ସଜନାର ଅପରିପକ୍ଵ ଫଳଗୁଡିକ ସ୍ଵାଦିଷ୍ଟ ଏବଂ ଏକ ଉତ୍ତମ ପରିବା ।ଏହାର ପତ୍ରକୁ ଶାଗ ରୂପେ ବ୍ୟବହାର କରାଯାଏ । ଫଳ ଓ ପତ୍ର ଉଭୟରେ ପ୍ରଚୁର ପରିମାଣର ‘କ’ ଓ ‘ଖ’ ଖାଦ୍ୟପ୍ରାଣ ଏବଂ ଲୌହ ପ୍ରଭୃତି ପ୍ରଭୃତି ଅନେକ ଲବଣ ଅଛି ।
ଆର୍ଦ୍ର ଓ ଉଷ୍ମ ଜଳବାୟୁରେ ସଜନା ଗଛ ଭଲ ବଢେ । ବର୍ଷା ଉପରେ ନିର୍ଭର କରି ସଜନା ଚାଷ କରାଯାଇପାରିବ । ବେଶୀ ଥାନଦା ଅଞ୍ଚଳରେ ସଜନା ଭଲ ବଢେ ନାହିଁ ।
ଫଳର ଆକୃତି ଓ ଦୈର୍ଘ୍ୟ ଅନୁସାରେ ବିଭିନ୍ନ ପ୍ରକାର କିସମ ଦେଖାଯାଏ । ଆମ ଓଡିଶାରେ ଦେଖାଯାଉଥିବା କିସମଗୁଡିକ ବହୁ ବର୍ଷ ବଞ୍ଚିଥାଏ । ଫଳ ଆସିବାକୁ ଡେରି ଲାଗେ । କିନ୍ତୁ ତାମିଲନାଡୁ କୃଷି ବିଶ୍ଵବିଦ୍ୟାଳୟ ଦ୍ଵାରା ବାହାର କରାଯାଇଥିବା ପିକେଏମ୍ – ୧ ଏକ ବାର୍ଷିକ ଅଧିକ ଅମଳକ୍ଷମ କିସମ । ଏହା ଏକ ବର୍ଷ ମଧ୍ୟରେ ଅମଳ ଦିଏ । ଜମିରେ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରଖାଯାଇପାରେ । ଏହା ବ୍ୟତୀତ ଜାଫନାଟାଇପ, କୋଡିକାଲ ମୁଡିଙ୍ଗାର, କାଟୁମରିଙ୍ଗାର ପ୍ରଭୃତି ଉତ୍ତମ କିସମ ଅଟେ । ସଜନା ଗଛର ଅଗକୁ ଭାଙ୍ଗି ଦେଲେ ଅନେକ ଶାଖା ପ୍ରଶାଖା ବାହାରି ଗଛଟି ଗୁଳ୍ମ ପରି ଝଙ୍କାଳିଆ ହୁଏ । ଏହା ଫଳରେ ଗଛରୁ ଫଳ ତୋଳିବା ସହଜ ହୋଇଥାଏ ।
ସଜନା ମଞ୍ଜି ଏବଂ ଡାଳ ଦ୍ଵାରା ବଂଶ ବିସ୍ତାର କରାଯାଏ । ପଲିଥିନ ମୁଣିରେ ଖତ ମାଟି ଭର୍ତ୍ତି କରି ସେଥିରେ ଗୋଟିଏ ବା ଦୁଇଟି ମଞ୍ଜି ପୋତା ଯାଏ । ମୁଣିରେ ସୁସ୍ଥ ସବଳ ଗଛ ଉତ୍ତରା ଯାଏ । ଏକ ଏକର ସଜନ ଚାଷ ପାଇଁ ୬୦୦ ରୁ ୭୦୦ ଗ୍ରାମ୍ ବିହନ ଦରକାର ହୋଇଥାଏ । ସିଧାସଳଖ ଜମିରେ ଗାତା ପ୍ରସ୍ତୁତ କରି ବିହନ ଲଗାଯାଇପାରେ । ବର୍ଷା ଦିନେ ଡାଳ ଲଗାଇ ଗଛ କରାଗଲେ ଗଛରେ ଶୀଘ୍ର ଫଳ ଆସେ । ସାଧାରଣତଃ ୪୦ଦିନର ଚାରା ଲଗାଯାଏ ।
ଜମିକୁ ଭଲ ଭାବେ ଚାଷ କରି ୮ ଫୁଟ ଦୂରତାରେ ଏବଂ ଦେଢ ଫୁଟ ଲମ୍ବା- ଚଉଡା- ଗଭୀରତାରେ ଗାତା ଖୋଳାଯାଏ । ପ୍ରତି ଗାତରେ ଦୁଇ ଝୁଡି ଭଲ ସଢା ଗୋବରଖତ ପ୍ରୟୋଗ କରାଯାଏ । ପ୍ରତି ଗାତରେ ଗୋଟିଏ ଚାରା ଲଗାଯାଏ । ଚାରାକୁ ଜୁଲାଇ ଠାରୁ ଡିସେମ୍ବର ମାସ ମଧ୍ୟରେ ଲଗାଯାଏ । ପ୍ରତି ଗାତରେ ଯେପରି ଗୋଟିଏ ଗଛ ବଞ୍ଚି ରହେ ସେଥିପାଇଁ ଧ୍ୟାନ ଦିଆଯାଏ । ଗଛ ମୂଳରୁ ଅନାବନା ଗଛ ସଫା କରି କୋଡାଖୁସା କରାଯାଏ । ଚାରାଗୁଡିକ ଚାରି ପାଞ୍ଚ ଫୁଟ ବଢିବା ପରେ ଅଗଟିକୁ ଛିଣ୍ଡାଇ ଦିଆଯାଏ । ପ୍ରତି ୧୫ ଦିନ ଅନ୍ତରରେ ଘାସ ସଫା କରାଯାଇ ଗଛମୂଳକୁ କୋଡାଖୁସା କରାଯାଇଥାଏ । ଦ୍ଵିତୀୟ ବାର ପୁଣି ଥରେ ନୂଆ ଡାଳର ଅଗକୁ ଛିଣ୍ଡାଇ ଦେଲେ ଗଛଟି ସିଧା ନ’ବଢି ବହୁତ ଶାଖପ୍ରଶାଖା ମେଲିଥାଏ ।
ଫୁଲ ଓ ଫଳ ଆସିବା ପୂର୍ବରୁ ପ୍ରତି ଗାତରେ ଦୁଇ ଝୁଡି ସଢା ଗୋବରଖତ ସହିତ ୧୦୦ ଗ୍ରାମ୍ ୟୁରିଆ, ୨୦୦ ଗ୍ରାମ୍ ସୁପରଫସଫେଟ୍, ୫୦ ଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ଓ ୧୦୦ ଗ୍ରାମ୍ ନିମ ପିଡିଆ ଦିଆଯାଏ ।
ଜଳସେଚନ
ଜମିର ଆରଦ୍ରତା ଦେଖି ଖରା ମାସରେ ଦୁଇ ତିନି ଥର ଜଳସେଚନ କରାଯାଏ । ବାଡିରେ ଲାଗିଥିବା ସଜନା ଗଛକୁ ଜଳସେଚନ କରାଯାଏ ନାହିଁ । ମୃତ୍ତିକା ଅତ୍ୟଧିକ ଶୁଷ୍କ ହେଲେ ଜଳସେଚନ କରା ନ’ଗଲେ, ଫଳ ଅମଳ କମିଯାଏ ।
କାଣ୍ଟଛାଣ୍ଟ
ପୁରୁଣା ସଜନାଗଛକୁ ବର୍ଷା ଋତୁ ପୂର୍ବରୁ କାଣ୍ଟଛାଣ୍ଟ କରାଯାଏ । ଏହା ଦ୍ଵାରା ଅଧିକ ନୂଆ ଶାଖା ବାହାରି ଅଧିକ ଫୁଲଫଳ ଧରେ ବିଶେଷତଃ ସାଧାରଣ କିସମ ଗଛରେ ଏଭଳି କାଣ୍ଟଛାଣ୍ଟ ପ୍ରତିବର୍ଷ ନିତାନ୍ତ ଆବଶ୍ୟକ ।
ରୋଗପୋକ ନିୟନ୍ତ୍ରଣ
ସଜନାରେ ଫଳବିନ୍ଧା ପୋକ ଓ ସଂବାଳୁଆ ବିଶେଷ କ୍ଷତି କରିଥାଆନ୍ତି । ସଂବାଳୁଆଗୁଡିକ ସକାଳ ବେଳା କାଣ୍ଡରେ ଜମା ହୋଇ ବିଶେଷ କ୍ଷତି କରିଥାଆନ୍ତି । ଏହି ଅବସ୍ଥାରେ ନିଆଁ ହୁଲା ଦେଖାଇ ମାରିବା ଶଜା କିମ୍ବା କୀଟନାଶକ ଯଥା : ରୋଗର, ମନୋକ୍ରୋଟଫସ୍ ବା ମାଲାଥିୟମ ୨ ମି.ଲି. କୁ ଏକ ଲିଟର ପାଣିରେ ମିଶାଇ ସିଂଚନ କରାଯାଏ । ଲୁଗା ସଫା ଡିଟରଜେଣ୍ଟକୁ ପାଣିରେ ଗୋଳାଇ ପୋକ ଗୁଡିକ ଉପରେ ପକାଇଲେ ସେଗୁଡିକ ନଷ୍ଟ ହୋଇଯାଆନ୍ତି ।
ପତ୍ରପୋଡା ବା ବ୍ଲାଇଟ ରୋଗ ଦ୍ଵାରା ପତ୍ର ଓ ଫଳର ଅଗ୍ରଭାଗ ପୋଡିଯାଏ । ଏହାକୁ ଦମନ କରିବାକୁ ଏଣ୍ଡୋଫିଲ୍ – ଏମ୍ ୪୫ କୁ ୪ ଗ୍ରାମ୍ ହିସାବରେ ଏକ ଲିଟର ପାଣିରେ ମିଶାଇ ସିଞ୍ଚନ କରାଯାଏ ।
ଅମଳ
ସଜନା ଛୁଇଁଗୁଡିକୁ ପାକଳ ହେବା ପୂର୍ବରୁ ତୋଳାଜାଏ । ପିକେଏମ୍ – ୧ କିସମ ଗଛରୁ ୬ ମାସ ପରେ ଅମଳ ମିଳିଥାଏ । ଗୋଟିଏ ଗଛରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ଛୁଇଁ ତୋଳାଯାଇଥାଏ । ଦେଶୀ କିସମଗୁଡିକରୁ ଗଛର ଶାଖାପ୍ରଶାଖା, ଆକୃତି ଓ ବୟସକୁ ନେଇ ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ଛୁଇଁ ମିଳିଥାଏ । ଦେଶୀୟ ସଜନାରେ ବର୍ଷରେ ତିନିଥର ଫୁଲଫଳ ଆସେ । ବର୍ଷର ଅଧିକାଂଶ ସମୟରେ ଫଳ ଅମଳ କରାଯାଇଥାଏ ।ଆଧାର – ଓଡିଶା ଜଳବିଭାଜିକା ଉନ୍ନୟନ ମିଶନ
Last Modified : 12/30/2019