ହୋମ / କୃଷି / ଶସ୍ୟ ଉତ୍ପାଦନ / ୨୦୧୭ ଅକ୍ଟୋବର ମାସର କୃଷି ସୂଚନା
ସେଆର କରନ୍ତୁ

୨୦୧୭ ଅକ୍ଟୋବର ମାସର କୃଷି ସୂଚନା

୨୦୧୭ ଅକ୍ଟୋବର ମାସର କୃଷି ସୂଚନା ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଧାନ

ସଅଳ କିସମ ଧାନ କାଟିବାର ଏକ ସପ୍ତାହ ପୂର୍ବରୁ ଜମିରୁ ପାଣି ନିଷ୍କାସନ କରିଦିଅନ୍ତୁ। ଶତକଡ଼ା ୮୫ ଭାଗ କେଣ୍ଡା ପାଚିଗଲେ ଅମଳ କରି ୨/୩ଟି ଟାଣ ଖରାରେ ଶୁଖାଇ ସାଇତି ରଖନ୍ତୁ ।

  • ବିଳମ୍ବରେ ରୂଆ ଯାଇଥିବା ଧାନରେ ଥୋଡ଼ ସାର ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାରଜାନ ଓ ୨୦ କି.ଗ୍ରା, ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • ଗନ୍ଧିପୋକ ଦମନ ଲାଗି କିଆରିରେ ଡାଇକ୍ଲୋରୋଭସ୍ ୧ ମି.ଲି.କୁ ପ୍ରତି ଲିଟର ପାଣିରେ ଗୋଳାଇ ସିଞ୍ଚନ୍ତୁ କିମ୍ବା ଗେଣ୍ଡା ଥୋପ ବସାନ୍ତୁ ।
  • ମାଟିଆ ଗୁଣ୍ଡି ପୋକ ଦମନ ପାଇଁ ଜମିରୁ ଜଳ ନିଷ୍କାସନ କରି ପ୍ରତି ୩-୪ ମିଟର ବ୍ୟବଧାନରେ ପାହି ଭାଙ୍ଗି ଦିଅନ୍ତୁ ଥାୟୋମେଥୋକ୍ଲାମ୍ ୫ ଗ୍ରାମ୍ ପ୍ରତି ୧୫ ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ କିମ୍ବା ପାଇମେଟ୍ରୋଜିନ୍ ୫ ଗ୍ରାମ୍ / ୧୫ ଲିଟର ପାଣିରେ କିମ୍ବା ଡାଇନୋଟେ ଫୁରାନ୍ ୫ ଗ୍ରାମ୍ / ୧୫ ଲିଟର ପ୍ରତି ଲିଟର ପାଣିରେ କିମ୍ବା ଚୁପ୍ରୋଫେଜିନ୍ ୨ ମି.ଲି. ପ୍ରତି ଲିଟର ପାଣିରେ ଗୋଳାଇ ସିଞ୍ଚନ୍ତୁ। ଏହା ସହିତ ହେକ୍ଟର ପ୍ରତି ୧୨.୫ ଗ୍ରାମ୍ ପଟାସ୍ ସାର ପ୍ରୟୋଗ କରନ୍ତୁ ।
  • କାଣ୍ଡବିନ୍ଧା ପୋକ ଦମନ ସକାଶେ ଏକ ବର୍ଗମିଟର ପ୍ରତି କେଣ୍ଡା ବାହାରିବା ପୂର୍ବରୁ ୧ଟି ପ୍ରଜାପତି ଦେଖାଗଲେ ପ୍ରୋଫେନୋଫସ୍ ୨ ମି.ଲି. କିମ୍ବା ଫିପ୍ରୋନିଲ୍ ୨ ମି.ଲି. କିମ୍ବା କାର୍ଟାଫ୍ ହାଇଡ୍ରୋକ୍ଲୋରାଇଡ୍ (୫୦%) ୨ ଗ୍ରାମକୁ ପ୍ରତି ଲିଟର ପାଣିରେ ଗୋଳାଇ ସିଞ୍ଚନ କରନ୍ତୁ ।
  • ହେକ୍ଟର ପ୍ରତି । ୨୫ କି.ଗ୍ରା. କ୍ଳୋରୋପାଇରିଫସ୍ ଗୁଣ୍ଡକୁ ୫୦ କି.ଗ୍ରା. ଶୁଖୁଲା ବାଲିରେ ଗୋଳାଇ ବିଲ ହିଡ଼ରେ ପ୍ରୟୋଗ କଲେ। ନିକଟବର୍ତ୍ତୀ ଆକ୍ରାନ୍ତ କିଆରିରୁ ଲେଡ଼ା ପୋକର ଲାର୍ଭ ଆସିପାରନ୍ତି ନାହିଁ। ଏହାଛଡ଼ା, ଫସଲରେ ୨ ଲିଟର ଶ୍ଳୋରୋପାଇରିଫସ୍ ୨୦% ଇ.ସି. କିମ୍ବା ପ୍ରୋଫେନୋଫସ୍ ସାଇପରମେଥିନ୍ ମିଶ୍ରିତ କୀଟନାଶକ ହେକ୍ଟର ପ୍ରତି ୧ ଲିଟର ସିଞ୍ଚନ କଲେ ଲେଡ଼ାପୋକ ଆକ୍ରମଣରୁ ରକ୍ଷା ମିଳେ ।
  • ପତ୍ରପୋଡ଼ା ଓ ପତ୍ରଦାଗ ପୋକ ଦମନ ପାଇଁ ପ୍ରତି ୧୦ ଲିଟର ପାଣିରେ ୧ ଗ୍ରାମ୍ ହିସାବରେ ବ୍ରେଷ୍ଟ୍ରୟୋସାଇକ୍ଲିନ୍ ସହିତ ୨୫ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ ।

ଡାଲିଜାତୀୟ ଫସଲ

ମୁଗର ଉନ୍ନତ କିସମ

ଟାର୍ମ-୧, ଟାର୍ମ-୨. ପୁଷା-୯୦୭୨, ଓବିଜିଜି-୫୨, ଓୟୁଏମ୍୧୧-୫ (କାମଦେବ), ଧଉଳି, ଆଇପିଏମ୍ – ୦୨ -୧୪, ଆଇପିଏମ୍ – ୦୨ -୦୩ ।

ବିରିର ଉନ୍ନତ କିସମ - ଟି-୯, ପନ୍ଥ ୟୁ-୩୦, ପନ୍ଥ ୟୁ-୩୫,ପ୍ରସାଦ, ଉଜ୍ଵଳା, ଶେଖର -୨, ସାରଳା ।

  • ମୁଗ, ବିରି, ମଟର, ବିଲଚଣା ଆଦିକୁ ଧାନ କଟିବାର ୭ ଦିନ ପୂର୍ବରୁ ଅନୁମୋଦିତ ବିହନର ଦେଢ଼ଗୁଣ ପାଇରା ଫସଲ ଲାଗି ଛଟାବୁଣା କରନ୍ତୁ ।
  • ଜମି କିସମ ଦେଖି ପ୍ରାକ୍ରବି ଫସଲ ଭାବେ ମୁଗ, କିସମ ଟାର୍ମ-୧ ଓ ୨. ପିଡିଏମ୍୧୧ ଓ ୫୪, ବିରି କିସମ ସାରଳା, ପିୟୁ- ୩୦ ଓ ୩୫ ଅକ୍ଟୋବର ଦ୍ଵିତୀୟ ସପ୍ତାହ ସୁଦ୍ଧା ବୁଣାବୁଣି କରନ୍ତୁ ।
  • ବିହନ ବୁଣିବା ପୂର୍ବରୁ ଜୀବାଣୁ କଲ୍‌ଚର କେ.ଜି. ପ୍ରତି ୨୦ ଗ୍ରାମ୍ ଦ୍ଵାରା ବିଶୋଧନ କରନ୍ତୁ ।
  • ହେକ୍ଟର ପ୍ରତି ୨୦ କେ.ଜି. ଯବକ୍ଷାରଜାନ ଓ ୪୦ କେ.ଜି. ଫସ୍ ଫେଟ୍ ବ୍ୟବହାର କରନ୍ତୁ ।

ହରଡ଼

ହରଡ଼ ଫସଲରେ ଛୁଇଁବିନ୍ଧା ଓ ପତ୍ରକଟା  ପୋକ ଦେଖାଦେଲେ ଏକ ଲିଟର ପାଣିରେ ୨ ମି.ଲି. ମନୋକ୍ରୋଟୋଫସ୍ କିମ୍ବା ୫ ମି.ଲି. ସିନୋସାଡ୍ / ୧୫ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।

ବୁଟ, ମସୁର, ମଟର

  • ଉନ୍ନତ କିସମ ବୁଟ : ରାଧେ,ଆନେଗିରି -୧, ମୋଡି ।
  • ଉନ୍ନତ କିସମ ମସୁର: ବି-୭୭, ପୁଷା-୮, କେ-୭୬ ।
  • ଉନ୍ନତ କିସମ ମଟର : ରଚନା, ଟି- ୧୬୩, ଇସି-୩୩୮୮୬, ସ୍ୱର୍ଣ୍ଣରେଖା, ଅର୍କେଲ୍ ଇତ୍ୟାଦି ବିହନ ସଂଗ୍ରହ କରନ୍ତୁ ।

କୋଳଥା

ଉର୍ମି. ଡି.ଏସ୍. ୧-୨, ଡି.ଏସ୍. ୧-୨-୨, ନୟାଗଡ଼-୧ ଆଦି କିସମ ସଂଗ୍ରହ କରି ଅକ୍ଟୋବର ୧୫ ସୁଦ୍ଧା ବୁଣାକାମ ଶେଷ କରନ୍ତୁ । ଜମି ପ୍ରସ୍ତୁତ କରି ମୂଳସାର ହିସାବରେ ହେକ୍ଟର ପ୍ରତ୫ ଟନ୍ ଶଢା ଗୋବର ଖତ ବା କଞ୍ଜେଷ୍ଟ, ୧୨.୫ କି.ଗ୍ରା. ଯବକ୍ଷାରଜାନ ଓ ୨୫ କି.ଗ୍ରା.. ଫସଫରସ୍ ସାର ପ୍ରୟୋଗ କରନ୍ତୁ ।

ମକା

ମକାର ତୋପା, ହଳଦିଆ ପଡ଼ି ଦାନା ପାକଳ ହେଲେ ଅମଳ କରନ୍ତୁ । ମକାର ଚୋପା ଛଡ଼ାଇ ୭-୮ ଦିନ ଖରାରେ ଶୁଖାଇ ମଞ୍ଜି ବାହାର କରନ୍ତୁ । ଏଥୁଲାଗି ହସ୍ତଚାଳିତ ବା ଶକ୍ତିତାଳିତ ମକାଛଡ଼ା ଯନ୍ତ୍ର ବ୍ୟବହାର କରନ୍ତୁ ।

ମାଣ୍ଡିଆ

କେଣ୍ଡାଗୁଡ଼ିକ ଧୂଷର ବର୍ଣ୍ଣ ହୋଇଗଲେ ୨ ରୁ ୩ ଥରରେ କେଣ୍ଡାକାଟି ଅମଳ କରନ୍ତୁ ଓ ମୂଳରୁ ଗଛ କାଟି ଗୋଖାଦ୍ୟ ରୂପେ ବ୍ୟବହାର କରନ୍ତୁ । କେଣ୍ଡାଗୁଡ଼ିକ ୩-୪ ଦିନ ଖରାରେ ଶୁଖାଇ ଅମଳ କରନ୍ତୁ ।

ଗହମ

ଗହମ ବୁଣିବା ଲାଗି ଜମିକୁ ଗୁଣ୍ଡଚାଷ କରନ୍ତୁ ଓ ମୂଳି ସଫାକରି ପଟାଳି ପ୍ରସ୍ତୁତ କରନ୍ତୁ । ଉନ୍ନତ ବିହନ ଯଥା- ସାଗରିକା, ଉତ୍କଳିକା, କଲ୍ୟାଣ ସୋନା, ୟୁପି-୨୬୨ ସଂଗ୍ରହ କରନ୍ତୁ ।

ପନିପରିବା ଚାଷ

ଆଳୁ ସକାଶେ ହେକ୍ଟର ପ୍ରତି ୨୫ କୁଣ୍ଟାଲ ବିହନ ଦରକାର ହୁଏ । ୨-୩ ଟି ଆଖ୍ଥୁବା ୨୦ ରୁ ୨୫ ଗ୍ରାମ୍ ଓଜନ କଟା ଆଳୁ ବିହନ ଶତକଡ଼ା ୩ ଭାଗ ବୋରିକ୍ ଏସିଡରେ ବିଶୋଧନ କରି ଲଗାନ୍ତୁ । ହେକ୍ଟର ପ୍ରତି ୧୮୦ କେ.ଜି. ଯବକ୍ଷାରଜାନ, ୮୦ କେ.ଜି. ଫସଫେଟ୍ ଓ ୧୦୦ କେ.ଜି. ପଟାସ୍ ସାର ବ୍ୟବହାର କରନ୍ତୁ।

  • ବିଲାତି ବାଇଗଣ ଓ ବାଇଗଣର ଝାଉଁଳା ରୋଗ ପାଇଁ ୩ ଗ୍ରାମ୍ କ୍ଲାଇଟକ୍ସ-୫୦ ସହିତ । ୧ ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ କୁ ୧ ଲିଟର ପାଣିରେ ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ ।
  • ଲଙ୍କା ଫସଲରେ ଉଙ୍କୁଣିଆ ପୋକ ଲାଗିଥିଲେ ୫ ଗ୍ରାମ୍ ଏସିଟାମିପ୍ରିଡ୍ ୨୦ ଏସ୍. ପି.କୁ କିମ୍ବା ୧୫ ମି.ଲି. ଆବା ମେକ୍ସିନ୍ ୧୫ ଲିଟର ପାଣିରେ ମିଶାଇ ସିଞ୍ଚନ୍ତୁ ।

ଅଦା ଓ ହଳଦୀ ଚାଷ

ମୂଳଶଢା ରୋଗ ଆକ୍ରମଣ କଲେ ୧ଲିଟର ପାଣି ପ୍ରତି ୧୫ ଗ୍ରାମ୍ ନିମପତ୍ର ରସ ବା ୫ ଗ୍ରାମ୍ନିମତେଲ ମିଶାଇ ମୂଳ ସିଞ୍ଚନ କରନ୍ତୁ । ଏକ ଲିଟର ପାଣିରେ ୩.୭୫ ଗ୍ରାମ୍ ଇଣୋଫିଲ୍-ଏମ୍-୪୫ ଗୋଳାଇ ଅଦା ଗଛମୂଳରେ ସିଞ୍ଚନ କରନ୍ତୁ।

ଆଖୁ

ବର୍ଷା ଯୋଗୁ ଆଖୁ, କିଆରିରେ ପାଣି ଜମିଥିଲେ ନିଷ୍କାସନ କରନ୍ତୁ ।

  • ବିହନ ଲାଗି କିଆରିରୁ ନିରୋଗ ଆଖୁ ବାଛି ଚିହ୍ନ ଦିଅନ୍ତୁ ।
  • ନାଲି ଶଢ଼ା ରୋଗପାଇଁ ପ୍ରତି ଏକ ଲିଟର ପାଣିରେ ଏକ ମିଲିଲିଟର (କଣ୍ଟାଫ୍) ହେକ୍ସାକୋନାଜୋଲ୍ ମିଶାଇ ସିଞ୍ଚନ କରନ୍ତୁ ।

ଫୁଲ ଚାଷ

ତରଳ ଖତ - ହାଣ୍ଡିରେ ବା ଭ୍ରମରେ ୧୦ ଲିଟର ପାଣିରେ ପ୍ରାୟ ୧ କି.ଗ୍ରା. କଞ୍ଚାଗୋବର, ୫୦୦ ଗ୍ରାମ୍ ନିମ ବା ସୋରିଷ ପିଡ଼ିଆ ଏବଂ ୫୦୦ ଗ୍ରାମ୍ ସିଙ୍ଗିଲ୍ ସୁପର ଫସ୍ଫୋଟ୍ ମିଶାଇ ମଝିରେ ମଝିରେ ଘାଟନ୍ତୁ । ଏହାର ୧୦ ଦିନ ପରେ ଏହି ତରଳ ଖତରୁ ଏକ ମଗ ନେଇ ୯ ମଗ ପାଣି ମିଶାଇ ଗଛ ପ୍ରତି ୫୦୦ ମି.ଲି.ରୁ ୧ ଲିଟର ମାଟି ଓଦା ଅବାବେଳେ ପ୍ରୟୋଗ କରନ୍ତୁ ।

  • ଗେଣ୍ଡୁଫୁଲ ଓ ଅନ୍ୟାନ୍ୟ ଶୀତଦିନିଆ ଫୁଲମଞ୍ଜିର ଚାରା ଏଇ ମାସ ପ୍ରଥମ ଭାଗରେ ପକାନ୍ତୁ ।

ଉନ୍ନତ ଗେଣ୍ଡୁଫୁଲ କିସମଗୁଡ଼ିକ ହେଲା – ଜ୍ୟାଣ୍ଟ ଡବଲ୍ ଆଫ୍ରିକାନ୍ ଏଲୋ, ଜ୍ୟାଣ୍ଟବଲ୍ ଆଫ୍ରିକାନ୍ ଅରେଞ୍ଜ, ଅର୍ଲି ଏଲୋ, ଅର୍ଲି ଅରେଞ୍ଜ, ସେରାକୋଲା ଇତ୍ୟାଦି ।

ସେବତୀ

ସେପ୍ଟେମ୍ବର ମାସରେ ଲଗାଇଥିଲେ ୪ ସପ୍ତାହରେ ଓ ୭ ସପ୍ତାହରେ ଅଗ୍ର ମୁକୁଳ ଛିଣ୍ଡାଇ ଦିଅନ୍ତୁ (ବିଶେଷ କରି ଛୋଟ କିସମରେ) । ବଡ଼ କିସମରେ ଗୋଟିଏ ଗଛରେ ୨-୩ଟି ଡାଳ ରଖୁ ଅନ୍ୟ ପାର୍ଶ୍ବଡାଳଗୁଡ଼ିକ ଛୋଟ ଅବସ୍ଥାରେ ଭାଙ୍ଗି ଦିଅନ୍ତୁ । ଗୋଲାପ - ଏ ମାସର ତୃତୀୟ ସପ୍ତାହରୁ ନଭେମ୍ବର ପ୍ରଥମ ସପ୍ତାହ ମଧ୍ୟରେ କାଣ୍ଟ ଛାଣ୍ଟ କରନ୍ତୁ ଓ ବୋର୍ଡୋ ପେଷ୍ଟ ପ୍ରୟୋଗ କରନ୍ତୁ ।

ଗ୍ଲାଡିଓଲସ୍ - ଏହାର କନ୍ଦା ବା ଭିଷ୍ଟିନ୍ ଦ୍ରବଣରେ ବିଶୋଧନ କରି ପ୍ରସ୍ତୁତ ଜମିରେ ଲଗାନ୍ତୁ ।

ସୂର୍ଯ୍ୟମୁଖୀ

ଉନ୍ନତ କିସମ ସୂର୍ଯ୍ୟମୁଖୀ ଯଥା - ମଡର୍ନ, ଇ.ସି.-୬୮୪୧୫ ହେକ୍ଟର ପ୍ରତି ୧୦ କି.ଗ୍ରା. ଓ ସଙ୍କର ଜାତୀୟ ପି.ଏ.ସି.-୩୬) ଓ ଏମ୍.ଏସ୍.ଏଫ୍.ଏଚ୍-୮ କିସମ ୭.୫ କି.ଗ୍ରା. ବିହନ ବ୍ୟବହାର କରନ୍ତୁ ।

  • ୧ କି.ଗ୍ରା. ବିହନ ପ୍ରତି ୩ ଗ୍ରାମ୍ ଥିରାମ୍ କିମ୍ବା କ୍ୟାପ୍ଟାନ୍ ଗୁଣ୍ଡ ମିଶାଇ ବିହନ ବିଶୋଧନ କରନ୍ତୁ ।

ଗୋପାଳନ

ଗାଈଗୋରୁଙ୍କୁ ପାଣି ଜମିଥିବା ସନ୍ତସନ୍ତିଆ ସ୍ଥାନକୁ ଚରିବା ଲାଗି ଛାଡ଼ନ୍ତୁ ନାହିଁ । ଫାଟୁଆ, ବଜବଜିଆ, ଆନ୍ଥ୍ରାକ୍ସ ଏବଂ ଗୋମଡ଼କ ବା ଗୋବସନ୍ତ ରୋଗ ପ୍ରତିଷେଧକ ଟିକା ଦିଅନ୍ତୁ । ବର୍ଷାରେ ଭାଙ୍ଗିଯାଇଥିବା ଗୁହାଳକୁ ସଜାଡ଼ି ଭଲଭାବେ ପରିଷ୍କାର କରିଦିଅନ୍ତୁ । ଗୋରୁଙ୍କୁ ଗୋଳିଆ ପାଣି ପିଇବା ପାଇଁ ଦିଅନ୍ତୁ ନାହିଁ । ଗୋରୁଙ୍କୁ ପ୍ରତି ତିନିମାସରେ ଥରେ କୃମିନାଶକ ଔଷଧ ଖୁଆନ୍ତୁ ।

ପ୍ରତ୍ୟେକ ଦିନ ଗୁହାଳରୁ ବାହାରୁଥିବା ମଳ, ମୂତ୍ର, ବଳକା ଘାସ, କୁଟା ଓ ପାଉଁଶ ଇତ୍ୟାଦିକୁ ଖତଗଦାରେ ପକାନ୍ତୁ । ଖତଗଦାକୁ ଘରଠାରୁ ଅନ୍ୟୁନ ୧୦୦ ଫୁଟ ଦୂରରେ କରନ୍ତୁ । ଗୋରୁଗାଈଙ୍କ ପ୍ରାକୃତିକ ଖାଦ୍ୟପାଇଁ ବରଗୁଡ଼ି, ଓଟ୍, ଲୁସର୍ନ ଇତ୍ୟାଦି ଚାଷ କରନ୍ତୁ । ଅଧିକ ଥଣ୍ଡା ଓ ଅଧିକ ଦିନ ଶୀତ ରହୁଥିବା ଅଞ୍ଚଳରେ ବରସିମ୍ ଘାସ ଚାଷ କରନ୍ତୁ । ବାଛୁରି ରହୁଥିବା ଘରେ ଝରକା ବା ଜାଲିରେ ବସ୍ତା ଟାଙ୍ଗି ଥଣ୍ଡାରୁ ରକ୍ଷା କରିବା ବନ୍ଦୋବସ୍ତ କରନ୍ତୁ ।

ଆଧାର - କୃଷି ବୈଷୟିକ ସୂଚନା କେନ୍ଦ୍ର, ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top