অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେଉଛି iKure ସଫ୍ଟୱେର

ଗ୍ରାମାଞ୍ଚଳ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେଉଛି iKure ସଫ୍ଟୱେର

ଉପକ୍ରମ

କିଛି ଦିନ ତଳେ ପଶ୍ଚିମବଙ୍ଗର ଖଡ଼ଗପୁରର ଜିଲ୍ଲାରେ ଜଣେ ବ୍ୟକ୍ତି ହୃଦରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜ ଚିକିତ୍ସା ପାଇଁ ସେ ସ୍ଥାନୀୟ ଅଞ୍ଚଳର ଜଣେ ଡାକ୍ତରଙ୍କ ପରାମର୍ଶ କଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ସୁଧୁରିଲାନି। ବାଧ୍ୟ ହୋଇ ତାଙ୍କ ପୁଅ ବାଙ୍ଗାଲୋରର ଏକ ହୃଦରୋଗ ବିଜ୍ଞାନ କ୍ଲିନିକକୁ ତାଙ୍କୁ ଚିକିତ୍ସା ପାଇଁ ନେଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ସେ ପୂର୍ବରୁ ଭୁଲ୍ ଔଷଧ ଖାଉଥିଲେ ବୋଲି କହିଥିଲେ । ‘iKure’ର ପ୍ରତିଷ୍ଠାତା ସୁଜୟ ସନ୍ତ୍ରାଙ୍କ ସହ ଏମିତି ଏକ ଘଟଣା ଘଟିଥିଲା । ପ୍ରତିଦିନ ବହୁ ଲୋକେ ଏମିତି ଭୁଲ୍ ଚିକିତ୍ସା ହେଉଛନ୍ତି ଓ ପ୍ରକୃତ ସ୍ୱାସ୍ଥ୍ୟସେବା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅନୁଭବ କରିଥିଲେ । ଏଇଠୁ ହିଁ ଜନ୍ମ ନେଇଥିଲା ‘iKure’ ।

ସ୍ୱାସ୍ଥ୍ୟ ରିପୋର୍ଟ

KPMG ସ୍ୱାସ୍ଥ୍ୟ ରିପୋର୍ଟ-୨୦୧୩ ଅନୁସାରେ, ଭାରତର ପ୍ରାୟ ୮୪୦ନିୟୁତ ଲୋକେ ଦେଶରେ ଥିବା ମୋଟ ସ୍ୱାସ୍ଥ୍ୟସେବାର ମାତ୍ର ୩୦ ପ୍ରତିଶତ ସଂଯୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ପାଉଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସେବାର ଏପରି ସଙ୍ଗୀନ ଚିତ୍ର ଦେଖି ଲୋକଙ୍କ ପାଖରେ ସୁଲଭ ଓ ଶସ୍ତାରେ ଚିକିତ୍ସା ସେବା ପହଞ୍ଚାଇବାକୁ ‘iKure’ ବାବଦରେ ଚିନ୍ତା କଲୁ ବୋଲି ସୁଜୟ କୁହନ୍ତି । ସେ କୁହନ୍ତି, ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିଗିଡି ଯାଇଛି । ଆବଶ୍ୟକ ମାନବ ସମ୍ବଳର ଅଭାବ, ତ୍ରୁଟିପୂର୍ଣ୍ଣ ଚିକିତ୍ସା, ଉପଯୁକ୍ତ ସୁବିଧାସୁଯୋଗ ଓ ଗୁଣାତ୍ମକ ମାନ ହ୍ରାସ ଯୋଗୁ ଅନେକ ଜାଗାରେ ଲୋକେ ଆବଶ୍ୟକ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୨ର ପରିସଂଖ୍ୟାନ ଅନୁସାରେ, ଦେଶର ମାତ୍ର ୪୩.୫ ପ୍ରତିଶତ ଗାଁରେ ମାତ୍ର ଜଣେ ଡାକ୍ତର ଅଛନ୍ତି । ତେବେ ଆହୁରି ଚିନ୍ତାର କଥା ହେଉଛି, ଏହି ଗାଁ ଗୁଡିକ ମଧ୍ୟରେ ଅଧିକାଂଶ ଜାଗାରେ ଡାକ୍ତର ଉପସ୍ଥିତ ରୁହନ୍ତିନି । କିଛି ଡାକ୍ତରଖାନାରେ ପୁରୁଣା ଭିତ୍ତିଭୂମି ପଡିଥାଏ । ଆଉ କେଉଁଠି ଔଷଧ ଯୋଗାଣ ନିୟମିତ ହୁଏନି ବା ସ୍ୱାସ୍ଥ୍ୟସେବାର ଉପଯୁକ୍ତ ଯାଞ୍ଚ ହୁଏନି । ଏହି ସବୁ ସମସ୍ୟା ପାଇଁ ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆମେ ଆମର ଧ୍ୟାନ କେନ୍ଦ୍ରୀଭୂତ କଲୁ ।

ଓୟାରଲେସ୍ ହେଲଥ୍ ଇନ୍ସିଡେଣ୍ଟ ମନିଟରିଂ ସିଷ୍ଟମ୍

ଗ୍ରାମାଞ୍ଚଳରେ ଲୋକଙ୍କୁ ଯଥାସମ୍ଭବ ସ୍ୱାସ୍ଥ୍ୟସୁବିଧା ଦେବାକୁ iKure ପ୍ରଥମେ WHIMS(ଓୟାରଲେସ୍ ହେଲଥ୍ ଇନ୍ସିଡେଣ୍ଟ ମନିଟରିଂ ସିଷ୍ଟମ୍)ନାମକ ଏକ ନିଜସ୍ୱ ସଫ୍ଟୱେର ବିକାଶ କଲା । ଏହା ଏପରି ଏକ ୱେବ୍ ଆପ୍ଲିକେସନ୍, ଯାହାକି ସ୍ୱଳ୍ପ ହସ୍ପିଟାଲ ଓ କ୍ଲିନିକ୍ ଥିବା ଗାଁ ଗଣ୍ଡାରେ ଲୋକଙ୍କୁ ଚିକିତ୍ସା ଦେଲା । ଏହି ୱେବ୍ ଆପ୍ଲିକେସନ୍ କମ୍ ବ୍ୟାଣ୍ଡୱିଡଥ ଅଞ୍ଚଳରେ କାର୍ଯ୍ୟକ୍ଷମ ହେଲା । ଲୋକଙ୍କୁ ଚିକିତ୍ସା ଦେବାକୁ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଏହି ନୂଆ ଆପ୍ଲିକେସନ୍ ଏକ ସେତୁ ଭଳି କାମ କରିବା ସହ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ଦେବାକୁ ନୂଆ ଆଶା ଦେଲା ।  ଏହି ସଫ୍ଟୱେର ମାଧ୍ୟମରେ ଚିକିତ୍ସା ବିଶେଷଜ୍ଞମାନେ ଭିଡିଓ କନଫରେନ୍ସିଂ କରି ସହରରେ ଥାଇ ମଧ୍ୟ ଗ୍ରାମାଞ୍ଚଳର ଲୋକଙ୍କୁ ନିୟମିତ ଭାବେ ଆବଶ୍ୟକ ଚିକିତ୍ସା ଯୋଗାଇବା ସମ୍ଭବ ହେଲା । ଖାଲି ସେତିକି ନୁହେଁ ଏହି ଆପ୍ଲିକେସନ୍ ସହାୟତାରେ ଗ୍ରାମାଞ୍ଚଳରେ ରୋଗୀଙ୍କ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା, ଏହାର ରେକର୍ଡ କରି ରଖିବା, ସ୍ୱାସ୍ଥ୍ୟସେବାରେ ନିୟୋଜିତ ଚିକିତ୍ସକଙ୍କ କାମକୁ ଅନୁଧ୍ୟାନ କରିବା ଓ ନିୟମିତ ଭାବେ ରୋଗୀଙ୍କୁ ଔଷଧ ଦେବା ସମ୍ଭବ ହେଲା । ଏହିପରି ଭାବେ ଆପ୍ଲିକେସନରେ ରହୁଥିବା ରୋଗୀଙ୍କ ମେଡିକାଲ ଇତିହାସକୁ ଅନୁଧ୍ୟାନ କରି ଗ୍ରାମାଞ୍ଚଳରେ ଦେଖା ଦେଉଥିବା ରୋଗର ପ୍ରକାର ଓ କାରଣକୁ ଖୋଜି ପାଇବାରେ ସଫଳ ହେଲା iKure କମ୍ପାନୀର ୱେବ୍ ଆପ୍ଲିକେସନ୍ ଉଦ୍ଭାବନ ଯୋଗୁ ଏସବୁ ହୋଇପାରିଲା ବୋଲି ସୁଜୟ କହିଛନ୍ତି ।

ଏବେ iKure ଆୟ ସଂଗ୍ରହ ପାଇଁ ଦୁଇ ପ୍ରକାର ବିଜନେସ୍ ମଡେଲ ବ୍ୟବହାର କରୁଛି । ତାର ଆୟର ପ୍ରଥମ ମାଧ୍ୟମ ହେଉଛି, ଡାକ୍ତର ପରାମର୍ଶ ଓ ଡାଇଗ୍ନୋଷ୍ଟିକ୍(ନିଦାନ) ସେବା । ସେହିପରି ୨୦୧୬ରୁ ଆବଶ୍ୟକ ଚିକିତ୍ସା ପାଇଁ ରୋଗୀଙ୍କୁ ବାହାରକୁ ରେଫରାଲ୍ କରି ଓ ଗ୍ରାମାଞ୍ଚଳରେ ହସ୍ପିଟାଲ ସଂଖ୍ୟା ବଢାଇ ଆୟ କରିବାକୁ iKure ଲକ୍ଷ୍ୟ ରଖିଥିବା ସୁଜୟ କହିଛନ୍ତି । ତେବେ ଗତ କିଛି ବର୍ଷ ହେବ iKure ଟିମ୍ ତାର ୫୦ କର୍ମଚାରୀଙ୍କ ପାଇଁ ଏକ ମ୍ୟାନେଜେରିଆଲ୍ କାୟା ଗଠନ କରିଛି । iKureର ପରିଚାଳନା ଟିମରେ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ ଦିନରାତି କାମ କରୁଛନ୍ତି ।

ଆଇକିଓର

ଭାରତରେ ଏବେ ଟେଲି ମେଡିସିନ ସେବା ଆଗଉଛି । କିନ୍ତୁ ସୁଜୟଙ୍କ କହିବା କଥା, ଆଇକିଓର କେବଳ ଏକମାତ୍ର, ଯିଏ କି ଓୟାରଲେସ୍ ହେଲଥ୍ ଇନ୍ସିଡେଣ୍ଟ ମନିଟରିଂ ସିଷ୍ଟମ୍ ସଫ୍ଟୱୟାର ମାଧ୍ୟମରେ ଗ୍ରାମାଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଉଛି । iKureରେ ସଫ୍ଟୱୟାର ଇଞ୍ଜିନିୟରଙ୍କଠୁ ଆରମ୍ଭ କରି ଡାକ୍ତର, ହସ୍ପିଟାଲ ପରିଚାଳକ ଓ ପଲିସି ଏକ୍ସପର୍ଟ ଟିମର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇଛି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମିର ଅଭାବ, ଟେଲି ମେଡିସିନ୍ ଶିକ୍ଷା, ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଯୋଗୁ ଟେଲି ମେଡିସିନ୍ ବିକାଶରେ ବାଧକ ହେଉଛି । ମାତ୍ର iKure ଶସ୍ତାରେ ଲୋକଙ୍କୁ ସଫ୍ଟୱେର ମୋବାଇଲ ଚିକିତ୍ସା ସୁବିଧା ଦେଉଛି । ଏବେ ସୁଦ୍ଧା ପଶ୍ଚିମବଙ୍ଗର ବୀରଭୂମ ଓ ମେଦିନୀପୁର ଜିଲ୍ଲାରେ iKure ୨୮ଟି ଗ୍ରାମୀଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଅଛି । ଏହି କେନ୍ଦ୍ରରେ ପ୍ରଶିକ୍ଷିତ ଡାକ୍ତର, ନିଦାନ ଉପକରଣ, ମେଡିସିନ୍, ସର୍ଜରୀ ପୂର୍ବ ଓ ପରବର୍ତ୍ତୀ ସମୟରେ ପରାମର୍ଶ ସୁବିଧା ଉପଲବ୍ଧ ହେଉଛି । ଆଗାମୀ ଦିନରେ ଓଡିଶା, ବିହାର ଆସାମ ଓ ପୂର୍ବ ଭାରତରେ ଆହୁରି ୧୦୦ଟି ଗ୍ରାମୀଣ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲିବାକୁ iKure ଯୋଜନା କରିଛି ।

ସୁଜୟ ତାଙ୍କର ବ୍ୟାପାର ବିଷୟରେ କୁହନ୍ତି, ‘ଦୀର୍ଘ ଦିନର ଯାତ୍ରାରେ ବିଫଳତା ଓ ସଫଳତା ଉଭୟକୁ ଦେଖିଛି । ହେଲେ ସବୁବେଳେ ଅନୁଭବ କରିଛି, ବିଫଳତା ସ୍ୱାଦ ନ ଚାଖିଲେ କେବେବି ସଫଳତା ଆଡକୁ ଯାଇ ହେବନି । ଆଗକୁ ବଢିବାକୁ ହେଲେ ନିଜ ଭିତରେ ଥିବା ସାହସ ଓ ଦୃଢ ସଂକଳ୍ପର ଭଣ୍ଡାର ଖୋଜି ବାହାର କରିବାକୁ ପଡିବ’।

iKure ସମ୍ପର୍କରେ ଅଧିକ ଜାଣିବାକୁ ହେଲେ ତାଙ୍କ"ୱେବସାଇଟ" ଦେଖନ୍ତୁ।

ଆଧାର : Ruchika Panigrahi (freelancer journalist)

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate