অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭୁବନେଶ୍ୱରରେ ଗଡ଼ିବ ଧୂଆଁବିହୀନ ଇ-ରିକ୍ସା

ଉପକ୍ରମ

 

ଭୁବନେଶ୍ୱର ଖାଲି ସ୍ମାର୍ଟ ସିଟି ନୁହେଁ ପ୍ରଦୂଷଣମୁକ୍ତ ବି ହେବ । ସହରକୁ ଇକୋ ସିଟି କରିବାକୁ ଯୋଜନା ହୋଇଛି । ଏଥିରେ ରାଜଧାନୀ ରାଜରାସ୍ତାରେ ବ୍ୟାପକ ଭାବେ ଇ-ରିକ୍ସା ବା ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ରିକ୍ସା ଗଡିବ । ସହରର ସବୁ ପ୍ରମୁଖ ରାସ୍ତା ରେ ଇ-ରିକ୍ସା ଚଳାଇବାକୁ ସରକାର ଚିନ୍ତା କରିଛନ୍ତି। ପ୍ରଥମେ ଜନପଥରେ ପାଇଲଟ୍ ପ୍ରକଳ୍ପ ଭାବେ ଏହା ଗଡିବ । ପରେ ଅନ୍ୟ ରୁଟ୍ ରେ ଏହାକୁ ଚଲାଇବାକୁ ପଦକ୍ଷେପ ନିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ଇ-ରିକ୍ସା ସମ୍ବନ୍ଧରେ ସୂଚନା

ଏହି ଇ-ରିକ୍ସା ବ୍ୟାଟେରୀ ଦ୍ୱାରା ଚାଲିବ । ଏବେ ରାଜଧାନୀରେ ଦୈନିକ ପ୍ରାୟ ୨୦ ହଜାରରୁ ଅଧିକ ଅଟୋ ଚାଲୁଛି । ସହରରେ ଦିନକୁ ଦିନ ଯାତ୍ରୀ ଓ ଯାତାୟତ ଭାର ବଢୁଛି । ଏଥିପାଇଁ ମୋଟର ଯାନ ଚାଳିତ ପ୍ରଦୂଷଣ ବି ବେଲଗାମ୍ ଭାବେ ବଢୁଛି । ଏହି ଏହାକୁ ରୋକିବାକୁ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଇ-ରିକ୍ସାର ପରିକଳ୍ପନା କରିଛନ୍ତି ସରକାର । ଏହି ରିକ୍ସା ଚାଲିବା ପାଇଁ ପେଟ୍ରାଲ, ଡିଜେଲ୍, ଏଲପିଜି ଓ ସିସିଏନଜି ଆବଶ୍ୟକ ପଡିବନି। ଏହାକୁ ଚଲାଇବା ମଧ୍ୟ ଖୁବ୍ ସହଜ । ଗୋଆ, ମୁମ୍ବାଇ, ଅହମ୍ମଦାବାଦ୍, ଜୟପୁର ଭଳି ସହରରେ ଏହି ଇ-ରିକ୍ସା ବ୍ୟାପକ ସଂଖ୍ୟାରେ ଚଳାଚଳ କରୁଛି । ପୂର୍ବରୁ କଟକ ବଡ ମେଡିକାଲ ଓ ନନ୍ଦନକାନନରେ ଏହି ଇ-ରିକ୍ସା ଚଳାଚଳ କରୁଛି । ଏଥିରେ ୪ଜଣ ଯାତ୍ରୀ ବସି ଯିବା ଭଳି ସିଟ୍ ରହିଛି । ଏହା ଘଣ୍ଟାକୁ ୨୫ କିମି ବେଗରେ ଚାଲୁଛି । ଏହାକୁ ୮ ଘଣ୍ଟା ଚାର୍ଜ କରିବାକୁ ପଡୁଛି । ଏତିକି ଚାର୍ଜ କଲେ ଏହା ୮୦ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ବାଟ ଯାଇ ପାରୁଛି । ତେବେ ଏ ପର୍ଯ୍ୟନ୍ତ ସହରରେ ସୋଲାର ରିକ୍ସା କି ଇଲେକ୍ଟ୍ରିକ୍-ରିକ୍ସା ଚାଲିବ, ତା ଚୂଡାନ୍ତ ହୋଇପାରିନି । ତେବେ ଖୁବଶୀଘ୍ର ଏହା ଚୂଡାନ୍ତ ହୋଇଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ।

ରିକ୍ସାକୁ ବାସ୍ତବ ରୂପ ଦେବାକୁ ଯୋଜନା

 

ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ମଧ୍ୟ ପୂର୍ବରୁ ସୋଲାର୍ ରିକ୍ସା ଚଳାଇବାକୁ ଯୋଜନା କରୁଥିଲା । ଏବେ ସ୍ମାର୍ଟ ସିଟି ଯୋଜନାରେ ସରକାର ଏହି ଇ-ରିକ୍ସାକୁ ବାସ୍ତବ ରୂପ ଦେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ସ୍ମାର୍ଟ ସିଟି ଯୋଜନାରେ ଏହାକୁ ଚଲାଇବାକୁ ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ୍(ଆଇଏଫ୍ ସି) ସହାୟତା ଯୋଗାଇ ଦେବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଖୁବଶୀଘ୍ର ଆଇଏଫ୍ ସି ସହ ଚୁକ୍ତି କରିବାକୁ ଯାଉଛି ।

ଖାଲି ସେତିକି ନୁହେଁ ଭୁବନେଶ୍ୱରକୁ ସ୍ମାର୍ଟ ସିଟି ସହ ଇକୋ ସିଟି କରିବାକୁ ଗ୍ରୀନ୍ ବିଲ୍ଡିଂ ଟେକ୍ନୋଲୋଜି ଆପଣାଯିବ । ବିଲ୍ଡିଂ ମାନଙ୍କରେ ବିଦ୍ୟୁତ ଶକ୍ତି ବଦଳରେ ସୌର ଶକ୍ତି ବ୍ୟବହାର ହେବ । ବିଲ୍ଡିଂ ଚାରିପାଖେ ଗଛ ଲଗାଇ ସବୁଜିମା ଭରା ପରିବେଶ ତିଆରି କରାଯିବ । ସେହିପରି ବର୍ଷା ଜଳ ସଂରକ୍ଷଣ ପାଇଁ ବିଲ୍ଡିଂ ଗୁଡିକରେ ବ୍ୟବସ୍ଥା ହେବ । ପ୍ରଥମେ ଜନପଥରେ ଗ୍ରୀନ୍ ବିଲ୍ଡିଂ ଯୋଜନା କାର୍ଯ୍ୟକାରୀ ହେବ। ପରେ ସହରର ଅନ୍ୟ ଅଞ୍ଚଳରେ ଏହାକୁ ଲାଗୁ କରାଯିବ ।

ଆଧାର

Smrutiranjan biswal

Last Modified : 12/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate