ଭାରତରେ ବହୁ ପୁରାତନ କାଳରୁ ହରଡ ଚାଷ ହେଉଛି । ଭାରତବର୍ଷରେ ଚାଷ କରାଯାଉଥିବା ମୋଟ ଡାଲି ଜାତୀୟ ଫସଲର ୧୧.୮% ଜମିରେ ହରଡ ଚାଷ କରାଯାଏ ଏବଂ ଉତ୍ପାଦନ ମୋଟ ଡାଲିଜାତୀଯ ଫସଲ ଉତ୍ପାଦନର ୧୭% । ହରଡ ଡାଲିରେ ପୁଷ୍ଟିସାର ପ୍ରଚୁର ପରିମାଣରେ ଥାଏ ଏବଂ ଶାକାହାରୀଙ୍କର ପୁଷ୍ଟିସାର ଆବଶ୍ୟକତା ପୂରଣ କରିବାରେ ହରଡର ଭୂମିକା ସର୍ବୋଚ୍ଚ । ହରଡମଞ୍ଜିରେ ଆୟୋଡିନ ଓ ଲୌହ ମଧ୍ୟ ପ୍ରଚୁର ଥାଏ । ଏଥିରେ ଅତି ଆବଶ୍ୟକ ଏମିନୋଏସିଡ୍ ଯଥା ଲାଇସିନ୍, ଟାଇରୋସିନ୍, ସାଇଷ୍ଟାଇନ୍ ଏବଂ ଆରଗିନାଇନ୍ ପ୍ରଚୁର ଥାଏ । ମଞ୍ଜିର ଚୋପା ଗୋ ଖାଦ୍ଯ ରୂପେ ବ୍ୟବହାର ହୁଏ । ଏହାର ଗଛ ଜାଳେଣି ରୂପେ ବ୍ୟବହାର କରାଯାଏ । ଏହା ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ହରଡ ଚାଷ ଜମିରେ ଯବକ୍ଷାରଜାନ ଗଚ୍ଛିତ ରହେ ।
ଆଫ୍ରିକା ହରଡର ଉଦ୍ଭବ କେନ୍ଦ୍ର । ଆଙ୍ଗେଲାର ଉପକୂଳସ୍ଥ ଜିଲ୍ଲାଗୁଡିକରେ ନୀଳନଦୀର ଉପର ଅବବାହିକା ହରଡର ଉଦ୍ଭବ କେନ୍ଦ୍ର ବୋଲି ବୈଜ୍ଞାନୀକମାନେ ଅନୁମାନ କରନ୍ତି । ପରେ ହରଡ ଭାରତକୁ ଆସିଲା । ଭାରତରେ ପ୍ରାୟ ୩୦୦୦ ବର୍ଷ ହେବ ହରଡ ଚାଷ ହେଉଛି ।
ବିସ୍ତୃତି :
ପୃଥିବୀର ଗ୍ରୀଷ୍ମମଣ୍ଡଳୀୟ ଦେଶମାନଙ୍କରେ ହରଡଚାଷ ପ୍ରଚୁର ପରିମାଣରେ କରାଯାଏ । ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ଵିପପୁଞ୍ଜ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଓ ମେଘାଳୟରେ ହରଡ ଚାଷ ହୁଏ । ଭାରତରେ ଏହା ବହୁପରିମାଣରେ ଚାଷ କରାଯାଏ । ଭାରତର ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରେ ହରଡ ଚାଷ କରାଯାଏ । କେବଳ ଉତ୍ତର ପ୍ରଦେଶରେ ଭାରତର ପ୍ରାୟ ୪୦% ଉତ୍ପାଦନ ହୋଇଥାଏ ।
ହରଡ ଗୋଟିଏ ଗଭୀର ଛେରା ଯୁକ୍ତ ମରୁଡି ସହଣୀ ଫସଲ । ଦ୍ଵିତୀୟତଃ, ଅଧିକାଂଶ ହରଡ ଶାଖା ପ୍ରଶାଖା ମେଲି ଝଙ୍କା ଧରେ ଏବଂ ମାଟିକୁ ଘୋଡାଇ ପକାଏ । ମାଟିରୁ ଜଳୀୟ ଅଂଶ ଶୀଘ୍ର ନଷ୍ଟ ହୁଏ ନାହିଁ । ତୃତୀୟତଃ ଫୁଲ ଧରିବା ସମୟକୁ ଗଛର ତଳପତ୍ର ଝଡି ମାଟିରେ ପଡି ମଲଚ ପରି ମୃତ୍ତିକାରେ କାମ କରେ । ବୀଜର ରଙ୍ଗ ଲାଲ, ଖଇରା ଧଳା ଓ ଚିତ୍ରିତ ହୋଇଥାଏ । ଓଡିଶାର ପୂର୍ବଘାଟ ପର୍ବତମାଳାରେ ପାହାଡିଆ ହରଡ ଚାଷ କରାଯାଏ । ଏହି ହରଡ ଗଛ ଡେଙ୍ଗା । ହରଡ ଫାଳ ବଡ ବଡ । ଏହାକୁ କାନ୍ଦୁଲ ବୋଲି କୁହାଯାଏ ।
ସଅଳ ତୋଳା ହରଡକୁ ତୁଅର ଏବଂ ବିଳମ୍ବରେ ତୋଳା ହରଡକୁ ଅରହର କୁହାଯାଏ । ହରଡ ଚୋପା ରଙ୍ଗ, ଆକୃତି ଓ ନାଭିରଙ୍ଗ ଦୃଷ୍ଟିରୁ ଭାରତରେ ମୋଟ ୮୬ ପ୍ରକାର ହରଡ ଚାଷ କରାଯାଏ । ଏଗୁଡ଼ିକୁ ୨ଟି ଶ୍ରେଣୀଭୂକ୍ତ କରାଯାଉଛି ।
ଉଦ୍ଭିଦ ବର୍ଣ୍ଣନା :
ହରଡ ଲେଗୁମିନୋସି ବଂଶଜ । ଉପବଂଶ ପାପିଲିଓନେସି, ପ୍ରଜାତି କାଜାନସ ଜାତି, କାଜାନସ । ପ୍ରଜାତି – କାଜାନସ ବିଭିନ୍ନ ପ୍ରକାର ରହିଛି । ଉଚ୍ଚତା, ଆଚରଣ, ପାଚିବା ସମୟ, ରଙ୍ଗ, ମଞ୍ଜିର ଭିନ୍ନତାକୁ ନେଇ ଏହାକୁ ମୁଖ୍ୟତଃ ୨ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମଟି ହେଲା – କାଜାନସ ଇଣ୍ଡିକସ୍ ଭାରା ବାଇକଲର ଅରହର, ଦ୍ଵିତୀୟଟି ହେଲା ତୁଅର ।
ମୋଟ ଉପରେ ହରଡ ୧-୪ ମିଟର ଉଚ୍ଚତାର ଗଛହୁଏ । ଅଧିକାଂଶ ହରଡ ଗଛର ୬-୧୦ ଗଣ୍ଠି ମଧ୍ୟରେ ଅର୍ଥାତ୍ ଭୂମି ଉପରୁ ୧୫-୨୫ ସେ.ମି. ଭିତରେ ଶାଖା ପ୍ରଶାଖା ମେଲିଥାଏ । କାଣ୍ଡ ଶାକ୍ତ ଓ ସିଧା ଭାବରେ ବଢିଥାଏ ଗଛ ବଢିବା ଦୃଷ୍ଟିରୁ ହରଡକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ – ଯଥା - ଠିଆଳିଆ, ମଧ୍ୟମ ଠିଆଳିଆ ଓ ଝଙ୍କା ।
ମୂଳ ତନ୍ତ୍ର :
ଆଦିମୂଳରୁ ଅସଂଖ୍ୟ ପାର୍ଶ୍ଵିକ ଓ ପରବର୍ତ୍ତୀ ଶାଖା ଛେରା ବାହାରିଥାଏ । ହରଡ ପ୍ରକାର ଅନୁସାରେ ପାର୍ଶ୍ଵିକ ଚେରର ଲମ୍ବ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ସିଧା ଭାବରେ ବଢିବା କିସମ ହରଡର ଚେର ବହୁତ ତଳକୁ ଯାଇଥାଏ । ମଧ୍ୟମ ଠିଆଳିଆ ଏବଂ ଝଙ୍କା କିସମ ହରଡର ଚେର କମ୍ ଗଭୀରକୁ ଯାଏ କିନ୍ତୁ ଘଞ୍ଚ ହୋଇଥାଏ ।
ପତ୍ର :
ତ୍ରିଉପ ପତ୍ରି, ଲୋମଶ, ଯୌଗିକା । ମଧ୍ୟ ପତ୍ରଟି ଦୁଇ ପାର୍ଶ୍ଵିକ ପତ୍ରଠାରୁ ଲମ୍ବା, କିନ୍ତୁ ପତ୍ରର ତଳଭାଗରେ ଅଧିକ ଘଞ୍ଚ ଲୋମ ଥିବାରୁ ଧୂସରବର୍ଣ୍ଣ ଦେଖାଯାଏ । ପର୍ଣ୍ଣିକା ଛୋଟ, ଫଳକ ଲୋମଶ । ହରଡ କିସମ ଅନୁସାରେ ପତ୍ରର ସବୁଜତାରେ ଗାଢତ୍ଵ ଫରକ ହୋଇଥାଏ । ପତ୍ରର ଲମ୍ବ ଆକାର ଇତ୍ୟାଦି ହରଡ କିସମ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।
ସ୍ତବକ :
ସ୍ତବକ ଅସୀମ ଓ ଶାଖା ଅଗ୍ରଭାଗରେ ଥାଏ । ଫୁଲଟି ପୁଷ୍ପଦଣ୍ଡରେ ଅବସ୍ଥିତ । ହରଡ କିସମ ଅନୁସାରେ ସ୍ତବକରେ ଆକାର ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟକ ଫୁଲରେ ୫ଟି ବୃତ୍ତି ଓ ପାଖୁଡା ଥାଏ । ୧୦ଟି ପୁଂକେଶର ଦୁଇଟି ଗୋଛାରେ ଥାଏ । ଗୋଟିକରେ ୯ଟି ଓ ଅନ୍ୟଟିରେ ଗୋଟିଏ । ବିଳମ୍ବ କିସମ ହରଡଫୁଲଗୁଡିକ ଗୋଟିଏ ପେନ୍ଥାରେ ଥାଏ । କିନ୍ତୁ ସଅଳ କିସମର ହରଡର ପ୍ରତି ଗଣ୍ଠିରୁ ଫୁଲ ବାହାରେ । ପ୍ରତ୍ୟକ ସ୍ତବକର ପେନ୍ଥାରେ ସାଧାରଣତଃ ୨ଟି ଲେଖାଏଁ ଏକାବେଳକେ ଫୁଲ ଫୁଟିଥାଏ । କିନ୍ତୁ ଫୁଲ ହରଡ ଅମଳ ପର୍ଯ୍ୟନ୍ତ ଫୁଟେ । ଫୁଲଗୁଡିକ ସ୍ଵପରାଗଣ । କିଛି ଅଂଶ ପର ପରାଗଣ ମଧ୍ୟ ହୋଇପାରେ । ଫୁଲ ଫୁଟିବା ପୂର୍ବରୁ ପରାଗସଂଗମ ହୋଇସାରିଥାଏ ।
ଶିମ୍ବୀ ବା ଛୁଇଁ
ହରଡ ଫୁଲକୁ ଛୁଇଁ କୁହାଯାଏ । ହରଡ କିସମ ଅନୁସାରେ ଛୁଇଁଗୁଡିକ ୫-୧୦ ସେ.ମି. ହୋଇଥାଏ । ଓସାର ୦.୬ ରୁ ୦.୯ ସେ.ମି. ହୋଇଥାଏ । ଛୁଇଁ ଗୁଡିକର ରଙ୍ଗ ଶାଗୁଆରୁ ମାଟିଆ ହୋଇଥାଏ । ବିଳମ୍ବରେ ପାଚୁଥିବା ହରଡ କିସମର ଛୁଇଁରେ ୪-୫ ଟି ମଞ୍ଜିଥାଏ । ସଅଳ ପାଚୁଥିବା ହରଡ କିସମର ଛୁଇଁରେ ୨-୩ଟି ମଞ୍ଜିଥାଏ ।
ମଞ୍ଜି
କିସମ ଅନୁସାରେ ମଞ୍ଜିର ରଙ୍ଗ, ଆକାରରେ ପ୍ରଭେଦ ଦେଖାଯାଏ । ମଞ୍ଜି ଗୁଡିକ ଗୋଲ ଆକାର ହୋଇଥାଏ । ମଞ୍ଜିର ଚୋପା ମଧ୍ୟ ଭିନ୍ନଭିନ୍ନ ହୋଇଥାଏ
ଚାଷପ୍ରଣାଳୀ
ଜଳବାୟୁ ଓ ଋତୁ :
ବିଷୁବମଣ୍ଡଳୀୟ ଓ ଉଷ୍ଣ ମଣ୍ଡଳୀୟଜଳବାୟୁ ହରଡ ଚାଷ ପାଇଁ ବିଶେଷ ଉପଯୋଗୀ । ଏହି ଫସଲର ବର୍ଦ୍ଧନ ଅବସ୍ଥାରେ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଏବଂ ଫୁଲ ଫଳ ଅବସ୍ଥାରେ ଖରାଟିଆ ପାଗ ଦରକାର । ଫୁଲ ଧରିବା ସମୟରେ କୁହୁଡି ବା ବେଶି ବର୍ଷା ହେଲେ ଫୁଲ ଝଡିପଡେ, ରୋଗ ପୋକ ଲାଗେ ଓ ଅମଳ କମିଯାଏ । ହରଡର ମରୁଡି ସହଣୀ ଶକ୍ତି ଅଛି ।
ମୃତ୍ତିକା :
ହରଡ ବିଭିନ୍ନ ମୃତ୍ତିକାରେ ଚାଷ କରାଯାଏ । ବାଲି ଦୋରସା ମାଟିଠାରୁ ଆରମ୍ଭ କରି ମଟାଳ ଦୋରସା ମାଟି ପର୍ଯ୍ୟନ୍ତ ସମସ୍ତ ମାଟିରେ ହରଡ ଫସଲ ହେବ । କିନ୍ତୁ ଉର୍ବର ଦୋରସା ମାଟିରେ ହରଡ ସବୁ ମାଟିଠାରୁ ଭଲ ହୁଏ । କ୍ଷାରୀ ଲୁଣୀ ଓ ପାଣି ଜମି ରହୁଥିବା ଜମିରେ ଯବକ୍ଷାରଜାନ ସଂଗ୍ରହ କରୁଥିବା ଭାତୁଡି ନଷ୍ଟ ହୋଇଯାଉଥିବାରୁ ଏହିସବୁ ଜମି ହରଡ ଚାଷ ପାଇଁ ଅନୁପଯୁକ୍ତ । ନିଗିଡା ଆଲୁଭିଅୟ ମୃତ୍ତିକା ଏବଂ ଦୋରସା ମାଟି ହରଡ ପାଇଁ ଉପଯୁକ୍ତ । କୃଷ୍ଣ କାର୍ପାସ ମୃତ୍ତିକାରେ ଜଳ ନିଷ୍କାସନ ବ୍ୟବସ୍ଥା ଥିଲେ ହରଡ ଚାଷ ହୋଇପାରିବ । ନାଲି – ମଟାଳ ଦୋରସା ମାଟିରେ ଜଳ ନିଷ୍କାସନର ସୁବିଧା ଥିଲେ ହରଡ କରାଯାଇ ପାରିବ ।
ବିହନ କିସମ :
ବିଭିନ୍ନ ହରଡ କିସମ ଓ ସେଗୁଡିକର ବିଶେଷ ଗୁଣାବଳୀ ନିମ୍ନରେ ଦିଆଗଲା ।
ହରଡ କିସମ |
ଋତୁ |
ଅବଧି (ଦିନ) |
ମଞ୍ଜି ଛୁଇଁର ରଙ୍ଗ |
ହେକ୍ଟର ପ୍ରତି ଅମଳ କୁଇଣ୍ଟାଲ |
ଅଞ୍ଚଳ |
ବିଶେଷତ୍ଵ |
ଏସ୍ - 5 |
ବର୍ଷା |
135 |
ଲାଲ |
12 |
ସାରା ଓଡିଶା |
ଫୁଲ ସମୟରେ ଶସ୍ୟ ସଂରକ୍ଷଣ ଅତ୍ୟନ୍ତ ଜରୁରୀ |
ଶରତ |
115 |
ଲାଲ |
10 |
ସାରା ଓଡିଶା |
ଜଳସେଚନ ଦରକାର |
|
ଶୀତ |
110 |
ଲାଲ |
6 |
ସାରା ଓଡିଶା |
ଗୋଟିଏ ଥାକରେ ଫଳ ଧରେ |
|
ଉପାସ – 120 |
ବର୍ଷା |
120 |
ଲାଲ |
12 |
ସାରା ଓଡିଶା |
ଜଳସେଚନ ଦରକାର |
ଶରତ |
110 |
ଲାଲ |
10 |
ଉପକୂଳ |
||
ଶୀତ |
110 |
ଲାଲ |
8 |
ଉପକୂଳ |
||
ଆଇ ସି ପି ଏଲ 8304 |
ବର୍ଷା |
100 |
ଫିକା |
8 |
|
ଏକା ଥାକରେ ଫଳ ଧରେ |
ଶରତ |
100 |
ଫିକା |
6 |
ସାରା ଓଡିଶା |
|
|
ଶୀତ |
95 |
ଫିକା |
6 |
ଉପକୂଳ |
|
|
ଆଇସ.ପି ଏଲ 87 |
ବର୍ଷା |
130 |
ଲାଲ |
12 |
ସାରା ଓଡିଶା |
3 ଥର ଅମଳରୁ 40 କୁଇଣ୍ଟାଲ ମିଳିପାରେ । ଏକ ଥାକରେ ଛୁଇଁ ଧରେ |
ଶରତ |
120 |
ବଡଦାନା |
6 |
ଉପକୂଳ |
||
ଶୀତ |
110 |
ବଡଦାନା |
6 |
|
||
ଟି – 21 |
ବର୍ଷା |
150, 160 |
|
|
ସମସ୍ତ ଅଞ୍ଚଳ |
|
ଜାଗୃତି ICPL – 151 |
ବର୍ଷା |
130 |
ଲାଲ |
|
ସମସ୍ତ ଅଞ୍ଚଳ |
|
ଶରତ |
115 |
ଲାଲ |
|
ସମସ୍ତ ଅଞ୍ଚଳ |
|
|
ଆର–60 (ମୁକ୍ତା) |
ବର୍ଷା |
185 |
ଲାଲ |
|
ସମସ୍ତ ଅଞ୍ଚଳ |
|
ପି-ଡି-ଏ- 3 |
ବର୍ଷା |
135 |
ଲାଲ |
|
ସମସ୍ତ ଅଞ୍ଚଳ |
|
ସ.- 11 |
ବର୍ଷା |
180 |
ଲାଲ |
|
ସମସ୍ତ ଅଞ୍ଚଳ |
|
R-K- 143 |
ବସନ୍ତ |
250 |
ଲାଲ |
|
ସମସ୍ତ ଅଞ୍ଚଳ |
|
ଜମି ପ୍ରସ୍ତୁତି :
ଜମିକୁ ପ୍ରଥମେ ଲୁହାଲଙ୍ଗଳରେ ଗଭୀର ଚାଷ କରି ଅନାବନା ଘାସ ବାହାର କରି ଦେଇ ମାଟିକୁ ଗୁଣ୍ଡ କରାଯାଏ । ତା’ପରେ ୨-୩ ଥର କାଠ ଲଙ୍ଗଳରେ ଚାଷ କରି ମଇ ଦେଇ ଜମିକୁ ସମତୁଲ କରାଯାଏ । ଶେଷ ଓଡ ଚାଷ ସମୟରେ ୧୦ ଗାଡି ହେକ୍ଟର ପିଛା ପୁରୁଣା ଗୋବର ଖତ ପ୍ରୟୋଗ କରି ମାଟିରେ ଭଲଭାବେ ମିଶାଇ ମଇ ଦେଇ ସମତୁଲ କରାଯାଏ । ଉଇ ଲାଗିବା ସମ୍ଭାବନା ଥିଲେ ହେକ୍ଟର ପିଛା ୩୬କି.ଗ୍ରା. କୁଇନାଲଫସ୍ ଗୁଣ୍ଡ ପ୍ରୟୋଗ କରାଯାଏ । ଖତ ଦେବା ଦ୍ଵାରା ଜମିର ଜଳଧାରଣ ଶକ୍ତି ବଢେ ଏବଂ ଅମଳ ଭଲ ହୁଏ ।
ସାର ପ୍ରୟୋଗ :
ଜମିକୁ ସମତୁଲ କରିବା ପରେ ନିମ୍ନ ବ୍ୟବଧାନରେ ସିଆର ଟାଣି ହେକ୍ଟର ପିଛା ସଅଳ କିସମ ହରଡ ପାଇଁ ଯବକ୍ଷାରଜାନ ଓ ଫସଫରସ୍ ଯଥାକ୍ରମେ ୨୦ ଓ ୪୦ କି.ଗ୍ରା. ଏବଂ ବିଳମ୍ବ କିସମ ହରଡ ପାଇଁ ୨୦ ଓ ୬୦ କି.ଗ୍ରା. ସିଆରରେ ପ୍ରୟୋଗ କରାଯାଏ ।
ଉଭୟ ସାରକୁ ଭଲଭାବେ ମିଶାଇ ସିଆରରେ ପକାଇ ମାଟି ଘୋଡାଇ ଦେବା ପରେ ମଞ୍ଜି ବୁଣାଯାଏ । ଋତୁ ଭେଦରେ ହରଡ ଲଗାଇବା ବ୍ୟବଧାନ, ବିହନ ପରିମାଣ ଏବଂ ହେକ୍ଟର ପିଛା ଗଛସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ଯଥା –
ବର୍ଷା ଋତୁ
ବ୍ୟବଧାନ (ସେ.ମି.) |
ଗଛସଂଖ୍ୟା ଲକ୍ଷ |
ବିହନ ପରିମାଣ (ହେକ୍ଟର ପ୍ରତି କି.ଗ୍ରା.) |
73 X 30 |
0.44 |
15 |
ଶରତ ଓ ଶୀତ ଋତୁ :
ବ୍ୟବଧାନ (ସେ.ମି.) |
ଗଛସଂଖ୍ୟା ଲକ୍ଷ |
ବିହନ ପରିମାଣ (ହେକ୍ଟର ପ୍ରତି କି.ଗ୍ରା.) |
30 X 10-15 |
3.3 |
20-25 |
ବିହନ ବୁଣିବା ପ୍ରଣାଳୀ :
ମଞ୍ଜିକୁ ୪-୬ ସେ.ମି. ଗଭୀରରେ ଧାଡିରେ ବୁଣିବା ଉଚିତ । ଧାଡିରେ ବୁଣିବା ଦ୍ଵାରା ଅନ୍ତଃଚାଷ ଭଲ ହୁଏ । ବିହନ ବୁଣିବାର ଏକ ସପ୍ତାହ ପୂର୍ବରୁ ବିହନକୁ ଏକ କି.ଗ୍ରା. ବିହନ ପିଛା ୩ ଗ୍ରାମ ଥିରାମ ହିସାବରେ ଭଲଭାବେ ମିଶାଇ ବିଶୋଧନ କରିବା ଆବଶ୍ୟକ । ଏହା ଦ୍ଵାରା ଗଛ ରୋଗ ଆକ୍ରମଣରୁ ମୁକ୍ତ ହେବ । ବିହନ ବୁଣିବା ପୂର୍ବରୁ ଜୀବାଣୁ କଲଚର ଗୋଳାଇ ବୁଣିବା ଦରକାର । କାରଣ ହରଡ ଫସଲ ନିଜର ଯବକ୍ଷାରଜାନ ଚାହିଦା ଗଛ ଚେରରେ ବଢୁଥିବା ଜୀବାଣୁ ବା ଗୁଟିକା ସାହାଯ୍ୟରେ ମେଣ୍ଟାଇଥାଏ । ଏହି ଜୀବାଣୁ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରି ନିଜେ ବ୍ୟବହାର କରିବା ସହ ହରଡ ଗଛର ଚାହିଦା ପୂରଣ କରିବାରେ ମଧ୍ୟ ସକ୍ଷମ ହୁଏ । ବିହନ ଗଜା ହେବାର ୧୪-୨୧ ଦିନ ମଧ୍ୟରେ ଚେରରେ ଗୁଟିକା ସୃଷ୍ଟି ହୋଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଏଣୁ ଜମିରେ ହରଡ ୧୪-୨୧ ଦିନ ପର୍ଯ୍ୟନ୍ତ ଭଲଭାବେ ବୃଦ୍ଧି ହେବାପାଇଁ ଯେତିକି ଯବକ୍ଷାରଜାନ ସାର ଦରକାର ସେହି ପରିମାଣ ହରଡ ଗଛକୁ ମୂଳସାର ରୂପେ ଫସଫରସ୍ ସାର ସହ ମିଶାଇ ଦିଆଯାଏ ।
ପରବର୍ତ୍ତୀ ଯତ୍ନ
ତୃଣକ ଦମନ :
ହରଡ ଗଜା ହେବାର ୨-୩ ସପ୍ତାହ ପର୍ଯ୍ୟନ୍ତ ଭଲ ବୃଦ୍ଧି ନ ହେବାରୁ ଅନାବନା ଗଛ ହରଡ ଗଛ ସହ ଖାଦ୍ୟ ଓ ଜଳ ପାଇଁ ପ୍ରତିଦ୍ୱନ୍ଦିତା କରନ୍ତି । ଏଣୁ ଏହି ସମୟରେ କୋଡା ଖୁସା ଓ ଘାସ ଦମନ ଆବଶ୍ୟକ । ଉର୍ବର ମୃତ୍ତିକାରେ ବର୍ଷାଦିନେ ଘାସ ବଛା ଅତି ଆବଶ୍ୟକ । ଏଣୁ ୧୪-୨୧ ଦିନ ମଧ୍ୟରେ ଥରେ କୋଡା ଓ ଫୁଲ ଧରି ଆସିବା ବେଳକୁ ଅର୍ଥାତ୍ ୪୦-୬୦ ଦିନ ଭିତରେ ଆଉଥରେ ଏଭଳି ୨ଥର ଘାସ ବାଛି ଦେବା ଦରକାର । ବର୍ଷାଦିନେ ୪୦-୬୦ ଦିନ ଭିତରେ କୋଡା ଖୁସା କରି ଟିକିଏ ମାଟି ଗଛକୁ ଟେକି ଦେଲେ ଗଛ ପଡିଯାଏ ନାହିଁ । ଉତ୍ପାଦନ ଭଲ ହୁଏ । ଭଲ ଜଳ ନିଷ୍କାସନ ମଧ୍ୟ ହୋଇଥାଏ ।
ଅନେକ ସମୟରେ ମାଟିର ପାଗ ବା ମଞ୍ଜି ଦୋଷରୁ ଜମିରେ ଆବଶ୍ୟକ ସଂଖ୍ୟକ ଗଛ ରହିପାରେ ନାହିଁ । ତେଣୁ ପ୍ରଥମେ ଗଜା ବାହାରିବାର ୭-୧୦ ଦିନ ମଧ୍ୟରେ ଖାଲି ସ୍ଥାନରେ କିଛି ଭଲ ହରଡ ବିହନ ପୋତି ଦେବା ଦରକାର । କିଛି ଦିନ ପରେ ଏହି ଗଛଗୁଡିକ ପ୍ରଥମ ଗଛ ସହ ମିଶିଯିବ ଏବଂ ଜମିରେ ଗଛ ସଂଖ୍ୟା ଠିକ୍ ରହିବ । ସ୍ଥଳବିଶେଷରେ ଧାଡିରେ ଥିବା ଗଛ ସଂଖ୍ୟା ଅଧିକ ଥିଲେ କୋଡା ଖୁସା ସମୟରେ ବହଳିଆ ଗଛ ପତଳା କରିଦେବା ଉଚିତ ।
ଜଳସେଚନ ଓ ଜଳ ନିଷ୍କାସନ
ହରଡ ଫସଲର ମରୁଡି ସହଣୀ ଶକ୍ତି ଅଛି । ବର୍ଷାଦିନେ ଜୁନ୍ ମାସରେ ବୁଣାଯାଉଥିବା ହରଡ ପାଇଁ ପାଗ ନ ଥିଲେ ଜଳସେଚନ କରି ଜମି ପ୍ରସ୍ତୁତ କରି ହରଡ ବୁଣାଯାଏ । ବର୍ଷା ଆରମ୍ଭ ହୋଇଗଲେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଯଦି ବହୁଦିନ ଧରି ବର୍ଷା ଛାଡିଯାଏ ଜନନକ୍ଷମ ଅବସ୍ଥାରେ ଅତି କମ୍ ରେ ଦୁଇଟି ଜଳସେଚନ ଦରକାର ହୋଇଥାଏ । ଶୀତଦିନେ ବୁଣାଯାଉଥିବା ହରଡ ଚାଷ ପାଇଁ ଆବଶ୍ୟକ ମତେ ଜଳସେଚନ ଦେଲେ ୨୫-୩୦% ଅମଳ ଅଧିକ ହୋଇଥାଏ । ଶରତ ଓ ଶୀତଦିନିଆ ହରଡ ଛୁଇଁ ତୋଳିବା ସମୟରେ ଏବଂ ତାର ୧୫-୨୦ ଦିନ ପରେ ଏପରି ଦୁଇଥର ଜଳସେଚନ ଦେବା ଦରକାର । ବର୍ଷାଦିନେ ହରଡ ଫସଲରେ ଜଳ ଠିଆ ହୋଇ ରହିବା ଉଚିତ୍ ନୁହେଁ । ଜଳ ନିଷ୍କାସନ ପାଇଁ ଅନ୍ତଃଚାଷ ସମୟରେ ହିଡ ଟେକି ଦେଇଥିଲେ ଅଧିକ ପାଣି ନିଗିଡିଯାଏ । ଫଳରେ ଭଲ ବାୟୁ ଚଳାଚଳ ଯୋଗୁଁ ଚେର ସୁସ୍ଥ ରହେ ।
ଅମଳ ଓ ସାଇତା :
୭୫-୮୦ ଭାଗ ଛୁଇଁ ପାଚ୍ୟ ବାଦାମି ରଙ୍ଗ ହେଲେ ଗଛ ମୂଳରୁ କାଟି ଖରାରେ ଶୁଖାଇ ୩-୪ ଦିନ ପରେ ଅମଳ କରାଯାଏ । ଡାଳଗୁଡିକ ଶୁଖିଗଲା ପରେ ଠେଙ୍ଗା ଦ୍ଵାରା ପିଟି ଅମଳ କରାଯାଏ । ତା’ପରେ ପରିଷ୍କାର କରି ଖରାରେ ଶୁଖାଇ ସାଇତିବା ଉଚିତ । ଶତକଡା ୧୦ ଭାଗ ଜଳୀୟ ଅଂଶ ରହିଲେ ବିହନ ନଷ୍ଟ ହୁଏ ନାହିଁ । ଏଣୁ ସାଇତି ରଖିବା ପାଇଁ ୧୦ ଭାଗ ଜଳୀୟ ଅଂଶ ରଖିବା ପାଇଁ ହରଡକୁ ଖରାରେ ୨-୩ ଦିନ ଶୁଖାଇ ଦେଇ ସାଇତି ରଖାଯାଏ ।ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 1/20/2020