟି ମଞ୍ଜି ଥାଏ   । ଗୋଟିଏ ଗଛରେ ୫୦-୧୫୦ ଛୁଇଁ ହୁଏ   । ଦାନା ଗୋଳାକୃତି ଲୋଳିତ ଓ ଅଣ୍ଟଯୁକ୍ତ, ମଞ୍ଜିର ବର୍ଣ୍ଣ ଧଳା, ଧୂସର, ଗାଢ ଧୂସର କିମ୍ବା ଫିକା କମଳା ରଙ୍ଗ  ।

ଋତୁ ଓ ଜଳବାୟୁ :

ବୁଟ ଗୋଟିଏ ଶୀତଦିନିଆ ଫସଲ ହେଲେ ମଧ୍ୟ ଅତ୍ୟଧିକ ହଁଡା ଓ କୁହୁଡି କ୍ଷତିକାରକ  । ଫୁଲ ଫୁଟିବା ସମୟରେ କୁହୁଡି ହେଲେ ଫୁଲକୁ ଛୁଇଁ ହୁଏ ନାହିଁ   । ଅଥବା ଛୁଇଁ  ଭିତରେ ମଞ୍ଜି ହୁଏ  ନାହିଁ  । ଏହାକୁ ବର୍ଷାଧାର ଜମିରେ ଚାଷ କରାଯାଏ   କିନ୍ତୁ ଜଳସେଚନ ସୁବିଧା ଥିବା ଜମିରେ କଲେ ଭଲ ଅମଳ ମିଳେ   । ବୁଣିବାର ପରେ ପରେ ଯଦି ଅତ୍ୟଧିକ ବର୍ଷାହୁଏ ବା ଫୁଲ ଫଳ ଧରିବା ସମୟରେ ବର୍ଷାଧିକ୍ୟ ବା କରକାପାତ ହେଲେ ଫସଲର  ବହୁ କ୍ଷତି ହୋଇଥାଏ   । ହାରାହାରି ୬୦-୯୦ ସେ.ମି. ବାର୍ଷିକ ବର୍ଷା ହେଉଥିବା ଅଞ୍ଚଳରେ ବୁଟ ଫସଲ ଭଲ ହୁଏ   ।

ମୃତ୍ତିକା :

କୃଷ୍ଣ, ମଟାଳ ଏବଂ ଆଲୁଭିଆଲ  ମୃତ୍ତିକା ବୁଟ ଚାଷ ଲାଗି ଉପଯୁକ୍ତ  । ଓଡିଶାରେ ନଈବଢି ମଡା ମାଟି ଓ କଳା କନ୍ଦାଳ ମାଟିରେ ବୁଟଚାଷ  ହୁଏ   । ଶୁଖିଲା ହାଲୁକା ମାଟିରେ ବୁଟ ଫସଲ ଭଲ ହୁଏନି   । ପିଏକ ୮.୫ରୁ ଅଧିକ ଥିବା ମୃତ୍ତିକାରେ ବୁଟ ଫସଲ ଭଲ ହୁଏ ନାହିଁ  । ବୁଟ ଫସଲପାଇଁ ନିରପେକ୍ଷ ମାଟି ଦରକାର  ।

ବିହନ କିସମ :

ଅଧିକ ଉତ୍ପାଦନ ପାଇଁ  ଉନ୍ନତ କିସମ ବୁଟ ବିହନ ଏବଂ ଆଧୁନିକ କୃଷି ପ୍ରଣାଳୀ ପ୍ରୟୋଗ ଏକାନ୍ତ ପ୍ରୟୋଜନ  । ଆମ ରାଜ୍ୟର ଚାଷୀମାନଙ୍କ  ପାଇଁ କେତେଗୁଡିଏ  ଉନ୍ନତ ବୁଟ ବିହନ କିସମ ବିଭିନ୍ନ ପରୀକ୍ଷା ଫଳାନୁସାରେ ଅନୁମୋଦିତ ହୋଇଛି   । ତାହାର ବିବରଣୀ ନିମ୍ନରେ ଦିଆଗଲା   ।

କିସମ

ସମୟ

ଅବଧି (ଦିନ)

ମଞ୍ଜିର ରଙ୍ଗ

ହେକ୍ଟର ପ୍ରତି ଅମଳ କୁଇଣ୍ଟାଲ

ଅଞ୍ଚଳ

ବିଶେଷ ଗୁଣ

ଜେ.ଜି. – 62

ଶୀତ

100

ଇଷତ ଲାଲ

8

ସାରା ଓଡିଶା

ଝାଉଂଳା ରୋଗ

ଆନିଗିରି

ଶୀତ

105

ଫିକା ଲାଲ

12

ସାରା ଓଡିଶା

ଜଳସେଚନ କଲେ ଭଲ ଅମଳ ହୁଏ  ।

କେ – 850

ଶୀତ

115

ଫିକା ଲାଲ

15

ସାରା ଓଡିଶା

ଜଳସେଚନ କଲେ ଭଲ ଅମଳ ମିଳେ  ।

ମୋତି

ଶୀତ

95

ଧଳା

12

ସାରା ଓଡିଶା

କମ୍ ଝାଉଂଳା ରୋଗ ଲାଗେ

ଏହାଛଡା ରାଧେ 95 ଦିନ, ସି. – 235 କିସମ 105 ଦିନ ଏବଂ ଏଚ 208 – 110 ଦିନରେ ଅମଳ ହୁଏ   । ଶେଷ ଦୁଇ କିସମ, ଅନ୍ତଜିଲ୍ଲାମାନଙ୍କ ପାଇଁ ଉପଯୁକ୍ତ   ।

ଜମିପ୍ରସ୍ତୁତି :

ବୁଟ ଗୁଣ୍ଡଚାଷ ବଦଳରେ ଢେଲାଚାଷ ଚାହେଁ  । ଏହା ଦ୍ଵାରା ବାୟୁ ଚଳାଚଳ ଭଲ ହୋଇଥାଏ  । ବୁଟ ଗଛ ଚେରରେ ଗୁଟିକା ସୃଷ୍ଟି ଓ ଯବକ୍ଷାରଜାନ ସଂଗ୍ରହ ଲାଗି ପ୍ରଚୁର ବାୟୁ ଦରକାର   । ଢେଲାଚାଷରେ ବାୟୁ ଗମାନଗମନ ଭଲ ହୁଏ   । ଦେଶୀ ଲଙ୍ଗଳରେ ଜମି ପାଗିବା ସମୟରେ  3-4 ଓଡ ଚାଷ କରି ଜମି ପ୍ରସ୍ତୁତ କରାଯାଏ   ।

ବିହନ ଓ ବୁଣିବା ପ୍ରଣାଳୀ :

ବିହନ ଠିକ୍ ସମୟରେ ବୁଣିଲେ ଅମଳ ଭଲ ହୋଇଥାଏ   । ଓଡିଶାରେ ଅକ୍ଟୋବର ୧୫ ତାରିଖ ଠାରୁ  ନଭେମ୍ବର ୧୫ ତାରିଖ ହେଉଛି ଉପଯୁକ୍ତ ସମୟ   । ବଉଦ, ସୋନପୁର ଓ ଆଠମଲ୍ଲିକ  ଅଞ୍ଚଳରେ ଦୀପାବଳି ଅମାବାସ୍ୟା ପରେ ପରେ ଲଘୁଧାନ  କ୍ଷେତରେ ବୁଟ “ଅମୁହାଁ” ଛଟାଯାଏ   । ଧାନ ପାଚ୍ୟ ଆସିବା ବେଳେ କ୍ଷେତରେ ୨-୩ ସେ.ମି. ପାଣି ରଖି ବୁଟ ଛାତି ବୁଣାଯାଏ   । ୪ ଦିନ ପରେ ଜମିରୁ ପାଣି କାଟି ଦିଆଯାଏ   । ଚାଷଜମିରେ ମଞ୍ଜି ଗଜା ହେଲା ଭଳି ବତର ଥାଇ ବୁଟ ବିହନ ବୁଣାଯାଏ  । ଲଙ୍ଗଳସିଆରରେ ବା ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ଧାଡିରୁ ଧାଡି ୩୦ ସେ.ମି. ବ୍ୟବଧାନରେ ଓ ମଞ୍ଜିକୁ  ମଞ୍ଜି ୧୦ ସେ.ମି. ବ୍ୟବଧାନରେ ବୁଣନ୍ତୁ   । ବିହନ ୮-୧୦ ସେ.ମି. ଗଭୀରରେ ବୁଣନ୍ତୁ   ।

ବିହନ ପରିମାଣ :

ଛୋଟ ବା ଶୋଲା ବୁଟ ହେକ୍ଟର ପିଛା ୫୦ କି.ଗ୍ରା.  ଓ କାବୁଲି ବୁଟ ହେକ୍ଟର ପିଛା ୭୫-୧୦୦ କି.ଗ୍ରା. ଆବଶ୍ୟକ  । ପ୍ରତି କି.ଗ୍ରା.  ବିହନ ସହିତ ୩ ଗ୍ରାମ ହିସାବରେ କ୍ୟାପଟାନ ବା ଥିରାମ ଗୁଣ୍ଡ ଭଲଭାବେ ଗୋଳାଇ ଦିଅନ୍ତୁ   ।

ଜମିରେ ପ୍ରଥମଥର ବୁଟ ବୁଣା ଯାଉଥିଲେ ୫-୮ ପ୍ୟାକେଟ (୫୦ କି.ଗ୍ରା. ମଞ୍ଜି ପାଇଁ ୫ ପ୍ୟାକେଟ ଓ ୭୫ କି.ଗ୍ରା. ପାଇଁ ୮ ପ୍ୟାକେଟ) ଜୀବାଣୁ କଲଚର ଗୋଳାଇ  ବୁଣିବାକୁ ହୋଇଥାଏ   । ଗୋଟିଏ ଜୀବାଣୁ କଲଚର ପ୍ୟାକେଟରେ ୨୦୦ ଗ୍ରାମ୍ ଜୀବାଣୁ କଲଚର  ଥାଏ   । ତାହାକୁ ଅର୍ଥାତ୍ ଏକ ପ୍ୟାକେଟ ପ୍ରତି ଏକଲିଟର ପାଣି ହିସାବରେ ଦ୍ରବଣ ତିଆରି କରି ବିହନକୁ ଗୋଳାଇ ଛାଇରେ ଶୁଖାଇ ଦିଆଯାଏ  ଏବଂ ଭୋର ବେଳା ଜମିରେ ବୁଣାଯାଏ   । ଜୀବାଣୁ କଲଚର ଗୋଳାଇବା ୭ଦିନ ପୂର୍ବରୁ କ୍ୟାପଟାନ ବା ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବାକୁ ହୋଇଥାଏ   ।

ଖତ ଓ ସାର :

ହେକ୍ଟର ପ୍ରତି ୫-୧୦ ଟନ୍ ଗୋବର ଖତ ସହ ୨୦ କି.ଗ୍ରା. ଯବକ୍ଷାରଜାନ ଓ ୪୦ କି.ଗ୍ରା. ସୁପରଫସଫେଟ୍ ମିଶାଇ ଶେଷଓଡ ଚାଷ ଅସମୟରେ ପକାଇ ଭଲଭାବେ ମାଟିରେ ମିଶାଇ ଦେବା ଦରକାର  ବା ଖତ ଓ ସାର ସିଆରରେ ପକାଇ ମାଟି ଘୋଡାଇ ଦେବା ଦରକାର   । ମଞ୍ଜି ବୁଣାର ୩-୪ ଦିନରେ ବୁଟ ଗଜା ହୁଏ   । ୧୫ ଦିନ ବେଳକୁ ଚେରରେ ଗୁଟିକା ବାହାରେ ଏବଂ ଯବକ୍ଷାରଜାନ ସଂଗ୍ରହ ହୁଏ  । ଏଣୁ ଗଛର ଏହି ପ୍ରାଥମିକ ୧୫ଦିନ ଲାଗି ଯବକ୍ଷାରଜାନ ହେକ୍ଟର ପିଛା ୨୦ କି.ଗ୍ରା.  ଦିଆଯାଏ  । ବୁଟଗଛ ତାର ଆବଶ୍ୟକୀୟ ଯବକ୍ଷାରଜାନ  ପ୍ରାୟ ୭୫%  ଚେରରେ ଥିବା ଏହି ଗୁଟିକା ସାହାଯ୍ୟରେ ଉପଲବ୍ଧି କରିଥାଏ   ।

ଘାସ ବଛା :

ବୁଟଗଛ ପ୍ରଥମେ ଧୀରେ ଧୀରେ ବଢେ   । ଏଣୁ ଗଜା ହେବାର ୨-୩ ସପ୍ତାହ ପରେ ଥରେ ଖୁସାଇ ଦେଇ ଘାସ ବାଛିଦେବା ଉଚିତ୍  । ଘାସ ବାଛିବା ସଙ୍ଗେ ସଙ୍ଗେ ବୁଟ ଗଛ ଅଗଠୁ  ଛିଣ୍ଡାଇ ଦେବା ଉଚିତ୍  । ଅଗ ଛିଣ୍ଡାଇ ଦେଲେ ଗଛ ଶାଖା ପ୍ରଶାଖା ମେଲି ଝଙ୍କାରେ ବଢେ  ।

ତୃଣକମାରି ଦ୍ଵାରା ଘାସ ଦମନ :

ଘାସ ବଛା ସୁବିଧା ନଥିଲେ ବିହନ ବୁଣିବାର ଦିନକ ପୂର୍ବରୁ ଜମି ବତର ଥିବା ଅବସ୍ଥାରେ ବାସାଲିନ୍  ଏକ କି.ଗ୍ରା. ହେକ୍ଟର ପିଛା ୫୦୦ – ୧୦୦୦ ଲିଟର ପାଣିରେ ଗୋଳାଇ ଜମିରେ ଭଲଭାବେ ସ୍ପ୍ରେ କରି ଦିଆଯାଏ ; କିନ୍ତୁ ତୃଣକମାରି ପ୍ରୟୋଗ ଅପେକ୍ଷା କୋଡା ଖୁସା ଓ ଘାସ ବଛା ଭଲ   । କାରଣ ଏହାଦ୍ଵାରା ଭଲ ବାୟୁ ଚଳାଚଳ ହୋଇଥାଏ   ।

ଜଳସେଚନ :

ବୁଟ ଗୋଟିଏ ବର୍ଷାଧାର ଫସଲ  । ଯେଉଁଠାରେ ଜଳସେଚନର ସୁବିଧା ଅଛି ଗୋଟି ପ୍ରାକ୍ ବୁଣା ଜଳସେଚନ କରି ବିହନ ବୁଣାଯାଇ ପାରିବ   । ଏହା ଫଳରେ ଭଲ ଗଜା ହେବ, ଏବଂ ଫସଲ ବୃଦ୍ଧି ଉତ୍ତମ ହେବ  । ଯଦି ଶୀତ ଋତୁରେ ବର୍ଷା   ବିଲ୍ କୁଲ୍ ନହୁଏ  ତେବେ ଫୁଲ ହେବା ପୂର୍ବରୁ ଥରେ ଏବଂ ଛୁଇଁ ହେବା ସମୟରେ ଜଳସେଚନ କଲେ ଅମଳ କମିଯିବ  । ଏଣୁ ଫୁଲ ହେବା ସମୟରେ ଜଳସେଚନ ଅନାବଶ୍ୟକ  । ସର୍ବଦା ଛିଞ୍ଚାପାଣି ଦେବା ଦରକାର   । କାରଣ ଅଧିକ ଜଳସେଚନ କଲେ ବୁଟ ପାଇଁ କ୍ଷତିକାରକ  । ଅଧିକ ଜଳସେଚନ କଲେ ଅଙ୍ଗୀୟ ବୃଦ୍ଧି ହୋଇଥାଏ ; କିନ୍ତୁ ଛୁଇଁ ଅମଳ କମିଯାଏ   ।

ଅମଳ :

ଗଛର ପତ୍ର ପାଚି ଝଡିବା ଆରମ୍ଭ କଲେ ଫସଲକୁ ମୂଳରୁ କାଟି ଆଣି ୪-୫ ଦିନ ପର୍ଯ୍ୟନ୍ତ ଖେଳାଇ ଶୁଖାଇ ଠେଙ୍ଗାରେ ପିଟି ଅମଳ କରାଯାଏ   । ତା’ପରେ ବିହନକୁ ପରିଷ୍କାର କରି ଖରାରେ ଶୁଖାଇ ସାଇତି ରଖାଯାଏ  । ସାଇତି ରଖିବା ପାଇଁ ୯% ଜଳୀୟ ଅଂଶ ରହିଲେ ବିହନ ନଷ୍ଟ ହୁଏ ନାହିଁ   । ଉନ୍ନତ ପ୍ରଣାଳୀରେ ଚାଷ କଲେ ହେକ୍ଟର  ପିଛା ୨୦-୨୫ କୁଇଣ୍ଟାଲ  ଅମଳ ମିଳେ   । ଓଡିଶାରେ ୧୦-୧୫ କୁଇଣ୍ଟାଲ ହେକ୍ଟର ପିଛା ଅମଳ ମିଳିଥାଏ   ।

ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 9/18/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate