ହୋମ / କୃଷି / ଶସ୍ୟ ଉତ୍ପାଦନ / ହରଡ – ଏହାର କୀଟ ପରିଚାଳନା
ସେଆର କରନ୍ତୁ

ହରଡ – ଏହାର କୀଟ ପରିଚାଳନା

ହରଡ – ଏହାର କୀଟ ପରିଚାଳନା ର ସୂଚନା

ହରଡର କୀଟ ପରିଚାଳନା

ସମଗ୍ର ଭାରତରେ ୨୦୦ ସଂଖ୍ୟକ କୀଟ ହରଡ ଫସଲକୁ ଆକ୍ରମଣ କରୁଥିବାର ସୂଚନା ରହିଛି  । ତନ୍ମଧ୍ୟରୁ କେତେକ ଫସଲର ଯଥେଷ୍ଟ ହାନି ଘଟାଉଥିବାରୁ ଏମାନଙ୍କୁ ମୁଖ୍ୟ କୀଟ ଭାବେ ବିବେଚନା କରାଯାଏ, କିନ୍ତୁ ଅଧିକାଂଶ କ୍ଵଚିତ ଅଧିକ କ୍ଷତି ଘଟାନ୍ତି  । ଏମାନେ କାଁ ଭାଁ ଦେଖାଯାଆନ୍ତି ଓ ସ୍ଥାନୀୟ ଗୁରୁତ୍ଵ ଲାଭ କରିଥାଆନ୍ତି  । ତେଣୁ ସେମାନଙ୍କୁ ଗୌଣ କୀଟଭାବେ ବିବେଚନା କରାଯାଇଛି  । ହରଡ ଫସଲରେ ଶହ ଶହ ଅନ୍ୟ ପୋକ ଓ ଜୀବ ଦେଖାଯାଆନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଉପକାରୀ କୀଟ  । ଅନ୍ୟ ପୋକମାନଙ୍କୁ ଖାଉଥିବାରୁ ସେମାନଙ୍କୁ ଶିକାରୀ ପୋକ କିମ୍ବା ପରଜୀବୀ ପୋକ ବୋଲି କୁହାଯାଏ  । ତେଣୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ  କଥା ହେଉଛି କୃଷକମାନେ କେତେକ କୀଟ ଦେଖିବା ମାତ୍ରେ କୀଟନାଶକ ପ୍ରୟୋଗ ନକରି ହରଡ ଫସଲ କ୍ଷେତରେ ଥିବା କୀଟ ଓ ଅନ୍ୟଜୀବମାନଙ୍କ ସହିତ ପରିଚିତ ହେବା ଆବଶ୍ୟକ  ।

ବୁଟ ଛୁଇଁ ବିନ୍ଧା ପୋକ (ହେଲିକୋଭର୍ପା ଆର୍ମିଜେରା)

ପ୍ରାପ୍ତ ବୟସ୍କ ପୋକ ଏକ ପ୍ରଜାପତି  । ଏହାର ଆଗଡେଣା ଗାଢ ହଳଦିଆରୁ ଅଲିଭ ଧୂସର ରଙ୍ଗ ଓ ପଛଡେଣା ଫିକା ଦେଖାଯାଏ  । ଆଗଡେଣାରେ ଏକ ଚିହ୍ନ ଅଛି ଯାହାକି ଇଂରାଜୀ ଭି (V) ଅକ୍ଷର ଭଳି ଦିଶେ ଓ ତାର ପେଟ ଅଗ୍ରଭାଗରେ ଚୁଟି ଥିବାରୁ ଏହାକୁ ସହଜରେ ଚିହ୍ନି ହୁଏ  । ଗଛର ସବୁ ଅଂଶରେ ଗୋଟିକିଆ ହଳଦିଆ ରଙ୍ଗର ଚିକ୍ ଚିକ୍ ମାରୁଥିବା ଅଣ୍ଡା ଦେଇଥାଏ  । ଖାଦ୍ୟ ଖାଇବା ଅନୁଯାୟୀ ଶୂକ ବିଭିନ୍ନ ରଙ୍ଗର ହୋଇଥାଏ  । ସମ୍ପୂର୍ଣ୍ଣ ବୃଦ୍ଧିପ୍ରାପ୍ତ ହୋଇଥିବା ଶୂକ ୪୦ ମି.ମି ହୁଏ  । ଏହା ମାଟି ମଧ୍ୟରେ କୋଷା ଅବସ୍ଥା ପାରିକରେ  । କୋଷାଗୁଡିକୁ ଆଗପଟକୁ ଗୋଲାକାର ଓ ପଛପଟକୁ ସରୁଆ ହୋଇଥାଏ  । କୋଷାଗୁଡିକ ଫିକା ବାଦାମୀ ରଙ୍ଗର ଓ ପ୍ରଜାପତି ବାହାରିବା ପୂର୍ବରୁ ଏହା ଆହୁରି ଗାଢ ହୋଇଯାଏ  ।

କମ୍ ବୟସର ଶୂକ ପତ୍ରରୁ ସବୁଜ ପେଶୀ କୋରି ଖାଇଥାଏ  । ବୟସ ଶୂକ ଏକ ନିର୍ଦ୍ଧିଷ୍ଟ ଢଙ୍ଗରେ କଢ, ଫୁଲ ଓ ସବୁଜ ଛୁଇଁ ନଷ୍ଟ କରେ  । ଏହା ଛୁଇଁ ମଧ୍ୟରେ ମୁଣ୍ଡ ଭର୍ତ୍ତି କରି ଖାଏ ଓ ଦେହର ଅବଶିଷ୍ଟ ଭାଗ ବାହାରକୁ ରହେ  । ଖୁବ୍ ବଢୁଥିବା କିମ୍ବା ଆଂଶିକ ପାକଲା ହୋଇଥିବା ଛୁଇଁ ଖାଇସାରି ଅନ୍ୟ ଏକ ଛୁଇଁ ମଧ୍ୟକୁ ପ୍ରବେଶ କରେ ଓ ଛୁଇଁରେ ବଡ ଗୋଲାକାର ଗାତ ଦେଖାଯାଏ  ।

ଚିତ୍ରିତ ଛୁଇଁ ବିନ୍ଧା ପୋକ (ମାରୁକା ଟିସଟୁଲାଲିସ୍)

ପ୍ରଜାପତିର ଆଗ ଡେଣା ବାଦାମୀରଙ୍ଗର ଓ ଏହା ଉପରେ ଏକ ଗଦା ଆକୃତିର ଚିହ୍ନ ରହିଥାଏ  । ପଛ ଡେଣା ଧଳା ଦିଶେ ଓ ଏକ ବଡ ଅନିୟମିତ ଦାଗ ପଛପଟ ଧାରରେ ଦେଖାଯାଏ  । ସାଧାରଣତଃ ଅଗରେ ଛୋଟ ଛୋଟ ମେଞ୍ଚାରେ ହଳଦିଆ ଓ ଗୋଲାକାର ଅଣ୍ଡା ଦେଇଥାଏ  । ଶୂକ ଧଳା ସବୁଜ ରଙ୍ଗର ଓ ଏହାର ପିଠିପଟେ ସ୍ପଷ୍ଟ କଳା ଦାଗ ରହିଥାଏ  । ପତ୍ରରେ ବୁଣାଯାଇଥିବା ଏକ ରେଶମ କୋଷାରେ କିମ୍ବା ମାଟି ଉପରେ କୋଷା ଅବସ୍ଥା ପାରିକରେ  ।

ଶୂକ ପତ୍ର, କଢି ଛୁଇଁକୁ ବାନ୍ଧି ଦିଏ ଓ ଏହି ଖୋଳରେ ରହି ଖାଇଥାଏ  । ଏହା ମଧ୍ୟ ଛୁଇଁ ମଧ୍ୟକୁ ଗାତା କରି ପଶେ ଓ ପାକଲା ମଞ୍ଜିକୁ ଖାଇଥାଏ  । ଶୂକ ଗାତ କରିଥିବା ସ୍ଥାନରେ ନିଷ୍କାସିତ ମାଲା ଥିବାର ଦେଖାଯାଏ  ।

ସବୁଜ ଛୁଇଁ ବିନ୍ଧାପୋକ (ଇଟିଲ୍ଲା ଜିଙ୍କେନେଲ୍ଲା)

ପ୍ରାପ୍ତ ବୟସ୍କ ପୋକଗୁଡିକ ମଧ୍ୟମ ଆକାର ଫିକା ବାଦାମୀ ପ୍ରଜାପତି  । ଏହାର ଡେଣା ୨୦ ମି.ମି. ପ ଆଗଡେଣାରେ ଏକ ସ୍ପଷ୍ଟ ଧଳାଗାର ରହିଛି  । ପଛ ଡେଣା ଅସ୍ଵଚ୍ଛ ଓ ବାହାର ପଟ ଧାରରେ ଦୁଇଟି ପାଖାପାଖି ଗାର ରହିଛି  । ବଢୁଥିବା ଛୁଇଁ ଉପରେ ଧଳା ଅଣ୍ଡା ପୁଞ୍ଜ ଦେଇଥାଏ  । ଅଳ୍ପ ବୟସର ଶୂକଗୁଡିକ ସବୁଜ କିନ୍ତୁ ବଢିଲେ ସେମାନେ ବାଇଗଣୀ – ନାଲି ହୋଇଯାଆନ୍ତି  । ସେମାନେ ମାଟିରେ କୋଷା ଅବସ୍ଥା ପାରିକରନ୍ତି  ।

ଶୂକ ଛୁଇଁମଧ୍ୟକୁ ସର୍ବାଧିକ ୧୫ ମି.ମି.  ପର୍ଯ୍ୟନ୍ତ ପ୍ରବେଶ କରି ପାକଲା ହେଉଥିବା ମଞ୍ଜି ଖାଇଥାଏ  । ଆକ୍ରାନ୍ତ ଛୁଇଁ ମଧ୍ୟରେ ଶୂକର ମଳ ଥିବା ଦେଖାଯାଏ  । ବର୍ଷା ଋତୁ ପରେ ତାପମାତ୍ରା ବଢିଗଲା ପରେ ଏହି ପୋକ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି  ।

ପିଛକ ପତଙ୍ଗ

ପ୍ରାପ୍ତ ବୟସ୍କ ଶୂକ ଏକ କ୍ଷୁଦ୍ର ପ୍ରଜାପତି  । ଏହାର ଡେଣା ହଳଦିଆ ବାଦାମୀ ରଙ୍ଗର  । ଆଗଡେଣା ଦୁଇ ଭାଗରେ ଓ ପଛ ଡେଣା ୩ ଭାଗରେ ବିଭକ୍ତ ହୋଇଛି  । କଢ ଓ ଛୁଇଁରେ ସବୁଜ ରଙ୍ଗର ଡିମ୍ବାକୃତି ଗୋଟିକିଆ ଅଣ୍ଡା ଦେଇଥାଏ  । ଶୂକଗୁଡିକ ସବୁଜ କିମ୍ବା ବାଦାମୀ, ତାକୁଡି ଆକୃତିର, ଅଂସା ଓ ଲମ୍ବ ଚୂଳ ଦ୍ଵାରା ଆବୃତ ହୋଇଥାଏ  । ପିଠି ପଟେ ଦୁଇଟି ପତଳା ଗାର ଉପରୁ ତଳକୁ ଲମ୍ବିଯାଇଛି  । ଏହା ଛୁଇଁ ପୃଷ୍ଠରେ କିମ୍ବା ପ୍ରବେଶ କଣାରେ କୋଷା ଅବସ୍ଥା ପାରିକରେ  । କୋଷାଗୁଡିକ ବାଦାମୀ ଓ ଛୁଇଁ ପୃଷ୍ଠ ସହିତ ଲାଖି ରହିଥାନ୍ତି  ।

ଅଳ୍ପ ବୟସର ଶୂକ ବଢୁଥିବା ପରାଗ ପେଟି ଖାଇବା ପାଇଁ ଖୋଲି ନଥିବା ଫୁଲ ଫୁଲ ମଧ୍ୟକୁ ପ୍ରବେଶ କରେ  । ବୟସ୍କ ଶୂକ ପ୍ରଥମେ ଛୁଇଁ ପୃଷ୍ଠକୁ କୋରିଦିଏ ଓ ତା ପରେ ଛୁଇଁ ମଧ୍ୟକୁ ପ୍ରବେଶ କରେ ଓ ବଢୁଥିବା ମଞ୍ଜି ଖାଇଥାଏ  । ଶୂକ ଛୁଇଁ ମଧ୍ୟକୁ କେବେ ହେଲେ ସମ୍ପୂର୍ଣ୍ଣ ଭାବେ ପଶିନଥାଏ  । ନଭେମ୍ବର – ମାର୍ଚ୍ଚ ମଧ୍ୟରେ ଏମାନଙ୍କ ସଂଖ୍ୟା ସର୍ବାଧିକ ହୁଏ  । ଶୂକଗୁଡିକ ବର୍ଷାଦିନ ଅପେକ୍ଷା ଏହା ବର୍ଷା ପରେ ଅଧିକ କ୍ଷତି କରିଥାନ୍ତି  ।

ନୀଳ ପ୍ରଜାପତି  (ଲାମ୍ପିଦେଶ୍ ବୋଇଟିକସ)

ପ୍ରାପ୍ତ ବୟସ୍କ ପୋକ ଏକ ମଧ୍ୟମ ଆକାରର ପ୍ରଜାପତି  । ଏହାର ବାଇଗଣୀ ଧାତବୀୟ ନୀଳରୁ ମଳିନ ନୀଳ ଡେଣା ରହିଛି  । ବୟସ୍କ ମାଈ ପୋକ ଗୋଟିକିଆ ଚିତ୍ରିତ ଅଣ୍ଡା, କଢି, ଫୁଲ, ସବୁଜ ଛୁଇଁ ଉପରେ କେବେ କେବେ କାଣ୍ଡ ଓ ପତ୍ରରେ ଦେଇଥାଏ  । ଶୂକଗୁଡିକ ସବୁଜ, ଡିମ୍ବାକୃତି, ଚଟକା ଓନିସିଫର୍ମ କୋଷା ଧୂସର ଗୋଲାପିରୁ ନାଲି ବାଦାମୀ ରଙ୍ଗର ପତ୍ର, ଡାଳ ଓ ଛୁଇଁରେ କୋଷା ଅବସ୍ଥା ପାରିକରେ  ।

ଜନ୍ମ ହେବାର ଅଳ୍ପ କେତେ ଘଣ୍ଟା ମଧ୍ୟରେ ଶୂକ କଢି, ଫୁଲ ଓ ସବୁଜ ଛୁଇଁ ମଧ୍ୟକୁ ପ୍ରବେଶ କରି ବଢୁଥିବା ମଞ୍ଜିକୁ ଖାଇଥାଏ  । ଛୁଇଁ ପାକଲା ହେବା ପରେ ମଧ୍ୟ କଣା ଦେଖାଯାଏ  ।

ଛୁଇଁ ମାଛି (ମେଲାନୋଏଗ୍ରୋମାଇଜା ଓବଟ୍ୟୁସା)

ପ୍ରାପ୍ତ ବୟସ୍କ ପୋକ ଏକ କ୍ଷୁଦ୍ର କଳାମାଛି  । ଏହାର ସାମାନ୍ୟ ଉଜ୍ଜ୍ଵଳ ସବୁଜ ଛଟା ଠାଏ ଓ ୫ ମି.ମି. ଲମ୍ବ  । ପାକଲା ହୋଇନଥିବା ଛୁଇଁରେ ମଞ୍ଜି ପାଖ କାନ୍ଥରେ ଅଣ୍ଡା ଦିଏ  । ଅଳ୍ପ ବୟସର ଶୂକ (ଅଂସେଇ) ଦୁଧିଆ ଧଳାରଙ୍ଗର, ପାଦ ବିହୀନ ଓ ଆକାରରେ ୩ ମି.ମି. ଲମ୍ବ  । ଦେହ ପିଠି ଉପରେ ମଝିରେ ୫ ଟି ବାଦାମୀ ରଙ୍ଗର ପଟି ଉପରୁ ତଳଯାଏ ଲମ୍ବିଥାଏ  । ଏକ କଠିନ କାଇଟିନ୍ ଯୁକ୍ତ ଖୋଳପାରେ ଛୁଇଁ ପାଖରେ ଲାଖିରହି କୋଷା ଅବସ୍ଥା ପାରିକରେ  ।

ଏହି ମାଛିର ଅଂସେଇ ବଢୁଥିବା ମଞ୍ଜି  ଖାଇଥାଏ  । ମଞ୍ଜିର ଏକ ଅଂଶରେ ଏହା ଜୀବନଚକ୍ର ସମ୍ପୂର୍ଣ୍ଣ କରେ  । ଛୁଇଁରେ ପ୍ରଥମାବସ୍ଥାରେ ବାହାରକୁ ଲକ୍ଷଣ ଦେଖାଯାଏ ନାହିଁ  । କୋଷାବସ୍ଥା ପୂର୍ବରୁ ଅଂସେଇ ଭିତରୁ ଛୁଇଁର ବହୁ ଅଂଶ ଖାଇଦେଇ ତନ୍ତୁଗଜରେ ବାତାୟନ ପରି ଏକ କଣା ସୃଷ୍ଟି କରେ  ।

ଛୁଇଁ ଶୋଷକ ବଗ୍ (କ୍ଲାଭିଗ୍ରାଲା ଗିବୋଷା)

ପ୍ରାପ୍ତ ବୟସ୍କ ପୋକସବୁଜା ବାଦାମୀ, ଲମ୍ବରେ ୨ ସେ.ମି. ହୋଇଥାଏ  । ବେକ ଉପରେ କଣ୍ଟା ପ୍ରାୟ ଉଦଗତ ଅଂଶ ରହିଛି  । ଅଣ୍ଡାଗୁଡିକ ଚକୋଲେଟ ବାଦାମୀ, ମାଳି ପରି ପତ୍ର କିମ୍ବା ଛୁଇଁ ଉପରେ ଧାଡି ଧାଡି ହୋଇ ରହିଥାଏ  । ବଢୁଥିବା ଛୁଇଁ ଉପରେ ଚିକ୍କଣ ବାଦାମୀ ଅର୍ଭକ ଦେଖାଯାଆନ୍ତି  ।

ଛୁଇଁ ମାଧ୍ୟମରେ ଉଭୟ ଅର୍ଭକ ଓ ପ୍ରାପ୍ତ ବୟସ୍କ ପୋକ ବଢୁଥିବା ଛୁଇଁରୁ ରସ ଶୋଷଣ କରନ୍ତି  । ସେମାନେ ମଧ୍ୟ କାଣ୍ଡ, ପତ୍ର ଓ ଫୁଲକଢିର ପ୍ରଭୂତ କ୍ଷତି ସାଧନ କରନ୍ତି  । ଆକ୍ରାନ୍ତ ଛୁଇଁରେ ଫିକା – ହଳଦିଆ ଚକଡାମାନ ଦେଖାଯାଏ  । ଅତ୍ୟଧିକ ଆକ୍ରମଣ ଯୋଗୁଁ ମଞ୍ଜିଗୁଡିକ ଲୋଚାକୋଚା ହୋଇଯାଏ  । ଗାଢ ଚକଡାମାନ ଦେଖାଯାଏ ଓ ମଞ୍ଜି ଗଜା ହେବା ଗୁଣ ହରାଇ ବସେ  ।

କାଓ ବଗ୍ (ଓଟିନୋଟସ୍ ଓନିରାଟସ୍)

ଧୂସରରୁ ଗାଢ ବାଦାମୀ ପ୍ରାପ୍ତ ବୟସ୍କ ପୋକ ଲମ୍ବରେ ୭ ମି.ମି. ହୁଏ  । ବେକ ଉପରେ ଶିଙ୍ଗ ଭଳି ଉଦଗତ ଅଂଶ ରହିଛି  । କାଣ୍ଡ ଉପରେ ଗୋଟିଏ ପୁଞ୍ଜରେ ୧୫-୨୦ ଟି ଅଣ୍ଡା ଦିଏ  । ଭଲଭାବେ ଲକ୍ଷ୍ୟ କଲେ ଜଣାଯାଏ  ଯେ ଅଣ୍ଡାଗୁଡିକ ପ୍ରାୟତଃ ଇଂରାଜୀ ଅକ୍ଷର ଭି (V) ଆକାରରେ ସଜା ହୋଇ ରହିଥାଏ  । ଅର୍ଭକଗୁଡିକ ଫିକା ରଙ୍ଗ ବିଶିଷ୍ଟ  । ଉଭୟ ଅର୍ଭକ ଓ ପ୍ରାପ୍ତ ବୟସ୍କ ପୋକ ସବୁଜ କାଣ୍ଡରୁ ରସ ଶୋଷଣ କରେ  । କାଓ ବଗ୍ ମଧୁଶିଶିର କ୍ଷରଣ କରନ୍ତି  । ଏହା ଏକ ମିଠା ଦ୍ରବ୍ୟ ହୋଇଥିବାରୁ ତାହା ପିମ୍ପୁଡ଼ିମାନଙ୍କୁ ଆକର୍ଷିତ କରିଥାଏ  ।

ପିମ୍ପୁଡିମାନେ ପ୍ରାକୃତିକ ଶତ୍ରୁମାନଙ୍କ ଆକ୍ରମଣରୁ ଏହି ଶୋଷକ ପୋକମାନଙ୍କୁ ରକ୍ଷା କରିଥାନ୍ତି  । ନଚେତ୍ କାଓ ବଗ୍ ପୋକମାନଙ୍କର ସଂଖ୍ୟା ବହୁତ କମିଯିବାର ଆଶଙ୍କା ଥାଏ  । ଫସଲ ବୃଦ୍ଧିର ସଅଳ ଅବସ୍ଥାରେ ଅତ୍ୟଧିକ ଆକ୍ରମଣ ଯୋଗୁଁ ଫସଲ ରୁଗୁଡିଆ ହୋଇଯାଏ ଓ ଗଛର ସତେଜତା କମିଯାଏ  । ଏହି ପୋକମାନଙ୍କର କାଁ ଭାଁ ଦେଖାଯାଆନ୍ତି  । ତେଣୁ ଅର୍ଥନୈତିକ ଗୁରୁତ୍ଵ ଦୃଷ୍ଟିରୁ ଏମାନଙ୍କ ଭୂମିକା ଗୌଣ ବିବେଚିତ ହୋଇଥାଏ  ।

ପତ୍ରଡିଆଁ ପୋକ (ଏମ୍ପୋଆସକ କେରି)

ବୟସ୍କ ପୋକଗୁଡିକ କ୍ଷୁଦ୍ର ସବୁଜ ଓ ଲମ୍ବରେ ୨.୫ ମି.ମି. ହୋଇଥାଏ  । ଅର୍ଭକଗୁଡିକ ଦେଖିବାକୁ ହଳଦିଆ ସବୁଜ ଓ ଏମାନେ ଡେଣାବିହୀନ  । ପତ୍ରତଳେ ଶିରା ଧାରେ ଧାରେ ଅଣ୍ଡା ଦେଇଥାଆନ୍ତି  । ବାଧାଦେଲେ ଅର୍ଭକଗୁଡିକ କଡେଇ କଡେଇ ଚାଲିଯାଆନ୍ତି  ।

ଉଭୟ ଅର୍ଭକ ଓ ବୟସ୍କ ପୋକ ପତ୍ର ତଳୁ ରସ ଶୋଷଣ କରନ୍ତି  । ଅତ୍ୟଧିକ ଆକ୍ରମଣ ହେଲେ ପତ୍ରଗୁଡିକ ହଳଦିଆ ପଡିଯାଏ  । କପ୍ ଆକୃତିର ହୋଇଯାଏ  । ଅବିରତ ଆକ୍ରମଣ ଯୋଗୁଁ ପତ୍ରଗୁଡିକ ନାଲିବାଦାମୀ ହୋଇଥାଏ  । ତା ପରେ ପତ୍ର ଝଡିଯାଏ, ଗଛ ରୁଗୁଡିଆ ପଡେ ଓ ଅମଳ କମିଯାଏ  ।

ଜଉପୋକ (ଆଫିସ୍ କ୍ରାସିଭୋରା)

ବୟସ୍କ ପୋକଗୁଡିକ କଳା ଓ ଚିକ୍କଣ, ଲମ୍ବରେ ୨ ମି.ମି. ହୁଏ  । ଉଭୟ ଡେଣାଯୁକ୍ତ ଓ ଡେଣା ବିହୀନ ପୋକ ଥାଆନ୍ତି  । ଅର୍ଭକର କ୍ଷୁଦ୍ର ଦେହ ଉପରେ, ମହମ ଆବରଣ ଥିବାରୁ ଏହା ଧୂସର ଓ ମଳିନ ଦେଖାଯାଏ  । ମାଈପୋକଗୁଡିକ ଜନ୍ମ କରୁଥିବା ଛୁଆ ୧ ସପ୍ତାହ ମଧ୍ୟରେ ବଡ ହୋଇଯାଆନ୍ତି  । ଏଥିପାଇଁ ସେମାନଙ୍କ ସଂଖ୍ୟା ଖୁବ୍ ଦ୍ରୁତ ବେଗରେ ବଢିଯାଏ  ।

କଅଁଳିଆ କାଣ୍ଡ, ପତ୍ର, ଫୁଲ ଓ ଛୁଇଁରେ ଅର୍ଭକ ଓ ବୟସ୍କ ପୋକ ଉପନିବେଶ ସ୍ଥାପନ କରନ୍ତି  । ଉଭୟ ବୟସ୍କ ପୋକ ଓ ଅର୍ଭକ ରସ ଶୋଷଣ କରନ୍ତି ଓ ମଧୁ ଶିଶିର କ୍ଷରଣ କରନ୍ତି  । ଅତ୍ୟଧିକ ଆକ୍ରମଣ ଯୋଗୁଁ ଚାରା ଗଛଗୁଡିକର କଅଁଳ ପତ୍ର ବଙ୍କା ହୋଇଯାଏ  । ଛୁଇଁ ବଢିବା ଓ ମଞ୍ଜି ଧରିବା କମିଯାଏ  । ବୁଟରେ ରୁଗୁଡିଆ ରୋଗ ହେଉଛି ଏକ ମୁଖ୍ୟ ରୋଗ  । ଏହା ବିନ୍ ପତ୍ରମୋଡା ଭୂତାଣୁ ଦ୍ଵାରା ହୋଇଥାଏ  । ଜଉପୋକ ମାନେ ଏହି ରୋଗର ସଂକ୍ରମଣ କରିଥାଆନ୍ତି  । ରୁଗୁଡିଆ ରୋଗ ଗଛର ବୃଦ୍ଧି କମାଇଦିଏ  ପତ୍ରଗୁଡିକ ଛୋଟ ଓ ନାଲି ବାଦାମୀ ରଙ୍ଗ ହୋଇଥାଏ  ।

ପତ୍ରଛନ୍ଦା ପୋକ (ଗ୍ରାଫୋଲିଟା କ୍ରିଟିକା)

ବୟସ୍କ ପ୍ରଜାପତି ଛାଇଆ ବାଦାମୀ  । ଆଗ ଡେଣାରେ କଳା ବିନ୍ଦୁ ଓ ରୁପେଲି ସ୍ଵଚ୍ଛ ଚିହ୍ନ ଠାଏ  । ମାଈ ପୋକ ପତ୍ର କଢ ଓ କଅଁଳିଆ ପତ୍ରରେ ଗୋଟିଏ ପୁଞ୍ଜରେ ପ୍ରାୟ ୧୦ଟି ହିସାବରେ ଅଣ୍ଡା ଦେଇଥାଏ  । ଶୂକଗୁଡିକ ଦୁଧିଆ ହଳଦିଆ ରଙ୍ଗର  । ଛନ୍ଦା ହୋଇଥିବା ପତ୍ରରେ କୋଷା ଅବସ୍ଥା ପାରିକରେ  ।

ଫସଲରେ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଶୂକ ପତ୍ରଗୁଡିକ ଛନ୍ଦିଦେଇ ନଷ୍ଟ କରିଥାଏ  । ଫସଲର ଫୁଲ ହେବା ସମୟରେ ସେମାନେ କଢ, ଫୁଲ, ଛୁଇଁ ମଧ୍ୟକୁ ପଶିଯାଆନ୍ତି ଓ ପାକଳ ହୋଇନଥିବା ମଞ୍ଜି ଖାଇ ଦିଅନ୍ତି  । ଶୂକ ଅଗପତ୍ରଗୁଡିକୁ ମୋଦୀ ଦିଅନ୍ତି ଓ ରେଶମ ସୂତାରେ ଏଗୁଡ଼ିକୁ ଏକତ୍ରିତ କରି ବାନ୍ଧି ଭିତରେ ରହିଖାଆନ୍ତି  । ଛନ୍ଦା ହୋଇଥିବା ପତ୍ର ମଧ୍ୟରେ ଗଛର ଅଗ ରହିଥିବାରୁ କାଣ୍ଡର ବୃଦ୍ଧି ପ୍ରଭାବିତ ହୋଇଥାଏ  ।

ବାଘୁଆ ପୋକ (ମିଲାବ୍ରିସ୍ ପୁସ୍ ଚୁଲାଟା)

ବୟସ୍କ ଭୃଙ୍ଗଗୁଡିକ ବହୁଭକ୍ଷୀ ଓ ହଳଦିଆ ଓ ଗୋଲାପି ଫୁଲ ଆଡକୁ ଆକୃଷ୍ଟ ହୋଇଥାଆନ୍ତି  । ଆଗ ଡେଣା (ଇଲାଇଟ୍ରା) କଳାରଙ୍ଗର  । ଡେଣା ଉପରେ ଗୋଲାକାର ଦାଗ ଓ ଦୁଇଟି ଢେଉଢେଉକା କମଳା ରଙ୍ଗର ପଟି ଅଡୁଆ ହୋଇ ରହିଥାଏ  । ସାଧାରଣତଃ ମାଟିରେ ଅଣ୍ଡାଗୁଡିକ ଦେଇଥାନ୍ତି  । ଭୃଙ୍ଗ ଶାବକଗୁଡିକ ମାଟିରେ ଥିବା ପୋକ ଖାଇଥାଆନ୍ତି  ।

ବୟସ୍କ ଭୃଙ୍ଗ ଫୁଲ, ପତ୍ର ଓ କଅଁଳିଆ ଛୁଇଁ ଖାଇଥାଆନ୍ତି  । ବିଶେଷତଃ ସ୍ୱଳ୍ପ ଅବଧି କିସମରେ ଅମଳ ଉପରେ ଆଖିଦୃଶିଆ ପ୍ରଭାବ ପଡିଥାଏ  । ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ସର୍ବାଧିକ ଆକ୍ରମଣ ହୋଇଥାଏ  ।

ହରଡରେ ସମନ୍ଵିତ କୀଟ ପରିଚାଳନା

  • ଗଭୀର ଖରାଟିଆ ଚାଷ କରିବା ଦ୍ଵାରା ମାଟି ଟାଣ ଖରା ଠାଏ  । ଏହାଦ୍ଵାରା ପୋକ, କୋଷା ଅବସ୍ଥାଗୁଡିକ ନଷ୍ଟ ହୋଇଯାଏ  ।
  • ପୂର୍ବ ଫସଲର ଅବଶିଷ୍ଟାନ୍ସ ନଷ୍ଟ କରିବା ଦ୍ଵାରା ପୂର୍ବରୁ ଥିବା ପୋକ ନଷ୍ଟ ହୋଇଯାଆନ୍ତି  ।
  • ସଅଳ ଅବସ୍ଥାରେ ଖାଉଥିବା ଶୋଷକ ପୋକମାନଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ପ୍ରତି କି.ଗ୍ରା. ବିହନରେ ୩ ଗ୍ରାମ୍ ହିସାବରେ ଥାୟୋମେଥୋସ୍କାମ ୭୦ ଡବ୍ଲୁ.ଏସ୍ ମିଶାଇ ବିହନ ବିଶୋଧନ କରନ୍ତୁ  ।
  • ସୁଷମ ସାରର ନ୍ୟାୟୋଚିତ ବ୍ୟବହାର  ।
  • ବହୁ ପୋକଙ୍କ ପାଇଁ ପ୍ରତିରୋଧି ଶକ୍ତି ଥିବା କିସମ ଯଥା – ଶରଦ, ଆଶା, ମାରୁତି, ବାହାର, ଅଭୟ, ବି.ଏସ୍.ଏମ. ଆର. – ୩୭୬ ଆଡିକୁ ଏକ ସମୟରେ ବୁଣନ୍ତୁ  ।
  • ଛୁଇଁ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ଗେଣ୍ଡୁଫୁଲକୁ ଯନ୍ତା ଫସଲ ଭାବେ କ୍ଷେତ ସୀମା ଚାରିପଟେ ଓ ଫସଲ ଭିତରେ ଚାଷ କରିବା ଦରକାର  ।
  • ହରଡ ସହିତ ଯଅ ମଞ୍ଜି ହେକ୍ଟର ପ୍ରତି ୨୫୦ ଗ୍ରାମ୍ ବୁଣିଦେଲେ ତାହା ପକ୍ଷୀମାନଙ୍କ ପାଇଁ ଜୀବନ୍ତ ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରେ  ।
  • ଡେଙ୍ଗା ଶସ୍ୟ ଜାତୀୟ ଫସଲ ସହିତ ହରଡକୁ ଅନ୍ତଃଫସଲ ଭାବେ ଚାଷ କଲେ ଛୁଇଁ ବିନ୍ଧା ପୋକର ଆକ୍ରମଣ ହ୍ରାସ କରେ  ।
  • ଛୁଇଁ ବିନ୍ଧା ଅଣ୍ଡିରା ପୋକର ସଂଖ୍ୟା ସନ୍ନିରୀକ୍ଷଣ କରିବା ପାଇଁ ତଥା ପୋକ ନିୟନ୍ତ୍ରଣ ବ୍ୟବସ୍ଥା ଆରମ୍ଭ ସମୟ ଜାଣିବା ନିମନ୍ତେ ହେକ୍ଟର ପ୍ରତି ୫-୧୦ ଟି ସଙ୍ଗ ଆକର୍ଷକ ଯନ୍ତା ବ୍ୟବହାର କରାଯାଏ  । ପ୍ରତିଦିନ ଯନ୍ତାରେ ୫-୬ଟି ପ୍ରଜାପତି ଆସିଲେ ଏହାର ଦେହଳୀ ସୀମା ସମ୍ବନ୍ଧରେ ସୂଚନା ମିଳିଥାଏ  ଓ ପରିଚାଳନା ପଦ୍ଧତି ଆରମ୍ଭ କରିବା ପାଇଁ ସତର୍କ କରାଇ ଦେଇ  ।
  • ଇନ୍ଦ୍ରଗୋପୀ ଭୃଙ୍ଗ, ସବୁଜ ଲେସ୍ ୱିଙ୍ଗ ପୋକ ଭଳି ପ୍ରାକୃତିକ ଶତ୍ରୁମାନଙ୍କର ସଂରକ୍ଷଣ କରାଯିବା ଆବଶ୍ୟକ  ।
  • ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ ।
  • ଛୁଇଁ ବିନ୍ଧା ପୋକର ଫଳପ୍ରଦ ପରିଚାଳନା ପାଇଁ ଏଚ୍.ଏ.ଏନ୍.ପି.ଭି. ହେକ୍ଟର ପ୍ରତି ୨୫୦ ଶୂକ ସମତୁଲ ସିଞ୍ଚନ କରନ୍ତୁ  । ଏଥିରେ ଫାଗୋଷ୍ଟିମୁଲାଣ୍ଟ (ଗୁଡ ୦.୦୫%) ଓ ଅତି ବାଇଗଣୀ ରଶ୍ମୀ ହ୍ରାସକ ୦.୦୧% ମିଶାଯାଇପାରିବ  ।
  • ବାଘୁଆ ପୋକ ଓ ଛୁଇଁ ବିନ୍ଧା ପୋକର ଶୂକ ସଂଗ୍ରହ କରି ନଷ୍ଟ କରିଦିଅନ୍ତୁ  ।
  • କୀଟମାନଙ୍କର ଆର୍ଥିକ ଦେହଳୀ ସୀମା ଅନୁଯାୟୀ ଏଣ୍ଡୋସଲଫାନ / ଇଣ୍ଡୋକ୍ସିକାର୍ବା / କ୍ଲୋରପାଇରିଫସ୍ / ପ୍ରୋଫେନୋଫାସ/ ଟ୍ରାଏଜୋଫସ୍ / ଫେନ୍ ଭେରେଟଲି ଆଦି ଆବଶ୍ୟକତା ମୁତାବକ ସିଞ୍ଚନ କରନ୍ତୁ  ।

ବିଶେଷ ବାର୍ତ୍ତା

  • ହରଡକୁ ୨୦୦ ପ୍ରକାର କୀଟ ଆକ୍ରମଣ କରିଥାନ୍ତି  ।
  • ଏମାନଙ୍କ ମଧ୍ୟରୁ ପତ୍ରଡିଆଁ ପୋକ, ଛୁଇନ ଶୋଷକ ବଗ୍, ଜଉପୋକ ଭଳି ଶୋଷକ ପୋକ ବୁଟ ଛୁଇଁ ବିନ୍ଧା ପୋକ, ଚିତ୍ରିତ ଛୁଇଁ ବିନ୍ଧା ପୋକ, ସବୁଜ ଛୁଇଁ ବିନ୍ଧା ପୋକ ଓ ଛୁଇଁ ମାଛି ହେଉଛନ୍ତି ମୁଖ୍ୟ
  • ସଅଳ ଋତୁ ଶୋଷକ ପୋକମାନଙ୍କ ପରିଚାଳନା ପାଇଁ ଥାୟୋମେଥୋସ୍କାମ୍ ରେ  ବିହନ ବିଶୋଧନ କରନ୍ତୁ  ।
  • ପରିବେଶରେ ସର୍ବନିମ୍ନ ପ୍ରଭାବ ପକାଉଥିବା ଓ ଅବଶେଷ ଛାଡୁଥିବା ରାସାୟନିକ, ବାୟୋରେସ୍ ନାଲ୍, ଉଦ୍ଭିଦଜାତ ଦ୍ରବ୍ୟ ଓ ସଙ୍ଗ ଆକର୍ଷକ ବ୍ୟବହାର କରିବା ଦ୍ଵାରା ମୁଖ୍ୟ ପୋକମାନଙ୍କର ଦମନ କରାଯାଇଥାଏ  ।
  • ଇନ୍ଦ୍ରପୋକୀଭୃଙ୍ଗ, ଗ୍ରିନ୍ ଲେସ୍ ୱିଙ୍ଗ ଆଦି ପ୍ରାକୃତିକ ଶତ୍ରୁଙ୍କ ସଂରକ୍ଷଣ କରିବା ଦ୍ଵାରା ପୋକମାନଙ୍କ ସଂଖ୍ୟା ହ୍ରାସ କରାଯାଇପାରିବ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top