অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଅଳ କିସମ କୋବି ଚାଷ ପାଇଁ ଚାରା ପ୍ରସ୍ତୁତି

ଫୁଲକୋବି ଏକ ଶୀତଦିନିଆ ପରିବା । ସମତଳ ଅଞ୍ଚଳରେ ଏହା ଚାଷ କରାଯାଏ । କିନ୍ତୁ ଉଚ୍ଚ ପାହାଡିଆ ଅଞ୍ଚଳରେ ବର୍ଷସାରା ଫୁଲକୋବି ଚାଷ କରାଯାଇ ପାରିବ । ସାଧାରଣତଃ କୋବିଚାଷ ବର୍ଷସାରା ହୋଇପାରିବ । କିନ୍ତୁ ସଅଳ କିସମର କୋବି ଚାଷକରି ଚାଷୀଭାଇ ମାନେ ଅଧିକ ଉତ୍ପାଦନ କରିବା ସହ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟାଇ ପାରିବେ ।

ଫୁଲକୋବି ଏକ ସୁସ୍ଵାଦୁ ଏବଂ ରୁଚିକର ପରିବା । ଏଥିରେ ପ୍ରଚୁର ପରିମାଣର ପୃଷ୍ଟିସାର, ଅନେକ ଧାତବ ଲବଣ ଓ ଖାଦ୍ୟସାର କ, ଖ, ଗ ମିଳିଥାଏ । ଏହାକୁ ଉଭୟ ସାଲାଡ ଏବଂ ତରକାରି ଅବସ୍ଥାରେ ଖାଇହୁଏ । ପ୍ରକ୍ରିୟାକରଣ କରି ଫୁଲକୋବିକୁ ସାଇତା ଯାଇପାରେ ।

କିସମ

ଜଳବାୟୁ ଅନୁସାରେ ଫୁଲକୋବି କିସମକୁ ୩ଭାଗରେ ବିଭକ୍ତ କରାଯାଇଅଛି- ସଅଳ କିସମ, ବିଳମ୍ବ କିସମ ଏବଂ ବିଳମ୍ବ କିସମ । ସଅଳ କିସମରେ କମ ଦିନରେ ଫୁଲ ଆସେ । ଫୁଲଗୁଡିକ ଛୋଟ ଆକାରର । ସଅଳ କିସମଗୁଡିକ ହେଲା- ପୁଷା କଟକୀ, ପୁଷା ଦୀପାଳୀ, ସହଳ ପାଟଣା, ୟାର୍ଲି କୁଆଁରୀ । ଆମ ରାଜ୍ୟରେ ପାହାଡିଆ ଅଞ୍ଚଳରେ ବର୍ଷାଦିନେ ସଅଳ କିସମଗୁଡିକ ଚାଷ କରିବା ।

ବିହନ ବିଶୋଧନ ଓ ଚାରା ପ୍ରସ୍ତୁତି

ସାଧାରଣତଃ ତଳିଘେରାର ଆକାର ୩-୫ ମିଟର ଲମ୍ବ, ୧ମିଟର ଓସାର ଏବଂ ୧୫-୨୦ ସେମି ଉଚ୍ଚ ରଖାଯାଏ । ଦୁଇଟି ତଳିଘେରା ମଧ୍ୟରେ ୩୦-୪୫ସେମି ବ୍ୟବଧାନ ରଖିବା ଦରକାର । ୧ଏକର ଜମିରେ ଫସଲ କରିବା ପାଇଁ ୪୦ବର୍ଗମିଟର ତଳିଘେରା ଆବଶ୍ୟକ । ମାଟିକୁ ଭଲଭାବରେ ଗୁଣ୍ଡକରି ୫୦ଗ୍ରାମ ୧୫:୧୫:୧୫ ସାର ଏବଂ ଉଚ୍ଚ ନହେବା ପାଇଁ ୫୦ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ବିହନ ବୁଣିବାର ୭ଦିନ ପୂର୍ବରୁ ମିଶାଇ ଦିଅନ୍ତୁ । ଗୋଟିଏ ଏକର ଫୁଲକୋବି ଚାଷକରିବା ପାଇଁ ୨୦୦ଗ୍ରାମ ବିହନ ଆବଶ୍ୟକ । ତଳି ଉତାରିବା ପୂର୍ବରୁ ବିହନକୁ ବିଶୋଧନ କରାଯାଏ । ପ୍ରତି କେଜି ବିହନ ପ୍ରତି ୨ଗ୍ରାମ ଥିରାମ ବ୍ୟବହାର କରାଯାଏ । ଏହାଦ୍ୱାରା ତଳିଘେରାରେ ଫୁଲକୋବି ଚାରା ପଚେ ନାହିଁ । ଫୁଲକୋବି ତଳି ବର୍ଷସାରା ଆବଶ୍ୟକ ଅନୁସାରେ ଉତ୍ପାଦନ କରାଯାଇପାରିବ । ୧ମିଟର ଓସାର, ୩ମିଟର ଲମ୍ବ ଏବଂ ୬ଇଞ୍ଚ ଉଚ୍ଚ ତଳି ଘେରାରେ ବିହନ ବୁଣନ୍ତୁ । ବିହନଗୁଡିକୁ ୫ସେଣ୍ଟିମିଟର ଦୂରତାରେ ଧାଡିରେ ବୁଣାଯାଏ । ମଞ୍ଜି ବୁଣିବା ପରେ ପଲିଥିନ, ଚଦର କିମ୍ବା ନଡାରେ ଘୋଡାଇ ଦିଆଯାଏ । ଏହାଦ୍ୱାରା ମଞ୍ଜି ଭଲ ଗଜାହୁଏ । ମଞ୍ଜି ଗଜା ହେବା ପରେ ଘୋଡା ଯାଇଥିବା ପଲିଥିନ ଚଦର କିମ୍ବା ନଡାକୁ ବାହାର କରିଦିଅନ୍ତୁ । ତଳିଗୁଡିକୁ ନୀରୋଗ ରଖିବା ପାଇଁ ଇଣ୍ଡୋଫିଲ ୩-୪୫ ପ୍ରତି ଲିଟର ପିଛା ୪ଗ୍ରାମ ମିଶାଇ ତଳିଘେରାରେ ପକାନ୍ତୁ । ତଳିଘେରାରେ ପାଣି ନ ଥିଲା ବେଳେ ଝରା ବ୍ୟବହାର କରିବା ଆବଶ୍ୟକ ।

ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଠିକ୍ ସମୟରେ ଚାରା ଉତ୍ପାଦନ ହୋଇପାରେ ନାହିଁ । ତେଣୁ ବନ୍ୟା ଅଞ୍ଚଳରେ ଭାଡିକରି ତଳିଘେରା ପ୍ରସ୍ତୁତ କରାଯାଇପାରେ । ସାଧାରଣତଃ ୩.୫ ମିଟର ଲମ୍ବ, ୧ମିଟର ଓସାର ଏବଂ ୧ମିଟର ଉଚ୍ଚତା ବିଶିଷ୍ଟ ବାଉଁଶ ଭାଡିକରି ବ୍ୟବହାର କରାଯାଇପାରିବ ଏବଂ ବର୍ଷାଦାଉରୁ ରକ୍ଷା କରାଯାଇପାରିବ ।

ଚାରାର ପରବର୍ତ୍ତୀ ଯତ୍ନ

ସୂର୍ଯ୍ୟକିରଣ ପଡିବା ପାଇଁ ଚାରା ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବା ଆବଶ୍ୟକ । ଚାରାର ପତ୍ର ଟାଣ ହେବା ପରେ (ବୁଣିବାର ୧୫ଦିନ ପରେ) କ୍ୟାଲସିୟମ ନାଇଟ୍ରେଟ (୨ଗ୍ରାମ) ପଟାସିୟମ ନାଇଟ୍ରେଟ(୨ଗ୍ରାମ) ଓ ସିଙ୍ଗଲ ସୁପର ଫସଫେଟ(୧୦ଗ୍ରାମ) ୧ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ । ଚାରା ଉପାଡିବାରେ ୧୫ଦିନ ପୂର୍ବରୁ କାର୍ବୋଫୁରାନ ବା ଫୁରାଡନ (୫୦ଗ୍ରାମ ପ୍ରତି ବର୍ଗମିଟର) ପ୍ରୟୋଗ କଲେ ରୋଗ ପୋକ କମିଯାଏ ।

ଜଳସେଚନ

ଆବଶ୍ୟକତା ଅନୁସାରେ ଝରା ସାହାଯ୍ୟରେ ଜଳସେଚନ କରନ୍ତୁ । ଯେପରି ଚେର ମୂଳରେ ପାଣିଜମି ରହିବନି । ପାଣି କମିଲେ ମୂଳଶଢା ରୋଗ ହେବାର ଆଶଙ୍କା ଅଧିକ ଥାଏ । ଚାରା ଉପାଡିବାର ୭ଦିନ ପୂର୍ବରୁ ଜଳସେଚନ ବନ୍ଦକରି ଏବଂ ଉତ୍ତାପ କମାଇଦେଲେ ଚାରା ଟାଣ ହୋଇଯିବ । ଚାରା ଉପାଡିବା ପୂର୍ବରୁ ଭଲ ଭାବରେ ଜଳସେଚନ କରି ଚାରା ଉପାଡନ୍ତୁ । ଚେରଗୁଡିକୁ ବାଭିଷ୍ଟିନ ଦ୍ରବଣରେ (୧୦ଗ୍ରାମ ପ୍ରତି ଲିଟର ପାଣି) ୫-୧୦ ମିନିଟ ଭିଜାଇ ମୁଖ୍ୟ ଜମିରେ ରୋପଣ କରନ୍ତୁ ।

ତଳିଘେରରେ ରୋଗ ଓ ପୋକ ପରିଚାଳନା

ମୂଳଶଢା- ଏଥିରେ ଗଛର ମୂଳ ଓ କାଣ୍ଡ ଶଢିଯାଏ ଏବଂ ଗଛ ମରିଯାଏ । ଏହି ରୋଗ ହେଲେ ବାଭିଷ୍ଟିନ (୧.୫ଗ୍ରାମ) କିମ୍ବା କ୍ୟାପଟାନ (୨ଗ୍ରାମ) କିମ୍ବା ଥିରାବ (୨ଗ୍ରାମ) ପ୍ରତି ଲିଟର ପାଣିରେ ମିଶାଇ ମାଟିରେ ସ୍ପ୍ରେ କରନ୍ତୁ ।

ପାଉଁଶିଆ ରୋଗ- ପତ୍ର ଡେମ୍ଫରେ ପାଉଁଶ ରଙ୍ଗର ଚିହ୍ନ ଦେଖାଯାଏ ଏବଂ ପତ୍ର ଝଡିପଡେ । ଏହି ରୋଗରେ ପ୍ରତିକାର ପାଇଁ ୨ଗ୍ରାମ ୱେଟବୁଲ ସଲଫର ୧ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ପତ୍ରଦାଗ ରୋଗ- ତଳିଘେରାରେ ପତ୍ରଦାଗ ରୋଗ ଦେଖାଦେଲେ ୨ଗ୍ରାମ ବାଭିଷ୍ଟିନ କିମ୍ବା ୩ଗ୍ରାମ ମାନକୋଜେନ ୧ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

ଜଉପୋକ- ତଳିଘେରାରେ ୦.୨ ଗ୍ରାମ ଏସିଟାମିପ୍ରିଡ କିମ୍ବା ୦.୨ ଗ୍ରାମ ଥାୟୋମେଥୋକଜାମ ସ୍ପ୍ରେ କରନ୍ତୁ । ୨ମିଲି ନିମତେଲ କିମ୍ବା କରଞ୍ଜ ତେଲ ସ୍ପ୍ରେ କରନ୍ତୁ ।

ଆଧାର: ଫାର୍ମ ମ୍ୟାନେଜର, କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate