অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିରି ଉତ୍ପାଦନ

ବିରି ଏକ ଡାଲି ଜାତୀୟ ଶସ୍ୟ । ଏହା ଓଡ଼ିଶାର ବିଭିନ୍ନ ଜାଗାରେ ଚାଷ କରାଯାଏ । ବିରି ଭାରତରୁ ଉତ୍ପତ୍ତିଲାଭ କରିଛି ବୋଲି ଗବେଷକ ମାନେ ମତ ଦିଅନ୍ତି ।

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଏବଂ ଚରକ ସଂହିତାରେ ମଧ୍ୟ ବିରି ଭାରତରେ ଦେଖାଯାଏ ବୋଲି ବର୍ଣ୍ଣନା ରହିଛି ।

ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଅଧିକ ବିରି ଉତ୍ପାଦନ କରେ ଏବଂ ଖର୍ଚ୍ଚ କରେ ।

ବିରିର ଆକାର

ବିରି ଦେଖିବାକୁ ଅଣ୍ଡାକୃତିର, ଛୋଟ, ଅଣଓସାରିଆ ଏବଂ ୪ରୁ ୬ ସେଣ୍ଟିମିଟର ଯାଏ ଲମ୍ବା ହୋଇଥାଏ । ଏହାର ଉପରିଭାଗ ଏକ ଆବରଣ ଦ୍ୱାରା ଆଚ୍ଛାଦିତ ହୋଇଥାଏ । ଏହି ଆବରଣ‌ଟିକୁ ବାହାର କରିଦେଲେ ତା' ଭିତରେ ଧଳାରଙ୍ଗର ବିରି ଥାଏ । ବିରି ଏକ ଲତା ଜାତୀୟ ଗଛ । ବିରିଗଛଗୁଡ଼ିକ ସାଧାରଣତଃ ୩୦ରୁ ୧୦୦ ସେଣ୍ଟିମିଟର ଯାଏ ଲମ୍ୱା ହୋଇଥାଏ । ଏହି ଗଛର ପତ୍ରଗୁଡ଼ିକ ଅଙ୍କାବଙ୍କା ହୋଇଥାଏ ।

ଚାଷ ପ୍ରଣାଳୀ

  • ମାଟି
  • ବିଭିନ୍ନ ପ୍ରକାର ମାଟିରେ ବିରି ଚାଷ ହେଉଥିଲେ ମଧ୍ୟ ଦୋରସା, ଲାଲ ଦୋରସା, ମଟାଳ ଦୋରସା, ଢିପ ଓ ମଧ୍ୟମ ଜମିରେ ମୁଗ ଓ ବିରିଚାଷ ଭଲ ହୁଏ । ବର୍ଷାଦିନେ ନିଗିଡା ମାଟି ଓ ଶୀତ ତଥା ଖରାଦିନେ ଜଳଧାରଣ ଶକ୍ତି ଅଧିକ ଥିବା ମାଟି ଦରକାର ।

  • ଜଳବାୟୁ
  • ବିରି ଚାଷ ଉଷ୍ମ ଜଳବାୟୁରେ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୨୦୦୦ ମିଟର ପର୍ଯ୍ୟନ୍ତ ଚାଷ କରାଯାଇଥାଏ । ଏହି ଗଛ ସବୁଠାରୁ ଟାଣ ହୋଇଥିବାରୁ ଏବଂ ଚେର ଗଭୀରକୁ ପ୍ରବେଶ କରୁଥିବାରୁ ମରୁଡି ସହ୍ୟ କରିପାରେ । ଏହା ତା'ର ଜୀବନ କାଳ ମଧ୍ୟରେ ସମୁଦାୟ ମାତ୍ର ୨୪୦ ମିମି ପାଣି ଦରକାର କରିଥାଏ ।

  • ବୁଣିବା ସମୟ
  • ବିରି ଚାଷ ସାଧାରଣତଃ ୩ଟି ସମୟରେ ଚାଷ କରାଯାଇଥାଏ । ପ୍ରଥମଟି ହେଲା ଖରିଫ ଚାଷ । ବର୍ଷା ଆରମ୍ଭ ହେବା ସଙ୍ଗେ ସଙ୍ଗେ ବର୍ଷାଦିନିଆ ଜମି ଚାଷକରି ବୁଣାଯାଇଥାଏ । କେତେକ ଅଞ୍ଚଳରେ ଛଟା ବୁଣା ଓ ଆଉ କେତେକ ଅଞ୍ଚଳରେ ପୁଞ୍ଜିବୁଣା କରାଯାଇଥାଏ । ବର୍ଷାଦିନିଆ ବିରି ସାଧାରଣତଃ ୭୦-୭୫ ଦିନରେ ଅମଳ ହୁଏ । ଅମଳ ସମୟରେ ବର୍ଷା ଲାଗି ରହିଥିବାରୁ ପାଚିଲା ଫଳକୁ ତୋଳି ଅମଳ କରାଯାଏ ।

    ବିରି ବୁଣାର ଦ୍ୱିତୀୟ ସମୟଟି ହେଉଛି ପ୍ରାକ ଶୀତକାଳୀନ ଚାଷ । ଢିପ ଜମିରେ ଛୋଟ ଧାନ କାଟିବା ପରେ ଅର୍ଥାତ ସେପ୍ଟେମ୍ବର ମାସରେ ବିନା ଜଳସେଚନରେ ବିରି ବୁଣାଯାଏ ଯାହାର ବିହନ ଭିନ୍ନ ଭିନ୍ନ କିସମର ହୋଇଥାଏ । ମୂର୍ତ୍ତିକାରେ ରହୁଥିବା ଆଦ୍ରତା ଫସଲକୁ ବଞ୍ଚାଇ ରଖିବାରେ ସାହାଯ୍ୟ କରେ । ଏହି କିସମର ମୁଗ ଓ ବିରି ୭୦-୮୦ ଦିନରେ ଅମଳହୁଏ । ଫଳ ସବୁ ଶୁଖିଗଲା ପରେ ସମସ୍ତ ଫସଲକୁ ଉପାତି ଅମଳ କରାଯାଏ ।

    ବିରି ବୁଣାର ତୃତୀୟ ସମୟ ହେଉଛି ଶୀତ କାଳୀନ ଚାଷ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୀତର ପ୍ରକୋପ କମ ଦୃଷ୍ଟିରୁ ଏହି ଶୀତ କାଳୀନ ବିରି ବହୁ ଅଞ୍ଚଳରେ ଚାଷ କରାଯାଏ । ଜଳସେଚନ ସୁବିଧା ନ ଥିବା ଅଞ୍ଚଳରେ ଧାନ କାଟିସାରିବା ମାତ୍ରକେ ଅର୍ଥାତ ନଭେମ୍ବର ଡିସେମ୍ବର ମାସରେ ଜମିକୁ ଚାଷ କରି ମୁଗ ଓ ବିରି ବୁଣାଯାଏ । ଏହା ପ୍ରାୟ ୯୦ ଦିନରେ ଅମଳ ହୋଇଥାଏ । ଅମଳ ବିଶେଷ କରି ଜମିର ଆଦ୍ରତା ଉପରେ ନିର୍ଭର କରେ । ଓଡ଼ିଶାର ମୁଖ୍ୟ ଫସଲ ଧାନ ହୋଇଥିବାରୁ, ଧାନ ଅମଳ ପରେ ପରେ ଜମିକୁ ପଡ଼ିଆ ନ ପକାଇବାକୁ ଅନେକ ମଧ୍ୟ ବିରି କିମ୍ବା ମୁଗ ଚାଷ କରିଥାନ୍ତି ।

ବିରି ବୁଣିବା ପୂର୍ବରୁ ଜମି ପ୍ରସ୍ତୁତି

ବିରି ବୁଣିବା ପୂର୍ବରୁ ଆଦ୍ରତା ଦେଖି ୩ ରୁ ୪ ଓଡଚାଷ ଭଲ ଭାବରେ କରି ମଇଦେଇ ଦେଲେ ମାଟି ଗୁଣ୍ଡ ହୋଇଯାଏ । ଶେଷ ଓଡଚାଷ ପୁର୍ବରୁ ଜମିରେ ୨ କିମ୍ବା ୩ ଶଗଡ ସଢା ଗୋବର ଖତ ଦେଇ ମାଟିରେ ମିଶାଇବାକୁ ହୁଏ । ପାଇରା ଚାଷ ପାଇଁ ଧାନ କାଟିବା ପୂର୍ବରୁ ମଞ୍ଜି ବୁଣିବାକୁ ପଡୁଥିବାରୁ ଏଥିପାଇଁ ଜମି ପ୍ରସ୍ତୁତି କରାଯାଏ ନାହିଁ । ଏହି ଉପାୟରେ ଆଦାୟ ବହୁତ କମ ହୋଇଥିବାରୁ ଅଧିକ ଉତ୍ପାଦନ ପାଇଁ ପାଇରା ଚାଷ ଗ୍ରହଣୀୟ ନୁହେଁ ।

  • ଲଗାଇବା ସମୟ
  • ବୃଷ୍ଟି ପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ଓ ଜଳସେଚନ ସୁବିଧା ଥିଲେ ଉଭୟ ଖରା ଓ ଶୀତ ଦିନେ ବିରି ଚାଷ କରାଯାଇପାରେ । ମୁଖ୍ୟତଃ ବୃଷ୍ଟିପୃଷ୍ଟ ଅଞ୍ଚଳରେ ବର୍ଷାଦିନେ ବିରି ଲଗାଯାଏ ଏବଂ ଜଳସେଚିତ ଅଞ୍ଚଳରେ ଶୀତଦିନେ ଓ ଖରାଦିନେ ଲଗାଯାଇଥାଏ ।

    ବର୍ଷାଦିନେ ହେକ୍ଟର ପ୍ରତି ୨୦-୨୫ କିଲୋଗ୍ରାମ ଏବଂ ଅନ୍ୟାନ୍ୟ ଋତୁରେ ୨୫- ୩୦ କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ପାଇରା ଫସଲ ପାଇଁ ଶତକଡା ୨୫ ଭାଗ ଅଧିକ ବିହନ ଦରକାର । ଧାଡିରେ ବୁଣିଲେ ଅଧିକ ଅମଳ ମିଳିଥାଏ । ଧାନ କାଟିବା ପୂର୍ବରୁ ଛଟା ବୁଣା ହିସାବରେ ବିରି ବୁଣିଲେ ହେକ୍ଟର ପ୍ରତି ୩୦-୩୫ କିଲୋଗ୍ରାମ ବିହନ ଦରକାର ହୁଏ । ଶରତ ଓ ଶୀତ ଋତୁରେ ବିହନକୁ ଧାଡିକୁ ଧାଡି ୨୫ ସେଣ୍ଟିମିଟର ଓ ଗଛକୁ ଗଛ ୧୦ ସେଣ୍ଟିମିଟର ବ୍ୟବଧାନରେ ବୁଣାଯାଏ ।

  • ଜମି ପ୍ରସ୍ତୁତି
  • ଜମି ପ୍ରସ୍ତୁତି କରିବାର ଏକମାସ ପୂର୍ବରୁ ହେକ୍ଟର ପ୍ରତି ୩ଟନ ସଢା ଗୋବର ଖତା ମାଟିରେ ଭଲ ଭାବେ ମିଶାଯାଏ । ଏହି ସମୟରେ ହେକ୍ଟର ପ୍ରତି ୫୦୦ କିଲୋଗ୍ରାମ ଚୂନ ମଧ୍ୟ ପ୍ରୟୋଗ କରାଯାଏ । ବିହନ ବୁଣିବା ପୂର୍ବରୁ ଶେଷ ଓଡଚାଷ ସମୟରେ ହେକ୍ଟର ପ୍ରତି ୨୦ କିଲୋଗ୍ରାମ ଯବକ୍ଷାରଜାନ ଓ ୪୦ କିଲୋଗ୍ରାମ ଫସଫରସ ସାର ପ୍ରୟୋଗ କରିବା ଉଚିତ । ସାଧାରଣତଃ ମୁଗ ଓ ବିରି ଫସଲରେ କେବଳ ଡି.ଏ .ପି ସାର ହେକ୍ଟର ପିଛା ୧୦୦ କିଲୋଗ୍ରାମ ପ୍ରୟୋଗ କରାଯାଏ ।

  • ଜଳସେଚନ
  • ସାଧାରଣତଃ ବର୍ଷା ଓ ଶୀତ ଦିନିଆ ବିରି ଜଳସେଚନ ଦରକାର କରେ ନାହିଁ । ମାତ୍ର ଖରାଟିଆ ବିରି ଜଳସେଚନ ଦରକାର କରେ । ସେଗୁଡିକ ହେଲା ବୁଣା ସମୟରେ, ବୁଣିବାର ୧୮-୨୦ ଦିନପରେ, ଫୁଲ ଧରିବା ସମୟରେ ଓ ଛୁଇଁ ପାଳକ ହେବା ସମୟରେ । ଏଥି ମଧ୍ୟରୁ ଦୁଇଟି ଜଳସେଚନ ନିଶ୍ଚିତ ଭାବେ ଦରକାର । ଜଳସେଚନ ଜନିତ ସଙ୍କଟ କାଳୀନ ଅବସ୍ଥା ହେଲା ଫୁଲ ଧରିବା ଓ ଦାନା ପୂରଣ ହେବା । ପାଣି ଅଧିକ ହେଲେ ଫସଲ ଭଲ ବଢି ପାରେ ନାହିଁ ଏବଂ ଅମଳ ମଧ୍ୟ କମିଯାଏ ।

  • ଅମଳ
  • ଛୁଇଁ ଅଧିକ ପାକଳ ହୋଇଗଲେ ଫାଟିଯାଏ ଏବଂ ମଞ୍ଜି ବାହାରି ଜମିରେ ପଡ଼ିଯାଏ । ତେଣୁ ଛୁଇଁ ୮୦ ଭାଗ ପାଚିଲେ ଅମଳ କରିନେବା ଭଲ । ଅମଳପରେ ମଞ୍ଜିକୁ ଭଲଭାବରେ ଖରାରେ ଶୁଖାଇଦେଲେ ଏହା ନଷ୍ଟ ହୋଇଯାଏ ନାହିଁ ଏବଂ ଶତକଡା ୧୦ ଭାଗରୁ କମ ଜଳୀୟ ଅଂଶ ରହିଥାଏ ।

ଆଧାର -"The Plant List: A Working List of All Plant Species".

Last Modified : 6/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate