অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜିପିଏସ୍

ଜିପିଏସ୍ ବା ଗ୍ଲୋବାଲ ପୋଜିଶନିଂ ସିଷ୍ଟମ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରେ ଆଉ ସୀମିତ ହୋଇରହିନାହିଁ । ସାଧାରଣ ଲୋକେ ଆଣ୍ଡ୍ରଏଡ ସୁବିଧା ଥିବା ମୋବାଇଲରେ ଯେ କୌଣସି ସ୍ଥାନ ବିଷୟରେ ପରିଚିତ ହୋଇପାରୁଛନ୍ତି । ରେଳଷ୍ଟେସନ୍, ବିମାନଘାଟି ଭଳି ଯେକୌଣସି ସ୍ଥାନର ଅବସ୍ଥିତି ଜାଣିବା ପାଇଁ ଜିପିଏସ୍ ର ସାହାଯ୍ୟ ନିଆଯାଉଛି । ଆମେରିକାର ପ୍ରତିରକ୍ଷା ବିଭାଗ ପ୍ରଥମକରି ଜିପିଏସ୍ ର ବିକାଶ କରିଥିଲା । ଏବେ ପୃଥିବୀର ବହୁ ଦେଶ ନିଜସ୍ୱ ପ୍ରତିରକ୍ଷା ବିଭାଗ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଜିପିଏସ୍ ବ୍ୟବହାର କରୁଛନ୍ତି । ଏହି ବ୍ୟବସ୍ଥା ଆଧୁନିକ ଦିଗବାରେଣିରେ ପରିଣତ ହୋଇଛି ।

ଜିପିଏସ୍ କ’ଣ ?

ଜିପିଏସ୍ ହେଉଛି ଆକାଶ ଭିତ୍ତିକ ବେତାର ପରିଚାଳନା ବ୍ୟବସ୍ଥା । ଏହା ପ୍ରଥମ କରି ଆମେରିକୀୟ ପ୍ରତିରକ୍ଷା ବିଭାଗ ଦ୍ଵାରା ବ୍ୟବହାର କରାଯାଇଥିଲା । ବର୍ତ୍ତମାନ ଏହା ବିଶ୍ଵବ୍ୟାପୀ ସାଧାରଣ ଲୋକେ ମଧ୍ୟ ବ୍ୟବହାର କରିପାରୁଛନ୍ତି । ଜିପିଏସ୍ ରିସିଭର ଥିବା ଯେ କୌଣସି ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥା ସମୟ ଓ ସ୍ଥିତି ଜଣାଇଦିଏ । ଜିପିଏସ୍ ବ୍ୟତୀତ ରୁଷୀୟ ଲୋକମାନେ ସଦୃଶ ‘ଗ୍ଲୋବାଲ ନାଭିଗେଶନ ସାଟେଲାଇଟ୍ ସିଷ୍ଟମ୍’ ବ୍ୟବହାର କରନ୍ତି । ଏହି ବ୍ୟବସ୍ଥା ମଧ୍ୟ ବିଶ୍ଵ ସ୍ତରରେ ବ୍ୟବହାର କରାଯାଉଛି । ୟୁରୋପୀୟ ୟୁନିୟନ୍ ଏହାର ନିଜସ୍ୱ ଭର୍ସନର ଜିପିଏସ୍ ‘ଗାଲିଲିଓ’ ବ୍ୟବହାର କରୁଥିବା ବେଳେ ଚାଇନା ଲୋକମାନେ ସେମାନଙ୍କର ନିଜସ୍ୱ ନ୍ୟାଭିଗେଶନ ସିଷ୍ଟମ ‘ବେଇଡୋଉ’କୁ ବିଶ୍ଵସ୍ତରରେ ପ୍ରସାର କରାଉଛନ୍ତି ।

ପୋଜିଶନିଂ ସିଷ୍ଟମ୍ ର ଅଂଶ ସମୂହ

ଆମେରିକାର ଜିପିଏସ୍ ୨୪ଟି ମଧ୍ୟମ ଧରଣର କୃତ୍ରିମ ଉପଗ୍ରହର ତଥ୍ୟକୁ ନେଇ କାର୍ଯ୍ୟ କରିଥାଏ । ଏହି ଉପଗ୍ରହଗୁଡ଼ିକ ଜିପିଏସ୍ ରିସିଭରକୁ ମାଇକ୍ରୋୱେଭ୍ ସିଗ୍ନାଲ୍ ପଠାଇଥାଆନ୍ତି । ଏହି ସିଗ୍ନାଲ୍ ଦ୍ଵାରା ରିସିଭର ସଂପୃକ୍ତ ସ୍ଥାନର ଅକ୍ଷାଂଶ, ଦ୍ରାଘିମା, ସମୁଦ୍ର ପତ୍ତନଠାରୁ ଉଚ୍ଚତା ଏବଂ ସମୟ ସମ୍ପର୍କରେ ସୂଚନା ଦେଇଥାଏ । ରୁଷିଆ ଏଥିପାଇଁ ୨୯ଟି କୃତ୍ରିମ ଉପଗ୍ରହ ପୃଥିବୀର କକ୍ଷପଥକୁ ପଠାଇଛି । ୟୁରୋପୀୟ ୟୁନିୟନ୍ ଏବଂ ଚାଇନା ଏଥିପାଇଁ ଯଥାକ୍ରମେ ୩୦ ଏବଂ ୩୫ଟି ଉପଗ୍ରହ ପୃଥିବୀର କକ୍ଷପଥକୁ ପଠାଇବା ଯୋଜନା ଅଛି ।

ପୋଜିଶନିଂ ସିଷ୍ଟମର ମୌଳିକ ନୀତି

ଏହି ବ୍ୟବସ୍ଥାରେ ଗୋଟିଏ ସ୍ଥାନ ଠାବ କରିବା ପାଇଁ ତ୍ରିକୋଣ ବିଭାଜନ ପଦ୍ଧତିର ସାହାଯ୍ୟ ନିଆଯାଇଥାଏ । ଧରନ୍ତୁ ଭାରତର କୌଣସି ସ୍ଥାନରେ ଆପଣ ଅଛନ୍ତି । କିନ୍ତୁ ପ୍ରକୃତରେ କେଉଁଠି ଅଛନ୍ତି ଜାଣିନାହାନ୍ତି । ଆପଣଙ୍କ ପାଖଦେଇ ଯାଉଥିବା ଜଣେ ବ୍ୟକ୍ତି ଆପଣଙ୍କୁ କହିଲେ ଯେ, ଆପଣ ଚିତ୍ତୋରଗଡ଼ଠାରୁ ୧୧୫କି.ମି ଦୂରରେ ଅଛନ୍ତି । ବର୍ତ୍ତମାନ ଆପଣ ସ୍ଥିରନିଶ୍ଚିତ ହୋଇଗଲେ ଯେ, ଚିତ୍ତୋରଗଡ଼ଠାରୁ ୧୧୫କି.ମି ବ୍ୟାସାର୍ଦ୍ଧ ପରିମିତ ବୃତ୍ତର କୌଣସି ବିନ୍ଦୁରେ ଆପଣ ଅଛନ୍ତି । ଆଉଜଣେ ବ୍ୟକ୍ତି ଆପଣଙ୍କୁ କହିଲେ ଆପଣ ମାଉଣ୍ଟଆବୁ ଠାରୁ ୧୮୫କି.ମି ଦୂରରେ ଅଛନ୍ତି । ଏବେ ଆପଣଙ୍କର ଦୁଇଟି ବୃତ୍ତ ମିଳିଗଲା । ଗାଣିତିକ ସୂତ୍ର ଅନୁଯାୟୀ ଦୁଇଟି ବୃତ୍ତର ଦୁଇଟି ଛେଦକ ବିନ୍ଦୁ ସୃଷ୍ଟିହେଲା ଯାହା କି ଉଦୟପୁର ବା ରାଜସମୁନ୍ଦ ନିକଟବର୍ତ୍ତୀ । ବର୍ତ୍ତମାନ ତୃତୀୟ ବ୍ୟକ୍ତିଜଣକ ଆପଣଙ୍କୁ କହିଲେ ଯେ, ଆପଣ ଅହମ୍ମଦାବାଦଠାରୁ ୨୬୨କି.ମି ଦୂରରେ ଅଛନ୍ତି । ଗାଣିତିକ ସୂତ୍ର ଅନୁଯାୟୀ ତିନିଟି ବୃତ୍ତ ପରସ୍ପରକୁ ଗୋଟିଏ ବିନ୍ଦୁରେ ଛେଦ କରିପାରିବେ । ଯାହାଦ୍ଵାରା ଆପଣ ଉଦୟପୁରରେ ଥିବା ନିଶ୍ଚିତ ହୋଇଯିବେ ।

ଏହା କିପରି କାର୍ଯ୍ୟ କରେ

ମୂଳତଃ ଗ୍ଲୋବାଲ୍ ପୋଜିଶନିଂ ସିଷ୍ଟମ ୨୭ଟି ଉପଗ୍ରହକୁ ନେଇ ଗଠିତ । ତନ୍ମଧ୍ୟରୁ ୨୪ଟି ଉପଗ୍ରହ କାର୍ଯ୍ୟ କରୁଥିବା ବେଳେ ୩ଟି ଉପଗ୍ରହ ସହାୟକ ଭାବରେ ଥାଆନ୍ତି । ୨୪ଟି ଉପଗ୍ରହ ମଧ୍ୟରୁ ପ୍ରତ୍ୟେକ ଦୈନିକ ପୃଥିବୀ ଚାରିପାଖରେ ଦୁଇଥର ପରିକ୍ରମା କରିଥାଆନ୍ତି । ଉପଗ୍ରହଗୁଡିକୁ ଏପରି ବ୍ୟବସ୍ଥିତ ଢଙ୍ଗରେ ଅବସ୍ଥାନ କରାଯାଇଛି ଯେ, ପୃଥିବୀର ଯେ କୌଣସି ସ୍ଥାନରେ ଠିଆହେଲେ ଅନ୍ୟୁନ ଚାରିଟି ଉପଗ୍ରହ ଦେଖାଯାଇପାରିବ । କୌଣସି ସ୍ଥାନର ଅକ୍ଷାଂଶ, ଦ୍ରାଘିମା ଏବଂ ସମୁଦ୍ର ପତ୍ତନଠାରୁ ଉଚ୍ଚତା ବିଚାରକୁ ନେଲେ ତିନିଟି ଉପଗ୍ରହ ହିଁ ଯଥେଷ୍ଟ।

ଆଧାର –ଡିଜିଟାଲ ବ୍ୟୁରୋ

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate