ହୋମ / କୃଷି / ଶସ୍ୟ ଉତ୍ପାଦନ / ମୁଗ – ଏହାର ରୋଗ ପରିଚାଳନା
ସେଆର କରନ୍ତୁ

ମୁଗ – ଏହାର ରୋଗ ପରିଚାଳନା

ମୁଗ – ଏହାର ରୋଗ ପରିଚାଳନା ର ସୂଚନା

ମୁଗ ଫସଲର ରୋଗ ପରିଚାଳନା

ବହୁ ସଂଖ୍ୟକ ରୋଗକାରୀ ଜୀବାଣୁ ଦ୍ଵାରା ମୁଗ ଫସଲ ଆକ୍ରାନ୍ତ ହୋଇଥାଏ  ସେମାନେ ହେଲେ କବକ, ବୀଜାଣୁ, ଭୂତାଣୁ ଭଳି ଜୀବ  । ସେମାନଙ୍କ ମଧ୍ୟରୁ କେତେକ ଆର୍ଥିକ କ୍ଷତି ଘଟାଇଥାନ୍ତି  । କ୍ଷତି ଲକ୍ଷଣ ସମ୍ବନ୍ଧୀୟ ପର୍ଯ୍ୟାପ୍ତ ଜ୍ଞାନ ଓ ଏହି ରୋଗଗୁଡିକର ସମନ୍ଵିତ ପରିଚାଳନା, ମୁଗ ଫସଲର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ  ।

ଆନ୍ଥ୍ରାକଜୋନ୍ (କୋଲେଟୋଟ୍ରାଇକମ୍ ଲିଣ୍ଡେମୁଥିୟାନମ୍ ଏବଂ କୋଲେଟୋଟ୍ରାଇକମ୍ କ୍ୟାପସିସି)

ଫସଲ ବୃଦ୍ଧିର ଯେ କୌଣସି ଅବସ୍ଥାରେ ମାଟି ଉପରେ ଥିବା ଅଂଶକୁ ଏହି କବକ ଆକ୍ରମଣ କରେ  । ପତ୍ର ଓ ଛୁଇଁ ଉପରେ କ୍ଷତିର ପରିମାଣ ଅଧିକ ଦେଖାଯାଏ  । ପତ୍ର ଓ ଛୁଇଁ ଉପରେ ବୃତ୍ତାକାର ଗାଢ କେନ୍ଦ୍ର ବିଶିଷ୍ଟ ଖାଲୁଆ ଦାଗ ଓ ଉଜ୍ଜ୍ଵଳ ନାଲି କମଳା ରଙ୍ଗର ଧାର ଭଳି ସ୍ଵତନ୍ତ୍ର ଲକ୍ଷଣ ଦେଖାଯାଏ  । ଅତ୍ୟଧିକ ସଂକ୍ରମଣରେ ଆକ୍ରାନ୍ତ ଗଛ ଝାଉଂଳି ପଡେ  । ମଞ୍ଜି ଗଯା ହେବା ପରେ ପରେ ଚାରାଗୁଡିକ ସଂକ୍ରମଣ ଯୋଗୁଁ ପୋଡିଯାଏ  । ରୋଗ ଜୀବାଣୁ କ୍ଷତ ଓ ଗଛର ନଷ୍ଟାବଶେଷରେ ବଞ୍ଚିଥାଏ  । ବାୟୁବାହିତ କୋନିଡିଆ ଦ୍ଵାରା କ୍ଷେତରେ ରୋଗ ବ୍ୟାପିଥାଏ  । ଥଣ୍ଡା ଓ ଆର୍ଦ୍ର ପାଗରେ ରୋଗ ଅଧିକ ହୁଏ  ।

ପରିଚାଳନା

  • ୫୫ – ୬୦ ସେଣ୍ଟିଗ୍ରେଡ ଉଷୁମ ପାଣିରେ ୧୫ ମିନିଟ୍ ପାଇଁ ବିହନ ଉପଚାର କଲେ ଏହି ବିହନ ବାହିତ ରୋଗ ହ୍ରାସ ପାଏ  ।
  • ପ୍ରତି ୧ କି.ଗ୍ରା. ବିହନରେ କାପେଟାନ / ଥିରାମ ୨ ଗାମ୍ ମିଶାଇ ବିଶୋଧନ କରାଯାଏ  ।
  • ପ୍ରତି ଲିଟର ପାଣିରେ ୨ ଗ୍ରାମ ଥିରାମ୍ କିମ୍ବା ୩ ଗ୍ରାମ୍ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରନ୍ତୁ  ।

ବୀଜାଣୁ ଜନିତ ପତ୍ରପୋଡା

ଏହି ରୋଗ ଦେଖାଦେଲେ ପାତ୍ର ଉପରେ ବହୁ ବାଦାମୀ, ଶୁଖିଲା ଓ ଢିପାଳିଆ ଦାଗ ଦେଖାଯାଏ  । ଏହା ଅଧିକ ହେଲେ ଦାଗଗୁଡିକ ପରସ୍ପର ସହିତ ମିଶିଯାନ୍ତି  । ପତ୍ରଗୁଡିକ ହଳଦିଆ ପଡି ଅସମୟରେ ଝରିପଡେ  । ଢିପାଳିଆ ଦାଗ ସୃଷ୍ଟି ହେଉଥିବାରୁ ପତ୍ରର ତଳପଟ ନାଲି ରଙ୍ଗ ଦେଖାଯାଏ  । କାଣ୍ଡ ଓ ଛୁଇଁ ମଧ୍ୟ ଆକ୍ରାନ୍ତ ହୁଏ  । ବୀଜାଣୁ ବିହନବାହିତ ଓ ଲଟା ଦ୍ଵାରା ବର୍ଷବର୍ଷ ଧରି ଏହି ରୋଗ ବାହିତ ହୋଇ ରହିଥାଏ  । ରୋଗ ବୃଦ୍ଧି ଓ ବିସ୍ତୃତି ପାଇଁ ବର୍ଷାର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି  ।

ପରିଚାଳନା

  • ସହଣୀ ଶକ୍ତି ଥିବା ବିହନ ଯଥା – ଏମ୍ଏଲ୍ – ୫୩୭, ଜେଏଏଲ୍-୭୮୧, ଏଲ୍ ଜି.ଜି. – ୪୪୪ ଏନଡିଏମ୍- ୮୮-୧୪ ଇତ୍ୟାଦି
  • ଫସଲର ଅବଶିଷ୍ଟାନ୍ସ ଏବଂ ମୂଳିକୁ ନଷ୍ଟ କରିବା
  • ବିହନ ବୁଣିବା ପୂର୍ବରୁ ୫୦୦ ନିୟୁତାଂଶ ଷ୍ଟ୍ରେପ୍ଟୋସାଇକ୍ଲିନ ଦ୍ରବଣରେ ୩୦ ମିନିଟ୍ ବୁଡାଇ ରଖିବା ଦରକାର  । ତା ପରେ ପ୍ରତି ଲିଟର ପାଣିରେ ୧୦୦ ମିଲି ଗ୍ରାମ୍ ପ୍ଲାଣ୍ଟୋମାଇସିନ୍ ସହିତ ୩ ଗ୍ରାମ୍ କପର ଅକ୍ସିକ୍ଲୋରାଇଡ ମିଶାଇ ୧୨ ଦିନ ବ୍ୟବଧାନରେ ୨ ଥର ସିଞ୍ଚନ କରାଯାଏ  ।

ସର୍କୋସ୍ପୋରା ପତ୍ରଦାଗ (ସର୍କୋସ୍ପୋରା କେନେସେନ୍ସ)

ଏଇ ରୋଗ ହେଲେ ବହୁସଂଖ୍ୟକ କ୍ଷୁଦ୍ର ଦାଗ ଦେଖାଯାଏ  । ଏହାର କେନ୍ଦ୍ର ଫିକା, ବାଦାମୀ, ଓ ଧାରା ନାଲି, ବାଦାମୀ ଦେଖାଯାଏ  । ଶାଖା ଏବଂ ଛୁଇଁରେ ଏହି ପ୍ରକାର ଦାଗ ଦେଖାଯାଏ  । ଅନୁକୂଳ ପରିବେଶରେ ଫୁଲ ଓ ଛୁଇଁ ଧରିବା ଅବସ୍ଥାରେ ଅଧିକ ଦାଗ ଦେଖାଯାଏ ଓ ପତ୍ର ଝଡିଯାଏ  । କବକ ବିହନ ବାହିତ ଏବଂ ମାଟିରେ ଥିବା ଫସଲର ନଷ୍ଟାବଶେଷରେ ଏହା ବଞ୍ଚିଥାଏ  । ଅତ୍ୟଧିକ ଆର୍ଦ୍ରତାରେ ରୋଗ ଆଦିକ ବ୍ୟାପେ  ।

ପରିଚାଳନା

  • ସହନଶୀଳ ବିହନ ଯଥା ସିଓ – ୪, ଏମ୍.ଏଲ୍ – ୫୧୫, ବିଏମ୍ – ୪ ଏବଂ ଟିଏମ୍-୯୮-୫୦ ବ୍ୟବହାର  କରନ୍ତୁ  ।
  • ଆଚ୍ଛାଦନ ବ୍ୟବସ୍ଥା କରିବା ଦ୍ଵାରା ଏହା ରୋଗର ମାତ୍ରା କମି ଅମଳ ବଢି ଥାଏ  ।
  • ଏକ ଲିଟର ପାଣିରେ କାପେଟାନ କିମ୍ବା ଜିନେବ ୨ ଗ୍ରାମ୍ କିମ୍ବା କାର୍ବେଣ୍ଡାଜିମ୍ ୦.୫ ଗ୍ରାମ୍ ସିଞ୍ଚନ କରିବା ଦରକାର  ।

କରିନେସ୍ପୋରା ପତ୍ର ଦାଗ (କରିନେସ୍ପୋରା କାଶିକୋଲା)

ମୁଗ ଫସଲ ଫୁଲ ଅବସ୍ଥାରେ ପହଞ୍ଚିଲେ ଏହି ରୋଗର ଲକ୍ଷଣ ପତ୍ର ଉପରେ ଦେଖାଯାଏ  । ଗାଢ ନାଲି ବାଦାମୀ ରଙ୍ଗର ଗୋଲାକାର ପୋଡାଳିଆ ଦାଗ ସାଧାରଣତଃ ପତ୍ରର ଉପର ଅଂଶରେ ଦେଖାଯାଏ ଏବଂ ଏହା ବଢିଯାଇ ବଡ ଦାଗରେ ପରିଣତ ହୁଏ  । ରୋଗ ବଢିଗଲେ ଦାଗଗୁଡିକ ପରସ୍ପର ସହିତ ମିଶିଯାଇ ଚକଡା ମାନ ସୃଷ୍ଟି ହୋଇଥାନ୍ତି  । ରୋଗ ବଢିଗଲେ ଛୋଟ ଛୋଟ କଣା ହୁଏ  ଓ ଅଧିକ ସଂଖ୍ୟକ ପତ୍ରଝଡା ଦେବା ଏହାର ଏକ ମୁଖ୍ୟ ଲକ୍ଷଣ  । ଏହି ରୋଗ ହେବା ଦ୍ଵାରା ଅମଳ ବହୁ ପରିମାଣରେ କମିଯାଏ । ଏହି କବକ ବିହନ ବାହିତ ଏବଂ ଫସଲର ନଷ୍ଟାବଶେଷରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ  ।

ପରିଚାଳନା

  • ରୋଗ ସହଣୀ କିସମ ଏଲ୍ ବିଜି – ୧୬୭ ଚାଷ କରନ୍ତୁ  ।
  • ପରିଷ୍କାର ମଞ୍ଜି ବ୍ୟବହାର କରନ୍ତୁ ଏବଂ ଫସଲର ନଷ୍ଟାବଶେଷ ବାହାର କରିଦିନତୁ  ।
  • ପ୍ରତି ଲିଟର ପାଣିରେ ୧% ବୋର୍ଦେକ୍ସ ମିକ୍ସଚର କିମ୍ବା ପ୍ରତି ଲିଟର ପାଣିରେ ୨ ଗ୍ରାମ୍ କ୍ଲୋରୋଥାଲୋନିଲ୍ କିମ୍ବା ମାଙ୍କୋଜେବ୍ ସିଞ୍ଚନ କରନ୍ତୁ  ।

ମାକ୍ରୋଫୋମିନା ପତ୍ର ପୋଡାରୋଗ (ମାକ୍ରୋଫୋମିନା ଫେଜିଓଲିନା)

ଗଜା ବାହାରିବା ପୂର୍ବରୁ କବକ ମଞ୍ଜି ଓ ଗଜା ହେଉଥିବା ଚାରାକୁ ସଢାଇଥାଏ  । ଗଜା ବାହାରିବା ପର ଅବସ୍ଥାରେ ମାଟି ଓ ବିହନ ବାହିତ ସଂକ୍ରମଣ ଯୋଗୁଁ ଚାରା ପୋଡିଯାଏ  । ଏହାର ମୁଖ୍ୟ ଲକ୍ଷଣ ହେଲା ଦ୍ଵିତୀୟାକ ଚେର ନଷ୍ଟ ହେବା ଓ ମୁଖ୍ୟ ଚେରର ବାହ୍ୟାବବରଣ ଛିଡିଯିବା  । ବୀଜପତ୍ରରେ କିମ୍ବା କଅଁଳିଆ ପତ୍ରରେ ଛୋଟ ଗୋଲାକାର ବାଦାମୀ ଦାଗ ଦେଖାଯାଏ  । ଛୁଇଁ ଅବସ୍ଥାରେ କେତେକ ପତ୍ରରେ ଶିରା ତମ୍ବାଳିଆ ଦେଖାଯାଏ  । ରୋଗ ତୀବ୍ରତର ହେଲେ ଶିରା ଦୁର୍ବଳ ହୋଇ ବାଙ୍ଗିଯିବା ଯୋଗୁଁ ପତ୍ର ନଇଁ ପଡେ  । ଏଭଳି ପତ୍ର ଝୁଲି ଶୁଖିଯାଏ ଏବଂ ଝଡିପଡେ  । ମଞ୍ଜି ମାଟି ଓ ରାଗାକ୍ରାନ୍ତ ଗଛର ବିଭିନ୍ନ ଅଙ୍ଗରେ କବକ ବଞ୍ଚି ରହିଥାଏ  । ତାପମାତ୍ରା ବଢିବା ସହିତ ରୋଗର ମାତ୍ରା ବଢିଯାଏ  । ମାଟି ଉପର ସ୍ତରରେ କବକ ବଞ୍ଚି ରହେ ଓ କାଣ୍ଡ ମାଧ୍ୟମରେ ଗଛରେ ପ୍ରବେଶ କରେ  ,।

ପରିଚାଳନା

  • ପରିମଳ ଚାଷ ଏବଂ ଡାଲିଜାତୀୟ ଫସଲରେ ଚକ୍ରୀକରଣ କରନ୍ତୁ ।
  • ଫସଲର ଅବଶିଷ୍ଟାନ୍ସକୁ ପୋଡି କିମ୍ବା ପୋତି ନଷ୍ଟ କରିଦିଅନ୍ତୁ ।
  • ପ୍ରତି କିଗ୍ରା ବିହନରେ ୩ ଗ୍ରାମ୍ କାର୍ବେଣ୍ଡାଜିମ୍ + ଥିରାମ୍ (୧:୨) ମିଶାଇ ବିଶୋଧନ କରନ୍ତୁ  ।

ପାଉଁଶିଆ ରୋଗ (ଏରିସିଫେ ପୋଲିଗୋନି)

ପତ୍ର ଓ ଅନ୍ୟ ସବୁଜ ଅଂଶରେ ଉପରେ ଧଳା ପାଉଁଶିଆ ଚକଡା ଦେଖାଯାଏ ଏବଂ ପରବର୍ତ୍ତୀ ସମୟରେ ମଳିନ ରଙ୍ଗ ଦେଖାଯାଏ  । ପତ୍ରକୁ ଦେଖିଲେ ମନେହୁଏ ସତେ ଯେପରି ଧଳା ଗୁଣ୍ଡ ବିଞ୍ଚି ଦିଆଯାଇଛି  । ଯେତେବେଳେ ରୋଗ ସଂକ୍ରମଣ ହୁଏ ପତ୍ରର ଉଭୟ ପଟ ଧଳା ପାଉଁଶିଆ ଦେଖାଯାଏ  । ଅତ୍ୟଧିକ ଆକ୍ରାନ୍ତ ଗଛ ଲୋଚାକୋଚା ଓ ବିକୃତ ହୋଇଯାଏ  । ଅତ୍ୟଧିକ ମାତ୍ରାରେ ରୋଗ ହେଲେ ରୋଗିଣା ପତ୍ର ହଳଦିଆ ହୋଇ ଅସମୟରେ ଗଛରୁ ଝଡିପଡେ  । ଏହି ରୋଗ ହେବା ଦ୍ଵାରା ଶୀଘ୍ର ପାକଳ ହୋଇଯାଏ  ।

ଏହି ରୋଗ ଜୀବାଣୁର ବିସ୍ତୃତ ପୋଷକ ଉଦ୍ଭିଦ ଶ୍ରେଣୀ ରହିଛି ଏବଂ ଫସଲରୁତୁ ପରେ ବିଭିନ୍ନ ପୋଷକରେ ଏହା କୋନିଦିଆ ଆକାରରେ ବଞ୍ଚି ରହେ  । ସେହି ଋତୁରେ ସୃଷ୍ଟି ହୋଇଥିବା ବାୟୁବାହିତ କୋନିଦିଆ ଯୋଗୁଁ ରୋଗର ପରବର୍ତ୍ତୀ ବିସ୍ତାର ହୋଇଥାଏ  ।

ପରିଚାଳନା

  • ସହନଶୀଳ ଶକ୍ତି ଥିବା କିସମ ଯଥା – ପୁଷା ୯୦୭୨, ଟାର୍ମ- ୧, ଡବ୍ଲୁ.ଜି.ଜି. ୬୨ ଇତ୍ୟାଦି ଏବଂ ପ୍ରତିରୋଧି କିସମ ହେଲା ବିପିଏମ୍ ଆର – ୧ ଏବଂ ବିପିଏମ୍ ଆର – ୧୧୫ ଚାଷ କରନ୍ତୁ  ।
  • ଫସଲରେ ସହଳ ରୋଗ ନ ହେବା ପାଇଁ ଜୁନ୍ ମାସରେ ସହଳ ବିହନ ବୁଣନ୍ତୁ  ।
  • ପ୍ରତି ଲିଟର ପାଣିରେ ୫ ଗ୍ରାମ୍ ହିସାବରେ ସଲଫର ସେଚିତଗୁଣ୍ଡ କିମ୍ବା ୨ ମି.ଲି. ହେକ୍ସାକୋନାଜଲ୍ କିମ୍ବା କାରାଥେନ୍ ୧୫ ଦିନ ଅନ୍ତରରେ ୨-୩ ଥର ସିଞ୍ଚନ କରନ୍ତୁ  ।

କଳଙ୍କି ରୋଗ (ୟୁରୋମାଇସେସ୍ ଫେଜିଓଲି)

ଏହି ରୋଗ ସାଧାରଣତଃ ପତ୍ରର ତଳ ପାଖରେ ବୃତ୍ତକାର, ନାଲି, ବାଦାମୀ ଫୋଟକା ଆକାରରେ ଦେଖାଯାଏ  । ଛୁଇଁରେ ସ୍ୱଳ୍ପ ମାତ୍ରାରେ ଦେଖାଯାଏ ଏବଂ କାଣ୍ଡରେ କ୍ଵଚିତ ଦେଖାଯାଏ  । ଉପର ପତ୍ର ଆକ୍ରାନ୍ତ ହୋଇ ଉଭୟ ପାର୍ଶ୍ଵରେ ପୁରା ମାତ୍ରାରେ ଫୋଟକା ହୋଇଥାଏ  । ସେହିପତ୍ର ଲୋଚାକୋଚା ହୋଇ ଝଡି ପଡେ ଓ ଅମଳ କମିଯାଏ  ।

ପରିଚାଳନା

  • ଏକ ଲିଟର ପାଣିରେ ସଲଫର ସେଚିଆ ଗୁଣ୍ଡ / ମାଙ୍କୋଜେବ୍ ୩ ଗ୍ରାମ୍ କିମ୍ବା ଟ୍ରାଇଡ୍ରେଫର୍ମ – ୧ ମି.ଲି. ହିସାବରେ ସିଞ୍ଚନ କରନ୍ତୁ  ।

ଡ୍ରେକ୍ ସ୍ଲେରା ପତ୍ରପୋଡା (ଡ୍ରେକ୍ ସ୍ଲେରା ସ୍ପେସିସ୍)

ପୁରୁଣା ପତ୍ର ମୁଖ୍ୟ ଶିରାର ପଟରେ ବାଦାମୀ ରଙ୍ଗର ଦାଗମାନ ଦେଖାଯାଏ  । ଏହି ରୋଗ ପତ୍ର ଅଗରୁ ଆରମ୍ଭ ହୋଇ ପତ୍ର ଡେମ୍ଫ ପର୍ଯ୍ୟନ୍ତ ବ୍ୟାପିଥାଏ ଏବଂ ପତ୍ରପୋଡି ଯାଇ ଶୁଖିଯାଏ  । ବେଳେବେଳେ ପତ୍ର ଡେମ୍ଫରୁ ଆରମ୍ଭ ହୋଇ ପତ୍ର ଅଗ ପର୍ଯ୍ୟନ୍ତ ଏହି ରୋଗ ବ୍ୟାପିଯାଏ  । ଏହି କାରଣରୁ ଆକ୍ରାନ୍ତ ପତ୍ର ଝଡିଯାଏ  । ମୁଖ୍ୟତଃ ଖରିଫ ଋତୁର ଫସଲ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ  ।

ପରିଚାଳନା

  • ଏକ ଲିଟର କାର୍ବେଣ୍ଡାଜିମ୍ + ମାଙ୍କୋଜେବ୍ ୨ ଗ୍ରାମ୍ ହିସାବରେ ମିଶାଇ ସିଞ୍ଚନ କରନ୍ତୁ  ।

ପତ୍ର ଜାଲି ପୋଡା ରୋଗ (ରାଇଜୋକ୍ଟୋନିଆ ସୋଲାନି)

ପ୍ରଥମରୁ ପତ୍ର ଉପରେ ଛୋଟ ପାଣିପୋଚକା, ବିଭିନ୍ନ ପ୍ରକାରର ସବୁଜ ପୋଡାଳିଆ ଦାଗ ଦେଖାଯାଏ  । ପୁରୁଣାପତ୍ରରେ ଦାଗଗୁଡିକ ସଂଖ୍ୟା ଓ ଆକାରରେ ବଢିଯାଏ ଏବଂ ଏହା ନାଲି ଓ ବାଦାମୀ ରଙ୍ଗର ହୋଇହାଏ  । ଏହା କଅଁଳିଆ ପତ୍ରକୁ ବ୍ୟାପିଥାଏ  । କବକ ଦ୍ଵାରା ସୃଷ୍ଟି ହୋଇଥିବା ଗୋଲାପି ରଙ୍ଗର ଜାଲିରେ ଅସଂଖ୍ୟ ଧଳାରଙ୍ଗର କବକରେଣୁ ରହିଥାଆନ୍ତି  । ଆକ୍ରାନ୍ତ ପତ୍ରଗୁଡିକ ଝରିପଡେ  । ଶାଖାଗୁଡିକ ଛୋଟ ହୋଇଥିବାରୁ ଅମଳ ଯଥେଷ୍ଟ କମିଯାଏ  । ଓଦାଳିଆ ପାଗରେ ଏହି ରୋଗ ଅଧିକ ବ୍ୟାପିଥାଏ  ।

ପରିଚାଳନା

  • ଛୁଇଁ ହେବା ସମୟରେ ପ୍ରତି ଲିଟର ପାଣିରେ ୩ ଗ୍ରାମ୍ ହିସାବରେ ମାଙ୍କୋଜେବ୍ / କପର ଅକ୍ସିକ୍ଳୋରାଇଡ କିମ୍ବା ୧ ଗ୍ରାମ୍ କାର୍ବେଣ୍ଡାଜିମ୍ / ଥାୟୋଫୋନେଟ ମିଥାଇଲ୍ ସିଞ୍ଚନ କରନ୍ତୁ  ।

ଚେରସଢା ଓ ପତ୍ରପୋଡା ରୋଗ (ରାଇଜୋକ୍ଟୋନିଆ ସାଲୋନି)

ଏହି ରୋଗ କାରୀ ଜୀବାଣୁ ମୁଗ ଫସଲର ମଞ୍ଜି କ୍ଷୟ, ଚେରସଢା ମୂଳସଢା, ଚାରାପୋଡା କାଣ୍ଡ ଯାଦୁରା ଓ ପତ୍ରପୋଡା ରୋଗ କରାଏ  । ଛୁଇଁ ହେବା ଅବସ୍ଥାରେ ସାଧାରଣତଃ ଏହା ୫ ଦେଖାଯାଏ  । ପ୍ରାଥମିକ ଅବସ୍ଥାରେ ଚେରସଢା, ଚାରାପୋଡା ମୂଳସଢା ଲକ୍ଷଣ ଦେଖାଯାଏ  । ଆକ୍ରାନ୍ତ ପତ୍ର ହଳଦିଆ ଏବଂ ପତ୍ରରେ ବାଦାମୀ ରଙ୍ଗର ଅନିୟମିତ ଦାଗ ଦେଖାଯାଏ  । ଏହି ପୋଡାଦାଗ ଗୁଡିକ ମିଶିଯିବା ପରେ ବଡ ଚକଡା ସୃଷ୍ଟି ହୁଏ ଏବଂ ଆକ୍ରାନ୍ତ ପତ୍ର ଅସମୟରେ ଶୁଖିଯାଏ  । ଚେର ଓ କାଣ୍ଡର ମୂଳ ଅଂଶ କଳାରଙ୍ଗର ହୋଇଯାଏ ଏବଂ ବକଳ ସହଜରେ ବାହାର କରିହୁଏ  । ଆକ୍ରାନ୍ତ ଗଛ କ୍ରମଶଃ ଶୁଖିଯାଏ  । ଆକ୍ରାନ୍ତ ଗଛର ମୁଖ୍ୟ ଚେର ଚିରି ଦେଖିଲେ ଆଭ୍ୟନ୍ତରୀଣ ପେଶୀଗୁଡିକ ନାଲି ହୋଇଥିବାର ଦେଖାଯାଏ  । ଏହି ରୋଗଜୀବାଣୁ ମୃତ୍ତିକା ବାହିତ  ।

ପରିଚାଳନା

  • ସହଣୀଶକ୍ତି ଥିବା କିସମ ଯଥା – ଏଲ୍ ଜିଜି – ୪୦୭ ଚାଷ କରନ୍ତୁ  ।
  • ଛୁଇଁ ଧରିବା ଅବସ୍ଥାରେ ଜଳାଭାବ ସୃଷ୍ଟି କରନ୍ତୁ ନାହିଁ  ।
  • ପ୍ରତି କି.ଗ୍ରା ବିହନରେ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡି ଏବଂ ୩ ଗ୍ରାମ୍ ଥିରାମ୍ ରେ ବିଶୋଧନ କରନ୍ତୁ  ।

ମଞ୍ଜି ଓ ଚାରା ସଢାରୋଗ (ରାଇଜୋକ୍ଟୋନିଆ ସୋଲାନି, ମାକ୍ରୋଫୋମିନା ଫାଜିଓଲିନା, ପିଥିଅମ୍ ଆଫାନିଡର୍ମାଟମ୍ ଏବଂ ସ୍କେରୋସିଓମ ରଲ୍ ଫାସାଇ)

ମୁଗ ଚୋପା ଉପରେ ବିଭିନ୍ନ ପ୍ରକାର କବକ ରହି ମଞ୍ଜିକୁ ସଢାଇ ଦେଉଥିବାରୁ ଏଥିରୁ ଗଜା ବାହାରେ ନାହିଁ  । ଆକ୍ରାନ୍ତ ଗଛର ପତ୍ର ଶୁଖି ଶୀଘ୍ର ମରିଯାଏ  । କାଣ୍ଡର ମୂଳଅଂଶ ଦୁର୍ବଳ ହୋଇଯାଏ ଓ ବାଦାମୀ ରଙ୍ଗ ଦେଖାଯାଏ  । ବୁଣିବାର ୩ ସପ୍ତାହ ମଧ୍ୟରେ ଠାଏ ଠାଏ ଶୁଖିଲା ଗଛ ଥିବାର ଦେଖାଯାଏ  । ଏହି ରୋଗ ଜୀବାଣୁ ମୃତ୍ତିକା ବାହିତ  ।

ପରିଚାଳନା

  • ସହନଶୀଳ କିସମ ଯଥା : ପୁଷା ବୈଶାଖୀ ଓ ପି ଏସ୍ – ୧୬ ବିହନ ବ୍ୟବହାର କରନ୍ତୁ  ।
  • ପ୍ରତି କି.ଗ୍ରା. ବିହନରେ ୪ ଗ୍ରାମ୍ ଟ୍ରାଇକୋଡର୍ମା ଭିରିଡି ଫର୍ମୁଲେଶନ ଏବଂ ୩ ଗ୍ରାମ୍ ଥିରାମ୍ ମିଶାଇ ବିଶୋଧନ କରନ୍ତୁ ।

ପତ୍ରମୋଚା (ପତ୍ରମୋଚା ଭୂତାଣୁ)

ଏହି ପତ୍ରମୋଚା ଭୂତାଣୁ ମୁଗ ଫସଲରେ ଏକ ମୁଖ୍ୟ ମାରକ ହୋଇ ନଷ୍ଟ କରିଥାଏ  । ଖରିଫ ଋତୁରେ ଏହା ଅଧିକ ଦେଖାଯାଏ  । କଅଁଳିଆ ପତ୍ର ଧାରପାଖରେ କେତେକ ପାର୍ଶ୍ଵଶିରା ଓ ଏହାର ଶାଖା ଚାରିପଟେ ପ୍ରାଥମିକ ଲକ୍ଷଣ ଭାବେ ହଳଦିଆ ରଙ୍ଗ ଦେଖାଯାଏ  । ପତ୍ରର ଧାର ତଳ ଆଡକୁ ମୋଡି ହୋଇଯାଏ ଓ କେତେକ ପତ୍ର ବଙ୍କା ଦେଖାଯାଏ  । ପତ୍ରର ତଳପଟେ ଶିରାଗୁଡିକ ନାଲି, ବାଦାମୀ ଦିଶେ ଯାହା କି ଡେମ୍ଫ ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ  । ବୁଣିବାର ୫ ସପ୍ତାହ ପରେ ଲକ୍ଷଣ ପ୍ରକାଶ କରୁଥିବା ଗଛଗୁଡିକ ରୁଗୁଡିଆ ହୋଇଯାନ୍ତି ଓ ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଗ ପତ୍ରମୋଡା ଯୋଗୁଁ ଗୋଟିଏ କିମ୍ବା ୨ ସପ୍ତାହ ମଧ୍ୟରେ ମରିଯାନ୍ତି  । ଫସଲର ଶେଷ ଅବସ୍ଥାରେ ଆକ୍ରାନ୍ତ ହୋଇଥିବା ଗଛ ଅଧିକ ମୋଚା କିମ୍ବା ବଙ୍କା ହୁଅନ୍ତି ନାହିନ କିନ୍ତୁ ଫଳକରେ ହଳଦିଆ ଶିରା ସ୍ପଷ୍ଟ ଦେଖାଯାଏ  । ଉକୁଣିଆ ପୋକ ଦ୍ଵାରା ଏହି ରୋଗ ସଂକ୍ରମିତ ହୋଇଥାଏ  ।

ପରିଚାଳନା

  • ସମ୍ପୂର୍ଣ୍ଣ କ୍ଷେତରେ ଫସଲ ପରିଚାଳନା
  • ସହନଶୀଳ / ସହଣୀଶକ୍ତି କିସମ ଯଥା – ବି.ଆର.୬୮, ସିନ୍ଧଖେଡା, ଟି – ୨୭, ଏନ୍ – ୨୧୨ ଏବଂ ଆରଗନ୍ -୩ ବିହନ ବ୍ୟବହାର କରନ୍ତୁ  ।
  • ପୋକ ବାହକର ସମୟୋଚିତ ପରିଚାଳନା

ସାହେବୀ ରୋଗ (ମୁଗ ହଳଦିଆ ମୋଜାଇନ୍ ଭୂତାଣୁ)

ଏହି ରୋଗ ମୁଗର ହଳଦିଆ ମୋଜାଇନ୍ ଭାଇରସ୍ (ଏମ୍ ୱାଇ ଏମ୍.ଭି) ଦ୍ଵାରା ହୋଇଥାଏ  । ପ୍ରଥମ ଅବସ୍ଥାରେ କଅଁଳିଆ ପତ୍ରରେ ଅଳ୍ପ ମାତ୍ରାରେ ହଳଦିଆ ଦାଗ ଦେଖାଯାଏ  । ତା ପରେ ବଢୁଥିବା ଅଂଶରୁ ବାହାରିଥିବା ତିନିପତ୍ର ବିଶିଷ୍ଟ ପତ୍ର ଉପରେ ଅନିୟମିତ ଭାବେ ହଳଦିଆ ଓ ସବୁଜ ଚକଡା ପାଳି କରି ଦେଖାଯାଏ  । ଦାଗଗୁଡିକ କ୍ରମଶଃ ଆକାରରେ ବଢିଥାଏ ଏବଂ ଶେଷରେ କେତେକ ପତ୍ର ସମ୍ପୂର୍ଣ୍ଣ ହଳଦିଆ ପଡିଯାଏ  । ଆକ୍ରାନ୍ତ ପତ୍ରରେ ମଧ୍ୟ ପୋଡାଳିଆ ଲକ୍ଷଣ ଦେଖାଯାଏ  । ରୋଗାକ୍ରାନ୍ତ ଗଛଗୁଡିକ ରୁଗୁଡିଆ ହୋଇଥାନ୍ତି, ବିଳମ୍ବରେ ପାକଲା ହୁଏ କମ୍ ଫୁଲ ଓ ଛୁଇଁ ଆସେ  । ଆକ୍ରାନ୍ତ ଗଛରେ ଥିବା ଛୁଇଁଗୁଡିକ ଛୋଟ ଓ ହଳଦିଆ ରଙ୍ଗ ଦେଖାଯାଏ  । ଧଳା ମାଛି (ବେମିସିଆ ଟାବାସୀ) ଦ୍ଵାରା ଏହି ରୋଗ ବ୍ୟାପିଥାଏ  ।

ପରିଚାଳନା

  • ସହନଶୀଳ / ପ୍ରତିରୋଧି ଶକ୍ତି କିସମ ଯଥା – ଏଲ୍ – ୨୪, ଏମ୍.ଏଲ୍. – ୬୨, ଏମ୍.ଏଲ୍. –୬୩, ଏମ୍.ଏଲ୍. –୧୩୧, ହାଇବ୍ରିଡ – ୪-୩ଏ, ହାଇବ୍ରିଡ-୧୨-୪ ଇତ୍ୟାଦି ବ୍ୟବହାର କରନ୍ତୁ  ।
  • ବାହକ ପୋକ ଧଳାମାଛିର ଏକ ପରଜୀବୀ ପେଇସିଲୋମାଇସେସ୍ ଫାରିନୋସସ୍ କବକର ସଂରକ୍ଷଣ କରନ୍ତୁ  ।
  • ଧଳାମାଛିର ପରିଚାଳନା ନିମନ୍ତେ ରାସାୟନିକ ବିଷ ଯଥା – ଏଣ୍ଡୋସଲଫାନ୍ (୦.୦୭%) କିମ୍ବା ମିଥାଇଲ୍ ଡିମେଟନ୍ (୦.୦୩%) ପ୍ରୟୋଗ କରନ୍ତୁ  ।

ବିଶେଷ ବାର୍ତ୍ତା

*        ମୁଗର ମୁଖ୍ୟ ରୋଗଗୁଡିକ ହେଲା – ଆନ୍ଥାକନୋଜ୍, ଶୁଷ୍କ ଚେରସଢା, ପତ୍ର ଦାଗ, ପାଉଁଶିଆ ରୋଗ, କଳଙ୍କି ରୋଗ, ସାହେବୀ ରୋଗ, ପତ୍ରମୋଚା ରୋଗ, ପତ୍ର ଲୋଚା, କାଣ୍ଡ ଯାଦୁରା, ମଞ୍ଜି ଓ ଚାରା ସଢା ଓ ପତ୍ରପୋଡା  ।

*        ପତ୍ରମୋଚା, ପତ୍ରଲୋଚା ଓ ହଳଦିଆ ମୋଜାଇନ୍ ଭଳି ଭୂତାଣୁଜନିତ ରୋଗ ପାଇଁ ବାହକ ସଂଖ୍ୟା ନିୟନ୍ତ୍ରଣ କରନ୍ତୁ  ।

*        ଉପଲବ୍ଧି ଥିଲେ ରୋଗ ପ୍ରତିରୋଧି ବିହନ କିସମ ବ୍ୟବହାର କରନ୍ତୁ  ।

*        ରୋଗ ପରିଚାଳନା ପାଇଁ ଜୈବ ନିୟନ୍ତ୍ରକ ବ୍ୟବହାର କରନ୍ତୁ  ।

*        ଆବଶ୍ୟକତା ଅନୁଯାୟୀ ରାସାୟନିକ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରନ୍ତୁ  ।

ଆଧାର – ଓଡିଶା ଜଳ ବିଭାଜିକା ଉନ୍ନୟନ ମିଶନ

2.83333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top