ହୋମ / କୃଷି / ଶସ୍ୟ ଉତ୍ପାଦନ / ଫସଲ ଉପରେ ତୃଣକର ପ୍ରଭାବ
ସେଆର କରନ୍ତୁ

ଫସଲ ଉପରେ ତୃଣକର ପ୍ରଭାବ

ଫସଲରେ ତୃଣକ ହେଲେ କି କ୍ଷତି ହୁଏ ସେ ସମ୍ବନ୍ଧରେ ସୂଚନା ।

ତୃଣକର ସଂଜ୍ଞା

ଅନାବଶ୍ୟକ ଓ ଅବାଞ୍ଛନୀୟ ଉଦ୍ଭିଦ ଯାହାକି ମୃତ୍ତିକା ଓ ଜଳସମ୍ପଦ ବିନିଯୋଗରେ ପ୍ରତିବନ୍ଧକ ସୃଷ୍ଟି କରେ ଏବଂ ଫସଲ ଉତ୍ପାଦନରେ ପ୍ରତିକୂଳ ପ୍ରଭାବ ପକାଏ ତାହାକୁ ତୃଣକ   କୁହାଯାଏ । ଯେଉଁ ସ୍ଥାନରେ କୌଣସି ଉଦ୍ଭିଦ ଅନାବଶ୍ୟକ ବା ଅଦରକାରୀ ସେହି ଉଦ୍ଭିଦ ହିଁ ତୃଣକ କୁହାଯାଏ । ଯେଉଁ ସ୍ଥାନରେ କୌଣସି ଉଦ୍ଭିଦ ଅନାବଶ୍ୟକ ବା ଅଦରକାରୀ ସେହି ଉଦ୍ଭିଦ ହିଁ ତୃଣକ କୁହାଯାଏ । ଯେଉଁ ସ୍ଥାନରେ କୌଣସି ଉଦ୍ଭିଦ ଅନାବଶ୍ୟକ ବା ଅଦରକାରୀ ସେହି ଉଦ୍ଭିଦ ହିଁ ତୃଣକ ଫସଲ କ୍ଷେତରେ ଦୁବ ଏକ ବିରକ୍ତିକର ତୃଣକ, କିନ୍ତୁ ଚାରଣ ଭୂମି ପାଇଁ ଏକ ଉପାଦେୟ ଘାସ । ଗଡିଆ ପୋଖରୀରେ ବିଲାତି ଦଳ ଏକ ତୃଣକ । ଧାନ ବିଲରେ ମାଣ୍ଡିଆ ଗଛ ବି ତୃଣକ ଅଟେ । ମରୁଭୁମିରେ ବଢୁଥିବା ସିଜୁ  ତୃଣକ ନୁହେଁ କିନ୍ତୁ ଚାରଣ ଭୂମିରେ ଏହା ଏକ ତୃଣକ । ଅର୍ଥାତ୍ କୌଣସି ଉଦ୍ଭିଦ ମନୁଷ୍ୟର ଫସଲ ଉତ୍ପାଦନ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି  ନକରି ଯଦି ବଢୁଥାଏ ତାକୁ ତୃଣକ   କୁହାଯାଏ ନାହିଁ । ଅପରପକ୍ଷରେ କୌଣସି ନିର୍ଦ୍ଧିଷ୍ଟ  ଅବସ୍ଥାନରେ ସବୁ ପ୍ରକାର ଉଦ୍ଭିଦବି ତୃଣକ ହୋଇପାରେ ।

ତୃଣକହେତୁ କ୍ଷତି

ଫସଲ ଆମଦାନୀ ହ୍ରାସ

ତୃଣକ, ପୁଷ୍ଟିକାରକ ଉପାଦାନ, ଜଳ ଓ ଆଲୋକ ପାଇଁ ଫସଲ ସହିତ ପ୍ରତିଯୋଗୀତା କରି ଫସଲ ଆଦାୟ ହ୍ରାସ କରେ । ତୃଣକ ତୃଣକ ହେତୁ ଶସ୍ୟ ଜାତୀୟ   ଫସଲ ଉତ୍ପାଦନ ଶତକଡା, ହାରାହାରି ୩୫.୫ ଭାଗ ହ୍ରାସପାଏ । ଉତ୍ପାଦନ ହ୍ରାସ ପରିମାଣ ବର୍ଷା ଋତୁରେ ଅଧିକ ଏବଂ ଶୀତ ଋତୁରେ କମ୍ ହୋଇଥାଏ । ତୃଣକ  ଫସଲ ଗଛ ଠାରୁ ପୁଷ୍ଟିକାରକ ଉତ୍ପାଦନ ଓ ଜଳ ଅଧିକ ଦକ୍ଷତା’ର ସହିତ ଏବଂ ଅଧିକ ପରିମାଣରେ ଅବଶୋଷଣ କରେ । ଉଦାହରଣ ସ୍ୱରୂପ ମକା କ୍ଷେତରେ   ଉଠୁଥିବା ତୃଣକ, ମକା ଫସଲ ଆବଶ୍ୟକ କରୁଥିବା ପୁଷ୍ଟିକାରକ ଉପାଦାନର ଦୁଇଗୁଣ ବିନିଯୋଗ କରେ । ସେହିପରି ଦୁବ, ସୁଆଁ, ବିଶଲ୍ୟକରଣୀ ଆଦି ତୃଣକର  ପ୍ରସ୍ଵେଦନାନୁପାତ ମକା, ମାଣ୍ଡିଆ ଆଦି ଫସଲର ପ୍ରସ୍ଵେଦନାନୁପାତ ଠାରୁ ଯଥେଷ୍ଟ  ଅଧିକ । ଏଣୁ ଅନାବନା ଗଛ ବଢିଲେ ପୁଷ୍ଟିକାରକ ଉପାଦାନ ଓ ଜଳ ଅଭାବରୁ  ଫସଲ ଉତ୍ପାଦନ କମ୍ ହୁଏ ତୃଣକ ହେତୁ ଫସଲ ଆଦାୟ ହ୍ରାସ ହେବାର ଆଉ ଦୁଇଟି କାରଣ ହେଲା : ତୃଣକ ଅନିଷ୍ଟକାରୀ କୀଟ ଓ ରୋଗ ଜୀବାଣୁକୁ ଆଶ୍ରୟ ଦିଏ  ଏବଂ  କେତେକ ତୃଣକର ଚେର ମୃତ୍ତିକା ମଧ୍ୟରେ କ୍ଷତିକାରକ ପଦାର୍ଥ ସଞ୍ଚୟ କରି ଫସଲ ବୃଦ୍ଧିକୁ ନିରୋଧ କରେ ।

ଉତ୍ପନ୍ନ ଦ୍ରବ୍ୟର ମାନ ହ୍ରାସ

ତୃଣକ ଉତ୍ପନ୍ନ ଦ୍ରବ୍ୟର ମାନ ବିଭିନ୍ନ ଉପାୟରେ ହ୍ରାସ କରେ । ଧାନ ସହିତ କୋଦୁଅ, ମୁନିଦା, ରାହାଡି ବାଳୁଙ୍ଗା, ଗହମ ବଣଓଟ, ଚଣା ସହିତ ବଜୁରି, ସୋରିଷ  ସହିତ ଅଣସୋରିଷ ଓ ଅଗରା, ଚା’ ପତ୍ର ସହିତ ପରଜୀବୀ, ଉଦ୍ଭିଦ ଲୋରନୁସ ପତ୍ର ମିଶି ଚାହିଁଲେ ଉତ୍ପନ୍ନ ଦ୍ରବ୍ୟର ମାନ ହ୍ରାସ ପାଏ ଓ ବଜାର ଦର କମ୍ ହୁଏ । ଅନିଷ୍ଟକାରୀ ତୃଣକ ମଞ୍ଜି ମିଶି ରହିଲେ ଉତ୍ପନ୍ନ ଦ୍ରବ୍ୟର ମାନ ବିଶେଷ ଭାବେ ହ୍ରାସ ପାଏ ଏବଂ ସମୟ ସମୟରେ ବିକ୍ରୟ ପାଇଁ ଉତ୍ପାଦିତ ପଦାର୍ଥ ଅନୁପଯୁକ୍ତ ହୁଏ । ତୃଣକ ମଞ୍ଜି ମିଶି ରହିଲେ ଗୋଦାମ ଘରେ ଶସ୍ୟ ଶୀଘ୍ର ନଷ୍ଟ ହୋଇଯାଏ, ତୃଣକ ଉପସ୍ଥିତିରେ ଫଳ ଓ ପନିପରିବା ବେରାଙ୍ଗ ହୋଇଯାଏ, ଶୁଖିଲା ତୃଣକ ଖଣ୍ଡ ଲାଗି ରହିଲେ ତୁଳନା ତନ୍ତୁର ମାନ ହ୍ରାସପାଏ ଏବଂ ମେଣ୍ଢା ଲୋମରେ କଣ୍ଟାଥିବା ଫଳ ଲାଗି ରହିଲେ ପଶମର ମାନ ହ୍ରାସ ପାଏ । କେତେକ ତୃଣକ ଗୋଖାଦ୍ୟ ଫସଲ  ସହିତ ମିଶି ରହିଲେ କ୍ଷୀରର ରଙ୍ଗ, ବାସ ଓ ସ୍ଵାଦ ଅରୁଚିକର ହୁଏ ।

ଜମିର ମୂଲ୍ୟ ହ୍ରାସ

ମୁଥା ତଥା ଅନ୍ୟାନ୍ୟ ବହୁ ବର୍ଷା ତୃଣକ ଦ୍ଵାରା ବିଶେଷ ଭାବେ ଆକ୍ରାନ୍ତ ଜମି ଫସଲ ଉତ୍ପାଦନ ପାଇଁ ଅନୁପଯୁକ୍ତ ବା କମ୍ ଉପଯୁକ୍ତ ହୁଏ । ଏଣୁ ଏପ୍ରକାର ଜମିର ମୂଲ୍ୟ  ହ୍ରାସପାଏ।

ସୀମିତ ଫସଲ ଚାଷ

ସବୁ ଫସଲର ତୃଣକ ସହିତ ପ୍ରତିଯୋଗୀତା କରିବା ଦକ୍ଷତା ସମାନ ନୁହେଁ । ଅନେକ ସ୍ଥଳରେ କୌଣସି ନିର୍ଦ୍ଧିଷ୍ଟ ତୃଣକର ଉପସ୍ଥିତି ଯୋଗୁଁ ଫସଲ ନିର୍ବାଚନ କଷ୍ଟକର ହୋଇଯାଏ । ଅନାବନା ଗଛ ଦ୍ଵାରା ବିଶେଷ ଭାବେ ଆକ୍ରାନ୍ତ ହୋଇଥିବା ଜମି ନଳିତା, ଗୋଖାଦ୍ୟ ଫସଲ ଓ ଡାଲି ଜାତୀୟ ଫସଲ ଚାଷ ପାଇଁ ଅନୁପଯୁକ୍ତ ବା କମ୍  ଉପଯୁକ୍ତ ହୁଏ ।

ମନୁଷ୍ୟ ଦକ୍ଷତା ହ୍ରାସ

ବିଛୁଆତି ପତ୍ର, ବାଇଡଙ୍କ ଗଛର ଲୋମ ଦେହରେ ବାଜିଲେ ଦେହ କୁଣ୍ଡେଇ ହୁଏ । ଅଗରା, ଭେଜି ବାଇଗଣ, କଣ୍ଟା ଖଡା, ଲାଜକୁଳୀ ଲଟା ଆଦି କଣ୍ଟା ଥିବା ତୃଣକ  ବିଲରେ ଥିଲେ ଖତସାର ପ୍ରୟୋଗ, କୀଟନାଶକ ଔଷଧ ପ୍ରୟୋଗ, ଫସଲ କଟା ଆଦି ଚାଷ କାର୍ଯ୍ୟ ସମ୍ପାଦନ କରିବାରେ ବ୍ୟାଘାତ ସୃଷ୍ଟି ହୁଏ । ଫଳରେ ମନୁଷ୍ୟର କାର୍ଯ୍ୟ ଦକ୍ଷତା ହ୍ରାସପାଏ ।

ଫସଲରେ  ଅନିଷ୍ଟକାରୀ କୀଟ ଆକ୍ରମଣ ଓ ରୋଗ ବୃଦ୍ଧି

ତୃଣକ ଅନେକ ପ୍ରକାର ଅନିଷ୍ଟକାରୀ କୀଟ, ସୂତ୍ରଜୀବ ଏବଂ ରୋଗ ସୃଷ୍ଟିକାରୀ ଅଣୁଜୀବକୁ ଆଶ୍ରୟ ଦେଇ ଫସଲରେ ଏହିସବୁ ଅନିଷ୍ଟକାରୀ ଜୀବର ଆକ୍ରମଣ ବୃଦ୍ଧି  କରାଯାଏ । ଏଣୁ କୀଟ ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡେ ।  ଝିଣ୍ଟିକା ଧାନ କ୍ଷେତ ହୁଡା ଘାସରେ ରହେ ଏବଂ ଧାନ ଫସଲକୁ ନଷ୍ଟ  କରେ । ଧାନର କାଣ୍ଡବିନ୍ଧା ପୋକ ସୁଆଁ ଘାସରେ ରହେ । ଜଉପୋକ, ଉକୁଣି ପୋକ ଏବଂ କାନ କୁଟୁରି ପୋକ ବନ ସୋରିଷ ଗଛରେ ବଞ୍ଚି ରହନ୍ତି । ଗହମର କଳା କଳଙ୍କି ରୋଗର ଜୀବାଣୁ ବନ ଓଟ ଗଛରେ ଆଶ୍ରୟ ନିଏ  । ଧାନର ଉଦ୍ବତା ରୋଗ ଜୀବାଣୁ ଗୁଗୁଛିଆ, କୋଦୁଅ ଓ ସୁଆଁ ଗଛରେ ଆଶ୍ରୟ ନିଏ ।

ଚାଷ ଖର୍ଚ୍ଚ ବୃଦ୍ଧି

ତୃଣର ଦ୍ଵିଧାର ଖଣ୍ଡା ପରି କାର୍ଯ୍ୟ କରେ । କାରଣ ଏହା ଫସଲ ଉତ୍ପାଦନ ହ୍ରାସ କରେ ଏବଂ ଚାଷ ଖର୍ଚ୍ଚ ବୃଦ୍ଧି କରେ ।  ତୃଣକ ହେତୁ, ଘାସ ବଚ୍ଛା, ଅନ୍ତଃଚାଷ, ଫସଲ   ସଂରକ୍ଷଣ, ଅମଳ ଓ ଅମଳ ପରବର୍ତ୍ତୀ ଯତ୍ନ ପ୍ରତ୍ୟକ ବାବଦରେ, ଅଧିକ ଖର୍ଚ୍ଚ କରିବାକୁ ପଡେ । ଏଣୁ ମୋଟ ଚାଷ ଖର୍ଚ୍ଚ ବଢେ ।

ମନୁଷ୍ୟ ଓ ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ

ଆଲର୍ଜି ଏବଂ କ୍ଷତ ସୃଷ୍ଟି କରି ପ୍ରତ୍ୟକ୍ଷ ଭାବରେ ଏବଂ ବିଭିନ୍ନ ରୋଗ ଜୀବାଣୁକୁ ଆଶ୍ରୟ ଦେଇ ପରୋକ୍ଷ ଭାବରେ ତୃଣକ ମନୁଷ୍ୟର ସ୍ୱାସ୍ଥ୍ୟ ଓ ସ୍ଵାଚ୍ଛନ୍ଦ୍ୟ ଉପରେ  ପ୍ରତିକୂଳ ପ୍ରଭାବ ପକାଏ । କେତେକ ତୃଣକର ପରାଗରେଣୁ ଦେହ ଜ୍ଵର ଓ ଆଜମା ଘଟାନ୍ତି ।  ମ୍ୟାଲେରିଆ ଓ ବାତଜ୍ଵର ଜୀବାଣୁର ବାହକ ମଶାର ବଂଶ ବିସ୍ତାର ଗଡିଆ ପୋଖରୀରେ ଥିବା ତୃଣକ ଉପରେ ହୋଇଥାଏ ।

ସେହିପରି ଚାରଣ ଭୂମି ଏବଂ ଗୋଖାଦ୍ୟ ଫସଲରେ ଥିବା କେତେକ ତୃଣକ ପ୍ରାଣୀ ମାନଙ୍କ ପାଇଁ ବିଷାକ୍ତ ଅଟେ । କଣ୍ଟା ଥିବା ତୃଣକ ଖୁରାରେ କ୍ଷତ ସୃଷ୍ଟି କରି ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ କରେ  ।

ଜଳାଶୟ ଦୂଷିତୀକରଣ

ଜଳବଳ ଭୂମି ନୁହେଁ ଜଳାଶୟରେ ତୃଣକର ଉପସ୍ଥିତି ମଧ୍ୟ ବିରକ୍ତିକର । ପାଣି ଘାସର ଉପସ୍ଥିତି ଯୋଗୁ ପିଇବା ପାଣିର ରଙ୍ଗ, ସ୍ଵାଦ ଓ ବାସ ବଦଳି ଯାଏ । ପହଁରିବା  ଓ ନୌଚାଳନରେ ବ୍ୟାଘାତ ସୃଷ୍ଟି ହୁଏ, କେନାଲର ଜଳ ସ୍ରୋତ ହ୍ରାସପାଏ ଓ ଅଧିକ ନିଃସରଣ ହେତୁ ଚତୁଃପାର୍ଶ୍ଵରେ ଜଳାନୁବୋଧନତା ସୃଷ୍ଟି ହୁଏ । ବିଲାତିଦଳ, ସନ୍ତରା ଆଦି ତୃଣକ ଅଧିକ ପ୍ରସ୍ଵେଦନ କରି ଜଳକ୍ଷୟ ତ୍ୱରାନ୍ୱିତ କରନ୍ତି । ପାଣି ଘାସ ମତ୍ସ୍ୟ ବ୍ୟବସାୟ ପାଇଁ ବିପଦ ସୃଷ୍ଟି କରେ । ପୁଷ୍ଟିକାରକ ଉପାଦାନର ଅପସାରଣ ଏବଂ ମୃତ ତୃଣକର ଅପଘଟନ ହେତୁ ପାଣିର ମାନ ହ୍ରାସପାଏ  ଏବଂ ମତ୍ସ୍ୟ ଉତ୍ପାଦନ ହ୍ରାସପାଏ । ତୃଣକର ଉପସ୍ଥିତିରେ ମାଛ ମାରିବା କଷ୍ଟକର ଏବଂ  ସମୟ ସମୟରେ ଅସମ୍ଭବ ମଧ୍ୟ ହୋଇପଡେ ।

ଅନ୍ୟାନ୍ୟ କ୍ଷତି

ତୃଣକ ଓ ସର୍ବସାଧାରଣର ଉପକାରରେ ଆସୁଥିବା ସଡକ, ରେଳପଥ, ଟେଲିଫୋନ ଓ ଇଲେକ୍ଟ୍ରିକ ଲାଇନର କ୍ଷତି ଘଟାଏ, ଜଙ୍ଗଲ ସମ୍ପଦର କ୍ଷତି ଘଟାଏ ଏବଂ ଘର ଚାରିପାଖ, ବଗିଚା, ଖେଳପଡିଆ, ଅଗଣା, ପାର୍କ, ରାସ୍ତାକଡ ଆଦି ସବୁ ସ୍ଥାନରେ ଉଠି ସୌନ୍ଦର୍ଯ୍ୟତାର ଅବନତି ଘଟାଏ ।

ଆଧାର  - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top