ହୋମ / କୃଷି / ଶସ୍ୟ ଉତ୍ପାଦନ / ସମନ୍ଵିତ ମତ୍ସ୍ୟ – ଉଦ୍ୟାନିକ ଚାଷ
ସେଆର କରନ୍ତୁ

ସମନ୍ଵିତ ମତ୍ସ୍ୟ – ଉଦ୍ୟାନିକ ଚାଷ

ସମନ୍ଵିତ ମତ୍ସ୍ୟ – ଉଦ୍ୟାନିକ ଚାଷ ର ସୂଚନା

ଉପକ୍ରମ

ସମନ୍ଵିତ ଚାଷ ପଦ୍ଧତିରେ ଗୋଟିଏ ମୁଖ୍ୟ ଚାଷ ବୃତ୍ତି ସହ ଅନେକ ଆନୁସଙ୍ଗିକ ଚାଷର ସମନ୍ଵୟ କରାଯାଏ ଯାହା ଦ୍ଵାରା ଚାଷୀ ଅନେକ ପ୍ରକାର ଚାଷ କରି ବଜାର ଦର ହ୍ରାସ ବୃଦ୍ଧିରୁ ରକ୍ଷା ପାଇବା ସହ ଅଧିକ ଅର୍ଥ ଉପାର୍ଜନ କରିପାରେ   । ପୋଖରୀ ଆଧାରିତ ସମନ୍ଵିତ ଚାଷ ପୋଖରୀ ବହୁଳ ଗ୍ରାମାଞ୍ଚଳ ଚାଷୀ ମାନଙ୍କର ଜୀବିକା ଉପାର୍ଜନ ପାଇଁ ଏକ ଅନ୍ୟାନ୍ୟ ପନ୍ଥା  । ଏହି ପ୍ରକାର କସ ଅଧିକ ଓ ବିବିଧ ଉତ୍ପାଦ ଦେବା ସଙ୍ଗେ ସଙ୍ଗେ ଅଧିକ କର୍ମନିଯୁକ୍ତି ଦେଇଥାଏ  ଓ ଚାଷୀର ଆର୍ଥିକ ସ୍ଥିତିକୁ ସୁଦୃଢ କରି ଜୀବିକାରେ ଉନ୍ନତି ମଧ୍ୟ ଆଣିଥାଏ  । ପୋଖରୀ ଥିବା ଚାଷୀମାନେ ପୋଖରୀ ମାନଙ୍କରେ ମତ୍ସ୍ୟ ଚାଷ ସହ ସମନ୍ଵିତ ଭାବେ ଉଦ୍ୟାନିକ ଚାଷ କରି ଅଧିକ ଲାଭବାନ ହୋଇପାରିବେ   ।  ସମନ୍ଵିତ ମତ୍ସ୍ୟ ଉଦ୍ୟାନିକ ଚାଷର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୋଖରୀରେ ମତ୍ସ୍ୟ ଚାଷ ସହ ଏକ ବନ୍ଧ ଉପର , ଭିତର ଓ ବାହାର ଭାଗ ଓ ଚତୁଃପାର୍ଶ୍ଵରେ ରହିଥିବା ଜମିକୁ ଉଦ୍ୟାନିକ ଚାଷରେ ଲଗାଇ ଉତ୍ପାଦନ ବୃଦ୍ଧିକରିବା   ।  ଏହି ପରକାର ସମନ୍ଵିତ ଚାଷରେ ଫଳ , ପନିପରିବା ଓ ଫୁଲ ଇତ୍ୟାଦିରେ ଚାଷ କରାଯାଇପାରିବ   । ପୋଖରୀ ଚତୁଃପାର୍ଶ୍ଵରେ ବଢୁଥିବା ଘାସ ଓ ଅନାବନା ଗଛକୁ ନିୟନ୍ତ୍ରଣ କରିବା ସମୟ ସାପେକ୍ଷ ଓ ବ୍ୟୟସାପେକ୍ଷ କିନ୍ତୁ ସେହି ସ୍ଥାନରେ ପନିପରିବା ଓ ଫଳ ଚାଷ କରି ସ୍ଥାନରେ ସଦବିନିଯୋଗ କରିବା ପୋଖରୀ ପରିବେଶକୁ ସଫା ଓ ସୁନ୍ଦର କରିହେବ   ।

ସମନ୍ଵିତ ଚାଷ ପ୍ରଣାଳୀ

ପୋଖରୀ ହୁଡାର ଆକର , ପ୍ରକାରଭେଦ , ଗଠନ ଓ ଚତୁଃପାର୍ଶ୍ଵରେ ରହିଥିବା ଜମିକୁ ନେଇ ଉଦ୍ୟାନିକ ଚାଷ କରାଯାଇପାରିବ   ।  ଏହି ସ୍ଥାନରେ ବିଭିନ୍ନ ପନିପରିବା ଯଥା  : ବନ୍ଧାକୋବି , ଫୁଲକୋବି , ବାଇଗଣ , ତମାଟୋ , ଧନିଆ , ବିନସ , ଲାଉ ପିଆଜ , ଖଡାଶାଗ ,କଲରା ,  ଭେଣ୍ଡି , ଲଙ୍କା ପ୍ରଭୁତି ଓ ଫଳଛଡ଼ା ଯଥା  : ଆମ୍ବ , ପିଜୁଳି , ଲେମ୍ବୁ, ଅମୃତଭଣ୍ଡା , ସଜନା ସପୁରି , କଦଳୀ ପ୍ରଭୁତି ଚାଷ କାଯାଇପାରିବ   । ସେହିପରି ଗାଁ ମାନଙ୍କରେ ଥିବା ରଙ୍ଗୀନ ମତ୍ସ୍ୟ କୁଣ୍ଡ ସହ ମଧ୍ୟ ଉଦ୍ୟାନିକ ଚାଷ କରାଯାଇପାରିବ   । ରଙ୍ଗୀନ ମତ୍ସ୍ୟ ଉତ୍ପାଦନ କରାଯାଉଥିବା ବେଳେ ଏହାର ନିର୍ଗତ ପାଣିର ସଦୁପଯୋଗ କରି ଚତୁଃପାର୍ଶ୍ଵରେ ଫଳ ଓ ପନିପରିବା ଉଦ୍ୟାନିକ ଚାଷ କରି ସୁଫଳ ମିଳିପାରିବ   ।

ପୋଖରୀ ଚତୁଃପାର୍ଶ୍ଵରେ ଉଦ୍ୟାନିକ ଚାଷ

ପୋଖରୀ ଥିବା ଚାଷୀମାନେ ପୋଖରୀ ହୁଡାର ଆକାର ଗଠନକୁ ନେଇ ଉଦ୍ୟାନିକ ଚାଷ ଯୋଜନା ପ୍ରସ୍ତୁତ କରିପାରିବ   ।

ପୋଖରୀ ହିଡର ପ୍ରସ୍ଥ ଯଦି  ୪ ମିଟରରୁ ଉର୍ଦ୍ଧ୍ଵ ଥାଏ ତେବେ ଏହି ସ୍ଥାନର ଦୁଇ ତୃତୀୟାଂଶ ଭାବରେ ପନିପରିବା ଚାଷ କରିବା ସହ ହିଡର ଉଭୟ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅମୃତଭଣ୍ଡା ଓ କଦଳୀ ଚାଷ କରାଯାଇପାରିବ   ।  ବିଭିନ୍ନ ଜାତୀୟ ପନିପରିବା ଯଥା କଳମଶାଗ, ଖଡା ,  ମୂଳା ଭେଣ୍ଡି , ଫୁଲକୋବି, ବନ୍ଧାବୋବୀ  , ଧନିଆ ପ୍ରଭୁତି ଚାଷ କରାଯାଇ ଅମଳ ବୃଦ୍ଧି କରାଯାଇପାରିବ   ।

ପୋଖରୀ ହିଡର ପ୍ରସ୍ଥ ଯଦି  ୨-୫ ମିଟର ପର୍ଯ୍ୟନ୍ତ ଥାଏ , ସେଠାରେ ଅଧିକ ଦିନିଆ ଶସ୍ୟ ଯଥା ବିନସ , ଜହ୍ନି , ଭେଣ୍ଡି , ଅମୃତଭଣ୍ଡା , ତମଟୋ , ବାଇଗଣ,  ଲଙ୍କା ପ୍ରଭୁତି ଚାଷ କରାଯାଇପାରେ  । ସ୍ଥାନ ପ୍ରସସ୍ଥ ହେତୁ ସପୁରିକୁ ଅନ୍ତଃ ଚାଷ ଭାବେ ଚାଷ କଲେ ଅଧିକ ଲାଭ ମିଳିଥାଏ   ।

ପୋଖରୀ ହିଡର ପ୍ରସ୍ଥ ଯଦି  ୨ ମିଟର ପର୍ଯ୍ୟନ୍ତ ଥାଏ   ସେଠାରେ ହଲ ଏବଂ ଜଳସେଚନର ସୁବିଧା ସଠିକ ଭାବେ ହୋଇପାରିନଥାଏ   ।  ଏହିପ୍ରକାର ହୁଡାରେ ଛୋଟ ପଟାଳି ପ୍ରସ୍ତୁତ କରି ସେଥିରେ ଲାଉ , କୁନ୍ଦୁରୀ , କାଙ୍କଡ , ଲେମ୍ବୁ ,  ଅମୃତଭଣ୍ଡା ପ୍ରଭୁତି ଚାଷ କରାଯାଏ   । ସ୍ଥାନ ଭିତ୍ତିରେ ସାଧାରଣତଃ ଅମୃତଭଣ୍ଡା ଗଛ ସମନ୍ଵିତ ଭାବେ ଅନେକ ସ୍ଥାନରେ ଚାଷ କରାଯାଉଛି  ।

କେତେକ ସ୍ଥାନରେ ଗ୍ରୀଷ୍ମ ଋତୁରେ ପୋଖରୀଗୁଡିକ ଶୁଖିବାକୁ ଆରମ୍ଭ କରେ   । ପୋଖରୀରେ ଜଳ ଶୁଖିଗଲେ ସୁଧା ଏହାର ତଳସ୍ତର କିଛି ମାତ୍ରାରେ ଜଳୀୟ ଭାଗ ଧାରଣ କରିଥାଏ  । ଯାହାକି ଶାଗଜାତୀୟ ଚାଷ ପାଇଁ ଉପଯୁକ୍ତ ହୋଇଥାଏ   ।  ଏହି ମାଟିକୁ କୋଦାଳ ସାହାଯ୍ୟରେ ସାମାନ୍ୟ ଖୁଷେଇ କୋଶଳା  , ଲେଉଟିଆ ,  କଳମ , ଧନିଆ ପ୍ରଭୁତି ଶାଗଜାତୀୟ ଚାଷ କରାଯାଇପାରେ   ।  ଯାହାକି  1-2 ମାସ ମଧ୍ୟରେ ଅମଳ କରି ଚାଷୀମାନେ ଅଧିକ ଲାଭ ପାଇବାକୁ ସମର୍ଥ ହେବା ସହ ପରିବାରର ପୃଷ୍ଟି ନିରାପତ୍ତାରେ ସହାୟକ ହୋଇପାରିବ   ।

ପୋଖରୀ ପାର୍ଶ୍ଵବର୍ତ୍ତୀ ସ୍ଥାନରେ ଉଦ୍ୟାନିକ ଚାଷ

ଯେଉଁ ଚାଷୀମାନଙ୍କର ନିଜର ପୋଖରୀ ନିକଟବର୍ତ୍ତୀ ସ୍ଥାନରେ ଜମି ବା ଖାଲି ପଡିଆ ଥାଏ   , ସେଥିରେ ସମନ୍ଵିତ ଭାବେ ପନିପରିବା ଚାଷ କରାଯାଇପାରୁଛି   ।  ଏହି ସ୍ଥାନଗୁଡିକ ପୋଖରୀ ଜଳ ଦ୍ଵାରା ସାମାନ୍ୟ ସନ୍ତସନ୍ତିଆ ଥାଏ   ।  ଏହାଦ୍ଵାରା ଗଛକୁ ଜଳସେଚନ ପାଇଁ ଅଧିକ ପ୍ରୟୋଜନ ନଥାଏ  ।  ସେହି ଜମିର ସାମାନ୍ୟ ଦୂରବର୍ତ୍ତୀ ସାଥାନରେ ପୋଖରୀରୁ ଜଳ ନେଇ ଦେବାର ମଧ୍ୟ ଯଥେଷ୍ଟ ସୁବିଧା ହୋଇଥାଏ   । ଏହି ସ୍ଥାନରେ ଋତୁ ଭିତ୍ତିରେ ବିଭିନ୍ନ ପନିପରିବା ଯଥା – ଫୁଲକୋବି, ବନ୍ଧାକୋବି , ଲଙ୍କା,  ବାଇଗଣ ଚାଷ କରାଯାଇପାରୁଛି   ।

ରଙ୍ଗୀନ ମତ୍ସ୍ୟ ସହ ସମନ୍ଵିତ ଉଦ୍ୟାନିକ ଚାଷ

ଗ୍ରାମୀଣ ଜୀବିକାରେ ଚିରନ୍ତର ବିକାଶ ପାଇଁ ବିଭିନ୍ନ ଗ୍ରାମରେ ରଙ୍ଗୀନ ମତ୍ସ୍ୟ ଚାଷ କରାଯାଉଛି  ।  ଏହି ଚାଷରେ  10-12 ଟି କୁଣ୍ଡକୁ ନେଇ ଗୋଟିଏ ଲେଖାଏଁ ୟୁନିଟ ଗଠନ କରାଯାଇତାହେ   । ଚାଷୀମାନେ ଏହି ଚାଷରେ ରଙ୍ଗୀନ ମତ୍ସ୍ୟ ଉତ୍ପାଦନ କରି ଲାଭବାନ ହେବାସହ କୁଣ୍ଡରୁ ନିର୍ଗତ ଜଳର ସଦୁପଯୋଗ ନିମିତ୍ତ ଚତୁଃପାର୍ଶ୍ଵରେ ଫଳ ଓ ପନିପରିବା ଚାଷ କରି ଲାଭବାନ ହୋଇପାରୁଛନ୍ତି   । ବାର୍ଷିକ ଫଳଛଡ଼ା  ଯଥା- କଦଳୀ , ଅମୃତଭଣ୍ଡା , ସପୁରି , ପ୍ରଭୁତି ଦୂରତା ଭିତ୍ତିରେ ଚତୁଃପାର୍ଶ୍ଵରେ ରୋପଣ କରାଯାଏ   । ଫଳଛଡ଼ା ରୋପଣ ବ୍ୟତୀତ ପାର୍ଶ୍ଵବର୍ତ୍ତୀ ସ୍ଥାନରେ ପରିବାରର ପୃଷ୍ଟି ନିରାପତ୍ତା ସକାଶେ ପନିପରିବା ଚାଷ ମଧ୍ୟକରାଯାଉଅଛି   । ଏଥିପାଇଁ ଆବଶ୍ୟକ ମୁତାବକ ଜଳ ମଧ୍ୟ କୁଣ୍ଡରୁ ମିଳିପାରିଥାଏ   ।

ରୋପଣ

ପୋଖରୀ ଚତୁଃପାର୍ଶ୍ଵରେ ଫଳଛଡ଼ା ରୋପଣ କରିବାକୁ ହେଲେ ଏହାର ଚତୁଃପାର୍ଶ୍ଵ ହୁଡା ପ୍ରଥମେ ସଫା ରଖିବା ଆବଶ୍ୟକ  ।  ଅନାବନା ଗଛ ବାହାର କରି ମାଟିକୁ ସମତଳ କରାଯାଇତାହେ   । ସମତଳ ପରେ ଫଳଛଡ଼ା ପାଇଁ ଗାତ ପ୍ରସ୍ତୁତ କରାଯାଏ   । ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ଫଳଛଡ଼ା ରୋପଣ କରିବାକୁ ପଡିଥାଏ   । ଫଳଛଡ଼ା ଭିତ୍ତିରେ ଗଛରୁ ଗଛ ରୋପଣ ଦୂରତା ଓ ଗାତର ଆକାର ଭିନ୍ନ ହୋଇଥାଏ   । ଚାରାଗଛ ରୋପଣ ବେଳେ ଗାତର ଠିକ ମଧ୍ୟଭାଗରେ ଲଗାଇବା ଉଚିତ   । ଚାରା ଗଛଗୁଡିକ ଲଗାଇବାର  2-3 ଦିନ ପର୍ଯ୍ୟନ୍ତ ହାଲୁକା ଜଳ ସିଞ୍ଚନ କରିବା ଆବଶ୍ୟକ   ।

ଖତସାର ପ୍ରୟୋଗ

ଭିନ୍ନ ଭିନ୍ନ ଫଳଚାରା ପାଇଁ ଖତସାରର ମାତ୍ରା ଅଲଗା ହୋଇଥାଏ   । ଖତସାର ମାତ୍ରା କମ ବା ବେସୀ ହେଲେ ଏହା ଗଛ ପାଇଁ ହାନୀକାରକ ହୋଇଥାଏ   ।ଅମୃତଭଣ୍ଡା ଗଛରେ ବର୍ଷସାର ଫୁଲ,  ଫଳ ଲାଗି ରହିଥିବାରୁ ଏହା ଅଧିକ ପରିମାଣରେ ଖତସାର ଆବଶ୍ୟକ କରେ   । ଗାତ ଖୋଲିବା ପରେ ଗାତର ଉପରମାଟି ସହ ଭଲ ସଭା ଗୋବର ଖତ 3.1 ଅନୁପାତରେ ଦିଆଯାଏ  । ପ୍ରତି ଗାତରେ  ୫୦୦ ଗ୍ରାମ ଜୈବିକ ସାର ଦେଲେ ଲାଭ ମିଳେ   । ଗଛ ପିଛା  ୨୦୦ ଗ୍ରାମ ୟୁରିଆ ,୨୫୦ ଗ୍ରାମ ସୁପର ଫସଫେଟ,୩୦୦ ଗ୍ରାମ ମ୍ୟୁରେଟ ଅଫ ପଟାସ ଓ ୨୫୦ ଗ୍ରାମ ଜୈବିକ ସାର ଦରକାର   ।  ଏହି ସାରକୁ ପ୍ରତିଦିନ ଦୁଇମାସ ଅନ୍ତରରେ  ୬ ଭାଗରେ ବାଣ୍ଟି ମୂଳରୁ  ୨୫-୩୦ ସେମି ଦୂରରେ ଏବଂ  ୧୦-୧୫ ସେମି ଗଭୀରରେ ମନ୍ଦା କରି ମାଟିରେ ଭଲ ଭାବେ ମିଶାଇ ଦେବା ଉଚିତ  ।

ବାଡବନ୍ଦୀ

ଚାରାରୋପଣ ପରେ ବାଡବନ୍ଦୀ ଉପରେ ଯଥେଷ୍ଟ ନଜର ଦେବାକୁ ପଡିଥାଏ   । ରୋପଣ ପରେ ଗାଈଗୋରୁ ଓ ଅନ୍ୟାନ୍ୟ ଚରାବୁଲା ଜନ୍ତୁଙ୍କ ଠାରୁ ରକ୍ଷା କରିବାକୁ ହେଲେ କାଠ ବା ବାଉଁଶର ପ୍ରସ୍ତୁତ ବାଡ ଦ୍ଵାରା ଆବରଣ କରିବା ଦରକାର   ।

ସଫଳତା କାହାଣୀ

ସମନ୍ଵିତ ଭାବେ ମତ୍ସ୍ୟ ସହ ଉଦ୍ୟାନ କୃଷି କରି ଅନେକ ଚାଷୀ ଲାଭବାନ ହେଲେଣି  । ଯେଉଁ ଚାଷୀଭାଇମାନଙ୍କ ପାଖରେ ପୋଖରୀ ବା ରଙ୍ଗୀନ ମତ୍ସ୍ୟ ଉତ୍ପାଦନ କୁଣ୍ଡ ଅଛି ସେମାନେ ମଧ୍ୟ ଏହି ପ୍ରକର ଚାଷ କରି ଲାଭବନ ହୋଇପାରିବ   ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବଳଦୁଆ ଗ୍ରାମର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସ ସମନ୍ଵିତ ଭାବେ ନିଜର ପୋଖରୀ ଚତୁଃପାର୍ଶ୍ଵରେ ଅମୃତଭଣ୍ଡା ଚାଷ କରି ଅଧିକ ଅର୍ଥ ଉପାର୍ଜନ କରିବାକୁ ସମର୍ଥ ହୋଇପାରିଛନ୍ତି  ।  ନିଜ ଘରର ପାର୍ଶ୍ଵବର୍ତ୍ତୀ ଥିବା ପୋଖରୀ ସମେତ  ୨.୫ ଏକର ପରିମିତ ସ୍ଥାନରେ ସଦୁପଯୋଗ ନିମିତ୍ତ ପୋଖରୀ ହୁଡାରେ ଅମୃତଭଣ୍ଡା ସହ ଅନ୍ତଃ ଚାଷ ଭାବେ ଝୁଡଙ୍ଗ , ପୋଇ, କାକୁଡି , ବାଇଗଣ , ଲଗାଇ ଅଧିକ ଅମଳ ପାଇଛନ୍ତି   । ଅମଳ ଉତ୍ପାଦନକୁ ପରିବାର ଉପଯୋଗ ବ୍ୟତୀତ  ନିକଟସ୍ଥ ହାତ ଓ ବଜାରରେ ବିକ୍ରି କରି ଅଧିକ ଅର୍ଥ ଉପାର୍ଜନରେ ସହାୟକ ହୋଇପାରିଛନ୍ତି   । ସେହି ଗ୍ରାମ ତଥା ପଡୋଶୀ ଗ୍ରାମର ଅନେକ ଚାଷୀଙ୍କ ପାଇଁ ଶ୍ରୀଯୁକ୍ତ ଦାସ ପଥ ପ୍ରଦର୍ଶକ ସାଜିଥିବାବେଳେ ନିଜ ଗ୍ରାମ ତଥା ପଡୋଶୀ ଗ୍ରାମର ଅନ୍ୟ ପୋଖରୀ ଥିବା ଚାଷୀମାନେ ଏହି ପଦ୍ଧତିରେ ଚାଷ କରି ଲାଭବାନ ହେବାକୁ ପ୍ରଚେଷ୍ଟା କରୁଛନ୍ତି   ।

ସମନ୍ଵିତ ମତ୍ସ୍ୟ- ଉଦ୍ୟାନ କୃଷିର ଉପାଦେୟତା

  • ସମନ୍ଵିତ ଉଦ୍ୟାନ କୃଷି ଦ୍ଵାରା ଚାଷୀମାନଙ୍କର ଉତ୍ପାଦନ ବୃଦ୍ଧି ହେବ ଅସହ ଆୟର ନୂତନ ପନ୍ଥା ସୃଷ୍ଟି ହୋଇଛି   ।
  • ପୋଖରୀ ହୁଡା , ପୋଖରୀର ପାର୍ଶ୍ଵବର୍ତ୍ତୀ ସ୍ଥାନ ଏବଂ ରଙ୍ଗୀନ ମତ୍ସ୍ୟ କୁଣ୍ଡର ଚତୁଃପାର୍ଶ୍ଵ ସ୍ଥାନରେ ସଦବିନିଯୋଗ ହୁଏ   ।
  • ପୋଖରୀ ପଙ୍କରେ ଅଧିକ ଜୈବ ପଦାର୍ଥ ଥିବାରୁ ଏହାକୁ ଫଳ ଓ ପନିପରିବା ଗଛରେ ବ୍ୟବହାର କଲେ ସୁଫଳ ମିଳେ ।
  • ପୋଖରୀ ହୁଡାର ମୃତ୍ତିକା କ୍ଷୟରୁ ଗଛର ଚେର ରକ୍ଷା କରିଥାଏ   ।
  • ଏହି ସ୍ଥାନ ଗୁଡିକରେ ଥିବା ଅନାବନା ଗଛର ପ୍ରାଦୁର୍ଭାବକୁ ନିୟନ୍ତ୍ରଣ କରିହୁଏ   ।
  • ରଙ୍ଗୀନମାଛ ଚାଷ କରାଯାଉଥିବା କୁଣ୍ଡକୁ ନିଷ୍କାସିତ ଜଳକୁ ଉଦ୍ୟାନିକ ଚାଷରେ ସଦୁପଯୋଗ କରିହୁଏ   ।
  • ସମନ୍ଵିତ ଉଦ୍ୟାନିକ ଚାଷରେ ଜଳର ଅଭାବ ପରିଲିଖିତ ହୁଏ ନାହିଁ   ।
  • ଚାଷୀମାନଙ୍କର ଅତିରିକ୍ତ ସମର ର ସଦ ବିନିଯୋଗ ଓ କର୍ମନିଯୁକ୍ତି ବୃଦ୍ଧି ହୋଇଥାଏ   ।
  • ପୋଖରୀ ଓ ରଙ୍ଗୀନ ମାଛ ଚାଷ ହେଉଥିବା ପରିବେଶ ସବୁଜ ଓ ସୁନ୍ଦର ରହିଥାଏ   ।

କେତୋଟି ଜାଣିବା କଥା

  • ପୋଖରୀ ଯଦି କମ ଦିନ ପାଇଁ ଲିଜ ଆଣି ଚାଷ କରାଯାଉଥାଏ ତେବେ ଅଳ୍ପ କାଳୀନ ପନିପରିବା ଓ ବର୍ଷିକିଆ ଫଳଚାଷ କରାଯାଇପାରେ ।
  • ପୋଖରୀ ହିଡ ପ୍ରସ୍ଥ 4 ମିଟରରୁ ଅଧିକ ତେ ଏଇ ସ୍ଥାନକୁ ହଳ ଏବଂ ଜଳସେଚନ ଦ୍ଵାରା ହିଡ ଉପରେ ପ୍ରଭାବ ନ ପଡି ମଧ୍ୟ ଚାଷ କରାଯାଇପାରିଥାଏ   ।
  • ପୋଖରୀ ହିଡର ପ୍ରସ୍ଥ2-3 ମିଟର ଥିଲେ ଏହି ସ୍ଥାନରେ ଛୋଟ ଛୋଟ ପାତାଳୀ ପ୍ରସ୍ତୁତ କରି ଲଟା ଓ ଶାଗ  ଜାତୀୟ ଫସଲ ଚାଷ କରାଯାଇପରେ   ।
  • ଫଳ ଗଛ ଗୁଡିକ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହୁଥିବାରୁ ମଧ୍ୟବର୍ତ୍ତୀ ସ୍ଥାନର ସଦବିନିଯୋଗ ପାଇଁ ଅନ୍ତଃ ଚାଷ କରାଯାଇପାରିବ   ।
  • କୋବି ଓ ମୂଳା ଜାତୀୟ ଫସଲର ଅବ୍ୟବହାରିକ ପତ୍ରକୁ ପୋଖରୀରେ ଥିବା ଗ୍ରାସକାର୍ପର ଖାଦ୍ୟଭାବେ ବ୍ୟବହାର କରିହୁଏ   ।

ଆଧାର- କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର

2.82608695652
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top