ସେଆର କରନ୍ତୁ

ଇ-ୱେଷ୍ଟର ପରିଚାଳନା

ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ପରିଷ୍କାର ପାଇଁ ଇ-ୱେଷ୍ଟର ପରିଚାଳନା କରାଯାଇଛି ।

ଘରୋଇ ସଂସ୍ଥା ନିୟୋଜିତ କରିବ ବିଏମ୍ସି

ସମ୍ପ୍ରତି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବ୍ୟବହାର ବହୁଳ ଭାବେ ବଢିଥିବା ବେଳେ ବ୍ୟବସାୟ ମଧ୍ୟ ବେଶ ଭଲ ରହିଛି । ତେବେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଅବା ଇ-ୱେଷ୍ଟର  ପରିଚାଳନା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଇ- ୱେଷ୍ଟ ନା କେବଳ ପରିବେଶ ପାଇଁ ଗୁରୁତ୍ଵର ବିପଦ ସୃଷ୍ଟି କରିଥାଏ  ବରଂ ମନୁଷ୍ୟ ଓ ପଶୁଙ୍କ ପାଇଁ ମଧ୍ୟ କ୍ଷତିକାରକ । ତେବେ ସମସ୍ୟାର ସମାଧାନ ଲାଗି ବିଏମ୍ସି ଆରମ୍ଭ କରିଛି ଉଦ୍ୟମ । ରାଜଧାନୀରେ ଉତ୍ପନ୍ନ ହେଉଥିବା ଇ -ୱେଷ୍ଟର ପରିଚାଳନା ପାଇଁ ଏକ ଅଭିଜ୍ଞ ଘରୋଇ ସଂସ୍ଥାକୁ ନିଯୁକ୍ତି କରିବାକୁ ବିଏମ୍ସି ପକ୍ଷରୁ ନିଷ୍ପତ୍ତି ହୋଇଛି ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼

ଏହି ସଂସ୍ଥା ବିଭିନ୍ନ ‘ସ୍ଥାନରୁ ଇ-ୱେଷ୍ଟ ସଂଗ୍ରହ, ପରିବହନ ଏବଂ ପ୍ରକ୍ରିୟାକରଣ କରିବ, ଯଦ୍ୱାରା ଅନ୍ୟ ସହର ପରି ଏଠାରେ ମଧ୍ୟ ଏହାର ପୁନଃଚକ୍ରଣ ସମ୍ଭବ ହୋଇପାରିବ । ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଅକ୍ଟୋବର ୧ରୁ ଇ-ୱେଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା ଓ ପୁନଃଚକ୍ରଣ ଆଇନ କଡାକଡି ଭାବେ ଲାଗୁ କରିବାକୁ ଯାଉଛି । ଏପରିସ୍ଥଳେ ସହରର ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ଵ ନେଇଥିବା ବିଏମ୍ସି ଇ-ୱେଷ୍ଟର ଉପଯୁକ୍ତ ପରିଚାଳନା ଲାଗି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିବାରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସୂଚନା ଅନୁସାରେ ରାଜ୍ୟରେ ଏବେ ବାର୍ଷିକ ୫୦୦୦ଟନ ଇଲେକ୍ଟ୍ରୋନିକ ସାମଗ୍ରୀର ବର୍ଜ୍ୟବସ୍ତୁ ବାହାରୁ ଥିବା ବେଳେ ଏଥିରୁ କେବଳ ଭୁବନେଶ୍ଵର ପ୍ରାୟ ୬୦ପ୍ରତିଶତ ବର୍ଜ୍ୟବସ୍ତୁ ବାହାରିଥାଏ । ଏକ ସର୍ବେକ୍ଷଣ ଅନୁସାରେ ଭୁବନେଶ୍ଵରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ହୋଟେଲ, ହାସପାତାଳ, ଆଇଟି ଫାର୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବାସଗୃହ, ବହୁରାଷ୍ଟ୍ରୀୟ ଓ ଘରୋଇ ସଂସ୍ଥାରୁ ବହୁ ପରିମାଣର ଇ-ୱେଷ୍ଟ ବାହାରି ଥାଏ । ଉପଯୁକ୍ତ ପରିଚାଳନା ଅଭାବରୁ ଏସବୁ ସରଞ୍ଜାମ ଏଣେ ତେଣେ ପଡ଼ିରହି ଉଭୟ ପରିବେଶ ଓ ଜୀବଜଗତ ପ୍ରତି ବିପଦ ସୃଷ୍ଟି କରିଥାଏ । ଇ-ୱେଷ୍ଟ ଏବେ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଥିବା ପରିପ୍ରେକ୍ଷୀରେ କେନ୍ଦ୍ର ଜଙ୍ଗଲ ପରିବେଶ ବିଭାଗ ମାର୍ଚ୍ଚ ମାସରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପତ୍ର ଲେଖି ଅକ୍ଟୋବର ୧ରୁ ବିଧିବଦ୍ଧ ଭାବେ ଇ-ୱେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ -୨୦୧୬ ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ଵରରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ ବିଏମ୍ସି  କରୁଥିବାରୁ ଇ-ୱେଷ୍ଟ  ପରିଚାଳନା ଲାଗି ବୋର୍ଡ଼ ପକ୍ଷରୁ ପ୍ରସ୍ତାବ ଉପସ୍ଥାପନ  କରାଯାଇଥିଲା । ତେଣୁ ଏନେଇ  ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ  କରାଯାଇଛି । ଏଥିପାଇଁ ଘରୋଇ ସଂସ୍ଥାକୁ ନିୟୋଜିତ କରାଯିବ ।  ଏହି ସଂସ୍ଥା  ବିଭିନ୍ନ ସ୍ଥାନରୁ ଇ-ୱେଷ୍ଟ ସଂଗ୍ରହ କରି ଡମ୍ପିଂ କରିବା ସହ ତା’ର ପୁନଃଚକ୍ରଣ ପାଇଁ ପଦକ୍ଷେପ ନେବ ।  ଏଥିସହ ଏହି ପ୍ରକ୍ରିୟାରେ ବେସରକାରୀ ଅନୁଷ୍ଠାନ, ସାଧାରଣ ଆବର୍ଜନା ସଂଗ୍ରହକାରୀ ଓ ସ୍କ୍ରାପ୍ ବ୍ୟବସାୟୀଙ୍କର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଅପରପକ୍ଷରେ ଇ-ୱେଷ୍ଟ ସମ୍ପର୍କରେ ଜନସଚେତନ ସୃଷ୍ଟି କରାଯିବାର ମଧ୍ୟ ଆବଶ୍ୟକତା ରହିଛି । ଏହି ପୂରା ପ୍ରକ୍ରିୟା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କରାଯିବ ।

ଆଧାର - ଦୈନିକ ସମାଜ

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top