ହୋମ / କୃଷି / ଶସ୍ୟ ଉତ୍ପାଦନ / ବିରି – ଏହାର ରୋଗ ପରିଚାଳନା
ସେଆର କରନ୍ତୁ

ବିରି – ଏହାର ରୋଗ ପରିଚାଳନା

ବିରି –ଏହାର ରୋଗ ପରିଚାଳନା ର ସୂଚନା

ବିରି ଫସଲର ରୋଗ ପରିଚାଳନା

ବହୁ ସଂଖ୍ୟକ ରୋଗକାରୀ ଜୀବାଣୁ ଦ୍ଵାରା ବିରି ଫସଲ ଆକ୍ରାନ୍ତ ହୋଇଥାଏ  । ସେମାନେ ହେଲେ କବକ, ଜୀବାଣୁ, ଭୂତାଣୁ ଭଳି ଜୀବ  । ସେମାନଙ୍କ ମଧ୍ୟରୁ କେତେକ ଆର୍ଥିକ କ୍ଷତି ଘଟାଇଥାନ୍ତି  । କ୍ଷତି ଲକ୍ଷଣ, ସମ୍ବନ୍ଧୀୟ, ପର୍ଯ୍ୟାପ୍ତ ଜ୍ଞାନ ଓ ଏହି ରୋଗ ଗୁଡିକର ସମନ୍ଵିତ ପରିଚାଳନା, ବିରି ଫସଲର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ  ।

ପାଉଁଶିଆ ରୋଗ (ଏରିସିଫେ ପୋଲିଗୋନି)

ପତ୍ର ଓ ଅନ୍ୟ ସବୁଜ ଅଂଶରେ ଧଳା ପାଉଁଶିଆ ଚକଡା ଦେଖାଯାଏ  । ଏହା ପରବର୍ତ୍ତୀ ସମୟରେ ମଳିନ ରଙ୍ଗ ଦେଖାଯାଏ  । ପତ୍ରକୁ ଦେଖିଲେ ମନେହୁଏ ସତେ ଯେପରି ଧଳା ଗୁଣ୍ଡ ବିଞ୍ଚି ଦିଆଯାଇଛି  । ରୋଗ ସଂକ୍ରମଣ ହେଲେ ପତ୍ରର ଉଭୟ ପଟ ଧଳା ପାଉଁଶିଆ ଦେଖାଯାଏ  । ଅତ୍ୟଧିକ ଆକ୍ରାନ୍ତ ଗଛ ଲୋଚାକୋଚା ଓ ବିକୃତ ହୋଇଯାଏ  । ଅତ୍ୟଧିକ ମାତ୍ରାରେ ରୋଗ ହେଲେ ରୋଗିଣା ପତ୍ର ହଳଦିଆ ହୋଇ ଅସମୟରେ ଗଛରୁ ଝଡିପଡେ  । ଏହି ରୋଗ ହେବା ଦ୍ଵାରା ଫସଲ ଶୀଘ୍ର ପାକଳ ହୋଇଯାଏ  ।

ଏହି ରୋଗ ଜୀବାଣୁର ବିସ୍ତୃତ ପୋଷକ ଶ୍ରେଣୀ ରହିଛି ଏବଂ ଋତୁ ବାହାରେ ବିଭିନ୍ନ ପୋଷକରେ ଏହା କୋନିଡିଆ ଆକାରରେ ବଞ୍ଚି ରହେ  । ସେହି ଋତୁରେ ସୃଷ୍ଟି ହୋଇଥିବା ବାୟୁବାହିତ କୋନିଡିଆ ଯୋଗୁଁ ରୋଗର ମାଧ୍ଯମିକ ବିସ୍ତାର ହୋଇଥାଏ  ।

ପରିଚାଳନା

  • କୃଷ୍ଣାୟା ଭଳି ସହଣୀ ଚାଷ କରନ୍ତୁ  ।
  • ପ୍ରତି ଲିଟର ପାଣିରେ କାର୍ବେଣ୍ଡାଜିମ୍ (୧ ଗ୍ରାମ୍) କିମ୍ବା ଥାୟୋଫେନେଟ୍ ମିଥାଇଲ (୧ ମି.ଲି.) କିମ୍ବା ଟ୍ରାଇଡେମର୍ଫ (୧ ମି.ଲି.) ହିସାବରେ ରୋଗ ଦେଖାଦେବା କ୍ଷଣି ପ୍ରଥମଥର ଓ ତାର ୧୫ ଦିନପରେ ୨ୟ ଥର ସିଂଚନ କରନ୍ତୁ  ।

କଳଙ୍କି ରୋଗ (ୟୁରୋମାଇସେସ୍ ଫେଜିଓଲି)

ଏହି ରୋଗ ସାଧାରଣତଃ ପତ୍ରର ତଳ ପାଖରେ ବୃତ୍ତାକାର, ନାଲି, ବାଦାମୀ ଫୋଟକା ଆକାରରେ ଦେଖାଯାଏ  । ଛୁଇଁରେ କମ୍ ସଂଖ୍ୟାରେ ଦେଖାଯାଏ ଏବଂ କାଣ୍ଡରେ କ୍ଵଚିତ୍ ଦେଖାଯାଏ  । ପତ୍ରଗୁଡିକ ଅତିଶୟ ମାତ୍ରାରେ ଉଭୟ ପାର୍ଶ୍ଵରେ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ପତ୍ରରେ କଳଙ୍କି ଦେଖାଯାଏ  । ସେହିପତ୍ର ଲୋଚାକୋଚା ହୋଇ ଝଡି ପଡେ ଓ ଲୋଚାକୋଚା ହେବା ଯୋଗୁଁ ଅମଳ କମିଯାଏ  ।

ପରିଚାଳନା

  • ପ୍ରତି ଏକ ଲିଟର ପାଣିରେ ସଲଫର ସେଚିତ ଗୁଣ୍ଡ / ମାଙ୍କୋଜେବ୍ ୩ ଗ୍ରାମ୍ କିମ୍ବା ଟ୍ରାଇଡ୍ରେମର୍ଫ – ୧ ମି.ଲି. ହିସାବରେ ସିଞ୍ଚନ କରନ୍ତୁ  ।

ରାଇଜୋକ୍ଟୋନିଆ ପତ୍ରପୋଡା ରୋଗ (ରାଜୋକ୍ତୋଣିଆ ସୋଲାନି)

ଖରିଫ୍  ଋତୁରେ ଛୁଇଁ ଧରିବାବେଳେ ଏଇ ରୋଗ ଆକ୍ରମଣ କରିଥାଏ  । ପତ୍ରର ଦୁଇ ଶିରା ମଝିରେ ଛୋଟ ନାଲି ବାଦାମୀ ରଙ୍ଗର ଅନିୟମିତ ଦାଗ ଦେଖାଯାଏ  । ଦାଗଗୁଡିକ ଧୀରେ ଧୀରେ ଆକାରରେ ବଢିଯାଏ ଓ ସମ୍ପୂର୍ଣ୍ଣ ପତ୍ର ଫଳକରେ ମାଡିଯାଏ  । ବଡ ବଡ ଦାଗ ସୃଷ୍ଟି ହେଲେ ପତ୍ର ପୋଡି ଶୁଖିଯାଏ  । ଅଧିକ ଆର୍ଦ୍ର ପରିବେଶ ଏହି ରୋଗ ପାଇଁ ଅନୁକୂଳ  ।

ପରିଚାଳନା

  • ଅତୀତରେ ଜମିରେ ରୋଗ ହୋଇଥିଲେ ଫସଲ ଚକ୍ରୀକରଣ କରନ୍ତୁ  ।
  • ପ୍ରତି କି.ଗ୍ରା. ବିହନରେ ୨ ଗ୍ରାମ୍ ହିସାବରେ କାର୍ବେଣ୍ଡାଜିମ୍ ଗୋଳାଇ ବିହନ ବିଶୋଷଣ କରନ୍ତୁ  ।

ଫୋମା ପତ୍ର ପୋଡା ରୋଗ (ଫୋମା ସ୍ପିସିସ୍)

ଏହି ରୋଗ ମାଟି ଉପରେ ଥିବା ସମସ୍ତ ଅଂଶକୁ ଆକ୍ରାନ୍ତ କରିଥାଏ  । ପତ୍ର ଉପରେ ଛୋଟ ଗୋଲାକାର, ବାଦାମୀ ଦାଗ ଓ ସ୍ପଷ୍ଟ ବାଇଗଣୀ ଧାର ଦେଖାଯାଏ, ଯାହାକି କଳଙ୍କି ବାଦାମୀ ରଙ୍ଗ ହୋଇଯାଏ  । ଅଧିକ ଆକ୍ରାନ୍ତ ହେଲେ ଦାଗଗୁଡିକ ମିଶିଯାଇ ଅନିୟମିତ ଚକଡା ସୃଷ୍ଟି କରନ୍ତି  । ତା ପରେ ପତ୍ର ଶୁଖି ଝଡିଯାଏ  । ଖରିଫ୍ ଋତୁରେ ମରୁଡି ଅବସ୍ଥାରେ ଏହି ରୋଗ ଅଧିକ ଦେଖାଯାଏ  ।

ପରିଚାଳନା

  • କାର୍ବେଣ୍ଡାଜିମ୍ (୦.୧%) ପତ୍ର ସିଞ୍ଚନ କରନ୍ତୁ  ।

ଆନ୍ଥାକ୍ ନୋଜ୍ (କୋଲେଟୋଟ୍ରାଇକମ୍ ଲିଣ୍ଡେମୁଥିୟାନମ୍ ଏବଂ କୋଲେଟୋଟ୍ରାଇକମ୍ କେପ୍ ସିସି)

ଫସଲ ବୃଦ୍ଧିର ଯେ କୌଣସି ଅବସ୍ଥାରେ ମାଟି ଉପରେ ଥିବା ଅଂଶକୁ ଏହି କବକ ଆକ୍ରମଣ କରେ  । ପତ୍ର ଓ ଛୁଇଁ ଉପରେ କ୍ଷତିର ପରିମାଣ ଅଧିକ ଦେଖାଯାଏ  । ପତ୍ର ଓ ଛୁଇଁ ଉପରେ ବୃତ୍ତାକାର ଗାଢ କେନ୍ଦ୍ର ବିଶିଷ୍ଟ ଖାଲୁଆ ଦାଗ ଓ ଓ ଉଜ୍ଜ୍ଵଳ ନାଲି କମଳା ରଙ୍ଗର ଧାର ଯୁକ୍ତ ସ୍ଵତନ୍ତ୍ର ଲକ୍ଷଣ ଦେଖାଯାଏ  । ଅତ୍ୟଧିକ ସଂକ୍ରମଣରେ ଆକ୍ରାନ୍ତ ଗଛ ଝାଉଂଳି ପଡେ ।ମଞ୍ଜି ଗଜା ହେବାର ପରେ ପରେ ଚାରାଗୁଡିକ ସଂକ୍ରମଣ ଯୋଗୁଁ ପୋଡିଯାଏ  । ରୋଗ ଜୀବାଣୁ ମଞ୍ଜି ଓ ଗଛର ନଷ୍ଟାବଶେଷରେ ବଞ୍ଚିଥାଏ  । ବାୟୁବାହିତ କୋନିଡିଆ ଦ୍ଵାରା କ୍ଷେତରେ ରୋଗ ବ୍ୟାପିଥାଏ  । ଥଣ୍ଡା ଆର୍ଦ୍ର ପାଗରେ ରୋଗ ଅଧିକ ହୁଏ  ।

ପରିଚାଳନା

  • ୫୫-୬୦ ସେଣ୍ଟିଗ୍ରେଡ ଉଷୁମ ୧୫ ମିନିଟ୍ ପାଇଁ ବିହନ ଉପଚାର କଲେ ଏହି ବିହନ ବାହିତ ରୋଗ ହ୍ରାସପାଏ  ।
  • ପ୍ରତି ୧ କି.ଗ୍ରା. ବିହନରେ କାପଟାନ / ଥିରାମ୍ ୨ ଗ୍ରାମ୍ ମିଶାଇ ବିଶୋଧନ କରାଯାଏ  ।
  • ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ଥିରାମ୍ କିମ୍ବା ୩ ଗ୍ରାମ୍ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରନ୍ତୁ  ।

ବୀଜାଣୁ ଜନିତ ପତ୍ରପୋଡା (ଜାନ୍ଥୋମୋନାସ୍ ଫେଜିଓଲି)

ଏହି ରୋଗ ଦେଖାଦେଲେ ପତ୍ର ଉପରେ ବହୁଗୁଡିଏ ବାଦାମୀ, ଶୁଖିଲା ଓ ଢିପାଳିଆ ଦାଗ ଦେଖାଯାଏ  । ଏହା ଅଧିକ ହେଲେ ବହୁଗୁଡିଏ ଦାଗ ପରସ୍ପର ସହିତ ମିଶିଯାନ୍ତି  । ପତ୍ରଗୁଡିକ ହଳଦିଆ ପଡି ଅସମୟରେ ଝରିପଡେ  । ଢିପାଳିଆ ଦାଗ ସୃଷ୍ଟି ହେଉଥିବାରୁ ପତ୍ରର ତଳପଟ ନାଲି ରଙ୍ଗ ଦେଖାଯାଏ  । କାଣ୍ଡ ଓ ଛୁଇଁ ମଧ୍ୟ ଆକ୍ରାନ୍ତ ହୁଏ  । ବୀଜାଣୁଗୁଡିକ ବିହନବାହିତ ଓ ଲଟାଦ୍ଵାରା ବର୍ଷ ବର୍ଷ ଧରି ଏହି ରୋଗ ବାହିତ ହୋଇ ରହିଥାଏ  । ରୋଗ ବୃଦ୍ଧି ଓ ବିସ୍ତୃତି ପାଇଁ ବର୍ଷାର ବହୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି  ।

ପରିଚାଳନା

  • ସହଣୀ ଶକ୍ତି ଥିବା ବିହନ ଯଥା – ଏମ୍ଏଲ୍ – ୫୩୭, ଜେଏଏଲ୍ – ୭୮୧, ଏଲ୍.ଜି.ଜି. – ୪୪୪ ଏନ୍ ଡିଏମ୍ – ୮୮ -୧୪ ଇତ୍ୟାଦି  ।
  • ଫସଲର ଅବଶିଷ୍ଟାନ୍ସ ଏବଂ ମୂଳିକୁ ନଷ୍ଟ କରିବା
  • ବୁଣିବା ପୂର୍ବରୁ ୫୦୦ ନିୟୁତାଂଶ ଷ୍ଟ୍ରେପ୍ଟୋସାଇକ୍ଲିନ ଦ୍ରବଣରେ ୩୦ ମିନିଟ୍ ଭିଜାଇବା ଦରକାର  । ତା ପରେ ପ୍ରତି ଲିଟର ପାଣିରେ ୧୦୦ ମି.ଗ୍ରା. ପ୍ଲାଣ୍ଟୋମାଇସିନ୍ ସହିତ ୩ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ ମିଶାଇ ୧୨ ଦିନ ବ୍ୟବଧାନରେ ୨ ଥର ସିଞ୍ଚନ କରାଯାଏ  ।

ସର୍କସ୍ପୋରା ପତ୍ରଦାଗ (ସର୍କସ୍ପୋରା କେନେସେନ୍ସ)

ଏଥିରେ ବହୁସଂଖ୍ୟକ କ୍ଷୁଦ୍ର ଦାଗ ଦେଖାଯାଏ  । ଏହି ଦାଗର କେନ୍ଦ୍ରଗୁଡିକ ଫିକା, ବାଦାମୀ ଓ ଧାରଗୁଡିକ ନାଲି, ବାଦାମୀ ଦେଖାଯାଏ  । ସାଧାରଣତଃ ଶାଖା ଏବଂ ଛୁଇଁରେ ଏହି ପ୍ରକାର ଦାଗ ଦେଖାଯାଏ  । ଅନୁକୂଳ ପରିବେଶରେ ଫୁଲ ଓ ଛୁଇଁ ଧରିବା ଅବସ୍ଥାରେ ଅଧିକ ଦାଗ ଦେଖାଯାଏ ଓ ପତ୍ର ଝଡିଯାଏ  । କବକଟି ବିହନ ବାହିତ ଏବଂ ମାଟିରେ ଥିବା ଫସଲର ନଷ୍ଟାବଶେଷରେ ଏହା ବଞ୍ଚିଥାଏ  ।ଅତ୍ୟଧିକ ଆର୍ଦ୍ରତାରେ ରୋଗ ବ୍ୟାପିଥାଏ  ।

ପରିଚାଳନା

  • ପ୍ରତିରୋଧି ବିହନ ଯଥା ଟି ୬୫ ଓ କେ ୧୧୬-୮୬ ଚାଷ କରନ୍ତୁ  ।
  • ଆଚ୍ଛାଦିନ କରିବା ଦ୍ଵାରା ଏହା ରୋଗର ମାତ୍ରା କମାଇ ଅମଳ ବଢାଇ ଥାଏ  ।
  • ପ୍ରତି ଏକ ଲିଟର ପାଣିରେ ୨ ଗ୍ରାମ୍ କାପଟାନ୍ କିମ୍ବା ଜିନେବ କିମ୍ବା କାର୍ବେଣ୍ଡାଜିମ୍ ୦.୫ ଗ୍ରାମ୍ ସିଞ୍ଚନ କରନ୍ତୁ  ।

କରିନେସ୍ପୋରା ପତ୍ର ଦାଗ (କରିନେସ୍ପୋରା କାଶିକୋଲା)

ପ୍ରଥମାବସ୍ଥାରେ ଫସଲ ଫୁଲ ଅବସ୍ଥାରେ ପହଞ୍ଚିଲେ ଏହି ରୋଗର ଲକ୍ଷଣ ପତ୍ର ଉପରେ ଦେଖାଯାଏ  । ଗାଢ ନାଲି ବାଦାମୀ ରଙ୍ଗର ଗୋଲାକାର ପୋଡାଳିଆ ଦାଗ ସାଧାରଣତଃ ପତ୍ରର ଉପର ଅଂଶରେ ଦେଖାଯାଏ ଏବଂ ଏହା ବଢିଯାଇ ବଡ ଦାଗରେ ପରିଣତ ହୁଏ  । ରୋଗ ବଢିଗଲେ ଦାଗଗୁଡିକ ପରସ୍ପର ସହିତ ମିଶିଯାଇ ଚକଡାମାନ ସୃଷ୍ଟି ହୋଇଥାଏ  । ରୋଗ ବଢିଗଲେ ଛୋଟ ଛୋଟ କଣା ହୁଏ ଓ ଅଧିକ ସଂଖ୍ୟକ ପତ୍ରଝଡା ଦେବା ଏହାର ଏକ ମୁଖ୍ୟ ଲକ୍ଷଣ  । ଏହି ରୋଗ ହେବା ଦ୍ଵାରା ଅମଳ ବହୁ ପରିମାଣରେ କମିଯାଏ  । ଏହି କବକ ବିହନ ବାହିତ ଏବଂ ଫସଲର ନଷ୍ଟାବଶେଷରେ ଦୁଇ ବର୍ଷ ପର୍ଯ୍ୟନ୍ତ ବାନ୍ଧି ରହିପାରେ  ।

ପରିଚାଳନା

  • ରୋଗ ସହଣୀ କିସମ ଏଲ୍ ବି ଜି – ୧୬୭ ଚାଷ କରନ୍ତୁ  ।
  • ପରିଷ୍କାର ମଞ୍ଜି ଏବଂ ଫସଲର ନଷ୍ଟାବଶେଷ ବାହାର କରିଦିଅନ୍ତୁ  ।
  • ପ୍ରତି ଲିଟର ପାଣିରେ ୧% ବୋର୍ଡେକ୍ସ ମିକ୍ସଚର କିମ୍ବା ପ୍ରତି ଲିଟର ପାଣିରେ ୨ ଗ୍ରାମ୍ କ୍ଲୋରୋଥାଲୋନିଲ୍ କିମ୍ବା ମାଙ୍କୋଜେବ୍ ସିଞ୍ଚନ କରନ୍ତୁ  ।

ମାକ୍ରୋଫୋମିନା ପତ୍ର ପୋଡାରୋଗ (ମାକ୍ରୋଫୋମିନା ଫେଜିଓଲିନା)

ଗଜା ବାହାରିବା ପୂର୍ବରୁ କବକ ମଞ୍ଜି ଓ ଗଜା ହେଉଥିବା ଚାରାକୁ ସଢାଇଥାଏ  । ଗଜା ବାହାରିବା ପର ଅବସ୍ଥାରେ ମାଟି ଓ ବିହନ ବାହିତ ସଂକ୍ରମଣ ଯୋଗୁଁ ଚାରା ପୋଡିଯାଏ  । ଏହାର ମୁଖ୍ୟ ଲକ୍ଷଣ ହେଲା ମାଧ୍ୟମିକ ଚେର ନଷ୍ଟ ହେବା ଓ ମୁଖ୍ୟ ଚେରର ବାହ୍ୟବରଣ ଛିଡିଯାଏ  । ବୀଜପତ୍ରରେ କିମ୍ବା କଅଁଳିଆ ପତ୍ରରେ ଛୋଟ ଗୋଲାକାର ବାଦାମୀ ଦାଗ ଦେଖାଯାଏ  । ଛୁଇଁ ଅବସ୍ଥାରେ ପତ୍ରରେ କେତେକ ଶିରା ତମ୍ବାଳିଆ ଦେଖାଯାଏ  । ରୋଗ ତୀବ୍ରତର ହେଲେ ଶିରା ଦୁର୍ବଳ ହୋଇ ଭାଙ୍ଗିଯିବା ଯୋଗୁଁ ପତ୍ର ନଇଁ ପଡେ  । ଏଭଳି ପତ୍ର ଝୁଲି ଶୁଖିଯାଏ ଏବଂ ଝଡିପଡେ  । ରୋଗାକ୍ରାନ୍ତ ଗଛର ଅଂଶ ମଞ୍ଜି ମାଟି ରୋଗାକ୍ରାନ୍ତ ଗଛର ଅଙ୍ଗ ମାଧ୍ୟମରେ କବକ ବଞ୍ଚି ରହିଥାଏ  । ତାପମାତ୍ରା ବଢିବା ସହିତ ରୋଗର ମାତ୍ରା ବଢିଯାଏ  । ମାଟି ଉପର ସ୍ତରରେ କବକ ବଞ୍ଚି ରହେ ଓ କାଣ୍ଡ ମାଧ୍ୟମରେ ଗଛରେ ପ୍ରବେଶ କରେ  ।

ପରିଚାଳନା

  • ପରିମଳ ଚାଷ ଏବଂ ଅଣ ଡାଲିଜାତୀୟ ଫସଲରେ ଚକ୍ରୀକରଣ
  • ଫସଲର ଅବଶିଷ୍ଟାନ୍ସ କୁ ପୋଡି କିମ୍ବା ପୋତି ନଷ୍ଟ କରିଦିଅନ୍ତୁ  ।
  • ପ୍ରତି କି.ଗ୍ରା. ବିହନକୁ ୩ ଗ୍ରାମ୍ କାର୍ବେଣ୍ଡାଜିମ୍ + ଥିରାମ୍ (୧:୨) ବିଶୋଧନ କରନ୍ତୁ  ।

ଡ୍ରେକ୍ ସ୍ଲେରା ପତ୍ରପୋଡା (ଦ୍ରେକସ୍ଲେରା ସ୍ପିସିସ୍)

ପୁରୁଣା ପତ୍ରର ମୁଖ୍ୟ ଶିରାର ଉଭୟ ପଟରେ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ  । ଏହି ରୋଗ ପତ୍ର ଅଗରୁ ଆରମ୍ଭ ହୋଇ ପଟ ଡେଣା ପର୍ଯ୍ୟନ୍ତ ବ୍ୟାପିଥାଏ ଏବଂ ପତ୍ରପୋଡି ଶୁଖିଯାଏ  । ବେଳେବେଳେ ପତ୍ର ଡେମ୍ଫରୁ ଆରମ୍ଭ ହୋଇ ପତ୍ର ଅଗ ପର୍ଯ୍ୟନ୍ତ ବ୍ୟାପିଯାଏ  । ଏହି କାରଣରୁ ଆକ୍ରାନ୍ତ ପତ୍ର ଝଡିପଡେ  । ମୁଖ୍ୟତଃ ଖରିଫ୍ ଋତୁ ମୁଗ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ  ।

ପରିଚାଳନା

  • ଏକ ଲିଟର ପାଣିରେ କାର୍ବେଣ୍ଡାଜିମ୍ ଓ ମାଙ୍କୋଜେବ୍ ର ମିଶ୍ରିତ କବକନାଶକରୁ ୨ ଗ୍ରାମ୍ ହିସାବରେ ସିଞ୍ଚନ କରନ୍ତୁ  ।

ପତ୍ର ଜାଲି ପୋଡା ରୋଗ (ରାଇଜୋକ୍ଟୋନିଆ ସୋଲାନି)

ପ୍ରଥମରୁ ପତ୍ର ଉପରେ ଛୋଟ ପାଣିପୋଚକା, ବିଭିନ୍ନ ପ୍ରକାରର ସବୁଜ ପୋଡାଳିଆ ଦାଗ ଦେଖାଯାଏ  । ପୁରୁଣାପତ୍ରରେ ଦାଗଗୁଡିକ ସଂଖ୍ୟା ଓ ଆକାରରେ ବଢିଯାଏ ଏବଂ ଏହା ନାଲି ଓ ବାଦାମୀ ରଙ୍ଗର ହୋଇଥାଏ  । ଏହା କଅଁଳିଆ ପତ୍ରକୁ ବ୍ୟାପିଥାଏ  । କବକ ଦ୍ଵାରା ପ୍ରସ୍ତୁତ ହୋଇଥିବା ଗୋଲାପି ରଙ୍ଗର ଜାଲିରେ ଅସଂଖ୍ୟ ଧଳାରଙ୍ଗର କବକରେଣୁ ସୃଷ୍ଟି ହୋଇଥାନ୍ତି  । ଆକ୍ରାନ୍ତ ପତ୍ରଗୁଡିକ ଝରିପଡେ  । ଶାଖାଗୁଡିକ ଛୋଟ ହୋଇଥିବାରୁ ଅମଳ ଯଥେଷ୍ଟ କମିଯାଏ  । ଓଦାଳିଆ ପାଗରେ ଏହି ରୋଗ ଅଧିକ ବ୍ୟାପିଥାଏ  ।

ପରିଚାଳନା

  • ଛୁଇଁ ହେବା ସମୟରେ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ମାଙ୍କୋଜେବ୍ / କପର ଅକ୍ସିକ୍ଲୋରାଇଡ କିମ୍ବା ୧ ଗ୍ରାମ୍ କାର୍ବେଣ୍ଡାଜିମ୍ / ଥାୟୋଫେନେଟ୍ ମିଥାଇଲ ସିଞ୍ଚନ କରନ୍ତୁ  ।

ଚେରସଢା ଓ ପତ୍ରପୋଡା ରୋଗ (ରାଇଜୋକ୍ଟୋନିଆ ସୋଲାନି)

ଏହି ରୋଗକାରୀ ଜୀବାଣୁ ମୁଗ ଫସଲରେ ମଞ୍ଜି ସଢା, ଚେରସଢା ମୂଳସଢା, ଚାରାପୋଡା କାଣ୍ଡ ଯାଦୁରା ଓ ପତ୍ରପୋଡା ରୋଗ କରାଏ  । ଛୁଇଁ ଅବସ୍ଥାରେ ସାଧାରଣତଃ ଦେଖାଯାଏ  । ପ୍ରାଥମିକ ଅବସ୍ଥାରେ ଚେରସଢା, ଚେରସଢା ମୂଳସଢା ଲକ୍ଷଣ ଦେଖାଯାଏ  । ଆକ୍ରାନ୍ତ ପତ୍ର ହଳଦିଆ ଏବଂ ପତ୍ରରେ ବାଦାମୀ ଅନିୟମିତତା ଦାଗ ଦେଖାଯାଏ  । ଏହି ପତ୍ରପୋଡା ଗୁଡିକ ମିଶିଯିବା ପରେ ବଡ ଚକଡା ସୃଷ୍ଟି ହୁଏ ଏବଂ ଆକ୍ରାନ୍ତ ପତ୍ରଗୁଡିକ ଅସମୟରେ ଶୁଖିଯାଏ  । ଚେର ଓ କାଣ୍ଡର ମୂଳ ଅଂଶ କଳାରଙ୍ଗର ହୋଇଯାଏ ଏବଂ କବକ ସହଜରେ ବାହାର କରିହୁଏ  । ଆକ୍ରାନ୍ତ ଗଛ କ୍ରମଶଃ ଶୁଖିଯାଏ  । ଆକ୍ରାନ୍ତ ମୁଖ୍ୟ ଚେର ଚିରି ଦେଖିଲେ ଆଭ୍ୟନ୍ତରୀଣ ପେଶୀଗୁଡିକ ନାଲି ହୋଇଥିବାର ଦେଖାଯାଏ  । ଏହି ରୋଗଜୀବାଣୁ ମୃତ୍ତିକା ବାହିତ  ।

ପରିଚାଳନା

  • ସହନଶୀଳ କିସମ ଯଥା : ପୁଷା ବୈଶାଖୀ ଓ ପି ଏସ୍ – ୧୬  ବିହନ ବ୍ୟବହାର କରନ୍ତୁ  ।
  • ପ୍ରତି କି.ଗ୍ରା. ବିହନରେ ୪ ଗ୍ରାମ୍ ଟ୍ରାଇକୋଡାର୍ମା ଭିରିଡି ଫର୍ମୁଲେଶନ ଏବଂ ୩ ଗ୍ରାମ୍ ଥିରାମ୍ ଗୋଳାଇ ବିଶୋଧନ କରନ୍ତୁ  ।

ପତ୍ରମୋଚା (ପତ୍ରମୋଚା ଭୂତାଣୁ)

ଏହି ରୋଗ ପତ୍ରମୋଚା ଭୂତାଣୁ ଦ୍ଵାରା ହୋଇଥାଏ ଯାହାକି ବିହନ ବହିତ, ଧଳାମାଛି ଓ ଜଉପୋକ ଦ୍ଵାରା ବାହିତ ହୋଇଥାଏ  । ଏହି ରୋଗ ହେଲେ ପତ୍ର ବଢିଯାଏ, ତା’ପରେ  ପତ୍ର ଫଳକ ମୋଚା ହୋଇଥାଏ  । ପତ୍ରରେ ଏହା ଅଧିକ ଦେଖାଯାଏ  । ଏହି ରୋଗ ସଂକ୍ରମଣ ଯୋଗୁଁ ଫୁଲ ଧରିବା ବିଳମ୍ବ ହୋଇଥାଏ  । ପରବର୍ତ୍ତୀ ପୁଷ୍ପ ସ୍ତବକ ଗୋଚ୍ଛାଳିଆ ହୁଏ । ଅଳ୍ପ ସଂଖ୍ୟକ ଛୁଇଁ ଧରେ ଓ ଅମଳ କମିଥାଏ ।

ପରିଚାଳନା

  • ରୋଗ ବିହୀନ ବିହନ ବ୍ୟବହାର
  • ଜମିରେ ଆକ୍ରାନ୍ତ ଗଛ ବାଛି ବାହାର କରିଦିଅନ୍ତୁ  ।
  • ସେଣ୍ଟିଗ୍ରେଡ ଉଷୁମ ପାଣିରେ ୩୦ ମିନିଟ୍ ଯାଏ ଉପଚାର କରନ୍ତୁ  ।
  • କୀଟ ବାହକର ସମୟୋଚିତ ପରିଚାଳନା

ସାହେବୀ ରୋଗ (ମୁଗ ହଳଦିଆ ମୋଜାଇକ୍ ଭୂତାଣୁ)

ଏହି ରୋଗ ମୁଗର ହଳଦିଆ ମୋଜାଇକ୍ ଭାଇରସ୍ (ଏମ୍ ୱାଇ ଏମ୍.ଭି) ଦ୍ଵାରା ହୋଇଥାଏ  । ପ୍ରଥମ ଅବସ୍ଥାରେ କଅଁଳିଆ ପତ୍ରରେ ସାମାନ୍ୟ ଭାବେ ହୋଇଥିବା ହଳଦିଆ ଦାଗ ଦେଖାଯାଏ  । ତା ପରେ ବଢୁଥିବା ଅଂଶରୁ ବାହାରିଥିବା ତିନିପତ୍ର ବିଶିଷ୍ଟ ପତ୍ର ଉପରେ ଅନିୟମିତ ଭାବେ ହଳଦିଆ ଓ ସବୁଜ ଚକଡା ପାଳି କରି ଦେଖାଯାଏ  । ଦାଗଗୁଡିକ କ୍ରମଶଃ ଆକାରରେ ବଢିଥାଏ ଏବଂ ଶେଷରେ କେତେକ ପତ୍ର ସମ୍ପୂର୍ଣ୍ଣ ହଳଦିଆ ପଡିଯାଏ  । ଆକ୍ରାନ୍ତ ପତ୍ରରେ ମଧ୍ୟ ପୋଡାଳିଆ ଲକ୍ଷଣ ଦେଖାଯାଏ  । ରୋଗାକ୍ରାନ୍ତ ଗଛଗୁଡିକ ରୁଗୁଡିଆ ଦିଶେ ଓ ବିଳମ୍ବରେ ପାକଳ ହୁଏ, କମ୍ ଫୁଲ ଓ ଛୁଇଁ ଆସେ  । ଆକ୍ରାନ୍ତ ଗଛରେ ଥିବା ଛୁଇଁଗୁଡିକ ଛୋଟ ଓ ହଳଦିଆ ରଙ୍ଗ ଦେଖାଯାଏ  । ଧଳା ମାଛି (ବେମିଶିଆ ଟାବାସି) ଦ୍ଵାରା ଏହି ରୋଗ ବ୍ୟାପିଥାଏ  ।

ପରିଚାଳନା

  • ପ୍ରତିରୋଧି ବିହନ ଯଥା – ପି.ୟୁ – ୧୯, ପି.ୟୁ – ୩୦, ପି.ୟୁ – ୩୫, କେ.ୟୁ – ୩୦୦, କେ.ୟୁ – ୩୦୧, ଆଦି ଚାଷ କରନ୍ତୁ  ।
  • ବାହକ ପୋକ ଧଳାମାଛିର ଏକ ପରଜୀବୀ କବକ ପେଇସିଲୋ ମାଇସେସ୍ ଫାରିନୋସେସ୍ ର ସଂରକ୍ଷଣ କରନ୍ତୁ  ।
  • ଧଳାମାଛିର ପରିଚାଳନା ନିମନ୍ତେ ରାସାୟନିକ ବିଷ ଯଥା – ଏଣ୍ଡୋସଲଫାନ୍ (୦.୦୭%) କିମ୍ବା ମିଥାଇଲ ଡିମେଟିନ୍ (୦.୦୩%) ପ୍ରୟୋଗ କରନ୍ତୁ  ।

ବିଶେଷ ବାର୍ତ୍ତା

  • ମୁଗର ମୁଖ୍ୟ ରୋଗଗୁଡିକ ହେଲା, ଆନ୍ଥାକନୋଜ୍, ଶୁଷ୍କ ଚେରସଢା, ପତ୍ର ଦାଗ, ପାଉଁଶିଆ ରୋଗ, କଳଙ୍କି ରୋଗ, ସାହେବୀ ରୋଗ, ପତ୍ରମୋଚା ରୋଗ, ପତ୍ର ଲୋଚା, କାଣ୍ଡ ଯାଦୁରା, ମଞ୍ଜି ଓ ଚାରା ସଢା ଓ ପତ୍ରମୋଡା  ।
  • ପତ୍ରମୋଚା ଓ ହଳଦିଆ ମୋଜାଇକ୍ ଭଳି ଭୂତାଣୁଯମିତ ରୋଗ ପାଇଁ ବାହକ ସଂଖ୍ୟା ନିୟନ୍ତ୍ରଣ କରନ୍ତୁ  ।
  • ଉପଲବ୍ଧ ଥିଲେ ପ୍ରତିରୋଧ ଶକ୍ତି ଥିବା ବିହନ କିସମ ବ୍ୟବହାର କରନ୍ତୁ  ।
  • ରୋଗ ପରିଚାଳନା ପାଇଁ ଜୈବ ନିୟନ୍ତ୍ରକ ବ୍ୟବହାର କରନ୍ତୁ  ।
  • ଆବଶ୍ୟକ ଭିତ୍ତିକ ରାସାୟନିକ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରନ୍ତୁ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.72222222222
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top