ଉପକ୍ରମ ଭାରତରେ ବହୁ ପୁରାତନ କାଳରୁ ହରଡ ଚାଷ ହେଉଛି । ଭାରତବର୍ଷରେ ଚାଷ କରାଯାଉଥିବା ମୋଟ ଡାଲି ଜାତୀୟ ଫସଲର ୧୧.୮% ଜମିରେ ହରଡ ଚାଷ କରାଯାଏ ଏବଂ ଉତ୍ପାଦନ ମୋଟ ଡାଲିଜାତୀଯ ଫସଲ ଉତ୍ପାଦନର ୧୭% । ହରଡ ଡାଲିରେ ପୁଷ୍ଟିସାର ପ୍ରଚୁର ପରିମାଣରେ ଥାଏ ଏବଂ ଶାକାହାରୀଙ୍କର ପୁଷ୍ଟିସାର ଆବଶ୍ୟକତା ପୂରଣ କରିବାରେ ହରଡର ଭୂମିକା ସର୍ବୋଚ୍ଚ । ହରଡମଞ୍ଜିରେ ଆୟୋଡିନ ଓ ଲୌହ ମଧ୍ୟ ପ୍ରଚୁର ଥାଏ । ଏଥିରେ ଅତି ଆବଶ୍ୟକ ଏମିନୋଏସିଡ୍ ଯଥା ଲାଇସିନ୍, ଟାଇରୋସିନ୍, ସାଇଷ୍ଟାଇନ୍ ଏବଂ ଆରଗିନାଇନ୍ ପ୍ରଚୁର ଥାଏ । ମଞ୍ଜିର ଚୋପା ଗୋ ଖାଦ୍ଯ ରୂପେ ବ୍ୟବହାର ହୁଏ । ଏହାର ଗଛ ଜାଳେଣି ରୂପେ ବ୍ୟବହାର କରାଯାଏ । ଏହା ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ହରଡ ଚାଷ ଜମିରେ ଯବକ୍ଷାରଜାନ ଗଚ୍ଛିତ ରହେ । ଉଦ୍ଭବ କେନ୍ଦ୍ର ଆଫ୍ରିକା ହରଡର ଉଦ୍ଭବ କେନ୍ଦ୍ର । ଆଙ୍ଗେଲାର ଉପକୂଳସ୍ଥ ଜିଲ୍ଲାଗୁଡିକରେ ନୀଳନଦୀର ଉପର ଅବବାହିକା ହରଡର ଉଦ୍ଭବ କେନ୍ଦ୍ର ବୋଲି ବୈଜ୍ଞାନୀକମାନେ ଅନୁମାନ କରନ୍ତି । ପରେ ହରଡ ଭାରତକୁ ଆସିଲା । ଭାରତରେ ପ୍ରାୟ ୩୦୦୦ ବର୍ଷ ହେବ ହରଡ ଚାଷ ହେଉଛି । ବିସ୍ତୃତି : ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ ଦେଶମାନଙ୍କରେ ହରଡଚାଷ ପ୍ରଚୁର ପରିମାଣରେ କରାଯାଏ । ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ଵିପପୁଞ୍ଜ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ମେଘାଳୟରେ ହରଡ ଚାଷ ହୁଏ । ଭାରତରେ ଏହା ବହୁପରିମାଣରେ ଚାଷ କରାଯାଏ । ଭାରତର ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରେ ହରଡ ଚାଷ କରାଯାଏ । କେବଳ ଉତ୍ତର ପ୍ରଦେଶରେ ଭାରତର ପ୍ରାୟ ୪୦% ଉତ୍ପାଦନ ହୋଇଥାଏ । ହରଡ ଗୋଟିଏ ଗଭୀର ଛେରା ଯୁକ୍ତ ମରୁଡି ସହଣୀ ଫସଲ । ଦ୍ଵିତୀୟତଃ, ଅଧିକାଂଶ ହରଡ ଶାଖା ପ୍ରଶାଖା ମେଲି ଝଙ୍କା ଧରେ ଏବଂ ମାଟିକୁ ଘୋଡାଇ ପକାଏ । ମାଟିରୁ ଜଳୀୟ ଅଂଶ ଶୀଘ୍ର ନଷ୍ଟ ହୁଏ ନାହିଁ । ତୃତୀୟତଃ ଫୁଲ ଧରିବା ସମୟକୁ ଗଛର ତଳପତ୍ର ଝଡି ମାଟିରେ ପଡି ମଲଚ ପରି ମୃତ୍ତିକାରେ କାମ କରେ । ବୀଜର ରଙ୍ଗ ଲାଲ, ଖଇରା ଧଳା ଓ ଚିତ୍ରିତ ହୋଇଥାଏ । ଓଡିଶାର ପୂର୍ବଘାଟ ପର୍ବତମାଳାରେ ପାହାଡିଆ ହରଡ ଚାଷ କରାଯାଏ । ଏହି ହରଡ ଗଛ ଡେଙ୍ଗା । ହରଡ ଫାଳ ବଡ ବଡ । ଏହାକୁ କାନ୍ଦୁଲ ବୋଲି କୁହାଯାଏ । ସଅଳ ତୋଳା ହରଡକୁ ତୁଅର ଏବଂ ବିଳମ୍ବରେ ତୋଳା ହରଡକୁ ଅରହର କୁହାଯାଏ । ହରଡ ଚୋପା ରଙ୍ଗ, ଆକୃତି ଓ ନାଭିରଙ୍ଗ ଦୃଷ୍ଟିରୁ ଭାରତରେ ମୋଟ ୮୬ ପ୍ରକାର ହରଡ ଚାଷ କରାଯାଏ । ଏଗୁଡ଼ିକୁ ୨ଟି ଶ୍ରେଣୀଭୂକ୍ତ କରାଯାଉଛି । କାଜାନସ୍ ଇଣ୍ଡିକସ୍ ବାଇକଲର ବିଳମ୍ବରେ ହେଉଥିବା ସବୁପ୍ରକାର ହରଡ ଏହି ବର୍ଗର ଅନ୍ତର୍ଗତ । ଗଛଗୁଡିକ ଉଚ୍ଚ, ଘଞ୍ଚ, ଫୁଲର ବର୍ଣ୍ଣ ହଳଦିଆ, ବାଇଗଣି ରଙ୍ଗର ଦାଗ ଥାଇ ଗାଢ ରଙ୍ଗର ଫଳ ଏବଂ ପ୍ରତ୍ୟକ ଛୁଇଁରେ ୪-୫ ଟି ଲେଖାଏଁ ମଞ୍ଜି ଥାଏ । ଫୁଲର ୫ଟି ପାଖୁଡାମଧ୍ୟରୁ ବଡପାଖୁଡାଟିକୁ ଷ୍ଟଣ୍ଡାର୍ଡ କୁହାଯାଏ ଏବଂ ଏହି ପାଖୁଡାଟିର ପୃଷ୍ଟ ଭାଗ ନାଲିରଙ୍ଗର ଶିରାଯୁକ୍ତ । କାଜାନସ ଇଣ୍ଡିକସ୍ ଫ୍ଲାଭସ ସଅଳ ପାଚୁଥିବା ହରଡ ଏହି ବର୍ଗର ।ଗଛଗୁଡିକ ଛୋଟ । ଫୁଲ ହଳଦିଆ – ଏହାର ଛୁଇଁଗୁଡିକ ସରଳ ଓ ଏଥିରେ ୨-୩ଟି ମଞ୍ଜିଥାଏ । ଉଦ୍ଭିଦ ବର୍ଣ୍ଣନା : ହରଡ ଲେଗୁମିନୋସି ବଂଶଜ । ଉପବଂଶ ପାପିଲିଓନେସି, ପ୍ରଜାତି କାଜାନସ ଜାତି, କାଜାନସ । ପ୍ରଜାତି – କାଜାନସ ବିଭିନ୍ନ ପ୍ରକାର ରହିଛି । ଉଚ୍ଚତା, ଆଚରଣ, ପାଚିବା ସମୟ, ରଙ୍ଗ, ମଞ୍ଜିର ଭିନ୍ନତାକୁ ନେଇ ଏହାକୁ ମୁଖ୍ୟତଃ ୨ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା – କାଜାନସ ଇଣ୍ଡିକସ୍ ଭାରା ବାଇକଲର ଅରହର, ଦ୍ଵିତୀୟଟି ହେଲା ତୁଅର । ମୋଟ ଉପରେ ହରଡ ୧-୪ ମିଟର ଉଚ୍ଚତାର ଗଛହୁଏ । ଅଧିକାଂଶ ହରଡ ଗଛର ୬-୧୦ ଗଣ୍ଠି ମଧ୍ୟରେ ଅର୍ଥାତ୍ ଭୂମି ଉପରୁ ୧୫-୨୫ ସେ.ମି. ଭିତରେ ଶାଖା ପ୍ରଶାଖା ମେଲିଥାଏ । କାଣ୍ଡ ଶାକ୍ତ ଓ ସିଧା ଭାବରେ ବଢିଥାଏ ଗଛ ବଢିବା ଦୃଷ୍ଟିରୁ ହରଡକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ – ଯଥା - ଠିଆଳିଆ, ମଧ୍ୟମ ଠିଆଳିଆ ଓ ଝଙ୍କା । ମୂଳ ତନ୍ତ୍ର : ଆଦିମୂଳରୁ ଅସଂଖ୍ୟ ପାର୍ଶ୍ଵିକ ଓ ପରବର୍ତ୍ତୀ ଶାଖା ଛେରା ବାହାରିଥାଏ । ହରଡ ପ୍ରକାର ଅନୁସାରେ ପାର୍ଶ୍ଵିକ ଚେରର ଲମ୍ବ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ସିଧା ଭାବରେ ବଢିବା କିସମ ହରଡର ଚେର ବହୁତ ତଳକୁ ଯାଇଥାଏ । ମଧ୍ୟମ ଠିଆଳିଆ ଏବଂ ଝଙ୍କା କିସମ ହରଡର ଚେର କମ୍ ଗଭୀରକୁ ଯାଏ କିନ୍ତୁ ଘଞ୍ଚ ହୋଇଥାଏ । ପତ୍ର : ତ୍ରିଉପ ପତ୍ରି, ଲୋମଶ, ଯୌଗିକା । ମଧ୍ୟ ପତ୍ରଟି ଦୁଇ ପାର୍ଶ୍ଵିକ ପତ୍ରଠାରୁ ଲମ୍ବା, କିନ୍ତୁ ପତ୍ରର ତଳଭାଗରେ ଅଧିକ ଘଞ୍ଚ ଲୋମ ଥିବାରୁ ଧୂସରବର୍ଣ୍ଣ ଦେଖାଯାଏ । ପର୍ଣ୍ଣିକା ଛୋଟ, ଫଳକ ଲୋମଶ । ହରଡ କିସମ ଅନୁସାରେ ପତ୍ରର ସବୁଜତାରେ ଗାଢତ୍ଵ ଫରକ ହୋଇଥାଏ । ପତ୍ରର ଲମ୍ବ ଆକାର ଇତ୍ୟାଦି ହରଡ କିସମ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ସ୍ତବକ : ସ୍ତବକ ଅସୀମ ଓ ଶାଖା ଅଗ୍ରଭାଗରେ ଥାଏ । ଫୁଲଟି ପୁଷ୍ପଦଣ୍ଡରେ ଅବସ୍ଥିତ । ହରଡ କିସମ ଅନୁସାରେ ସ୍ତବକରେ ଆକାର ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟକ ଫୁଲରେ ୫ଟି ବୃତ୍ତି ଓ ପାଖୁଡା ଥାଏ । ୧୦ଟି ପୁଂକେଶର ଦୁଇଟି ଗୋଛାରେ ଥାଏ । ଗୋଟିକରେ ୯ଟି ଓ ଅନ୍ୟଟିରେ ଗୋଟିଏ । ବିଳମ୍ବ କିସମ ହରଡଫୁଲଗୁଡିକ ଗୋଟିଏ ପେନ୍ଥାରେ ଥାଏ । କିନ୍ତୁ ସଅଳ କିସମର ହରଡର ପ୍ରତି ଗଣ୍ଠିରୁ ଫୁଲ ବାହାରେ । ପ୍ରତ୍ୟକ ସ୍ତବକର ପେନ୍ଥାରେ ସାଧାରଣତଃ ୨ଟି ଲେଖାଏଁ ଏକାବେଳକେ ଫୁଲ ଫୁଟିଥାଏ । କିନ୍ତୁ ଫୁଲ ହରଡ ଅମଳ ପର୍ଯ୍ୟନ୍ତ ଫୁଟେ । ଫୁଲଗୁଡିକ ସ୍ଵପରାଗଣ । କିଛି ଅଂଶ ପର ପରାଗଣ ମଧ୍ୟ ହୋଇପାରେ । ଫୁଲ ଫୁଟିବା ପୂର୍ବରୁ ପରାଗସଂଗମ ହୋଇସାରିଥାଏ । ଶିମ୍ବୀ ବା ଛୁଇଁ ହରଡ ଫୁଲକୁ ଛୁଇଁ କୁହାଯାଏ । ହରଡ କିସମ ଅନୁସାରେ ଛୁଇଁଗୁଡିକ ୫-୧୦ ସେ.ମି. ହୋଇଥାଏ । ଓସାର ୦.୬ ରୁ ୦.୯ ସେ.ମି. ହୋଇଥାଏ । ଛୁଇଁ ଗୁଡିକର ରଙ୍ଗ ଶାଗୁଆରୁ ମାଟିଆ ହୋଇଥାଏ । ବିଳମ୍ବରେ ପାଚୁଥିବା ହରଡ କିସମର ଛୁଇଁରେ ୪-୫ ଟି ମଞ୍ଜିଥାଏ । ସଅଳ ପାଚୁଥିବା ହରଡ କିସମର ଛୁଇଁରେ ୨-୩ଟି ମଞ୍ଜିଥାଏ । ମଞ୍ଜି କିସମ ଅନୁସାରେ ମଞ୍ଜିର ରଙ୍ଗ, ଆକାରରେ ପ୍ରଭେଦ ଦେଖାଯାଏ । ମଞ୍ଜି ଗୁଡିକ ଗୋଲ ଆକାର ହୋଇଥାଏ । ମଞ୍ଜିର ଚୋପା ମଧ୍ୟ ଭିନ୍ନଭିନ୍ନ ହୋଇଥାଏ ଚାଷପ୍ରଣାଳୀ ଜଳବାୟୁ ଓ ଋତୁ : ବିଷୁବମଣ୍ଡଳୀୟ ଓ ଉଷ୍ଣ ମଣ୍ଡଳୀୟଜଳବାୟୁ ହରଡ ଚାଷ ପାଇଁ ବିଶେଷ ଉପଯୋଗୀ । ଏହି ଫସଲର ବର୍ଦ୍ଧନ ଅବସ୍ଥାରେ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଏବଂ ଫୁଲ ଫଳ ଅବସ୍ଥାରେ ଖରାଟିଆ ପାଗ ଦରକାର । ଫୁଲ ଧରିବା ସମୟରେ କୁହୁଡି ବା ବେଶି ବର୍ଷା ହେଲେ ଫୁଲ ଝଡିପଡେ, ରୋଗ ପୋକ ଲାଗେ ଓ ଅମଳ କମିଯାଏ । ହରଡର ମରୁଡି ସହଣୀ ଶକ୍ତି ଅଛି । ମୃତ୍ତିକା : ହରଡ ବିଭିନ୍ନ ମୃତ୍ତିକାରେ ଚାଷ କରାଯାଏ । ବାଲି ଦୋରସା ମାଟିଠାରୁ ଆରମ୍ଭ କରି ମଟାଳ ଦୋରସା ମାଟି ପର୍ଯ୍ୟନ୍ତ ସମସ୍ତ ମାଟିରେ ହରଡ ଫସଲ ହେବ । କିନ୍ତୁ ଉର୍ବର ଦୋରସା ମାଟିରେ ହରଡ ସବୁ ମାଟିଠାରୁ ଭଲ ହୁଏ । କ୍ଷାରୀ ଲୁଣୀ ଓ ପାଣି ଜମି ରହୁଥିବା ଜମିରେ ଯବକ୍ଷାରଜାନ ସଂଗ୍ରହ କରୁଥିବା ଭାତୁଡି ନଷ୍ଟ ହୋଇଯାଉଥିବାରୁ ଏହିସବୁ ଜମି ହରଡ ଚାଷ ପାଇଁ ଅନୁପଯୁକ୍ତ । ନିଗିଡା ଆଲୁଭିଅୟ ମୃତ୍ତିକା ଏବଂ ଦୋରସା ମାଟି ହରଡ ପାଇଁ ଉପଯୁକ୍ତ । କୃଷ୍ଣ କାର୍ପାସ ମୃତ୍ତିକାରେ ଜଳ ନିଷ୍କାସନ ବ୍ୟବସ୍ଥା ଥିଲେ ହରଡ ଚାଷ ହୋଇପାରିବ । ନାଲି – ମଟାଳ ଦୋରସା ମାଟିରେ ଜଳ ନିଷ୍କାସନର ସୁବିଧା ଥିଲେ ହରଡ କରାଯାଇ ପାରିବ । ବିହନ କିସମ : ବିଭିନ୍ନ ହରଡ କିସମ ଓ ସେଗୁଡିକର ବିଶେଷ ଗୁଣାବଳୀ ନିମ୍ନରେ ଦିଆଗଲା । ହରଡ କିସମ ଋତୁ ଅବଧି (ଦିନ) ମଞ୍ଜି ଛୁଇଁର ରଙ୍ଗ ହେକ୍ଟର ପ୍ରତି ଅମଳ କୁଇଣ୍ଟାଲ ଅଞ୍ଚଳ ବିଶେଷତ୍ଵ ଏସ୍ - 5 ବର୍ଷା 135 ଲାଲ 12 ସାରା ଓଡିଶା ଫୁଲ ସମୟରେ ଶସ୍ୟ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ଶରତ 115 ଲାଲ 10 ସାରା ଓଡିଶା ଜଳସେଚନ ଦରକାର ଶୀତ 110 ଲାଲ 6 ସାରା ଓଡିଶା ଗୋଟିଏ ଥାକରେ ଫଳ ଧରେ ଉପାସ – 120 ବର୍ଷା 120 ଲାଲ 12 ସାରା ଓଡିଶା ଜଳସେଚନ ଦରକାର ଶରତ 110 ଲାଲ 10 ଉପକୂଳ ଶୀତ 110 ଲାଲ 8 ଉପକୂଳ ଆଇ ସି ପି ଏଲ 8304 ବର୍ଷା 100 ଫିକା 8 ଏକା ଥାକରେ ଫଳ ଧରେ ଶରତ 100 ଫିକା 6 ସାରା ଓଡିଶା ଶୀତ 95 ଫିକା 6 ଉପକୂଳ ଆଇସ.ପି ଏଲ 87 ବର୍ଷା 130 ଲାଲ 12 ସାରା ଓଡିଶା 3 ଥର ଅମଳରୁ 40 କୁଇଣ୍ଟାଲ ମିଳିପାରେ । ଏକ ଥାକରେ ଛୁଇଁ ଧରେ ଶରତ 120 ବଡଦାନା 6 ଉପକୂଳ ଶୀତ 110 ବଡଦାନା 6 ଟି – 21 ବର୍ଷା 150, 160 ସମସ୍ତ ଅଞ୍ଚଳ ଜାଗୃତି ICPL – 151 ବର୍ଷା 130 ଲାଲ ସମସ୍ତ ଅଞ୍ଚଳ ଶରତ 115 ଲାଲ ସମସ୍ତ ଅଞ୍ଚଳ ଆର–60 (ମୁକ୍ତା) ବର୍ଷା 185 ଲାଲ ସମସ୍ତ ଅଞ୍ଚଳ ପି-ଡି-ଏ- 3 ବର୍ଷା 135 ଲାଲ ସମସ୍ତ ଅଞ୍ଚଳ ସ.- 11 ବର୍ଷା 180 ଲାଲ ସମସ୍ତ ଅଞ୍ଚଳ R-K- 143 ବସନ୍ତ 250 ଲାଲ ସମସ୍ତ ଅଞ୍ଚଳ ଜମି ପ୍ରସ୍ତୁତି : ଜମିକୁ ପ୍ରଥମେ ଲୁହାଲଙ୍ଗଳରେ ଗଭୀର ଚାଷ କରି ଅନାବନା ଘାସ ବାହାର କରି ଦେଇ ମାଟିକୁ ଗୁଣ୍ଡ କରାଯାଏ । ତା’ପରେ ୨-୩ ଥର କାଠ ଲଙ୍ଗଳରେ ଚାଷ କରି ମଇ ଦେଇ ଜମିକୁ ସମତୁଲ କରାଯାଏ । ଶେଷ ଓଡ ଚାଷ ସମୟରେ ୧୦ ଗାଡି ହେକ୍ଟର ପିଛା ପୁରୁଣା ଗୋବର ଖତ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ମଇ ଦେଇ ସମତୁଲ କରାଯାଏ । ଉଇ ଲାଗିବା ସମ୍ଭାବନା ଥିଲେ ହେକ୍ଟର ପିଛା ୩୬କି.ଗ୍ରା. କୁଇନାଲଫସ୍ ଗୁଣ୍ଡ ପ୍ରୟୋଗ କରାଯାଏ । ଖତ ଦେବା ଦ୍ଵାରା ଜମିର ଜଳଧାରଣ ଶକ୍ତି ବଢେ ଏବଂ ଅମଳ ଭଲ ହୁଏ । ସାର ପ୍ରୟୋଗ : ଜମିକୁ ସମତୁଲ କରିବା ପରେ ନିମ୍ନ ବ୍ୟବଧାନରେ ସିଆର ଟାଣି ହେକ୍ଟର ପିଛା ସଅଳ କିସମ ହରଡ ପାଇଁ ଯବକ୍ଷାରଜାନ ଓ ଫସଫରସ୍ ଯଥାକ୍ରମେ ୨୦ ଓ ୪୦ କି.ଗ୍ରା. ଏବଂ ବିଳମ୍ବ କିସମ ହରଡ ପାଇଁ ୨୦ ଓ ୬୦ କି.ଗ୍ରା. ସିଆରରେ ପ୍ରୟୋଗ କରାଯାଏ । ଉଭୟ ସାରକୁ ଭଲଭାବେ ମିଶାଇ ସିଆରରେ ପକାଇ ମାଟି ଘୋଡାଇ ଦେବା ପରେ ମଞ୍ଜି ବୁଣାଯାଏ । ଋତୁ ଭେଦରେ ହରଡ ଲଗାଇବା ବ୍ୟବଧାନ, ବିହନ ପରିମାଣ ଏବଂ ହେକ୍ଟର ପିଛା ଗଛସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ଯଥା – ବର୍ଷା ଋତୁ ବ୍ୟବଧାନ (ସେ.ମି.) ଗଛସଂଖ୍ୟା ଲକ୍ଷ ବିହନ ପରିମାଣ (ହେକ୍ଟର ପ୍ରତି କି.ଗ୍ରା.) 73 X 30 0.44 15 ଶରତ ଓ ଶୀତ ଋତୁ : ବ୍ୟବଧାନ (ସେ.ମି.) ଗଛସଂଖ୍ୟା ଲକ୍ଷ ବିହନ ପରିମାଣ (ହେକ୍ଟର ପ୍ରତି କି.ଗ୍ରା.) 30 X 10-15 3.3 20-25 ବିହନ ବୁଣିବା ପ୍ରଣାଳୀ : ମଞ୍ଜିକୁ ୪-୬ ସେ.ମି. ଗଭୀରରେ ଧାଡିରେ ବୁଣିବା ଉଚିତ । ଧାଡିରେ ବୁଣିବା ଦ୍ଵାରା ଅନ୍ତଃଚାଷ ଭଲ ହୁଏ । ବିହନ ବୁଣିବାର ଏକ ସପ୍ତାହ ପୂର୍ବରୁ ବିହନକୁ ଏକ କି.ଗ୍ରା. ବିହନ ପିଛା ୩ ଗ୍ରାମ ଥିରାମ ହିସାବରେ ଭଲଭାବେ ମିଶାଇ ବିଶୋଧନ କରିବା ଆବଶ୍ୟକ । ଏହା ଦ୍ଵାରା ଗଛ ରୋଗ ଆକ୍ରମଣରୁ ମୁକ୍ତ ହେବ । ବିହନ ବୁଣିବା ପୂର୍ବରୁ ଜୀବାଣୁ କଲଚର ଗୋଳାଇ ବୁଣିବା ଦରକାର । କାରଣ ହରଡ ଫସଲ ନିଜର ଯବକ୍ଷାରଜାନ ଚାହିଦା ଗଛ ଚେରରେ ବଢୁଥିବା ଜୀବାଣୁ ବା ଗୁଟିକା ସାହାଯ୍ୟରେ ମେଣ୍ଟାଇଥାଏ । ଏହି ଜୀବାଣୁ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରି ନିଜେ ବ୍ୟବହାର କରିବା ସହ ହରଡ ଗଛର ଚାହିଦା ପୂରଣ କରିବାରେ ମଧ୍ୟ ସକ୍ଷମ ହୁଏ । ବିହନ ଗଜା ହେବାର ୧୪-୨୧ ଦିନ ମଧ୍ୟରେ ଚେରରେ ଗୁଟିକା ସୃଷ୍ଟି ହୋଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଏଣୁ ଜମିରେ ହରଡ ୧୪-୨୧ ଦିନ ପର୍ଯ୍ୟନ୍ତ ଭଲଭାବେ ବୃଦ୍ଧି ହେବାପାଇଁ ଯେତିକି ଯବକ୍ଷାରଜାନ ସାର ଦରକାର ସେହି ପରିମାଣ ହରଡ ଗଛକୁ ମୂଳସାର ରୂପେ ଫସଫରସ୍ ସାର ସହ ମିଶାଇ ଦିଆଯାଏ । ପରବର୍ତ୍ତୀ ଯତ୍ନ ତୃଣକ ଦମନ : ହରଡ ଗଜା ହେବାର ୨-୩ ସପ୍ତାହ ପର୍ଯ୍ୟନ୍ତ ଭଲ ବୃଦ୍ଧି ନ ହେବାରୁ ଅନାବନା ଗଛ ହରଡ ଗଛ ସହ ଖାଦ୍ୟ ଓ ଜଳ ପାଇଁ ପ୍ରତିଦ୍ୱନ୍ଦିତା କରନ୍ତି । ଏଣୁ ଏହି ସମୟରେ କୋଡା ଖୁସା ଓ ଘାସ ଦମନ ଆବଶ୍ୟକ । ଉର୍ବର ମୃତ୍ତିକାରେ ବର୍ଷାଦିନେ ଘାସ ବଛା ଅତି ଆବଶ୍ୟକ । ଏଣୁ ୧୪-୨୧ ଦିନ ମଧ୍ୟରେ ଥରେ କୋଡା ଓ ଫୁଲ ଧରି ଆସିବା ବେଳକୁ ଅର୍ଥାତ୍ ୪୦-୬୦ ଦିନ ଭିତରେ ଆଉଥରେ ଏଭଳି ୨ଥର ଘାସ ବାଛି ଦେବା ଦରକାର । ବର୍ଷାଦିନେ ୪୦-୬୦ ଦିନ ଭିତରେ କୋଡା ଖୁସା କରି ଟିକିଏ ମାଟି ଗଛକୁ ଟେକି ଦେଲେ ଗଛ ପଡିଯାଏ ନାହିଁ । ଉତ୍ପାଦନ ଭଲ ହୁଏ । ଭଲ ଜଳ ନିଷ୍କାସନ ମଧ୍ୟ ହୋଇଥାଏ । ଅନେକ ସମୟରେ ମାଟିର ପାଗ ବା ମଞ୍ଜି ଦୋଷରୁ ଜମିରେ ଆବଶ୍ୟକ ସଂଖ୍ୟକ ଗଛ ରହିପାରେ ନାହିଁ । ତେଣୁ ପ୍ରଥମେ ଗଜା ବାହାରିବାର ୭-୧୦ ଦିନ ମଧ୍ୟରେ ଖାଲି ସ୍ଥାନରେ କିଛି ଭଲ ହରଡ ବିହନ ପୋତି ଦେବା ଦରକାର । କିଛି ଦିନ ପରେ ଏହି ଗଛଗୁଡିକ ପ୍ରଥମ ଗଛ ସହ ମିଶିଯିବ ଏବଂ ଜମିରେ ଗଛ ସଂଖ୍ୟା ଠିକ୍ ରହିବ । ସ୍ଥଳବିଶେଷରେ ଧାଡିରେ ଥିବା ଗଛ ସଂଖ୍ୟା ଅଧିକ ଥିଲେ କୋଡା ଖୁସା ସମୟରେ ବହଳିଆ ଗଛ ପତଳା କରିଦେବା ଉଚିତ । ଜଳସେଚନ ଓ ଜଳ ନିଷ୍କାସନ ହରଡ ଫସଲର ମରୁଡି ସହଣୀ ଶକ୍ତି ଅଛି । ବର୍ଷାଦିନେ ଜୁନ୍ ମାସରେ ବୁଣାଯାଉଥିବା ହରଡ ପାଇଁ ପାଗ ନ ଥିଲେ ଜଳସେଚନ କରି ଜମି ପ୍ରସ୍ତୁତ କରି ହରଡ ବୁଣାଯାଏ । ବର୍ଷା ଆରମ୍ଭ ହୋଇଗଲେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଯଦି ବହୁଦିନ ଧରି ବର୍ଷା ଛାଡିଯାଏ ଜନନକ୍ଷମ ଅବସ୍ଥାରେ ଅତି କମ୍ ରେ ଦୁଇଟି ଜଳସେଚନ ଦରକାର ହୋଇଥାଏ । ଶୀତଦିନେ ବୁଣାଯାଉଥିବା ହରଡ ଚାଷ ପାଇଁ ଆବଶ୍ୟକ ମତେ ଜଳସେଚନ ଦେଲେ ୨୫-୩୦% ଅମଳ ଅଧିକ ହୋଇଥାଏ । ଶରତ ଓ ଶୀତଦିନିଆ ହରଡ ଛୁଇଁ ତୋଳିବା ସମୟରେ ଏବଂ ତାର ୧୫-୨୦ ଦିନ ପରେ ଏପରି ଦୁଇଥର ଜଳସେଚନ ଦେବା ଦରକାର । ବର୍ଷାଦିନେ ହରଡ ଫସଲରେ ଜଳ ଠିଆ ହୋଇ ରହିବା ଉଚିତ୍ ନୁହେଁ । ଜଳ ନିଷ୍କାସନ ପାଇଁ ଅନ୍ତଃଚାଷ ସମୟରେ ହିଡ ଟେକି ଦେଇଥିଲେ ଅଧିକ ପାଣି ନିଗିଡିଯାଏ । ଫଳରେ ଭଲ ବାୟୁ ଚଳାଚଳ ଯୋଗୁଁ ଚେର ସୁସ୍ଥ ରହେ । ଅମଳ ଓ ସାଇତା : ୭୫-୮୦ ଭାଗ ଛୁଇଁ ପାଚ୍ୟ ବାଦାମି ରଙ୍ଗ ହେଲେ ଗଛ ମୂଳରୁ କାଟି ଖରାରେ ଶୁଖାଇ ୩-୪ ଦିନ ପରେ ଅମଳ କରାଯାଏ । ଡାଳଗୁଡିକ ଶୁଖିଗଲା ପରେ ଠେଙ୍ଗା ଦ୍ଵାରା ପିଟି ଅମଳ କରାଯାଏ । ତା’ପରେ ପରିଷ୍କାର କରି ଖରାରେ ଶୁଖାଇ ସାଇତିବା ଉଚିତ । ଶତକଡା ୧୦ ଭାଗ ଜଳୀୟ ଅଂଶ ରହିଲେ ବିହନ ନଷ୍ଟ ହୁଏ ନାହିଁ । ଏଣୁ ସାଇତି ରଖିବା ପାଇଁ ୧୦ ଭାଗ ଜଳୀୟ ଅଂଶ ରଖିବା ପାଇଁ ହରଡକୁ ଖରାରେ ୨-୩ ଦିନ ଶୁଖାଇ ଦେଇ ସାଇତି ରଖାଯାଏ । ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ